ସୋସିଆଲ ମିଡ଼ିଆର ବ୍ୟାପ୍ତି ସହ ଅନଲାଇନ ଗୁଜବ ପ୍ରସାର ବିଶ୍ୱବ୍ୟାପୀ ଯୋଡ଼ି ହୋଇ ରହିଛି । ବିଗତ ଦଶନ୍ଧିରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ଫେସବୁକ, ଟୁଇଟର ଓ ହ୍ୱାଟସଆପ ଭଳି ମେସେଜିଂ ଆପ୍ଲିକେସନର ଲୋକପ୍ରିୟତାରେ ପର୍ଯ୍ୟବସିତ ହୋଇଛି । ଏକ ପକ୍ଷରେ ବ୍ୟକ୍ତିଗତ ଯୋଗାଯୋଗ କ୍ଷେତ୍ରରେ ଅନଲାଇନ ସୁବିଧା ସୁଯୋଗ ବିପୁଳ ସମ୍ଭାବନା ସୃଷ୍ଟି କରିଥିବାସ୍ଥଳେ ଗୁଜବ ପ୍ରସାରରେ ସୃଷ୍ଟ ଭ୍ରାନ୍ତ ପରିବେଶ ସ୍ଥଳବିଶେଷରେ ସାମାଜିକ ଅସ୍ଥିରତାର କାରଣ ପାଲଟୁଛି ।
ମାନବ ସଭ୍ୟତାରେ ଗୁଜବ ପ୍ରସାର ପ୍ରବୃତ୍ତି ଭାଷା-ପୂର୍ବ ଅବସ୍ଥାରୁ ଚଳିଆସିଛି ବୋଲି କହିବାକୁ ହେବ । ଠାର ଓ ସ୍ୱର ଦ୍ୱାରା ମନୁଷ୍ୟ ଭାବ ପ୍ରକାଶ କାଳରେ ମିଥ୍ୟା ଓ ଅତିରଞ୍ଜିତ ତଥ୍ୟ ପ୍ରସାରରେ ସଂପୃକ୍ତି ଅନୁମାନ କରାଯାଇପାରେ । ଉଦାହରଣରେ ଜଣେ ଫଳମୂଳ ସଂଗ୍ରହ କିମ୍ୱା ଶିକାରର ଅଭିଜ୍ଞତା ଆତ୍ମୀୟଙ୍କ ମେଳରେ ବର୍ଣ୍ଣନା ଅବସରରେ ବାସ୍ତବତାରୁ କିଛିମାତ୍ରାରେ ଦୂରେଇଯିବା ବିଭିନ୍ନ କାରଣରୁ ସ୍ୱାଭାବିକ ମନେହୁଏ । ପ୍ରାଣୀମାତ୍ରକେ ବିପଦର ଆଶଙ୍କା ଜନ୍ମଗତ । ସମ୍ଭାବ୍ୟ ବିପଦ ବର୍ଣ୍ଣନା ଅଧିକାଂଶସ୍ଥଳରେ କଳ୍ପନା ପ୍ରସୂତ ହୋଇଥାଏ ।
ଉଲ୍ଲେଖନୀୟ ବିଷୟ ଏହିଯେ ମାନବ ସଭ୍ୟତାର ବିକାଶ ଚ଼ରମ ସୀମାରେ ପହଞ୍ଚୁଥିବା ତଥା ଯାବତୀୟ ପ୍ରଯୁକ୍ତି କୌଶଳ ଉଦ୍ଭାବନ ଓ ଉପଯୋଗ କାଳରେ ମଧ୍ୟ ମନୁଷ୍ୟ ଗୁଜବ ପ୍ରସାରର ଆଦିମ ପ୍ରବୃତ୍ତିଟିକୁ ପରିତ୍ୟାଗ କରିପାରି ନାହିଁ । ଅଧିକନ୍ତୁ ପ୍ରକାଶନ ନିମନ୍ତେ ବନ୍ଧନୀମୁକ୍ତ ସୋସିଆଲ ମିଡ଼ିଆ ପରିବେଶରେ ଗୁଜବ ପ୍ରାଣବନ୍ତ ରହିଛି ଏବଂ ଏହାର ପ୍ରଭାବ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକରେ ରାଜନୀତିକ, ଅର୍ଥନୀତିକ ତଥା ସାମାଜିକ କ୍ଷେତ୍ରରେ ବ୍ୟାପକ ବିଭ୍ରାଟର କାରଣରୂପେ ଚ଼ିହ୍ନଟ ହେଉଛି ।
ଗଣମାଧ୍ୟମ ଅଧ୍ୟୟନରେ ଗୁଜବ ସଂପର୍କରେ ଗବେଷଣା ତଥ୍ୟ ଉପଲବ୍ଧ ଥିଲେ ହେଁ, ଆନଲାଇନ ଗୁଜବ ସଂପର୍କୀତ ସନ୍ଦର୍ଭଗୁଡ଼ିକର ସଂଖ୍ୟା ସୀମିତ । ନିକଟ ଅତୀତରେ ସୋସିଆଲ ମିଡ଼ିଆର ଉତ୍ପତ୍ତି ତଥା ବିଶ୍ୱବ୍ୟାପୀ ଏହାର ପରିବ୍ୟାପ୍ତି ନିର୍ଭରଶୀଳ ଗବେଷଣା ନିମନ୍ତେ ପ୍ରତିବନ୍ଧକ ମନେକରାଯାଏ । ଅବଶ୍ୟ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ତୁଳନାରେ ଅନ-ଲାଇନ ବ୍ୟବହାରଜନିତ ତଥ୍ୟ ଆହରଣ ନିମନ୍ତେ ପ୍ରକୃଷ୍ଟ ପରିବେଶ ସୃଷ୍ଟିରେ ସହାୟକ ହୋଇଥାଏ ଏବଂ ଏହି କାରଣରୁ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ଉତ୍ପତ୍ତି ସମୟରୁ ଅସଂଖ୍ୟ ଗବେଷଣା ସଂଭବପର ହୋଇପାରିଛି ।
ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟସ ଇନଷ୍ଟିଟିଉଟ ଅଫ ଟେକନୋଲଜିରେ ଅବସ୍ଥାପିତ ସିନାନ ଆରଲ ନାମକ ଜନୈକ ପ୍ରଫେସର ଦୁଇଜଣ ସହକର୍ମୀ ଦେବ ରାୟ ଓ ସୋରୋଶ ଭୋସୌଗିଙ୍କ ସହ ଖ୍ୟାତନାମା ‘ସାଇନ୍ସ’ ପତ୍ରିକାର ୨୦୧୮ ମାର୍ଚ୍ଚ ସଂସ୍କରଣରେ ଅନଲାଇନ ଗୁଜବ ସଂପର୍କରେ ଏକ ସନ୍ଦର୍ଭ ପ୍ରକାଶ କରିଛନ୍ତି । ଏହି ଗବେଷଣା ନିମନ୍ତେ ୨୦୦୬ରେ ଟୁଇଟର ଆରମ୍ଭ ସମୟରୁ ୨୦୧୭ ବାରବର୍ଷ ମଧ୍ୟରେ ପ୍ରସାରିତ ଏକ ଲକ୍ଷ ୨୬ ହଜାର ଟୁଇଟ ବାର୍ତ୍ତାଳାପ ଗୁଚ୍ଛ ‘କାସକାଡ଼ସ’ ନିର୍ବାଚ଼ିତ କରି ଅନୁଶୀଳନ କରାଯାଇଛି। ଏଥି ମଧ୍ୟରେ ସତ୍ୟ ଓ ଅସତ୍ୟ ଉଭୟ ପର୍ଯ୍ୟାୟର ଟୁଇଟ ଅନ୍ତର୍ଭୁକ୍ତ ଏବଂ ଏଗୁଡ଼ିକ ପ୍ରାୟ ୩୦ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରେ ପ୍ରସାରିତ ହୋଇଥିଲା ।
ଏମଆଇଟି ପ୍ରଫେସରଙ୍କ ଗବେଷଣାର ନିର୍ଯ୍ୟାସଗୁଡ଼ିକ ମଧ୍ୟରେ ତିନିଗୋଟି ପ୍ରବାହ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ ସତ୍ୟ ତୁଳନା ଅସତ୍ୟ ପୋଷ୍ଟଗୁଡ଼ିକ ଅଧିକ ବେଗରେ ଅଧିକ ମାତ୍ରାରେ ପ୍ରସାରିତ ହୋଇଥାଏ । ହିସାବରୁ ଜଣାଯାଇଛି ଯେ ୭୦ ପ୍ରତିଶତ ଅସତ୍ୟ ପୋଷ୍ଟ ସେୟାର ହୋଇଥାଏ । ଅପରପକ୍ଷରେ ଯେଉଁମାନେ ଅଧିକ ପରିମାଣରେ ଅସତ୍ୟ ପୋଷ୍ଟ ସେୟାର କରିଥାନ୍ତି ସେମାନଙ୍କ ଏକାଉଣ୍ଟରେ ଅଳ୍ପ ସଂଖ୍ୟକ ଫାଲୋଏର ଥାଆନ୍ତି ଏବଂ ସେମାନେ କମ ସମୟ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର କରିଥାନ୍ତି ।
ଦ୍ୱିତୀୟତଃ ସୋସିଆଲ ମିଡ଼ିଆରେ ରୋବଟ ପ୍ରସୂତ ପୋଷ୍ଟ ଜରିଆରେ ମିଥ୍ୟା ସମ୍ୱାଦ ଓ ଗୁଜବ ପ୍ରସାରିତ ହେଉଥିବା ସାଧାରଣରେ ଅଭିଯୋଗ ଆସିଥାଏ । କିନ୍ତୁ ଗବେଷଣାରୁ ଜଣାଯାଇଛି ଯେ ସତ୍ୟ ଓ ମିଥ୍ୟା ଉଭୟ ସମ୍ୱାଦ ସେୟାର କରିବାରେ ରୋବଟର ଭୂମିକା ସମାନ ରହିଥାଏ । ଅର୍ଥାତ ରୋବଟ ତୁଳନାରେ ମନୁଷ୍ୟମାନେ ହିଁ ସୋସିଆଲ ମିଡ଼ିଆରେ ଅଧିକମାତ୍ରାରେ ଗୁଜବ ପ୍ରସାର କରିଥାନ୍ତି ।
ତୃତୀୟତଃ ଗୁଜବରେ ନୂତନ ଦୃଷ୍ଟିକୋଣ ସୋସିଆଲ ମିଡ଼ିଆରେ ଏହାକୁ ସେୟାର କରିବାଲାଗି ଉତ୍ସାହିତ କରିଥାଏ । ଗୁଜବରେ ସନ୍ନିବେଶିତ ଚ଼ାଞ୍ଚଲ୍ୟକର ତଥ୍ୟାବଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ ଏବଂ ସେଗୁଡ଼ିକୁ ପରିଚ଼ିତବର୍ଗଙ୍କ ମଧ୍ୟରେ ବିତରଣ କରିବାକୁ ପସନ୍ଦ କରିଥାନ୍ତି । ଅନେକେ କୌଣସି ଏକ ପୋଷ୍ଟ ମିଥ୍ୟା ସମ୍ୱାଦ ବା ଗୁଜବ ବୋଲି ଜାଣି ସୁଦ୍ଧା କୌତୁହଳବଶତଃ ସେୟାର କରିବାକୁ ପଛଘୁଞ୍ଚା ଦେଇନଥାନ୍ତି ।
ସ୍ୱତଃପ୍ରବୃତ୍ତ ଗୁଜବ ତୁଳନାରେ ପ୍ରାୟୋଜିତ ଗୁଜବ ମାରାତ୍ମକ । ରାଜନୀତି, ବାଣିଜ୍ୟ ବ୍ୟବସାୟ ଓ ମନୋରଞ୍ଜନ ବର୍ଗରେ ଗୁଜବ ପ୍ରଭାବଶାଳୀ ଭୂମିକା ଗ୍ରହଣ କରୁଥିବା ହେତୁ ଏହିସବୁ କ୍ଷେତ୍ରରେ ଅନଲାଇନରେ ଲକ୍ଷ୍ୟବଦ୍ଧ ଗୁଜବ ପ୍ରଯୋଜନା ଓ ପ୍ରସାରଣ ଏକ ରକମ ବ୍ୟବସାୟରୂପେ ଗଢ଼ି ଉଠିଲାଣି । ସୋସିଆଲ ମିଡ଼ିଆ ପରିବେଶରେ କ୍ରମାଗତଭାବେ ଅଭିନବ ପ୍ରଯୁକ୍ତି କଳାକୌଶଳ ତଥା ବ୍ୟାବସାୟିକ ମଡ଼େଲ ଉପଯୋଗ ହେଉଥିବା ହେତୁ ଏହାର ପ୍ରଗତି ଓ କାର୍ଯ୍ୟକାରିତା ହଠାତ ଆକଳନ କରିବା ସଂଭବପର ହୋଇପାରୁ ନାହିଁ । ଫଳତଃ ନୀତି ଓ ସ୍ଥିତି ମଧ୍ୟରେ ପ୍ରଭେଦ ସୃଷ୍ଟି ହେଉଛି ।
ଭାରତୀୟ ସମ୍ୱିଧାନର ମୌଳିକ ଅଧିକାର ଅଭିବ୍ୟକ୍ତିରେ ସ୍ୱାଧୀନତା ୧୯(୧)ଖ ଅନୁଯାୟୀ ଗୁଜବ ପ୍ରସାର ଆଇନତଃ ନିଷିଦ୍ଧ । ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦ରେ ଅନଲାଇନରେ ଗୁଜବ ପ୍ରସାର ବାରଣ କରାଯାଇଛି । ତେବେ ସୋସିଆଲ ମିଡ଼ିଆରେ ଗୁଜବ ପ୍ରସାର ଆଇନ ବଦଳରେ ସଚ଼େତନତା ସୃଷ୍ଟି ଉପରେ ନିର୍ଭରଶୀଳ ।ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ହିଁ ଗୁଜବ ପ୍ରସାର ରୋକିବାର ଏକମାତ୍ର ବିକଳ୍ପ । ଏ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନା ପରିବର୍ତ୍ତିତ ପରିପ୍ରେକ୍ଷୀରେ ଜରୁରୀ ହୋଇପଡ଼ିଛି ।
