ଭାରତରେ ଟେଲିଭିଜନ ପ୍ରସାରଣର ଇତିହାସରେ ଆନ୍ତର୍ଜାତିକସ୍ତରରେ ଉଦ୍ଭାବିତ ନୂତନ ବୈଷୟିକ କୌଶଳଗୁଡ଼ିକର ସଫଳ ଉପଯୋଗର ଉଦାହରଣମାନ ପ୍ରତିବିମ୍ୱିତ ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଟେଲିଭିଜନ ପ୍ରସାରଣ ପ୍ରସାରଲାଭ କରିଥିବା ସ୍ଥଳେ ଆମ ଦେଶରେ ସେଟଲାଇଟ ଉପଯୋଗରେ ୧୯୮୨ ବେଳକୁ ଖୁବ କମ ସମୟ ଅବଧିରେ ସମଗ୍ର ଦେଶରେ ସମ୍ଭବପର ହୋଇପାରିଥିଲା । ଏଥିନିମନ୍ତେ ୧୯୭୫ ରୁ ୧୯୭୭ ଦୁଇ ବର୍ଷ ଧରି ପରୀକ୍ଷାମୂଳକ ପ୍ରସାରଣ ଆୟୋଜନ କରାଯାଇଥିଲା ।ସେଟଲାଇଟ ପ୍ରସାରଣ ପୂର୍ବରୁ ପ୍ରଚ଼ଳିତ ଟେରିଷ୍ଟରିଆଲ ପ୍ରସାରଣ ଅତ୍ୟନ୍ତ ବ୍ୟୟବହୁଳ, ଶ୍ରମ ତଥା ସମୟସାପେକ୍ଷ ଥିବାସ୍ଥଳେ ସେଟଲାଇଟ ପ୍ରସାରଣ ଭାରତୀୟ ଭୌଗଳିକ ବିସ୍ତୃତି ଓ ଅର୍ଥନୀତିକସ୍ଥିତିକୁ ସୁହାଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟରେ ଗତ ଶତାଦ୍ଦୀର ନବମଦଶକ ଆରମ୍ଭରୁ କେବଲ ଟେଲିଭିଜନ ପ୍ରସାରଣ ଗୁଣାତ୍ମକ ବିକାଶରେ ସହାୟକ ହୋଇଥିଲା । ସେଟଲାଇଟ ଟେଲିଭିଜନ ପ୍ରସାରଣ ତୁଳନାରେ କେବଲ ଟେଲିଭିଜନ ପ୍ରଣାଳୀରେ ଅଧିକ ଚ଼୍ୟାନେଲର କାର୍ଯ୍ୟକ୍ରମ ତଥା ଚ଼ିତ୍ର ଓ ଶଦ୍ଦର ମାନ ବୃଦ୍ଧି ଘଟିଥିଲା । ଗଣମାଧ୍ୟମରେ ପ୍ରଚଳିତ ମୁଦ୍ରଣ, ରେଡ଼ିଓ ଓ ଚଳଚ଼ିତ୍ର ସାଙ୍ଗକୁ ଟେଲିଭିଜନ ଘରୋଇ ଉଦ୍ୟୋଗରେ ଏକ ଶିଳ୍ପରୂପେ ମୁଣ୍ଡଟେକିଲା । ଚଳିତ ଶତାଦ୍ଦୀର ଦ୍ୱିତୀୟ ଦଶକରୁ କେବଲ ଟେଲିଭିଜନର ଡ଼ିଜିଟାଲ ରୂପାନ୍ତରୀକରଣ ଟେଲିଭିଜନ ପ୍ରସାରଣକୁ ଅଧିକ ସୁସଂହତ କରିବାରେ ସମର୍ଥ ହେଲା ।
ତୃତୀୟ ପର୍ଯ୍ୟାୟରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ‘ଡ଼ାଇରେକ୍ଟ-ଟୁ-ହୋମ’(ଡ଼ିଟିଏଚ଼) ପ୍ରସାରଣ ସେବା ଦେଶରେ ଟେଲିଭିଜନ ପ୍ରସାରଣରେ ନୂତନ ସମ୍ଭାବନା ସୃଷ୍ଟି କରିଥିଲା । ଏକପକ୍ଷରେ ସହରାଞ୍ଚଳରେ ଟେଲିଭିଜନ ଉପଭୋକ୍ତାମାନଙ୍କ ନିମନ୍ତେ କେବଲ ଟେଲିଭିଜନ ତୁଳନାରେ ଡ଼ିଟିଏଚ଼ ପ୍ରସାରଣ ଚ଼୍ୟାନେଲ ସଂଖ୍ୟା ବୃଦ୍ଧି, ବିକଳ୍ପ କାର୍ଯ୍ୟକ୍ରମ ତଥା ପ୍ରସାରଣ ମାନବୃଦ୍ଧିରେ ସହାୟକ ହୋଇଥିବା ସ୍ଥଳେ ଅପହଞ୍ଚ ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଟେଲିଭିଜନ ପ୍ରସାରଣ ସେବା ଯୋଗାଇବା ସମ୍ଭବପର ହୋଇପାରିଥିଲା ।
ଚ଼ତୁର୍ଥ ପର୍ଯ୍ୟାୟରେ ୨୦୧୮ ଶେଷ ବେଳକୁ ଟେଲିଭିଜନ ପ୍ରସାରଣ ସହ ଇଣ୍ଟରନେଟ ସେବା ଯୋଗ କରି ଉପଭୋକ୍ତାଙ୍କ ନିମନ୍ତେ ବିବିଧ ସୁବିଧା ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଉଦ୍ୟମ ଆରମ୍ଭ ହୋଇଛି ।ଦେଶର ଅନ୍ୟତମ ଅଗ୍ରଣୀ ଟେଲିକମ କମ୍ପାନୀ ଜିଓ ‘ଫାଇବର-ଟୁ-ଦି-ହୋମ’ (ଏଫଟିଟିଏଚ଼) ସେବାରେ ମନୋନିବେଶ କରିଥିବା ଚର୍ଚ୍ଚିତ ହେବାରେ ଲାଗିଛି ।
ଭାରତରେ ଏକିବଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଶେଷ ସୁଦ୍ଧା ୧୯ କୋଟି ୭୦ ଲକ୍ଷ ବାସଗୃହରେ ଟେଲିଭିଜନ ସେଟ ଉପଲବ୍ଧ । ସେଥିମଧ୍ୟରୁ ୮ କୋଟି ୬୦ ଲକ୍ଷ କେବଲ ଟେଲିଭିଜନ ତଥା ୬ କୋଟି ୯୦ ଲକ୍ଷ ଡ଼ିଟିଏଚ଼ ଟେଲିଭିଜନ ଉପଭୋକ୍ତା ଅର୍ନ୍ତଭୁକ୍ତ । ଦେଶର ଟେଲିଭିଜନ ପ୍ରସାରଣରେ ନୂତନ ପର୍ଯ୍ୟାୟରେ ଏମାନଙ୍କ ମଧ୍ୟରୁ ୫ କୋଟି ଉପଭୋକ୍ତାଙ୍କୁ ପ୍ରାଥମିକ ଉଦ୍ୟମରେ ଏଫଟିଟିଏଚ଼ ଉପଭୋକ୍ତାରୂପେ ପରିବର୍ତ୍ତନ କରାଯିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଏଫଟିଟିଏଚ଼ ପ୍ରସାରଣ ପଦ୍ଧତି ପ୍ରଚଳନରେ ୨୦ କୋଟି ପରିବାରଙ୍କ ବାସଗୃହକୁ ଫାଇବର ଅପ୍ଟିକ ତାର ବିଛାଇ ସଂଯୋଗ ସ୍ଥାପନ କରାଯିବ ଆବଶ୍ୟକ । ଏଭଳି ସଂଯୋଗରେ କନଭରଜେନ୍ସ ପ୍ରକ୍ରିୟାରେ କେବଲ ବା ଡ଼ିଟିଏଚ଼ ଭଳି ଟେଲିଭିଜନ ଚ଼୍ୟାନେଲଗୁଡ଼ିକର ପ୍ରସାରଣ ସାଙ୍ଗକୁ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇବା ସମ୍ଭବପର । ଏଫଟିଟିଏଚ଼ ପ୍ରସାରଣ ଗୁଣାତ୍ମକ ଦୃଷ୍ଟିରୁ କେବଲ ବା ଡ଼ିଟିଏଚ଼ଠାରୁ ଉନ୍ନତ ହେବା ସ୍ୱାଭାବିକ ।ଏହା ସହ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟର ଯାବତୀୟ ସୁବିଧା ଉପଭୋକ୍ତା ପାଇପାରିବେ ।ଫାଇବର ଅପ୍ଟିକ ତାର ସଂଯୋଗ ହେତୁ ଅଧିକ ବେଗରେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇପାରିବ ।
ପରିବର୍ତ୍ତିତ ପରିସ୍ଥିତିରେ ଟେଲିଭିଜନ ପ୍ରସାରଣ ଓ ଇଣ୍ଟରନେଟ ସେବାର କନଭରଜେନ୍ସ ଗୁରୁତ୍ୱବହନ କରିଥାଏ । ଉଚ୍ଚଶ୍ରେଣୀ ଦର୍ଶକମଣ୍ଡଳୀ ‘ପ୍ରିମିୟମ ସେଗମେଣ୍ଟ ଅଡ଼ିଏନ୍ସ’ ସାଧାରଣ କେବଲ ଟେଲିଭିଜନ ଚ଼୍ୟାନେଲରୁ ହଟଷ୍ଟାର, ନେଟଫ୍ଳେକ୍ସ, ଆମେଜନ ପ୍ରାଇମ ଭଳି ରୁଚ଼ି ସମ୍ପନ୍ନ ଟେଲିଭିଜନ ଷ୍ଟ୍ରୀମିଂ ସେବା ପ୍ରତି ଆକୃଷ୍ଟ ହେଉଛନ୍ତି । ବ୍ୟାବସାୟିକ ବିଜ୍ଞାପନ ଅନଲାଇନ ମଞ୍ଚଗୁଡ଼ିକୁ ସ୍ଥାନାନ୍ତରିତ ହେବାରେ ଲାଗିଛି । ମନୋରଞ୍ଜନ ସାଙ୍ଗକୁ ଅର୍ଥ ଦେଣନେଣ, କିଣାବିକା, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅନଲାଇନ ପରିବେଶରେ ସୁଦୃଢ଼ ହେଉଥିବା ଅବସରରେ ନିର୍ଭରଶୀଳ ଓ କ୍ଷୀପ୍ର ଇଣ୍ଟରନେଟ ସଂଯୋଗ କ୍ରମଶଃ ଏକ ମୌଳିକ ଆବଶ୍ୟକତାରେ ପରିଣତ ହେବା ଆଶା କରାଯାଇପାରେ । ସର୍ବୋପରି ସରକାରୀସ୍ତରରେ ଡ଼ିଜିଟାଲ ପ୍ରଶାସନ ନିମନ୍ତେ ନୀତିନିର୍ଦ୍ଧାରଣ ଉନ୍ନତ ଇଣ୍ଟରନେଟ ସେବାକୁ ଉତ୍ସାହିତ କରିବ।
ତଥ୍ୟାଭିଜ୍ଞମାନଙ୍କ ଯୁକ୍ତି ହେଲା ଟେଲିଭିଜନ ପ୍ରସାରଣରେ ଟେରିଷ୍ଟରିଆଲ କେବଲ ଓ କେବଲରୁ ଡ଼ିଟିଏଚ଼ ମଞ୍ଚକୁ ଉପଭୋକ୍ତାଙ୍କ ସ୍ଥାନାନ୍ତରିକରଣର ଅଭିଜ୍ଞତା କେବଲ ଓ ଡ଼ିଟିଏଚ଼ରୁ ଏଫଟିଟିଏଚ଼ ମଞ୍ଚରେ ଉପଭୋକ୍ତାଙ୍କ ଉପସ୍ଥିତିଲାଗି ସହାୟକ ହେବ । ତେବେ ବାସଗୃହଗୁଡ଼ିକୁ ଫାଇବର ଅପ୍ଟିକ ତାର ବିଛାଇବାରେ ନିବେଶ ଦୃଷ୍ଟିରୁ ପ୍ରାଥମିକ ପର୍ଯ୍ୟାୟରେ ପାଞ୍ଚ କୋଟି ଉପଭୋକ୍ତା ସଂଗୃହୀତ ନ ହୋଇପାରିଲେ ପ୍ରସାରଣ ମଞ୍ଚ ଚଳାଇବା ବ୍ୟାବସାୟିକ ଅର୍ଥନୀତି ସମତୁଲ ହୋଇପାରିବ ନାହିଁ । ତେବେ ୪ଜି ପ୍ରସାରଣ କ୍ଷେତ୍ରରେ ପ୍ରସ୍ତୁତ ପରିବେଶ ଏଫଟିଟିଏଚ଼ କ୍ଷେତ୍ରରେ ଆଶା କରାଯିବା ଅସମଚ଼ୀନ ନୁହେଁ ।
ଗ୍ରାହକ ଚ଼ାନ୍ଦା ବାବଦରେ ଡ଼ିଟିଏଚ଼ ସେବା ନିମନ୍ତେ ଉପଭୋକ୍ତାମାନେ ମାସିକ ହାରାହାରି ୨୫୦ ରୁ ୫୦୦ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ଏଫଟିଟିଏଚ଼ କ୍ଷେତ୍ରରେ ମାସିକ ୧,୦୦୦ ଟଙ୍କା ଆବଶ୍ୟକ ପଡ଼ିପାରେ ବୋଲି କୁହାଯାଉଛି । କିନ୍ତୁ ବର୍ଦ୍ଧିତ ପରିମାଣର ଗ୍ରାହକ ଚ଼ାନ୍ଦାରେ ଯଦି ଇଣ୍ଟରନେଟ ସେବା ତଥା ଗୋଟିଏ ବାସଗୃହରେ ୱାଇଫାଇ ଉପଯୋଗରେ ଏକାଧିକ ଉପକରଣ ବ୍ୟବହାରର ସୁଯୋଗ ଉପଲବ୍ଧ ହେବ ତାହା ଏକ ନୂତନ ସମୀକରଣ ସୃଷ୍ଟି କରିବା ଆଶା କରାଯାଇପାରେ ।
ଜିଓ ପକ୍ଷରୁ ହାଥୱେ ଓ ଡ଼େନ ନାମକ ଦୁଇଗୋଟି କେବଲ ଟେଲିଭିଜନ କମ୍ପାନୀକୁ ଅଧିଗ୍ରହଣ କରାଯାଇଛି । ଏହି ଦୁଇ ପ୍ରସାରଣ ସଂସ୍ଥାର ପ୍ରାୟ ୨ କୋଟି ୪୦ଲକ୍ଷ ଉପଭୋକ୍ତା ଜିଓର ନିୟନ୍ତ୍ରଣାଧୀନ ହୋଇପାରିଛନ୍ତି ।ରିଲାଏନ୍ସ ପକ୍ଷରୁ ଫାଇବର ଅପ୍ଟିକ ତାର ବିଛାଇବା କାମ ଦୀର୍ଘ ଦିନରୁ ଚ଼ାଲିଛି । ହୁଏତ ଉପଲବ୍ଧ ସୁବିଧା ସୁଯୋଗକୁ ପାଥେୟ କରି ନିକଟ ଭବିଷ୍ୟତରେ ଏଫଟିଟିଏଚ଼ ସେବା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ଅବସ୍ଥାରେ ଡ଼ିଜିଟାଲ କେବଲ ସେଟଟପ ବକ୍ସ ଜରିଆରେ ପ୍ରସାରଣ ବ୍ୟବସାୟ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଫାଇବର ଅପ୍ଟିକ ସେବାକୁ ଉନ୍ନିତ କରାଯାଇପାରେ ବୋଲି କୁହାଯାଉଛି । ତେବେ ଏଭଳି ସେବା ସଂପ୍ରସାରଣ ବିପୁଳ ନିବେଶ ଆବଶ୍ୟକ ହେଉଥିବା ହେତୁ ସମଗ୍ର ଦେଶ ବଦଳରେ ୭୫୦ଗୋଟି ସହରାଞ୍ଚଳରେ ତତ୍ କ୍ଷଣାତ ସଫଳତା ସମ୍ଭବପର ବୋଲି ଆଶା କରାଯାଉଛି ।
ଇଣ୍ଟରନେଟ ସେବାର ଗୁଣବତ୍ତା ଦୃଷ୍ଟିରୁ ଭାରତର ସ୍ଥାନ ଆନ୍ତର୍ଜାତିକସ୍ତରରେ ସର୍ବନିମ୍ନ ଅବସ୍ଥାରେ ରହିଆସିଛି । ଦେଶର ମାତ୍ର ୪୦ ପ୍ରତିଶତ ନାଗରିକ ଇଣ୍ଟରନେଟ ସଂଯୁକ୍ତ ହୋଇପାରିଛନ୍ତି । ସରକାରୀସ୍ତରରେ ଦେଶର ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ‘ଭାରତ ନେଟ’ ମାଧ୍ୟମରେ ବ୍ରଡ଼ବ୍ୟାଣ୍ଡ ସଂଯୁକ୍ତିପାଇଁ ପ୍ରଚ଼େଷ୍ଟା ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ଘରୋଇ ଉଦ୍ୟୋଗରେ ଇଣ୍ଟରନେଟର ମାନବୃଦ୍ଧି ନିମନ୍ତେ ଉଦ୍ୟମ ସ୍ୱାଗତଯୋଗ୍ୟ । ସେହିପରି ବିଭିନ୍ନ ବର୍ଗର ଟେଲିଭିଜନ ଦର୍ଶକଙ୍କ ରୁଚ଼ିକୁ ସୁହାଇବା ତଥା ମନୋରଞ୍ଜନ ଶିଳ୍ପରେ ସର୍ଜନଶୀଳତା ବିକାଶ ନିମନ୍ତେ ଟେଲିଭିଜନ ପ୍ରସାରଣରେ ଗୁଣାତ୍ମକ ବିକାଶ ଉଦ୍ୟମ ମଧ୍ୟ ଅଭିନନ୍ଦନୀୟ । ଏ ଦିଗରେ ଜିଓ ଯଦି ଏକ ସଫଳ ବ୍ୟାବସାୟିକ ମଡ଼େଲ ସଂଯୋଜନାରେ ସମର୍ଥ ହୁଏ ତେବେ ଦେଶବାସୀ ଉପକୃତ ହେବେ ।
