‘ଫେକ ନିଉଜ’କୁ ‘ଅସତ୍ୟ ସମ୍ୱାଦ’ କୁହାଗଲେ ‘ଡ଼ିପଫେକ’କୁ ‘ଅସତ୍ୟ ଦୃଶ୍ୟ’ ନାମିତ କରାଯାଇପାରେ । ‘ଡ଼ିପଫେକ’ ବୈଷୟିକ କୌଶଳ ମାଧ୍ୟମରେ କୌଣସି ଭିଡ଼ିଓର ମୌଳିକ ଦୃଶ୍ୟ ଓ ଶ୍ରାବ୍ୟ ‘ଭିଡ଼ିଓ’ ଓ ‘ଅଡ଼ିଓ’ ଉପାଦାନ ‘କଣ୍ଟେଣ୍ଟ’ ପରିବର୍ତ୍ତିତ କରି ନକଲ ପ୍ରସ୍ତୁତିକୁ ବୁଝାଏ । ‘ଡିପଫେକ’ ଭିଡ଼ିଓ ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ଜଟିଳ ସୂତ୍ରାବଳୀ ଉପଯୋଗ ଆବଶ୍ୟକ କରେ । ତେବେ ଏହି ଭଳି ସଫଟୱେର ସହଜରେ ଓ ମାଗଣାରେ ଡ଼େସ୍କଟପ ଓ ସ୍ମାର୍ଟଫୋନ ଆପ ଆକାରରେ ଜାନୁୟାରୀ ୨୦୧୮ରୁ ସର୍ବସାଧାରଣରେ ଉପଲବ୍ଧ ହେବାରେ ଲାଗିଲା । ନଭେମ୍ୱର ୨୦୨୨ରେ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ଲୋକାର୍ପଣ ଏହି ଦିଗରେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କଲା । ଫଳରେ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ୨୦୨୩ ଶେଷ ସୁଦ୍ଧା ବିଶ୍ୱବ୍ୟାପୀ ‘ଡିପଫେକ’ ଭିଡିଓ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଲା ।
ଫୋଟଗ୍ରାଫି ଓ ସିନେମା କଳାକୌଶଳ ଉଦ୍ଭାବନ ପରେ ପରେ ଅସଲି ଚ଼ିତ୍ରରେ ନକଲି ଖଞ୍ଜିବା ଆରମ୍ଭ ହୋଇଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ପରିବେଶରେ ଡ଼ିଜିଟାଲ ଭିଡ଼ିଓ ପ୍ରଚଳନ ପରେ ଏହି କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ଘଟିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ବୈଷୟିକ କୌଶଳ ସହଜରେ ଉପଲବ୍ଧ ହେବାପରେ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସ୍ଥାପିତ ଗବେଷକମାନେ ସଂପୃକ୍ତ ହୋଇଥିଲେ । ସୋସିଆଲ ମିଡ଼ିଆ ‘ରେଡ଼ିଟ’ରେ ୨୦୧୭ରେ ‘ଡ଼ିପଫେକ୍ସ’ ନାମକ ଏକ ଶୃଙ୍ଖଳ ସୃଷ୍ଟି କରାଯାଇଥିଲା । ଏହି ଅନଲାଇନ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ଗବେଷକମାନେ ମଞ୍ଚରେ ନିଜେ ପ୍ରସ୍ତୁତ କରିଥିବା ‘ଡିପଫେକ’ ଭିଡ଼ିଓ କ୍ଳିପଗୁଡ଼ିକ ପୋଷ୍ଟ କରୁଥିଲେ । ତେବେ ଏହା ଅଧ୍ୟୟନକେନ୍ଦ୍ରୀକ ଥିବା ହେତୁ ଅନ୍ୟମାନଙ୍କ ନଜରକୁ ଆସୁନଥିଲା କିମ୍ୱା ଉପାଦାନ ସଂପର୍କରେ ପ୍ରଶ୍ନ ଉଠୁନଥିଲା ।
ପ୍ରାଥମିକସ୍ତରରେ ମୁଖ୍ୟତଃ ‘ଡିପଫେକ’ ଭିଡ଼ିଓଗୁଡ଼ିକ ଅନଲାଇନରେ ଉପଲବ୍ଧ ଅର୍ଦ୍ଧ ନଗ୍ନ ବା ନଗ୍ନ ଶରୀରରେ ଖ୍ୟାତନାମା ଚଳଚ଼ିତ୍ର ଅଭିନେତ୍ରୀ ଓ ଅଭିନେତାଙ୍କ ମୁଖମଣ୍ଡଳର ଚ଼ିତ୍ର ଯୋଡ଼ାଯାଉଥିଲା । ଦ୍ୱିତୀୟସ୍ତରରେ ଭିଡ଼ିଓରେ କଥାବାର୍ତ୍ତା ପରିବର୍ତ୍ତନ କରିବା ସାମର୍ଥ୍ୟ ମିଳିଲା । ଫଳରେ ଅସଲି ଭିଡ଼ିଓକୁ ନକଲିରେ ପରିବର୍ତ୍ତିତ କଲେ ଦର୍ଶକଙ୍କ ପାଇଁ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ପ୍ରମାଣରେ ସତ୍ୟ ପ୍ରତୀୟମାନ ହେଲା । ତେବେ ତୃତୀୟସ୍ତରରେ ଏହି ବୈଷୟିକ କୌଶଳ ଉପଯୋଗରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଗଲା । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଚ଼ିତ୍ର ନକଲ କରି ଯୌନାଚାର ଦୃଶ୍ୟ, ପ୍ରତିହିଂସା ଉଦ୍ଦେଶ୍ୟରେ ଅପରକୁ ନିନ୍ଦିତ କରିବାଲାଗି ପ୍ରଚେଷ୍ଟା, ଅସତ୍ୟ, ଗୁଜବ ଓ ଅତିରଞ୍ଜିତ ସମ୍ୱାଦ ପ୍ରସାର, ଅପବାଦ ଓ ଅର୍ଥନୀତିକ ଅପରାଧ ଲାଗି ‘ଡିପଫେକ’ ଭିଡ଼ିଓ ବ୍ୟବହୃତ ହେଲା । ଚ଼ତୁର୍ଥସ୍ତରରେ ଗଣତାନ୍ତ୍ରିକ ନିର୍ବାଚ଼ନ ପ୍ରକ୍ରିୟାରେ ‘ଡିପଫେକ’ ଭିଡ଼ିଓ ଉପଯୋଗ ରାଜନୀତିକସ୍ତରରେ ଚ଼ିନ୍ତାର କାରଣ ପାଲଟିଛି ।
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନ ୨୦୨୦ରେ ‘ଡିପଫେକ’ ଭିଡିଓ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରିଟେନ, ଆର୍ଜେଣ୍ଟିନା, ସୋଲଭିକିଆ, ଦକ୍ଷିଣ କୋରିଆ ପ୍ରଭୃତି ରାଷ୍ଟ୍ରରେ ନିର୍ବାଚ଼ନରେ ପ୍ରାଦୁର୍ଭାବ ଅନୁଭୂତ ହୋଇଥିଲା । ଭାରତରେ ୨୦୨୩ରେ ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ଅମିତାଭ ବଚ୍ଚନ ‘କୌନ ବନେଗା କରୋଡ଼ପତି’ ମଞ୍ଚରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ଅଭିହିତ କରି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସପକ୍ଷରେ ମନ୍ତବ୍ୟ ରଖିଥିବା ‘ଡିପଫେକ’ ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ପକ୍ଷରୁ ନିର୍ବାଚନ କମିଶନ ଓ ପୋଲିସଠାରେ ଏଥିନେଇ ଅଭିଯୋଗ ଦାୟର ହୋଇଥିଲା ।
ଠିକ ସେହି ସମୟରେ ବଲିଉଡ଼ ଚଳଚ଼ିତ୍ର ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଓ କାଜଲଙ୍କୁ ନେଇ ପ୍ରସ୍ତୁତ ନଗ୍ନ ‘ଡିପଫେକ’ ଭିଡ଼ିଓ ଭାଇରାଲ ହେବାପରେ ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କଲା । ବିଶେଷଜ୍ଞମାନେ ଭାରତରେ ‘ଡିପଫେକ’ ଭିଡ଼ିଓ ପ୍ରଚଳନ ଦୃତଗତିରେ ବୃଦ୍ଧି ପାଇବ ବୋଲି ସତର୍କ କରାଇଦେଇଛନ୍ତି । ଏଥିନେଇ ପ୍ରଦ୍ୟୋଗୀକି ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଦେଶରେ ୨୦୨୩ ଓ ୨୦୨୪ରେ ସାଧାରଣ ନିର୍ବାଚନ ସଙ୍ଗେ ବହୁ ରାଜ୍ୟରେ ବିଧାନସଭା ନିର୍ବାଚନ ଆୟୋଜନ ପଞ୍ଜିକା ଥିବା ହେତୁ ରାଜନୀତିକସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି । ‘ଡିପଫେକ’ କବଳରେ ଭାରତୀୟ ନିର୍ବାଚନ ସଂପର୍କରେ ବିଚାରବିମର୍ଷ କଲାବେଳେ କେତେକ ଦିଗ ଗୁରୁତ୍ୱ ବହନ କରିଥାଏ ।
ପ୍ରଥମତଃ, ଭାରତରେ ଇଣ୍ଟରନେଟ ସଂଯୁକ୍ତ ଜନସଂଖ୍ୟା ମାର୍ଚ୍ଚ ୨୦୨୩ ସୁଦ୍ଧା ୮୫ କୋଟିରେ ପହଞ୍ଚିଥିବା ସରକାରୀ ହିସାବରୁ ଜଣାଯାଏ । ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଅନଲାଇନରେ ସମ୍ୱାଦ ଆହରଣ କରୁଥିବା କାନ୍ତାର-ଗୁଗୁଲ ଆକଳନ ଜନସାଧାରଣଙ୍କ ରାଜନୀତିକ ଦୃଷ୍ଟିଭଙ୍ଗୀ ପ୍ରସ୍ତୁତିରେ ଅନଲାଇନ ବିଭବର ପ୍ରାଧାନ୍ୟ ଦାବୀ କରେ । ଅତଏବ ଅନଲାଇନ ସମ୍ୱାଦ ବିତରଣରେ ‘ଡିପଫେକ’ ନିର୍ବାଚନ ପ୍ରଚାରକୁ ପ୍ରଭାବିତ କରିବା ଆଶଙ୍କା ଅମୂଳକ ନୁହେଁ ।
ଦ୍ୱିତୀୟତଃ, ଅତୀତରେ ‘ଡ଼ିପଫେକ’ ଭିଡ଼ିଓ ପ୍ରସ୍ତୁତ କରିବା ନିମନ୍ତେ ଚ଼ରିତ୍ରଗୁଡ଼ିକ ସଂପର୍କରେ ବହୁ ସଂଖ୍ୟାରେ ଡ଼ାଟା ଆବଶ୍ୟକ ପଡୁଥିଲା । କିନ୍ତୁ ବର୍ତ୍ତମାନ ମାତ୍ର ମିନଟ କିମ୍ୱା ଦୁଇ ମିନଟର ଡାଟାରେ କ୍ଳୋନିଂ ପ୍ରସ୍ତୁତି ସଂଭବ ହୋଇପାରୁଛି । ଏଥି ନିମନ୍ତେ ସଫଟୱେର ସହଜରେ ସମସ୍ତଙ୍କୁ ମିଳିପାରୁଛି । ଯେ କେହି ଅଭ୍ୟାସ କରି ‘ଡ଼ିପଫେକ’ ଭିଡ଼ିଓ ପ୍ରସ୍ତୁତିରେ ଦକ୍ଷତା ହାସଲ କରିପାରିବ । ଏହି ସବୁ କାରଣରୁ ଭବିଷ୍ୟତରେ ଅଧିକ ‘ଡିପଫେକ’ ଭିଡ଼ିଓ ପ୍ରସ୍ତୁତ ହେବା ସୁସ୍ପଷ୍ଟ ।
ତୃତୀୟତଃ, ଆମ ଦେଶରେ ଇଣ୍ଟରନେଟ ସଂଯୁକ୍ତି ବଢ଼ିଚାଲିଥିବା ଅବସରରେ ଇଣ୍ଟରନେଟ ବ୍ୟବହାର ଡ଼ାଟା ଦର ଆନ୍ତର୍ଜାତିକସ୍ତରରେ ପ୍ରାୟତଃ ସର୍ବନିମ୍ନସ୍ତରରେ ରହିଆସିଛି । ଫଳରେ ଭିଡ଼ିଓ ଉପଭୋଗ ସୁଗମ ହୋଇପାରିଥିବା ସ୍ଥଳେ ଅଧିକ ସଂଖ୍ୟାରେ ଡ଼ାଉନଲୋଡ଼ ଓ ସେୟାର ମଧ୍ୟ ସଂଭବ ହୋଇପାରୁଛି । ଏହି ପରିବେଶ ‘ଡିପଫେକ’ ଭିଡିଓ ଭାଇରାଲ ହେବାରେ ସହାୟକ ।
ଚ଼ତୁର୍ଥତଃ, ‘ଡିପଫେକ’ ଭିଡ଼ିଓରେ ରାଜନୀତିକ ବ୍ୟବହାର ବିଷୟରେ ଆଲୋଚ଼ନା କଲାବେଳେ ଏହାର ପ୍ରଯୋଜନା ଇତିହାସରେ ଆମୂଳଚୁଳ ପରିବର୍ତ୍ତନ ଦୃଷ୍ଟିକୁ ଆସିଥାଏ । ଅତୀତରେ ‘ଡିପଫେକ’ ଭିଡ଼ିଓ ପ୍ରସ୍ତୁତି ଖର୍ଚ୍ଚବହୁଳ ଥିବା ଏବଂ କେବଳ ଜାତୀୟସ୍ତରରେ ବହୁ ଅର୍ଥ ଠୁଳ କରିପାରିଥିବା ରାଜନୀତିକ ଦଳଗୁଡ଼ିକ ପକ୍ଷେ ପ୍ରସ୍ତୁତି ସଂଭବ ଥିଲା । କିନ୍ତୁ ୨୦୨୩ ସୁଦ୍ଧା ଏହି ବୈଷୟିକ କୌଶଳ ବ୍ୟବହାର ସାର୍ବଜନୀନସ୍ତରରେ ଉପଲବ୍ଧ ଥିବା, ଏପରିକି ଗ୍ରାମପଞ୍ଚାୟତସ୍ତରରେ ପ୍ରସ୍ତୁତି ଓ ପ୍ରସାର ସଂଭବ । ତେଣୁ ୨୦୨୪ ନିର୍ବାଚନ ପ୍ରଚାରରେ ‘ଡିପଫେକ’ ଭିଡ଼ିଓର ପ୍ରଭାବ ଆକଳନ ଅସ୍ପଷ୍ଟ ।
ପଞ୍ଚମତଃ, ଭାରତରେ ଇଣ୍ଟରନେଟ ସଂଯୁକ୍ତଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସୋସିଆଲ ମିଡ଼ିଆରେ ଉପସ୍ଥିତ ଥିବା, ମୁଖ୍ୟତଃ ଭିଡିଓ ଆହରଣ କରୁଥିବା ଏବଂ ବିଭିନ୍ନ ଭାରତୀୟ ଭାଷାଭାଷୀ ଉପଭୋକ୍ତାଙ୍କୁ ଭାଇରାଲ ‘ଡିପଫେକ’ ଭିଡ଼ିଓ କ୍ଷେତ୍ରରେ ସଂଭାଳିବା ସହଜ କଥା ନୁହେଁ । ସୋସିଆଲ ମିଡ଼ିଆରେ ପ୍ରସାର ଖୁବ କମ ସମୟରେ କୌଣସି ଭିଡ଼ିଓକୁ ଭାଇରାଲ କରିପକାଏ । ଆମ ଦେଶର ଆଇନକାନୁନ ସଶକ୍ତ । କିନ୍ତୁ ‘ଡିପଫେକ’ ଭିଡ଼ିଓଟିଏ ଠାବ କରି ତାହା ହଟାଇବା ପାଇଁ ସୋସିଆଲ ମିଡ଼ିଆ ମଞ୍ଚକୁ ଜନସାଧାରଣ ଅନୁରୋଧ ବା ସରକାର ନିର୍ଦ୍ଦେଶ ଦେବା ଆଗରୁ ବିଶାଳ ଜନସଂଖ୍ୟାଙ୍କଠାରେ ପହଞ୍ଚିସାରିଥିବ । ‘ଡିପଫେକ’ ଭିଡ଼ିଓ ସ୍ୱୟଂକ୍ରିୟ ବା ଆପେ ଆପେ ଚ଼ିହ୍ନଟ କରାଯାଇପାରିବା ବୈଷୟିକ କୌଶଳ ବାସ୍ତବ କ୍ଷେତ୍ରରେ ଉପଯୋଗ ପ୍ରାୟତଃ ଅସଂଭବ ମନେହୁଏ ।
‘ଡ଼ିପଫେକ’ ଭିଡ଼ିଓ ପ୍ରସାରଲାଭ କରିବା ବିଗତ ପାଞ୍ଚ ବର୍ଷର ଇତିହାସରୁ ଜଣାଯାଏ ଯେ ଏହି ବୈଷୟିକ କୌଶଳ ବିକାଶ ପ୍ରତି ବର୍ଷକ ମଧ୍ୟରେ ଦ୍ୱିଗଣିତ ହେବାରେ ଲାଗିଛି । ସେହିପରି ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏତାଦୃଶ ଜଟିଳ ପରିବେଶରେ ‘ଡ଼ିପଫେକ’ ଭିଡ଼ିଓ ପ୍ରସ୍ତୁତି ଓ ପ୍ରସାରଣକୁ ରୋକିବା ନିମନ୍ତେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ର ଆଇନ ପ୍ରଣୟନ ଦିଗରେ ତତ୍ପର । ୟୁରୋପୀୟ ରାଷ୍ଟ୍ରପୁଞ୍ଜ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୩ ଶେଷ ସୁଦ୍ଧା ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ । ଭାରତରେ ଇନଫରମେସନ ଟେକନୋଲଜି ରୁଲସ ୨୦୨୧ ଅନୁଯାୟୀ କୌଣସି ଆପତ୍ତିଜନକ ଉପାଦାନ ଠାବ ହେଲେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ଅଭିଯୋଗ କିମ୍ୱା ନିର୍ଦ୍ଦେଶ ପାଇବାର ୩୬ ଘଣ୍ଟା ମଧ୍ୟରେ ହଟାଇବା ନିମନ୍ତେ ବାଧ୍ୟ । କିନ୍ତୁ ଏହି ୩୬ ଘଣ୍ଟାର ମହଲତ ଆଧୁନିକ ଅନଲାଇନ ପରିବେଶରେ ସୁଦୀର୍ଘ ମନେହୁଏ । ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ ତାହା ଏକ ଅସମାହିତ ପ୍ରଶ୍ନ ।
‘ଡ଼ିପଫେକ’ ଭିଡ଼ିଓ ସାଧାରଣରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଉପଭୋକ୍ତାଙ୍କ ଭୂମିକା ମୁଖ୍ୟ ସ୍ଥାନ ଅଧିକାର କରିଥାଏ । ଗବେଷଣାରୁ ଜଣାଯାଏ ଯେ ଅଧିକାଂଶ କ୍ଷେତ୍ରରେ ଅନଲାଇନ ଶିଷ୍ଟାଚାର ସଂପର୍କରେ ଅଜ୍ଞତା ଓ କୌତୁହଳ କାରଣରୁ ଭିଡ଼ିଓ ସେୟାର ହୋଇଥାଏ । ବିଶେଷଜ୍ଞମାନେ କହିଆସୁଛନ୍ତି ଯେ ଗଣମାଧ୍ୟମ ସାକ୍ଷରତା, ଅର୍ଥାତ ଉପଭୋକ୍ତାଙ୍କୁ ଗଣମାଧ୍ୟମର ପ୍ରଭାବ ତଥା ଉଚିତ ଓ ଅନୁଚିତ ବ୍ୟବହାର ସଂପର୍କରେ ସତର୍କ କରାଗଲେ ସୁଫଳ ମିଳିବ । ବିଶେଷଜ୍ଞଙ୍କ ମତରେ ଯେତେ ଅଧିକ ସଂଖ୍ୟକ ସୋସିଆଲ ମିଡ଼ିଆ ଉପଭୋକ୍ତା ଅସତ୍ୟ ସମ୍ୱାଦ ଗଣତାନ୍ତ୍ରିକ ଶାସନରେ କିପରି କୁପ୍ରଭାବ ପକାଉଛି ବିଷୟରେ ଅବଗତ ହେବେ, ସେହି ସଂଖ୍ୟାରେ ‘ଡିପଫେକ’ ଭିଡ଼ିଓର ବ୍ୟବହାର ହ୍ରାସ ପାଇବ ।
ଆମ ଦେଶରେ ନଭେମ୍ୱର ୨୦୨୩ ମଧ୍ୟ ପ୍ରଦେଶ ଘଟଣାପରେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ସାକ୍ଷରତା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଏଦିଗରେ ସମୁଚିତ ପଦକ୍ଷେପ ଜରୁରୀ । ଆଞ୍ଚଳିକସ୍ତରରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଦିଗରେ ଦେଶର ସାମ୍ୱାଦିକତା ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ । ଏଦିଗରେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ ସାମାନ୍ୟ ଅନୁଦାନ ସହ ଏକ ମଡ଼େଲ ସମଗ୍ର ଦେଶରେ କାର୍ଯ୍ୟକାରୀ କରିପାରିବେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକୁ ନ୍ୟାସନାଲ ସର୍ଭିସ ସ୍କିମ ‘ଏନଏସଏସ’ ମାଧ୍ୟମରେ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ ୨୦୨୪ ନିର୍ବାଚନ ପୂର୍ବରୁ ସାମାଜିକ ଗଣମାଧ୍ୟମ ଶିଷ୍ଟାଚାର ସାଙ୍ଗକୁ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସଂପର୍କରେ ଦେଶର ଏକାଂଶକୁ ସଚ଼େତନ କରାଯାଇପାରିବ ।
