ଆଜିର ଖାସ ଖବର
Fri. May 29th, 2026

ଦୂରଦର୍ଶନର ହୀରକ ଜୟନ୍ତୀ

By Dainikasha Jul11,2024

ଭାରତୀୟ ଜାତୀୟ ଟେଲିଭିଜନ ପ୍ରସାରଣ ‘ଦୂରଦର୍ଶନ’ ୧୫ ସେପ୍ଟେମ୍ବର ୧୯୫୯ରେ ଏକ ପରୀକ୍ଷାମୂଳକ ପରିବେଶରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୬୫ରେ ଦିଲ୍ଲୀ, ୧୯୭୨ରେ ମୁମ୍ୱାଇ ଓ ଅମୃତସର ଏବଂ ୧୯୭୫ରେ ଅନ୍ୟ କେତେକ ସହରରେ ଟେଲିଭିଜନ ପ୍ରସାରଣର ସୁବିଧା ଉପଲବ୍ଧ ହେଲା । ତେବେ ୧୯୮୨ରେ ଉପଗ୍ରହଭିତ୍ତିକ କେନ୍ଦ୍ରୀୟ ରଙ୍ଗୀନ ପ୍ରସାରଣ ଟେଲିଭିଜନକୁ ଦେଶରେ  ସାର୍ବଜନୀନ ଗଣମାଧ୍ୟମ ରୂପେ ଗଢ଼ି ତୋଳିଲା । ବିଂଶ ଶତାଦ୍ଦୀର ଶେଷ ଦଶକରେ ଘରୋଇ କେବଲ ଚ୍ୟାନେଲ ଏବଂ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ଇଣ୍ଟରନେଟଭିତ୍ତିକ ପ୍ରସାରଣ ଭାରତୀୟ ଟେଲିଭିଜନ ବିକାଶ ଇତିହାସରେ ଅନ୍ୟ ଦୁଇ ଗୋଟି ଉଲ୍ଲେଖନୀୟ ଅଧ୍ୟାୟ ।

‘ଦୂରଦର୍ଶନ’ର ହୀରକ ଜୟନ୍ତୀ ୧୫ ସେପ୍ଟେମ୍ବର ୨୦୧୯ରେ ପାଳିତ ହୋଇଛି । ଏକଦା ଖ୍ୟାତି ଅର୍ଜନ କରିଥିବା ଜାତୀୟ ଟେଲିଭିଜନ ପ୍ରସାରଣ ପରିବର୍ତ୍ତିତ ପରିବେଶରେ ଗୁରୁତ୍ୱ ହରାଇଛି । ଗତ ଶତାଦ୍ଦୀର ଅଷ୍ଟମ ଓ ନବମ ଦଶକରେ ଏହାର ସମ୍ୱାଦ, କ୍ରୀଡ଼ା ବିବରଣୀ ଓ ଧାରାବାହିକ ଲୋକପ୍ରିୟତା ହାସଲ କରିପାରିଥିଲା । ତେବେ ଏସବୁ କ୍ଷେତ୍ରରେ ଘରୋଇ ଚ୍ୟାନେଲଗୁଡ଼ିକ ପକ୍ଷରୁ ପ୍ରତିଯୋଗିତା ଆରମ୍ଭ ହେବାପରେ ସରକାରୀ ପରିଚାଳନାଧୀନ ପ୍ରସାରଣ ସେବା ଉତ୍କର୍ଷତା ଜାରୀ ରଖିପାରିଲା ନାହିଁ ।‘ଦୂରଦର୍ଶନ’ର ହୀରକ ଜୟନ୍ତୀ ପାଳନ ଅବସରରେ ନୈରାଶ୍ୟଜନକ ସ୍ଥିତି ଗଣମାଧ୍ୟମ ସମୀକ୍ଷକମାନଙ୍କୁ ବ୍ୟଥିତ କରିଥାଏ ।

ଭାରତୀୟ ଜାତୀୟ ଟେଲିଭିଜନ ପ୍ରସାରଣ ଉନ୍ମେଷ କାଳରୁ ସରକାରୀ ନିୟନ୍ତ୍ରଣାଧୀନ ରହି ଆସିଛି । ସରକାରୀସ୍ତରରେ ଅମଲାତାନ୍ତ୍ରିକ ନୀତି ନିର୍ଦ୍ଧାରଣ ସୃଜନ, ସାମାଜିକ ଭୂମିକା ଓ ଦୃତ ପରିବର୍ତ୍ତନଶୀଳ ବୈଷୟିକ କଳାକୌଶଳ ଉପଯୋଗ କ୍ଷେତ୍ରରେ ପରିପନ୍ଥୀ ବିଚାରକରି ଟେଲିଭିଜନ ପ୍ରସାରଣକୁ ସ୍ୱୟଂଶାସିତ କରିବା ନିମନ୍ତେ ଉଦ୍ୟମ ହୋଇଛି । ରାଜନୀତିକସ୍ତରରେ ଦୀର୍ଘଦିନ ଚର୍ଚ୍ଚା ପରେ ୧୯୯୭ରେ ପ୍ରସାର ଭାରତୀ ଆଇନ ପ୍ରଣୟନ ହୋଇଥିଲା ସତ, କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରି ନାହିଁ ।

‘ଦୂରଦର୍ଶନ’ର ହୀରକ ଜୟନ୍ତୀ ପାଳନ ଅବସରରେ ଅତ୍ୟନ୍ତ ସୀମିତ ଆୟୋଜନ ଅନେକଙ୍କୁ ବିସ୍ମିତ କରିଥିଲା । ଏହାର ଅତୀତ ଗୌରବ ସ୍ମୃତିଚାରଣମୁଖ୍ୟତଃ ସର୍ବସାଧାରଣରେ ସୋସିଆଲ ମିଡ଼ିଆରେ ସୀମିତ ରହିଥିଲା । ନୂଆଦିଲ୍ଲୀ ଦୂରଦର୍ଶନ ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଜାତୀୟ ପ୍ରସାରଣର ବ୍ୟାପ୍ତି, ନୂତନ କାରିଗରୀ କୌଶଳ ଉପଯୋଗ ଓ ବିଶ୍ୱାସନୀୟତା ବର୍ଣ୍ଣନା କରିଥିଲେ । ତେବେ ଅବକ୍ଷୟମୁଖୀ ‘ଦୂରଦର୍ଶନ’ର ପୁନଋଦ୍ଧାର ନିମନ୍ତେ କୌଣସି ଠୋସ ପଦକ୍ଷେପ ସଂପର୍କରେ ସୂଚନା ଦେଇନଥିଲେ । ଅର୍ଥାତ ଏହାର ପୁର୍ନବିନ୍ୟାସ ନିମନ୍ତେ ସରକାରୀସ୍ତରରେ କୌଣସି ଯୋଜନା ନଥିବା ସୁସ୍ପଷ୍ଟ ।

ବ୍ୟାପ୍ତି, ସାଧନ ଓ କର୍ମଚାରୀ ଦୃଷ୍ଟିରୁ ‘ଦୂରଦର୍ଶନ’ ବିଶ୍ୱର ଅନ୍ୟତମ ବୃହତ ଟେଲିଭିଜନ ପ୍ରସାରଣ ପ୍ରତିଷ୍ଠାନ । ଏହାର କାର୍ଯ୍ୟକ୍ରମ ୩୪ ଗୋଟି ଉପଗ୍ରହ ଯୋଗେ ସାତଗୋଟି ଜାତୀୟ, ୧୭ ଗୋଟି ପ୍ରାଦେଶିକ ଏବଂ ଆନ୍ତର୍ଜାତିକସ୍ତରରେ ଇଂଲିଶ ଓ ହିନ୍ଦି ଚ୍ୟାନେଲ ତଥା ମାଗଣା ଡିସ ଏଣ୍ଟିନା ମାଧ୍ୟମରେ ପ୍ରସାରିତ ହୋଇଥାଏ । ଏତଦ୍ବ୍ୟତୀତ ଆଠଗୋଟି ପ୍ରଦେଶଭିତ୍ତିକ ନେଟୱାର୍କ ଏବଂ ସାତଗୋଟି ପ୍ରାଦେଶିକ ଚ୍ୟାନେଲ କାର୍ଯ୍ୟକ୍ଷମ । କାର୍ଯ୍ୟକ୍ରମ ପ୍ରଯୋଜନା ନିମନ୍ତେ ୬୭ ଗୋଟି ଷ୍ଟୁଡ଼ିଓ, ୧,୪୦୦ ଟ୍ରାନ୍ସମିଟର ଏବଂ ବତିଶି ହଜାର କର୍ମଚାରୀ ନିଯୁକ୍ତ ।  ଅପର ପକ୍ଷରେ ‘ଦୂରଦର୍ଶନ’ର ସମ୍ୱଳ ବ୍ୟାପକ ପ୍ରତୀୟମାନ ହେଉଥିଲେହେଁ ପରିବର୍ତ୍ତିତ ପୃଷ୍ଠଭୂମିରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେ ହୁଏନାହିଁ । ମୋବାଇଲ ଫୋନ କ୍ୟାମରାରେ ପ୍ରସାରଣଯୋଗ୍ୟ ଚିତ୍ର ଉତ୍ତୋଳନତଥା ଦେଶରେ୬୫ କୋଟି ଜନସାଧାରଣଙ୍କ ହାତପାଆନ୍ତାରେ ଇଣ୍ଟରନେଟ ଆପ୍ଳିକେସନ ଯୋଗେ ପ୍ରସାରଣ ବୈଷୟିକ କୌଶଳ ଉପଲବ୍ଧ ପରେ ଉପକରଣ ବଦଳରେ ସୃଜନ ଓ ପ୍ରଯୋଜନାହିଁ ଗୁରୁତ୍ୱବହନ କରିଥାଏ ।

ଭାରତୀୟ ଆକାଶବାଣୀ ଓ ଦୂରଦର୍ଶନର ଇତିହାସ ଅନୁଧ୍ୟାନ କଲେ ସରକାର ଏହି ଦୁଇ ଗଣମାଧ୍ୟମରୁ ନିୟନ୍ତ୍ରଣ ହରାଇବାକୁ ଚାହୁଁନଥିବା ସ୍ପଷ୍ଟ ଅନୁମାନ କରାଯାଇପାରେ । ବ୍ରିଟିଶ ବ୍ରଡ଼କାଷ୍ଟିଂ ସର୍ଭିସ ଅନୁକରଣରେ ପ୍ରସାର ଭାରତୀ ଆଇନ ପ୍ରଣୟନର ଦୀର୍ଘ ଦୁଇ ଦଶନ୍ଧି ପରେ ମଧ୍ୟ ସ୍ୱୟଂଶାସନ କ୍ଷମତା ଯଦି ଉପଭୋଗ କରିପାରି ନାହିଁ ତେବେ ସରକାରୀ ନିୟନ୍ତ୍ରଣରେ ଏହି ଦୁଇଗୋଟି ପ୍ରସାରଣ ପ୍ରତିଷ୍ଠାନର ହୃତ ଗୌରବକୁ କିପରି ଫେରାଇ ଅଣାଯାଇପାରିବ ସେଦିଗରେ ମାନସ ମନ୍ଥନ ତାତ୍ପର୍ଯ୍ୟପୂର୍ଣ୍ଣ ।

ପ୍ରଥମତଃ ‘ଦୂରଦର୍ଶନ’ର ମୂଳ ଲକ୍ଷ୍ୟକୁ ଭିତ୍ତିକରି ଏକ ଲୋକାଭିମୁଖୀ ଜାତୀୟ ପ୍ରସାରଣ ରୂପେ ଗଢ଼ି ତୋଳିବା ନିମନ୍ତେ ପ୍ରୟାସ ଆବଶ୍ୟକ । ଏଦିଗରେ ସୃଜନ କ୍ଷେତ୍ରରେ ଉତ୍କର୍ଷତାହିଁ ଏକମାତ୍ର ସାଧନ । ସରକାରୀ ଯୋଜନାର ପ୍ରଚାର ଯଦି ଆବଶ୍ୟକ ତେବେ ପାଞ୍ଚ ଦଶନ୍ଧି ତଳର ବିକାଶ ସାମ୍ୱାଦିକତା ମଡ଼େଲ କାମ ଦେବନି । ବଲିଉଡ଼ର ରୋମାଣ୍ଟିକ ଗୀତ ରୂପାୟନ ଛଳରେ ମୋଟର ସାଇକଲ ବିଜ୍ଞାପନ ଉଦାହରଣରୁ ବହୁତ ଶିଖିବାର ଅଛି । ଟେଲିଭିଜନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦର୍ଶକଙ୍କୁ ଟାଣି ଆଣିବା, କାର୍ଯ୍ୟକ୍ରମର ଆଙ୍ଗୀକ ଦର୍ଶକଙ୍କୁ ଟାଣି ଆଣେ । ଦର୍ଶକ କାର୍ଯ୍ୟକ୍ରମ ଦେଖିବା ଅବସରରେ ସତ କହ ବା ମିଛ କହ, ସେ ଅଲଗା କଥା । ତେବେ ଦର୍ଶକ ନ ଆସିଲେ କରିବ କଣ ?

ନେଟଫ୍ଳିକ୍ସ, ଆମେଜନ ପ୍ରାଇମ, ଏପେଲ ଟିଭି ଯଦି ଉତ୍କର୍ଷତା ଦାବୀ କରୁଛି ତେବେ ସୃଜନରେ ବ୍ୟାପକ ସ୍ୱାଧୀନତା ହିଁ ଏକମାତ୍ର ରହସ୍ୟ । ସମସାମୟିକ ଘଟଣାବଳୀ ବର୍ଣ୍ଣନାରେ ଜର୍ମାନ ଡିଡବ୍ଳ୍ୟୁ ଟେଲିଭିଜନର ପଇଁଚାଳିଶି ମିନିଟିଆ ପ୍ରାମାଣିକ ଚିତ୍ର ହେଉ କିମ୍ୱା ବିବିସି, ଡିସକଭରି, ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ ଗୁଡ଼ିକର କାର୍ଯ୍ୟକ୍ରମ ଏହାର ପ୍ରକୃଷ୍ଟ ଉଦାହରଣ । ଭାରତରେ ଯେ ଢେର ଉଚ୍ଚକୋଟୀର ଚଳଚିତ୍ର ନିର୍ମାତା ଅଛନ୍ତି, ତାହା ଦେଶରେ ଯେକୌଣସି ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଘଣ୍ଟାଏ ବିତାଇଲେ ଯେକେହି ପ୍ରମାଣ ପାଇପାରିବେ । ପ୍ରଧାନମନ୍ତ୍ରୀ କହୁଛନ୍ତି କଥା ନୁହେଁ ଭାରତରେ ଏବେ କାମ କରିବାର ବେଳ । ଟେଲିଭିଜନ ଜାଣିଥିବା ତଥା ଆଗାମୀ କାଲିକୁ ପରଖି ପାରୁଥିବା ଗୁଣୀଜନଙ୍କ ତତ୍ତ୍ୱାବଧାନରେ ‘ଦୂରଦର୍ଶନ’ର ଭବିଷ୍ୟତ ନୀତି ନିର୍ଦ୍ଧାରଣରୁସୁଫଳ ମିଳିବ ।

ଦ୍ୱିତୀୟତଃ ଆଠଶହ ଘରୋଇ ଚ୍ୟାନେଲଙ୍କ ସହ ପ୍ରତିଯୋଗିତା କରି ବିଜ୍ଞାପନରୁ ଆୟ ଦୌଡ଼ରୁ ‘ଦୂରଦର୍ଶନ’ ହଟୁ । ଏପରିକି କାଲି ନହେଲେ ପହରଦିନ ଟେଲିଭିଜନ ପ୍ରସାରଣରୁ ବିଜ୍ଞାପନ ଆୟ ସଙ୍କୁଚିତ ହେବା ଆକଳନ କରାଯାଉଥିବା ସ୍ଥଳେ ‘ଦୂରଦର୍ଶନ’ ଅତ୍ୟାଧୁନିକ ବୈଷୟିକ କଳାକୌଶଳ ଉପଯୋଗରେ ଦେଶବାସୀଙ୍କ ଟିକସ ପଇସାରେ ସେମାନଙ୍କ ଲାଗି ଏକ ଜ୍ଞାନବର୍ଦ୍ଧକ ଓ ବିଶ୍ୱାସନୀୟ ଚ୍ୟାନେଲ ଗଢ଼ି ତୋଳୁ । ମନୋରଞ୍ଜନ ପାଇଁ ଇଣ୍ଟରନେଟକୁ କିଏ ପାରିବ ? ଘରୋଇ ଉଦ୍ୟୋଗ ତିଷ୍ଠି ରହିବା ଲାଗି ବିଜ୍ଞାପନ ପାଇଁ ଲଢ଼ିବେ, କିନ୍ତୁ ‘ଦୂରଦର୍ଶନ’କୁ ସ୍ୱାଧୀନଭାବେ କାମ କରିବାକୁ ଦିଆଯାଉ । ସେ ଲୋକଙ୍କ କଥା ଲୋକଙ୍କ ନିକଟରେ ପହଞ୍ଚାଉ । କୁହାଯାଉ ଏତିକି ସମୟରେ ଏହା କହିବ, ତେବେ କେମିତି କହିବେ ଆନ୍ତର୍ଜାତିକସ୍ତରରେ ଅନୁଧ୍ୟାନ କରି ସେମାନେ ଆଙ୍ଗୀକ ସୃଷ୍ଟି କରନ୍ତୁ ।

ତୃତୀୟତଃ ‘ଦୂରଦର୍ଶନ’ପୁର୍ନବିନ୍ୟାସ ନିମନ୍ତେ ବ୍ୟାପକ ଆୟୋଜନ, ସୃଜନ ପରିଚାଳନା ନିମନ୍ତେ ବିସ୍ତୃତ ପ୍ରସ୍ତୁତି ତଥା କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ମାନସିକତା ପରିବର୍ତ୍ତନ ନିମନ୍ତେ ତାଲିମ ଆବଶ୍ୟକ । ଷାଠିଏ ବର୍ଷର ଅନୁଷ୍ଠାନ ଭାଙ୍ଗିଦେବା ବଦଳରେ ସୀମିତ ବାହ୍ୟ ପ୍ରତିଭାଙ୍କ ନିମନ୍ତ୍ରଣରେ ପୁର୍ନବିନ୍ୟାସ ସମୟର ଆହ୍ୱାନ । ଯେଉଁ ‘ଦୂରଦର୍ଶନ’ ବୁନିଆଦ, ହମଲୋଗ, ନୁକଡ଼, ରାମାୟଣ, ମହାଭାରତ, ୟେ ଜୋ ହେ ଜିନ୍ଦେଗୀ, ମୁଙ୍ଗେରି ଲାଲକୀ ହସିନ ସପନେ, ୱାଗଲେ କୀ ଦୁନିଆ, ଫ୍ଳପ ସୋ, ଉଲଟା ଫୁଲଟା, ଭାରତ ଏକ ଖୋଜ, ସୁରଭି, ଦି ସ୍ୱାର୍ଡ଼ ଅଫ ଟିପୁ ସୁଲତାନ, ମିର୍ଜା ଗାଲିବ, ମାଲଗୁଡ଼ି ଡେଜ, ବିକ୍ରମ ଔର ବେତାଳ, କଚ୍ଚି ଧୂପ, ତାମସ, ନାଦାନ, ଫୌଜି, ଦେଖ ଭାଇ ଦେଖ, ତୁ ତୁ ମେ ମେ, ଆପକୀ ଅଦାଲତ, ଖାନା ଖାଜାନା, ତୋଲ ମୋଲ କେ ବୋଲ, କ୍ୟା ସିନ ହୈ, ଅନ୍ତାକ୍ଷରୀ, ସା-ରେ-ଗା-ମା, ଫୁଲ ଖିଲେ ହେଁ ଗୁଲସନ ଗୁଲସନ ଓ ଚିତ୍ରହାର ଇତ୍ୟାଦି କାର୍ଯ୍ୟକ୍ରମ ଜରିଆରେ ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା ତାହାର ପୁର୍ନବିନ୍ୟାସରେ ପୁଣି ଏକ ସୁଯୋଗ ସୃଷ୍ଟି ଜରୁରୀ ମନେହୁଏ । 

Related Post