ଆଜିର ଖାସ ଖବର
Sat. Sep 12th, 2026

ନିର୍ବାଚ଼ନ ପ୍ରଚ଼ାର ଅଭିଯାନ ପ୍ରସ୍ତୁତିରେ ସୋସିଆଲ ମିଡ଼ିଆ

By Dainikasha Jul11,2024

ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ ପ୍ରଚ଼ାର ଅଭିଯାନରେ ସୋସିଆଲ ମିଡ଼ିଆର ବ୍ୟବହାର ନିମନ୍ତେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗଣମାଧ୍ୟମ ପରିଧିରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜାନୁୟାରୀ ୨୦୧୯ ଦ୍ୱିତୀୟାର୍ଦ୍ଧରେ ଅନ୍ତଃରାଷ୍ଟ୍ରୀୟ ‘ଟାଇମ’ ଓ ନୂଆଦିଲ୍ଲୀରୁ ପ୍ରକାଶିତ ‘ଓପନ’ ପତ୍ରିକାରେ ଉପସ୍ଥାପିତ ବିବରଣୀ ସହ ଫେବୃୟାରୀ ଶେଷ ସପ୍ତାହରେ ‘ପେଙ୍ଗୁଇନ’ଦ୍ୱାରା ପ୍ରକାଶୋନ୍ମୁଖୀ ଶିବମ ଶଙ୍କର ସିଂହଙ୍କ ‘ହାଉ ଟୁ ଉଇନ ଏନ ଇଣ୍ଡିଆନ ଇଲେକସନ’ର ବିଷୟବସ୍ତୁ ସଂପର୍କରେ ଆଲୋଚ଼ନା ମୁଖ୍ୟତଃ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ନିର୍ବାଚ଼ନ ପ୍ରଚ଼ାରରେ ସୋସିଆଲ ମିଡ଼ିଆ ଉପଯୋଗ ଆୟୋଜନ ସଂପର୍କରେ ତଥ୍ୟାବଳୀ ଉନ୍ମୋଚ଼ିତ ହୋଇଥିଲା । କୁହାଯାଇଥିଲା ଯେ ୨୦୧୯ ସାଧାରଣ ନିର୍ବାଚ଼ନରେ ପାରମ୍ପରିକ ଗଣମାଧ୍ୟମ ତୁଳନାରେ ମେସେଞ୍ଜର ଆପ୍ଲିକେସନ୍ ‘ହ୍ୱାଟସଆପ’ର ବ୍ୟବହାର ବୃଦ୍ଧି ପାଇବ ।

ଦେଶର ମୋଟ ଜନସଂଖ୍ୟା ୧୩୦ କୋଟି ମଧ୍ୟରୁ ୯୦ କୋଟି ନାଗରିକ ୫୪୩ ଗୋଟି ଲୋକସଭା ନିର୍ବାଚ଼ନ ମଣ୍ଡଳୀର ପ୍ରାୟ ୯ ଲକ୍ଷ ୩୦ ହଜାର ଭୋଟକେନ୍ଦ୍ରରେ ମତ ସାବ୍ୟସ୍ତ ବ୍ୟବସ୍ଥା ହୋଇଥିଲା । ଭୌଗଳିକ ବିସ୍ତୃତି ଓ ଭାଷାଗତ ତଥା ସାଂସ୍କୃତିକ ବିବିଧତା ହେତୁ ସମଗ୍ର ଅଞ୍ଚଳରେ ପାରମ୍ପରିକ ଗଣମାଧ୍ୟମ ଉପଯୋଗରେ ଅତୀତରେ ପ୍ରତ୍ୟକ୍ଷ ନିର୍ବାଚ଼ନ ପ୍ରଚ଼ାର କଷ୍ଟସାଧ୍ୟ ଅନୁଭୂତ ହେଉଥିଲା ଏବଂ ସ୍ଥଳବିଶେଷରେ ଭୋଟରଙ୍କ ନିକଟରେ ପ୍ରାର୍ଥୀମାନେ ବ୍ୟକ୍ତିଗତଭାବେ ପହଞ୍ଚିବା ସଂଭବପର ହୋଇପାରୁ ନଥିଲା । ତେବେ ୫୩ କୋଟି ଜନସଂଖ୍ୟା ନିକଟରେ ସ୍ମାର୍ଟଫୋନ ଉପଲବ୍ଧ ଥିବା ତଥା ସେଥିମଧ୍ୟରୁ ୯୬ ପ୍ରତିଶତ ଉପଭୋକ୍ତା ‘ହ୍ୱାଟସଆପ’ ବ୍ୟବହାର କରୁଥିବା ପରିପ୍ରେକ୍ଷୀରେ ପ୍ରାର୍ଥୀ ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ମାଧ୍ୟମରେ ମତଦାତାଙ୍କ ସହ ମୋବାଇଲ ପର୍ଦ୍ଦାରେ ଯୋଗାଯୋଗ ସ୍ଥାପନ କରିବା ଅବକାଶ ସୃଷ୍ଟି ହୋଇପାରିଥିଲା ।

ଜାତୀୟସ୍ତରରେ ଏକ ମୁଖ୍ୟ ରାଜନୀତିକ ଦଳ ପକ୍ଷରୁ ପ୍ରତ୍ୟେକ ଲୋକସଭା ନିର୍ବାଚ଼ନ ବୁଥସ୍ତରରେ ତିନିଗୋଟି ଲେଖା ‘ହ୍ୱାଟସଆପ’ ଗୃପ ଗଠନ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ଗୃପରେ ୨୫୬ ଜଣ ସଦସ୍ୟଙ୍କ ଫୋନ ନମ୍ୱର ପଞ୍ଜୀକରଣ କରାଯିବା ସୁବିଧା ଥିବା ବେଳେ ଗାଣିତିକ ଆକଳନରେ ୭୦ କୋଟି ମତଦାତାଙ୍କ ନିକଟରେ ପହଞ୍ଚିବା ସମ୍ଭବପର ହୋଇଥିଲା । ନେତୃବର୍ଗଙ୍କ ‘ହ୍ୱାଟସଆପ’ ମେସେଜ ଫରୱାର୍ଡ଼ କରିବା ନିମନ୍ତେ ଦଳ ପକ୍ଷରୁ ବୁଥସ୍ତରୀୟ ସ୍ୱେଚ୍ଛାସେବୀଙ୍କୁ ତାଲିମପ୍ରଦାନକରାଯାଇଥିବା ତଥା ପ୍ରତ୍ୟେକ ବୁଥରେ ସୋସିଆଲ ମିଡ଼ିଆ ପରିଚ଼ାଳନା କରିବା ନିମନ୍ତେ ଜଣେ ସ୍ଵେଚ୍ଛାସେବୀଙ୍କୁସ୍ୱତନ୍ତ୍ରରୂପେ ପ୍ରଶିକ୍ଷିତ କରାଯାଇଥିଲା । ସଂପୃକ୍ତ ରାଜନୀତିକ ଦଳ ତୃଣମୂଳସ୍ତରରେ ୧୨ କୋଟି ସ୍ଵେଚ୍ଛାସେବୀଚିହ୍ନଟ କରିଥିବା ଦାବୀ କରିଥିଲା ।

ପୂର୍ବନିର୍ବାଚନଗୁଡିକ ତୁଳନାରେ ୨୦୧୯ ଲୋକସଭା ନିର୍ବାଚନ ବେଳକୁ ଇଣ୍ଟରନେଟର ବ୍ୟାପ୍ତି ଓ ଜନସାଧାରଣଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ଦୁଇଗୁଣ ବୃଦ୍ଧି ପାଇଥିଲା । ଦେଶରେ ୨୦୧୪ ନିର୍ବାଚନ ବେଳେ ମାତ୍ର ୨୧ ପ୍ରତିଶତ ମତଦାତା ସ୍ମାର୍ଟଫୋନ ବ୍ୟବହାର କରୁଥିବା ସ୍ଥଳେ ୨୦୧୯ ବେଳକୁ ତାହା ୪୦ ପ୍ରତିଶତରୁ ଅଧିକ ଗଣନା କରାଯାଇଥିଲା । ମୁଣ୍ଡପିଚ୍ଛା ଡ଼ାଟା ବ୍ୟବହାରରେ ଭାରତ ବିଶ୍ଵରେପ୍ରମୁଖ ସ୍ଥାନ ଅଧିକାର କରେ । ୨୦୧୭ରେ ଉତ୍ତରପ୍ରଦେଶ ଓ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅବସରରେ ‘ହ୍ୱାଟସଆପ’ର ବ୍ୟବହାର ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହୋଇଥିଲା ।

‘ହ୍ୱାଟସଅପ’ ବ୍ୟବହାରରେ ଲୋକପ୍ରିୟତା ବୃଦ୍ଧି ସଙ୍ଗେ ଏହାର ଦୁରୋପଯୋଗ ମଧ୍ୟ ସମସ୍ୟା ସୃଷ୍ଟି କରିଥିଲା । ୨୦୧୮ ପ୍ରଥମାର୍ଦ୍ଧରେ ଏହି ମେସେଞ୍ଜର ଆପ୍ଲିକେସନ ଯୋଗେ ଗୁଜବ ପ୍ରଚାର ହେତୁ ୩୦ ଜଣଙ୍କୁ ଗୋଷ୍ଠୀବଦ୍ଧ ଆକ୍ରମଣରେ ହତ୍ୟା କରାଯିବା ଅବସରରେ ‘ହ୍ୱାଟସଅପ’ ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗୁଜବ ମୁଖ୍ୟତଃ ଫରୱାର୍ଡ଼ ଅପସନ ବ୍ୟବହାରରେ ବ୍ୟାପୁଥିବା ଯୋଗୁଁ ପୂର୍ବରୁ ପ୍ରଚଳିତ ଗୋଟିଏ ଫୋନରୁ ଏକା ଥରକେ ୧୦୦ ଜଣ ବା ଗୃପକୁ ଫରୱାର୍ଡ଼ ସୀମା ୨୦୧୮ ଜୁଲାଇ ମାସରେ ଭାରତରେ ପାଞ୍ଚକୁ କମାଇ ଦିଆଯାଇଥିଲା । ଅବଶ୍ୟ ୨୦୧୯ ଜାନୁୟାରୀ ମାସରେ ବିଶ୍ଵବ୍ୟାପୀଫରୱାର୍ଡ଼କୁ ପାଞ୍ଚରେ ସୀମିତ ରଖାଯାଇଛି ।

‘ହ୍ୱାଟସଅପ’ର ଫରୱାର୍ଡ଼ ଅପସନ ସୁବିଧା କମିଯିବା ଫଳରେ ଭାରତରେ ରାଜନୀତିକ ପ୍ରଚାର ଅଭିଯାନରେ ଏହାର ବ୍ୟବହାର ଶୀଥିଳ ହୋଇନଥିଲା। କାରଣ ଅତୀତରେ ଯେଉଁ ମେସେଜ ଶହେ ଜଣ ବା ଗୃପ ମଧ୍ୟରେ ଥରକେ ଫରୱାର୍ଡ଼ କରାଯାଉଥିଲା ତାହା ବର୍ତ୍ତମାନ କୋଡିଏ ଥରରେ ସମାପନ ସଂଭବପର ହେଲା । ଏହି କାର୍ଯ୍ୟ ନିମନ୍ତେ ରାଜନୀତିକ ଦଳଗୁଡ଼ିକପକ୍ଷରୁ ସ୍ଵେଚ୍ଛାସେବୀକିମ୍ବା ଆବଶ୍ୟକସ୍ଥଳେ ପାରିଶ୍ରମିକଭିତ୍ତିରେ କର୍ମୀ ନିଯୁକ୍ତ ହୋଇଥିଲା । ଭାରତରେ ନିଯୁକ୍ତ ଆଶାୟୀ ବିପୁଳ ଶ୍ରମଶକ୍ତି ଉପଲବ୍ଧ ଥିବାସ୍ଥଳେ ଏଭଳି କାମ ପାଇଁ ଲୋକଙ୍କୁ ପାଇବା ଆଦୌ କଷ୍ଟକର ହୋଇନଥିଲା ।

ନିର୍ବାଚନପ୍ରଚାର ଅଭିଯାନରେ ଅସତ୍ୟ ଓ ଅତିରଞ୍ଜିତ ସମ୍ପାଦ ପ୍ରସାରଣ ଏକ ପ୍ରମୁଖ ସମସ୍ୟା । ‘ହ୍ୱାଟସଅପ’ ଭଳି ମେସେଞ୍ଜର ଆପ୍ଲିକେସନରେ ଏନକ୍ରିପ୍ଟସନ ପଦ୍ଧତି ଅବଲମ୍ବନ କରାଯାଉଥିବା ହେତୁ ପ୍ରେରିତ ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ପ୍ରେରକ ଓ ଗ୍ରହୀତାଙ୍କ ବ୍ୟତୀତ ତୃତୀୟପକ୍ଷ ତନଖିବାର ଉପାୟ ନଥାଏ । ଏଭଳି ପରିବେଶ ଗୁଜବ ପ୍ରସାରଣ ନିମନ୍ତେ ଉର୍ବର ଉପତ୍ୟକା ସୃଷ୍ଟି କରେ । ଆଧୁନିକ କାରିଗରୀ କୌଶଳ ଅବଲମ୍ବନରେ ଅସତ୍ୟ ଅଡ଼ିଓ ଓ ଭିଡ଼ିଓ ସହଜରେ ପ୍ରସ୍ତୁତ କରାଯାଇ ନିର୍ବାଚନପ୍ରଚାରରେ ବ୍ୟବହୃତ ହେଉଥିବା ହେତୁ ସର୍ବସାଧାରଣରେ ପ୍ରସାରିତ ମେସେଜଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ବିଦେଶରେ ଫ୍ୟାକ୍ଟଚେକ ସଂସ୍ଥାମାନ ମୁଣ୍ଡ ଟେକିଥିଲା । ଭାରତରେ ମଧ୍ୟ ‘ଆଲଟ ନିଉଜ’, ‘ଏକତା ନିଉଜରୁମ’ ଭଳି ହାତଗଣତି ଉଦ୍ୟମ ଆରମ୍ଭ ହୋଇଥିଲା । ତେବେ ଜାତୀୟସ୍ତରରେ ବହୁଳ ପ୍ରସାରିତ ସ୍ଵଳ୍ପ ସଂଖ୍ୟକ ମେସେଜର ସମୀକ୍ଷା କରାଯାଉଥିବା ସ୍ଥଳେ ଆଞ୍ଚଳିକସ୍ତରରେ ପ୍ରସାରିତ ମେସେଜଗୁଡ଼ିକର ସମୀକ୍ଷା ସଂଭବପର ହୋଇପାରୁ ନାହିଁ ।

ଜାତୀୟସ୍ତରରେ ଅନ୍ୟତମ ପ୍ରମୁଖ ରାଜନୀତିକ ଦଳ ପକ୍ଷରୁ ମଧ୍ୟ ‘ହ୍ୱାଟସଅପ’ ମାଧ୍ୟମରେ ନିର୍ବାଚନ ପ୍ରଚାର ଅଭିଯାନ ନିମନ୍ତେ ଅନୁରୂପ ପ୍ରସ୍ତୁତି ହୋଇଥିଲା । ବୁଥସ୍ତରରେ ସୋସିଆଲ ମିଡ଼ିଆ ପରିଚାଳନା ନିମନ୍ତେ ନଅ ଲକ୍ଷ ସ୍ଵେଚ୍ଛାସେବୀଙ୍କୁଚିହ୍ନଟ କରାଯାଇଥିଲା । ବିଧାନସଭାସ୍ତରୀୟ କର୍ମୀଙ୍କୁ ସୋସିଆଲ ମିଡ଼ିଆ ରଣନୀତି ସଂପର୍କରେ ତାଲିମ ପ୍ରଦାନ ପରେ ସେମାନେ ବୁଥସ୍ତରର କର୍ମୀଙ୍କୁ ପ୍ରଶିକ୍ଷିତ କରାଉଥିବା କୁହାଯାଉଥିଲା । ତେବେ ଦେଶବ୍ୟାପୀ କର୍ମୀଙ୍କୁ ତାଲିମ ତଥା ‘ହ୍ୱାଟସଅପ’ ଗୃପ ଗଠନ, ପାଠ୍ୟ-ଅଡ଼ିଓ-ଭିଡ଼ିଓ ପ୍ରଯୋଜନା ଓ ନିୟମିତ ଫରୱାର୍ଡ଼ଲାଗି ବହୁଳ ପରିମାଣରେ ଖର୍ଚ୍ଚ ହେଉଥିବା ହେତୁ ଦୁଇ ରାଜନୀତିକ ଦଳର ସୋସିଆଲ ମିଡ଼ିଆ କାର୍ଯ୍ୟକ୍ରମ ସଂଚାଳନରେ ତଫାତ ଦେଖିବାକୁ ମିଳିଥିଲା ।

ଗଣମାଧ୍ୟମ ସମୀକ୍ଷକମାନେ ‘ହ୍ୱାଟସଅପ’ ମାଧ୍ୟମରେ ନିର୍ବାଚନପ୍ରଚାରକୁ ପ୍ରଭାବଶାଳୀ ଅଭିହିତ କରୁଛନ୍ତି । ଏକ ପକ୍ଷରେ ଅପେକ୍ଷାକୃତ କମ ଖର୍ଚ୍ଚରେ, କମ ସମୟ ମଧ୍ୟରେ, ବିସ୍ତୃତ ଜନସଂଖ୍ୟାକୁ ବ୍ୟକ୍ତିଗତସ୍ତରରେ ସମ୍ବୋଧିତ କରିବା ସଙ୍ଗେ ସେମାନଙ୍କ ପ୍ରତିକ୍ରିୟା ସଂଗ୍ରହ ନିମନ୍ତେ ପରସ୍ପର ମଧ୍ୟରେ ପାଠ୍ୟ, ଅଡ଼ିଓ ଓ ଭିଡ଼ିଓ ବିନିମୟ ‘ହ୍ୱାଟସଅପ’ ଯୋଗେ ସଂଭବପର । ଅପରପକ୍ଷରେ ଏଭଳି ଯୋଗାଯୋଗ ବ୍ୟକ୍ତିଗତସ୍ତରରେ ସଂଘଟିତ ହେଉଥିବା ତଥା ଭିଡ଼ିଓ ଭଳି ମାଧ୍ୟମ ଅପରକୁ ସହଜରେ ପ୍ରଭାବିତ କରିବାରେ ସମର୍ଥ ହେଉଥିବା ହେତୁ କେତେକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚ଼ୟନଲାଗି ଭୋଟଦାନ ପ୍ରକ୍ରିୟାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଉଛି ।   

Related Post