ଆଜିର ଖାସ ଖବର
Mon. Jul 27th, 2026

ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ

By Dainikasha Jul11,2024

ଭାରତୀୟ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ଆନ୍ତର୍ଜାତିକସ୍ତରରେ ସର୍ବବୃହତ ବୋଲି ଦାବୀ କରାଯାଏ । କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଅଫ ନିଉଜପେପରର୍ସ ଇନ ଇଣ୍ଡିଆର ବିବରଣୀ ଅନୁଯାୟୀ ୨୦୧୬ ମାର୍ଚ୍ଚମାସ ସୁଦ୍ଧା ଦେଶରେ ପ୍ରାୟ ୧୬ ହଜାର ଦୈନିକ ସମ୍ୱାଦପତ୍ର ଓ ୯୪ ହଜାର ସାମୟିକ ପତ୍ରିକା ପ୍ରକାଶିତ ହେଉଥିବା ଜଣାଯାଏ । ଦେଶରେ ୬୫ କୋଟି ଦୈନିକ ସମ୍ୱାଦପତ୍ର ପ୍ରସାରିତ ହେଉଥିବାବେଳେ ସେଥି ମଧ୍ୟରେ ୫୧ ପ୍ରତିଶତ ହିନ୍ଦି, ୩୮ ପ୍ରତିଶତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଓ ୧୧ ପ୍ରତିଶତ ଇଂଲିଶ ଦୈନିକ ସମ୍ୱାଦପତ୍ର ଅନ୍ତର୍ଭୁକ୍ତ ।

ସରକାରୀ ତଥ୍ୟ ଅନୁଯାୟୀ ଆଞ୍ଚଳିକ ଭାଷାର ଦୈନିକ ସମ୍ୱାଦପତ୍ର ମଧ୍ୟରେ କ୍ରମାନ୍ନୟରେ ଉର୍ଦ୍ଦୁ (୨୨ ପ୍ରତିଶତ), ମରାଠୀ (୧୬ ପ୍ରତିଶତ), ଗୁଜରାଟୀ (୧୨ ପ୍ରତିଶତ), ତେଲୁଗୁ (୧୨ ପ୍ରତିଶତ), ଓଡ଼ିଆ (୯ ପ୍ରତିଶତ), ମାଳାୟଳମ ( ୭ ପ୍ରତିଶତ), ତାମିଲ (୪ ପ୍ରତିଶତ), କନ୍ନଡ଼ (୩ ପ୍ରତିଶତ), ପଞ୍ଜାବୀ (୩ ପ୍ରତିଶତ) ଓ ଅନ୍ୟାନ୍ୟ ଭାଷା (୧୨ ପ୍ରତିଶତ) । ତେବେ କେତେକ ଭାଷାର ଦୈନିକ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା ଦାବୀକୁ ନେଇ ସନ୍ଦେହ ଉପୁଜିଥାଏ ।

ଅଡ଼ିଟ ବ୍ୟୁରୋ ଅଫ ସର୍କୁଲେସନର ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ତାଙ୍କରି ସଂସ୍ଥାଦ୍ୱାରା ସମୀକ୍ଷା କରାଯାଇଥିବା ଆଞ୍ଚଳିକ ଭାଷାର ଦୈନିକ ସମ୍ୱାଦପତ୍ର ପ୍ରସାରଣ ସଂଖ୍ୟାର ଭିନ୍ନ ଚ଼ିତ୍ର ଉପସ୍ଥାପିତ ହୋଇଥାଏ । ଏବିସି ହିସାବ ଅନୁଯାୟୀ ମାଳାୟଳମ (୪୩ ଲକ୍ଷ ୨୧ ହଜାର), ତାମିଲ (୪୨ ଲକ୍ଷ ୨୮ ହଜାର), ତେଲୁଗୁ (୩୬ ଲକ୍ଷ ୭ ହଜାର), ମରାଠୀ (୩୩ ଲକ୍ଷ ୯୨ ହଜାର), ବଙ୍ଗାଳୀ (୨୯ ଲକ୍ଷ ୬୮ ହଜାର), କନ୍ନଡ଼ (୨୬ ଲକ୍ଷ ୧୬ ହଜାର), ଗୁଜରାଟୀ (୮ ଲକ୍ଷ ୯୧ ହଜାର), ପଞ୍ଜାବୀ (୭ ଲକ୍ଷ ୯୫ ହଜାର), ଓଡ଼ିଆ (୭ ଲକ୍ଷ ୨୦ ହଜାର), ଆସାମୀ (୩ ଲକ୍ଷ ୩୭ ହଜାର), ମଣିପୁରୀ (୧ ଲକ୍ଷ ୩୭ ହଜାର), ଉର୍ଦ୍ଦୁ (୧ ଲକ୍ଷ ୨୮ ହଜାର), ଖାସୀ (୩୫ ହଜାର) ଓ ନେପାଳୀ (୩୪ ହଜାର) କ୍ରମାନ୍ନୟରେ ପ୍ରସାରଣ ପ୍ରମାଣିତ ହୋଇଥିବା ସୂଚ଼ନା ମିଳେ ।

ଏବିସିର ତଥ୍ୟ ସରକାରୀ ତଥ୍ୟ ତୁଳନାରେ ଅଧିକ ବାସ୍ତବ ପ୍ରତୀୟମାନ ହେବା ସ୍ୱାଭାବିକ । କାରଣ ଆରଏନଆଇ ସମ୍ମୁଖରେ ସମ୍ୱାଦପତ୍ର ମାଲିକମାନେ ନିଜ ଆଡୁ ପ୍ରସାରଣ ସଂଖ୍ୟା ଉପସ୍ଥାପନ କରୁଥିବା ବେଳେ ଏବିସି ସମ୍ୱାଦପତ୍ରର ଉପସ୍ଥାପିତ ତଥ୍ୟକୁ ସଂପୃକ୍ତ ସଂସ୍ଥା ବିଧିବଦ୍ଧଭାବେ ସମୀକ୍ଷା କରି ପ୍ରମାଣପତ୍ର ପ୍ରଦାନ କରିଥାଏ । ବେସରକାରୀ ବିଜ୍ଞାପନଦାତାମାନେ ମୁଖ୍ୟତଃ ଏବିସି ପ୍ରସାରଣ ସଂଖ୍ୟାକୁ ହିଁ ବିଚ଼ାରକୁ ନେଇଥାନ୍ତି ।

ଏବିସି ହିସାବରେ ଦେଶର ସର୍ବାଧିକ ପ୍ରସାରିତ ୧୦ ଗୋଟି ଦୈନିକ ସମ୍ୱାଦପତ୍ର ମଧ୍ୟରେ (୧) ଦୈନିକ ଭାସ୍କର, (୨) ଦୈନିକ ଜାଗରଣ, (୩) ଅମର ଉଜାଲା – ତିନୋଟି ଯାକ ହିନ୍ଦି, (୪) ଦି ଟାଇମସ ଅଫ ଇଣ୍ଡିଆ – ଇଂଲିଶ, (୫) ହିନ୍ଦୁସ୍ତାନ – ହିନ୍ଦି, (୬) ମାଳାୟାଳା ମନୋରମା – ମାଳାୟଳମ, (୭) ଇନାଡୁ – ତେଲୁଗୁ, (୮) ରାଜସ୍ତାନ ପତ୍ରିକା – ହିନ୍ଦି, (୯) ଡ଼େଇଲି ତନ୍ତୀ – ତାମିଲ, (୧୦) ମାତୃଭୂମି – ମାଳାୟଳମ ସ୍ଥାନିତ ହୋଇଥାଏ ।

ଭାରତରେ ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ଶିଳ୍ପକୁ ତିନିଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ଯଥା : ଇଂଲିଶ ସମ୍ୱାଦପତ୍ର, ହିନ୍ଦି ସମ୍ୱାଦପତ୍ର ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର । ସାମୂହିକ ଭାବେ ଏହି ଶିଳ୍ପରେ ୨୦୧୬ ମସିହାରେ ଶତକଡ଼ା ୭ ପ୍ରତିଶତ ଅଭିବୃଦ୍ଧି ଗଣତି କରାଯାଇଥିଲା । ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ କ୍ଷେତ୍ରରେ ସର୍ବାଧିକ ୯.୪ ପ୍ରତିଶତ ଏବଂ ତା’ପରକୁ ହିନ୍ଦି ସମ୍ୱାଦପତ୍ର କ୍ଷେତ୍ରରେ ୮.୩ ଓ ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ୩.୭ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା ।

ଇଂଲିଶ ସମ୍ୱାଦପତ୍ର ଅଭିବୃଦ୍ଧି ବାଧାପ୍ରାପ୍ତ ହେବାର ବିବିଧ କାରଣ ରହିଛି । ପ୍ରଥମତଃ ଭାରତର ଜନସଂଖ୍ୟାର ୧୦ ପ୍ରତିଶତ ଇଂଲିଶ ଭାଷାରେ ଦକ୍ଷତା ହାସଲ କରୁଥିବା ହେତୁ ଇଂଲିଶ ସମ୍ୱାଦପତ୍ର ପ୍ରସାର କେବଳ ବଡ଼ ବଡ଼ ସହରରେ ସୀମାବଦ୍ଧ ରହୁଛି । ଦ୍ୱିତୀୟରେ ଇଂଲିଶ ଜାଣିଥିବା ବଡ଼ ସହରରେ ରହୁଥିବା ପାଠକମାନେ କ୍ରମଶଃ ଇଣ୍ଟରନେଟଭିତ୍ତିକ ଡ଼ିଜିଟାଲ ମିଡ଼ିଆ ଆଡ଼କୁ ମୁହାଁଉଛନ୍ତି । ତୃତୀୟରେ ୯୦ ପ୍ରତିଶତ ହିନ୍ଦି ଓ ଆଞ୍ଚଳିକ ଭାଷାଭାଷୀ ଜନସାଧାରଣଙ୍କ ମଧ୍ୟରେ ସାକ୍ଷରତା ଓ ଅର୍ଥନୀତିକ ଅଭିବୃଦ୍ଧି ସମ୍ୱାଦପତ୍ର ପଠନକୁ ପ୍ରୋତ୍ସାହିତ କରାଉଛି । ଚ଼ତୁର୍ଥରେ ସମ୍ୱାଦପତ୍ରଗୁଡ଼ିକ କ୍ରମଶଃ ସେମାନଙ୍କ ସମ୍ପାଦକୀୟ ନୀତି ଗଭୀର ଆଞ୍ଚଳିକଭିତ୍ତିରେ ପରିବର୍ତ୍ତିତ କରୁଥିବା, ଅର୍ଥାତ ଗାଁଗଣ୍ଡାର ସମ୍ୱାଦ ପ୍ରକାଶନକୁ ପ୍ରାଧାନ୍ୟ ଦେଉଥିବା ହେତୁ ପାଠକମାନେ ସେହିଭଳି ସମ୍ୱାଦପତ୍ର ପ୍ରତି ଆକୃଷ୍ଟ ହେଉଛନ୍ତି । ପଞ୍ଚମରେ ଜାତୀୟସ୍ତରରେ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନମାନ ସହରକେନ୍ଦ୍ରୀକ ବ୍ୟବସାୟରୁ ଓହରି ଗ୍ରାମକେନ୍ଦ୍ରୀକ ବ୍ୟବସାୟ ପ୍ରତି ଧ୍ୟାନ ଦେଉଥିବା ଅବସରରେ ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନ ଅଭିବୃଦ୍ଧି ଘଟୁଛି । କ୍ରମଶଃ ସରକାରୀସ୍ତରରେ ସମ୍ୱାଦପତ୍ରରେ ବିଜ୍ଞାପନ ପ୍ରକାଶନକୁ ଗୁରୁତ୍ୱ ଦିଆଯିବା ନୀତି ମଧ୍ୟ ସ୍ଥାନୀୟ ସମ୍ୱାଦପତ୍ରଗୁଡ଼ିକର ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରୁଛି ।

ଭାରତୀୟ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ । ୨୦୧୬ ମସିହା ବେଳକୁ ସର୍ବଭାରତୀୟସ୍ତରର ପ୍ରମୁଖ ବିଜ୍ଞାପନବ୍ରାଣ୍ଡଗୁଡିକ ମେଟ୍ରୋ ଓ ପ୍ରଥମସ୍ତରର ସହର ବଦଳରେ ଦ୍ୱିତୀୟ ଓ ତୃତୀୟସ୍ତର ସହରଗୁଡ଼ିକରେ ନିଜର ସାମଗ୍ରୀ ବିକ୍ରି ନିମନ୍ତେ ଲକ୍ଷ୍ୟସ୍ଥିର କରିଥିବାହେତୁ ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକରେ ଅଧିକ ବିଜ୍ଞାପନ ବ୍ୟୟ କରିଥିବା ଦେଖାଯାଇଥିଲା । ଆମ ଦେଶରେ ସର୍ବାଧିକ ବିଜ୍ଞାପନ ବ୍ୟୟ କରୁଥିବା ପ୍ରଥମ ଦଶ ବର୍ଗ ମଧ୍ୟରେ କ୍ରମାନ୍ନୟରେ ଏଫଏମସିଜି, ଅଟୋ, ଏଜୁକେସନ, ରିଅଲ ଇଷ୍ଟେଟ, କ୍ଳଥିଙ୍ଗ-ଫ୍ୟାସନ-ଜୁଏଲରୀ, ଇ-କମର୍ସ, ଟେଲିକମ-ଇଣ୍ଟରନେଟ-ଡ଼ିଟିଏଚ଼, ରିଟେଲ, ବିଏଫଏସଆଇ ଓ ହାଉସହୋଲଡ଼ ଡ୍ୟୁରେବଲସ ଅର୍ନ୍ତଭୁକ୍ତ ।

ସମ୍ୱାଦପତ୍ରର ବିଜ୍ଞାପନ ଜାତୀୟ ଓ ଆଞ୍ଚଳିକ ଦୁଇ ସୂତ୍ରରୁ ସଂଗୃହୀତ ହୋଇଥାଏ । ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ଜାତୀୟ ଓ ଆଞ୍ଚଳିକ ବିଜ୍ଞାପନ ପରିମାଣ ୮୦:୨୦ ରହୁଥିବା ବେଳେ ହିନ୍ଦି ଓ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ କ୍ଷେତ୍ରରେ ୬୦:୪୦ ହିସାବ କରାଯାଉଛି ।

୨୦୧୪ ମସିହା ନିର୍ବାଚ଼ନ ପରବର୍ତ୍ତୀ ଅବସ୍ଥାରେ ଦେଶରେ କେନ୍ଦ୍ର ଓ ପ୍ରାଦେଶିକସ୍ତରରେ ସରକାରୀ ବିଜ୍ଞାପନ ତ୍ୱରାନ୍ନିତ ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରସ୍ତରରେ ଡ଼ାଇରେକ୍ଟର ଅଫ ଏଡ଼ଭାଟାଇଜିଂ ଏଣ୍ଡ ଭିଜୁଆଲ ପବ୍ଳିସିଟି ଓ ରାଜ୍ୟସ୍ତରରେ ସଂପୃକ୍ତ ରାଜ୍ୟର ଇନଫରମେସନ ଏଣ୍ଡ ପବ୍ଳିକ ରିଲେସନ ଡ଼ିପାର୍ଟମେଣ୍ଟଗୁଡ଼ିକ ସରକାରୀ ବିଜ୍ଞାପନ ପରିଚ଼ାଳନା କରିଥାନ୍ତି । ତେବେ କେନ୍ଦ୍ରସ୍ତରରେ ଡ଼ିଏଭିପି ଦ୍ୱାରା ଅନୁମୋଦିତ ସମ୍ୱାଦପତ୍ରକୁ ବିଜ୍ଞାପନ ଦର ଅନେକ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ସରକାରଙ୍କ ସମ୍ୱାଦପତ୍ରକୁ ବିଜ୍ଞାପନ ପ୍ରଦାନ ନୀତିକୁ ପ୍ରଭାବିତ କରିଥାଏ ।

ଡ଼ିଏଭିପି ପକ୍ଷରୁ ୨୦୧୬ ମସିହାରେ ନୂତନ ବିଜ୍ଞାପନ ନୀତି ନିର୍ଦ୍ଧାରିତ ହୋଇଥିଲା । ସମ୍ୱାଦପତ୍ର କ୍ଷେତ୍ରରେ ୨୫ ହଜାର ଯାଏଁ ପ୍ରସାରିତ ଦୈନିକ ସମ୍ୱାଦପତ୍ର କ୍ଷୁଦ୍ର, ୨୫ ହଜାରରୁ ୭୫ ହଜାର ଯାଏଁ ପ୍ରସାରିତ ଦୈନିକ ମଧ୍ୟମ ଓ ୭୫ ହଜାରରୁ ଅଧିକ ପ୍ରସାରିତ ଦୈନିକ ବୃହତ ସମ୍ୱାଦପତ୍ରର ମାନ୍ୟତା ମିଳିଥାଏ । ମୋଟ ବିଜ୍ଞାପନ ବ୍ୟୟରୁ ଇଂଲିଶ ସମ୍ୱାଦପତ୍ରଗୁଡ଼ିକ ୩୦ ପ୍ରତିଶତ, ହିନ୍ଦି ସମ୍ୱାଦପତ୍ରଗୁଡ଼ିକ ୩୫ ପ୍ରତିଶତ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକ ୩୫ ପ୍ରତିଶତ ବିଜ୍ଞାପନ ପାଇଥାନ୍ତି ।

ତେବେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ପ୍ରବେଶ, ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଓ ଆଞ୍ଚଳିକ ଭାଷାରେ ସୋସିଆଲ ମିଡ଼ିଆର ଉପଯୋଗ ଆଗାମୀ କିଛି ବର୍ଷ ମଧ୍ୟରେ ଉପରବର୍ଣ୍ଣିତ ସାଂପ୍ରତିକ ସ୍ଥିତାବସ୍ଥାକୁ ବଦଳାଇ ଦେବାର ଉପାଦାନମାନ ଭରିରହିଛି ବୋଲି କହିବା ଅଯୌକ୍ତିକ ମନେ ହୋଇନପାରେ । ଭାରତରେ ସେପ୍ଟେମ୍ୱର ୨୦୧୭ ସୁଦ୍ଧା ୪୩ କୋଟି ଇଣ୍ଟରନେଟ ସଂଯୋଗ ଉପଲବ୍ଧ ଥିଲା । ଓଡ଼ିଶାରେ ଅର୍ଦ୍ଧେକ ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ସୁବିଧା ପହଞ୍ଚିଥିବାବେଳେ ୨୦୨୦ ସୁଦ୍ଧା ସବୁ ଗ୍ରାମପଞ୍ଚାୟତରେ ସଂଯୋଗ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଅକ୍ଟୋବର ୨୦୧୭ ଅନୁଶୀଳନ ଅନୁଯାୟୀ ଦେଶରେ ଜଣେ ସ୍ମାର୍ଟଫୋନ ବ୍ୟବହାରକାରୀ ଦୈନିକ ଚ଼ାରିଘଣ୍ଟା ଇଣ୍ଟରନେଟ ମଞ୍ଚରେ କାଟୁଥିବା ହିସାବ କରାଯାଉଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ କ୍ରମଶଃ ଅଧିକରୁ ଅଧିକ ଲୋକ ସୋସିଆଲ ମିଡ଼ିଆରୁ ସମ୍ୱାଦ ସଂଗ୍ରହ କରୁଥିବା ତଥା ସୋସିଆଲ ମିଡ଼ିଆରେ ଗଭୀରରୁ ଗଭୀରଭାବେ ସ୍ଥାନୀୟ ସମ୍ୱାଦ ପରିବେଷଣର ସୁବିଧା ହେତୁ ମୁଦ୍ରିତ ସମ୍ୱାଦପତ୍ର ବଦଳରେ ମୋବାଇଲ ପର୍ଦ୍ଦା କ୍ରମଶଃ ଲୋକପ୍ରିୟ ମଞ୍ଚରୂପେ ମୁଣ୍ଡଟେକିବାରେ ଯଥାର୍ଥତାକୁ ଏଡ଼ାଇଦେଇ ହେବନାହିଁ ।

ଆନ୍ତର୍ଜାତିକସ୍ତରରେ ବିଗତ ଦଶକରେ ଡ଼ିଜିଟାଲ ମିଡ଼ିଆ ସାମ୍ନାରେ ମୁଦ୍ରିତ ସମ୍ୱାଦପତ୍ରର ଆତ୍ମସମର୍ପଣର ଅଭିଜ୍ଞତା ସତ୍ତ୍ୱେ ଆମ ଦେଶରେ ସମ୍ୱାଦପତ୍ରର ସୁରକ୍ଷା କ୍ଷେତ୍ରରେ ଦୁଇଗୋଟି ବିଶିଷ୍ଟ କାରଣ ଦର୍ଶାଯାଇଥାଏ । ପ୍ରଥମରେ ଆମ ଦେଶରେ ସମ୍ୱାଦପତ୍ର ଶସ୍ତା ଏବଂ ଦ୍ୱିତୀୟରେ ସମ୍ୱାଦପତ୍ର ପାଠକଙ୍କ ନିକଟରେ ପହୁଞ୍ଚାଇଦେବାର ସୁବିଧା ବିଦେଶରେ ଉପଲବ୍ଧ ନୁହେ ବୋଲି କୁହାଯାଇଥାଏ । ତେବେ ମୋବାଇଲ ଫୋନରେ ଡ଼ାଟା ବ୍ୟବହାର ଦର କମି ଆସିବା ତଥା ମୋବାଇଲ ଫୋନ ଯେକୌଣସି ପରିବେଶରେ ଉପଭୋକ୍ତାଲାଗି ଉପଲବ୍ଧ ହେଉଥିବା ପରିବର୍ତ୍ତିତ ପରିସ୍ଥିତି ଉପରୋକ୍ତ ଯୁକ୍ତିର ବିରୁଦ୍ଧାଚ଼ରଣ କରୁ ନାହିଁକି ?

ଭାରତର ଗ୍ରାମାଞ୍ଚଳରେ ଇଣ୍ଟରନେଟ ପ୍ରବେଶ ଓ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ସେଠାକାର ନିରକ୍ଷର ଓ ନବସାକ୍ଷରମାନଙ୍କୁ ଫୋନ ପରଦାରେ ପାଠ୍ୟ ବା ଟେକ୍ସଟ ବଦଳରେ ଛବି ବା ଭିଡ଼ିଓ ମାଧ୍ୟମରେ ସମ୍ୱାଦ ପ୍ରତି  ଆକର୍ଷିତ କରିବା ବିକଳ୍ପ ଧାରା ଲୋକପ୍ରିୟ ହେବ ବୋଲି ଆଶା କରାଯାଇପାରେ । ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ଇଣ୍ଟରନେଟ ମଞ୍ଚରେ ମୁଦ୍ରିତ ସମ୍ୱାଦପତ୍ରର ଉପସ୍ଥିତି ସଂପର୍କରେ ଆସନ୍ତା ସପ୍ତାହରେ ଆଲୋଚ଼ନା କରିବା । 

Related Post