ଆଜିର ଖାସ ଖବର
Mon. Jun 1st, 2026

ମୋବାଇଲ-ଫାଷ୍ଟ ସାମ୍ୱାଦିକତା

By Dainikasha Jul12,2024

ଗଣମାଧ୍ୟମ ପରିବେଶରେ ‘ମୋବାଇଲଫାଷ୍ଟ’ କହିଲେ ମୁଦ୍ରଣ, ଟେଲିଭିଜନ ଓ ଚଳଚ଼ିତ୍ର ମଞ୍ଚଗୁଡ଼ିକରେ ପରିବେଷିତ ବିଷୟବସ୍ତୁ ‘କଣ୍ଟେଣ୍ଟ’ ମୋବାଇଲଭିତ୍ତିକ ସଂସ୍କରଣର ପ୍ରାଥମିକତାକୁ ବୁଝାଇଥାଏ । ଇଣ୍ଟରନେଟକେନ୍ଦ୍ରୀକ ମୋବାଇଲ ଉପକରଣଗୁଡ଼ିକ ମଧ୍ୟରେ ଲାପଟପ, ଟେବଲେଟ ଓ ସ୍ମାର୍ଟଫୋନ ଇତ୍ୟାଦି ଅନ୍ତର୍ଭୁକ୍ତ । ବିଂଶ ଶତାଦ୍ଦୀର ଶେଷ ଦଶକ ଆରମ୍ଭରୁ ସ୍ମାର୍ଟଫୋନର ବିକାଶ ପ୍ରକ୍ରିୟା ତ୍ଵରାନ୍ଵିତ ହୋଇଥିଲେ ହେଁ ୨୦୦୭ରେ ଏପଲ ଆଇଫୋନ ଓ ୨୦୦୮ରେ ଏଣ୍ଡ୍ରୋଏଡ଼ ଅପରେଟିଂ ସିଷ୍ଟମର ପ୍ରଚଳନ ସ୍ମାର୍ଟଫୋନ ବ୍ୟବହାର ଖୁବ କମ ସମୟ ମଧ୍ୟରେ ଆଶାତୀତ ପ୍ରସାର ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକର ଅନ୍ୟତମ ବିସ୍ମୟ । ୨୦୧୨ ସୁଦ୍ଧା ବିଶ୍ୱବ୍ୟାପୀ ଏକ ହଜାର କୋଟି ସ୍ମାର୍ଟଫୋନ ଉପଭୋକ୍ତା ଗଣତି କରାଯାଇଥିଲା । ୨୦୨୦ ଆରମ୍ଭରେ ଭାରତରେ ବ୍ୟବହୃତ ୫୨ କୋଟି ସ୍ମାର୍ଟଫୋନ ୨୦୨୨ ସୁଦ୍ଧା ୯୦ କୋଟିରେ ପହଞ୍ଚିବା ଆକଳନ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ‘ଲିଗାସିମିଡ଼ିଆ’ ମୋବାଇଲଫାଷ୍ଟ ଆଭିମୁଖ୍ୟ ଗୁରୁତ୍ୱବହନ କରିଥାଏ ।

ମୁଦ୍ରିତ ସମ୍ୱାଦପତ୍ରକ୍ଷେତ୍ରରେ ଡ଼ିଜିଟାଲ ପରିବେଶରେ ଯେକୌଣସି ପ୍ରହରରେ ସମ୍ୱାଦ ପ୍ରଯୋଜିତ ହେବାପରେ ପ୍ରକାଶନ ନିମନ୍ତେ ମୁଦ୍ରଣ ସମୟକୁ ଅପେକ୍ଷା ନକରି ତତକ୍ଷଣାତ ସାଧ୍ୟମତେ ନିଜ ୱେବପେଜ ପ୍ରକାଶନ କରାଯାଏ । ସୋସିଆଲ ମିଡ଼ିଆ ମଞ୍ଚରେ ପାଠକମାନଙ୍କୁ ଘଟଣା ସଂପର୍କରେ ମୌଳିକ ତଥ୍ୟ ଜଣାଇ ଦିଆଯାଇ ବିସ୍ତୃତ ବିବରଣୀ ଅନୁସନ୍ଧାନରେ ନିର୍ଦ୍ଧାରିତ ୱେବପେଜ କିମ୍ୱା ମୁଦ୍ରିତ ସମ୍ୱାଦପତ୍ର ପରିଦର୍ଶନ କରିବା ନିମନ୍ତେ ପ୍ରବର୍ତ୍ତା ଯାଇଥାଏ । ସେହିପରି ଟେଲିଭିଜନ କ୍ଷେତ୍ରରେ ଦୃଶ୍ୟଶ୍ରାବ୍ୟ ବିଷୟବସ୍ତୁ ‘ଭିଡ଼ିଓ କଣ୍ଟେଣ୍ଟ’ରୁ କିୟକାଂଶ ପ୍ରାଥମିକଭାବେ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ପୋଷ୍ଟ କରାଯିବାପରେ ବିସ୍ତୃତ ବିବରଣୀ ନିମନ୍ତେ ଦର୍ଶକମାନଙ୍କୁ ୱେବପେଜ କିମ୍ୱା ଟେଲିଭିଜନର ପରବର୍ତ୍ତୀ ସମ୍ୱାଦ ସଂସ୍କରଣ ‘ନିଉଜକାଷ୍ଟ’ ପରିଦର୍ଶନ ନିମନ୍ତେ ପ୍ରୋତ୍ସାହିତ କରାଯାଇଥାଏ । ପରିବର୍ତ୍ତିତ ପରିବେଶରେ ଉପଭୋକ୍ତାମାନେ ଉଭୟ ୱେବ ଓ ସୋସିଆଲ ମିଡ଼ିଆ ମଞ୍ଚ ଗୁଡ଼ିକୁ ସ୍ମାର୍ଟଫୋନ ପରଦାରେ ଆହରଣ କରିଥାନ୍ତି ।

ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଉଭୟ କ୍ଷେତ୍ରରେ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରକାଶିତ ସୃଜନ ମୋବାଇଲଫୋନ ପରଦାରେ ପ୍ରଦର୍ଶିତ ହେଉଥିବା ହେତୁ ମୂଳ ଚରନା ତଥା କାର୍ଯ୍ୟକ୍ରମଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ବାଞ୍ଛନୀୟ । ଏଥି ନିମନ୍ତେ ପୁନଃଲିଖନ ତଥା ସମ୍ପାଦନା ଆବଶ୍ୟକ ପଡ଼ିଥାଏ । ସମ୍ୱାଦପତ୍ରରେ ସ୍ଥାନିତ ରଚନା କିମ୍ୱା ସଂବାଦ ସଂସ୍କରଣରେ ସ୍ଥାନିତ ଭିଡ଼ିଓ ସ୍ମାର୍ଟଫୋନ ଭଳି ଉପକରଣଗୁଡ଼ିକରେ ପ୍ରଦର୍ଶନ ଦୀର୍ଘତା କାରଣରୁ ପାଠକ କିମ୍ୱା ଦର୍ଶକଙ୍କୁ ଆଗ୍ରହକୁ ବାନ୍ଧି ରଖିପାରେ ନାହିଁ । ମୋବାଇଲଫାଷ୍ଟ ରଚନା ସଂକ୍ଷିପ୍ତ ଓ ସାବଲୀଳ ହେବା ଉଚିତ । ଭିଡ଼ିଓଗୁଡ଼ିକ ସଂକ୍ଷିପ୍ତ ‘ଡ୍ୟୁରେସନ’, ସଂକ୍ଷିପ୍ତ ଦୃଶ୍ୟାବଳୀ ‘କୁଇକର କଟସ’, ବର୍ଣ୍ଣନା ବଦଳରେ ଆକ୍ଷରିକ ଉପସ୍ଥାପନା ‘ସବ-ଟାଇଟଲ’ ଏବଂ ଦୃତଗତି‘ ଫାଷ୍ଟର ପେସ’ ଭଳି କୌଶଳ ଉପଯୋଗ କରାଯାଇଥାଏ ।

ସମ୍ୱାଦ ପ୍ରଯୋଜନା କାଳରେ ଆରମ୍ଭରୁ ମୂଳ ଓ ମୋବାଇଲଫାଷ୍ଟଦୁଇ ଶ୍ରେଣୀର ସୃଜନ ନିମନ୍ତେ ଯୋଜନା ପ୍ରସ୍ତୁତ ହେବା ଉତ୍ତମ ପନ୍ଥା । ଫଳରେ ମୋବାଇଲଫାଷ୍ଟ ବିଷୟ ମୂଳ ବିଷୟର ସଂକ୍ଷିପ୍ତ ରୂପାନ୍ତର ପରିଣତ ନହୋଇ ନିଜସ୍ୱ ପରିଚିତି ‘ଆଇଡ଼େଣ୍ଟି’ ହାସଲ କରିବାରେ ସକ୍ଷମ ହେବା ଆଶା କରାଯାଇପାରେ ।

ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଲାଗି ବିଷୟବିନ୍ୟାସ ଓ ପ୍ରଯୋଜନା ଶୈଳୀ ମୂଳ ସଂସ୍କରଣଠାରୁ ୱେବ ସଂସ୍କରଣ ଭିନ୍ନ ହୋଇଥିବା ସ୍ଥଳେ, ୱେବ ସଂସ୍କରଣଠାରୁ ମୋବାଇଲଫାଷ୍ଟ ସଂସ୍କରଣ ଭିନ୍ନତା ଦାବୀ କରେ । ମୂଳ ଡ଼ିଜିଟାଲସଂସ୍କରଣଗୁଡ଼ିକ ସାଧାରଣତଃ ଡ଼େସ୍କଟପ କମ୍ପ୍ୟୁଟର ମାଧ୍ୟମରେ ଆହରଣ କରାଯାଇଥାଏ । ଏଥିରେ କି-ବୋର୍ଡ଼ ଓ ମାଉସ ବ୍ୟବହାରର ସୁବିଧା ଉପଲବ୍ଧ । ଡ଼େସ୍କଟପ କ୍ଷେତ୍ରରେ ପାଠକ କିମ୍ୱା ଦର୍ଶକ ସ୍ଥିରରୂପେ ବୃହତ ପ୍ରଦର୍ଶନ ପରଦା ସାମନାରେ ଉପସ୍ଥିତ ରହୁଥିବା ସ୍ଥଳେ ସ୍ମାର୍ଟଫୋନ ମୁଖ୍ୟତଃ ଚଳପ୍ରଚଳ ପରିସ୍ଥିତିରେ ଅପେକ୍ଷାକୃତ କମ ଆୟତନର ପରଦା ବ୍ୟବହାରକୁ ସୂଚାଇଥାଏ । ଡ଼େସ୍କଟପରେ ପଢ଼ିବା ବାରମ୍ୱାର ପଢ଼ି ବୁଝିବାକୁ ଚେଷ୍ଟା କରିବା ଏବଂ ଉତ୍ତର ଟାଇପ କରିବା ସହଜ । ସ୍ମାର୍ଟଫୋନରେ ପ୍ରଦର୍ଶନ ପରଦା ଛୋଟଥିବା ହେତୁ ସୀମିତ ରଚନା ସନ୍ନିବେଶିତ ଥିବା କାରଣରୁ ବିଷୟବସ୍ତୁର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଅଂଶ ଲିପିବଦ୍ଧ କରାଯାଇଥାଏ । ମୋବାଇଲ ପରଦା ସ୍ୱର୍ଶକେନ୍ଦ୍ରୀକ ହୋଇଥିବା ହେତୁ ପ୍ରଯୋଜକ ‘ଡ଼େଭଲାପର’ମାନେ ସେଦିଗ ପ୍ରତି ଗୁରୁତ୍ୱ ଆରୋପ କରିଥାନ୍ତି ।

ବୈଷୟିକ କୌଶଳ ଉପଯୋଗରେ ୱେବସାଇଟରେ ଉପଲବ୍ଧ ପାଠ୍ୟ ପ୍ରଦର୍ଶନ ତତକ୍ଷଣାତ ମୋବାଇଲ ପରଦାକେନ୍ଦ୍ରୀକ ସଂସ୍କରଣକୁ ପରିବର୍ତ୍ତନ ସଂଭବପର । ତେବେ ପାଠ୍ୟର ବିଷୟବସ୍ତୁ ଓ ଆଙ୍ଗୀକ ସୃଜନ ନିର୍ଭରଶୀଳ । କ୍ଳାଉଡ଼ କମ୍ପ୍ୟୁଟିଂ ବ୍ୟବହାର ପରବର୍ତ୍ତୀ ଅବସ୍ଥାରେ ଇଣ୍ଟରନେଟଯୋଗେ ବ୍ୟବହାର ନିମନ୍ତେ ଅସୀମିତ ପାଠ୍ୟ ଓ ଚ଼ିତ୍ର ଗଚ୍ଛିତ ରଖିବା ସୁଯୋଗ ସୃଷ୍ଟି ହୋଇପାରିଛି । ଏହି କାରଣରୁ ମୋବାଇଲ ପରଦାରେ ପାଠକ ଓ ଦର୍ଶକମାନେ ନିଜ ଆବଶ୍ୟକତା ଓ ରୁଚିମତେ ପାଠ୍ୟ ଓ ଚିତ୍ର ସଂଗ୍ରହ ସହଜପ୍ରଦ ହେବା ମୋବାଇଲଫାଷ୍ଟ ପରିବେଶକୁ ଅଧିକ ଲୋକପ୍ରିୟ ଓ ଉପଯୋଗୀ ଗଢ଼ି ତୋଳିଛି । ସମସ୍ତ ପ୍ରକାର ତଥ୍ୟ ସଂଗ୍ରହ ନିମନ୍ତେ ମୋବାଇଲ କେନ୍ଦ୍ରବିନ୍ଦୁ ପାଲଟିଥିବା ଅବସରରେ କେବଳ ସମ୍ୱାଦପତ୍ର କାହିଁକି ଯେକୌଣସି ବିଷୟ ତାହାର ଡ଼ିଜିଟାଲ ନୀତିନିର୍ଦ୍ଧାରଣ ‘ଷ୍ଟାଟାଜି’ରେ ଏଭଳି ମଞ୍ଚରେ ଉପସ୍ଥିତିକୁ ହାଲକାଭାବେ ଗ୍ରହଣ କରିପାରିବ ନାହିଁ ।

ମୋବାଇଲଫାଷ୍ଟ ପରିବେଶରେ ଭିଡ଼ିଓ ପ୍ରଦର୍ଶନ ଗୁରୁତ୍ୱ ବହନ କରୁଛି । ଅଧିକାଂଶ ପଢ଼ିବା ବଦଳରେ ଦେଖିବା ଓ ଶୁଣିବାକୁ ପସନ୍ଦ କରୁଛନ୍ତି । ଏହିକାରଣରୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଭିଡ଼ିଓ ସାଙ୍ଗକୁ ପଡ଼କାଷ୍ଟ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ସାମ୍ୱାଦପତ୍ରଲାଗି ନିଯୁକ୍ତ ସାମ୍ୱାଦିକମାନେ ସମ୍ୱାଦ ସଂଗ୍ରହ କାଳରେ ଘଟଣା ସଂପର୍କୀତ ଭିଡ଼ିଓ ଉତ୍ତୋଳନ ଆବଶ୍ୟକତାରେ ପରିଣତ ହୋଇଛି । ମୋବାଇଲ ଯୋଗେ ଚ଼ିତ୍ର ଉତ୍ତୋଳନ, ସଂପାଦନା ଓ ପ୍ରେରଣ ସଂଭବପର ହୋଇପାରୁଥିବା ହେତୁ ଭିଡ଼ିଓ ପ୍ରଯୋଜନା ଆଉ କୁଶଳୀ କାରିଗରଙ୍କ କାର୍ଯ୍ୟପରିସରଭୁକ୍ତ ହେଉନାହିଁ । ଏଥିଲାଗି ସମ୍ୱାଦପତ୍ରର ସାମ୍ୱାଦିକମାନଙ୍କୁ ପ୍ରଶିକ୍ଷଣର ସମୟ ଉପନୀତ ।

ସାଧାରଣ କ୍ଷେତ୍ରରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଦ୍ୱାରା ଭିଡ଼ିଓ ପ୍ରଯୋଜନା ଗୁଣାତ୍ମକ ନହୋଇ ପାରିଲେ ମଧ୍ୟ ବିଷୟବସ୍ତୁର ଗୁରୁତ୍ୱ ଭରି ରହିବା କାରଣରୁ ଆବଶ୍ୟକସ୍ଥଳେ ସାମ୍ୱାଦିକମାନେ ସର୍ବସାଧାରଣଙ୍କ ମୋବାଇଲ କ୍ୟାମେରା କିମ୍ୱା ଆଞ୍ଚଳିକସ୍ତରରେ ପ୍ରସାରିତ ସୋସିଆଲ ମିଡ଼ିଆ ମଞ୍ଚରୁ କୌଣସି ଘଟଣାର ସଦ୍ୟ ଉତ୍ତୋଳିତ ଚିତ୍ର ସଂଗ୍ରହ କରି ସ୍ଥାନିତ କରିଥାନ୍ତି । ଏହି ଚିତ୍ର ସମୂହ ଡ଼ିଜିଟାଲ ମଞ୍ଚ ନିମନ୍ତେ ଭିଡ଼ିଓ ପ୍ରସ୍ତୁତିରେ ସହାୟକ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ଏତାଦୃଶ ଆଚରଣ ଟେଲିଭିଜନ ସାମ୍ୱାଦିକତାର ଅଂଶବିଶେଷ ପ୍ରତୀୟମାନ ହେଲେହେଁ ସମ୍ୱାଦପତ୍ରଗୁଡ଼ିକୁ ପାଠକ ସଂଗ୍ରହ ଉଦ୍ଦେଶ୍ୟରେ ବହୁମୁଖୀ ଗଣମାଧ୍ୟମ ମଞ୍ଚ ‘ମଲଟି ମିଡ଼ିଆ’ ବ୍ୟବହାରକୁ ଏଡ଼ାଇ ଦେଇ ହେବ ନାହିଁ ।

ଅପରପକ୍ଷେ ମୋବାଇଲ ଉପଭୋକ୍ତା ଏବଂ ଅଳ୍ପ ଶିକ୍ଷିତ ବର୍ଗ ଭିଡ଼ିଓ ପ୍ରତି ଆସକ୍ତ ଥିବା ହେତୁ ଡ଼ିଜିଟାଲ ମଞ୍ଚରେ ଉପସ୍ଥିତି ମାତ୍ରେ ଭିଡ଼ିଓ ପ୍ରତି ଗୁରୁତ୍ୱ ଆରୋପ କରିବାକୁ ହିଁ ପଡ଼ିବ । ଭବିଷ୍ୟତରେ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ସମ୍ୱାଦ ସଂଗ୍ରହ କାଳରେ ତଥ୍ୟ ଉଭୟ ମୁଦ୍ରଣ ବିବରଣୀ ଓ ଭିଡ଼ିଓ କାର୍ଯ୍ୟକ୍ରମଲାଗି ଧ୍ୟାନ ଦେବା ଅପରିହାର୍ଯ୍ୟ ହୋଇପଡ଼ିବାଅନୁମାନ କରାଯାଇପାରେ ।

ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକ ପକ୍ଷରୁ ମୋବାଇଲଫାଷ୍ଟ ସଂପାଦକୀୟ ନୀତି ପ୍ରବର୍ତ୍ତନ କାଳରେ ନୂତନ କର୍ମଚାରୀ ନିଯୁକ୍ତି ବଦଳରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପ୍ରଶିକ୍ଷିତ କରାଇବା ବିଧେୟ । ଜାତୀୟସ୍ତରରେ ଇଂଲିଶ ଓ ହିନ୍ଦି ସମ୍ୱାଦପତ୍ର ତଥା ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ଏଦିଗରେ ନିକଟ ଅତୀତରେ ପରୀକ୍ଷାନିରୀକ୍ଷା ସମାହିତ ହୋଇ ସାରିଛି । ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ମୋବାଇଲ ଉପସ୍ଥିତି ଧାରା ଆରମ୍ଭ ହୋଇସାରିଥିବା ସ୍ଥଳେ ସୁସଂହତ କରିବା ନିମନ୍ତେ ଉଦ୍ୟମ କରାଯିବା ଆବଶ୍ୟକ । ପ୍ରାଥମିକସ୍ତରରେ ଏଦିଗରେ ସୁଚିନ୍ତିତ ମଡ଼େଲ ପ୍ରସ୍ତୁତ କରାଯାଇପାରିଲେ ତାହାର ଉପଯୋଗ ଓ ସାମୟିକ ସମୀକ୍ଷା ସହଜ ହେବ । 

Related Post