ଆଜିର ଖାସ ଖବର
Sun. May 31st, 2026

ସମ୍ୱାଦ-ଭିତ୍ତିକ ଟେଲିଭିଜନ

By Dainikasha Jul11,2024

ଭାରତରେ ସମ୍ୱାଦ-ଭିତ୍ତିକ ଟେଲିଭିଜନର ଲୋକାଦୃତି ୨୦୧୮ ରୁ ୨୦୨୧ ଚାରିବର୍ଷ ମଧ୍ୟରେ ପ୍ରାୟତଃ ଅକ୍ଷୁର୍ଣ୍ଣ ରହିଥିବା ସର୍ବେକ୍ଷଣ ପ୍ରାପ୍ତ ତଥ୍ୟ ପ୍ରମାଣିତ କରିଥାଏ । ‘ଲୋଡ଼ଷ୍ଟାର ୟୁନିଭର୍ସାଲ’ର ଗବେଷଣା ଅନୁଯାୟୀ ସମୁଦାୟ ଟେଲିଭିଜନ ପ୍ରଦର୍ଶନରେ ୨୦୧୮ରେ ୭ ପ୍ରତିଶତ, ୨୦୧୯ରେ ୯ ପ୍ରତିଶତ ଓ ୨୦୨୦ରେ ୧୦ ପ୍ରତିଶତ ସମୟ ସମ୍ୱାଦ ଦେଖାରେ ବିନିଯୋଗ ହୋଇଥିବା ସ୍ଥଳେ ୨୦୨୧ରେ ପୂର୍ବବର୍ଷରୁ ଦୁଇ ପ୍ରତିଶତ ହ୍ରାସ ପାଇ ୮ ପ୍ରତିଶତ ରହିଥିଲା । ମହାମାରୀ ପୂର୍ବାବସ୍ଥାରେ ଟେଲିଭିଜନ ସମ୍ୱାଦ ଆହରଣ ସମୟ ସାତ ପ୍ରତିଶତ ରହିଥିବା ବେଳେ ମହାମାରୀ-ପର ଅବସ୍ଥାରେ ଆଠ ପ୍ରତିଶତରେ ପହଞ୍ଚିଥିଲା । ମହାମାରୀ କାଳରେ ସାମାନ୍ୟ ବୃଦ୍ଧି ପାଇ ଦୁଇ ବର୍ଷ ନଅ ଓ ଦଶ ପ୍ରତିଶତ ହିସାବ କରାଯାଇଥିଲା ।

ଆମ ଦେଶରେ ‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ ଅଫ ଇଣ୍ଡିଆ’ ପକ୍ଷରୁ ଟେଲିଭିଜନ ଦର୍ଶକ ଗଣନା ବିଶ୍ୱସନୀୟ ତଥ୍ୟ ରୂପେ ଗୃହୀତ ହୋଇ ଆସିଥିଲା । କିନ୍ତୁ ୨୦୨୧ରୁ ‘ବ୍ରାକ’ ପକ୍ଷରୁ ଦର୍ଶକ ଗଣନା ତଥ୍ୟ ଗଣମାଧ୍ୟମରେ ପ୍ରକାଶନ ବନ୍ଦ କରିଦେବା ହେତୁ ବିକଳ୍ପ ସଂସ୍ଥାର ତଥ୍ୟକୁ ଗୁରୁତ୍ୱ ଦିଆଯାଉଛି । ‘ଲୋଡ଼ଷ୍ଟାର ୟୁନିଭର୍ସାଲ’ ପକ୍ଷରୁ ୨୦୨୧ର ଟେଲିଭିଜନ ଦର୍ଶକ ଗଣନା ବିବରଣୀ ୨୦୨୨ ମଧ୍ୟଭାଗ ଜୁଲାଇ ମାସରେ ପ୍ରକାଶିତ ହୋଇଥିଲା ।

ଭାରତରେ ୮୮ କୋଟି ଟେଲିଭିଜନ ଦର୍ଶକ ହିସାବ କରାଯାଏ । ଇଂଲିଶ ସହ ବିଭିନ୍ନ ଭାରତୀୟ ଭାଷାରେ ପ୍ରାୟ ୪୦୦ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ କାର୍ଯ୍ୟକ୍ରମ ପ୍ରସାରଣ କରନ୍ତି । ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ସର୍ବାଧିକ ୪୭ ପ୍ରତିଶତ ହିନ୍ଦି କାର୍ଯ୍ୟକ୍ରମ ଦର୍ଶକ ଏବଂ ତା’ପରକୁ ତେଲୁଗୁ ଓ ତାମିଲରେ ପ୍ରତ୍ୟେକ ୧୪ ପ୍ରତିଶତ ଦର୍ଶକ ଅନ୍ତର୍ଭୁକ୍ତ । କନ୍ନଡ଼ରେ ୭ ପ୍ରତିଶତ ଏବଂ ମାଳାୟଳମରେ ୩ ପ୍ରତିଶତ ଦର୍ଶକ । ଓଡ଼ିଆ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ଦର୍ଶକ ସଂଖ୍ୟା ମାତ୍ର ପନ୍ଦର ପ୍ରତିଶତରେ ସୀମିତ ।

ଭାରତୀୟ ଟେଲିଭିଜନ ଦର୍ଶକମାନେ ମୁଖ୍ୟତଃ ମନୋରଞ୍ଜନଧର୍ମୀ ଚ୍ୟାନେଲଗୁଡ଼ିକ ପସନ୍ଦ କରିଥାନ୍ତି । ଏହା କ୍ରମାଗତ ବଢ଼ିବାରେ ଲାଗିଛି । ‘ଲୋଡ଼ଷ୍ଟାର ୟୁନିଭରସାଲ’ ବିବରଣୀ ଅନୁଯାୟୀ ମହାମାରୀ-ପୂର୍ବ ୨୦୧୮ରେ ମନୋରଞ୍ଜନ ବର୍ଗରେ ୫୨ ପ୍ରତିଶତ ସମୟ ଅତିବାହିତ ହୋଇଥିବା ସ୍ଥଳେ ମହାମାରୀ-ପରେ ୨୦୨୧ରେ ୫୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷରେ ଚଳଚ଼ିତ୍ର ଚ୍ୟାନେଲଗୁଡ଼ିକର ଲୋକପ୍ରିୟତା ପ୍ରାୟତଃ ସମାନ ରହିଥିଲା । ୨୦୧୮, ୨୦୧୯ ଓ ୨୦୨୦ରେ ଭାରତୀୟ ଦର୍ଶକ୨୪ ପ୍ରତିଶତ ସମୟ ଟେଲିଭିଜନରେ ସିନେମା ଦେଖାରେ ବିନିଯୋଗ କରୁଥିବା ସ୍ଥଳେ ୨୦୨୧ରେ ୨୩ ପ୍ରତିଶତରେ ସ୍ଥିର ରହିଥିଲା । ମୋଟ ଉପରେ ଭାରତୀୟ ଟେଲିଭିଜନ ଦର୍ଶକମାନେ ମନୋରଞ୍ଜନ ଓ ସିନେମା ପରକୁ ସମ୍ୱାଦ-ଭିତ୍ତିକ କାର୍ଯ୍ୟକ୍ରମ ଦେଖିଥାନ୍ତି ।

ଭାରତୀୟ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଗୁଣବତ୍ତା, ପକ୍ଷପାକ୍ଷିକତା ଓ ସ୍ୱାବଲମ୍ୱୀ ବ୍ୟାବସାୟିକ ଧାରା ଅଭାବକୁ ନେଇ ସମାଲୋଚ଼ିତ ହୋଇଥାଏ । ପ୍ରଥମତଃ, ୨୦୨୨ ସୁଦ୍ଧା ଉପଲବ୍ଧ ୪୦୦ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ଅର୍ଦ୍ଧେକର ମାଲିକାନା ସାମ୍ୱାଦିକତା ଭିନ୍ନ ଅନ୍ୟକାରଣରୁ ଆର୍ଥିକ ନିବେଶରେ ପରିଚାଳିତ ହେଉଥିବା ବିଶେଷଜ୍ଞମାନେ ଅଭିଯୋଗ କରିଥାନ୍ତି । ମୁଖ୍ୟତଃ ରାଜନୀତିକ ପକ୍ଷପାକ୍ଷିକତା ଓ ସମାଜରେ ପତିଆରା ବୃଦ୍ଧି ଉଦ୍ଦେଶ୍ୟରେ ପରିଚାଳିତ ସମ୍ୱାଦ-ଭିତ୍ତିକ ଟେଲିଭିଜନରେ ସାମ୍ୱାଦିକତାର ଗୁଣାତ୍ମକ ବିକାଶ ନିମନ୍ତେ ଦୃଷ୍ଟି ଦିଆଯାଏନାହିଁ । ଏପରିକି ଚ଼୍ୟାନେଲଗୁଡ଼ିକର ବ୍ୟାବସାୟିକ ଉନ୍ନତି ନିମନ୍ତେ ମଧ୍ୟ ନିବେଶକ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।

ଏହିଭଳି ଚ୍ୟାନେଲଗୁଡ଼ିକରେ ନିଯୁକ୍ତ ସମ୍ପାଦକ ଓ ସାମ୍ୱାଦିକମାନଙ୍କୁ ସମ୍ୱାଦ ପ୍ରଯୋଜନା ଦିଗରେ ମାଲିକାନାର ନିର୍ଦ୍ଦେଶ ମାନି ଚ଼ଳିବାକୁ ପଡ଼ିଥାଏ ଏବଂ ନିବେଶ ଅଭାବରୁ ସର୍ଜନଶୀଳତା ମାଡ଼ ଖାଇଥାଏ । କୌଣସି ଦପ୍ତରରେ କିରାଣୀ ଭଳି ଟେଲିଭିଜନ ସାମ୍ୱାଦିକମାନେ ପରାଧୀନ, ଆଗ୍ରହହୀନ ଓ ଅସହାୟ ପରିବେଶରେ ପେଷି ହୋଇଯାଆନ୍ତି । ପାରିବାରିକ ଗୁଜୁରାଣ ମେଣ୍ଟାଇବା ଲାଗି ଦରମା ଖଣ୍ଡିକ ବଞ୍ଚାଇବାକୁ ଯାଇ ସୃଜନର ପରିଧିରୁ ଦୂରେଇ ଯିବା ଦେହସୁଆ ହୋଇଯାଏ । ଫଳରେ ସାମଗ୍ରିକ ଭାବେ ଟେଲିଭିଜନ ସାମ୍ୱାଦିକତା ଅବକ୍ଷୟମୁଖୀ ହୁଏ ।

ଏହି ପରିବେଶରୁ ମୁକ୍ତିଲାଗି ସ୍ୱାଧୀନ, ସର୍ଜନଶୀଳ ଓ ସାବଲମ୍ୱୀ ଟେଲିଭିଜନ ସମ୍ୱାଦ ମଞ୍ଚ ଆବଶ୍ୟକ । ଏଦିଗରେ ଯେ ଉଦ୍ୟମ ହେଉନାହିଁ ତାହା ନୁହ । ତେବେ ବିଭିନ୍ନ କାରଣରୁ ଉଦ୍ୟମ ସଫଳତା ହାସଲ କରିପାରୁ ନାହିଁ । ସ୍ୱାଧୀନ ସମ୍ୱାଦ ମଞ୍ଚ ନିର୍ମାଣ ସକାଶେ ପୁଞ୍ଜିପତିଙ୍କ ବଦଳରେ ସାଧାରଣ ନିବେଶକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । କାରଣ ପୁଞ୍ଜିପତି ଏକପକ୍ଷରେ ନିଜ ବ୍ୟାବସାୟିକ ସ୍ୱାର୍ଥକୁ ଜଗିବସିବା ସ୍ୱାଭାବିକ ଏବଂ ଅପରପକ୍ଷରେ ସରକାର ଧନୀକଙ୍କ ଅନ୍ୟ ସମ୍ପତ୍ତି କବଜା କରିବା ଭୟ ଦେଖାଇ ଅଧୀନତା ସ୍ୱୀକାର କରିବା ନିମନ୍ତେ ବାଧ୍ୟବାଧକତା ସୃଷ୍ଟି କରିବା ସଂଭବ ।

ଅନ୍ୟ ଏକ ଦିଗ ହେଲା ସୃଜନ ପରିଧି । ବିଶେଷଜ୍ଞଙ୍କ ମତରେ ୨୦୨୨ ସୁଦ୍ଧା ଯେକୌଣସି ସମ୍ୱାଦ ମଞ୍ଚର ବ୍ୟାବସାୟିକ ମଡ଼େଲ ଲାଭଦାୟକ ଅବସ୍ଥାରେ ପହଞ୍ଚିବା ନିମନ୍ତେ ଚାରିରୁ ଛଅ ବର୍ଷ ଆବଶ୍ୟକ । ଏହି ସମୟ ସୀମାରେ ଆର୍ଥିକ ନିବେଶ ସାଙ୍ଗକୁ ସୃଜନ ନିବେଶ ଅପରିହାର୍ଯ୍ୟ । ଦୁଇ ତିନି ଡ଼ଜନ ସୃଜନ କର୍ମୀ ଯଦି ଏକାଠି ପାଞ୍ଚ ବର୍ଷ କାମ କରିବା ନିମନ୍ତେ ବଦ୍ଧପରିକର ନ ହୋଇପାରିବେ ତେବେ ଓଡ଼ିଆ ଭଳି ଆଞ୍ଚଳିକ ଭାଷାରେ ସ୍ୱାଧୀନ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲଟିଏ ବଞ୍ଚାଇ ରଖିବା ଅସଂଭବ । ପୁଣି ସୃଜନ ଓ ନିବେଶ ଉଭୟ ପରିପୂରକ । ସ୍ୱାର୍ଥାନ୍ଧ ନିବେଶକଙ୍କ ବଦଳରେ ଯଦି ସାଧାରଣ ନାଗରିକଙ୍କଠାରୁ ପାଣ୍ଠି ସଂଗ୍ରହ କରାଯିବ ତେବେ ଗୁଣାତ୍ମକ ସାମ୍ୱାଦିକତା ପ୍ରସ୍ପୁଟିତ ହେବା ଆବଶ୍ୟକ । ସାମ୍ୱାଦିକତାର ପରାକାଷ୍ଠାହିଁ ସାମ୍ୱାଦିକ ଓ ଦର୍ଶକ ଉଭୟଙ୍କୁ ଯୋଡ଼ି ରଖିପାରିବ ।

ଭାରତୀୟ ଗଣମାଧ୍ୟମରେ ସୃଷ୍ଟି ହୋଇଥିବା ଏହି ସମସ୍ୟା ଆନ୍ତର୍ଜାତିକସ୍ତରରେ ମଧ୍ୟ ସମଭାବେ ପ୍ରତିବିମ୍ୱିତ । ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱାଧୀନ ସାମ୍ୱାଦିକତା ମଞ୍ଚ ବିକାଶ ନିମନ୍ତେ ‘ନନ-ପ୍ରଫିଟ ନିଉଜ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି । ୨୦୨୨ ସୁଦ୍ଧା ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ ସହ ପ୍ରାୟ ଦେଢ଼ଶହ ସମ୍ୱାଦ ମଞ୍ଚ ସାମ୍ୱାଦିକତାକୁ ସ୍ୱାଧୀନ, ସୃଜନାଭିମୁଖୀ, ଉପଭୋକ୍ତାଭିମୁଖୀ ଉଦ୍ୟମରେ ମନୋନିବେଶ କରୁଛନ୍ତି । ସେମାନଙ୍କ ଅଭିଜ୍ଞତା ଭାରତୀୟ ସମ୍ୱାଦ-ମଞ୍ଚଗୁଡ଼ିକ ପରିଚାଳନା ନିମନ୍ତେ ଉପଯୋଗୀ ବିଚାର କରାଯାଇପାରେ । ଭାରତରେ ୪୦୦ ସମ୍ୱାଦ-ଭିତ୍ତିକ ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ମାତ୍ର ଦୁଇ-ତିନି ଗୋଟି ଚ୍ୟାନେଲ ଲାଭଜନକ ସ୍ଥିତିରେ ରହିଥିବା ସ୍ଥଳେ ସାବଲମ୍ୱୀ ସମ୍ୱାଦ-ମଞ୍ଚଟିଏ ଗଠନ କରିବା ଯେ ଅତ୍ୟନ୍ତ କଷ୍ଟସାଧ୍ୟ ଏଥିରେ ଦ୍ୱିମତ ହେବାର ଅବକାଶ ନଥାଏ ।

ପାରମ୍ପରିକଭାବେ ବିଗତ ଦୁଇ ଶହ ବର୍ଷ ଧରି ବିଜ୍ଞାପନ-ଆଶ୍ରିତ ମଡ଼େଲରେ ଗଣମାଧ୍ୟମ ମଞ୍ଚଗୁଡିକ ବିକଶିତ ହୋଇ ଆସିଥିଲା । ମହାମାରୀ-ପୂର୍ବ ଅବସ୍ଥାରୁ ଏହି ମଡ଼େଲ ଭୁଷଡ଼ିବା ଆରମ୍ଭ କରିଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ଅକାମୀ ହୋଇପଡ଼ିବା ସମସ୍ତେ ଉପଲବ୍ଧ କଲେଣି । ନବୀନତମ ଡ଼ିଜିଟାଲ ସମ୍ୱାଦ ମଞ୍ଚର ଅବସ୍ଥା ବି ସେୟା । ଭାରତରେ ୨୦୨୧ରେ ୩୦ ହଜାର କୋଟି ଟଙ୍କା ଡ଼ିଜିଟାଲ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଥିବା ସ୍ଥଳେ ଅର୍ଦ୍ଧେକ ଗୁଗୁଲ ଓ ଏକ ତୃତୀୟାଂଶ ମେଟା ବା ଫେସବୁକ ଅକ୍ତିଆର କରିନେଇଥିଲେ । ସମ୍ୱାଦ ସମେତ ଅନ୍ୟ ସମସ୍ତ ଡ଼ିଜିଟାଲ ମଞ୍ଚ ଭାଗରେ ମାତ୍ର ପାଞ୍ଚ ହଜାର କୋଟି ଟଙ୍କା ପଡ଼ିଥିଲା । ଏହି ପରିପ୍ରେକ୍ଷୀରେ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଗୋଟିଏ ବଡ଼ ଭାଗ ପ୍ରଚାରଧର୍ମୀ ସାମ୍ୱାଦିକତାରେ ସମର୍ପିତ ହେବା ବେଳେ ଅନ୍ୟଏକ ଛୋଟ ଭାଗ ପାଠକ, ଶ୍ରୋତା ଓ ଦର୍ଶକଙ୍କ ଅନୁଦାନ ଓ ଗ୍ରାହକ ଚାନ୍ଦାରେ ସ୍ୱାବଲମ୍ୱୀ ସ୍ୱାଧୀନ ସାମ୍ୱାଦିକତାରେ ବ୍ରତୀ ରହିବେ । ସାମ୍ୱାଦିକମାନେ କିଏ କେଉଁ ଗୋଷ୍ଠୀଭୁକ୍ତ ହେବେ, ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ସମୟ ଉପନୀତ ବୋଲି କହିବାକୁ ହେବ ।  

Related Post