ଆଜିର ଖାସ ଖବର
Sat. Sep 12th, 2026

ସୋସିଆଲ ମିଡ଼ିଆରେ ସାଧାରଣ ନିର୍ବାଚ଼ନ ୨୦୧୯

By Dainikasha Jul11,2024

ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ରେ ରାଜନୀତିକ ପ୍ରଚ଼ାର ଅଭିଯାନକୁ ସୋସିଆଲ ମିଡ଼ିଆ ଗଭୀରଭାବେ ପ୍ରଭାବିତ କରିଥିବା ଜଣାଯାଏ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ୨୦୦୮, ୨୦୧୨ ଓ ୨୦୧୬ ତିନିଗୋଟି ରାଷ୍ଟ୍ରପତି ନିର୍ବାଚ଼ନ ଅବସରରେ ପ୍ରଚ଼ାର ଅଭିଯାନ ମୁଦ୍ରଣ ଓ ଟେଲିଭିଜନ ତୁଳନାରେ ଇଣ୍ଟରନେଟ ମଞ୍ଚ ଗୁରୁତ୍ୱ ବହନ କରିଥିବା ସ୍ଥଳେ ବିକାଶୋନ୍ମଖୀ ଭାରତରେ ୨୦୧୪ ଲୋକସଭା ନିର୍ବାଚ଼ନରୁ ସୋସିଆଲ ମିଡ଼ିଆ ପ୍ରଚ଼ାର ଅଭିଯାନରେ ସାମିଲ ହୋଇଥିଲା ।

ଭାରତୀୟମାନଙ୍କ ମଧ୍ୟରେ ଇଣ୍ଟରନେଟ ସଂଯୁକ୍ତି ମୋବାଇଲ ଯୋଗେ ପ୍ରସାର ଲାଭ କରିଥିବା ହେତୁ ସ୍ମାର୍ଟଫୋନ ପ୍ରଚଳନର କିଛି ବର୍ଷ ପରେ ସୋସିଆଲ ମିଡ଼ିଆ ମଞ୍ଚ ଜନାକୀର୍ଣ୍ଣ ହେବାରେ ଲାଗିଲା । ୨୦୧୯ ବେଳକୁ ଇଣ୍ଟରନେଟ ସାମାଜିକ ଜୀବନରେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ସାରିଥିବା ହେତୁ ରାଜନୀତିକ ବିଚ଼ାରବିମର୍ଷ ପ୍ରକ୍ରିୟାରେ ସକ୍ରିୟ ହେବା ସ୍ୱାଭାବିକ ବୋଲି କୁହାଯାଇପାରେ ।

ବିଭିନ୍ନ ଆକଳନ ଅନୁଯାୟୀ ୨୦୧୯ ପ୍ରାରମ୍ଭ ସୁଦ୍ଧା ଭାରତରେ ୫୦ କୋଟିରୁ ଉର୍ଦ୍ଧ୍ୱ ଇଣ୍ଟରନେଟ ଉପଭୋକ୍ତା ଥିବା ସ୍ଥଳେ ୫୩ କୋଟି ସ୍ମାର୍ଟଫୋନ ବ୍ୟବହାର କରାଯାଉଥିବା ହିସାବ କରାଯାଏ । ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ’ରେ ୨୯ କୋଟି ୪୦ ଲକ୍ଷ, ‘ଟୁଇଟର’ରେ ୩ କୋଟି ଓ ‘ହ୍ୱାଟସଆପ’ରେ ୨୦ କୋଟି ଉପଭୋକ୍ତା ଉପସ୍ଥିତ । ଭାରତର ଲୋକସଭା ନିର୍ବାଚ଼ନ ୨୦୧୯ରେ ପ୍ରାୟ ୮୫ କୋଟି ଭୋଟର ଅଂଶଗ୍ରହଣ କରିବେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଭୋଟର ଇଣ୍ଟରନେଟ ସଂଯୁକ୍ତ ଏବଂ ସମସଂଖ୍ୟକ ଉପଭୋକ୍ତା ଦୈନିକ ଭିତ୍ତିରେ ଦେଢ଼ରୁ ଚ଼ାରିଘଣ୍ଟା ଯାଏଁ ସ୍ମାର୍ଟଫୋନ ବ୍ୟବହାରରେ ବିତାଇଥାନ୍ତି । ଅବଶ୍ୟ ଜାତୀୟସ୍ତରରେ ୬୬ ପ୍ରତିଶତ ପରିବାର ମଧ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ହାରାହରିଭାବେ ଦୈନିକ ୪ ଘଣ୍ଟା ୧୦ ମିନଟ ଯାଏଁ ଦେଖିଥାନ୍ତି । ତେଣୁ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଉଭୟ ମଞ୍ଚ ଭୋଟରଙ୍କୁ ସାଧାରଣ ନିର୍ବାଚ଼ନ ୨୦୧୯ରେ ସମଭାବେ ପ୍ରଭାବିତ କରିବବୋଲି ଆଶା କରାଯାଇପାରେ ।

ମୁଦ୍ରଣ ଓ ଟେଲିଭିଜନ ତୁଳନାରେ ସୋସିଆଲ ମିଡ଼ିଆ ରାଜନୀତିକ ପ୍ରଚ଼ାର ଅଭିଯାନରେ କେତେକ ସମସ୍ୟା ସୃଷ୍ଟି କରିଥାଏ । ମୁଦ୍ରଣ ଓ ଟେଲିଭିଜନରେ ବୃତ୍ତିଧାରୀ ଅଭିଜ୍ଞ ସାମ୍ୱାଦିକମାନେ ଉପାଦାନ ବା ‘କଣ୍ଟେଣ୍ଟ’ ନିୟନ୍ତ୍ରଣ କରୁଥିବା ତଥା ବିଭିନ୍ନସ୍ତରରେ ବିବରଣୀଗୁଡ଼ିକର ପ୍ରକାଶନ ଯୋଗ୍ୟତା ନିର୍ଦ୍ଧାରିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆରେ ଯେକୌଣସି ଉପଭୋକ୍ତା ପ୍ରକାଶନର ସୁବିଧାସୁଯୋଗ ଉପଭୋଗ କରିଥାନ୍ତି । ସର୍ବୋପରି ସୋସିଆଲ ମିଡ଼ିଆର ପ୍ରକାଶନଗୁଡ଼ିକୁ ସମ୍ପାଦନା କରିବା ପ୍ରାବଧାନ ନଥାଏ । ଏପରିକି ‘ହ୍ୱାଟସଆପ’ ଭଳି ମଞ୍ଚରେ ପ୍ରେରକ ଓ ପ୍ରାପକଙ୍କ ବ୍ୟତୀତ ମଞ୍ଚ ପରିଚ଼ାଳକ ମଧ୍ୟ ପ୍ରସାରିତ ପାଠ୍ୟ ବା ଚ଼ିତ୍ର ପଢ଼ି ବା ଦେଖିପାରନ୍ତି ନାହିଁ ।

ଏହି ପରିବେଶରେ ଅସତ୍ୟ, ଅତିରଞ୍ଜିତ ଓ ବିଦ୍ୱେଷମୂଳକ ପାଠ୍ୟ ଓ ଚ଼ିତ୍ର ସୋସିଆଲ ମିଡ଼ିଆରେ ପ୍ରସାରଣ ରାଜନୀତିକ ପ୍ରଚ଼ାରକୁ ପ୍ରଭାବିତ କରିଥାଏ । ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନରେ ବୈଦେଶିକ ରାଷ୍ଟ୍ର ପକ୍ଷରୁ ସୋସିଆଲ ମିଡ଼ିଆଯୋଗେ ସେଠାକାର ଭୋଟରଙ୍କୁ ବିଭ୍ରାନ୍ତ କରାଇବାର ଅଭିଯୋଗ ଆନ୍ତର୍ଜାତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗବେଷଣାରୁ ଜଣାଯାଏ ଯେ ସତ୍ୟ ତୁଳନାରେ ଅସତ୍ୟ ସମ୍ୱାଦ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ପ୍ରସାରିତ ହୋଇଥାଏ । ଅତଏବ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ସୋସିଆଲ ମିଡ଼ିଆ ସ୍ଥଳ ବିଶେଷରେ ପ୍ରତିହତ କରୁଥିବା ହେତୁ ଏଭଳି ସମସ୍ୟାର ସମାଧାନ ଉଭୟ ମଞ୍ଚ ପରିଚ଼ାଳକ ଓ ପ୍ରଶାସନ ପାଇଁ ଆହ୍ୱାନରେ ପରିଣତ ହୋଇଛି ।

ବିଗତ କିଛି ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ବ୍ରିଟେନ, କେନିୟା, ବ୍ରାଜିଲ, ବାଲାଂଦେଶ ତଥା ଭାରତର ପ୍ରାଦେଶିକ ନିର୍ବାଚ଼ନଗୁଡ଼ିକରେ ରାଜନୀତିକ ପ୍ରଚ଼ାରରେ ସୋସିଆଲ ମିଡ଼ିଆ ଦୁରୋପଯୋଗର ଉଦାହରଣ ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ଲାଗି ବିଭିନ୍ନସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଭାରତୀୟ ନିର୍ବାଚ଼ନ ଆୟୋଗଙ୍କ ପକ୍ଷରୁ ନିର୍ବାଚ଼ନର ଯଥେଷ୍ଟପୂର୍ବରୁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ଫେସବୁକ, ଟୁଇଟର ଓ ଗୁଗୁଲ ୨୦୧୮ ଅଗଷ୍ଟ ମାସରେ ଆୟୋଗଙ୍କସହ ଆଲୋଚ଼ନାରେ ସମ୍ଭାବ୍ୟ ସମସ୍ୟାଗୁଡ଼ିକ ଟାଳିବା ନିମନ୍ତେ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ । ନିର୍ବାଚ଼ନ ପୂର୍ବ ୧୪ ଦିନର ରାଜନୀତିକ ପ୍ରଚ଼ାର ଅଭିଯାନକୁ ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରଥମ ୧୨ ଦିନ ତନ୍ନ ତନ୍ନ କରି ପରୀକ୍ଷା କରାଯିବା ତଥା ଶେଷ ଦୁଇଦିନ ସମସ୍ତ ରକମର ପ୍ରଚ଼ାର ବନ୍ଦ ରଖାଯିବା ନିମନ୍ତେ ବୈଷୟିକ କୌଶଳ ଉପଯୋଗଲାଗି ଗୁରୁତ୍ୱ ଦିଆଯାଇଥିଲା ।

ଫେସବୁକ ପକ୍ଷରୁ କୁହାଯାଇଛି ଯେ ମଞ୍ଚ ପକ୍ଷରୁ ନିୟମିତ ଯାଞ୍ଚ କରାଯାଇଥାଏ ଏବଂ ଦୈନିକ ପ୍ରାୟ ଦଶ ଲକ୍ଷ ଏକାଉଣ୍ଟ ବ୍ଳକ କରିଦିଆଯାଇଥାଏ । ମଞ୍ଚରେ ପ୍ରସାରିତ ପାଠ୍ୟ ଓ ଚ଼ିତ୍ରଜନିତ ସୁରକ୍ଷା ତନଖିବା ଲାଗି ଆନ୍ତର୍ଜାତିକସ୍ତରରେ ତିରିଶି ହଜାର କର୍ମଚ଼ାରୀ ନିଯୁକ୍ତ ହୋଇଛନ୍ତି । ଅସତ୍ୟ ସମ୍ୱାଦ ପରଖିବା ନିମନ୍ତେ ସ୍ୱାଧୀନ ସମୀକ୍ଷକଙ୍କ ସହ ବୁଝାମଣା ସାଙ୍ଗକୁ ଏ ଦିଗରେ ସଚ଼େତନତା ପ୍ରସାରଲାଗି କ୍ରମାଗତ ଉଦ୍ୟମ ଅବ୍ୟାହତ ରହିଥିଲା । ପ୍ରତ୍ୟେକ ରାଜନୀତିକ ବିଜ୍ଞାପନକୁ ସର୍ବଜନୀନସ୍ତରରେ ସୂଚ଼ିତ କରିବା ସହ ବିଜ୍ଞାପନଦାତାଙ୍କ ପରିଚ଼ୟ ଯାଞ୍ଚ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ନିର୍ବାଚ଼ନ ଅବସରରେ ଫେସବୁକରେ ପ୍ରକାଶିତ ସମସ୍ତ ବିଜ୍ଞାପନ ଏକ ସ୍ୱତନ୍ତ୍ର ସାଇଟରେ ଗଚ୍ଛିତ ରଖାଯାଇ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିଥିଲା । ଏହି ‘ଏଡ଼ଭାଟାଇଜମେଣ୍ଟ ଲାଇବ୍ରେରୀରେ’ କେଉଁ ବିଜ୍ଞାପନ ପାଇଁ କିଏ କେତେ ଟଙ୍କା ଦଖଲ କରିଛନ୍ତି ସେହି ହିସାବ ପ୍ରଦର୍ଶିତ ହୋଇଥିଲା। ଏହା ଫଳରେ ବିଜ୍ଞାପନ, ସମ୍ୱାଦ ଓ ଅଭିମତ ନିର୍ଦ୍ଧାରଣରେ ସ୍ୱଚ୍ଛତା ବୃଦ୍ଧି ପାଇବା ସ୍ୱାଭାବିକ।

ଟୁଇଟର ମଞ୍ଚରେ ଉପଭୋକ୍ତା ସଂଖ୍ୟା ଭାରତରେ କମ ହେଲେ ହେଁ ୨୦୧୮ରେ ଅନୁଷ୍ଠିତ ପାଞ୍ଚଗୋଟି ପ୍ରାଦେଶିକ ନିର୍ବାଚ଼ନରେ ହିନ୍ଦି ଓ ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ଏହାର ବହୁଳ ବ୍ୟବହାର ଲକ୍ଷ୍ୟ କରାଯାଇଥିଲା । ଭାରତର ଗ୍ରାମାଞ୍ଚଳରେ ପ୍ରାୟ ୧୯ କୋଟି ଇଣ୍ଟରନେଟ ଉପଭୋକ୍ତାଙ୍କୁ ଟୁଇଟର ମଞ୍ଚ ବ୍ୟବହାର ସଂପର୍କରେ ପ୍ରଶିକ୍ଷିତ କରାଇବା ନିମନ୍ତେ ୨୦୧୮ ଶେଷଭାଗରୁ ଉଦ୍ୟମ ଆରମ୍ଭ କରାଯାଇଥିବା ସ୍ଥଳେ ୨୦୧୯ ସାଧାରଣ ନିର୍ବାଚ଼ନରେ ଟୁଇଟର ଲୋକପ୍ରିୟତା ହାସଲ କରିଥିବାବିଶ୍ୱାସ କରାଯାଏ। ଫେସବୁକ ପକ୍ଷରୁ ୧୬ ଗୋଟି ଭାରତୀୟ ଭାଷାରେ ଅନୁବାଦର ସୁବିଧା ଯୋଗାଇ ଦିଆଯାଇଥିବା ସ୍ଥଳେ ଟୁଇଟରରେ ୧୦ ଗୋଟି ଭାରତୀୟ ଭାଷା ବ୍ୟବହାର ସମ୍ଭବପର ।

ଅନ୍ୟତମ ପ୍ରମୁଖ ସୋସିଆଲ ମିଡ଼ିଆ ମଞ୍ଚ ଗୁଗୁଲ ପକ୍ଷରୁ ମଧ୍ୟ ଭାରତୀୟ ସାଧାରଣ ନିର୍ବାଚ଼ନ ୨୦୧୯ ଅବସରରେ ରାଜନୀତିକ ବିଜ୍ଞାପନ ପ୍ରକାଶନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ୱନ ନିମନ୍ତେ ଉତ୍ସ ସଂପର୍କରେ ଘୋଷଣା ତଥା ଏଡ଼ଭାଟାଇଜମେଣ୍ଟ ଲାଇବ୍ରେରୀ ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଭାରତରେ ସୋସିଆଲ ମିଡ଼ିଆ ଉପଭୋକ୍ତାଙ୍କ ସଂଖ୍ୟାବୃଦ୍ଧି ଏବଂ ଏଭଳି ଗଣମାଧ୍ୟମର ମାଦକତା ହେତୁ ଉପଭୋକ୍ତାଙ୍କୁ ଦୀର୍ଘ ସମୟ ବ୍ୟବହାରଲାଗି ଆକର୍ଷଣ ରାଜନୀତିକ ପ୍ରଚ଼ାର ଲାଗି ଉର୍ବର ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି । ତେବେ ଏହାର ଅପବ୍ୟବହାରକୁ ରୋକିବା ନିମନ୍ତେ ବଡ଼ ଛୋଟ ସମସ୍ତ ରାଷ୍ଟ୍ର ବିଭିନ୍ନ ସ୍ତରରେ ବିଫଳ ହେବାପରେ ସ୍ଥଳ ବିଶେଷରେ ଇଣ୍ଟରନେଟ ସଂଯୁକ୍ତିନିଷେଧ ବା ‘ସଟ ଡ଼ାଉନ’ କରିବା ବ୍ୟତୀତ ବିଶେଷ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇପାରୁ ନାହିଁ  । ଏହି ଅବସରରେ ପ୍ରଶାସନିକ ତାଗିଦ ଫଳରେ ଗଣମାଧ୍ୟମ ମଞ୍ଚ ଆୟୋଜକମାନଙ୍କ ପକ୍ଷରୁ ବୈଷୟିକ କାରିଗରୀକୌଶଳ ପ୍ରୟୋଗରେ ନକାରତ୍ମକ ପ୍ରସାରଣ ଚ଼ିହ୍ନଟ ଓ ପ୍ରତିଷେଧ ବ୍ୟବସ୍ଥା ସମାଧାନରେ ନୂତନ ଦିଗନ୍ତ ଉନ୍ମୋଚ଼ନ କରିଛି । ସୋସିଆଲ ମିଡ଼ିଆ ବ୍ୟବହାର ସଂପର୍କରେ ଉପଭୋକ୍ତାଙ୍କ ମଧ୍ୟରେ ସଚ଼େତନତା ପ୍ରସାରରେ ଅଧିକ ଗୁରତ୍ୱ ଦିଆଗଲେ ସୁଫଳ ଆଶା କରାଯାଇପାରେ । 

Related Post