ଆଜିର ଖାସ ଖବର
Sat. Sep 12th, 2026

ହ୍ୱାଟସଆପ ପାଂଷ୍ଟ’ କର୍ଣ୍ଣାଟକ ନିର୍ବାଚ଼ନ

By Dainikasha Jul11,2024

କର୍ଣ୍ଣାଟକ ବିଧାନସଭା ୨୦୧୮ ନିର୍ବାଚ଼ନ ପ୍ରଚ଼ାରରେ ସ୍ମାର୍ଟଫୋନ ମେସେଜିଂ ଆପ୍ଲିକେସନ ‘ହ୍ୱାଟସଆପ’ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବା ବୈଦେଶିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ନିର୍ବାଚ଼ନ ପରେ ପରେ ନ୍ୟୂୟର୍କ ଟାଇମ୍ସ ଓ ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଦୁଇଗୋଟି ବିବରଣୀ ଆଧାରରେ ରାଜନୈତିକମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ଭାରତଭଳି ବିକାଶୋନ୍ମୁଖୀ ରାଷ୍ଟ୍ରରେ ଡ଼ିଜିଟାଲ ପ୍ରଚ଼ାର ଅଭିଯାନରେ ହ୍ୱାଟସଆପ ସୃଷ୍ଟ ନୂତନ ପ୍ରବାହ ଦୀର୍ଘକାଳ ଯାଏଁ ବଳବତ୍ତର ରହିବା ଆକଳନ କରାଯାଉଛି ।

ଆନ୍ତର୍ଜାତିକସ୍ତରରେ ୨୦୧୬ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନ ପରକୁ ୟୁରୋପୀୟ  ବିକେନ୍ଦ୍ରୀକରଣ ଜନମତ ଚୟନ, ଫ୍ରାନ୍ସ, ବ୍ରିଟେନ ଓ କେନିଆ ନିର୍ବାଚ଼ନ ପ୍ରଚ଼ାରରେ ମୁଖ୍ୟତଃ ଫେସବୁକ ବହୁଳମାତ୍ରାରେ ବ୍ୟବହୃତ ହୋଇଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ସମତେ ବ୍ରାଜିଲ ଓ ଇଣ୍ଡୋନେସିଆରେ ସ୍ମାର୍ଟଫୋନର ବ୍ୟବହାର କ୍ରମଶଃ ବଢ଼ିଚ଼ିଲିଥିବା ଅବସରରେ ହ୍ୱାଟସଆପର ଲୋକପ୍ରିୟତା ରାଜନୀତିକ ପ୍ରଚ଼ାର ଅଭିଯାନରେ ଉପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ହ୍ୱାଟସଆପ ୨୦୦୯ରେ ବିକଶିତ ହୋଇଥିଲେ ହେଁ ୨୦୧୪ରେ ଫେସବୁକ ଏକ ଲକ୍ଷ ୩୩ ହଜାର କୋଟି ଟଙ୍କା ବିନିମୟରେ ଅଧିଗ୍ରହଣ କରିବା ଅବସରରେ ବିଶ୍ୱବ୍ୟାପୀ ଏହାର ବ୍ୟବହାର ବୃଦ୍ଧିପାଇବାରେ ଲାଗିଛି ।

ହ୍ୱାଟସଆପର ଆନ୍ତର୍ଜାତିକ ଉପଭୋକ୍ତାଙ୍କ ସଂଖ୍ୟା ୧୫୦ କୋଟି ହିସାବ କରାଯାଉଥିବା ସ୍ଥଳେ ଭାରତରେ ପ୍ରାୟ ୨୦ କୋଟି ଉପଭୋକ୍ତା ଏହି ଆପକୁ ଅନ୍ତତଃପକ୍ଷେ ମାସକୁ ଥରେ ବ୍ୟବହାର କରିଥାନ୍ତି । ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ଏହାର ଉପଭୋକ୍ତା ସଂଖ୍ୟା ସର୍ବାଧିକ ।ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ସମ୍ୱାଦପତ୍ର ଓ ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମ ବ୍ୟବହାର ସାଙ୍ଗକୁ ସୋସିଆଲ ମିଡ଼ିଆରେ ହ୍ୱାଟସଆପ ଉପଯୋଗ କ୍ରମଶଃ ନୂତନ ସମୀକରଣ ସୃଷ୍ଟି କରିଛି ।

ହ୍ୱାଟସଆପର କେତେକ ବୈଶିଷ୍ଟ୍ୟ ରହିଛି । ୱେବ ସାଇଟ, ବ୍ଳଗ ଠାରୁ ଆରମ୍ଭ କରି ଫେସବୁକ, ଇନଷ୍ଟ୍ରାଗ୍ରାମ ଭଳି ସୋସିଆଲ ମିଡ଼ିଆ ସର୍ବସାଧାରଣରେ ପ୍ରଦର୍ଶିତହେବା  ଉପାଦାନ ସନ୍ନିବେଶିତ ହୋଇଥିବା ସ୍ଥଳେ ହ୍ୱାଟସଆପ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ସ୍ମାର୍ଟଫୋନରୁ ଅନ୍ୟଜଣକଙ୍କ ବା ଏକ ଗୋଷ୍ଠୀର ସ୍ମାର୍ଟଫୋନଗୁଡ଼ିକୁ ତଥ୍ୟ, ଚ଼ିତ୍ର, ସ୍ୱର ବା ଦୃଶ୍ୟ ପ୍ରସାରିତ ହୋଇଥାଏ । ହ୍ୱାଟସଆପରେ ଏନକ୍ରାପ୍ଟ ପଦ୍ଧତି ବ୍ୟବହୃତ ହେଉଥିବା ହେତୁ ପରିବାହିତ ତଥ୍ୟାବଳୀ ଗ୍ରହୀତାଙ୍କ ବ୍ୟତୀତ ଅନ୍ୟସୂତ୍ରରେ ଆହରଣ କରିବା ସମ୍ଭବପର ହୋଇପାରିନଥାଏ । ଫଳରେ ଯୋଗାଯୋଗ ଏକାନ୍ତ ଗୁପ୍ତ ଓ ସୁରକ୍ଷିତ ରହିଥାଏ ।

ହ୍ୱାଟସଆପ ଏକ ନିଃଶୁଳ୍କ ସେବା । ଏହାର ଉପଭୋକ୍ତାମାନେ ପରସ୍ପର ଯୋଗାଯୋଗ ନେଟୱାର୍କସ୍ଥାପନ ନିମନ୍ତେ ହ୍ୱାଟସଆପ ଗୃପ ଗଠନ କରିଥାନ୍ତି ଏବଂ ପ୍ରତ୍ୟେକ ଗୃପରେ ୨୫୬ ଗୋଟି ସ୍ମାର୍ଟଫୋନ ନମ୍ୱର ସନ୍ନିବେଶିତ ହୋଇପାରେ । ଜଣେ ଉପଭୋକ୍ତା ଏକାଧିକ ଗୃପରେ ସଦସ୍ୟ ରହିପାରେ । ଫଳରେ ଗୋଟିଏ ପୋଷ୍ଟ ଅତି କମ ସମୟ ମଧ୍ୟରେ ସଂପୃକ୍ତ ଉପଭୋକ୍ତାଙ୍କ ପରିଚ଼ିତ ବ୍ୟକ୍ତିଙ୍କ ମଧ୍ୟରେ ପ୍ରସାରିତ ହୋଇପାରେ ତଥା ଶାଖା ପ୍ରଶାଖାକୁ ବ୍ୟାପିଯାଏ । ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଯୋଜନାବଦ୍ଧଭାବେ ନିର୍ବାଚ଼ନ ପୂର୍ବରୁ ତୃଣମୂଳସ୍ତରରେ କର୍ମୀମାନଙ୍କ ଜରିଆରେ ହ୍ୱାଟସଆପ ଗୃପମାନ ଗଠନ କରି ପ୍ରଚ଼ାର ଅଭିଯାନରେ ସାମିଲ କରିଥାନ୍ତି ।ତେବେ ୨୦୧୮ ଅଗଷ୍ଟ ମାସରୁ ଭାରତରେ ହ୍ୱାଟସଆପ ଫରୱାର୍ଡ ସୀମା ପାଞ୍ଚକୁ ଖସାଇଦିଆଯାଇଛି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନରେ ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉଦ୍ଦୀପନା ଲକ୍ଷ୍ୟ କରାଯାଇଥିଲା । ଭୋଟ ଦେବା ପାଇଁ ୭୨ ପ୍ରତିଶତ ଭୋଟର ବୁଥ ପହଞ୍ଚିଥିଲେ । ୧୯୫୨ ନିର୍ବାଚ଼ନ ପରଠାରୁ ଏହା ସର୍ବାଧିକ । ରାଜ୍ୟର ୪ କୋଟି ୯୦ ଲକ୍ଷ ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ନିର୍ବାଚ଼ନ ଦୌଡ଼ରେ ଆଗୁଆଥିବା ଦୁଇ ମୁଖ୍ୟ ରାଜନୈତିକ ଦଳ ପକ୍ଷରୁ ପ୍ରାୟ ୫୦ ହଜାର ହ୍ୱାଟସଆପ ଗୃପ ଗଠନ କରାଯାଇଥିଲା ।

ଗୋଟିଏ ରାଜନୈତିକ ଦଳରକଲେଜ ପଢୁଆ ଜଣେ ତୃଣମୂଳସ୍ତରର କର୍ମୀ ସାମ୍ୱାଦିକମାନଙ୍କୁ କହିଛନ୍ତି ଯେ ତାଙ୍କରି ଜିମାରେ ୬୦ ଜଣ ଭୋଟରଙ୍କୁ ପ୍ରଭାବିତ କରାଇବା ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେ ଅନବରତ ହ୍ୱାଟସଆପ ପୋଷ୍ଟ ପ୍ରଚ଼ାର କରି ୪୭ ଗୋଟି ଭୋଟ ନିଜ ଦଳ ସପକ୍ଷରେ ଅକ୍ତିଆର କରିପାରିଥିଲେ । ସେମାନଙ୍କ ମଧ୍ୟରେ ପୂର୍ବରୁ ପକ୍ଷଭୁକ୍ତ ହୋଇନଥିବା ୧୩ ଜଣ ପ୍ରଚ଼ାରରେ ପ୍ରଭାବିତ ହୋଇଥିବା ଅନୁମାନ କରିଥିଲେ । ଏଭଳି ଉଦାହରଣ କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନରେ ହ୍ୱାଟସଆପ ପ୍ରଚ଼ାରର ଗୁରୁତ୍ୱାରୋପ କରିଥାଏ ।

ହ୍ୱାଟସଆପ ଉପଯୋଗରେ କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନ ପ୍ରଚ଼ାରରେ ବିପୁଳ ଗୁଜବ, ମିଥ୍ୟା ସମ୍ୱାଦ ବା ଫେକ ନିଉଜ, ବିଦୃପ, ଆକ୍ଷେପମୂଳକ ଓ ହିଂସାଉଦ୍ରେକକାରୀ ପୋଷ୍ଟ ବିନିମୟ ‘ସେୟାର’ ହୋଇଥିବା ଅଭିଯୋଗ ଉଠିଛି । ତେବେ ଏଭଳି ଆପ୍ଲିକେସନ ଉପଯୋଗରେ ଗୋପନୀୟତା କାରଣରୁ ମଞ୍ଚର ଆୟୋଜକ କିମ୍ୱା ପ୍ରଶାସନପକ୍ଷରୁ କୌଣସି ପଦକ୍ଷେପ ନେବା ସମ୍ଭବପର ହୋଇପାରି ନଥାଏ । ହ୍ୱାଟସଆପର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ମଞ୍ଚରେ ନିର୍ଦ୍ଧିଷ୍ଟ ଉପଭୋକ୍ତାଙ୍କ ଏକାଉଣ୍ଟ ବାତିଲ ବା ରଦ୍ଦ କରିଦେବା ବ୍ୟତୀତ ଅନ୍ୟ ପଦକ୍ଷେପ ଗ୍ରହଣ କରିବା ସୁବିଧା ନାହିଁ ।

ଅପରପକ୍ଷରେ ପ୍ରଶାସନିକସ୍ତରରେ ମଧ୍ୟ ହ୍ୱାଟସଆପରେ ବିଦ୍ୱେଷମୂଳକ ପ୍ରସାରଣ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରମାଣ ଅଭାବରୁ ସମ୍ଭବପର ହୋଇପାରି ନଥାଏ । ଜରୁରୀ ପରିସ୍ଥିତିରେ ସାମାଜିକ ଅସ୍ଥିରତା ରୋକିବା ପାଇଁ  ହ୍ୱାଟସଆପ ପ୍ରସାରଣ ବନ୍ଦ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଇଲାକାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦେବାକୁ ପଡ଼ିଥାଏ । ଏକ ହିସାବ ଅନୁଯାୟୀ ଭାରତରେ ୨୦୧୪ରେ ମାତ୍ର ଛଅ ଥର ଇଣ୍ଟରନେଟ ସେବା ବନ୍ଦ ହୋଇଥିବା ସ୍ଥଳେ ୨୦୧୭ରେ ତାହା ୭୦ଥରକୁ ବୃଦ୍ଧି ପାଇଥିଲା ।

ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବ୍ରାଜିଲରେ ଅନୁରୂପ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଉଥିବା ସ୍ଥଳେ ମେସ୍କିକୋ ଓ ଇଜିପ୍ଟରେ ବେସରକାରୀସ୍ତରରେ ହ୍ୱାଟସଆପରେ ପ୍ରସାରିତ ତଥ୍ୟ ପରଖିବା ପାଇଁ ହଟଲାଇନ ଟେଲିଫୋନ ସେବା ପ୍ରଚଳନ କରାଯାଇଛି । କଲମ୍ୱିଆରେ ଏଥିପାଇଁ ଏକ ୱେବସାଇଟ ଅନବରତ କାର୍ଯ୍ୟକ୍ଷମ ରହିଥିବା ଜଣାଯାଏ ।

ଭାରତଭଳି ଦେଶରେ ହ୍ୱାଟସଅପ ଲୋକପ୍ରିୟତାର ବିଭିନ୍ନ କାରଣ ମଧ୍ୟରେ ୨୦୧୬ ମଧ୍ୟଭାଗରୁ ଇଣ୍ଟରନେଟ ବ୍ୟାପ୍ତି, ଡ଼ାଟା ବ୍ୟବହାର ଦରହ୍ରାସ ଓ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ପ୍ରଚ଼ଳନ ଅନ୍ୟତମ । ଟେକ୍ସଟ ମେସେଜ ଓ ଇ-ମେଲରେ ଅକ୍ଷରଜ୍ଞାନ ଓ ବ୍ୟବହାର ଆବଶ୍ୟକତା ପଡୁଥିବାବେଳେ ହ୍ୱାଟସଅପ କ୍ଷେତ୍ରରେ ରଚ଼ନା ବା ଦୃଶ୍ୟ ପ୍ରସ୍ତୁତି ବଦଳରେ କେବଳ ବିଷୟ ବିନିମୟଗୁରୁତ୍ୱ ବହନ କରୁଥିବା ହେତୁ ଏହାର ବ୍ୟବହାର ସରଳ ଓ ସହଜ ହୋଇଥାଏ । ମୁଖ୍ୟତଃ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତଙ୍କ ସ୍ମାର୍ଟଫୋନ ବ୍ୟବହାର ସଉକ ମେଣ୍ଟଇବା ସାଙ୍ଗକୁ ଗୁଜବ, ଆକ୍ଷେପ ଓ ଚ଼ାଞ୍ଚଲ୍ୟ ପ୍ରସାରଣ ପାଇଁ ପରିବେଶ ସୃଷ୍ଟିରେ ପର୍ଯ୍ୟବସିତ ।

ଗତ ସାଧାରଣ ନିର୍ବାଚ଼ନ ୨୦୧୪ରେ ପ୍ରଚ଼ାର ଅଭିଯାନରେ ଫେସବୁକ ଉପଯୋଗ ପ୍ରାଧାନ୍ୟ ଲାଭ କରିଥିଲା । ତେବେ ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚ଼ନ ପ୍ରଚ଼ାର ଅଭିଯାନରେ ହ୍ୱାଟସଅପ ସାମିଲ ହୋଇଥିଲା ।ଏହି ଅବସରରେ ଏକ ରାଜନୈତିକ ଦଳ ପକ୍ଷରୁ ଛଅ ହଜାର ହ୍ୱାଟସଅପ ଗୃପ ଗଠନ କରାଯାଇଥିବା ହିସାବ କରାଯାଇଥିଲା। କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନ ପ୍ରଚ଼ାର ଅଭିଯାନକୁ କେତେକ ଗଣମାଧ୍ୟମ ସମୀକ୍ଷକ ‘ହ୍ୱଟସଅପ ପାଂଷ୍ଟ’ଅର୍ଥାତ ହ୍ୱାଟସଆପକୁ ପ୍ରାଥମିକତା ଦିଆଯାଇଥିବା ନିର୍ବାଚ଼ନ ରୂପେ ଅଭିହିତ କରିଛନ୍ତି । ଭବିଷ୍ୟତରେ ମୁଖ୍ୟତଃ ୨୦୧୯ ସାଧାରଣ ନିର୍ବାଚ଼଼ନ ଅବସରରେ ଏହି ଧାରା ଅଧିକ ଶାଣିତ ହେବା ଆଶା କରାଯାଇପାରେ । କିନ୍ତୁ ଫରୱାର୍ଡ ସୀମା ହ୍ରାସ ପ୍ରଚ଼ାରକୁ ଶୀଥିଳ କରିବ ।

ହ୍ୱାଟସଆପର ବର୍ଦ୍ଧିତ ଲୋକପ୍ରିୟତା ରାଜନୀତି ଭିନ୍ନ ବ୍ୟବସାୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଇତ୍ୟାଦି ଅନ୍ୟାନ୍ୟ ସାମାଜିକ ଦିଗରେ ଏହାର ଉପଯୋଗ ପ୍ରତି ପଥ ଉନ୍ମୁକ୍ତ କରିପାରେ । ଅପରପକ୍ଷେ ଏଭଳି ମାଧ୍ୟମରେ ଦୁରୋପଯୋଗ ଅସମାହିତ ସମସ୍ୟାମାନ ସୃଷ୍ଟି କରିବାରେ ଲାଗିଛି ।ହ୍ୱାଟସଆପରେ ଗୁଜବ ପ୍ରସାରଣ ଅବସରରେ ଗ୍ରହୀତା ସତ୍ୟାସତ୍ୟ ପରଖି କିମ୍ୱା ତାହାକୁ ରୋକିବା ନିମନ୍ତେ କୌଣସି ବ୍ୟବସ୍ଥା ଉପଲବ୍ଧ ନଥିବା ହେତୁ ସ୍ଥଳବିଶେଷରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିର କାରଣ ପାଲଟୁଥିବା ଦେଖିବାକୁ ମିଳୁଛି ।

ଆମ ଦେଶରେ ହ୍ୱାଟସଆପ ଉପଭୋକ୍ତାଙ୍କ ମଧ୍ୟରେ ଅନେକେ ଡ଼ିଜିଟାଲ ସାକ୍ଷର ନଥିବା ହେତୁ ଏହାର ଅନୁଚ଼ିତ ପ୍ରସାରଣଜନିତ ପ୍ରାଦୁର୍ଭାବରୁ ବିନା ସାମାଜିକ ସହଯୋଗରେ ବର୍ତ୍ତିବା ସମ୍ଭବପର ନୁହେଁ । ଏଭଳି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନିକସ୍ତରରେ ଡ଼ିଜିଟାଲ ନୀତିନିର୍ଦ୍ଧାରଣ ତଥା ଆଇନ ପ୍ରଣୟନ ଅପରିହାର୍ଯ୍ୟ । ଅବଶ୍ୟ ଆମ ଦେଶରେ ଏ ଦିଗରେ ପ୍ରସ୍ତୁତି ଚ଼ାଲିଛି ଏବଂ ସରକାରଙ୍କ ପକ୍ଷରୁ ଡ଼ିଜିଟାଲ ନୀତି ଘୋଷଣାକୁ ଅପେକ୍ଷା କରାଯାଉଛି ।    

Related Post