ଭାରତରେ ପ୍ରକାଶିତ ସମସ୍ତ ସମ୍ୱାଦପତ୍ରର ପ୍ରକାଶକ ‘ପ୍ରେସ ଏଣ୍ଡ ରେଜିଷ୍ଟ୍ରେସନଅଫ ବୁକ୍ସ ଏକ୍ଟ, ୧୮୬୭’ ଅନୁଯାୟୀ ‘ରେଜିଷ୍ଟରାର ଅଫ ନିଉଜପେପର୍ସଇନ ଇଣ୍ଡିଆ, ନୂଆଦିଲ୍ଲୀ’ଙ୍କ ଠାରେ ବାର୍ଷିକ ପ୍ରକାଶନ ବିବରଣୀ ଦାଖଲ କରିବାକୁ ବାଧ୍ୟ । ଏହା ଦେଶର ସବୁଠାରୁ ପୁରୁଣା ଗଣମାଧ୍ୟମ ସଂକ୍ରାନ୍ତୀୟ ଆଇନ । ରେଜିଷ୍ଟରାର ସଂଗୃହୀତ ତଥ୍ୟାବଳୀ ଆଧାରରେ ପ୍ରସ୍ତୁତ ବିବରଣୀ ପ୍ରତିବର୍ଷ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥାନ୍ତି । ଅନ୍ୟାନ୍ୟ ରାଜ୍ୟ ସହ ଓଡ଼ିଶାରେ କେତେ ସଂଖ୍ୟାରେ ସମ୍ୱାଦପତ୍ର ପ୍ରକାଶିତ ହେଉଛି ସେ ସଂପର୍କରେ ତଥ୍ୟ ଏହି ବିବରଣୀ ତଥା ରେଜିଷ୍ଟରାରଙ୍କ ୱେବ ସାଇଟରେପାଇହୁଏ ।
ଏତଦ୍ବ୍ୟତୀତ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମ୍ୱାଦପତ୍ର ଓ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ଗୁଡ଼ିକୁ ନିୟମିତ ବିଜ୍ଞାପନ ପ୍ରଦାନ କରୁଥିବା ହେତୁ ସଂପୃକ୍ତବିତରକ ବିଭାଗଠାରେ ବିଜ୍ଞାପନ ଗ୍ରହୀତା ପ୍ରକାଶନ ଗୁଡ଼ିକୁପଞ୍ଜୀକରଣ କରିବାକୁ ପଡିଥାଏ । ଏହି କାରଣରୁ ସେମାନଙ୍କଠାରେ ମଧ୍ୟ ଅନୁମୋଦିତ ତାଲିକା ଉପଲବ୍ଧ । ପ୍ରାୟତଃ ପ୍ରତିବର୍ଷ ଓଡ଼ିଶା ବିଧାନସଭା ଅଧିବେଶନରେ କେହି ବିଧାୟକ ରାଜ୍ୟରେ ଗଣମାଧ୍ୟମ ସ୍ଥିତାବସ୍ଥା ସଂପର୍କରେ ପ୍ରଶ୍ନ ପଚାରିଥାନ୍ତି ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ତଥ୍ୟ ଦେଇଥାନ୍ତି । ରାଜ୍ୟ ବିଧାନସଭାର ୨୦୧୯ ମୌସୁମୀ ଅଧିବେଶନରେ ବିଧାୟକ ସି.ଏସ. ରାଜେନଏକ୍କାଙ୍କ ଏଭଳି ଏକ ପ୍ରଶ୍ନର ଉତ୍ତର ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥାପନ କରିଥିଲେ ।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଜ୍ଞାପନ ବିତରଣ ଅନୁମୋଦନ ତାଲିକାରେ ରାଜ୍ୟରୁ ପ୍ରକାଶିତ ୮୩ ଗୋଟି ଦୈନିକ, ୬୦ ଗୋଟି ସାପ୍ତାହିକ, ୧୬ ଗୋଟି ପାକ୍ଷିକ, ୧୯ ଗୋଟି ମାସିକ, ଗୋଟିଏ ତ୍ରୟମାସିକ ଓ ୭ ଗୋଟି ଇଂଲିଶସମ୍ୱାଦପତ୍ର ଅନ୍ତର୍ଭୁକ୍ତ । ରାଜ୍ୟରେ ୨୦ ଗୋଟି ଟେଲିଭିଜନ ଓ ରେଡ଼ିଓ ଚ଼୍ୟାନେଲ ତଥା ୨୫ ଗୋଟି ୱେବଚ୍ୟାନେଲ ଅନୁମୋଦିତ । ଅଧିସ୍ୱୀକୃତ ସାମ୍ୱାଦିକଙ୍କ ସଂଖ୍ୟା ରାଜ୍ୟସ୍ତରରେ ୧୮୯ ଏବଂ ଜିଲ୍ଲା, ସବଡିଭିଜନ ଓ ବ୍ଳକସ୍ତରରେ ୩୦ରେ ସୀମିତ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ‘ଗୋପବନ୍ଧୁସାମ୍ବାଦିକ ସ୍ୱାସ୍ଥ୍ୟବୀମା’ରେ ୬୦୧୧ ଜଣ ସାମ୍ୱାଦିକ ପଞ୍ଜୀକୃତ ।
ଓଡ଼ିଶାରେ ଦୈନିକ ସମ୍ୱାଦପତ୍ର ସଂପର୍କରେ ଅନୁଶୀଳନ କଲାବେଳେ ଦଶଗୋଟି ରାଜ୍ୟସ୍ତରୀୟ ସମ୍ୱାଦପତ୍ର ସହଜରେ ଦୃଷ୍ଟି ଆକର୍ଷଣ କରିଥାଏ । ଆଞ୍ଚଳିକସ୍ତରରେ ଅନୁଧ୍ୟାନ କଲେ ଆଉ ଦଶଗୋଟି ନଜରକୁ ଆସେ । ତେବେ କୋଡ଼ିଏ ଗୋଟିକୁ ବାଦ ଦେଲେ ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବଳକା ଷାଠିଏରୁ ଉର୍ଦ୍ଧ୍ୱ ଦୈନିକ ସମ୍ୱାଦପତ୍ରର ସନ୍ଧାନ ସହଜରେ ପାଇହୁଏ ନାହିଁ । ଦୈନିକ ସମ୍ୱାଦପତ୍ରର ଅବସ୍ଥା ଏୟା ଥିବା ସ୍ଥଳେ ସାପ୍ତାହିକ, ପାକ୍ଷିକ, ମାସିକ ଓ ତ୍ରୟମାସିକସମ୍ୱାଦପତ୍ରର ଅବସ୍ଥା ସହଜରେ ଅନୁମେୟ । ଏହି ପରିବେଶର ମୁଖ୍ୟ କାରଣ ଦୁଇଗୋଟି ମଧ୍ୟରେ ପ୍ରକାଶନରେ ଅନିୟମିତତା ଓ ତତ୍ଜନିତ ସୀମିତ ପ୍ରସାରଣକୁ ଚ଼ିହ୍ନଟ କରାଯାଇପାରେ ।
ଅନିୟମିତ ଓ ଅଳ୍ପ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକବାସ୍ତବକ୍ଷେତ୍ରରେ କ୍ଷୁଦ୍ର ସମ୍ୱାଦପତ୍ର ପର୍ଯ୍ୟାୟଭୁକ୍ତ । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଞ୍ଚଳିକସ୍ତରରେ ପ୍ରକାଶିତ ହୋଇଥାଏ । ଗଣମାଧ୍ୟମ ତତ୍ତ୍ୱବିତମାନେବିଦେଶରେ ଏହାକୁ ସ୍ଥାନୀୟ ‘ଲୋକାଲ’ସମ୍ୱାଦପତ୍ର ନାମିତ କରିଥାନ୍ତି । ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସଂପର୍କରେ ଆଲୋଚ଼ନା କଲେ ଏଭଳି ସମ୍ୱାଦପତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । ସମ୍ୱାଦପତ୍ର ପ୍ରଯୋଜନା ବ୍ୟୟବହୁଳ ଓ ଅର୍ଥନୀତି ବିଜ୍ଞାପନ ଆଶ୍ରିତ ହୋଇଥିବା ହେତୁ ଆକାରରେ ପୃଥଳତା, ପ୍ରକାଶନରେ ନିୟମିତତା ଓ ସଂଖ୍ୟାଧିକ ପ୍ରସାର ବ୍ୟାବସାୟିକ ସଫଳତା ଉପରେ ନିର୍ଭରଶୀଳ । ଏହି କ୍ଷେତ୍ରରେ ଉତ୍କର୍ଷତା ହାସଲ ନିମନ୍ତେ ଉତ୍ସର୍ଗୀକୃତ ସାମ୍ୱାଦିକତାର ଭୂମିକା ସୀମିତ ।
ବିଶ୍ୱବ୍ୟାପୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅଭ୍ୟୁଦୟ ମୁଦ୍ରିତ ସମ୍ୱାଦପତ୍ରର ଉନ୍ମେଷ ସହ ଅଙ୍ଗାଙ୍ଗୀଭାବେଜଡ଼ିତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ସମ୍ୱାଦପତ୍ର ଏକ ରକମ ନେତୃତ୍ୱ ନେଇଥିବା ସ୍ୱୀକୃତ । ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ରାଜନୀତିକୁ ଦୀର୍ଘକାଳ ଧରି ହାତଗଣତି ଦୈନିକ ସମ୍ୱାଦପତ୍ର ଓ ପତ୍ରପତ୍ରିକା ପ୍ରଭାବିତ କରିଆସିଥିଲେ । ଜରୁରୀ ପରିସ୍ଥିତି ପରବର୍ତ୍ତୀ ଅବସ୍ଥାରେ ଦେଶର ଅନ୍ୟାନ୍ୟ ପ୍ରାନ୍ତ ସହ ତାଳ ଦେଇ ସମ୍ୱାଦପତ୍ର ପ୍ରକାଶନରେ ବୃତ୍ତିଧାରୀ ସାମ୍ୱାଦିକଙ୍କ ସଂଖ୍ୟାବୃଦ୍ଧି ସହ ଟେଲିଭିଜନ ଭଳି ଗଣମାଧ୍ୟମରେ ଅନ୍ୟାନ୍ୟ ମଞ୍ଚର ଆବିର୍ଭାବ ସ୍ଥାନୀୟ ସାମ୍ୱାଦିକତାର ବିକାଶରେ ସହାୟକ ହୋଇଥିଲେ ହେଁ ଏହାରପରିପୁଷ୍ଟି ନିମନ୍ତେ ଉପାଦାନ ସଂଗ୍ରହରେ ଅସମର୍ଥ ହୋଇଥିବା ପ୍ରମାଣିତ ।
ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ଲୋକସଂଖ୍ୟା, ସାକ୍ଷରତା ଓ ଆର୍ଥିକ ମାନଦଣ୍ଡ ସହ ତୃଣମୂଳସ୍ତରରେ ଗଣତାନ୍ତ୍ରିକ ଶାସନ ଉପଯୋଗ ଓ ଲୋକାଭିମୁଖୀ ପ୍ରଶାସନିକ ଦକ୍ଷତା ବୃଦ୍ଧିରେ ସମ୍ୱାଦପତ୍ର ପ୍ରକାଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମ୍ୱାଦପତ୍ର ବିତର୍କର ମଞ୍ଚ ଗଢ଼ିତୋଳେ, ତୃଟିବିଚ୍ୟୁତିକୁଅନୁସନ୍ଧାନତ୍ମକ ସାମ୍ୱାଦିକତା ମାଧ୍ୟମରେ ଉନ୍ମୋଚନ କରେ ଏବଂ ବିଶ୍ଳେଷଣାତ୍ମକ ଅଭିମତ ଉପସ୍ଥାପନ ସାମାଜିକ ପ୍ରଗତିର ଦ୍ୱାର ଉନ୍ମୁକ୍ତ ରଖେ । ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ୱାଦପତ୍ର ଗ୍ରାମପଞ୍ଚାୟତ କିମ୍ୱା ପଲ୍ଲୀସଭାସ୍ତରରେ ପହଞ୍ଚିବା ସମ୍ଭବପର ନୁହେଁ । ଏକପକ୍ଷରେ ଆପେକ୍ଷିକ ଗୁରୁତ୍ୱ ବିଚାରକୁ ନେଇ ସମ୍ୱାଦ ପ୍ରଯୋଜିତ ହେଉଥିବା ହେତୁ ଉଚ୍ଚସ୍ତରରେ ତୃଣମୂଳସ୍ତରର ସମସ୍ୟା ଗୁରୁତ୍ୱ ପାଇବା ସଂଭବପର ନ ହେଉଥିବା ସ୍ଥଳେ ତୃଣମୂଳସ୍ତରରେ ସ୍ଥାନୀୟ ଅଧିବାସୀ ଦୈନନ୍ଦିନ ସମସ୍ୟାକୁ ନେଇ ଭରାକ୍ରାନ୍ତ ହୋଇପଡ଼ନ୍ତି । ସ୍ଥାନୀୟ ସମସ୍ୟା ସ୍ଥାନୀୟ ସମ୍ୱାଦପତ୍ରରେ ହିଁ ପ୍ରକାଶନ ସମ୍ଭବପର । ଏଥି ନିମନ୍ତେ ସାମ୍ୱାଦିକ, ସମ୍ୱାଦପତ୍ର ପୃଷ୍ଠା ଓ ପାଠକ ସ୍ଥାନୀୟ ସମ୍ୱାଦପତ୍ରରେ ଉପଲବ୍ଧ ।
ସ୍ଥାନୀୟ ସମ୍ୱାଦପତ୍ର କିପରି ପ୍ରଶାସନକୁ ପ୍ରଭାବିତ କରେ ସେ ସଂପର୍କରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ଦୁଇଗୋଟି ବିଶ୍ୱବିଦ୍ୟାଳୟ ସହଯୋଗରେ ଏକ ଗବେଷଣା ଆୟୋଜନ କରାଯାଇଥିଲା । ଆମେରିକାରେ ଅନଲାଇନ ସମ୍ୱାଦ ପୋର୍ଟାଲଗୁଡ଼ିକରଲୋକପ୍ରିୟତା ବୃଦ୍ଧିପରେଅନେକ ଜିଲ୍ଲାସ୍ତରୀୟ‘କାଉଣ୍ଟି’ଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ପାଇଛି ବା ବନ୍ଦ ହୋଇଯାଇଛି । ଗବେଷକମାନେ ୨୦୪ ଗୋଟି କାଉଣ୍ଟିରେ ୧୯୯୬ ରୁ ୨୦୧୫ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ପାଇଥିବା ବା ବନ୍ଦ ହୋଇଯାଇଥିବା କାଉଣ୍ଟିଗୁଡ଼ିକର ପୌର ପ୍ରଶାସନ ସହ ମୁଦ୍ରିତ ସମ୍ୱାଦପତ୍ର ନିୟମିତ ଭାବେ ପ୍ରକାଶ ପାଉଥିବା କାଉଣ୍ଟିଗୁଡ଼ିକର ପୌର ପ୍ରଶାସନର କାର୍ଯ୍ୟଦକ୍ଷତା ଅନୁଶୀଳନ କରିଥିଲେ ।
ଗବେଷଣାରୁ ଜଣାଗଲା ଯେ ମୁଦ୍ରିତ ସମ୍ୱାଦପତ୍ର ନିୟମିତ ପ୍ରକାଶ ପାଉଥିବା କାଉଣ୍ଟି ତୁଳନାରେ ମୁଦ୍ରିତ ସମ୍ୱାଦପତ୍ର ସଂଖ୍ୟା ହ୍ରାସ ପାଇଥିବା ବା ବନ୍ଦ ହୋଇଯାଇଥିବା କାଉଣ୍ଟିଗୁଡ଼ିକର ପୌର ପ୍ରଶାସନର କାର୍ଯ୍ୟଦକ୍ଷତା ସମୟକ୍ରମେ ହ୍ରାସ ପାଇଛି । ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରର ସାମ୍ୱାଦିକମାନେ ପୌର ପ୍ରଶାସନର କାର୍ଯ୍ୟଧାରାକୁ ନିୟମିତ ସମୀକ୍ଷା କରି ସମ୍ୱାଦ ପ୍ରକାଶନ ଯୋଗୁଁ ସେମାନେ ସଜାଗ ରହୁଥିଲେ । କିନ୍ତୁ ମୁଦ୍ରିତ ସମ୍ୱାଦପତ୍ରର ଅଭାବ ପରବର୍ତ୍ତୀ ତିନି ବର୍ଷରେ ପୌର ପ୍ରଶାସନର ଆର୍ଥିକ ଅବସ୍ଥାରେ ବିଶୃଙ୍ଖଳା ଓ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟଶେୈଳୀ ଦେଖିବାକୁ ମିଳିଥିଲା ।
ଯୁକ୍ତରାଷ୍ଟ୍ର ଆମେରିକାରେ ବିଜ୍ଞାନସମ୍ମତ୍ତ ଧାରାରେ ଆୟୋଜିତ ଉପରୋକ୍ତ ଗବେଷଣାର ସିଦ୍ଧାନ୍ତ ଊଣାଅଧିକେ ବିଶ୍ୱର କୋଣଅନୁକୋଣର ଗଣତନ୍ତ୍ରରେ ପ୍ରଯୁଜ୍ୟ । ଓଡ଼ିଶାରେ ସ୍ଥାନୀୟ ସମ୍ୱାଦପତ୍ର ପ୍ରକାଶନର ତାତ୍ପର୍ଯ୍ୟ ଏହି ଉଦାହରଣରୁ ସୁସ୍ୱଷ୍ଟ । ଗ୍ରାମପଞ୍ଚାୟତସ୍ତରରେସମ୍ୱାଦିକମାନଙ୍କ ଉପସ୍ଥିତି ତୃଣମୂଳସ୍ତରର ସରକାରୀ କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀର ସମୀକ୍ଷା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିବା ସମ୍ଭବପର । ସମାଲୋଚକମାନେ କର୍ମଚାରୀ ଓ ସାମ୍ୱାଦିକଙ୍କ ମଧ୍ୟରେ ଅସାଧୁ ମେଣ୍ଟର ପ୍ରଶ୍ନ ଉଠାଇ ପାରନ୍ତି । ତେବେ ସବୁ କ୍ଷେତ୍ରରେ ଏଭଳି ଆଶଙ୍କା ଅମୂଳକ । ସାମ୍ୱାଦିକଙ୍କୁ ତାଲିମ ମାଧ୍ୟମରେ ଗୁଣାତ୍ମକ ସାମ୍ୱାଦିକତାର ବିକାଶ ଆଶା କରାଯାଇପାରେ ।
ମାର୍କିନ ଗବେଷଣାରୁ ଆହୁରି ଜଣାଯାଇଛି ଯେ ଅନଲାଇନପୋର୍ଟାଲ ମାଧ୍ୟମରେ ସାମ୍ୱାଦିକତାଆଞ୍ଚଳିକସ୍ତରରେ ମୁଦ୍ରିତ ଗଣମାଧ୍ୟମର ଅଭାବ ପୂରଣ କରିପାରୁ ନାହିଁ । ପ୍ରଶାସନିକ କ୍ଷେତ୍ରରେ ମୁଦ୍ରିତ ସମ୍ୱାଦର ଦୀର୍ଘସ୍ଥାୟୀ ପ୍ରଭାବ ଏଥିରୁ ସୁସ୍ୱଷ୍ଟ । ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ସମୟସାପେକ୍ଷ, ସୃଜନଆଶ୍ରିତ ଓ ବ୍ୟୟବହୁଳ । ଏହି କାରଣରୁ ଅନେକ କ୍ଷେତ୍ରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପ୍ରକାଶନ ଅନିୟମିତ ଏବଂ ପ୍ରସାର ସଂଖ୍ୟା ସୀମିତ । କିନ୍ତୁ ଏହାର ସାମାଜିକ, ସାଂସ୍କୃତିକ ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଭାବ ବିଚାରକୁ ନେଲେ କ୍ଷୁଦ୍ର ଦୈନିକ ସମ୍ୱାଦପତ୍ର ଓ ସାମୟିକ ପତ୍ରପତ୍ରିକା ପ୍ରକାଶନକୁ ଉତ୍ସାହିତ କରିବା ନିମନ୍ତେ ସାମୂହିକସ୍ତରରେ ସହଯୋଗ ନିମନ୍ତେ ବେସରକାରୀ ଓ ସରକାରୀସ୍ତରରେ ବିଧିବଦ୍ଧ ଯୋଜନା ପ୍ରଣୟନ ସମୟର ଆହ୍ୱାନ ।
