ନଭେମ୍ୱର ୨୦ ରୁ ୨୮ ତାରିଖ ମଧ୍ୟରେ ଗୋଆଠାରେ ଅନୁଷ୍ଠିତ ୫୩ତମ ଭାରତୀୟ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବର ପାନୋରମା ଶୃଙ୍ଖଳରେ ଓଡ଼ିଶା ଚଳଚ଼ିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶନ ଓଲିଉଡ଼ର ୨୦୨୨ ବାର୍ଷିକ ପଞ୍ଜିକାରେ ଏକ ଉଲ୍ଲେଖନୀୟ ସାଫଲ୍ୟ । ନଭେମ୍ୱର ୨୨ ତାରିଖ ରାତି ଘ ୮.୪୫ ମି.ରେ ପାଞ୍ଜିମର ଆଇନକ୍ସ ପ୍ରେକ୍ଷାଳୟରେ ଚଳଚ଼ିତ୍ରଟି ପ୍ରଦର୍ଶିତ ହୋଇଥିଲା । ତା’ ପରଦିନ ଚଳଚ଼ିତ୍ର ଉତ୍ସବ ଆୟୋଜକଙ୍କ ପକ୍ଷରୁ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀ ‘ଟେବଲ-ଟକ’ରେ ‘ପ୍ରତୀକ୍ଷା’ ଚଳଚ଼ିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓ ମୁଖ୍ୟ ଅଭିନେତା ଦୀପନ୍ୱିତ ଦାସମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଚଳଚ଼ିତ୍ର ନିର୍ମାଣ ପୃଷ୍ଠଭୂମି ସଂପର୍କରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନଭେମ୍ୱର ୨୨ରେ ପାନୋରମାରେ ପ୍ରଦର୍ଶିତ ଅନ୍ୟ ଦୁଇ ହିନ୍ଦି ଚଳଚ଼ିତ୍ର ‘ସିଆ’ର ନିର୍ଦ୍ଦେଶକ ମନୀଷ ମୁନ୍ଦ୍ରା ଓ ‘ଦି କାଶ୍ମୀର ଫାଇଲ୍ସ’ର ମୁଖ୍ୟ ଅଭିନେତା ଅନୁପମ ଖେର ଓ ପ୍ରଯୋଜକ ଅଭିଷେକ ଅଗ୍ରୱାଲ ମଧ୍ୟ ଏହି ଟେବଲ-ଟକର ସହଭାଗୀ ଥିଲେ । କାର୍ଯ୍ୟକ୍ରମର ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ଅବଧିର ଧାରାବିବରଣୀ ଭିଡ଼ିଓ ପ୍ରେସ ବ୍ୟୁରୋ ଅଫ ଇଣ୍ଡିଆର ୟୁ-ଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ।
ଏହି ଅବସରରେ ଅନୁପମ ଖେର ‘ପ୍ରତୀକ୍ଷା’ର ଭୂୟସୀ ପ୍ରଶଂସା କରିଥିଲେ । ଚଳଚ଼ିତ୍ରଟିର କାହାଣୀ ତାଙ୍କୁ ପ୍ରଭାବିତ କରିଥିବା ପ୍ରକାଶ କରିଥିଲେ । ଘୋଷଣା କରିଥିଲେ ଯେ ‘ପ୍ରତୀକ୍ଷା’ର ହିନ୍ଦି ରୂପାନ୍ତର ସେ ନିଜେ ପ୍ରଯୋଜନା କରିବେ ଏବଂ ବାପା ଭୂମିକାରେ ଅଭିନୟ କରିବା ନିମନ୍ତେ ଆଗ୍ରହୀ । ଏହି ବାବଦରେ ଚୁକ୍ତି ଅର୍ଥ ଆକାରରେ ମଞ୍ଚରେ ନିଜ ମନିପର୍ସରୁ ଏଗାର ଶହ ଟଙ୍କା ଖୋଜି ବାହାର କରି ନିର୍ମାତା-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ଏହି ଘଟଣାଟି ଓଡ଼ିଆ ଚଳଚ଼ିତ୍ରପ୍ରେମୀଙ୍କ ପାଇଁ ଭାବାବେଗର ଦୃଶ୍ୟ । ଓଡ଼ିଆ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଏହାର ବ୍ୟାପକ ଚର୍ଚ୍ଚା ହୋଇଥିଲା ।
ଅନୁପମ ଖେର ବଲଉଡ଼ର ପ୍ରତିଷ୍ଠିତ କଳାକାର । ସେ ୫୩୨ଗୋଟି ଚଳଚ଼ିତ୍ରରେ ଅଭିନୟ କରିଛନ୍ତି । ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ସ୍ୱର୍ଣ୍ଣ ପଦକପ୍ରାପ୍ତ ବିଦାର୍ଥୀ ଏବଂ ପୁଣେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଟିଉଟ ଅଫ ଇଣ୍ଡିଆର ପ୍ରାକ୍ତନ ଅଧ୍ୟକ୍ଷ । ସେ ଜଣେ ଜାତୀୟବାଦୀ କଳାକାରଭାବେ ପରିଚ଼ିତ ଏବଂ ‘ଦି କାଶ୍ମୀର ଫାଇଲ୍ସ’ରେ ନିପୂଣ ଅଭିନୟ ପାଇଁ ଖ୍ୟାତ । ଅନୁପମ ଖେର ‘ପ୍ରତୀକ୍ଷା’ରେ ବାପା ଓ ପୁଅ ମଧ୍ୟରେ ଅବ୍ୟକ୍ତ ସ୍ନେହର ବାର୍ତ୍ତା ପ୍ରତିଫଳନର ପ୍ରଶଂସା କରିଥିଲେ । ଅନୁପମ ପଟ୍ଟନାୟକ ସୂଚାଇଥିଲେ ଯେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖକ ଗୌରହରି ଦାସଙ୍କ ଦୁଇ ତିନି ପୃଷ୍ଠା ଅବୟବର କାହାଣୀ ଆଧାରିତ ‘ପ୍ରତୀକ୍ଷା’ର ଚ଼ିତ୍ରନାଟ୍ୟ ଓ ସଂଳାପ ରୋଷନ ବିଷୋୟୀ ପ୍ରସ୍ତୁତ କରିଛନ୍ତି ।
ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ନିର୍ମାଣ, ପ୍ରଦର୍ଶନ, ବ୍ୟବସାୟ, ଶ୍ରମ ସଂସ୍ଥାନ ଓ ସାମାଜିକ ପ୍ରଭାବ ସମସ୍ତ ଦିଗରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସମୟରେ ନଭେମ୍ୱର ଓ ଡ଼ିସେମ୍ୱର ୨୦୨୨ରେ ଦୁଇଗୋଟି ଓଡ଼ିଆ ଚଳଚ଼ିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ର ଶୁଭମୁକ୍ତି ଏବଂ ଅନ୍ତତଃପକ୍ଷେ କଳାତ୍ମକ ସଫଳତା ଓଲିଉଡ଼ରେ ଆଶା ସଂଚାର କରଛି । ‘ଦମନ’ ଉପାନ୍ତ ଓଡ଼ିଶାରେ ଏକ ସତ୍ୟଘଟଣାକୁ ନେଇ ଗଢ଼ିଉଠିଥିବା ସ୍ଥଳେ ‘ପ୍ରତୀକ୍ଷା’ର ମୂଳ ଉତ୍ସ ଏକ କ୍ଷୁଦ୍ରଗଳ୍ପ । ପ୍ରତିବେଶୀ ଚଳଚ଼ିତ୍ରର ଅନ୍ଧ ଅନୁବାଦ ଅପବାଦରେ ନିନ୍ଦିତ ଓଲିଉଡ଼ ସିନେମା ମୌଳିକ ରଚ଼ନା ଆଶ୍ରିତ ହୋଇଥିବାରୁ ଦର୍ଶକୀୟ ସ୍ୱୀକୃତି ଲାଭ କରିଥିବା ସୁସ୍ପଷ୍ଟ । ଦୁଇ ଚଳଚ଼ିତ୍ରର ଚ଼ିତ୍ରନାଟ୍ୟ ଲେଖକଙ୍କୁ ଏଥିପାଇଁ ଶ୍ରେୟ ଦେବା କଥା ।
‘ପ୍ରତୀକ୍ଷା’ର ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରୋଡ଼କସନ୍ସର ଉତ୍ସ ଅମୀୟ ପଟ୍ଟନାୟକ ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜନା କ୍ଷେତ୍ରରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳଧରି ସଂପୃକ୍ତ ଥିଲେ । ଏହି ସମୟସୀମାରେ ଓଡ଼ିଆ ଚଳଚ଼ିତ୍ରର ଉନ୍ନତି ଓ ଅବନତି ଉଭୟ ଅନ୍ତର୍ଭୁକ୍ତ । ଓଲିଉଡ଼ରୁ ଦ୍ୱି-ଭାଷୀ, ତ୍ରି-ଭାଷୀ ଚଳଚ଼ିତ୍ର ବ୍ୟବସାୟ ପାଇଁ ସେ ସାହାସ କରିଥିଲେ । ତାଙ୍କରି ପ୍ରଥମ ଚଳଚ଼ିତ୍ର ‘ହାକିମ ବାବୁ’ (୧୯୮୫) କଥାକାର ବିଭୂତି ପଟ୍ଟନାୟକଙ୍କ ଲେଖାକୁ ନେଇ ଗଢ଼ି ଉଠିଥିବା ସ୍ଥଳେ ଶେଷ ଚଳଚ଼ିତ୍ର ‘ତୁଳସୀ ଅପା’(୧୯୧୭) ଖ୍ୟତନାମା ଜୀବତ ଜନଜାତି ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଆଧାରିତ ଥିଲା । ତୁଳସୀ ଅପା ଭୂମିକାରେ ସେ ହାଇଦରାବାଦରେ ଆଇଟି ପ୍ରଫେସନାଲ ଭାବେ ଅବସ୍ଥାପିତ ଇଞ୍ଜିନିୟର ବର୍ଷା ନାୟକଙ୍କୁ ଅଭିନୟ ନିମନ୍ତେ ସୁଯୋଗ ଦେଇଥିଲେ । ପାଞ୍ଚ ବର୍ଷ ପରେ ‘ପ୍ରତୀକ୍ଷା’ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ବର୍ଷା ଅବତୀର୍ଣ୍ଣ ହୋଇଛନ୍ତି । ଅମୀୟ ପଟ୍ଟନାୟକଙ୍କ ୨୦୧୮ରେ ଦେହାନ୍ତ ହୋଇଥିଲା । ସେତେବେଳକୁ ‘ପ୍ରତୀକ୍ଷା’ର ଚ଼ିତ୍ରନାଟ୍ୟ ରଚ଼ନା ସ୍ତରରେ ଥିଲା ।
‘ପ୍ରତୀକ୍ଷା’ ଚଳଚ଼ିତ୍ରଟି ‘ବାପା’ କ୍ଷୁଦ୍ରଗଳ୍ପ ଦ୍ୱାରା ପ୍ରଭାବିତ ‘ଇନସ୍ପାୟାଡ଼’ ବୋଲି ଘୋଷିତ । ଫଳରେ ମୂଳ କ୍ଷୁଦ୍ରଗଳ୍ପଟିର ବର୍ଣ୍ଣନାରେ ବ୍ୟାପକ ପରିବର୍ତ୍ତନ ନିମନ୍ତେ ଦ୍ୱାର ଉନ୍ମୁକ୍ତ ରହିଥିଲା । ପ୍ରଥମତଃ, ‘ବାପା’ ନାମ ‘ପ୍ରତୀକ୍ଷା’ରେ ରୂପାନ୍ତରିତ ହୋଇଛି । ଦ୍ୱିତୀୟତଃ, ‘ବାପା’ର କାହାଣୀ ଓଡ଼ିଶାର ଯେକୌଣସି ଏକ ସହରରେ, ବିଶେଷକରି ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ସ୍ଥଳେ ‘ପ୍ରତୀକ୍ଷା’ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି । ତୃତୀୟତଃ, କ୍ଷୁଦ୍ରଗଳ୍ପରେ ନାୟକଙ୍କ ବାପା ଏକ କମ୍ପାନୀ ଚାକିରୀରେ ଅବସ୍ଥାପିତ ଥିବା ବେଳେ ଚଳଚ଼ିତ୍ରରେ ସରକାରୀ କର୍ମଚାରୀ । ଚ଼ତୁର୍ଥତଃ, କ୍ଷୁଦ୍ରଗଳ୍ପରେ ଆଦର୍ଶଗତ କାରଣରୁ ବାପା ଓ ପୁଅ ସଂପର୍କରେ ବ୍ୟାପକ ଅନ୍ତର ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେଉଥିବା ସ୍ଥଳେ ଚ଼ଳଚ଼ିତ୍ରରେ ସହଜରେ ବାରି ହୁଏ ନାହିଁ । ପଞ୍ଚମରେ କ୍ଷୁଦ୍ରଗଳ୍ପ ଶେଷରେ ନାୟକଙ୍କ ବାପା ମୃତ୍ୟୁ ମୁଖରେ ପଡ଼ିଥିବା, ତାହାର ପ୍ରେମିକା ଅନ୍ୟତ୍ର ବିବାହ କରି ଚାଲିଯାଇଥିବା ଏବଂ ନିଜେ ସରକାରୀ ଚାକିରୀ ଅନ୍ୱେଷଣରେ ହିଁ ଅଟକି ଯାଇଥିବା ସ୍ଥଳେ ଚଳଚ଼ିତ୍ରରେ ଭିନ୍ନ ରୂପାଙ୍କନ ହୋଇଛି ।
କ୍ଷୁଦ୍ରଗଳ୍ପ ଓ ଚ଼ିତ୍ରନାଟ୍ୟ ଉଭୟ କଳ୍ପନା ପ୍ରସୂତ, ତେଣୁ ବର୍ଣ୍ଣନାରେ ତାରତମ୍ୟକୁ ଦୋଷ ଦେଇ ହେବ ନାହିଁ । ତେବେ ସୃଜନରେ ଲେଖକର ଦୃଷ୍ଟିକୋଣ ଓ ଆବେଗ ପରିବର୍ତ୍ତନ ସ୍ରୋତରେ ଚଳଚ଼ିତ୍ରରେ ନିଷ୍ପ୍ରଭ ହୋଇଯିବାର ସଂଭାବନ ଅବଶ୍ୟ ରହିଥାଏ । ଲେଖକ ନାୟକ ସଂଜୟ ଜୀବନରେ ସମାଜର ସବୁତକ ଆବିଳତା ଠୁଳ କରିଦେଇଥିଲେ । କ୍ଷୁଦ୍ରଗଳ୍ପର ପ୍ରଥମ ଧାଡ଼ି, “ନିଜ ଘର ଭିତରକୁ ପଶି ଆସିଲେ ସଂଜୟର ବାନ୍ତି ଉଠେଇ ଆସେ ।” ପରବର୍ତ୍ତୀ ଧାଡ଼ିଗୁଡ଼ିକରେ “ସଂଜୟର ନିଜ ଘରେ ରହିବା ପାଇଁ ଆଦୌ ଆତ୍ମା ଡ଼ାକେ ନାହିଁ । ସେ ଘରର ଚାରି ପଟେ ଅଭାବ, ଅପମାନ ଓ ଅସହାୟତା । ଅଥଚ ଘରକୁ ଛାଡ଼ି କୁଆଡ଼େ ଯାଇପାରେ ନାହିଁ ।” ତା କଲେଜପଢ଼ା ଦିନର ପ୍ରେମିକା ଅନ୍ୟତ୍ର ବିବାହ କରିଚାଲିଯାଇଥାଏ । ତେବେ ସେହି ଘଟଣାଟିକୁ ସେ ଉଦାର ଚ଼ିତ୍ତରେ ଗ୍ରହଣ କରିନିଏ, “ସେଥିପାଇଁ ସେ କଲ୍ୟାଣୀକୁ ଦୋଷ ଦିଏ ନାହିଁ । ସେ ପ୍ରାକ୍ଟିକାଲ ଝିଅ । ସ୍ୱପ୍ନକୁ ନେଇ ବଞ୍ଚିବା ତା’ ପାଇଁ ଅର୍ଥହୀନ ।”
ସମକାଳୀନ ଓଡ଼ିଶାରେ ସ୍ଥାୟୀ ଶ୍ରମନିଯୁକ୍ତି ଅନ୍ୱେଷଣରେ ଥିବା ଶିକ୍ଷିତ ଯୁବ ସଂପ୍ରଦାୟର ପ୍ରତିକୂଳ ପରିସ୍ଥିତି ଓ ପରିବେଶରେ ସହାବସ୍ଥାନର ବିଭତ୍ସ ଚ଼ିତ୍ରାଙ୍କନ ହୁଏତ କ୍ଷୁଦ୍ରଗଳ୍ପଟିର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଦିଗ । କ୍ଷୁଦ୍ରଗଳ୍ପ ବର୍ଣ୍ଣନାରେ ସଂଜୟର ବ୍ୟବସ୍ଥା ସହ ସାଲିସ ଅମାନବୀୟ ସ୍ତରକୁ ସଂପ୍ରସାରିତ । “କିନ୍ତୁ ବାପା ଯଦି ଶୀଘ୍ର ମରିଯାଆନ୍ତେ । ମାନେ ଏହି ସପ୍ତାହେ ଦି ସପ୍ତାହ ଭିତରେ ଯଦି ସେ ଆଖି ବୁଜି ଦିଅନ୍ତେ । ତା’ହେଲେ ସଂଜୟର କମ୍ପାନୀ ଚାକିରି ପାଇବାଟା ପକ୍କା ହୋଇଯାଆନ୍ତା । ଥରେ ଚାକିରିଟା ପାଇଗଲେ ଧାର କରଜ କରି ସେ ବାପାଙ୍କ ଶୁଦ୍ଧିଘର କାମ ସାରିନିଅନ୍ତା । ତାଙ୍କର ଅସ୍ଥି ବିସର୍ଜନ କରନ୍ତା ପ୍ରୟାଗରେ । ମାଆକୁ ତୀର୍ଥ ଯାତ୍ରା ସ୍ପେଶାଲ ଟ୍ରେନରେ ପଠାନ୍ତା । ସୁଶୀଳାର ବର ନାଁରେ ମୋକଦ୍ଦମା ଦାୟର କରନ୍ତା ମହିଳା କମିସନରେ । ସାନ ଭଉଣୀକୁ ଭଲ ବର ଦେଖି ବାହା ଦିଅନ୍ତା । ବାପାଙ୍କର ବାକିଆ କାମ ସବୁ ତୁଲେଇ ସାରିବାପରେ ସେ ନିଜ ପାଇଁ ସ୍ୱପ୍ନଟେ ଦେଖନ୍ତା, ଯେଉଁ ସ୍ୱପ୍ନକୁ ସେ ବର୍ଷ ବର୍ଷ ଧରି ନିଜ ଛାତି ଭିତରେ ଲୁଚ଼େଇ ରଖିଛି ।”
କ୍ଷୁଦ୍ରଗଳ୍ପରେ ସଂଜୟ ‘ନାୟକ’ ନା ‘ଖଳ-ନାୟକ’ ବା ‘ହିରୋ’ ନା ‘ଆଣ୍ଟି-ହିରୋ’ ପାଠକର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭରଶୀଳ । ସ୍ଥୁଳ ବିଚାରରେ କ୍ଷୁଦ୍ରଗଳ୍ପରେ ସଂଜୟ ‘ଆଣ୍ଟି-ହିରୋ’ ହେଲେ ଚଳଚ଼ିତ୍ରରେ ‘ହିରୋ’ କି ? ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଚ଼ିତ୍ରନାଟ୍ୟ ପ୍ରସ୍ତୁତିରେ ରୋଷନ ବିଷେୟୀଙ୍କ ସହ ସେ ଦେଢ଼ ବର୍ଷ ବିନିଯୋଗ କରିଛନ୍ତି । ପନ୍ଦର ଥର ଡ୍ରାଫଟ ବଦଳା ଯାଇଛି । ଏହା ସ୍ୱାଗତଯୋଗ୍ୟ । ଏଥିସହ ‘ପ୍ରତୀକ୍ଷା’ ପୋଷ୍ଟ-ପ୍ରଡ଼କସନ କାର୍ଯ୍ୟ ଚ଼େନ୍ନାଇ ଓ ମୁମ୍ୱାଇରେ ସମାପନ ହୋଇଛି ଏବଂ ଚଳଚ଼ିତ୍ର ସୁଟିଂ ପାଇଁ ଷ୍ଟୁଡ଼ିଓକୁ ଯାଇନାହିଁ । ପ୍ରାୟ ଷାଠିଏ ପ୍ରତିଶତ ପ୍ରତିଭା ନବାଗତ- ଏହି ସବୁ ପଦକ୍ଷେପ ସମକାଳରେ ଗୁରୁତ୍ୱବହନ କରେ । ତେବେ ବ୍ୟବସାୟ ପାଇଁ ସେ ଯେ ପ୍ରେକ୍ଷାଳୟ ପ୍ରଦର୍ଶନଉପରେ ନିର୍ଭର କରୁଛନ୍ତି, ଦୀର୍ଘ ସମୟ ପାଇଁ ଡ଼ିଜିଟାଲ ମଞ୍ଚକୁ ନଛାଡ଼ିବା ଲାଗି ଘୋଷଣା କରିଛନ୍ତି – ଏହା ଚଳନ୍ତି ପ୍ରବାହର ବିରୋଧ କରୁନାହିଁ କି ?
୫୩ ତମ ଭାରତୀୟ ଆନ୍ତର୍ଜାତିକ ଚଳଚ଼ିତ୍ର ଉତ୍ସବରେ ଅନୁପମ ଖେର କହିଥିଲେ ଯେ ଚଳଚ଼ିତ୍ରର ପରିଭାଷା ବଦଳିଛି । ଚଳଚ଼ିତ୍ର ପଦବାଚ୍ୟ ଚଳଚ଼ିତ୍ର ଭୌଗଳିକ ସୀମାପାର ଦର୍ଶକୀୟ ଆଦୃତି ଓ ବ୍ୟବସାୟ ସଂଭବ । ଓଡ଼ିଆ ଚଳଚ଼ିତ୍ର ଯଦି ସଙ୍କଟର ସମ୍ମୁଖୀନ ହୋଇଛି ତେବେ ବିଗତ ପଚାଶ ବର୍ଷର ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ସହ ସଂପୃକ୍ତ ପ୍ରତିଭାଙ୍କ ମାନସିକତା ଏଥିପାଇଁ ଦାୟୀ । ପଡ଼ୋଶୀ ବଙ୍ଗଳାରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଅନୁରୂପ ସଂକଟ ଉପୁଜିଥିଲା, କିନ୍ତୁ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ତାହା ସଂଶୋଧିତ ହେଲା । ‘ପ୍ରତୀକ୍ଷା’ ଓ ‘ଦମନ’ ଓଡ଼ିଆ ଚଳଚ଼ିତ୍ର ଶିଳ୍ପରେ ପରିବର୍ତ୍ତନର ପ୍ରତିଶୃତି ବହନ କରୁଛି ବୋଲି ଏଠାକାର ଚଳଚ଼ିତ୍ର କର୍ମୀମାନେ ବିଶ୍ୱାସ କରିବାକୁ ଶୁଭଙ୍କର ସୂଚ଼ନା ରୂପେ ଧରିନିଆଯାଇପାରେ । ଏଣିକି ଓଡ଼ିଆ ଲେଖକମାନେ କ୍ଷୁଦ୍ରଗଳ୍ପ ଲେଖିବାବେଳେ ସ୍ଥିର କରି ନିଅନ୍ତୁ ଯେ ସେମାନଙ୍କ ଲେଖାଟି ମୁଦ୍ରିତ ହେବା ସଙ୍ଗେ ସର୍ଟଫିଲ୍ମ ବା ଫିଚ଼ରଫିଲ୍ମ ଭାବେ ଭିଡ଼ିଓ ସଂସ୍କରଣ ମଧ୍ୟ ପ୍ରକାଶନର ସଂଭାବନା ରହିଛି – ତେଣୁ ନିଷ୍ଠା ପ୍ରତିପାଳନ କରନ୍ତୁ । ସୃଜନରେ ଏହିଭଳି ସାମାନ୍ୟ ପରିବର୍ତ୍ତନର ଧାରା ଓଡ଼ିଆ ସଂସ୍କୃତି ପ୍ରସାରରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରିବ ।
