ଇଣ୍ଡିଆନ ନିଉଜପେପର ସୋସାଇଟି ପକ୍ଷରୁ କୋଭିଡ଼-୧୯ ମହାମାରୀଜନିତ କ୍ଷୟକ୍ଷତି ଭରଣା ଓ ବ୍ୟବସାୟ ପୁନଋଦ୍ଧାର ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ୨୦୨୦ ଡ଼ିସେମ୍ୱର ଦ୍ୱିତୀୟ ସପ୍ତାହରେ ଆବେଦନ କରାଯାଇଥିଲା । ଏଥିପୂର୍ବରୁ ସୋସାଇଟିପକ୍ଷରୁ ଅନୁରୂପ ଢ଼ଙ୍ଗରେ ୨୦୨୦ମେ’ମାସରେ ପ୍ରଥମ ପତ୍ର ପ୍ରେରିତ ହୋଇଥିଲା ।
ଭାରତୀୟ ମୁଦ୍ରିତ-ସମ୍ୱାଦପତ୍ରଗୁଡ଼ିକର ଶୀର୍ଷ ସଂଗଠନ ମୁଖ୍ୟତଃ ପାଞ୍ଚଗୋଟି ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲା । ପ୍ରଥମତଃ, ବିଦେଶରୁ ଆମଦାନୀ କରାଯାଉଥିବା ନିଉଜପ୍ରିଣ୍ଟ ଉପରେ ପାଞ୍ଚ ପ୍ରତିଶତ ‘କଷ୍ଟମ ଡ୍ୟୁଟି’ ପ୍ରତ୍ୟାହାର, ଦ୍ୱିତୀୟତଃ, ସମ୍ୱାଦପତ୍ର ପ୍ରତିଷ୍ଠାନଗୁଡ଼ିକୁ ଦୁଇ ବର୍ଷ ଯାଏଁ ଟିକସ ମୁକ୍ତି, ତୃତୀୟତଃ, ସରକାରୀ ବିଜ୍ଞାପନ ଦର ବୃଦ୍ଧି, ଚ଼ତୁର୍ଥତଃ, ମୁଦ୍ରଣ ଗଣମାଧ୍ୟମରେ ସରକାରୀ ବିଜ୍ଞାପନ ବ୍ୟୟ ୨୦୦ ପ୍ରତିଶତ ବୃଦ୍ଧି ଏବଂ ପଞ୍ଚମତଃ, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ପକ୍ଷରୁ ସମ୍ୱାଦପତ୍ରଗୁଡ଼ିକର ବିଜ୍ଞାପନ ଦେୟ ତୁରନ୍ତ ପ୍ରଦାନ ଇତ୍ୟାଦି ।
ପ୍ରଥମ ପତ୍ରରେ ମହାମାରୀଜନିତ ଲକଡ଼ାଉନ କଟକଣାହେତୁ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଓ ବିତରଣ ବନ୍ଦ କାରଣରୁ ପ୍ରଥମ ଦୁଇ ମାସରେ ୪,୫୦୦ କୋଟି ଟଙ୍କା କ୍ଷତି ଘଟିଥିବା ସ୍ଥଳେ ଦ୍ୱିତୀୟ ପତ୍ରରେ ନଅ ମାସ ପରେ କ୍ଷତିର ପରିମାଣ ୧୨,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଏବଂ ଆର୍ଥିକ ବର୍ଷ ଶେଷରେ ୨୦୨୧ ମାର୍ଚ୍ଚ ସୁଦ୍ଧା ୧୬,୦୦୦ କୋଟି ଟଙ୍କାରେ ପହଞ୍ଚିବା ଆକଳନ କରାଯାଇଥିଲା ।
ସୋସାଇଟି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଥିଲା ଯେ ମହାମାରୀ କାରଣରୁ ଦେଶର ନିର୍ଦ୍ଦିଷ୍ଟ ସଂଖ୍ୟକ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଥିବା ସ୍ଥଳେ ଅନ୍ୟ କେତେକ ଆଞ୍ଚଳିକ ସଂସ୍କରଣ ପ୍ରକାଶନ ସ୍ଥଗିତ ରଖିଥିଲେ । ବ୍ୟବସାୟରେ ସୁଧାର ଆଣିବା ନିମନ୍ତେ ସମସ୍ତ ଯତ୍ନ ସତ୍ତ୍ୱେ ଯଦି ବ୍ୟାବସାୟିକ ସ୍ଥିତାବସ୍ଥାରେ ପରିବର୍ତ୍ତନ ନଘଟେ ତେବେ ଆହୁରି ଅଧିକସଂଖ୍ୟକ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହେବା ସୁନିଶ୍ଚିତ । ମୁଦ୍ରିତ ଗଣମାଧ୍ୟମ ବ୍ୟବସାୟରେ ମାନ୍ଦାବସ୍ଥା ଦ୍ୱାରା ସମ୍ୱାଦପତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ୩୦ ଲକ୍ଷ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ।
ସୋସାଇଟିର ଅଧ୍ୟକ୍ଷ ଏଲ. ଆଦିମୁଲାମ ଏବଂ ଉପାଧ୍ୟକ୍ଷ ମୋହିତ ଜୈନ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପର ଭବିଷ୍ୟତ ସଂପର୍କରେ ଉଦବେଗ ପ୍ରକାଶ କରିଆସିଛନ୍ତି । ଏହି ପରିସ୍ଥିତି ଦେଶରେ ପ୍ରକାଶିତ ଅସଂଖ୍ୟ କ୍ଷୁଦ୍ର, ମଧ୍ୟମ ଓ ଇଂଲିଶ ସମ୍ୱାଦପତ୍ରର ସାମଗ୍ରିକ ଅବସ୍ଥା ବୋଲି ବିଚାର କରାଗଲେ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା କେତେକ ଆଗଧାଡ଼ିର ସମ୍ୱାଦପତ୍ରର ବ୍ୟାବସାୟିକ ପରିସ୍ଥିତିରେ ସାମାନ୍ୟ ସୁଧାର ଆସି ଯାଇଥିବା ସଂପୃକ୍ତ ସଂସ୍ଥାଗୁଡ଼ିକ ପକ୍ଷରୁ ଦାବୀ କରାଯାଉଥିବା ନଜରକୁ ଆସିଥାଏ ।
ଅଗ୍ରଣୀ ଇଂଲିଶ ଓ ବାଣିଜ୍ୟ ସମ୍ୱାଦପତ୍ରର କର୍ମକର୍ତ୍ତାଙ୍କ ଆକଳନରେ ୨୦୨୦ ଡ଼ିସେମ୍ୱର ସୁଦ୍ଧା ଏହି ବର୍ଗର ସମ୍ୱାଦପତ୍ରଗୁଡ଼ିକ ମହାମାରୀ-ପୂର୍ବ ଅବସ୍ଥା ପ୍ରସାରର ମାତ୍ର ୬୦ ରୁ ୬୫ ପ୍ରତିଶତରେ ପହଞ୍ଚିବା ପାଇଁ ସମର୍ଥ ହୋଇଥିଲେ । ଅପରପକ୍ଷେ ଆଗଧାଡ଼ିର ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକର ପ୍ରସାର ପ୍ରାୟ ୮୦ ପ୍ରତିଶତ ଫେରି ପାଇଥିଲେ । ତେବେ ବିଜ୍ଞାପନ କ୍ଷେତ୍ରରେ ମହାମାରୀ-ପୂର୍ବ ଅବସ୍ଥା ତୁଳନାରେ ମାତ୍ର ୫୫ ପ୍ରତିଶତ ଆୟ ହିସାବ କରାଯାଇଥିଲା ।
ବହୁ ସଂଖ୍ୟକ ସମ୍ୱାଦପତ୍ର ଦଶହରା ଓ ଦୀପାବଳି ଅବସରରେ ବିପୁଳ ବିଜ୍ଞାପନ ପ୍ରକାଶ କରିଥିଲେହେଁ ସେଥିମଧ୍ୟରୁ ଅଧିକାଂଶ ରିହାତି ଦରରେ ମୁଦ୍ରିତ ହୋଇଥିବା ହେତୁ ପ୍ରକୃତ ବିଜ୍ଞାପନ ଆୟ ପରିମାଣ ସଂକୁଚିତ ରହିଆସିଥିବା କୁହାଯାଇଥିଲା । ପାର୍ବଣ ଋତୁ ପରେ ବିଜ୍ଞାପକମାନେ ଖର୍ଚ୍ଚକାଟ ନୀତି ଅନୁସରଣ କରିବା ହେତୁ ଡ଼ିସେମ୍ୱର ୨୦୨୦ରେ ବିଜ୍ଞାପନ ପରିମାଣ କମିଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଗଣମାଧ୍ୟମ ବିଶ୍ଳେଷକଙ୍କ ମତରେ ୨୦୨୦-୨୧ ଆର୍ଥିକ ବର୍ଷରେ ୪୦ ରୁ ୫୦ ପ୍ରତିଶତ ବିଜ୍ଞାପନ ଆୟ ହାନୀ ଖୁବ୍ ଶୀଘ୍ର ସୁଧୁରିବା ଆଶା କରାଯାଇପାରିନଥିଲା ।
ଅପରପକ୍ଷେ ଜାତୀୟସ୍ତରରେ ଅଗ୍ରଣୀ ହିନ୍ଦି ଓ ଆଞ୍ଚଳିକ ଭାଷା ସମୂହ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶକ ‘ଦୈନିକ ଭାସ୍କର’ ଓ ‘ସକାଳ’ର କର୍ମକର୍ତ୍ତାମାନେ ବ୍ୟବସାୟରେ ସୁଧାର ଆସିସାରିଥିବା ତଥା ଭବିଷ୍ୟତ ଉଜ୍ଜ୍ୱଳ ଥିବା ବର୍ଣ୍ଣନା କରିଥିଲେ । ‘ଦୈନିକ ଭାସ୍କର’ର ମୁଖ୍ୟ କର୍ପୋରେଟ ମାର୍କେଟିଂ ଅଫିସରଙ୍କ ହିସାବରେ ସ୍ଥଳବିଶେଷରେ ହିନ୍ଦି ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକ ୮୫ ରୁ ୯୦ ପ୍ରତିଶତ ପ୍ରସାର ସଂଖ୍ୟା ଡ଼ିସେମ୍ୱର ୨୦୨୦ ସୁଦ୍ଧା ଫେରି ପାଇସାରିଥିବା ଦର୍ଶାଇଥିଲେ । ଦକ୍ଷିଣ ଭାରତରେ ପ୍ରସାରଣରେ ଉନ୍ନତି ଉତ୍ତର ଭାରତ ତୁଳନାରେ ଭଲ ରହିଥିବା କୁହାଯାଇଥିଲା ।
ସକାଳ ପେପରର୍ସ ପ୍ରାଇଭେଟ ଲିମିଟେଡ଼ର କର୍ମକର୍ତ୍ତା କହିଥିଲେ ଯେ ତାଙ୍କରି ସଂସ୍ଥା ଦ୍ୱାରା ପ୍ରକାଶିତ ସମ୍ୱାଦପତ୍ର ମହାମାରୀ-ପୂର୍ବ ଅବସ୍ଥା ତୁଳନାରେ ୮୦ ପ୍ରତିଶତ ପ୍ରସାର ପ୍ରତ୍ୟାବର୍ତ୍ତନ ହୋଇ ସାରିଥିବା ସ୍ଥଳେ ୪୦ ପ୍ରତିଶତ ବିଜ୍ଞାପନ ଆୟ ହାନୀ ଡ଼ିସେମ୍ୱର ସୁଦ୍ଧା ୩୦ ପ୍ରତିଶତକୁ କମିଯାଇଥିଲା । ବୃହତ ହିନ୍ଦି ସମ୍ୱାଦପତ୍ରର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ ଯେ ବିଜ୍ଞାପନ କ୍ଷେତ୍ରରେ ସୁଧାର ଆସିଥିଲେ ହେଁ ଯେଉଁ ବିଜ୍ଞାପକମାନେ ସାଧାରଣ ପରିସ୍ଥିତିରେ ମାସରେ ପାଞ୍ଚଗୋଟି ବିଜ୍ଞାପନ ପ୍ରକାଶନ କରୁଥିଲେ ଲକଡାଉନ-ପର ପରିସ୍ଥିତିରେ ଦୁଇ ବା ତିନି ଥର ପ୍ରକାଶନକୁ ଖସି ଆସିଥିଲେ । ଅର୍ଥାତ ବିଜ୍ଞାପନ ବଜାର ରହିଛି, କିନ୍ତୁ ବ୍ୟୟ କମିଯାଇଥିଲା ।
ଉତ୍ତର ଓ ମଧ୍ୟ-ଭାରତରେ ବହୁଳ ପ୍ରସାରିତ ‘ଦୈନିକ ଭାସ୍କର’ ପକ୍ଷରୁ ଦୀପାବଳି ପାର୍ବଣ ବିଶେଷାଙ୍କଗୁଡ଼ିକର ପୃଥୁଳ ଆକାର ଗଣମାଧ୍ୟମ ବିଶ୍ଳେଷକମାନଙ୍କୁ ଚକିତ କରିଦେଇଥିଲା । ଏହାର ସିମଲା ସଂସ୍କରଣ ୧୪୪ ପୃଷ୍ଠା ସମ୍ୱଳିତ ହୋଇଥିବା ସ୍ଥଳେ ବିକାନିର ସଂସ୍କରଣ ୧୩୦ ପୃଷ୍ଠା, ଭୋପାଳ, ଇନ୍ଦୋର ଓ ଉଜ୍ଜୟନୀ ସଂସ୍କରଣଗୁଡ଼ିକ ୮୦ ପୃଷ୍ଠା ବିଶିଷ୍ଟ ହୋଇଥିବା ଜଣାଯାଏ ।
ହିନ୍ଦି ଓ ଆଞ୍ଚଳିକ ଭାଷାର ଅଗ୍ରଣୀ ସମ୍ୱାଦପତ୍ରଗୁଡ଼ିକ ଉଭୟ ବିଜ୍ଞାପନ ଓ ପ୍ରସାର ଆୟ ବୃଦ୍ଧିରେ ଆଶାବାଦୀ । ଡ଼ିଜିଟାଲ ମଞ୍ଚରେ ବିଜ୍ଞାପନ ବ୍ୟୟ ବୃଦ୍ଧି ସତ୍ତ୍ୱେ ଆଗାମୀ କିଛି ବର୍ଷ ଯାଏଁ ଗଭୀର ଆଞ୍ଚଳିକ ‘ହାଇପର ଲୋକାଲ’ ବିଜ୍ଞାପନ ବ୍ୟୟ ସମ୍ୱାଦପତ୍ରକୁ ହିଁ ଆସିବା ନେଇ ସେମାନେ ନିଶ୍ଚିତ । ମହାମାରୀଜନିତ ଲକଡ଼ାଉନ ପରିସ୍ଥିତିରେ ବିଜ୍ଞାପନ ଆୟ କମି ଯାଇଥିବା ସ୍ଥଳେ ପାର୍ବଣ ଋତୁ ବିଜ୍ଞାପନ ବ୍ୟୟ ନିମନ୍ତେ ବିଜ୍ଞାପକମାନଙ୍କୁ ଉତ୍ସାହିତ କରିଥିଲା । ଏହା ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା ।
ସେହିପରି ପ୍ରସାର କ୍ଷେତ୍ରରେ ସାଧାରଣତଃ ନବସାକ୍ଷରଙ୍କ ସଂଖ୍ୟା ବୃଦ୍ଧି ହେତୁ ବାର୍ଷିକ ଭିତ୍ତିରେ ତିନିରୁ ଚାରି ପ୍ରତିଶତ ବଢୁଥିବା ସ୍ଥଳେ ଲକଡ଼ାଉନ-ପର ଅବସ୍ଥାରେ ସମ୍ୱାଦପତ୍ରଗୁଡ଼ିକ ଯତ୍ନଶୀଳ ହେଲେ ସେହି ମାତ୍ରା ହାସଲ ସମ୍ଭବପର ବୋଲି ଗଣମାଧ୍ୟମ ବିଶ୍ଳେଷକମାନେ କହୁଛନ୍ତି । ଅବଶ୍ୟ ଏଥିପାଇଁ ସ୍ୱତନ୍ତ୍ର ବ୍ୟାବସାୟିକ ଅଭିଯାନ ‘ମାର୍କେଟିଂ ଷ୍ଟାଟେଜି’ ଆବଶ୍ୟକ । ଜନସାଧାରଣରେ ଟେଲିଭିଜନ ଦେଖା, ଫୋନ ବ୍ୟବହାର ତୁଳନାରେ ସମ୍ୱାଦପତ୍ର ପଠନ ଉତ୍ତମ ଅଭ୍ୟାସ ରୂପେ ବିବେଚିତ ହେଉଥିବା ହେତୁ ମୁଦ୍ରଣ ମାଧ୍ୟମ ଏହିଭଳି ମାନସିକତାରୁ ଫାଇଦା ଉଠାଇ ପାରିବେ ବୋଲି ଆଶା କରାଯାଉଛି ।
ମୋଟ ଉପରେ କହିବାକୁ ଗଲେ ଲକଡ଼ାଉନ-ପର ଅବସ୍ଥାରେ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପରେ ଇଂଲିଶ ଓ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ତଥା ଅଗ୍ରଣୀ ଓ କ୍ଷୁଦ୍ର, ମଧ୍ୟମ ସଂବାଦପତ୍ର ବ୍ୟାବସାୟିକ ସ୍ଥିତାବସ୍ଥା ଦୃଷ୍ଟିରୁ ଚାରିଗୋଟି ସ୍ୱତନ୍ତ୍ର ବର୍ଗରେ ପର୍ଯ୍ୟାୟଭୁକ୍ତ ହୋଇଛନ୍ତି । ପ୍ରତ୍ୟେକ ବର୍ଗର ସମ୍ୱାଦପତ୍ର ବିଜ୍ଞାପନ ଓ ପ୍ରସାର ଆୟ ଭୌଗଳିକ ପରିବେଶ ଅନୁଯାୟୀ ଭିନ୍ନ ଭିନ୍ନସ୍ତରରେ ରହିଛି । କେତେକ ସମ୍ୱାଦପତ୍ର ପରିସ୍ଥିତିକୁ ମୁକାବିଲା କରିପାରିବା ସମ୍ଭାବନା ସୂଚିତ ହେଉଥିବା ସ୍ଥଳେ ଅନ୍ୟ କେତେକ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ପ୍ରାୟ ପରିସ୍ଥିତିରେ ଉପନୀତ ହୋଇଛନ୍ତି ।
ଇଣ୍ଡିଆନ ନିଉଜପେପର ସୋସାଇଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ ପାଞ୍ଚଗୋଟି ମୁଖ୍ୟ ପ୍ରୋତ୍ସାହନ ପ୍ରସ୍ତାବ ମଧ୍ୟରୁ ତିନିଗୋଟି ସରକାରୀ ବିଜ୍ଞାପନ ସଂପର୍କୀତ । ଏଠାରେ ଦୁଇଗୋଟି ବିଷୟ ଚର୍ଚ୍ଚାର ପରିସରକୁ ଆସିଥାଏ । ପ୍ରଥମତଃ, ଆନ୍ତର୍ଜାତିକସ୍ତରରେ ସମ୍ୱାଦପତ୍ରର ବିଜ୍ଞାପନଆଶ୍ରିତ ମଡେଲ ଭୁଷୁଡ଼ି ପଡୁଥିବା ସ୍ଥଳେ ଭାରତୀୟ ସମ୍ୱାଦପତ୍ରଗୁଡ଼ିକ ବିକଳ୍ପ ମଡ଼େଲରେ ବିକଶିତ ହେବା ସମୟ ଆସି ପହଞ୍ଚିଛି । ଦ୍ୱିତୀୟତଃ, ସରକାରୀ ବିଜ୍ଞାପନ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେଲେ ସମ୍ୱାଦପତ୍ରଗୁଡ଼ିକ ଜନସାଧାରଣଙ୍କ ସମସ୍ୟା ଆଲୋକପାତ କରିବା ଦିଗରେ ନିଜର ସାମାଜିକ ଦାୟବଦ୍ଧତା କେତେଦୂର ଚରିତାର୍ଥ କରିପାରିବେ ? ସାମ୍ୱାଦିକତା ସାମାଜିକ ହିତରେ ସଂପୃକ୍ତ ରହୁଥିବା ହେତୁ ଯେଉଁ ପ୍ରକାଶନଗୁଡ଼ିକ ଅଣ-ବ୍ୟାବସାୟିକ ‘ନନ-ପ୍ରଫିଟ’, ସେଗୁଡିକୁ ଟିକସ ଛାଡ଼ ଓ ନିଉଜପ୍ରିଣ୍ଟ ଉପରେ ଆମଦାନୀ ଶୁକ୍ଳ ହ୍ରାସ ଭଳି ପଦକ୍ଷେପ ସ୍ୱାଧୀନ ସାମ୍ୱାଦିକତାକୁ ପରିପୁଷ୍ଟ କରିପାରିବା ବିଶ୍ୱାସ କରାଯାଇପାରେ ।
