
ଭୁବନେଶ୍ୱର (୧୨/୦୧) : ବିଶିଷ୍ଟ ଜନ ଆନ୍ଦୋଳନ ନେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରା ଜରୁରୀ ପରିସ୍ଥିତିର ବନ୍ଦୀମାନଙ୍କୁ ପେନସନ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଉପରେ ଓ ଜଣେ ମିସା ବନ୍ଦୀ ରୂପେ ଏହାକୁ ଗ୍ରହଣ ନକରିବାର ନିଷ୍ପତି ନେଇ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଲେ ଯେ, “ଦୀର୍ଘ ୪୭ ବର୍ଷରେ ତତ୍କାଳୀନ ବନ୍ଦୀମାନଙ୍କ ମଧ୍ୟରୁ ଯେଉଁମାନେ ବିଧାୟକ, ସାଂସଦ ସମେତ ବିଭିନ୍ନ କ୍ଷେତ୍ରରୁ ପାଉଥିବା ପେନସନ ଓ ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବା ସମ୍ପତ୍ତିବାନ ବ୍ୟକ୍ତିମାନଙ୍କୁ ବନ୍ଦୀ ନାମରେ ଭତ୍ତା ଦିଆଯିବାର ଯର୍ଥାଥତା ନାହିଁ। ବନ୍ଦୀ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ଜରୁରୀ ପରିସ୍ଥିତି ଠାରୁ ଭୟାନକ ଅଘୋଷିତ ଜରୁରୀ ପରିସ୍ଥିତିର ସମର୍ଥକ ଓ ସହଯୋଗୀ ରୂପେ ରାଜନୀତି କରୁଛନ୍ତି। ସେମାନଙ୍କୁ ଭତ୍ତା ଦେବା କେତେ ଯଥାର୍ଥ ? ମୁଁ ନିଜେ ଜରୁରୀ ପରିସ୍ଥିତିରେ ଭଞ୍ଜନଗର ଜେଲରେ ଏକ ବର୍ଷ ମିସା ବନ୍ଦୀ ରୂପେ ରହିଥିଲି।, କିନ୍ତୁ ସେତେବେଳେ ବି କେତେକ ବିଶିଷ୍ଟ ବ୍ୟକ୍ତିମାନେ ପେନସନ ପାଇଁ ପ୍ରସ୍ତାବ ଦେଇଥିଲେ, ମୋ ପରି ବ୍ୟକ୍ତିମାନେ ନୀତିଗତ ଭାବେ କହିଥିଲୁ ଯେ ଭତ୍ତା ପାଇଁ ଆମେ ଜେଲ ଯାଇନଥିଲୁ।”**ସେ ପୁଣି କହିଲେ, “ଆଜି ୪୭ ବର୍ଷ ପରେ ସେହି ବନ୍ଦୀମାନଙ୍କ ମଧ୍ୟରୁ ଯେଉଁମାନଙ୍କ ବୃଦ୍ଧାବସ୍ଥା ଯୋଗୁଁ ପାରିବାରିକ ଅସହାୟ, ଆର୍ଥିକ ଅଭାବରେ ରହିଛନ୍ତି ସେମାନଙ୍କୁ ଭତ୍ତା ପ୍ରଦାନ ଯଥାର୍ଥ ହେବ। ମୁଁ ଘୋଷଣା କରିଛି ଯେ ମୁଁ ଭତ୍ତା ଗ୍ରହଣ କରିବି ନାହିଁ। ଆବେଦନ କରିବାର ପ୍ରଶ୍ନ ମଧ୍ୟ ଉଠୁ ନାହିଁ। ମୋର ନିବେଦନ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଭତ୍ତା ଆବଶ୍ୟକ ନାହିଁ ଓ ବିଭିନ୍ନ କ୍ଷେତ୍ରରୁ ପେନସନ ପାଉଛନ୍ତି ସେମାନେ ଭତ୍ତା ପାଇଁ ଆବେଦନ କରିବା ଉଚିତ ନୁହେଁ। ଆମ ଦେଶ ଓ ରାଜ୍ୟରେ ଜଣେ ଜଣେ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ ରୂପେ ଦୁଇ ଦୁଇଟା ପେନସନ ପାଉଛନ୍ତି ଯାହାକି ଅନୈତିକ ଓ ଅବାଞ୍ଛନୀୟ। କେବଳ ଗୋଟିଏ ପେନସନ ପାଇବା ପାଇଁ ନିୟମ କିମ୍ବା ଆଇନ ହେବା ଏକାନ୍ତ ଜରୁରୀ। ସେମାନଙ୍କ ମଧ୍ୟରୁ ଯେଉଁମାନେ ଆର୍ଥିକ ଅସ୍ଵଚ୍ଛଳତା ଭିତରେ ରହୁଛନ୍ତି ସେମାନଙ୍କ ପାଇଁ ହିଁ ପେନସନ ଲାଗି ହେବା ଉଚିତ୍।”
