ଆଜିର ଖାସ ଖବର
Sat. May 30th, 2026

ତେଲକୋଇ ଅଞ୍ଚଳେ ଗୋଟିଏ ସ୍ୱର … ଲୋଡ଼ା ନାହିଁ ପ୍ରକଳ୍ପ ଚକଦର   ଚତୁର୍ଥ ପର୍ଯ୍ୟାୟ ଚକଦର ଜଳସେଚନ ପ୍ରକଳ୍ପ ବନ୍ଦ ଆନ୍ଦୋଳନ,ସାମିଲ ହେଲା ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ।

By Admin_Dainkasha Oct31,2025

କେନ୍ଦୁଝର,ତା୩୧/୧୦- କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ସମାକୋଇ ନଦୀର ତଳ ମୁଣ୍ଡ ଚକଦର ଠାରେ ପ୍ରସ୍ତାବିତ ଜଳ ସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୪ର୍ଥ ପର୍ଯ୍ୟାୟ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।ସମାକୋଇ ଚକଦର ପ୍ରକଳ୍ପ ସମନ୍ୱୟ ସମିତି ଆହ୍ୱାନକ୍ରମେ ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଶହ ଶହ ଅଞ୍ଚଳବାସୀ ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେଇଛନ୍ତି,ମୋହନ ସରକାରଙ୍କ ପ୍ରଥମ ବଜେଟରେ ଏହି ପ୍ରକଳ୍ପ ଅନୁମୋଦନ ହୋଇଥିବା ନେଇ ଘୋଷଣା ପରେ ତେଲକୋଇରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା,ଚକଦର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ତେଲକୋଇ ବ୍ଲକର ବହୁ ଗାଁ ଜଳମଗ୍ନ ହେବା ସହିତ ଅନେକ ବିସ୍ଥାପିତ ହେବେ ବୋଲି ଲୋକେ ଆଶଙ୍କା କରିଥିଲେ।ଏହି ପ୍ରକଳ୍ପ ହେଲେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ କ୍ଷତିଗ୍ରସ୍ତ ହେବ କିନ୍ତୁ ଅନୁଗୋଳ ଜିଲ୍ଲା ପାଲଲହଡା ଓ କଣିହାଁ ଉପକୃତ ହେବେ, ତେଲକୋଇର ଇଞ୍ଚେ ଜମି ଜଳସେଚିତ ହେବ ନାହିଁ।ତେଣୁ ତେଲକୋଇ ଅଞ୍ଚଳବାସୀ  ଲଗାତାର ଭାବେ ଦୀର୍ଘ ୪୮ ବର୍ଷ ଧରି ଏହି ପ୍ରକଳ୍ପ ବନ୍ଦ କରିବା ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି, ଅନ୍ୟପଟେ ତେଲକୋଇବାସୀଙ୍କ ଆନ୍ଦୋଳନକୁ ଓଡ଼ିଶା ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ ସମର୍ଥନ କରିଛି।ଆଜିର ଦାବିପତ୍ର ଦେବା ଅବସରରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଭାପତି ଅକ୍ଷୟ କୁମାର,ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ ନେତା ସାମିଲ ହୋଇ ଆନ୍ଦୋଳନକୁ ବଳ ଦେଇଥିଲେ,କିଛି ଲୋକଙ୍କ ଲାଭ ପାଇଁ ଆଉ କିଛି ଲୋକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ସରକାର ଯେଉଁ ଆଭିମୁଖ୍ୟ ରଖୁଛନ୍ତି ତାକୁ ପ୍ରତ୍ୟାହାର କରି ଚକଦର ପ୍ରକଳ୍ପ ବନ୍ଦ ପାଇଁ ସରକାର ଘୋଷଣା କରିବାକୁ ଅକ୍ଷୟ କୁମାରଙ୍କ ସହିତ ସମାକୋଇ ଚକଦର ସମନ୍ୱୟ ସମିତି ନେତୃବୃନ୍ଦ ଦାବି କରିଛନ୍ତି।

Related Post