ଆଜିର ଖାସ ଖବର
Sat. May 30th, 2026

ନିଷ୍ଟ୍ ବିଶ୍ୱବିଦ୍ୟାଳୟକୁ ୟୁ.ଜି.ସି ମାନ୍ୟତା

By Dainikasha Dec19,2024

ବ୍ରହ୍ମପୁର ସ୍ଥିତ ନିଷ୍ଟ୍ ବିଶ୍ୱବିଦ୍ୟାଳୟ କୁ ୧୯/୧୨/୨୦୨୪ ତାରିଖ ରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି) ର ସ୍ୱୀକୃତି ମିଳିଛି। ବ୍ରହ୍ମପୁର ସହରବାସୀ ଏବଂ ନିଷ୍ଟ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ପାଇଁ ଏହା ଏକ ଖୁସିର ଖବର। ଉଲ୍ଲେଖଯୋଗ୍ୟ ଯେ ୧୯୯୬ ମସିହା ରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ସଂଖ୍ୟକ ବିଦ୍ୟାର୍ଥୀ ଏବେ ଯାଏଁ ଶିକ୍ଷାଲାଭ କରିସାରିଛନ୍ତି। ନିଷ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟକୁ ୨୦୨୪ ମସିହା ରେ ରାଜ୍ୟ ସରକାର ଅଧିନିୟମ ବଳରେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଥିଲେ। ବର୍ତ୍ତମାନ ୟୁ.ଜି.ସି ର ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ତାଲିକା (୨ ଏଫ) ରେ ନିଷ୍ଟ୍ ବିଶ୍ୱବିଦ୍ୟାଳୟ ସ୍ଥାନିତ ହୋଇପାରିଛି। ଏ ବିଷୟରେ ୟୁ.ଜି.ସି ର ଉପ-ସଚିବ ଡ଼. ଅମୋଲ ଅନ୍ଧାରେ ଓ ଅନୁସଚିବ ଆର. ଏଇ. ଏସ. ଭରଦ୍ୱାଜ ଙ୍କ ଠାରୁ ନିଷ୍ଟ୍ ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳସଚିବ ଡ଼. ବିଷ୍ଣୁକର ନାୟକ ଙ୍କ ନିକଟକୁ ଆସିଥିବା ଚିଠି ରୁ ସ୍ୱଷ୍ଟ ହୋଇଛି। ନିର୍ଦେଶାନୁଯାୟୀ ୟୁ.ଜି.ସି. ର ସମସ୍ତ ନୀତି ନିୟମ ଏବଂ ମାର୍ଗଦର୍ଶିକା କୁ ପାଳନ କରି ବିଶ୍ବବିଦ୍ୟାଳୟ ନିଜର ସ୍ୱାୟତ୍ତତା ନିର୍ବହନ କରି ପାରିବ।

ନିଷ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟ କୁ ପୂର୍ବରୁ NAAC ଦ୍ୱାରା ଏ-ଗ୍ରେଡ଼ ମାନ୍ୟତା ମିଳିଥିବା ବେଳେ, ବର୍ତ୍ତମାନ ବିଶ୍ବବିଦ୍ୟାଳୟ ବର୍ଗ ରେ ପୁନଃ NAAC ମାନ୍ୟତା ପାଇବା ପାଇଁ ଆବେଦନ କରିବାର ପଥ ପରିଷ୍କାର ହୋଇଛି ବୋଲି କୁଳପତି ଡ଼ଃ ପ୍ରିୟଦର୍ଶନ ପାତ୍ର ଜଣାଇଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟ ର ପାଠ୍ୟକ୍ରମ ସବୁ ପାଇଁ ଆବଶ୍ୟକ ମତେ AICTE ଅନୁମୋଦନ ମଧ୍ୟ ନିଆଯାଇଛି ବୋଲି ଡିନ ଡ଼ଃ ରାଜେଶ କୁମାର ପାନାକାଲା ଜଣାଇଛନ୍ତି।

ବିଶ୍ବବିଦ୍ୟାଳୟ ସ୍ତର କୁ ଉନ୍ନୀତ ହେବାମାତ୍ରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବା ପାଇଁ ନିଷ୍ଟରେ ଏକାଧିକ ବୈଶ୍ଵିକ ଉଦ୍ଭାବନ କେନ୍ଦ୍ର ସ୍ଥାପନ କରାଯାଉଛି। ବିଶ୍ୱର ଅଗ୍ରଣୀ ଗବେଷଣା ଅନୁଷ୍ଠାନ ଓ କମ୍ପାନୀ ମାନଙ୍କ ସହଭାଗିତାରେ ସ୍ଥାପିତ ଏହି କେନ୍ଦ୍ର ଗୁଡିକରେ ଗବେଷକ ମାନେ ନିୟୋଜିତ ହେବେ। ସେମାନଙ୍କର ମାର୍ଗଦର୍ଶନ ରେ ସ୍ନାତକୋତ୍ତର/ପି.ଏଚ.ଡି କରୁଥିବା ପ୍ରାର୍ଥୀ ମାନେ ଏଠାରେ ଗବେଷଣା କରି ପାରିବେ। ଏହାଦ୍ୱାରା ନିଷ୍ଟ ନିଜକୁ ଏକ ଗବେଷଣା ଅଭିମୁଖୀ ବିଶ୍ୱବିଦ୍ୟାଳୟ ଭାବରେ ଗଢି ତୋଳିବ ବୋଲି ନିଷ୍ଟ ର ସଂସ୍ଥାପକ ସଭାପତି ଡ଼ଃ ସୁକାନ୍ତ କିଶୋର ମହାପାତ୍ର କହିଛନ୍ତି।

Related Post