ନୂଆଦିଲ୍ଲୀ ଟେଲିଭିଜନ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ଭାରତୀୟ ଟେଲିଭିଜନ ସାମ୍ୱାଦିକତା କ୍ଷେତ୍ରରେ ଏକ ଚର୍ଚ୍ଚିତ ପ୍ରସାରକର ମାନ୍ୟତା ପାଇ ଆସିଥିଲା । ୧୯୮୮ରେ ସ୍ଥାପିତ ଏହାର ବ୍ୟବସାୟ ୩୪ ବର୍ଷ ପରେ୨୦୨୨ରେ ଅଧିଗ୍ରହଣର ସମ୍ମୁଖୀନ ହେବା ଗଣମାଧ୍ୟମ ପରିଧିରେ ଉଲ୍ଲେଖନୀୟ ବିଷୟ । ଏହି ଘଟଣାକ୍ରମ ବ୍ୟବସାୟିକ ବିଶୃଙ୍ଖଳାକୁ ସୂଚ଼ିତ କରିଥାଏ । ସାମ୍ୱାଦିକତା ସୃଜନକଳା ପର୍ଯ୍ୟାୟଭୁକ୍ତ କିନ୍ତୁ ସମକାଳରେ ସମ୍ୱାଦ ମଞ୍ଚ ପରିଚାଳନା ବଡ଼ ବ୍ୟବସାୟରେ’ ପରିଣତ ହୋଇଛି ।
ନୂଆଦିଲ୍ଲୀ ଟେଲିଭିଜନ ବ୍ୟବସାୟରେ ନିବେଶ ଓ ଖର୍ଚ୍ଚରେ ସମତୁଲ ନରଖିପାରି ପ୍ରାୟୋଜକ ପ୍ରଣୟ ରାୟ ଓ ରାଧିକା ରାୟ ୧୫ ବର୍ଷ ପୂର୍ବେ ୨୦୦୭ରୁ ବ୍ୟାଙ୍କରୁ କରଜ କରିଥିଲେ । ଏହି ଋଣ ଭରଣା କରିବା ନିମନ୍ତେ ୨୦୦୯ରେ ଏକ ନିବେଶକ ସଂସ୍ଥା ‘ଭେଞ୍ଚର କ୍ୟାପିଟାଲ ଫାର୍ମ’ଠାରୁ ୩୫୦ କୋଟି ଟଙ୍କା ବିନାସୁଧରେ ଋଣକରି ୨୯ ପ୍ରତିଶତ ଅଂଶଧନ ମଞ୍ଜୁରୀ ନିମନ୍ତେ ରାଜିନାମା ‘ୱାରେଣ୍ଟ’ ସ୍ୱାକ୍ଷର କରିଥିଲେ । ସଂପୃକ୍ତ ସଂସ୍ଥା ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ ରିଲାଏନ୍ସ ଇଣ୍ଡାଷ୍ଟ୍ରୀର ମୁକେଶ ଆମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡାଷ୍ଟ୍ରୀଜ ଦ୍ୱାରା ସମର୍ଥିତ ଥିବା କୁହାଯାଏ ।
ବିଗତ ୧୩ ବର୍ଷଧରି ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ ନୂଆଦିଲ୍ଲୀ ଟେଲିଭିଜନର ଅଂଶଧନ ରାଜିନାମା ଅନୁଯାୟୀ ଦାବୀ କରିନଥିଲା । ଏହି ସମୟସୀମାରେ ବିଶ୍ୱପ୍ରଧାନର ମାଲିକାନା ମହେନ୍ଦ୍ର ନାହାତାଙ୍କ ‘ହେଚ଼-ଏଫ-ସି-ଏଲ’ ଗୃପ ଗ୍ରହଣ କରିଥିଲା । ତେବେ ୨୩ ଅଗଷ୍ଟ ୨୦୨୨ରେ ଏହି ଭେଞ୍ଚର କ୍ୟାପିଟାଲ ଫାର୍ମକୁ ଗୌତମ ଆଦାନୀ ପରିଚାଳିତ ଆଦାନୀ ଏଣ୍ଟରପ୍ରାଇଜର୍ସ କିଣି ନେଲା । ଆଦାନୀ ତୁରନ୍ତ ୨୪ ଅଗଷ୍ଟ ୨୦୨୨ରେ ନୂଆଦିଲ୍ଲୀ ଟେଲିଭିଜନକୁ ବିଶ୍ୱପ୍ରଧାନ କମରସିଆଲ ପ୍ରାଇଭେଟ ଲିମିଟେଡ଼ର ୨୦୦୯ ଚୁକ୍ତି ଅନୁଯାୟୀ ୩୫୦ ଓ ପରେ ୫୦ ମୋଟ ୪୦୦ କୋଟି ଟଙ୍କା ଋଣବାବଦରେ ୨୯ ପ୍ରତିଶତ ଅଂଶଧନ ମଞ୍ଜୁର ନିମନ୍ତେ ଦାବୀ ଉପସ୍ଥାପିତ କରିଥିଲା ।
ନୂଆଦିଲ୍ଲୀ ଟେଲିଭିଜନର ପ୍ରତିଷ୍ଠାତା-ପ୍ରାୟୋଜକ ପ୍ରଣୟ ରାୟ ଓ ପତ୍ନୀ ରାଧିକା ରାୟ କଲିକତା ବାସିନ୍ଦା । ବିଗତ ଶତାଦ୍ଦୀର ସପ୍ତମ ଦଶକରେ ଦିହିଁଙ୍କ ଡ଼େରାଡୁନରେ ଦେଖାସାକ୍ଷାତ ହୋଇଥିଲା । ପ୍ରଣୟ ରାୟ ଖ୍ୟାତନାମା ଡୁନ ସ୍କୁଲ ଛାତ୍ର ଥିବା ବେଳେ ରାଧିକା ସଂଭ୍ରାନ୍ତ ୱେଲହାମ ବାଳିକା ବିଦ୍ୟାଳୟର ଛାତ୍ରୀ । ଦିହେଁ ଉଚ୍ଚତର ଅଧ୍ୟୟନ ନିମନ୍ତେ ଲଣ୍ଡନ ଯାଇଥିଲେ । ବିବାହ ବନ୍ଧନରେ ଆବଦ୍ଧ ହେବାପରେ ନୂଆଦିଲ୍ଲୀରେ ଅବସ୍ଥାପିତ ହୋଇଥିଲେ । ପ୍ରଣୟ ଅର୍ଥନୀତିରେ ଗବେଷଣାକରି ଡ଼କ୍ଟରେଟ ହାସଲ ପରେ ଦିଲ୍ଲୀ ସ୍କୁଲ ଅଫ ଇକନୋମିକ୍ସରେ ଅଧ୍ୟାପନା କଲେ । ରାଧିକା ରାୟ ଦିଲ୍ଲୀରେ ସାମ୍ୱାଦିକତାରେ ସଂପୃକ୍ତ ରହିଥିଲେ ।
ଭାରତରେ ଦୂରଦର୍ଶନ ୧୯୮୨ରୁ ରଙ୍ଗୀନ ଉପଗ୍ରହ ପ୍ରସାରଣ ଆରମ୍ଭ କରିବା ଏବଂ ଦେଶବ୍ୟାପୀ ସ୍ୱଳ୍ପ-ଶକ୍ତି-ସମ୍ପନ୍ନ ଟ୍ରାନ୍ସମିଟର ସ୍ଥାପନ କରି ସେବା ପରିବ୍ୟାପ୍ତ କରିବା ଅବସରରେ ପ୍ରଣୟ ରାୟ ନିର୍ବାଚନ ସମୀକ୍ଷକ ଭାବେ ବନ୍ଧୁ ବିନୋଦ ଦୁଆଙ୍କ ସହ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ପରିଚିତି ହାସଲ କରିଥିଲେ । ନିଜ ପତ୍ନୀଙ୍କ ସହ ୧୯୮୮ରେ ‘ନୂଆଦିଲ୍ଲୀ ଟେଲିଭିଜନ’ ସଂସ୍ଥା ଆରମ୍ଭ କରି ଦୂରଦର୍ଶନ ପାଇଁ ୧୯୮୮ରୁ ୧୯୯୫ ଯାଏଁ ‘ଦି ୱାର୍ଲଡ଼ ଦିସ ୱିକ’ କାର୍ଯ୍ୟକ୍ରମ ପ୍ରଯୋଜନାରେ ଜଣେ ସଫଳ ଟେଲିଭିଜନ ଉପସ୍ଥାପନ ଭାବେ ଦେଶବ୍ୟାପୀ ଲୋକପ୍ରିୟ ହେଲେ ।
ମୁଖ୍ୟତଃ, ଦେଶର ଇଂଲିଶ ପାଠୁଆ ସହରାଞ୍ଚଳର ଉଚ୍ଚଶିକ୍ଷିତ ଦର୍ଶକ ପ୍ରଣୟ ରାୟଙ୍କ ଧୀରଶାନ୍ତ ଉପସ୍ଥାପନା ଶୈଳୀକୁ ପସନ୍ଦ କଲେ । ପ୍ରଣୟ ଉପସ୍ଥାପକ ଭାବେ ଟେଲିଭିଜନ କ୍ୟାମରା ଆଗକୁ ଆସୁଥିବା ବେଳେ ରାଧିକା କ୍ୟାମରା ପଛର କାମ ସଂଭାଳୁଥିଲେ । ଦୂରଦର୍ଶନରେ ‘ଦି ନିଉଜ ଆୱାର’ ଓ ‘ଗୁଡ଼ ମର୍ଣ୍ଣି ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମ ପ୍ରଯୋଜନା ଭାର ମଧ୍ୟ ନୂଆଦିଲ୍ଲୀ ଟେଲିଭିଜନକୁ ମିଳିଲା । ଇତ୍ୟବସରରେ ଶେଷ ଦଶକରେ ଦେଶରେ କେବଲ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବାପରେ ରୁପର୍ଟ ମୁଦ୍ରୋଚ଼ଙ୍କ ସହ ଚୁକ୍ତି କରି ‘ଷ୍ଟାର ପ୍ଳସ’ ନିମନ୍ତେ ସମ୍ୱାଦ କାର୍ଯ୍ୟକ୍ରମ ପ୍ରସ୍ତୁତିର ସୁଯୋଗ ପାଇଲେ । ଦୁଇବର୍ଷ ପରେ ପାଞ୍ଚ ବର୍ଷ ପାଇଁ ‘ଷ୍ଟାର ନିଉଜ’ ନାମକ ଚବିଶି ଘଣ୍ଟିଆ ସମ୍ୱାଦ ପ୍ରସାରଣ ଚ୍ୟାନେଲ ପରିଚାଳନାର ଭାର ଗ୍ରହଣ କରିଥିଲେ ।
ସାପ୍ତାହିକ ‘ଦି ନିଉଜ ଦିସ ୱିକ’ରୁ ‘ଷ୍ଟାର ନିଉଜ’ର ଅଭିଜ୍ଞତା ପ୍ରଣୟ ରାୟ ଓ ରାଧିକା ରାୟଙ୍କୁ ୨୦୦୪ରେ ଇଂଲିଶରେ ‘ଏନଡ଼ିଟିଭି ୨୪ x ୭’ ଓ ହିନ୍ଦିରେ ‘ଏନଡ଼ିଟିଭି ଭାରତ’ ଆରମ୍ଭ କରିବା ନିମନ୍ତେ ସମର୍ଥ କରିଥିଲା । କ୍ରମଶଃ ଏନଡ଼ିଟିଭି ଇଂଲିଶ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରି ଆଦୃତ ହୋଇଥିଲା । ବର୍ଖା ଦତ୍ତ, ରାଜଦୀପ ଶରଦେଶାଇ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ଭଳି ଟେଲିଭିଜନ ଉପସ୍ଥାପକ ଚ୍ୟାନେଲର ଖ୍ୟାତି ବଢ଼ାଇଥିଲେ । ଏହି ଅବସରରେ ନୂଆଦିଲ୍ଲୀ ଟେଲିଭିଜନ ପକ୍ଷରୁ ଗୁଡ଼ାଏ ନୂଆ ଚ଼୍ୟାନେଲ ଖୋଲିବା ଫଳରେ ଆର୍ଥିକ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥିଲା । ଅଗତ୍ୟା ୨୦୦୭ରେ ନୂଆଦିଲ୍ଲୀ ଟେଲିଭିଜନର ଅନ୍ୟତମ ନିବେଶକ ‘ରାଧିକା ରାୟ ପ୍ରଣୟ ରାୟ ହୋଲଡ଼ିଂ’ ଋଣ କରିବାକୁ ବାଧ୍ୟବାଧକତା ପରିସ୍ଥିତିରେ ପହଞ୍ଚିଥିଲା । ସେହି ଋଣ ପରିଶୋଧ ନିମନ୍ତେ ଅଂଶଧନ ହସ୍ତାନ୍ତର ରାଜିନାମା ୨୦୨୨ରେ ନୂଆଦିଲ୍ଲୀ ଟେଲିଭିଜନକୁ ବାହ୍ୟ ନିବେଶକଙ୍କ ଦ୍ୱାରା ଅଧିଗ୍ରହଣ ପରିସ୍ଥିତି ପହୁଞ୍ଚାଇଲା ।
ନୂଆଦିଲ୍ଲୀ ଟେଲିଭିଜନ ଅଧିଗ୍ରହଣ ଉଦ୍ୟମ ଉଦାହରଣ ବିଶ୍ଳେଷଣ କଲେ ଭାରତରେ ସ୍ୱାଧୀନୋତ୍ତର ଗଣମାଧ୍ୟମ ତଥା ମହାମାରୀ-ପର ପରିବେଶ ସଂପର୍କରେ କେତେଗୋଟି ତାତ୍ତ୍ୱିକ ପ୍ରଶ୍ନ ଚର୍ଚ୍ଚାର ପରିସରଭୁକ୍ତ ହୋଇଥାଏ । ପ୍ରଥମତଃ, ବିଚାର କରିବାର ଅବକାଶ ଆସି ପହଞ୍ଚିଛି ସାମ୍ୱାଦିକତା ଏକ ସୃଜନ କଳା ନା ବ୍ୟବସାୟ । ସାମ୍ୱାଦିକତା ସ୍ୱାଧୀନ ନା ନିବେଶକ-ଆଶ୍ରିତ । ସାମ୍ୱାଦିକତା ଯଦି ସ୍ୱାଧୀନତାର ପରିଧିରେ ପରିଚାଳିତ ନହୋଇପାରୁଛି, ତେବେ ଗଣତନ୍ତ୍ର ବିକାଶ ନିମନ୍ତେ ସୁରକ୍ଷା ଯୋଗାଉଛି ନା ବିପଦ ଆମନ୍ତ୍ରଣ କରୁଛି ?
ଦ୍ୱିତୀୟତଃ, ନୂଆଦିଲ୍ଲୀ ଟେଲିଭିଜନକୁ ଯଦି ବିନା ସୁଧରେ ଏକ ଭେଞ୍ଚର କ୍ୟାପିଟାଲ ଫାର୍ମ ବିନାସୁଧରେ ଦଶ ବର୍ଷ ପାଇଁ ୪୦୦ କୋଟି ଟଙ୍କା ଅର୍ଥ ପ୍ରଦାନ କରିଥିଲା, ଏହି କାରବାରକୁ ଜନସାଧାରଣ କିପରି ଗ୍ରହଣ କରିବେ ? ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିପୁଳ ପରିମାଣରେ ଅର୍ଥ ନିବେଶ କରାଯାଉଥିବା ସ୍ଥଳେ ଦେଶର ଅନ୍ୟାନ୍ୟ ବୃହତ ଟେଲିଭିଜନ ଚ୍ୟାନେଲ ଓ ସମ୍ୱାଦପତ୍ରଗୁଡ଼ିକ ସମଭାବେ ପ୍ରଭାବିତ ବୋଲି ଧରିନେବା କି ? ଗଣମାଧ୍ୟମରେ ପରିବେଷିତ ସମ୍ୱାଦ ଓ ଅଭିମତକୁ ନେଇ ଜନସାଧାରଣଙ୍କ ଦୃଷ୍ଟିକୋଣ ପରିପୁଷ୍ଟ ହେଉଥିବା ହେତୁ ବିଭିନ୍ନ ମଞ୍ଚର ଆର୍ଥିକ କାରବାର ସଂପର୍କରେ ଅଧିକ ସ୍ୱଚ୍ଛତା ଦାବୀ କରିବା ବେଳ ପହଞ୍ଚି ନାହିଁକି ?
ତୃତୀୟତଃ, ସମ୍ୱାଦ ସରବରାହ କ’ଣ ଆର୍ଥିକ ନିବେଶ ଆଶ୍ରିତ ମଡ଼େଲରେ ଲଟକି ରହିବ ? ଅତ୍ୟାଧୁନିକ କନେକ୍ଟଡ଼ ପରିବେଶରେ ସ୍ୱାଧୀନ ସାମ୍ୱାଦିକତାର ସୁଯୋଗ ସୃଷ୍ଟି ହୋଇ ସାରିଥିବା ସ୍ଥଳେ ନିରପେକ୍ଷତା ପ୍ରସାର ଲାଗି ଉଦ୍ୟମ ଆବଶ୍ୟକ ନୁହେଁକି ? ବିକଶିତ ରାଷ୍ଟ୍ର ସମୂହ, ମୁଖ୍ୟତଃ, ଯୁକ୍ତରାଷ୍ଟ୍ର ଆମେରିକାରେ ସମ୍ୱାଦ ମଞ୍ଚଗୁଡ଼ିକୁ ଆର୍ଥିକ ନିବେଶ ସଂସ୍ଥା ‘ହେଡ଼ଜ ଫଣ୍ଡ’ ଅଧିଗ୍ରହଣ ଧାରା ଆରମ୍ଭ ହେବାପରେ ଗଣମାଧ୍ୟମରେ ସ୍ୱାଧୀନତା ବଜାୟ ରଖିବା ନିମନ୍ତେ ସ୍ଥାନୀୟ ନାଗରିକ ସମାଜ ପକ୍ଷରୁ ଯୋଜନାବଦ୍ଧ ଅଭିଯାନ ପ୍ରଯୋଜନା କରାଯାଉଛି । ଭାରତରେ ଗଣମାଧ୍ୟମ ପରିଚାଳନାରେ ବ୍ୟବସ୍ଥାପକ ଓ ନ୍ୟାୟିକ ବ୍ୟବସ୍ଥା ହସ୍ତକ୍ଷେପରୁ ଏଯାଏଁ ନୀତିଗତଭାବେ ଦୂରେଇ ରହିଥିବା ସ୍ଥଳେ ନାଗରିକ ସମାଜର ପଦକ୍ଷେପ ସମୟ ଉପଯୋଗୀ ବିଚାର କରାଯାଏ ।
ସ୍ୱାଧୀନୋତ୍ତର ଭାରତରେ ଗଣମାଧ୍ୟମର ବିପୁଳ ବିକାଶ ଘଟିଥିଲା ଏବଂ ଆର୍ଥିକ ଉଦାରୀକରଣ ନୀତି ପ୍ରବର୍ତ୍ତିତ ହେବାପରେ ତିନି ଦଶକ ଧରି ସମ୍ୱାଦ ମଞ୍ଚ, ଉପଭୋକ୍ତା ତଥା ସମ୍ୱାଦ ସଂଗ୍ରହ, ସମ୍ପାଦନା ଓ ପ୍ରସାରଣରେ ବ୍ୟାପକ ବୈଷୟିକ ଉନ୍ନତି ସଂଭବପର ହୋଇପାରିଛି । ତେବେ ସାମ୍ୱାଦିକତାର ମୂଳଉତ୍ସ ସ୍ୱାଧୀନତା, ନିରପେକ୍ଷତା ଓ ଜନହିତ ଭଳି ଦିଗଗୁଡ଼ିକ ସ୍ୱାଧୀନତା-ପୂର୍ବ ଅବସ୍ଥା ତୁଳନାରେ ଅବହେଳିତ ହୋଇ ପଡ଼ିଥିବା ସୁସ୍ପଷ୍ଟ । ଏଥିଲାଗି ପ୍ରଚଳିତ ବ୍ୟବସାୟିକ ମଡ଼େଲକୁ ଦୋଷ ଦିଆଯିବ କି ? ସାମ୍ୱାଦିକତା କେତେମାତ୍ରାରେ ଜନଜୀବନକୁ ପ୍ରଭାବିତ କରିପାରୁଛି ସେଥିରେ ତାହାର ପରାକାଷ୍ଠା ପ୍ରମାଣିତ । ମହାତ୍ମାଗାନ୍ଧୀଙ୍କ ବିଜ୍ଞାପନ-ରହିତ ‘ହରିଜନ’ ପତ୍ରିକା ଯଦି ପ୍ରବଳ ପରାକ୍ରମୀ ବ୍ରିଟିଶ ଶାସନର ପ୍ରତିରୋଧ ସହ ସାମାଜିକ ଓ ଅର୍ଥନୀତିକ ପରିବର୍ତ୍ତନର ସୂତ୍ରଧର ସାଜି ପାରିଥିଲା, ଆମେ ସେଭଳି ମଡ଼େଲକୁ ଅଣଦେଖା କରିଚାଲିଛୁ କାହିଁକି ? ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମଲ’ରେ ଦେଶର ବୃହତ ସମ୍ୱାଦ ମଞ୍ଚଗୁଡ଼ିକ ଶିଳ୍ପପତି ଓ ନିବେଶକଙ୍କ କରାୟତ ହୋଇସାରିବା ପରେ ହୁଏତ ବିକଳ୍ପ ଗଣମାଧ୍ୟମର ଭାଗ୍ୟୋଦୟ ହେବ ବୋଲି ଆଶା କରାଯାଇପାରେ ।
