ଆଜିର ଖାସ ଖବର
Mon. Jul 27th, 2026

ମୋବାଇଲ ଜର୍ଣ୍ଣାଲିଜମର ଦୁଇ ଉଦାହରଣ

By Dainikasha Jul11,2024

ଆର୍ନ୍ତଜାତିକସ୍ତରରେ ୨୦୧୭ ମସିହାରେ ଗଣମାଧ୍ୟମକ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଆଲୋଡ଼ନ ସୃଷ୍ଟି କରିଥିଲା ସେଥି ମଧ୍ୟରେ ଭାରତର ଖ୍ୟାତନାମା ସାଟେଲାଇଟ ଟେଲିଭିଜନ ଚ଼୍ୟାନେଲ ‘ନୂଆ ଦିଲ୍ଲୀ ଟେଲିଭିଜନ’ ଓ ବଙ୍ଗଳାଦେଶର ଲୋକପ୍ରିୟ ସମ୍ୱାଦପତ୍ର ‘ପ୍ରଥମ ଆଲୋ’ ପକ୍ଷରୁ ମୋବାଇଲଜର୍ଣ୍ଣାଲିଜମ ଧାରା ଉପଯୋଗ ଅନ୍ୟତମ । ବିକଶିତ ରାଷ୍ଟ୍ରଗୁଡ଼ିକରେ ମୋବାଇଲ ଜର୍ଣ୍ଣାଲିଜମର ଉନ୍ମେଷ ଘଟିଥିଲେ ହେଁ ଏନଡ଼ିଟିଭି ପକ୍ଷରୁ ଜୁଲାଇ ଶେଷ ସପ୍ତାହରେ ସମ୍ୱାଦ ସଂଗ୍ରହ ପ୍ରକ୍ରିୟା ସଂପୂର୍ଣ୍ଣରୂପେ ସ୍ମାର୍ଟଫୋନ ଉପଯୋଗରେ ପରିଚାଳନା କରିବା ବିଶ୍ୱସ୍ତରରେ ପ୍ରଥମ । ଏନଡ଼ିଟିଭି ଏକ ପ୍ରତିଷ୍ଠିତ ଟେଲିଭିଜନ ସଂସ୍ଥା ଏବଂ ଏହାର ସାମ୍ୱାଦିକତା ଭାରତୀୟ ଗଣତନ୍ତ୍ରକୁ ଦୁଇ ଦଶନ୍ଧୀଧରି ପ୍ରଭାବିତ କରିଆସିଛି । ସେହିପରି ବାଂଲାଦେଶର ‘ପ୍ରଥମ ଆଲୋ’ ଅନ-ଲାଇନ ପୋର୍ଟାଲ ୭୦ ଲକ୍ଷ ଦର୍ଶକ ଦାବି କରିଥାଏ । ମୋବାଇଲ ସ୍ମାର୍ଟଫୋନ ବହୁଳ ବ୍ୟବହାରରେ ଶୀର୍ଷସ୍ଥାନ ଅଧିକାର କରୁଥିବା ଦକ୍ଷିଣ କୋରିଆ, ଯୁକ୍ତରାଷ୍ଟ୍ର ଆମେରିକା ବା ଚ଼ୀନରେ ମୋବାଇଲ ଜର୍ଣ୍ଣାଲିଜମ ମଙ୍ଗ ଧରିନଥିବା ବେଳେ ଏସିଆ ଭୂଖଣ୍ଡରୁ ଏହି କ୍ଷେତ୍ରରେ ନେତୃତ୍ୱ ଉଲ୍ଲେଖନୀୟ ଘଟଣା ।

୨୦୦୭ ମସିହାରେ ‘ଏପେଲ’ ପକ୍ଷରୁ ସ୍ମାର୍ଟଫୋନ ପ୍ରଚଳନ ପରବର୍ତ୍ତୀ ପ୍ରଥମ ଦଶକରେ ବିଭିନ୍ନ ଆପ୍ଲିକେଶନ ପ୍ରକାଶନ ବିଶ୍ୱବ୍ୟାପୀ ସମସାମୟିକ ଜୀବନଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସ୍ମାର୍ଟଫୋନରେ ଫୋଟ ଓ ଭିଡ଼ିଓ ଉତ୍ତୋଳନ ଲୋକପ୍ରିୟ ହେବା ପରେ ଫୋନ ନିର୍ମାତାମାନଙ୍କଦ୍ୱାରା ସେହି ଦିଗକୁ ବିକଶିତ କରିବା ନିମନ୍ତେ ଉଦ୍ୟମ ଜାରୀ ରହିଲା ଫଳରେ ସ୍ମାର୍ଟଫୋନ କ୍ରମଶଃ ‘ଇଏନଜି’ ବା ଇଲକ୍ଟ୍ରୋନିକ ନିଉଜଗେଦେରିଂ ଯନ୍ତ୍ରପାତିର ସମକକ୍ଷ ହୋଇପାରିଲା। ମୁଖ୍ୟତଃ ସୌଖୀନ ଫୋଟୋଗ୍ରାଫର ଓ ଭିଡ଼ିଓଗ୍ରାଫର ତଥା ସାଧାରଣ ଲୋକଙ୍କ ନିମନ୍ତେ ପ୍ରସ୍ତୁତ ଏହାର ବୈଷୟିକ କଳାକୌଶଳ ଅତ୍ୟନ୍ତ ସରଳ ଓ ସ୍ୱୟଂକ୍ରିୟ ନୀତିରେ ପର୍ଯ୍ୟବସିତ ହୋଇଥାଏ । ସ୍ମାର୍ଟଫୋନରେ ଭିଡ଼ିଓ ସୁଟିଂ ସାଙ୍ଗକୁ ଏଡ଼ିଟିଂ, ସ୍ୱେସାଲ ଏଫେକ୍ଟ ସଂଯୋଗ ଓ ଇଣ୍ଟରନେଟ ଯୋଗେ ପ୍ରସାରଣର ସୁବିଧା ଉପଲବ୍ଧ ହେବାପରେ ବୃତ୍ତିଧାରୀ ବା ପ୍ରଫେସନାଲମାନଙ୍କ ଦୃଷ୍ଟି ଆକର୍ଷଣ କଲା ।

୨୦୦୮ ମସିହାରେ ପାଶ୍ଚାତ୍ୟ ଭୂଖଣ୍ଡରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହେବା ପରେ ଏହାର ପ୍ରଭାବ ଊଣା ଅଧିକେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନୁଭୂତ ହୋଇଥିଲା ।ବ୍ୟବସାୟିକ ଅସ୍ଥିରତା ହେତୁ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ଶିଳ୍ପରେ ବିଜ୍ଞାପନ ରାଜସ୍ୱ କମି ଆସିବା ତଥା ଠିକ୍ ସେହି ସମୟରୁ ଡ଼ିଜିଟାଲ ମିଡ଼ିଆର ବ୍ୟାପକ ପ୍ରସାର ପାଠକ ଓ ଦର୍ଶକ ହରାଇବା କାରଣରୁ ଆୟବ୍ୟୟ ସମତୁଲ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଲା । ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟୟସଂକୋଚ଼ନ ତଥା ଟେଲିଭିଜନ କାର୍ଯ୍ୟକ୍ରମ ଦର୍ଶକମାନେ ସ୍ମାର୍ଟଫୋନ, ଟେବଲେଟ ବା ଲ୍ୟାପଟପରେ ଦେଖିବା କ୍ରମଶଃ ଲୋକପ୍ରିୟ ହୋଇଚାଲିଥିବା ଅବସରରେ ଟେଲିଭିଜନ ଓ ଅନ-ଲାଇନ ସାମ୍ୱାଦିକତାରେ ସ୍ମାର୍ଟଫୋନ ବ୍ୟବହାରକୁ ବିକଳ୍ପରୂପେ ବିବେଚ଼ନା କରାଗଲା । ଟେଲିଭିଜନ ସାମ୍ୱାଦିକତାର ପ୍ରତିପତ୍ତି ସୁରକ୍ଷାଲାଗି ପ୍ରାଥମିକସ୍ତରରେ ସ୍ମାର୍ଟଫୋନରେ ଚ଼ିତ୍ରଗ୍ରହଣ ଓ ସମ୍ପାଦନାର ଗୁଣବତ୍ତାକୁ ଆକ୍ଷେପ କରି ସଂଖ୍ୟାଧିକ ପ୍ରତିଭା ଏହି ଧାରା ପ୍ରତି ବିମୁଖ ହେଉଥିଲେ ହେଁ ଭବିଷ୍ୟତ ଯେ ମୋବାଇଲ ଜର୍ଣ୍ଣାଲିଜମର ଯୁଗ ଏହାକୁ ଅସ୍ୱୀକାର କରିବା କଷ୍ଟସାଧ୍ୟ ବୋଧ ହୁଏ ।

ବୈଷୟିକ ପ୍ରଗତି ଯୋଗୁଁ ବିଂଶ ଶତାଦ୍ଦୀର ସପ୍ତମ ଦଶକରେ ପୃଥଳ ଫିଲ୍ମ କ୍ୟାମେରା ବଦଳରେ ହାଲୁକା କ୍ୟାମେରା ତଥା ଭିଡ଼ିଓ ଓ ତତ୍ପରବର୍ତ୍ତୀ ଅବସ୍ଥାରେ ଡ଼ିଜିଟାଲ କ୍ୟାମେରା ବ୍ୟବହୃତ ହୋଇଥିଲା । ଅର୍ଥାତ ବୈଜ୍ଞାନିକ ଆବିଷ୍କାର ସହ ତାଳ ଦେଇ ଚ଼ିତ୍ର ଗ୍ରହଣ ଓ ସମ୍ପାଦନା ପ୍ରଣାଳୀରେ ବିଗତ ଅର୍ଦ୍ଧ ଶତାଦ୍ଦୀ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ସମ୍ଭବପର ହୋଇଛି । ପରବର୍ତ୍ତୀ ଅବସ୍ଥାରେ ମୋବାଇଲ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ଚ଼ିତ୍ର ଗ୍ରହଣ ଓ ସମ୍ପାଦନା ସୌଖୀନ ସମେତ ବୃତ୍ତିଧାରୀଙ୍କ ଦ୍ୱାରା ଭିଡ଼ିଓ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ବ୍ୟବହାର ଅବଶ୍ୟମ୍ଭାବୀ ।

ମୂଳସ୍ରୋତର ଟେଲିଭିଜନ ଓ ଅନଲାଇନ ପୋର୍ଟାଲ ସାମ୍ୱାଦିକତାରେ ମୋବାଇଲ ଜର୍ଣ୍ଣାଲିଜମ ସ୍ୱତଃପ୍ରବୃତ୍ତଭାବେ ପ୍ରବେଶ କରିସାରିଛି ବୋଲି କୁହାଯାଇପାରେ । ଅନେକ ଅଘଟଣର ବ୍ରେକିଂ ନିଉଜ ଘଟଣାବଳୀର ଦୃଶ୍ୟ ସେଠାରେ ଉପସ୍ଥିତ ସାଧାରଣ ଲୋକେ ସ୍ମାର୍ଟଫୋନରେ ଅବଦ୍ଧ କରୁଥିବାବେଳେ ସେଗୁଡ଼ିକୁ ମୂଳ ସମ୍ୱାଦ କାର୍ଯ୍ୟକ୍ରମ ସହ ଯୋଡ଼ା ଯାଉଛି ।ପାରମ୍ପରିକଭାବେ ଘଟଣା ଘଟିବାର ଦୀର୍ଘ ସମୟ ପରେ ଟେଲିଭିଜନ ସାମ୍ୱାଦିକମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ବର୍ଣ୍ଣନା କରିଥାନ୍ତି । ଏହାକୁ ‘ବ୍ଳାକ-ହୋଲ-ଲାଇଭ-ସଟ’ କୁହାଯାଏ । ସମୟକ୍ରମେ ଦର୍ଶକ ମହଲରେ ଏଭଳି ଦୃଶ୍ୟ ବଦଳରେ ଯଥାସଂଭବ ‘ଲାଇଭ-ସଟ’କୁ ପସନ୍ଦ କରୁଥିବା ଦେଖାଯାଉଛି । ସ୍ମାର୍ଟଫୋନରେ ସୁଟିଂ କରାଯାଇଥିବା ଲାଇଭ-ସଟ ଖୋଜି ବାହାର କରିବା ନିମନ୍ତେ ସୋସିଆଲ ମିଡ଼ିଆ ପ୍ରଶସ୍ତ କ୍ଷେତ୍ର ଯୋଗାଇ ପାରୁଛି । ଆଗକୁ ଏହି ଧାରାର ବହୁଳ ବ୍ୟବହାର ଆଶା କରାଯାଇପାରେ ।

ଏନଡ଼ିଟିଭି ମୋବାଇଲ ଜର୍ଣ୍ଣାଲିଜମରେ ପ୍ରବେଶର କିଛିକାଳ ପୂର୍ବରୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଛନ୍ଦି ହୋଇପଡ଼ିଥିଲା । ତେବେ ସାଂଗଠନିକ ପରିଚ଼ାଳନାଗତ ବିବାଦ କିମ୍ୱା ଖର୍ଚ୍ଚକାଟ ମୋବାଇଲ ଜର୍ଣ୍ଣାଲିଜମରେ ପ୍ରବେଶର କାରଣ ନୁହଁ ବୋଲି ସଂପୃକ୍ତ ସଂସ୍ଥା ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଥିଲା । ଆନ୍ତର୍ଜାତିକସ୍ତରରେ ଆତ୍ମପ୍ରକାଶ କରୁଥିବା ଏକ ନୂତନ ବୈଷୟିକ କୌଶଳ ଉପଯୋଗରେ ଉକୃଷ୍ଟ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ଏନଡ଼ିଟିଭି ପ୍ରତିଶୃତିବଦ୍ଧ ବୋଲି କୁହାଯାଇଥିଲା । ଚ଼୍ୟାନେଲ ନିମନ୍ତେ ସଂପୂର୍ଣ୍ଣଭାବେ ସ୍ମାର୍ଟଫୋନରେ ସୁଟିଂ ଓ ଏଡ଼ିଟିଂ ବ୍ୟବସ୍ଥା ଆରମ୍ଭ କରିବା ପୂର୍ବରୁ ସଂସ୍ଥାରେ କାର୍ଯ୍ୟରତ ଭିଡ଼ିଓଗ୍ରାଫରମାନଙ୍କୁ ଛଟେଇ କରାଯାଇ ସମସ୍ତ ସାମ୍ୱାଦିକଙ୍କୁ ସୁଟିଂ ଓ ଏଡ଼ିଟିଂର ମୌଳିକ କଳାକୌଶଳ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଏନଡ଼ିଟିଭିରେ ମୋବାଇଲ ଜର୍ଣ୍ଣାଲିଜମ ପ୍ରବର୍ତ୍ତନ ପର ଛଅମାସ ମଧ୍ୟରେ ଚ଼୍ୟାନେଲର କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଗୁଣବତ୍ତାରେ ବିଶେଷ କିଛି ପାର୍ଥକ୍ୟ ଚର୍ଚ୍ଚାର ପରିସରକୁ ଆସିନଥିବା ଜଣାଯାଏ ।

ବାଂଲାଦେଶର ସମ୍ୱାଦପତ୍ର ‘ପ୍ରଥମ ଆଲୋ’ ପକ୍ଷରୁ ଗ୍ରାମାଞ୍ଚଳରେ ଅବସ୍ଥାପିତ ୧୮୪ ଜଣ ସାମ୍ୱାଦିକଙ୍କୁ ୨୦୧୬ ମସିହା ଜୁଲାଇ ମାସରୁ ପର୍ଯ୍ୟାୟକ୍ରମେ ମୋବାଇଲ ଜର୍ଣ୍ଣାଲିଜମ ତାଲିମର ବ୍ୟବସ୍ଥା କରାଯାଇଥିଲା । ଜାମିଲ ଖାନ ନାମକ ଜଣେ ପ୍ରଶିକ୍ଷକ ଚିଟ୍ଟାଗଙ୍ଗ, ବୋଗରା ଓ ଖୁଲନା ଭଳି ଗ୍ରାମୀଣ କେନ୍ଦ୍ରସ୍ଥଳରେ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ସୁଟିଂ ଓ ଏଡ଼ିଟିଂ କୌଶଳ କର୍ମଶାଳାମାନ ଆୟୋଜନ କରି ସ୍ଥାନୀୟ ସାମ୍ୱାଦିକମାନଙ୍କୁ ଅଭ୍ୟସ୍ତ କରାଇଥିଲେ । ପ୍ରାଥମିକ ଅବସ୍ଥାରେ ସାମ୍ୱାଦିକମାନେ ନିଜ ନିଜ ସ୍ମାର୍ଟଫୋନରେ ସମ୍ୱାଦ ସଂଗ୍ରହ କରିବା ଆରମ୍ଭ କରିବା ପରେ ଉନ୍ନତଧରଣର ସୁଟିଂ, ଲାଇଟିଂ ଓ ଏଡ଼ିଟିଂ ଉପକରଣମାନ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା ।

ସ୍ମାର୍ଟଫୋନରେ ମୋବାଇଲ ଆପ୍ଲିକେସନ ବ୍ୟବହାର କରି ଚ଼ିତ୍ର ଗ୍ରହଣ ଓ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଗୁଣବତ୍ତା ବଜାୟ ରଖାଯାଇପାରୁଛି ।‘ଫିଲମିକ୍-ପ୍ରୋ’ ଓ ‘କିନେ ମାଷ୍ଟର’ ଭଳି ଆପ ସୁଟିଂ ଓ ଏଡ଼ିଟିଂରେ ସହାୟକ ହେଉଥିବା ବେଳେ ‘ଉଇ-ଟ୍ରାନ୍ସଫର’ ଆପ ଯୋଗେ ଭିଡ଼ିଓ ଫାଇଲ ଘଟଣାସ୍ଥଳରୁ ପ୍ରସାରଣ କକ୍ଷକୁ ପ୍ରେରଣ ସମ୍ଭବପର ହୋଇପାରୁଛି । ସାଧାରଣ ଏଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ଅଧିକ ମେଗାପିକ୍ସଲ ଓ ଅଧିକ ମେମୋରି ଉପଲବ୍ଧ ଥିଲେ ଭିଡ଼ିଓ ସାମ୍ୱାଦିକତା ନିମନ୍ତେ ପଥ ଉନ୍ମୁକ୍ତ ରହୁଛି ।

ଭାରତରେ ସ୍ମାର୍ଟଫୋନ ଯୋଗେ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ ଧାରା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶରେ ପ୍ରାୟ ୧୧ କୋଟି ୫୦ ଲକ୍ଷରୁ ୧୨ କୋଟି ୫୦ ଲକ୍ଷ ସ୍ମାର୍ଟଫୋନ ବ୍ୟବହୃତ ହେଉଛି । ୨୦୧୭ ସୁଦ୍ଧା ୪୫ କୋଟି ୫୦ ଲକ୍ଷ ଇଣ୍ଟରନେଟ ସଂଯୁକ୍ତି ଥିବାବେଳେ ୨୦୨୦ ବେଳକୁ ୭୦ କୋଟିକୁ ବୃଦ୍ଧି ପାଇବା ହିସାବ କରାଯାଏ । ଫଳରେ ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ନିକଟ ଭବିଷ୍ୟତରେ ଆନୁପାତିକଭାବେ ବୃଦ୍ଧି ପାଇବା ନିଶ୍ଚିତ । ଟେଲିଭିଜନ ପରଦା ତୁଳନାରେ ସ୍ମାର୍ଟଫୋନ ପରଦା ଛୋଟ । ଅପରପକ୍ଷେ ୪ ଜି ବୈଷୟିକ କୌଶଳ ଇଣ୍ଟରନେଟ ଯୋଗେ ସ୍ୱଷ୍ଟ ପ୍ରସାରଣରେ ପର୍ଯ୍ୟବସିତ ହେଉଛି । ଏତଏବ ସ୍ମାର୍ଟଫୋନରେ ଚ଼ିତ୍ରଗ୍ରହଣ ପ୍ରକାରନ୍ତେ ପରିବର୍ତ୍ତିତ ପରିପ୍ରେକ୍ଷୀରେ ଟେଲିଭିଜନ କାର୍ଯ୍ୟକ୍ରମର ଗୁଣବତ୍ତା ବଜାୟ ରଖିବା ସମ୍ଭବପର । ଦ୍ୱିତୀୟତଃ ଅନ୍ୟାନ୍ୟ ମଞ୍ଚ ତୁଳନାରେ ଭିଡ଼ିଓ ସାମ୍ୱାଦିକତାର ମୌଳିକତା ପରିପୃଷ୍ଟି ନିମନ୍ତେ ଅଧିକ ଲାଇଭ ସଟ ଆବଶ୍ୟକ କରେ । ଇଏନଜି ଉପକରଣ ବ୍ୟବହାରରେ ତାହା ସମ୍ଭବପର ହୋଇ ନ ପାରୁଥିବା ହେତୁ ମୋବାଇଲ ଜର୍ଣ୍ଣାଲିଜମ ଉପଯୋଗରେ ତାହା ସମ୍ଭବପର ବୋଲି ବିଚ଼ାର କରାଯାଇପାରେ ।ତୃତୀୟତଃ ଗଭୀର ଆଞ୍ଚଳିକତା ବା ହାଇପର ଲୋକାଲାଇଜେସନ କଭରେଜ ପାଇଁ ମୋବାଇଲ ଜର୍ଣ୍ଣାଲିଜମ ସହାୟକ ହେବ ।

କ୍ରମାଗତ କ୍ଷତି ସହ ଚାଲିଥିବା ଓଡ଼ିଆ ଟେଲିଭିଜନ ଶିଳ୍ପରେ ମୋବାଇଲ ଜର୍ଣ୍ଣାଲିଜମ ପ୍ରବର୍ତ୍ତନ ବହୁ ଦୃଷ୍ଟିରୁ ଲାଭଜନକ ମନେ ହୁଏ । ସମ୍ୱାଦପତ୍ର ପ୍ରକାଶନ ସହ ସଂଯୁକ୍ତ ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ନିମନ୍ତେ ଗ୍ରାମାଞ୍ଚଳରେ ଅବସ୍ଥାପିତ ବିସ୍ତୃତ ସାମ୍ୱାଦିକ ଗୋଷ୍ଠୀ ଭିଡ଼ିଓ ସାଂବାଦିକତାରେ ପ୍ରବେଶ କଲେ କାର୍ଯ୍ୟକ୍ରମ ପ୍ରସ୍ତୁତି ଲାଗି ସୁବିସୃତ କ୍ଷେତ୍ର ପ୍ରସ୍ତୁତ ହୋଇପାରିବା ଆଶା କରାଯାଇପାରେ ।

Related Post