ଆଜିର ଖାସ ଖବର
Sat. May 30th, 2026

ସତ୍ୟ, ମିଥ୍ୟା ଓ ସମ୍ୱାଦ

By Dainikasha Jul12,2024

ସୋସିଆଲ ମିଡ଼ିଆରେ ଗୁଜବ ଓ ଅପପ୍ରଚ଼ାର ଆନ୍ତର୍ଜାତିକସ୍ତରରେ ୨୦୧୮ ଶେଷ ବେଳକୁ ଏକ ଅମୀମାଂସିତ ସମସ୍ୟାରୂପେ ମୁଣ୍ଡ ଟେକିଛି । ଇଣ୍ଟରନେଟ ସଂଯୁକ୍ତି ପ୍ରସାର, ସୋସିଆଲ ମିଡ଼ିଆର ଲୋକପ୍ରିୟତା ଓ ସର୍ବୋପରି ସାଧାରଣରେ ଆବାଳ-ବୃଦ୍ଧ-ବନିତା ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ୟବହାର ସମୟ ଅବଧି ବଢ଼ିଚାଲିଥିବା ଅବସରରେ ଉପସ୍ଥିତ ସଂକଟର ମୁକାବିଲା କରିବା ପ୍ରଯୁକ୍ତି ବିଜ୍ଞାନୀ ଓ ପ୍ରଶାସକମାନଙ୍କ ପାଇଁ ଚ଼ିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଗଣମାଧ୍ୟମ ତତ୍ତ୍ୱାବଳୀ ପୁର୍ନଲିଖନର ଆବଶ୍ୟକତା ଅନୁଭୂତ ହୋଇଛି ।

ସମକାଳୀନ ସାମାଜିକ ଜୀବନ ସଂପର୍କରେ ଅଧ୍ୟୟନକେନ୍ଦ୍ରୀକ ପ୍ରକାଶନରେ ଇସ୍ରାଏଲ ଲେଖକ ୟୁଭାଲ ନୋଚ଼ ହାରାରି ଅନ୍ୟତମ । ସେ ହିବ୍ରୁ ଭାଷାରେ ଲେଖନ୍ତି । ୨୦୧୧ରେ ତାଙ୍କରି ରଚ଼ିତ ‘ସୋପିୟନ୍ସ’ ଇଂଲିଶ ଭାଷାରେ ପ୍ରକାଶିତ ହେବା ପରେ ପ୍ରାୟ ୩୦ ଗୋଟି ବୈଦେଶିକ ଭାଷାରେ ଅନୁବାଦିତ ହୋଇଛି । ୨୦୧୬ରେ ପ୍ରକାଶିତ ‘ହୋମୋ ଡ୍ୟୁସ’ ଓ ୨୦୧୮ରେ ପ୍ରକାଶିତ ‘ଟ୍ୱାଣ୍ଟିୱାନ ଲେସନ୍ସ ଫର ଟ୍ୱାଣ୍ଟିଫାଷ୍ଟ ସେଞ୍ଚୁରି’ ତାଙ୍କରି ଅନ୍ୟତମ କୃତୀ । ସେ ‘ସୋପିୟନ୍ସ’ରେ ପ୍ରସ୍ତରଯୁଗରୁ ମାନବସମାଜର ଇତିହାସ ତର୍ଜମା କରିଥିବା ବେଳେ ‘ହୋମୋ ଡ୍ୟୁସ’ରେ ମାନବ ସଭ୍ୟତାର ଭବିଷ୍ୟତ କଳନା କରିଛନ୍ତି । ତାଙ୍କରି ପ୍ରଥମ ପୁସ୍ତକଟିର ପ୍ରାୟ ଦଶ ଲକ୍ଷ କପି ବିକ୍ରୀ ହୋଇଥିବା ଜଣାଯାଏ ।

ହାରାରିଙ୍କ ବୟସ ୪୨ ବର୍ଷ ଏବଂ ଜେରୁଜଲମର ହିବ୍ରୁ ବିଶ୍ୱବିଦ୍ୟାଳୟରେ ଇତିହାସ ଅଧ୍ୟାପନା କରନ୍ତି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡ଼କ୍ଟରେଟ ପାଇଛନ୍ତି । ତାଙ୍କରି ରଚ଼ନା ଟାଇମ୍ସ, ଗାର୍ଡ଼ିଅନ, ନ୍ୟୁୟର୍କ ଟାଇମ୍ସ, ନ୍ୟୂୟର୍କର, ଇକନୋମିଷ୍ଟ ଭଳି ପତ୍ରପତ୍ରିକାରେ ପ୍ରକାଶିତ । ପାଣ୍ଡିତ୍ୟ, ଲୋକପ୍ରିୟତା ଏବଂ ଦୂରଦୃଷ୍ଟିକୁ ବିଚ଼ାରକୁ ନେଲେ ହାରାରିଙ୍କ କୃତିତ୍ୱ ମଧ୍ୟ-ବୟସ୍କ ଉତ୍ତର-ଆଧୁନିକ ଚ଼ିନ୍ତାନାୟକଙ୍କ ମଧ୍ୟରେ ଉଲ୍ଲେଖନୀୟ ସ୍ଥାନ ଦାବୀ କରିଥାଏ । ବ୍ୟକ୍ତିଗତ ଜୀବନରେ ସେ ସମଲିଙ୍ଗ ବିବାହ ବନ୍ଧନରେ ଆବଦ୍ଧ । ଜେରୁଜେଲମ ନିକଟସ୍ଥ ଏକ ସମବାୟ କୃଷିକ୍ଷେତ୍ରରେ ବସବାସ କରନ୍ତି ।

ଏକ ଭାରତୀୟ ଇଂଲିଶ ସମ୍ୱାଦପତ୍ରକୁ ୨୦୧୮ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇ-ମେଲ ସାକ୍ଷାତକାରରେ ସେ ସୂଚ଼ନା, ତଥ୍ୟ ଓ ସମ୍ୱାଦର ଗୁରୁତ୍ୱ ବର୍ଣ୍ଣନା କରିଛନ୍ତି । ଅତୀତରେ ଜମିଜମା ସମ୍ପତ୍ତିରୂପେ ପରିଗଣିତ ହେଉଥିଲା, ପରବର୍ତ୍ତୀ ଅବସ୍ଥାରେ କଳକାରଖାନା ସମ୍ପତ୍ତିର ଉତ୍ସ ପାଲଟିଲା, ତେବେ ଏକବିଂଶ ଶତାଦ୍ଦୀରେ ତଥ୍ୟ ‘ଡ଼ାଟା’ ସର୍ବଶ୍ରେଷ୍ଠ ସମ୍ପତ୍ତିର ମାନ୍ୟତା ପାଇଛି ।ତଥ୍ୟକୁ ନେଇ ବ୍ୟାବସାୟିକ ଓ ରାଜନୀତିକ ପ୍ରାଧାନ୍ୟ ବିସ୍ତାରିତ ହେବାରେ ଲାଗିଛି । ଏହି ଧାରା ଭବିଷ୍ୟତରେ ଉଗ୍ରରୂପ ଧାରଣ କରିବ ।

ତଥ୍ୟକୁ ଗୁରୁତ୍ୱ ଦିଆଯିବା ବେଳେ ସତ୍ୟ ଓ ମିଥ୍ୟା ତଥା ସଦଉପଯୋଗ ଓ ଦୁରୋପଯୋଗ ବିଚ଼ାରକୁ ଆସିଥାଏ । ସମ୍ୱାଦର ଗୁଣବତ୍ତା ଆଧୁନିକ ଜୀବନଯାତ୍ରାକୁ ଗଭୀର ପ୍ରଭାବିତ କରୁଥିବା ହେତୁ ସମ୍ୱାଦ ସରବରାହରେ ସତର୍କତା ଜରୁରୀ ମନେହୁଏ ।

ହାରାରିଙ୍କ ମତରେ ମାନବସଭ୍ୟତାର ଉନ୍ମେଷ କାଳରୁ ସାମାଜିକ ଜୀବନଯାତ୍ରା ପରିଚ଼ାଳନାରେ ଜନମାନସରେ କଳ୍ପନା ଓ ବାସ୍ତବତା ଯୋଡ଼ି ହୋଇ ରହିଛି । ଧାର୍ମିକ ଜୀବନରେ ଆମେ ବହୁ କଳ୍ପନା ପ୍ରସୂତ ତଥ୍ୟାବଳୀକୁ ବିନା ଦ୍ୱିଧାରେ ଗ୍ରହଣ କରିନେଉ । ସେହିପରି ସମାଜରେ ବ୍ୟାବସାୟିକ ପ୍ରଭାବ ‘କର୍ପୋରେସନାଇଜେସନ’ ଅବସରରେ ମଧ୍ୟ ସଂଗଠନ ଓ ସାଂଗଠନିକ ଜୀବନ ସଂପର୍କରେ ଅନେକ ବିଭ୍ରାନ୍ତ ତଥ୍ୟ ଆମ ଚ଼ିନ୍ତାରାଜ୍ୟରେ ବସାବାନ୍ଧି ଥାଏ । ଫଳରେ ଅନେକ କ୍ଷେତ୍ରରେ ସତ୍ୟତାଠାରୁ ଦୂରେଇଯାଉ ।

ସମସାମୟିକ ପରିବେଶକୁ ଲକ୍ଷ୍ୟକରି ହାରାରି କହନ୍ତି ଯେ ଅତୀତରେ ସୂଚ଼ନା ‘ଇନଫରମେସନ’ ଦୁର୍ମୂଲ୍ୟ ଥିଲା ।ସମାଜରେ ଖୁବ କମ ଜନସଂଖ୍ୟାଙ୍କ ଅକ୍ତିଆରରେ ବିଭିନ୍ନ ସୂଚ଼ନା ନିୟନ୍ତ୍ରିତ ହେଉଥିଲା । ସୂଚ଼ନାର ସତ୍ୟତା ପରଖିବା ନିମନ୍ତେ ମଧ୍ୟ ସୁବିଧା ସୁଯୋଗ ଅଭାବ ଲାଗି ରହିଥିଲା । ତେବେ ଏକବିଂଶ ଶତାଦ୍ଦୀରେ ସମଗ୍ର ବିଶ୍ୱ ସୂଚ଼ନା-ପ୍ରବଳ ପରିବେଶକୁ ଉତ୍ତୀର୍ଣ୍ଣ ହୋଇଛି । ବିଭିନ୍ନ ସୂତ୍ରରୁ ଏତେମାତ୍ରା, ଏତେ ବେଗ ଏବଂ ଏତେ କିସମର ସୂଚ଼ନା ମନୁଷ୍ୟର ହାତପାଆନ୍ତାରେ ଉପଲବ୍ଧ ଯେ ସେ ଏକ ରକମ ସୂଚ଼ନା-କେନ୍ଦ୍ରୀକ ବିବ୍ରତ-ପରିସ୍ଥିତିରେ ପହଞ୍ଚୁଛି । ଏଥିମଧ୍ୟରୁ ସତ୍ୟ ଓ ମିଥ୍ୟା ଖୋଜି ବାହାର କରିବା ସାଧାରଣ ପାଠକ ପାଇଁ ସମ୍ଭବପର ହୋଇପାରୁ ନାହିଁ ।

ଗଣମାଧ୍ୟମ ପୃଷ୍ଠଭୂମିରେ ପରିବର୍ତ୍ତିତ ପରିବେଶରେ ସମ୍ୱାଦ ପାଠକ, ଶ୍ରୋତା ବା ଦର୍ଶକ କ୍ରମଶଃ ଉପଭୋକ୍ତା ‘କଷ୍ଟମର’ ବଦଳରେ ଉତ୍ପାଦ ‘ପ୍ରୋଡ଼େକ୍ଟ’ରେ ପରିଣତ ହେବାରେ ଲାଗିଛି । ବିଭିନ୍ନ ମଞ୍ଚରେ ଚ଼ାଞ୍ଚଲ୍ୟକର ସମ୍ୱାଦ ପ୍ରକାଶନ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଅଧିକାଂଶ କ୍ଷେତ୍ରରେ ଏଭଳି ସମ୍ୱାଦ ଆହରଣ କରିବା ମାଗଣା କିମ୍ୱା ନାମକୁ ମାତ୍ର ମୂଲ୍ୟ ଦେବାକୁ ପଡ଼ିଥାଏ । ତେବେ ସମ୍ୱାଦରେ ମନୋନିବେଶ କରିବା ଅବସରରେ ପାଠକ, ଶ୍ରୋତା ବା ଦର୍ଶକ ତା’ ଅଜାଣତରେ ବିଜ୍ଞାପନ ଓ ରାଜନୀତିଜ୍ଞଙ୍କଠାରେ ପ୍ରକାଶକଙ୍କ ଦ୍ୱାରା ବିକ୍ରୀ ହୋଇସାରିଥାଏ । ଅର୍ଥାତ ଚ଼ାଞ୍ଚଲ୍ୟକର ସମ୍ୱାଦ ସହ ସ୍ଥାନିତ ବ୍ୟାବସାୟିକ ବିଜ୍ଞାପନ ଓ ସମ୍ୱାଦ ପ୍ରଯୋଜନାରେ ରାଜନୀତିକ ଦୃଷ୍ଟିକୋଣ ଅପମିଶ୍ରଣରେ ପ୍ରଭାବିତ ହୋଇପଡ଼େ । ଧାରାବାହିକଭାବେ ଏତାଦୃଶ୍ୟ ଉତ୍ପୀଡ଼ନ ହେତୁ ପାଠକ ସ୍ୱକୀୟ ବୃଦ୍ଧିମତ୍ତା ହରାଇବାକୁ ବାଧ୍ୟ ହୋଇଥାଏ ।

ବିଶ୍ୱବ୍ୟାପୀ ସମ୍ୱାଦ ପରିବେଷଣର ପ୍ରଚଳିତ ଧାରା ‘ମଡ଼େଲ’ ବିଜ୍ଞାପନକେନ୍ଦ୍ରୀକଭାବେ ଗଢ଼ି ଉଠିଥିବା ହେତୁ ତଥା ସମ୍ୱାଦ ଶିଳ୍ପ ବୃହତ ବ୍ୟବସାୟରେ ପରିଣତ ହୋଇଥିବା କାରଣରୁ ସମ୍ୱାଦ ଆଙ୍ଗୀକରେ ସତ୍ୟତା ପରିସ୍ପୁଟନ ସ୍ଥଳବିଶେଷରେ ସମସ୍ୟାବହୁଳ ହେବା ସ୍ୱାଭାବିକ । ଏଥି ସହ ଶିଳ୍ପବିପ୍ଳବ ଅବସରରେ ସମ୍ୱାଦ ଶିଳ୍ପ ଓ ଗଣତନ୍ତ୍ର ଉଭୟ ଏକ ସମୟରେ ବିକଶିତ ହୋଇଥିବା ତଥା ପରିପୂରକଭାବେ କାର୍ଯ୍ୟକ୍ଷମ ଥିବା ହେତୁ ସମ୍ୱାଦିକତାର ପରିଧିରେ ରାଜନୀତିକ ପ୍ରଭାବ ମୂଳରୁ ବଳବତ୍ତର ରହିଛି । କେତେକ କ୍ଷେତ୍ରରେ ସମ୍ୱାଦଶିଳ୍ପ ଗଣତନ୍ତ୍ରର ସୁରକ୍ଷା କବଚ ପ୍ରମାଣିତ ହେଉଥିବା ସ୍ଥଳେ କେତେକ କ୍ଷେତ୍ରରେ ଗଣତନ୍ତ୍ର ଲାଗି ବିପଦ ଘଣ୍ଟି ଶୁଣାଉଛି ।

ଇଣ୍ଟରନେଟ ତଥା ‘ୱାରଲଡ଼-ୱାଇଡ଼-ୱେବ’ର ପ୍ରଚଳନ ସର୍ବସାଧାରଣରେ ସୂଚ଼ନା ସଂଗ୍ରହ ନିମନ୍ତେ ବିପୁଳ ସଂଭାବନା ସୃଷ୍ଟି କରିଥିଲା ।‘ହାଇପର ଲିଙ୍କ’ ଉପଯୋଗରେ ବିଶ୍ୱବ୍ୟାପୀ ଇଣ୍ଟରନେଟ ମଞ୍ଚରେ ଉପଲବ୍ଧ ସମସ୍ତ ତଥ୍ୟାବଳୀ ସମସ୍ତଙ୍କ ପାଇଁ ଊଣାଅଧିକେ ଉପଲବ୍ଧ ହୋଇପାରିଥିଲା ।

ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକ ଶେଷ ବେଳକୁ ଇଣ୍ଟରନେଟ ପ୍ରସାର ସାଙ୍ଗକୁ ସୋସିଆଲ ମିଡ଼ିଆର ଲୋକପ୍ରିୟତା ସମ୍ୱାଦ ଉପତ୍ୟକାରେ ‘ସତ୍ୟତା’କୁ ନେଇ ଏକ ନୂତନ ସଂଙ୍କଟ ସୃଷ୍ଟି କଲା। ଶିଳ୍ପବିପ୍ଳବ ପରବର୍ତ୍ତୀ ଅବସ୍ଥାରେ ମୁଦ୍ରଣଯନ୍ତ୍ର ଏବଂ ତତପରବର୍ତ୍ତୀ ଅବସ୍ଥାରେ ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର ସୂଚ଼ନା ପ୍ରସାରଣକୁ ପରିବ୍ୟାପ୍ତ କରିଥିଲା । ଜଣେ ସାମ୍ୱାଦିକର ରଚ଼ନା ଏକ ସୂତ୍ର ‘ସୋର୍ସ’ରୁ ଅନେକ ପାଠକ, ଶ୍ରୋତା ଓ ଦର୍ଶକ ‘ରିସିଭର‘ଙ୍କ ପାଇଁ ପ୍ରସାରଣ ସମ୍ଭବପର ହୋଇପାରିଥିଲା । ଯଦିଓ ପ୍ରକାଶିତ ସମ୍ୱାଦ ସଂପର୍କରେ ପାଠକୀୟ ମନ୍ତବ୍ୟ ନିମନ୍ତେ ‘ସଂପାଦକଙ୍କୁ ପତ୍ର’ ବା ‘ଶ୍ରୋତାଙ୍କଠାରୁ…’ ଭଳି ସ୍ତମ୍ଭ ସଂଯୋଜନା କରାଯାଉଥିଲା, ତେବେ ତାହାର ପ୍ରଭାବ ନଗଣ୍ୟ ଧରାଯାଉଥିଲା । ତେବେ ସୋସିଆଲ ମିଡ଼ିଆର ଅଭ୍ୟୁଦୟପରେ ସମସ୍ତ ଉପଭୋକ୍ତା ମତବ୍ୟକ୍ତ କରିବାର ସୁଯୋଗ ସୁବିଧା ପାଇପାରିଲେ । ଏହା ସମ୍ୱାଦ ବିନିମୟକ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବେଶ ସୃଷ୍ଟି କରିଛି ।

ସୋସିଆଲ ମିଡ଼ିଆର ପ୍ରଚଳନ ପୂର୍ବରୁ ବୃତ୍ତିଧାରୀ ନଚ଼େତ ଅନ୍ତତଃପକ୍ଷେ ଅଭିଜ୍ଞ ସାମ୍ୱାଦିକମାନେ ସମ୍ୱାଦ ରଚ଼ନା ଓ ପ୍ରକାଶନରେ ସଂପୃକ୍ତ ରହୁଥିଲେ । ସାମ୍ୱାଦିକତା ପ୍ରଶାସନିକ ସ୍ୱୀକୃତି ହାସଲ କରୁଥିଲା ଏବଂ ଉତ୍ତରଦାୟୀ ରହୁଥିଲା । ତେବେ ସୋସିଆଲ ମିଡ଼ିଆରେ ପ୍ରକାଶନ ସମସ୍ତ ଉପଭୋକ୍ତାଙ୍କ ନିମନ୍ତେ ଉନ୍ନୁକ୍ତ ରହିବା ତଥା ଏଭଳି ମଞ୍ଚରେ ସମ୍ୱାଦ ପରିବେଷଣ ନିମନ୍ତେ ଅଭିଜ୍ଞତା, ତାଲିମ ବା ଅନୁଶାସନର ଆବଶ୍ୟକତା ନଥିବା ହେତୁ ସ୍ଥଳବିଶେଷରେ ସମ୍ୱାଦ ପ୍ରସାରଣଜନିତ ଜଟିଳ ଅବସ୍ଥା ସୂତ୍ରପାତ ହେଉଛି । ବିଶ୍ୱବ୍ୟାପୀ ସୋସିଆଲ ମିଡ଼ିଆ ମଞ୍ଚ ପରିଚ଼ାଳନା କରୁଥିବା ବୈଷୟିକ ସଂସ୍ଥା ଓ ପ୍ରଶାସନ ପକ୍ଷରୁ ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ଉଦ୍ୟମ ଜାରୀ ରହିଛି ।

ସୋସିଆଲ ମିଡ଼ିଆ ମଞ୍ଚ ଗୋଷ୍ଠୀଗତ ଓ ସର୍ବସାଧାରଣ ବ୍ୟବହାରରେ ପର୍ଯ୍ୟବସିତ । ଉଦାହରଣରେ ଫେସବୁକ ଫ୍ରେଣ୍ଡସ, ହ୍ୱାଟସଅପ ଗୃପସ ମଧ୍ୟରେ ସମ୍ୱାଦ ଆଦାନ ପ୍ରଦାନ ସୀମିତ ରହିଥାଏ । ତେବେ ବ୍ଳଗ, ୟୁ-ଟ୍ୟୁବ ସମସ୍ତଙ୍କ ନିମନ୍ତେ ଉନ୍ମୁକ୍ତ । ଆଇନତଃ ତୃତୀୟ ପକ୍ଷର ଉପସ୍ଥିତିରେ ଉଚ୍ଚାରଣ ପ୍ରକାଶନ ପର୍ଯ୍ୟାୟଭୁକ୍ତ । ଅର୍ଥାତ ଜଣେ ବ୍ୟକ୍ତି ଅନ୍ୟଜଣ ସହ କଥାବାର୍ତ୍ତା ହୋଇପାରେ କିନ୍ତୁ ତୃତୀୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଯଦି ଅପମାନସୂଚ଼କ ମନ୍ତବ୍ୟ ଦିଏ ତେବେ ଦ୍ୱିତୀୟ ବ୍ୟକ୍ତି ପ୍ରଥମ ବ୍ୟକ୍ତିଙ୍କ ବିରୁଦ୍ଧରେ ମାନହାନୀ ଅଭିଯୋଗ ଆଣିପାରିବ । ଏହି ଧାରାରେ ସୋସିଆଲ ମିଡ଼ିଆ ମଞ୍ଚରେ ସମସ୍ତ ପୋଷ୍ଟିଂ ପ୍ରକାଶନ ପର୍ଯ୍ୟାୟଭୁକ୍ତ ଏବଂ ପ୍ରଚଳିତ ଆଇନକାନୁନ ଦ୍ୱାରା ନିୟନ୍ତ୍ରିତ ।

ପାରମ୍ପରିକ ଗଣମାଧ୍ୟମ ମଞ୍ଚରେ ବିକଶିତ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ଓ ଚଳଚ଼ିତ୍ର କ୍ରମଶଃ ପ୍ରସାରଣ ନିମନ୍ତେ ଇଣ୍ଟରନେଟମୁହାଁ ହେବାରେ ଲାଗିଛନ୍ତି । ଇଣ୍ଟରନେଟ ଯୋଗେ ଆନ୍ତର୍ଜାତିକସ୍ତରରେ ଉପସ୍ଥିତି ଓ ଡ଼ିଜିଟାଲ ଆର୍ଥିକ କାରବାର ଉପଯୋଗରେ ଗ୍ରାହକ ଚ଼ାନ୍ଦା ସଂଗ୍ରହ ନୂତନ ବ୍ୟାବସାୟିକ ଧାରା ସୃଷ୍ଟି କରିଛି । ତେବେ ବାସ୍ତବ କ୍ଷେତ୍ରରେ ଏତାଦୃଶ ପରିବେଶ ବୃହତ ଆନ୍ତଃରାଷ୍ଟ୍ରୀୟ ବ୍ୟାବସାୟିକ ସଂଗଠନ ଆୟତ୍ତକୁ ଚ଼ାଲିଯାଉଥିବା ଲକ୍ଷ୍ୟ କରାଯାଏ । ସ୍ୱାଧୀନ, ଏକକ ତଥା ନିଷ୍ଠାବାନ ଉଦ୍ୟମ ପ୍ରତି ତତ୍ତ୍ୱଗତଭାବେ ସୁଯୋଗ ସୁବିଧା ଉପଲବ୍ଧ ଥିଲେହେଁ ତାହା ଅନେକ କ୍ଷେତ୍ରରେ ରୂପାୟନ ଓ ପରିଚ଼ାଳନାଜନିତ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଉଧେଇ ପାରି ନଥାଏ ।

ବ୍ୟାବସାୟିକ ପ୍ରଭାବମୁକ୍ତ ପରିବେଶ ଅଗ୍ରଣୀ ସାମ୍ୱାଦିକତା ‘ଇଲାଇଟ ଜର୍ଣ୍ଣାଲିଜମ’ ପ୍ରଚଳନରେ ସହାୟକ ହେବା ଆଶା କରାଯାଏ । ଏଥି ନିମନ୍ତେ ବିଜ୍ଞାପନ, ରାଜନୀତିକ କିମ୍ୱା ବ୍ୟବସାୟିକ ପୃଷ୍ଠପୋଷକତା ବିନା ଗ୍ରାହକ ଚ଼ାନ୍ଦା ପରିପୁଷ୍ଟ ଧାରାର ପ୍ରଚ଼ଳନ ଆବଶ୍ୟକ । ସତ୍ୟନିଷ୍ଟ ଉତ୍ତମ ସାଂବାଦିକତା ପ୍ରଯୋଜନା ନିମନ୍ତେ ଅର୍ଥ, ସମୟ ଓ ପ୍ରତିଭା ପ୍ରୟୋଜନ । ଏହାକୁ ଉପଭୋକ୍ତାମାନେ ଭରଣା କରିବା ଯୁକ୍ତିଯୁକ୍ତ ।

ପ୍ରଶ୍ନ ଉଠେ ସାଧାରଣ ବ୍ୟକ୍ତି ଭଲ ଖାଦ୍ୟ, ପୋଷାକ ତଥା ଜୀବନଯାତ୍ରା ପାଇଁ ପଇସାଖର୍ଚ୍ଚ କରିପାରୁଥିବା ସ୍ଥଳେ ଉତ୍ତମ ସମ୍ୱାଦ ଉତ୍ପାଦ ଆହରଣ ନିମନ୍ତେ କାହିଁକି ଖର୍ଚ୍ଚ କରିପାରିବେ ନାହିଁ ? ସମ୍ୱାଦ ମାଗଣା କିମ୍ୱା ଶସ୍ତାରେ ଉପଲବ୍ଧଥିବାବେଳେ ଲୋକେ କାହିଁକି ଏଥି ନିମନ୍ତେ ଅର୍ଥ ବ୍ୟୟ କରିବେ ବୋଲି ଭାବିବା ଠିକ ହେବ ନାହିଁ । ଉଚ୍ଚକୋଟିର ସମ୍ୱାଦ ପରିବେଷଣ ଉଦାହରଣ ପାରମ୍ପରିକ ମାନସିକତାକୁ ବଦଳାଇ ଦେଇପାରେ । ତେବେ ପ୍ରଶ୍ନ ଉଠେ ଏଥିପାଇଁ ମଧ୍ୟ ଯଦି ‘ନେଟଫ୍ଳିକ୍ସ’ ଭଳି ବଡ଼ ଧରଣର ଆର୍ଥିକ ନିବେଶ ଆବଶ୍ୟକ ପଡ଼େ ତେବେ ଏଭଳି ଉଦ୍ୟମ ବ୍ୟାବସାୟିକ ପ୍ରଭାବରୁ ମୁକ୍ତ ରହିପାରିବ କି ?

ସତ୍ୟ, ମିଥ୍ୟା ଓ ସମ୍ୱାଦର ତ୍ରିଭୂଜରେ ସାମ୍ୱାଦିକତା ଉନ୍ମେଷ କାଳରୁ ସହବସ୍ଥାନ କରି ଆସିଥିଲେ ହେଁ ପ୍ରଯୁକ୍ତି ବିଜ୍ଞାନର ସଦ୍ୟତମ ଉଦ୍ଭାବନମାନ ଉପଯୋଗ ସାମାଜିକ ବିଭ୍ରାଟର କାରଣ ପାଲଟୁଛି । ଏହାର ଉପଶମରେ ବୈଷୟିକ ଜ୍ଞାନ, ପ୍ରଶାସନିକ ନୀତିନିୟମ ଓ ଉପଭୋକ୍ତାଙ୍କ ସଚ଼େତନତାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଆଶା କରାଯାଇପାରେ । 

Related Post