ଆଜିର ଖାସ ଖବର
Sat. May 30th, 2026

ସମାଧାନ ସାମ୍ୱାଦିକତା

By Dainikasha Jul12,2024

ଆନ୍ତର୍ଜାତିକସ୍ତରରେ ବିବିଧ ବିକଳ୍ପ ସାମ୍ୱାଦିକତା ଧାରା ମଧ୍ୟରେ ମାର୍କିନ ସାମ୍ୱାଦିକତାରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ପ୍ରବର୍ତ୍ତିତ ‘ସମାଧାନ ସାମ୍ୱାଦିକତା’ ଅନ୍ୟତମ ଚର୍ଚ୍ଚିତ ଉପକ୍ରମ । ସମାଧାନ ସାମ୍ୱାଦିକତା ସାମାଜିକ ସମସ୍ୟାବଳୀ ସମାଧାନର ସୂତ୍ର ନିର୍ଦ୍ଧାରଣରେ ଲକ୍ଷ୍ୟବଦ୍ଧ । କୌଣସି ସାମାଜିକ ସମସ୍ୟାର ଗଭୀର ଅନୁଧ୍ୟାନ କରି ସମାଧାନ ଦିଗରେ ବିଭିନ୍ନ ସୂତ୍ରରୁ ପ୍ରଯୋଜିତ ଉଦ୍ୟମ ଅନୁଶୀଳନ ତଥା ଅନ୍ୟତ୍ର ଅନୁସୃତ ସଫଳ ଉଦାହରଣ ଉପସ୍ଥାପନ କରି ଦିଗଦର୍ଶନ ସମାଧାନ ସାମ୍ୱାଦିକତା ନାମିତ ।

ସମ୍ୱାଦ ରଚନା କାଳରେ ସଫଳତା ଓ ବିଫଳତା ପ୍ରଶଂସା ବା ସମାଲୋଚ଼ନାର ଶୀକାର ହୋଇଥାଏ । ସମାଧାନ ସାମ୍ୱାଦିକତାରେ ଉଭୟ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପଗୁଡ଼ିକ ବର୍ଣ୍ଣନାକୁ ଗୁରୁତ୍ୱ ଦିଆଯାଏ । ବିଫଳତାର ସମାଲୋଚନା ଅବସରରେ କେଉଁ ସବୁ କାରଣରୁ ଯୋଜନା ବାଟବଣା ହେଉଛି ସେ ସଂପର୍କରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରାଯାଏ । ସେହିପରି କ’ଣ ସବୁ ପଦକ୍ଷେପ ଗ୍ରହଣ କଲେ ସଫଳତା ହାସଲ ହୋଇପାରିବ ସେଦିଗରେ ମଧ୍ୟ ଆଲୋକପାତ ଗୁରୁତ୍ୱ ବହନ କରେ । ଏତଦ୍ୱାରା ସମାଜରେ ସକାରାତ୍ମକ ପ୍ରଭାବ ପଡୁଥିବା ପ୍ରମାଣିତ ।

ସମକାଳରେ ସାମ୍ୱାଦିକତାରେ ତୃଟି-ବିଚ୍ୟୁତି ବର୍ଣ୍ଣନା ସର୍ବାଗ୍ର ସ୍ଥାନ ଗ୍ରହଣ କରେ । ବିଗତ ଶତାଦ୍ଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ-ପର ତଥା ଜଗତୀକରଣ-ପୂର୍ବ ଅବସ୍ଥାରେ ବିଶ୍ୱବ୍ୟାପୀ ସାମ୍ୱାଦିକତାରେ ଅନୁସନ୍ଧାନମୂଳକ ସାମ୍ୱାଦିକତା ‘ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମ’ ପ୍ରାଧାନ୍ୟ ଲାଭ କରିଥିଲା । ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକରେ ମଧ୍ୟ ସେହି ପ୍ରବାହ ଜାରୀ ରହିଛି । କିନ୍ତୁ ମହାମରୀ-ପୂର୍ବ ଓ ମହାମାରୀ-ପର ଅବସ୍ଥାରେ ଆୟୋଜିତ କେତେକ ଗବେଷଣାରୁ ଇନଭେଷ୍ଟଗେଟିଭ ଜର୍ଣ୍ଣାଲିଜମର ଲୋକାଦୃତି କ୍ରମଶଃ ମଳିନ ପଡ଼ିଯାଇଥିବା ତଥ୍ୟ ମିଳିଛି । ମୋଟାମୋଟି ଭାବେ ଜାତୀୟ ଓ ଆନ୍ତର୍ଜାତିକସ୍ତରର ବଡ଼ ସମ୍ୱାଦ ‘ବିଗ ନିଉଜ’ ବଦଳରେ ଉପଭୋକ୍ତାମାନେ ଜନଜୀବନକୁ ପ୍ରଭାବିତ କରୁଥିବା ସ୍ଥାନୀୟ ସମ୍ୱାଦ ପ୍ରତି ଅନୁଗତ୍ୟ ପ୍ରକାଶ କରୁଛନ୍ତି । ନକାରାତ୍ମକ ସମ୍ୱାଦ ମାନସିକସ୍ତରରେ ଆଘାତ ପହୁଞ୍ଚାଉଥିବା ତଥା ସମ୍ୱାଦ ଚର୍ଚ୍ଚାରେ ପରିଚ଼ିତ ବର୍ଗରେ ଅଯଥା ଯୁକ୍ତିତର୍କରେ ଅଂଶଗ୍ରହଣକୁ ଏଡ଼ାଇବା ନିମନ୍ତେ ସମ୍ୱାଦ-ବିମୁଖ ମନୋଭାବ ପୋଷଣ କରୁଛନ୍ତି ।

ସମାଧାନ ସାମ୍ୱାଦିକତା ତୃଟି-ବିଚ୍ୟୁତି ବର୍ଣ୍ଣନାରେ ସୀମିତ ନରହି କେଉଁ କାରଣରୁ ସମସ୍ୟା ସମାଧାନ ହୋଇପାରୁନାହିଁ ଓ କେଉଁ ପନ୍ଥା ଅନୁସରଣ ଦ୍ୱାରା ସମାଧାନ ସମ୍ଭବପର ସେ ଦିଗରେ ଗୁରୁତ୍ୱ ପ୍ରଦାନ କରିଥାଏ । ମୌଳିକଭାବେ ସମାଧାନ ସାମ୍ୱାଦିକତାର ଚାରିଗୋଟି ଦିଗ ମଧ୍ୟରେ ପ୍ରଥମତଃ, ସାମାଜିକ ସମସ୍ୟା ସମାଧାନ ଦିଗରେ ଉଦ୍ୟମର ବିସ୍ତୃତ ବିବରଣୀ ଉପସ୍ଥାପନ, ଦ୍ୱିତୀୟତଃ ସେଦିଗରେ ବିଭିନ୍ନ ତୃଟି-ବିଚ୍ୟୁତି କାରଣ ନିର୍ଦ୍ଧାରଣ, ତୃତୀୟତଃ ସମାଧାନ କ୍ଷେତ୍ରରେ ସଫଳତାର ଉଦାହରଣ ବର୍ଣ୍ଣନା ଓ ଚ଼ତୁର୍ଥତଃ ସମସ୍ୟା ସମାଧାନ ଦିଗରେ ବିଫଳତା କିମ୍ୱା ସଫଳତାର ପ୍ରାମାଣିକ ତଥ୍ୟ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଥାଏ ।

ପାରମ୍ପରିକଭାବେ ସାମ୍ୱାଦିକତାରେ ସମସ୍ୟା ଓ ସମସ୍ୟା ସମାଧାନରେ ବିଫଳତା ବର୍ଣ୍ଣନା ପ୍ରାଧାନ୍ୟ ଲାଭ କରୁଥିବା ସ୍ଥଳେ ସମାଧାନ ସାମ୍ୱାଦିକତାରେ ବିଫଳତାର କାରଣ ଓ ଅନ୍ୟତ୍ର ସଫଳତାର ସୂତ୍ରାବଳୀ ଉପସ୍ଥାପିତ ହୋଇଥାଏ । ‘ଦି ନ୍ୟୂୟର୍କ ଟାଇମ୍ସ’ରେ ଟିନା ରୋଜନବର୍ଗ ଓ ଡ଼େଭିଡ଼ ବର୍ଣ୍ଣଷ୍ଟେନ ନାମକ ଦୁଇ ଜଣ ସାମ୍ୱାଦିକ ଦୀର୍ଘକାଳ ଧରି ‘ଫିକ୍ସେସ’ ନାମକ ଏକ ସାପ୍ତାହିକ ସ୍ତମ୍ଭ ରଚନା କରୁଥିଲେ । ବିଭିନ୍ନ ସାମାଜିକ ସମସ୍ୟାର ସୂତ୍ର ନିର୍ଦ୍ଧାରଣରେ ସମୃଦ୍ଧ ସ୍ତମ୍ଭଟି ଲୋକପ୍ରିୟତା ହାସଲ କରିଥିଲା । ‘ଫିକ୍ସେସ’ର ଅନୁଭୂତି ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଟିନା ଓ ଡ଼େଭିଡ଼ ୨୦୧୩ରେ ‘ସଲ୍ୟୁସନ୍ସ ଜର୍ଣ୍ଣାଲିଜମ ନେଟୱାର୍କ’ ନାମକ ସଂଗଠନ ଆରମ୍ଭ କରିଥିଲେ ।

‘ସଲ୍ୟୁସନ୍ସ ଜର୍ଣ୍ଣାଲିଜମ ନେଟୱାର୍କ’ ସାମ୍ୱାଦିକତାରେ ଉତ୍କର୍ଷ ବିକାଶ ଉଦ୍ଦେଶ୍ୟରେ ଗବେଷଣା ଓ ତାଲିମ ଦିଗରେ ସମର୍ପିତ । ପ୍ରଥମ ଦଶ ବର୍ଷ ମଧ୍ୟରେ ସମାଧାନ ସାମ୍ୱାଦିକତାର ବିଭବ ୩୦ ହଜାର ସାମ୍ୱାଦିକଙ୍କୁ ତାଲିମ ମାଧ୍ୟମରେ ପରିଚ଼ିତ କରାଯାଇଛି । ଏହାର ୱେବସାଇଟରେ ୨୦୨୩ ସୁଦ୍ଧା ୧୯୦ ଗୋଟି ରାଷ୍ଟ୍ରରୁ ସଂଗୃହୀତ ପ୍ରାୟ ୧୫ ହଜାର ସମାଧାନ ସମ୍ୱାଦର ଉଦାହରଣ ‘ସଲ୍ୟୁସନ୍ସ ଷ୍ଟୋରି ଟ୍ରେକର’ ସ୍ତମ୍ଭରେ ସ୍ଥାନିତ ହୋଇଛି । ସମାଧାନ ସାମ୍ୱାଦିକତା ଅଭ୍ୟାସ ଲାଗି ସାମ୍ୱାଦିକଙ୍କୁ ଏହା ପଥ ପ୍ରଦର୍ଶନ କରେ ।

ଟିନା ରୋଜନବର୍ଗ ‘ଭଏସ ଅଫ ଆମେରିକା’ ସହ ୨୦୨୨ରେ ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ଯେ ଆଧୁନିକ ସାମ୍ୱାଦିକତା ପ୍ରଚଳନ କାଳରୁ ସାମାଜିକ ସମସ୍ୟାବଳୀର ସମାଧାନ ନିମନ୍ତେ ସାମ୍ୱାଦିକମାନେ ଉଦ୍ୟମ ଜାରି ରଖି ଆସିଛନ୍ତି । ତେବେ ଏହାକୁ ସାମ୍ୱାଦିକତାର ଏକ ସ୍ୱତନ୍ତ୍ର ଦିଗ ରୂପେ ଚ଼ିହ୍ନଟ କରାଯାଇପାରିନଥିଲା । ସମାଧାନ ସାମ୍ୱାଦିକତାର ସ୍ୱତନ୍ତ୍ରତା ଉପଲବ୍ଧିରେ ଏହାର ଉପଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିପାରିଛି । ଅପରପକ୍ଷେ ସାମ୍ୱାଦିକତାରେ ପାରମ୍ପରିକ ଦୃଷ୍ଟିଭଙ୍ଗୀ ସାଧାରଣରେ ପରୀକ୍ଷା ନିରୀକ୍ଷାକୁ ପ୍ରଶୟ ଦିଏ ନାହିଁ । ତେବେ ଡ଼ିଜିଟାଲ ମଞ୍ଚର ପ୍ରସାର ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ପ୍ରଚଳିତ ସାମ୍ୱାଦିକତା ପରିବେଶରେ ବିଘଟନ ଏବଂ ମହାମାରୀ-ପର ଅବସ୍ଥାରେ ସମଗ୍ର ବିଶ୍ୱରେ ଦେଖା ଦେଇଥିବା ସମ୍ୱାଦ ବିମୁଖ ପରିବେଶର ମୁକାବିଲା ନିମନ୍ତେ ସମ୍ୱାଦ ମଞ୍ଚଗୁଡ଼ିକ ସମ୍ୱାଦ ପରିବେଷଣରେ ନୂତନ ଫର୍ଦ୍ଦ ଖୋଜୁଥିବା ହେତୁ ସମାଧାନ ସାମ୍ୱାଦିକତା ଏକ ବିକଳ୍ପ ପଥ ନିର୍ଦ୍ଧାରଣ କରିଛି ।

ଡ଼େଭିଡ଼ ବର୍ଣ୍ଣଷ୍ଟେନ ସମାଧାନ ସାମ୍ୱାଦିକତା ପ୍ରସାର ଦିଗରେ ଆଶାବାଦୀ । ‘ନେଇମାନ ଲାବ’ ସହ ୨୦୧୫ରେ ସାକ୍ଷାତକାରରେ କହିଥିଲେ ଯେ ଅନଲାଇନ ସମ୍ୱାଦ ମାଧ୍ୟମରେ ଅସତ୍ୟ ସମ୍ୱାଦ ପ୍ରସାରଣରେ ଅତିଷ୍ଠ ହୋଇ ସମ୍ୱାଦ ଉପଭୋକ୍ତା କ୍ରମଶଃ ମୂଳସ୍ରୋତର ମଞ୍ଚଗୁଡ଼ିକ ପ୍ରତି ବିମୁଖ ମନୋଭାବ ପୋଷଣ କରୁଛନ୍ତି । ପରିବର୍ତ୍ତିତ ପରିବେଶରେ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ ଦିଗରେ ଲକ୍ଷ୍ୟବଦ୍ଧ ଅନୁଷ୍ଠାନଗୁଡ଼ିକର ସଂଖ୍ୟା ବଢ଼ି ଚାଲିଛି । ଏତଦବ୍ୟତୀତ କେତେକ ସାମ୍ୱାଦିକ ସାମାଜିକ ସମସ୍ୟାବଳୀ ଅନୁଧ୍ୟାନ ଓ ନିରାକରଣ ନିମନ୍ତେ ଅଗ୍ରାଧିକାର ଦେଉଛନ୍ତି । ଏହି ସବୁ କାରଣ ସମାଧାନ ସାମ୍ୱାଦିକତା ପ୍ରସାର ଦିଗରେ ଅନୁକୂଳ । ପରିବର୍ତ୍ତିତ ପରିବେଶରେ ସାମ୍ୱାଦିକତା ବିଭିନ୍ନ ସାମାଜିକ ସମସ୍ୟା କ୍ଷେତ୍ରରେ ପ୍ରହରୀ ‘ୱାଚ଼ ଡଗ’ ଭୂମିକାରେ ଆବଦ୍ଧ ନରହି ସମାଧାନ ‘ସଲ୍ୟୁସନ୍ସ’ ଦିଗରେ ଅଂଶଗ୍ରହଣ ନିମନ୍ତେ ଆଗଭର ହେଉଛନ୍ତି ।

ବିଶ୍ୱର ବହୁ ବିକାଶଶୀଳ ଅର୍ଥନୀତିରେ ମହାମାରୀ-ପର ‘ନ୍ୟୂ-ନରମାଲ’ରେ ଗଣମାଧ୍ୟମ ସରକାରୀ ପ୍ରୋତ୍ସାହନ ଲାଭ ଆଶାରେ ଶାସକ ରାଜନୀତିକ ଦଳର ସ୍ତାବକ ପାଲଟୁଥିବା ଅଭିଯୋଗ ହୁଏ । ଏହା ସାମ୍ୱାଦିକତାର ମୌଳିକ ଉଦ୍ଦେଶ୍ୟ ଚରିତାର୍ଥରେ ପ୍ରତିବନ୍ଧକ ସାଜିଥାଏ । ଅପରପକ୍ଷେ ଏହି ପରିବେଶ ତତକ୍ଷଣାତ ବଦଳାଇବା ସଂଭବପର ମନେହୁଏନା । ନକାରାତ୍ମକ ସମ୍ୱାଦ ବଦଳରେ ସକାରାତ୍ମକ ସମ୍ୱାଦ ପରିବେଷଣ ବାଧ୍ୟବାଧକତାରେ ସାମ୍ୱାଦିକତା ନିଜର ସାମାଜିକ ଅଙ୍ଗୀକାର କାର୍ଯ୍ୟକାରୀ ନିମନ୍ତେ ସମାଧାନ ସାମ୍ୱାଦିକତା ପଦ୍ଧତି ଗ୍ରହଣ କରିପାରିବ ।

ଶାସନରେ ତୃଟିବିଚ୍ୟୁତିକୁ ସମାଲୋଚ଼ନା ବଦଳରେ କେତେକ କ୍ଷେତ୍ରରେ ଏହି ଭଳି ସମସ୍ୟାକୁ କିପରି ଅନ୍ୟତ୍ର ସମାଧାନ କରାଯାଇପାରୁଛି ତାହାର ପୁଙ୍ଖନାପୁଙ୍ଖ ବିବରଣୀ ପ୍ରକାଶ ସକାରାତ୍ମକ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ ହୋଇ ସରକାରୀ ରୋଷରୁ ବର୍ତ୍ତିଯିବା ସ୍ଥଳେ ସମସ୍ୟାର ସମାଧାନଲାଗି ସର୍ବସାଧାରଣରେ ମନୋବୃତ୍ତି ଗଢ଼ି ତୋଳିବାରେ ସହାୟକ ହୋଇପାରିବ । ବିକାଶ ସାମ୍ୱାଦିକତା ‘ଡ଼େଭଲପମେଣ୍ଟ ଜର୍ଣ୍ଣାଲିଜମ’ ଯୋଜନାବଦ୍ଧ ପ୍ରଗତି ପ୍ରକଳ୍ପ ରୂପାୟନରେ ସହାୟକ ହୋଇଥାଏ । ସମାଧାନ ସାମ୍ୱାଦିକତା ଅଣ-ଯୋଜନାବଦ୍ଧ ତଥା ବାସ୍ତବ କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାଧାନରେ ସହାୟକ ହେବା ଆଶା କରାଯାଇପାରେ । 

Related Post