ଆଜିର ଖାସ ଖବର
Wed. May 27th, 2026

ସମ୍ୱାଦ ଆହରଣର ବିକଳ୍ପ ଶୈଳୀ

By Dainikasha Jul12,2024

ସାଧାରଣରେ ସମ୍ୱାଦକୁ ଚଳନ୍ତି ପ୍ରବାହର ବିବରଣୀ ରୂପେ ଧରିନେଇ ଥାଉ। ଟେଲିଭିଜନ ପରକୁ ବର୍ତ୍ତମାନ ମୋବାଇଲ ଫୋନ ପରଦାରେ ବ୍ରେକିଂ ନିଉଜ ଆମର ଦୃଷ୍ଟି ଆକର୍ଷଣ କରିଥାଏ, ପରସ୍ପର ମଧ୍ୟରେ ଆଳାପ ଆଲୋଚ଼ନାର ବିଷୟବସ୍ତୁ ପାଲଟିଥାଏ । ତତ୍ କ୍ଷଣାତ କ’ଣ ଘଟୁଛି ସେ ସଂପର୍କରେ ଟୀକାଟିପ୍ପଣୀ ପାଇଁ ଦୌଡ଼ରେ ଅଣନିଶ୍ୱାସୀ ହୋଇଉଠୁ ।

କିନ୍ତୁ କିଛି ବ୍ୟକ୍ତି ଚଳନ୍ତି ପ୍ରବାହକୁ ଚହଲିଲା ପାଣି ଜ୍ଞାନ କରି ସେଥିରେ ହାତ ଦିଅନ୍ତି ନାହିଁ । ଘଟଣାର କିଛି କାଳ ପରେ ସେଥିରେ ମନୋନିବେଶ କରନ୍ତି । ସେଭଳି ଚ଼ରିତ୍ରମାନଙ୍କ ମଧ୍ୟରେ ଲେଖକ ଓ ଦୂରଦ୍ରଷ୍ଟା ରିଚ଼ାର୍ଡ଼ ୱାଟସନ ଅନ୍ୟତମ ।ସେହି ଭଦ୍ରବ୍ୟକ୍ତିଙ୍କ ସଂପର୍କରେ ଆମର ବିଶେଷ ପରିଚ଼ିତି ନାହିଁ । ତେବେ ସେ ଯେ ଲଣ୍ଡନ ଓ ସିଲିକନ ଭେଲିରେ ପ୍ରଯୁକ୍ତି ବିଜ୍ଞାନର ଭବିଷ୍ୟତ ସଂପର୍କରେ ପାଠ ପଢ଼ାନ୍ତି ସେତିକିରେ ତାଙ୍କରି ବୌଦ୍ଧିକ ସ୍ଥିତି ବେଶ ଠଉରାଇ ପାରିବା ।

ୱାଟସନ ସ୍ମାର୍ଟଫୋନ ବ୍ୟବହାର କରନ୍ତି ନାହିଁ । ରେଡ଼ିଓ, ଟେଲିଭିଜନ, ଅନଲାଇନ ବଦଳରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପୁରୁଣା ରବିବାସରୀୟ ସଂସ୍କରଣ ପଢ଼ି ସମ୍ୱାଦ ଜାଣନ୍ତି । ସାଂପ୍ରତିକ ଘଟଣାବଳୀ ସଂପର୍କରେ ତାଙ୍କରି ପ୍ରାୟ ଧାରଣା ନଥାଏ । ସମସ୍ତେ ଯାହା ଜାଣିବାକୁ ଚ଼େଷ୍ଟା କରନ୍ତି ସେଭଳି ଦୌଡ଼ରୁ ଅପସରି ଯାଇ ବିକଳ୍ପ ଧାରାରେ ସମ୍ୱାଦ ଆହରଣ କରିଥାନ୍ତି ।

ୱାଟସନ ଯେ ପ୍ରଯୁକ୍ତି ବିଜ୍ଞାନର ଭବିଷ୍ୟତ ସଂପର୍କରେ ବିଶ୍ୱର ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବକୃତା ଦିଅନ୍ତି, ତେଣୁ ତାଙ୍କରି ଅଧ୍ୟୟନ ଶୈଳୀର ସମ୍ୟକ ପରିଚ଼ିତି ଲାଗି ଅନେକେ ଅନିସିନ୍ଧୁତ୍ସୁ ହେବା ସ୍ୱାଭାବିକ । ଅଗ୍ରଣୀ ସମ୍ୱାଦ ପୋର୍ଟାଲ ‘କ୍ୱାଜ ଡ଼ଟ କମ’ରେ ୨୦୧୮ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପ୍ରକାଶିତ ୱାଟସନଙ୍କ ସହ ସାକ୍ଷାତକାର ତାଙ୍କରି ସମ୍ୱାଦ ଆହରଣର ବିକଳ୍ପ ଶୈଳୀ ସଂପର୍କରେ ଆଲୋକପାତ କରିଥିଲା ।

ୱାଟସନ କହନ୍ତି ପ୍ରଥମତଃ ନିର୍ବାଚ଼ିତ ସମ୍ୱାଦ ପଠନ ଅଭ୍ୟାସକୁ ସୁଦୃଢ କରିବାକୁ ପଡ଼ିବ । ପ୍ରତ୍ୟେକେ ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସୂତ୍ରରୁ ସମ୍ୱାଦ ଆହରଣ କରିଥାନ୍ତି । ତେବେ ଏଭଳି ଅଭ୍ୟାସକୁ ସଂଯତ କଲେ ସୁଫଳ ମିଳିଥାଏ ।

ସାଧାରଣ ପାଠକଙ୍କଠାରୁ ବୃତ୍ତିଧାରୀ ସମ୍ୱାଦସଂସ୍ଥାର ସମ୍ପାଦକଙ୍କ ପର୍ଯ୍ୟନ୍ତ କେହି ସମ୍ୱାଦ ସୂତ୍ରଗୁଡ଼ିକରେ ପ୍ରସାରିତ ସମସ୍ତ ସମ୍ୱାଦକୁ ଅକ୍ତିଆର କରିପାରନ୍ତି ନାହିଁ । ସଭିଁଏ ନିର୍ବାଚ଼ିତ ବିଭାଗ ତଥା ସେଥିରେ ଅନ୍ତର୍ଭୁକ୍ତ ନିର୍ବାଚ଼ିତ ସମ୍ୱାଦ ଅନୁସରଣ କରିଥାନ୍ତି । ସ୍ୱତଃପ୍ରବୃତ୍ତଭାବେ ସୃଷ୍ଟ ଏହି ପ୍ରକ୍ରିୟାର ସଚ଼େତନ ନିୟନ୍ତ୍ରଣ ଜ୍ଞାନବର୍ଦ୍ଧନରେ ସହାୟକ ହୋଇଥାଏ ।

ସରଳରେ କହିବାକୁ ଗଲେ ସମ୍ୱାଦପତ୍ର, ପତ୍ରପତ୍ରିକା, ରେଡ଼ିଓ, ଟେଲିଭିଜନ, ଚଳଚ଼ିତ୍ର ଓ ସୋସିଆଲ ମିଡ଼ିଆ ଇତ୍ୟାଦି ବିଭିନ୍ନ ସୂତ୍ରରୁ ଉପଲବ୍ଧ ବହୁ ବିଷୟରେ ବହୁ ସମ୍ୱାଦ ପ୍ରତି ଆକର୍ଷିତ ନ ହୋଇ ନିଜର ରୁଚ଼ି ଓ ଆବଶ୍ୟକତା ମତେ ନିର୍ଦ୍ଦିଷ୍ଟ କେତେକ ବିଷୟରେ ନିର୍ଦ୍ଦିଷ୍ଟ କେତେକ ଘଟଣାକ୍ରମ ଅନୁଧ୍ୟାନ କରିବା ଉଚ଼ିତ ।ପରିମାଣ ବଦଳରେ ଗୁଣାତ୍ମକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଦ୍ୱିତୀୟତଃ ଉପଲବ୍ଧ ସମ୍ୱାଦ ସୂତ୍ର ମଧ୍ୟରୁ ଯୁକ୍ତିଯୁକ୍ତ ଓ ତଥ୍ୟାଶ୍ରିତ ସୂତ୍ରଗୁଡ଼ିକ ଗୁରୁତ୍ୱ ବହନ କରିଥାଏ। ଉଦାହରଣରେ ସମ୍ୱାଦପତ୍ର ପୃଷ୍ଠାରେ ବହୁ ସୂତ୍ରରୁ ସମ୍ୱାଦମାନ ପ୍ରକାଶିତ ହୋଇଥାଏ । ପାଠକ ନିଜ ବିଚ଼ାରରେ ଉକୃଷ୍ଟ ମନେକରୁଥିବା ସୂତ୍ରଗୁଡ଼ିକୁ ଚ଼ିହ୍ନିତ କରିବା ଉଚ଼ିତ । ସମ୍ୱାଦପତ୍ରରେ ନିର୍ଦ୍ଦିଷ୍ଟ ସ୍ତମ୍ଭ ବା ଟେଲିଭିଜନରେ ନିର୍ଦ୍ଦିଷ୍ଟ ଭାଷ୍ୟକାରଙ୍କ ଅନୁଶୀଳନ ଅନୁସରଣ ସମସାମୟିକ ଘଟଣାକ୍ରମ ବିଶ୍ଳେଷଣରେ ସହାୟକ ହୋଇଥାଏ ।

ଇଣ୍ଟରନେଟ ମଞ୍ଚରେ ବିଭିନ୍ନ ବିଷୟରେ ସୁକ୍ଷ୍ମାତିସୁକ୍ଷ୍ମ ତତ୍ତ୍ୱ ବିଶ୍ଳେଷଣ ନିମନ୍ତେ ପ୍ରକାଶନମାନ ରହିଛି । ଉଦାହରଣରେ ଧୂଳିକଣା ସଂପର୍କରେ ଜଣେ ବୈଜ୍ଞାନିକ ଏକ ମାସିକ ଇ-ମେଲ ନିଉଜଲେଟର ପ୍ରକାଶ କରନ୍ତି । ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ଅନ-ଲାଇନରେ ଉପଯୁକ୍ତ ସମ୍ୱାଦ ସୂତ୍ରରେ ପହଞ୍ଚିବା ନିମନ୍ତେ ଉଦ୍ୟମ ଆବଶ୍ୟକ ।

ତୃତୀୟତଃ ଅନବରତ ମୌଳିକ ସମ୍ୱାଦ ଅନୁସରଣ ବଦଳରେ ସଂପୂର୍ଣ୍ଣ ଘଟଣାକ୍ରମ ବିଶ୍ଳେଷଣ ତଥା ଅଭିମତ ସମ୍ୱଳିତ ରଚ଼ନାପ୍ରତି ଗୁରୁତ୍ୱ ଦେଲେ ସେଥିରୁ ଆସ୍ୱାଦିତ ତଥ୍ୟାବଳୀ ଚ଼ିନ୍ତାରାଜ୍ୟକୁ ପରିପୁଷ୍ଟ କରିଥାଏ । ସମ୍ପାଦକୀୟ ପୃଷ୍ଠା ଓ ରବିବାସରୀୟ କ୍ରୋଡ଼ପତ୍ରରେ ପ୍ରକାଶିତ ରଚ଼ନାବଳୀରେ ସମସାମୟିକ ଘଟଣାବଳୀ ଉପରେ ଗଭୀର ବିଶ୍ଳେଷଣ ମିଳିପାରେ। ଏଭଳି ପଠନ ଅଭ୍ୟାସକୁ ଅଗ୍ରାଧିକାର ଦିଆଯିବା ଉଚ଼ିତ ।

ଚ଼ତୁର୍ଥରେ ଦୈନନ୍ଦିନ ଅଭ୍ୟାସର ବନ୍ଧନୀର ବାହାରକୁ ଯିବା ଉଦ୍ୟମ ସୁଫଳ ଦେଇଥାଏ । ବେଳେ ବେଳେ ପାଠକମାନେ ପରିଚ଼ିତ ସମ୍ୱାଦ ସୂତ୍ର ବଦଳରେ ଅଜଣା ପତ୍ରିକା ଓ ପୁସ୍ତକ ତଥା ଅପରିଚ଼ିତ ବ୍ୟକ୍ତିଙ୍କ ସହ କଥୋପକଥନରେ ସଂପୃକ୍ତ ହୋଇ ପଡ଼ନ୍ତି । ଏଭଳି ସୁଯୋଗ ନୂତନ ଅଭିଜ୍ଞତା ହାସଲରେ ସହାୟକ ହୋଇଥାଏ । ସେହିପରି ଭ୍ରମଣ ଅବସରରେ ନୂଆ ବିଷୟରେ ଜ୍ଞାନ ମିଳିଥାଏ ।

ଅନବରତ କଥୋପକଥନ ବଦଳରେ କିଛି ସମୟ ଶାନ୍ତ ପରିବେଶରେ କଟାଇଲେ କୌଣସି ବିଷୟରେ ଗଭୀର ଅନୁଧ୍ୟାନ ନିମନ୍ତେ ସୁଯୋଗ ସୃଷ୍ଟି କରେ । କହିବା ଅପେକ୍ଷା ଶୁଣିବା ଅଭ୍ୟାସ ଅନ୍ୟକୁ ବୁଝିବାରେ ସହାୟକ ହୋଇଥାଏ । ସମୟାନ୍ତେ କେବଳ ଚ଼ିନ୍ତା କରିବା ନିମନ୍ତେ କିଛି କିଛି ସମୟ ଚ଼ିହ୍ନଟ କରିପାରିଲେ ସର୍ଜନଶୀଳତା ବୃଦ୍ଧିପ୍ରାପ୍ତ ହୁଏ । କୁହାଯାଏ ଯେ ବିଲ ଗେଟସ ବର୍ଷରେ ଥରେ ଘନ ଜଙ୍ଗଲରେ ସପ୍ତାହେ କଟାଇଥାନ୍ତି ।ସାଥିରେ ଆଣିଥିବା ନୂତନ ଗବେଷଣା ପ୍ରସୂତ ସନ୍ଦର୍ଭମାନ ପଢ଼ନ୍ତି । ଏହି ଅବସରରେ ସୃଷ୍ଟ ଚ଼ିନ୍ତାଧାରା ତାଙ୍କୁ ବର୍ଷସାରା ସାହାଯ୍ୟ କରିଥାଏ ।

ପଞ୍ଚମତଃ ଉତ୍କର୍ଷତା ହାସଲ କରିବା ନିମନ୍ତେ ସାଧାରଣଜ୍ଞାନରୁ ଉର୍ଦ୍ଧ୍ୱଗାମୀ ହେବା ବିଧେୟ । ପ୍ରଚଳିତ ପ୍ରବାହର ବିପରୀତ ଦିଗରେ ଗତି କଲେ ହିଁ ଗଭୀର ଉପଲବ୍ଧି ସମ୍ଭବପର । ସମସ୍ତେ ଯେଉଁ ସମ୍ୱାଦ ଆହରଣ କରୁଛନ୍ତି ସେଥିରେ ବିଶେଷ ଗୁରୁତ୍ୱ ନଦେଇ ଭିନ୍ନଦୃଷ୍ଟିରୁ ଘଟଣାକ୍ରମକୁ ନିରୀକ୍ଷଣ କଲେ ନୂତନତ୍ୱର ସନ୍ଧାନ ମିଳିଥାଏ । ପ୍ରତିଦିନ କିଛି ସମୟ ପାଇଁ, ହୁଏତ ସନ୍ଧ୍ୟାକାଳରେ ସେଲଫୋନ, ଇଣ୍ଟରନେଟ, ଟେଲିଭିଜନ, ରେଡ଼ିଓ, ପତ୍ରପତ୍ରିକା ପ୍ରଭାବରୁ ମୁକ୍ତ ରହିବା ତଥା ସପ୍ତାହରେ ନିର୍ଦ୍ଦିଷ୍ଟ ସମୟରେ ଦୀର୍ଘ ସମୟଧରି ବିଚ୍ଛିନ୍ନ ପରିବେଶରେ ବିତାଇବାଅଭ୍ୟାସ ବ୍ୟକ୍ତିମାନସକୁ ଗଣମାଧ୍ୟମ ପ୍ରଭାବମୁକ୍ତ କରିବାରେ ସହାୟକ ହେଉଥିବା ବିଶ୍ୱାସ କରାଯାଏ ।

ବ୍ୟକ୍ତିକେନ୍ଦ୍ରୀକ ବିକଳ୍ପ ଶୈଳୀ ସମ୍ୱାଦ ଆହରଣ ଓ ପ୍ରକ୍ରିୟାକରଣସମ୍ୱାଦ ଶିଳ୍ପ ସହ ସଂପୃକ୍ତ ବୃତ୍ତିଧାରୀଙ୍କ ଦକ୍ଷତା ବିକାଶରେ ପ୍ରତିବିମ୍ୱିତ ହୋଇଥାଏ । 

Related Post