ଆଜିର ଖାସ ଖବର
Sat. May 30th, 2026

ସମ୍ୱାଦ ମଞ୍ଚକୁ ଅନାଦର 

By Dainikasha Jul12,2024

ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚକୁ ଅନାଦର ମହାମାରୀ-ପର ପରିବେଶରେ ଗଣମାଧ୍ୟମରେ ଏକ ଅସମାହିତ ସମସ୍ୟା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଆୟୋଜିତ ଅଧ୍ୟୟନରୁ ଜନସାଧାରଣ ସମ୍ୱାଦ ମଞ୍ଚ ବଦଳରେ ଅଣ-ସମ୍ୱାଦ ମଞ୍ଚଗୁଡ଼ିକରୁ ଅଧିକ ରାଜନୀତିକ ସମ୍ୱାଦ ପାଉଥିବା ହିସାବ ମିଳିଛି । ଖ୍ୟାତି ସମ୍ପନ୍ନ ଗବେଷଣା ପତ୍ରିକା ‘ପଲିଟିକାଲ କମ୍ୟୁନିକେସନ’ର ଅଗଷ୍ଟ ୨୦୨୩ରେ ପ୍ରକାଶିତ ଏକ ପ୍ରବନ୍ଧରେ ଦର୍ଶାଯାଇଛି ଯେ ପ୍ରତି ଦଶଗୋଟି ରାଜନୀତିକ ସମ୍ୱାଦ ଆହରଣ ଅବସରରେ ଜନସାଧାରଣ ସମ୍ୱାଦ ମଞ୍ଚରୁ ୩.୪ ଗୋଟି ପାଉଥିବା ସ୍ଥଳେ ଅଣ-ସମ୍ୱାଦ ମଞ୍ଚଗୁଡ଼ିକରୁ ୬.୬ ଗୋଟି ପାଇଥାନ୍ତି । ଏ ସଂପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା, ଦି ନେଦରଲ୍ୟାଣ୍ଡସ ଓ ପୋଲାଣ୍ଡରେ ସାତ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମତାମତ ସଂଗ୍ରହ କରାଯାଇଥିଲା ।

ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ନମୂନାଗୁଡ଼ିକ ମୁଖ୍ୟତଃ ଅନଲାଇନ ସମ୍ୱାଦ ଉପଭୋକ୍ତା । ଗବେଷକଗଣ ମତ ପ୍ରକାଶ କରିଥିଲେ ଯେ ଜନସାଧାରଣ ଦୈନନ୍ଦିନ ଅନଲାଇନ କାର୍ଯ୍ୟଧାରାରେ ସମ୍ୱାଦ ମଞ୍ଚରେ ଖୁବ କମ ସମୟ ବିତାଉଥିବା ଏବଂ ଯାବତୀୟ କାର୍ଯ୍ୟ ନିମନ୍ତେ ଦୀର୍ଘ ସମୟ ଉପସ୍ଥିତ ରହୁଥିବା ହେତୁ ଅଣ-ସମ୍ୱାଦ ମଞ୍ଚରୁ ରାଜନୀତିକ ସମ୍ୱାଦ ଗ୍ରହଣ ପରିମାଣ ସ୍ୱାଭାବିକଭାବେ ଅଧିକ ରହୁଛି । ସେମାନଙ୍କ ମତରେ ସମ୍ୱାଦ ମଞ୍ଚରୁ ସମ୍ୱାଦ ଏବଂ ଅଣ-ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣ ହେତୁ ବ୍ୟକ୍ତିର ରାଜନୀତିକ ଦୃଷ୍ଟିକୋଣ ପ୍ରଯୋଜନାରେ ବିଶେଷ ପ୍ରଭେଦ ପରିଦୃଷ୍ଟ ହୁଏନାହିଁ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ର ବରିଷ୍ଠ ଗବେଷକ ନିକ ନିଉମେନ ଅଗଷ୍ଟ ୨୦୨୩ରେ ‘ସମ୍ୱାଦର ଭବିଷ୍ୟତ’ ଶୀର୍ଷକ ଆଲୋଚ଼ନାଚକ୍ରରେ ଉଦବୋଧନ ଅବସରରେ ବ୍ରିଟେନରେ ୨୦୧୩ ସହ ୨୦୨୩ର ଗଣମାଧ୍ୟମ ପରିବେଶ ତୁଳନା କରି ଟେଲିଭିଜନ ଓ ମୁଦ୍ରଣ ମଞ୍ଚରୁ ଦର୍ଶକ ଓ ପାଠକ ଅପସାରଣ ତଥ୍ୟ ଉପସ୍ଥାପନ କରିଥିଲେ । ଟେଲିଭିଜନ ଦର୍ଶକ ସଂଖ୍ୟା ୨୦୧୩ରେ ୭୯ ପ୍ରତିଶତ ଥିବା ସ୍ଥଳେ ୨୦୨୩ରେ ୫୨ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ମୁଦ୍ରଣ ମଞ୍ଚର ପାଠକ ସଂଖ୍ୟା ୫୯ ପ୍ରତିଶତରୁ ଖସି ମାତ୍ର ୧୪ ପ୍ରତିଶତରେ ପହଞ୍ଚିଛି । ଅପରପକ୍ଷେ ସୋସିଆଲ ମିଡ଼ିଆ ଉପଭୋକ୍ତା ସଂଖ୍ୟା ୨୦୧୩ରେ ୨୦ ପ୍ରତିଶତ ଥିବା ସ୍ଥଳେ ୨୦୨୩ରେ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ସୋସିଆଲ ମିଡ଼ିଆରେ ଭିଡ଼ିଓ ମଞ୍ଚର ଦର୍ଶକ ସଂଖ୍ୟା ବୃଦ୍ଧି ପାଇଛି । ବ୍ରିଟେନରେ ୟୁଟ୍ୟୁବ ଉପଭୋକ୍ତା ସଂଖ୍ୟା ୨୦୧୪ରେ ୧୬ ପ୍ରତିଶତରୁ ୨୦୨୩ରେ ୨୦ ପ୍ରତିଶତରେ ପହଞ୍ଚିଛି । ହ୍ୱାଟସଆପ ସାତ ପ୍ରତିଶତରୁ ୧୬ ପ୍ରତିଶତ ବୃଦ୍ଧି ପାଇଥିବା ସ୍ଥଳେ ଫେସବୁକ ଉପଭୋକ୍ତା ସଂଖ୍ୟା ୩୬ ପ୍ରତିଶତରୁ ୨୮ ପ୍ରତିଶତକୁ ହ୍ରାସ ପାଇଛି । ସେଠାକାର ୧୮ରୁ ୨୪ ବର୍ଷ ବୟସ୍କ ଯୁବବର୍ଗ ସୋସିଆଲ ମିଡିଆକୁ ପ୍ରାଥମିକ ସମ୍ୱାଦ ସୂତ୍ରଭାବେ ଗ୍ରହଣ କରିଥାନ୍ତି । କେବଳ ୫୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବର୍ଗ ଟେଲିଭିଜନ ସମ୍ୱାଦ ଉପରେ ନିର୍ଭରଶୀଳ ।

ବିକଶିତ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣଙ୍କ ସମ୍ୱାଦ ବିମୁଖ ମନୋଭାବ ସ୍ପଷ୍ଟ ପ୍ରମାଣିତ । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ୨୦୧୫ ତୁଳନାରେ ୨୦୨୩ରେ ବ୍ରିଟେନରେ ସର୍ବାଧିକ ୨୭ ପ୍ରତିଶତ ଏବଂ ତାହା ପରକୁ ଫ୍ରାନ୍ସରେ ୨୩ ପ୍ରତିଶତ, ଜର୍ମାନୀରେ ୨୨ ପ୍ରତିଶତ, ଯୁକ୍ତରାଷ୍ଟ୍ର ଆମେରିକାରେ ୧୮ ପ୍ରତିଶତ ଜନସାଧାରଣଙ୍କ ମଧ୍ୟରେ ସମ୍ୱାଦ ପ୍ରତି ଆଗ୍ରହ କମିଛି । ଆନ୍ତର୍ଜାତିକସ୍ତରରେ ବ୍ରିଟେନ ଓ ଫ୍ରାନ୍ସର ସାମ୍ୱାଦିକତାର ଉତ୍କର୍ଷକୁ ପ୍ରଶଂସା କରାଯାଇଆସୁଥିବା ସ୍ଥଳେ ସେହି ଦୁଇ ରାଷ୍ଟ୍ରରେ ଜନସାଧାରଣ କ୍ରମଶଃ ସମ୍ୱାଦରୁ ଦୂରେଇ ଯାଉଥିବା ଚ଼ିନ୍ତାଜନକ ।

ସମ୍ୱାଦ ବିମୁଖ ପରିବେଶ ନିମନ୍ତେ ବିଶେଷଜ୍ଞମାନେ କେତେକ ମୁଖ୍ୟ କାରଣ ଚ଼ିହ୍ନଟ କରିଥାନ୍ତି । ପ୍ରଥମତଃ, ସୂଚ଼ନା ପ୍ରାଚୁର୍ଯ୍ୟ ସମ୍ୱାଦ ବିମୁଖ ପ୍ରବାହର ମୂଳ ଉତ୍ସ । ମହାମାରୀ-ପର ଅବସ୍ଥାରେ ଜନସାଧାରଣ ବିପୁଳ ପରିମାଣରେ ସୂଚ଼ନା ପାଉଥିବା ହେତୁ ସମ୍ୱାଦ ପ୍ରତି ବୀତସ୍ପୃହ ହୋଇପଡୁଥିବା କାରଣ ରୂପେ ଦର୍ଶାଯାଏ । ସ୍ମାର୍ଟଫୋନର ପ୍ରସାର ପରେ ପ୍ରତି କ୍ଷଣରେ ବିଭିନ୍ନ ସୂତ୍ରରୁ ସମ୍ୱାଦ ଜନସାଧାରଣଙ୍କ ହାତପାଆନ୍ତାରେ ଉପଲବ୍ଧ । କୌଣସି ସମ୍ୱାଦ ମଞ୍ଚକୁ ଯିବା ପୂର୍ବରୁ ସୋସିଆଲ ମିଡ଼ିଆରେ ସମ୍ୱାଦର ମୂଳ ସାର ଅବହିତ ହେବାପରେ ଉପଭୋକ୍ତା ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ କୌଣସି ବିଷୟରେ ଅଧିକ ତଥ୍ୟ ୟୁଟ୍ୟୁବ ବା ସର୍ଚ୍ଚ ଇଞ୍ଜିନରେ ଖୋଜୁଛି । ବିସ୍ତୃତ ବିବରଣୀ, ଅଭିମତ ବା ବିତର୍କ ନିମନ୍ତେ ଟେଲିଭିଜନ ବା ସମ୍ୱାଦପତ୍ରରେ ପହଞ୍ଚୁଛି ।

ଦ୍ୱିତୀୟତଃ, ବିଭିନ୍ନ ଗବେଷଣାରୁ ଜଣାଯାଏ ଯେ ସମ୍ୱାଦ ସଂସ୍ପର୍ଶରେ ଉପଭୋକ୍ତା କ୍ରୋଧ, ଉଦବିଗ୍ନତା, ଅସହାୟତା ଓ ଅବସାଦର ଶୀକାର ହେଉଥିବା ହେତୁ ସମ୍ୱାଦରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଉଦାହରଣରେ ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ମୁଦ୍ରାସ୍ପୀତି ଓ ୟୁକ୍ରେନ ଯୁଦ୍ଧ ସମ୍ୱାଦ ପ୍ରତି ଜନସାଧାରଣ ଆଗ୍ରହ ପ୍ରକାଶ କଲେ ନାହିଁ । ଗଣମାଧ୍ୟମ ତତ୍ତ୍ୱ ଅନୁଯାୟୀ ଅର୍ଥନୀତିକ ବିଶୃଙ୍ଖଳା ଓ ଯୁଦ୍ଧ ସମୟରେ ଲୋକେ ଅଧିକ ସମ୍ୱାଦ ପାଇବା ପାଇଁ ଆଗ୍ରହ ପ୍ରକାଶ କରିବା କଥା । ବିଶ୍ୱବ୍ୟାପୀ ଅବିଚାର, ଅନାଚାର ଓ ଅତ୍ୟାଚାର ବୃଦ୍ଧି ପାଇଚାଲିଥିବା ସ୍ଥଳେ ଏହାକୁ ରୋକିବାରେ ଅସମର୍ଥ ସାଧାରଣ ଜନତା ଏଭଳି ସମ୍ୱାଦରୁ ହିଁ ଦୂରେଇ ଯାଉଥିବା ପ୍ରତୀୟମାନ ହୁଏ ।

ତୃତୀୟତଃ, ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକର ବିଲୟ ନାଗରିକଙ୍କ ସମ୍ୱାଦପ୍ରତି ଅନାଦରର ଅନ୍ୟତମ କାରଣ ବିଚାର କରାଯାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସାପ୍ତାହିକ ସମ୍ୱାଦପତ୍ରଠାରୁ ଆରମ୍ଭ କରି ଡ଼ିଜିଟାଲ ମଞ୍ଚ ସ୍ୱାବଲମ୍ୱୀ ବ୍ୟାବସାୟିକ ମଡ଼େଲ ଅଭାବରୁ ଦୁର୍ଦ୍ଦଶାଗ୍ରସ୍ତ । ଫଳରେ ଗୁଣାତ୍ମକ ସାମ୍ୱାଦିକତା ସର୍ବାଧିକ କ୍ଷତିଗ୍ରସ୍ତ ହେଲା ଏବଂ ସାମଗ୍ରିକଭାବେ ସର୍ବସାଧାରଣରେ ସମ୍ୱାଦର ଯାଦୁକାରୀ ପ୍ରଭାବ ଲୋପ ପାଇବାକୁ ବସିଲା । ଜନଜୀବନରେ କାର୍ଯ୍ୟରେ ନ ଆସୁଥିବା ସମ୍ୱାଦ ପଢ଼ିବାକୁ, ଦେଖିବାକୁ ବା ଶୁଣିବାକୁ କେହି ପସନ୍ଦ କଲେ ନାହିଁ ।

ଚ଼ତୁର୍ଥତଃ, ବିକଶିତ ରାଷ୍ଟ୍ରଗୁଡ଼ିକରେ ଜନସାଧାରଣ ଅନଲାଇନ ସମ୍ୱାଦରେ ଅଭ୍ୟସ୍ତ ହୋଇସାରିଥିବା ଅବସରରେ ସମ୍ୱାଦ ଆହରଣ ନିମନ୍ତେ ଗ୍ରାହକ ଚାନ୍ଦା ପ୍ରଦାନରେ ପଛୁଆ ରହୁଛନ୍ତି । ଉଦାହରଣରେ ବ୍ରିଟେନରେ ଅନଲାଇନ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ନଅ ପ୍ରତିଶତ ସମ୍ୱାଦ ମଞ୍ଚର ଗ୍ରାହକ ଶ୍ରେଣୀଭୁକ୍ତ । ସମ୍ୱାଦର ଗୁଣବତ୍ତା ବିଚାରକୁ ନେଇ ସୀମିତ ସଂଖ୍ୟକ ସମ୍ୱାଦ ମଞ୍ଚକୁ ଅର୍ଥପ୍ରଦାନ କରିଥାନ୍ତି । ଅପରପକ୍ଷେ ପ୍ରାୟୋଜିତ ସମ୍ୱାଦ ସମୃଦ୍ଧ ବ୍ୟାବସାୟିକ ସମ୍ୱାଦ ମଞ୍ଚଗୁଡ଼ିକ ବିନା ମୂଲ୍ୟରେ ସମ୍ୱାଦ ବିତରଣରେ ଅଗ୍ରଣୀ ଥିବା ହେତୁ ଅଧିକ ସଂଖ୍ୟକ ଉପଭୋକ୍ତାଙ୍କୁ ଆକର୍ଷିତ କରିଥାଏ । ଫଳ ସ୍ୱରୂପ ସମ୍ୱାଦ ବଦଳରେ ବିସମ୍ୱାଦ ପ୍ରସାରିତ ହୋଇ ସାମ୍ୱାଦିକତା ପରିବେଶକୁ ବିଷାକ୍ତ ବଳୟକୁ ଟାଣିନିଏ ।

ପଞ୍ଚମତଃ, ଅନଲାଇନ ସମ୍ୱାଦ ମଞ୍ଚରେ କୃତ୍ରିମ ବୁଦ୍ଧିମତା ଭଳି ଅତ୍ୟାଧୁନିକ ବୈଷୟିକ କୌଶଳ ସମ୍ୱାଦ ଉପସ୍ଥାପନକୁ ଆକର୍ଷଣୀୟ ଗଢ଼ି ତୋଳିବ ବୋଲି ବିଶ୍ୱାସ କରାଯାଉଛି । ସମୟକ୍ରମେ ସମ୍ୱାଦ ପାଠକ ନିଜସ୍ୱ ରୁଚିର ସମ୍ୱାଦ-ସଜ୍ଜା ଚାହୁଁଥିବା ସ୍ଥଳେ କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ସ୍ୱତନ୍ତ୍ର ସଂସ୍କରଣ ପ୍ରସ୍ତୁତି ସଂଭବ ହୋଇପାରିବ । ସମ୍ୱାଦ ମଞ୍ଚରେ ବିବିଧତା ପାଠକ, ଦର୍ଶକ ଓ ଶ୍ରୋତାଙ୍କୁ ଫେରାଇ ଆଣିବା ଆଶା ସାମ୍ୱାଦିକତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିବ ।

ସମ୍ୱାଦ ବିମୁଖ ପରିବେଶରେ ବିକଶିତ ରାଷ୍ଟ୍ରଗୁଡ଼ିକର ସ୍ଥିତାବସ୍ଥା ଭାରତ ବା ଓଡ଼ିଶା ଭଳି ବିକାଶଶୀଳ ସମାଜରେ ଊଣାଅଧିକ ପ୍ରତିଫଳିତ ହେବା ନିଶ୍ଚିତ । ତେବେ ସମ୍ଭାବ୍ୟ ପରିବର୍ତ୍ତନର ଆଗୁଆ ସୂଚ଼ନା ଭିତ୍ତିରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ନିଜ ସମ୍ପାଦକୀୟ ଓ ବ୍ୟାବସାୟିକ ମଡ଼େଲ ପୁର୍ନବିନ୍ୟାସର ସମୟ ଉପନୀତ । ସମ୍ୱାଦ ମଞ୍ଚର ଅନାଦର ଏକ ଗୁରୁତର ସମସ୍ୟା ଏବଂ ଏହା ଅସମାହିତ ସ୍ତରରେ ଥିବା ହେତୁ ପ୍ରତ୍ୟେକ ସମ୍ୱାଦ ମଞ୍ଚ ନିଜକୁ ସୁହାଇଲା ଭଳି ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ଦିଗରେ ଅବହେଳା ଘାତକ ସାଜିପାରେ । 

Related Post