ସାମ୍ୱାଦିକତାରେ ବିଶ୍ୱସନୀୟତା ସଂକଟ ୨୦୨୦ ଗଣମାଧ୍ୟମ ସମସ୍ୟା ବିତର୍କରେ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ । ବିଶ୍ୱବ୍ୟାପୀ ମୁଦ୍ରିତ ସମ୍ୱାଦପତ୍ରଠାରୁ ଆରମ୍ଭ କରି ଅନଲାଇନ-ନିଉଜ ପୋର୍ଟାଲ ଯାଏଁ ବିଭିନ୍ନ ସମ୍ୱାଦ ଉତ୍ପାଦକୁ ପାଠକ ଓ ଦର୍ଶକମାନେ ଏଣିକି ପୂର୍ଣ୍ଣ ବିଶ୍ୱାସ କରିବାରେ ପଛଘୁଞ୍ଚା ଦେଉଥିବା ଗବେଷଣାରୁ ଜଣାଯାଏ । ବ୍ରିଟେନର ‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ର ୨୦୨୦ ବାର୍ଷିକ ଗଣମାଧ୍ୟମ ପୂର୍ବାନୁମାନ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ୩୨ ଗୋଟି ରାଷ୍ଟ୍ରର ୪୮ ଜଣ ସମ୍ୱାଦ ମଞ୍ଚର ସମ୍ପାଦକ, ୩୦ ଜଣ ପରିଚାଳକ ସମେତ ୨୩୩ ଜଣ ବୃତ୍ତିଧାରୀଙ୍କ ମତାମତ ସଂଗୃହୀତ ହୋଇଥିଲା । ସାମ୍ୱାଦିକତାରେ ବିଶ୍ୱସନୀୟତା ହ୍ରାସ ଓ ପାଠକମାନେ ସମ୍ୱାଦ ଆହରଣରୁ ଦୂରେଇ ଯାଉଥିବା ପ୍ରବାହରେ ସର୍ବେକ୍ଷଣରେ ଅଂଶଗ୍ରହଣକାରୀମାନେ ଉଦବେଗ ପ୍ରକାଶ କରିଥିଲେ ।
ପାଶ୍ଚାତ୍ୟ ଭୂଖଣ୍ଡରେ ଡ଼ିଜିଟାଲ ମଞ୍ଚରେ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ୟୁରୋପୀୟ ମେଣ୍ଟରୁ ବ୍ରିଟେନର ଅପସାରଣ ‘ବ୍ରେକ୍ସିଟ’ ଜନମତ ଅବସରରେ ଅସତ୍ୟ ସମ୍ୱାଦ ‘ଫେକନିଉଜ’ ବିଭ୍ରାଟ ସୃଷ୍ଟି କରିଥିବା ନେଇ ଅବଗତ ହେବାପରେ ଉପଭୋକ୍ତା ସମ୍ୱାଦଶିଳ୍ପର କାର୍ଯ୍ୟଶୈଳୀରେ କ୍ଷୁବ୍ଧ ହୋଇଥିଲେ । ଅସତ୍ୟ ସମ୍ୱାଦ ପ୍ରସାରକୁ ପ୍ରତିହତ କରିବା ନିମନ୍ତେ ତଥ୍ୟ ସମୀକ୍ଷା ‘ଫେକ୍ଟଚେକ’ ପଦ୍ଧତି ଆରମ୍ଭ କରାଯାଇଥିଲା । ତେବେ ଏହି ଉଦ୍ୟମ ଫଳବତୀ ହୋଇପାରି ନଥିବା ସାଧାରଣବର୍ଗରେ ବିଶ୍ୱାସ । ଅସତ୍ୟ ସମ୍ୱାଦ ପ୍ରସାରକୁ ରୋକିବା ନିମନ୍ତେ ବିକଳ୍ପ ପଦକ୍ଷେପ ଗ୍ରହଣ ସପକ୍ଷରେ ସର୍ବେକ୍ଷଣରେ ଅଂଶଗ୍ରହଣକାରୀ ମତ ପୋଷଣ କରିଥିଲେ ।
ଇଣ୍ଟରନେଟ ଓ ସୋସିଆଲ ମିଡ଼ିଆର ଦୁରୋପଯୋଗ ନିୟନ୍ତ୍ରଣ କରିବା ନିମନ୍ତେ ୨୦୨୦ରେ ବିଭିନ୍ନ ରାଷ୍ଟ୍ରର ସରକାର ଏବଂ ପ୍ରସାରଣ ମଞ୍ଚ ପରିଚାଳକମାନଙ୍କ ଦ୍ୱାରା ବ୍ୟାପକ ନୀତିନିୟମ ପ୍ରଣୟନ ଆଶା କରାଯାଉଥିଲେ ସୁଦ୍ଧା ସେଗୁଡ଼ିକ ଫଳପ୍ରଦ ହେବନାହିଁ ବୋଲି ସର୍ବେକ୍ଷଣରେ ଅଂଶ ଗ୍ରହଣକାରୀଙ୍କ ମଧ୍ୟରୁ ୫୬ ପ୍ରତିଶତ ମତବ୍ୟକ୍ତ କରିଥିଲେ । କେବଳ ୧୮ ପ୍ରତିଶତ ଆଶାବାଦୀ ଥିବା ଜଣାଯାଇଥିଲା ।
ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆର ପ୍ରସାର ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ଆହରଣରେ ଚଞ୍ଚଳମନ‘ ଫ୍ରେଗମେଣ୍ଟଡ଼ ଏଟେନସନ’ ପ୍ରସାର, ବିଜ୍ଞାପନ ଆଶ୍ରିତ ବ୍ୟାବସାୟିକ ମଡ଼େଲରେ ବ୍ୟାଘାତ ଏବଂ ସମ୍ୱାଦ ପ୍ରଯୋଜନାରେ ବୃତ୍ତିଧାରୀ ସମ୍ପାଦକମାନଙ୍କ ଭୂମିକା ଖର୍ବରେ ପର୍ଯ୍ୟବସିତ ହୋଇଥିଲା । ଡ଼ିଜିଟାଲ ମଞ୍ଚରେ କାର୍ଯ୍ୟରତ ସମ୍ପାଦକ ଓ ପରିଚାଳକମାନଙ୍କ ମତରେ ତୃତୀୟ ଦଶକରେ ପାରମ୍ପରିକ ଗଣମାଧ୍ୟମ ପରିବେଶର ପୁନଃବିନ୍ୟାସ କରି ବିଶ୍ୱସନୀୟତା ସ୍ଥାପନ ପାଇଁ ଉଦ୍ୟମ ଅବ୍ୟାହତ ରହିବ । ଅବଶ୍ୟ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ କାରିଗରୀ କୌଶଳ ଉପଯୋଗ ସମ୍ୱାଦ ପରିବେଷଣ ଓ ବିଜ୍ଞାପନ ପ୍ରଦର୍ଶନରେ ନୂତନ ସମସ୍ୟାମାନ ସୃଷ୍ଟି କରିପାରେ । ଇଣ୍ଟରନେଟ ମଞ୍ଚରେ ବ୍ୟାପକ ତଥ୍ୟ ‘ବିଗ ଡ଼ାଟା’ ଓ ଅଡ଼ିଓ ପ୍ରାଧାନ୍ୟତା ‘ଭଏସ-ବେସଡ଼ ଇଣ୍ଟରଫେସ’ ଭଳି ପ୍ରଯୁକ୍ତି ବିଦ୍ୟା ଉପଭୋକ୍ତାଙ୍କଲାଗି ସମ୍ୱାଦ ଆହରଣରେ ନୂତନ ଅନୁଭୂତିର କାରଣ ପାଲଟିପାରେ ।
କ୍ଳାଉଡ଼ କମ୍ପ୍ୟୁଟିଂରେ ଅସୀମିତ ସମ୍ୱାଦ ଓ ତଥ୍ୟର ଉପସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ପାଠକମାନଙ୍କୁ ସେମାନଙ୍କ ରୁଚି ଓ ଆବଶ୍ୟକତା ମୁତାବକ ସ୍ୱୟଂକ୍ରିୟ ପଦ୍ଧତିରେ ପାଠ୍ୟ, ଚ଼ିତ୍ର ଓ ଭିଡ଼ିଓ ଯୋଗାଇବାରେ ସମର୍ଥ ହୋଇଥାଏ । ଏହିଭଳି ସୁବିଧା ସୁଯୋଗ ବ୍ୟବହାରରେ ସମ୍ୱାଦ ମଞ୍ଚର ସମ୍ପାଦକୀୟ ବିଭାଗଗୁଡ଼ିକ ଉପକୃତ ହୋଇପାରିବେ । ୨୦୨୦ରେ ଏଦିଗରେ ଅଗ୍ରଗତି ନେଇ ୫୩ ପ୍ରତିଶତ ସର୍ବେକ୍ଷଣରେ ଅଂଶଗ୍ରହଣକାରୀ ଆଶାବାଦୀ ଥିଲେ । ସମ୍ୱାଦ ଉତ୍ପାଦ ବିତରଣରେ ୩୫ ପ୍ରତିଶତ ଉଭୟ ଗ୍ରାହକ ଚାନ୍ଦା ଓ ବିଜ୍ଞାପନକୁ ଗୁରୁତ୍ୱ ଦେଇଥିବା ସ୍ଥଳେ ୧୪ ପ୍ରତିଶତ କେବଳ ବିଜ୍ଞାପନକୁ ଆୟର ମୁଖ୍ୟ ସୂତ୍ର ଅଭିହିତ କରିଥିଲେ ।
ରଏଟର ଇନଷ୍ଟିଟିଉଟର ୨୦୨୦ ଗଣମାଧ୍ୟମ ପୁର୍ବାନୁମାନ ରିପୋର୍ଟରୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ଗଣମାଧ୍ୟମ ଶିଳ୍ପର ସମ୍ଭାବ୍ୟ ଭବିଷ୍ୟତ ସଂପର୍କରେ କେତେଗୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରିବେ । ପ୍ରଥମତଃ, ଡ଼ିଜିଟାଲ ମଞ୍ଚ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି ଏବଂ ଓଡିଶାରେ ନିକଟ ଭବିଷ୍ୟତରେ ମୁଦ୍ରିତ ସମ୍ୱାଦପତ୍ରକୁ ହଟାଇବା ସମ୍ଭବ ନଥିଲେ ହେଁ ଓଡ଼ିଶାରେ ମଧ୍ୟ ଡ଼ିଜିଟାଲ ମଞ୍ଚ ଲୋକପ୍ରିୟତା ହାସଲ କରିବ । ଦ୍ୱିତୀୟତଃ, ଡ଼ିଜିଟାଲ ମଞ୍ଚରେ ଅତ୍ୟାଧୁନିକ କାରିଗରୀ କୌଶଳ ପ୍ରୟୋଗ ଏହାକୁ ଉପଭୋକ୍ତାଙ୍କ ଲାଗି ଅଧିକ ବ୍ୟବହାରଯୋଗ୍ୟ ଗଢ଼ି ତୋଳିବ । ତୃତୀୟତଃ, ସରକାରୀ ଓ ବ୍ୟାବସାୟିକ ବିଜ୍ଞାପନ ଆୟ ସହିତ ଗ୍ରାହକ ଚାନ୍ଦା ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ । କାରଣ ବ୍ୟବସାୟରେ ହଠାତ ପଟ୍ଟପରିବର୍ତ୍ତନ ସର୍ବଦା ବିପଦଶଙ୍କୁଳ । ଚ଼ତୁର୍ଥତଃ, ଡ଼ିଜିଟାଲ ମଞ୍ଚ ମୂଳରୁ ବିଶ୍ୱସନୀୟତା ହରାଇ ବସିଥିବା ସ୍ଥଳେ ମୁଦ୍ରିତ ସମ୍ୱାଦ ଶିଳ୍ପ ତାହାର ଅନୁସରଣରେ ଅସତ୍ୟ ସମ୍ୱାଦ ପ୍ରକାଶନରୁ ନିଜକୁ ମୁକ୍ତ ରଖିବାଲାଗି ଉଦ୍ୟମ କରିବା ଆବଶ୍ୟକ । ପଞ୍ଚମତଃ, ଉଭୟ ମୁଦ୍ରିତ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚ କ୍ଷେତ୍ରରେ ଗ୍ରାହକଚାନ୍ଦା ଆଶ୍ରିତ ମଡ଼େଲ ସର୍ବାପେକ୍ଷା ବ୍ୟାବସାୟିକ ନିରାପତ୍ତା ପ୍ରଦାନ କରୁଥିବା ହେତୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗୁଣାତ୍ମକ ସମ୍ୱାଦିକତା ପ୍ରତି ଧ୍ୟାନ ଦେବା ବୁଦ୍ଧିମତ୍ତାର ପରିଚୟ ଦେବ ।
ସାମ୍ୱାଦିକତାରେ ବିଶ୍ୱସନୀୟତା ସଂକଟ ସଂପର୍କରେ ସାମ୍ୱାଦିକତା ବୃତ୍ତିଧାରୀଙ୍କ ସହ ଉପଭୋକ୍ତାମାନେ ମଧ୍ୟ ପ୍ରଭାବିତ ହୋଇଥିବା ଗବେଷଣାରୁ ଜଣାଯାଏ । ଯୁକ୍ତରାଷ୍ଟ୍ର ଆମେରିକାଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ନାଗରିକମାନେ ଦୈନିକ ହାରାହାରି ୧୨ ଘଣ୍ଟା ଯାଏଁ ଗଣମାଧ୍ୟମ ସହ ସଂପୃକ୍ତ ରହୁଥିବା ସ୍ଥଳେ କ୍ରମାଗତଭାବେ ତତ୍କାଳ ସମ୍ୱାଦ ସଂସ୍ପର୍ଶରେ ଆସିବା ସ୍ୱାଭାବିକ । ଏହି ପରିପ୍ରେକ୍ଷୀରେ ସାମ୍ୱାଦିକତାରେ ବିଶ୍ୱସନୀୟତା ହ୍ରାସ ଜନଜୀବନକୁ ପ୍ରଭାବିତ କରୁଥିବାରୁ ଉଦବେଗ ପ୍ରକାଶ ପାଇଥାଏ ।‘ନାଇଟ ଫାଉଣ୍ଡେସନ’ ପକ୍ଷରୁ ଗବେଷଣା ସଂସ୍ଥା ‘ଗେଲାପ’ ଆନୁକୂଲ୍ୟରେ ୨୦୧୭ରେ ଆୟୋଜିତ ଅନ୍ୟ ଏକ ସର୍ବେକ୍ଷଣରେ ୧୯ ହଜାର ମାର୍କିନ-ନାଗରିକଙ୍କ ସାମ୍ୱାଦିକତାରେ ବିଶ୍ୱସନୀୟତା ଏବଂ ଗଣତନ୍ତ୍ର ସଂପର୍କରେ ମତାମତ ଏକତ୍ରୀତ କରାଯାଇଥିଲା । ଏଥିରୁ ସମକାଳୀନ ସାମ୍ୱାଦିକତାରୁ ନାଗରିକଙ୍କ ବିଶ୍ୱାସ ତୁଟିଆସୁଥିବା ସୂଚିତ ହୋଇଥିଲା ।
ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ୪୩ ପ୍ରତିଶତ ମାର୍କିନ ନାଗରିକ ସାଂବାଦିକତା ଉପରୁ କ୍ରମଶଃ ବିଶ୍ୱାସ ହରାଉଥିବା ସ୍ଥଳେ ମାତ୍ର ୩୩ ପ୍ରତିଶତ ସାଂବାଦିକତାକୁ ବିଶ୍ୱାସଯୋଗ୍ୟ ମନେ କରିଥାନ୍ତି । ସମ୍ୱାଦ ସହ ଅଭିମତ ମିଶି ରହୁଥିବା ନେଇ ୬୬ ପ୍ରତିଶତ ଅଭିଯୋଗ ବାଢ଼ିଥିଲେ । ଏହି ବର୍ଗରେ ୧୯୮୪ରେ ଆୟୋଜିତ ପୂର୍ବ ସର୍ବେକ୍ଷଣରେ ୪୨ ପ୍ରତିଶତ ହିସାବ କରାଯାଇଥିଲା । ପ୍ରସାରିତ ସମ୍ୱାଦର ସତ୍ୟତା ପରଖିବା କଷ୍ଟକର ହୋଇପଡୁଥିବା ୫୮ ପ୍ରତିଶତ ସ୍ୱୀକାର କରିଥିଲେ । ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ଦଶଜଣ ନାଗରିକଙ୍କ ମଧ୍ୟରୁ ଆଠ ଜଣ ଗଣତନ୍ତ୍ରର ସୁରକ୍ଷାରେ ସାମ୍ୱାଦିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବିଚାର କରୁଥିବା ହିସାବ କରାଯାଇଥିଲା ।
ମାର୍କିନ ସାମ୍ୱାଦିକତା, ପାଠକ ଓ ଦର୍ଶକ ମଣ୍ଡଳୀ ସଂପର୍କୀତ ତଥ୍ୟ ଅନ୍ୟତ୍ର, ମୁଖ୍ୟତଃ ଓଡ଼ିଶା ଲାଗି ପ୍ରଯୁଜ୍ୟ ନହେଲେ ହେଁ ସ୍ଥାନୀୟ ପରିବେଶରେ ଗବେଷଣା ଅଭାବ କାରଣରୁ ଅନ୍ତତଃପକ୍ଷେ ସୂଚ଼କାଙ୍କ ଭାବେ ବିଶ୍ୱାସ କରାଯାଇପାରେ । ସାମ୍ୱାଦିକତାରେ ବିଶ୍ୱସନୀୟତା ବଜାୟ ରଖିବା ନିମନ୍ତେ ମୁଦ୍ରଣ, ଟେଲିଭିଜନ ଓ ଇଣ୍ଟରନେଟ ମଞ୍ଚର ସମ୍ପାଦକୀୟ ନୀତିରେ ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ।
ପ୍ରଥମତଃ ସମ୍ୱାଦ, ଅଭିମତ ଓ ବିଜ୍ଞାପନର ଦୃଶ୍ୟମାନ ବିଭକ୍ତିକରଣ ‘ମାର୍କେବଲ ଡ଼ିଷ୍ଟେନସିଏସନ’ କରିବାକୁ ପଡ଼ିବ । ସାମ୍ୱାଦିକତା ଉତ୍ପାଦରେ ଅଭିମତ ଓ ବିଜ୍ଞାପନ ଅବିଚ୍ଛେଦ୍ୟ, କିନ୍ତୁ ସମ୍ୱାଦ ଆଙ୍ଗୀକରେ ସାମିଲ କରିବା ନୀତିଗତ ଦୃଷ୍ଟିରୁ ସର୍ବଦା ବର୍ଜନୀୟ । ଅଭିମତ ଓ ବିଜ୍ଞାପନ ପ୍ରକାଶନ କାଳରେ ସେଗୁଡ଼ିକର ବର୍ଗ ସୂଚ଼ିତ ହେବା ଆବଶ୍ୟକ । ଫଳରେ ପାଠକ ଓ ଦର୍ଶକମାନେ କେଉଁଟି ସମ୍ୱାଦ, କେଉଁଟି ଅଭିମତ ଓ କେଉଁଟି ବିଜ୍ଞାପନ ସ୍ୱଷ୍ଟରୂପେ ଜାଣିପାରିବେ ଏବଂ ସମ୍ୱାଦ ସୂତ୍ର ପ୍ରତି ସେମାନଙ୍କ ବିଶ୍ୱାସ ସ୍ଥାପିତ ହେବ ।
ଦ୍ୱିତୀୟତଃ, ସମ୍ୱାଦ ପ୍ରକାଶନ କାଳରେ ସ୍ଥଳବିଶେଷରେ ଭୂଲଭଟ୍ଟକା ରହିଯାଇଥାଏ । ଏହା ସ୍ୱାଭାବିକ । ତେବେ ସମ୍ୱାଦ ଉତ୍ପାଦଗୁଡ଼ିକ ପ୍ରକାଶ କାଳରେ ପୂର୍ବ ପ୍ରକାଶିତ ବିଷୟଜନିତ ଭୂଲଭଟ୍ଟକା ସଂଶୋଧନଗୁଡ଼ିକୁ ମଧ୍ୟ ନିୟମିତ ପ୍ରକାଶ କରିବା ଉପଭୋକ୍ତାଙ୍କ ବିଶ୍ୱସନୀୟତା ବୃଦ୍ଧିରେ ସାହାଯ୍ୟ କରିବ । ପ୍ରକାଶିତ ସମ୍ୱାଦରେ ତୃଟିବିଚ୍ୟୁତିକୁ ସାମ୍ୱାଦିକ, ପାଠକ କିମ୍ୱା ସମ୍ୱାଦରେ ଚର୍ଚ୍ଚିତ ସୂତ୍ରମାନେ ‘ନିଉସ ସୋର୍ସେସ’ ଚ଼ିହ୍ନଟ କରିପାରନ୍ତି । ଏକ୍ଷେତ୍ରରେ ସତ୍ୟର ଉଦଘାଟନ ନିମନ୍ତେ ସମସ୍ତଙ୍କୁ ସମାନ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।
ତୃତୀୟତଃ, ସାମ୍ୱାଦିକମାନେ କିପରି ପାଠକ ଓ ଦର୍ଶକମାନଙ୍କ ସହ ମୁହାଁମୁହିଁ ‘ଫେସ-ଟୁ-ଫେସ’ ଆଲୋଚ଼ନାରେ ଅଂଶଗ୍ରହଣ କରିପାରିବେ ସେଦିଗରେ ସୁବିଧା ସୁଯୋଗ ସମ୍ୱାଦ ପ୍ରକାଶକମାନଙ୍କ ପକ୍ଷରୁ ଆୟୋଜନ ତାତ୍ପର୍ଯ୍ୟପୂର୍ଣ୍ଣ । ଏତଦ୍ୱାରା ଉପଭୋକ୍ତାଙ୍କ ସାମ୍ୱାଦିକ ଓ ସାମ୍ୱାଦିକତା ପ୍ରତି ବିଶ୍ୱାସ ବୃଦ୍ଧିରେ ସହାୟକ ହେବ । ପାଶ୍ଚାତ୍ୟ ଭୂଖଣ୍ଡରେ ଆୟୋଜିତ ସର୍ବେକ୍ଷଣରୁ ଜଣାଯାଏ ଯେ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୨୧ ପ୍ରତିଶତ ଜୀବନରେ ଥରେଅଧେ କୌଣସି ଜଣେ ସାମ୍ୱାଦିକଙ୍କ ସହ ସାକ୍ଷାତ କରିଥିଲେ । ସାମ୍ୱାଦିକତାରେ ବିଶ୍ୱସନୀୟତା ବୃଦ୍ଧିଲାଗି କିପରି ଅଧିକରୁ ଅଧିକ ଉପଭୋକ୍ତା ସାମ୍ୱାଦିକମାନଙ୍କ ନିକଟତର ହୋଇପାରିବେ ସେଦିଗରେ ତତ୍ପରତା ପ୍ରକାଶ ବାଞ୍ଛନୀୟ ।
ଚ଼ତୁର୍ଥତଃ, ସାମ୍ୱାଦିକମାନେ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦ ରଚନା କାଳରେ ବିଷୟ ଚୟନ, ତଥ୍ୟ ସଂଗ୍ରହ, ନିର୍ଭୂଲତା ସମୀକ୍ଷା ଇତ୍ୟାଦି ବିଷୟରେ ପାଠକ ଓ ଦର୍ଶକମାନଙ୍କୁ ଜଣାଇଲେ ପ୍ରକାଶିତ ସମ୍ୱାଦର ବିଶ୍ୱସନୀୟତା ବୃଦ୍ଧିରେ ସହାୟତା ସଂଭବପର । ଏଥି ନିମନ୍ତେ ସୋସିଆଲ ମିଡ଼ିଆର ସହାୟତା ଗ୍ରହଣ କରାଯାଇପାରେ ।
ପଞ୍ଚମତଃ, ସମ୍ୱାଦ ପ୍ରକାଶିତ ହେବାପରେ ଉପଭୋକ୍ତାମାନଙ୍କ ମତାମତ ପ୍ରତି ଯଥାସାଧ୍ୟ ଗୁରୁତ୍ୱ ଆରୋପ କରାଯିବା ଉଚିତ । ଅନ୍ତତଃପକ୍ଷେ ଅନ୍ୟ ପାଠକମାନଙ୍କ ଗୋଚରାର୍ଥେ ମତାମତଗୁଡ଼ିକ ଧାରାବାହିକଭାବେ ପ୍ରକାଶନର ବ୍ୟବସ୍ଥା କରାଯାଇପାରେ । ଓଡ଼ିଆ ସମ୍ୱାଦପତ୍ରରେ ଏଥି ନିମନ୍ତେ ଉଦ୍ଦିଷ୍ଟ ସ୍ତମ୍ଭଗୁଡ଼ିକରେ ପ୍ରକାଶିତ ସମ୍ୱାଦର ପ୍ରଶଂସାରେ ସୀମାବଦ୍ଧ । ଏହି ପରମ୍ପରା ବିଶ୍ୱସନୀୟତାର ବିରୁଦ୍ଧାଚରଣ କରିଥାଏ । ପ୍ରଶଂସା ବଦଳରେ ନିନ୍ଦା, ତୃଟି ଓ ନିର୍ଦ୍ଦେଶ ସମ୍ୱଳିତ ମତାମତ ପ୍ରକାଶନ ବିଶ୍ୱସନୀୟତା ପ୍ରତିଷ୍ଠାରେ ଭୂମିକା ଗ୍ରହଣ କରିପାରେ ।
ସାମ୍ୱାଦିକତାରେ ଉତ୍କର୍ଷ ଉପଭୋକ୍ତାଙ୍କ ବିଶ୍ୱସନୀୟତା ଉପରେ ପର୍ଯ୍ୟବସିତ । ବିଶ୍ୱସନୀୟତା ବୃଦ୍ଧି ନିମନ୍ତେ ସାମ୍ୱାଦିକତାକୁ ପାଠକକେନ୍ଦ୍ରୀକ ଆଭିମୁଖ୍ୟ ଗ୍ରହଣ କରିବା ସମୟର ଆହ୍ୱାନ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସାମ୍ୱାଦିକତାର ବ୍ୟାପ୍ତି ପାଠକ ଓ ଦର୍ଶକମାନଙ୍କୁ ସେମାନଙ୍କ ବିଶ୍ୱାସଭାଜନ ସମ୍ୱାଦ ସୂତ୍ର ଆଡ଼କୁ ଟାଣି ନେଉଥିବା ସ୍ଥଳେ ପ୍ରତ୍ୟେକ ସମ୍ୱାଦ ଉତ୍ପାଦର ଗୁଣବତ୍ତା ବୃଦ୍ଧି ସଙ୍ଗେ ବିତରଣ କୌଶଳ ଗୁରୁତ୍ୱବହନ କରିଥାଏ ।
