ଆଜିର ଖାସ ଖବର
Sat. May 30th, 2026

ସୂଚନା-ପ୍ରାଚୁର୍ଯ୍ୟ ପରିବେଶ

By Dainikasha Jul12,2024

ଭାରତରେ ଇଣ୍ଟରନେଟ ବ୍ୟାପ୍ତି ଓ ସ୍ମାର୍ଟଫୋନ ବହୁଳ ବ୍ୟବହାର ଉପଭୋକ୍ତାଙ୍କ ଗହଣରେ ଦୁଇଗୋଟି ମୁଖ୍ୟ ଅମୀମାଂସିତ ସମସ୍ୟା ସୃଷ୍ଟି କରିଛି । ପ୍ରଥମତଃ, ହାତପାଆନ୍ତାରେ ଦିବାରାତ୍ରୀ ୨୪ ଘଣ୍ଟା ସ୍ମାର୍ଟଫୋନ ଉପଲବ୍ଧ ହେବା ଫଳରେ ବ୍ୟକ୍ତିଗତସ୍ତରରେ ଅନଲାଇନ ଉପସ୍ଥିତି କ୍ରମଶଃ ଦୀର୍ଘରୁ ଦୀର୍ଘତର ହୋଇଚାଲିଛି । ଗଣମାଧ୍ୟମ ଗବେଷଣା ସଂସ୍ଥା ‘କମସ୍କୋର’ର ତଥ୍ୟ ଅନୁଯାୟୀ ୨୦୨୨ ଆରମ୍ଭ ସୁଦ୍ଧା ଭାରତୀୟ ଇଣ୍ଟରନେଟ ଉପଭୋକ୍ତାମାନେ ଅନଲାଇନରେ ହାରାହାରି ଦୈନିକ ୨.୨ ଘଣ୍ଟା କାଟୁଥିବା ଜଣାଯାଇଥିଲା । ଏଥି ସହ ଟେଲିଭିଜନ ଦେଖାରେ ହାରାହାରି ଚାରି ଘଣ୍ଟା ଓ ଅନ୍ୟାନ୍ୟ ଗଣମାଧ୍ୟମରେ ସଂପୃକ୍ତିକୁ ଯୋଗ କଲେ ପାଖାପାଖି ସାତରୁ ଆଠଘଣ୍ଟା ହିସାବ କରାଯାଇଥିଲା ।

ଦ୍ୱିତୀୟତଃ, ଗଣମାଧ୍ୟମ ମଞ୍ଚଗୁଡ଼ିକର ସଂଖ୍ୟା ବୃଦ୍ଧି ଫଳରେ ପାଠ୍ୟ, ଦୃଶ୍ୟ ଓ ଶ୍ରାବ୍ୟ ଉପାଦାନ ‘କଣ୍ଟେଣ୍ଟ’ର ପ୍ରାଚୁର୍ଯ୍ୟ ଉପଭୋକ୍ତାଙ୍କ ନିମନ୍ତେ ନିର୍ବାଚ଼ନ ଦ୍ୱନ୍ଦ ‘ସିଲେକସନ କନଫ୍ଳିକ୍ଟ’ ତୀବ୍ରରୂପ ଧାରଣ କରିବାରେ ଲାଗିଛି । ଆନ୍ତର୍ଜାତିକ, ରାଷ୍ଟ୍ରୀୟ, ରାଜ୍ୟ ଓ ଆଞ୍ଚଳିକସ୍ତର ସାଙ୍ଗକୁ ବିଷୟଭିତ୍ତିକ ‘ସବଜେକ୍ଟିଉଭ’ ସୂଚନା, ସମ୍ୱାଦ, ଅଭିମତ, ଶିକ୍ଷଣୀୟ ଓ ମନୋରଞ୍ଜନଧର୍ମୀ ଉପାଦାନ ଭିଡ଼ରେ କେଉଁଗୁଡ଼ିକ ଆହରଣ କରାଯିବ ନିର୍ବାଚନରେ ସମସ୍ୟା ଉପୁଜିଥାଏ । ଭାରତରେ ୨୦୨୨ ଆରମ୍ଭ ସୁଦ୍ଧା ୯୦୦ ଟେଲିଭିଜନ ଚ୍ୟାନେଲ, ୮୬୦ ରେଡ଼ିଓ ଚ୍ୟାନେଲ, ୬୦ ଭିଡ଼ିଓ ଷ୍ଟ୍ରୀମିଂ ଏବଂ ୧୫ ମ୍ୟୁଜିକ ଷ୍ଟ୍ରୀମିଂ ମଞ୍ଚ ଉପଲବ୍ଧ ।

ଏହି ପରିବେଶ ଉପଭୋକ୍ତାଙ୍କ ନିମନ୍ତେ ଏକପକ୍ଷରେ ଉଦବିଗ୍ନତା ‘ଏଙ୍ଗଜାଇଟି’ ସୃଷ୍ଟି କରୁଥିବା ସ୍ଥଳେ ଅପରପକ୍ଷେ ଗଣମାଧ୍ୟମ ମଞ୍ଚ ଆହରଣ ସମୟସୀମା ବୃଦ୍ଧିରେ ପର୍ଯ୍ୟବସିତ ହେଉଛି । ଦୈନିକ ୨୪ ଘଣ୍ଟାରୁ ଆଠ ଘଣ୍ଟା ନିଦ୍ରା ଓ ଆଠ ଘଣ୍ଟା ବୃତ୍ତିଗତ କର୍ମନିଯୁକ୍ତିରେ ବାଦ ଦେଲେ ବଳକା ଆଠ ଘଣ୍ଟା ଗମମାଧ୍ୟମରେ ସଂପୃକ୍ତି ସ୍ୱାଭାବିକ ଜୀବନଯାତ୍ରାରେ ବିଘଟନ ସୃଷ୍ଟି କରିବା ସ୍ୱାଭାବିକ । ଫଳରେ ଗଣମାଧ୍ୟମ ନିଦ୍ରା କିମ୍ୱା କର୍ମନିର୍ଘଣ୍ଟରେ ଅନୁପ୍ରବେଶ କରୁଛି ଏବଂ ବିଶୃଙ୍ଖଳାର କାରଣ ପାଲଟୁଛି ।

ବିଶେଷଜ୍ଞମାନଙ୍କ ଅନୁଶୀଳନରେ ବିଶ୍ୱବ୍ୟାପୀ ଇଣ୍ଟରନେଟ ପ୍ରସାର ଏବଂ ବ୍ୟକ୍ତିଠାରୁ ଆରମ୍ଭ କରି ଗୋଷ୍ଠୀ, ଅନୁଷ୍ଠାନ, ପ୍ରଶାସନ, ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପ୍ରଶାସନ, ମନୋରଞ୍ଜନଠାରେ ଶେଷ ନହୋଇ ‘ଡ଼ାର୍କ-ୱେବ’ରେ ଅପରାଧିକ କାର୍ଯ୍ୟକଳାପ ଜନଜୀବନର ପ୍ରତ୍ୟେକଟିସ୍ତର ପରସ୍ପର ସହ ଯୋଡ଼ି ହୋଇ ସାର୍ବଜନୀନ ମଞ୍ଚ ପ୍ରଯୋଜନାରେ ସମର୍ଥ ହୋଇପାରିଥିବା ସ୍ଥଳେ ଏହି ପ୍ରଗତି ନିମନ୍ତେ ଉପଭୋକ୍ତାଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି । ସୂଚନାର ପ୍ରାଚୁର୍ଯ୍ୟ ଅସ୍ପଷ୍ଟ ସୂଚନା ‘ଇନଫରମେସନ ବ୍ଳର’ରେ ପରିବର୍ତ୍ତିତ ହେଉଛି । ଅର୍ଥାତ, କନେକ୍ଟଡ଼ ପରିବେଶରେ ଆମେ ଗୋଟିଏ ବିଷୟ ସଂପର୍କରେ ତଥ୍ୟ ଖୋଜି ବାହାର କରିବାକୁ ଚ଼େଷ୍ଟା କରିବାବେଳେ ଏତେ ସଂଖ୍ୟକ ସୂଚନାର ସମ୍ମୁଖୀନ ହେଉଛୁ ଯେ ଆମେ କେଉଁଟିକୁ ଗ୍ରହଣ କରିବୁ ବା କେଉଁଟିକୁ ଗ୍ରହଣ ନକରିବୁ ତ ଦୂରକଥା, କେଉଁଟିକୁ ପଢ଼ିବୁ ବା କେଉଁଟିକୁ ନପଢ଼ିବୁ କିମ୍ୱା କେଉଁଟିକୁ ପ୍ରଥମେ ପଢ଼ିବୁ ସେହି ନିଷ୍ପତ୍ତି ଗ୍ରହଣ କଷ୍ଟକର ହୋଇପଡୁଛି ।

ସୂଚ଼ନା-ପ୍ରାଚୁର୍ଯ୍ୟ ପରିବେଶରେ ବାରମ୍ୱାର ସମ୍ମୁଖୀନ ହେବାଦ୍ୱାରା ବ୍ୟକ୍ତିଗତସ୍ତରରେ କାର୍ଯ୍ୟଦକ୍ଷତା ଓ ସୃଜନ ପ୍ରକ୍ରିୟାରେ ବିଘ୍ନ ପହଞ୍ଚୁଥିବା ଗବେଷଣାରୁ ଜଣାଯାଇଥିବା ‘ହାର୍ଭାଡ଼ ବିଜିନେସ ରିଭ୍ୟୁ’ରେ ପ୍ରକାଶିତ ଏକ ପ୍ରବନ୍ଧରେ ପାଉଲ ହେମ୍ପ ଦର୍ଶାଇଥିଲେ । ତାଙ୍କ ବିଚାରରେ ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ଗୁଟେନବର୍ଗଙ୍କ ଦ୍ୱାରା ମୁଦ୍ରଣଯନ୍ତ୍ର ଉଦ୍ଭାବନପରଠାରୁ ସୂଚ଼ନା-ପ୍ରାଚୁର୍ଯ୍ୟ ‘ଇନଫରମେସନ ଓଭରଲୋଡ଼’ ସମସ୍ୟା କ୍ରମଶଃ ଜନଜୀବନକୁ ଆଚ୍ଛାଦିତ କରିବାରେ ଲାଗିଛି । ମୁଦ୍ରିତ ପୃଷ୍ଠାରେ ବିତରିତ ଜ୍ଞାନ ଜଣେ ମନୁଷ୍ୟର ଜୀବନକାଳ ମଧ୍ୟରେ ଯେତିକି ପରିମାଣରେ ଅଧ୍ୟୟନ ସମ୍ଭବ ତାହାଠାରୁ ଢ଼େର ଅଧିକ ସୂଚନା ଉପସ୍ଥାପିତ କରିବା ଧାରା ଆରମ୍ଭ ହୋଇଥିଲା ଏବଂ ତାହା କ୍ରମଶଃ ବଢ଼ିଚାଲିଛି ।

ପରବର୍ତ୍ତୀ ପର୍ଯ୍ୟାୟରେ କାରବନ-ପେପରଠାରୁ ଆରମ୍ଭ କରି ଫୋଟ-କପିଏର ମେସିନ ଯାଏଁ ବିଭିନ୍ନ ବୈଷୟିକ ଉଦ୍ଭାବନ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତପାଆନ୍ତାରେ ପାଠ୍ୟ ଓ ଚ଼ିତ୍ର ନକଲ କରିବା କଳାକୌଶଳ ପହୁଞ୍ଚାଇ ଦେଲା । କିନ୍ତୁ ଡ଼ିଜିଟାଲ ପଦ୍ଧତିର ବିକାଶ ସୂଚ଼ନା-ପ୍ରାଚୁର୍ଯ୍ୟର ସୀମାସରହଦକୁ ଭୌଗଳିକ ସୀମାପାର ପର୍ଯ୍ୟାୟକୁ ଉନ୍ନୀତ କଲା । ଡିଜିଟାଲ ବୈଷୟିକ ପ୍ରଗତିର ଅନ୍ୟ ଏକ ବୈଶିଷ୍ଟ୍ୟ ପ୍ରାୟତଃ ବିନାମୂଲ୍ୟରେ ଏବଂ ଯେକୌଣସି ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟାପ୍ତ ପ୍ରକାଶନର ସୁବିଧା ସୁଯୋଗ ଯୋଗାଇଦେବାରେ ପର୍ଯ୍ୟବସିତ । ମୁଦ୍ରଣ ଶିଳ୍ପ ପ୍ରତିଷ୍ଠା ପରଠାରୁ ମୁଦ୍ରିତ ପୃଷ୍ଠା ପ୍ରକାଶନ ଓ ବିତରଣ ନିମନ୍ତେ ଦକ୍ଷତା, ଅର୍ଥ ଓ ସଂଗଠନର ଆବଶ୍ୟକତା ଡ଼ିଜିଟାଲ ପରିବେଶରେ ଉଭେଇ ଗଲା ।

ନୀତିଗତଭାବେ ଡିଜିଟାଲ ମାଧ୍ୟମ ଉପଯୋଗରେ ସୂଚ଼ନା ପ୍ରସାରଣ ଗଣତାନ୍ତ୍ରିକ ଆଙ୍ଗିକ ଧାରଣ କରିଥିଲେହେଁ ବାସ୍ତବକ୍ଷେତ୍ରରେ ପ୍ରଭାବଶାଳୀ ଅର୍ଥ ବ୍ୟୟ , ଆଇନ ଉପଯୋଗ ଓ ଅନୁଚ଼ିତ ବ୍ୟବହାରରେ କରାୟିତ କରିଥାନ୍ତି । ଅଭିବ୍ୟକ୍ତିରେ ସ୍ୱାଧୀନତା ଅନେକ ସମୟରେ ଅପହଞ୍ଚ ଇଲାକାରେ ପଡ଼ି ରହେ । ଅବଶ୍ୟ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ରାଜନୀତିକ ବିରୋଧ ବା ଯୁଦ୍ଧ ଭଳି ସଂକଟଜନକ ପରିସ୍ଥିତିରେ ସୋସିଆଲ ମିଡ଼ିଆ ଅସାଧ୍ୟସାଧନର ବହୁ ଉଦାହରଣ ଆମେ ଦେଖିବାକୁ ପାଉ ।

ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ଗଣମାଧ୍ୟମରେ ଦୀର୍ଘ ସମୟ ସଂପୃକ୍ତି ସୂଚ଼ନା-ପ୍ରାଚୁର୍ଯ୍ୟ ସମସ୍ୟା ସାଙ୍ଗକୁ ଡିଜିଟାଲ ଆସକ୍ତି ଭଳି ସମସ୍ୟାର ମଧ୍ୟ କାରଣ ପାଲଟିଛି । କୁହାଯାଏ ଯେ ବିଭିନ୍ନ ନିଶାଦ୍ରବ୍ୟ ସେବନ, ଜୁଆ ଖେଳ ଇତ୍ୟାଦି ଅଭ୍ୟାସରୁ ବ୍ୟକ୍ତିବିଶେଷ ଅନ୍ୟାନ୍ୟ ଲାଭ କ୍ଷତିର ହିସାବ ବ୍ୟତୀତ ମାନସିକସ୍ତରରେ ଆନନ୍ଦ ଅନୁଭବ କରିଥାନ୍ତି । ତେଣୁ ସେହି ପ୍ରକ୍ରିୟାର ମୋହରୁ ମୁକ୍ତି ପାଇପାରନ୍ତି ନାହିଁ । ସ୍ଥଳବିଶେଷରେ ବ୍ୟକ୍ତିର ହିତାହିତ ଜ୍ଞାନ, ଆର୍ଥିକ, ପାରିବାରିକ ଓ ସାମାଜିକ ଚାପ ଆଗ୍ରହକୁ ନିୟନ୍ତ୍ରିତ କରିପାରେ ନାହିଁ ।

ଡ଼ିଜିଟାଲ ମିଡ଼ିଆରେ ସ୍ମାର୍ଟଫୋନ ସଂଲଗ୍ନ ବିଭିନ୍ନ ଆପ୍ଳିକେସନ ଉପଭୋକ୍ତାଙ୍କୁ ସଂପୃକ୍ତ ‘ଏଙ୍ଗେଜେଡ଼’ କରାଇବା ଆଭିମୁଖ୍ୟ ନେଇ ପ୍ରସ୍ତୁତ ହେଉଥିବା ଯୋଗୁଁ ଏହାର ମାଦକତା ବିସ୍ତୃତ ଜନସଂଖ୍ୟାକୁ ଗ୍ରାସ କରିଥାଏ । ସ୍ମାର୍ଟଫୋନ ଆସକ୍ତି ଏପରି ପରିସ୍ଥିତିରେ ପହଞ୍ଚିଲାଣି ଯେ ସ୍ଥଳବିଶେଷରେ ମାନସିକ ଚ଼ିକିତ୍ସାର ସହାୟତା ନେବାକୁ ପଡୁଛି । ଆମ ଦେଶରେ ବାଙ୍ଗାଲୁରଠାରେ ୨୦୧୪ରେ ପ୍ରଥମ ସ୍ମାର୍ଟଫୋନ ଆସକ୍ତି ମୁକ୍ତି କେନ୍ଦ୍ର ସ୍ଥାପିତ ହୋଇଥିବା ସ୍ଥଳେ ୨୦୧୯ରୁ ପୁନେ, ଉତ୍ତର ପ୍ରଦେଶ ଓ ଅମୃତସର ପ୍ରଭୃତି ସହରରେ ଆରମ୍ଭ ହୋଇଛି ।

ସ୍ମାର୍ଟଫୋନ ଆସକ୍ତି ନିମନ୍ତେ ଚାପଗ୍ରସ୍ତ ଭାବଗତ ‘ଇମୋସନାଲ’ ବ୍ୟକ୍ତିଗତ ଓ ସାମାଜିକ ଜୀବନକୁ ଦାୟୀ କରାଯାଇଥାଏ । ଏହିଭଳି ଅବସ୍ଥାରୁ ମୁକୁଳିବା ତଥା ଚ଼ିକିତ୍ସାର ଫଳାଫଳ ପ୍ରାପ୍ତି ବିଳମ୍ୱ ହୋଇଥାଏ । ଚ଼ିକିତ୍ସା କେନ୍ଦ୍ରରେ ପହଞ୍ଚୁଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ମାତ୍ର ୪୦ ପ୍ରତିଶତ ଚ଼ିକିତ୍ସା ସଂପୂର୍ଣ୍ଣ କରିବାରେ ସହଯୋଗ କରୁଥିବା ଜଣାଯାଏ । ବହୁ କ୍ଷେତ୍ରରେ ଆକ୍ରାନ୍ତ ଚ଼ିକିତ୍ସିତ ହୋଇ ସାମାନ୍ୟ ଉନ୍ନତ ପରିସ୍ଥିତିରେ ଉପନୀତ ହେବା ପରେ ପୁଣି ଆସକ୍ତ ହେଉଥିବା ଦେଖିବାକୁ ମିଳେ । ସୂଚ଼ନା ପ୍ରାଚୁର୍ଯ୍ୟ ଓ ସ୍ମାର୍ଟଫୋନ ଆସକ୍ତି ସମସ୍ୟା ସମାଧାନର ରାସ୍ତା ପ୍ରାୟ ଖୋଜି ପାଇହେଉନାହିଁ !

Related Post