ଭାରତରେ ୨୦୨୩ ଆରମ୍ଭ ସୁଦ୍ଧା ପ୍ରାୟ ୩୮ କୋଟି ଇଣ୍ଟରନେଟ ଉପଭୋକ୍ତା ଆଞ୍ଚଳିକ ଭାଷା ବ୍ୟବହାର କରୁଥିବା ଏବଂ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ୫୨ ପ୍ରତିଶତ ଅନଲାଇନ ମଞ୍ଚରୁ ସମ୍ୱାଦ ଆହରଣ କରୁଥିବା ହିସାବ ଗଣମାଧ୍ୟମ ପରିଧିରେ ଏକ ନୂତନ ଅଧ୍ୟାୟର ସୂଚ଼ନା ଦିଏ । କାନ୍ତାର-ଗୁଗୁଲ ପକ୍ଷରୁ ମେ ୨୦୨୩ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅନଲାଇନରେ ଆଞ୍ଚଳିକ ଭାଷାରେ ସମ୍ୱାଦ ଉପଭୋକ୍ତା ସଂଖ୍ୟା ଅଧିକ । ଗ୍ରାମାଞ୍ଚଳରେ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ୬୩ ପ୍ରତିଶତ ଏବଂ ସହରାଞ୍ଚଳରେ ୩୭ ପ୍ରତିଶତ ଆଞ୍ଚଳିକ ଭାଷାରେ ସମ୍ୱାଦ ଖୋଜନ୍ତି ।
ଆଞ୍ଚଳିକ ଭାଷାରେ ସମ୍ୱାଦ ସରବରାହରେ ମହାମାରୀ-ପର ଅବସ୍ଥାରେ ଭିଡିଓର ପ୍ରାଧାନ୍ୟ ବୃଦ୍ଧି ପାଇଛି । କୁହାଯାଉଛି ଯେ ବଙ୍ଗଳା ଓ ତାମିଲରେ ସର୍ବାପେକ୍ଷା ୮୧ ପ୍ରତିଶତ ଉପଭୋକ୍ତା ସମ୍ୱାଦ ଭିଡ଼ିଓକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ତେଲୁଗୁରେ ୭୯ ପ୍ରତିଶତ, ହିନ୍ଦିରେ ୭୫ ପ୍ରତିଶତ, ଗୁଜରାଟୀରେ ୭୨ ପ୍ରତିଶତ, ମଳାୟଳମରେ ୭୦ ପ୍ରତିଶତ, ମରାଠୀ ଓ କନ୍ନଡ଼ରେ ୬୬ ପ୍ରତିଶତ ଉପଭୋକ୍ତା ଆଗ୍ରହୀ । ପାଠ୍ୟ ମାଧ୍ୟମରେ ଅନଲାଇନ ସମ୍ୱାଦ ପଠନ କ୍ଷେତ୍ରରେ ଗୁଜରାଟୀ ଓ କନ୍ନଡ଼ରେ ସର୍ବାଧିକ ୨୦ ପ୍ରତିଶତ ତଥା ମରାଠୀରେ ୧୮ ପ୍ରତିଶତ ଉପଭୋକ୍ତା ଚ଼ିହ୍ନଟ ହୋଇଥାନ୍ତି ।
ଅନଲାଇନ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରୁ ୯୩ ପ୍ରତିଶତ ୟୁଟ୍ୟୁବ, ୮୮ ପ୍ରତିଶତ ସୋସିଆଲ ମିଡ଼ିଆ, ୮୨ ପ୍ରତିଶତ ଚାଟ ଆପ, ୬୧ ପ୍ରତିଶତ ସର୍ଚ୍ଚଇଞ୍ଜିନ ଏବଂ ୪୫ ପ୍ରତିଶତ ସମ୍ୱାଦ ପ୍ରକାଶକ ୱେବସାଇଟ ଓ ଆପ ଉପରେ ନିର୍ଭରଶୀଳ । ଅନ୍ୟ ପକ୍ଷରେ ୭୩ ପ୍ରତିଶତ ସ୍ଥାନୀୟ ସମ୍ୱାଦକୁ ଅଗ୍ରାଧିକାର ଦେଇଥାନ୍ତି । ଏହି ପରିବେଶରେ ଆଞ୍ଚଳିକ ଭାଷାରେ ସ୍ଥାନୀୟ ସମ୍ୱାଦ ପରିବେଷଣ ନିମନ୍ତେ ଆପଗୁଡ଼ିକର ପ୍ରକାଶନ ଓ ପ୍ରସାର କ୍ରମଶଃ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ । ମହାମାରୀ-ପୂର୍ବାବସ୍ଥାରେ ପ୍ରକାଶନ ଆରମ୍ଭ ହୋଇଥିବା କେତେକ ଆପ ସଫଳତା ଲାଭ କରିବାପରେ ଏହି କ୍ଷେତ୍ରରେ ଆର୍ଥିକ ନିବେଶ ଅଗ୍ରାଧିକାର ଲାଭ କରିଛି ।
‘ପବ୍ଳିକ’, ‘ୱେ-ଟୁ-ନିଉଜ’ ଭଳି ଅନ୍ତଃରାଜ୍ୟ ଆପ ସାଙ୍ଗକୁ ମୋରାଦାବାଦଭିତ୍ତିକ ‘ଲୋକାଲପ୍ଳେ’, ଆଗ୍ରା-ମଥୁରା-ବୃନ୍ଦାବନଭିତ୍ତିକ ‘ସର୍କଲ’, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ତିନିଗୋଟି ଜିଲ୍ଲା କେନ୍ଦ୍ରୀକ ‘ଲୋକାଲ’, ଉତ୍ତରପ୍ରଦେଶର ‘ଆୱାଜ’, କୋୟାମ୍ୱତୁରଭିତ୍ତିକ ‘ସିମ୍ପିଲସିଟି’ ଇତ୍ୟାଦି ଆଞ୍ଚଳିକଭାଷାରେ ସର୍ଟ ଭିଡ଼ିଓ ମାଧ୍ୟମରେ ସ୍ଥାନୀୟ ସମ୍ୱାଦ ପ୍ରସାରଣ ହୋଇଥାଏ । ଇଂଲିଶ ଭାଷାରେ ‘ଡ଼େଲିହଣ୍ଟ’, ‘ନିଉଜପଏଣ୍ଟ’, ‘ନିଉଜଡ଼ଗ’, ‘ପବ୍ଳିକଭାଇବ’ ଓ ‘ମୁମ୍ୱାଇଲାଇଭ’ ଭଳି ଆପ ଲୋକପ୍ରିୟତା ହାସଲ କରିପାରିଛି ।
ସଂକ୍ଷିପ୍ତ ଇଂଲିଶ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ‘ଇନସର୍ଟ’ ଆନୁକୂଲ୍ୟରେ ‘ପବ୍ଳିକ’ ଭିଡ଼ିଓ ଆପ ୨୦୧୯ରୁ ବିକଶିତ ହୋଇଛି । ହିନ୍ଦି, ବଙ୍ଗଳା, ଗୁଜରାଟୀ, ମରାଠୀ, ତାମିଲ, କନ୍ନଡ଼, ମାଳାୟଳମ, ତେଲୁଗୁ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ‘ପବ୍ଳିକ’ ଆପ ଉପଲବ୍ଧ । ମାଗଣାରେ ବ୍ୟବହୃତ ଏହି ଆପରେ ଦୁଇଗୋଟି ସୁବିଧା ମଧ୍ୟରେ ପ୍ରଥମତଃ, ଉପଭୋକ୍ତା ନିଜ ସହର ବା ଅଞ୍ଚଳର ସମ୍ୱାଦ ପାଇବା ସଙ୍ଗେ ଦ୍ୱିତୀୟତଃ, ଆପରେ ନାମ ପଞ୍ଜୀକରଣ କାଳରେ ନିଜ ‘ଫେସବୁକ’ ବା ‘ଗୁଗୁଲ’ ଏକାଉଣ୍ଟ ସହବନ୍ଧିତ କରିବା ଫଳରେ ଅନାୟସରେ ପ୍ରସାରଣ ଅକ୍ତିଆର କରିବା ସମ୍ଭବ । ପ୍ରତ୍ୟେକ ଉପଭୋକ୍ତାଙ୍କ ମୋବାଇଲ-ଫୋନର ଭୌଗଳିକ ଅବସ୍ଥିତି ଅନୁଯାୟୀ ନିର୍ବାଚିତ ସ୍ଥାନୀୟ ସଂବାଦ ପ୍ରସାରିତ ହୋଇଥାଏ ।
ମୁଖ୍ୟତଃ, ମୋବାଇଲ ଆପରେ ସ୍ଥାନୀୟ ଅର୍ଥାତ, ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକରେ ସ୍ଥାନ ପାଉନଥିବା ଘଟଣାବଳୀକୁ ବୁଝାଏ । ବିଭିନ୍ନ ଅଞ୍ଚଳରେ ସଂଘଠିତ ଛୋଟମୋଟ ଚୋରି, ଟ୍ରେନ ଓ ବସ ଭଳି ସାର୍ବଜନୀନ ଯାତାୟତ ମାଧ୍ୟମରେ ବିଳମ୍ୱ, ପାଣିପାଗ, ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଇତ୍ୟାଦି ମୋବାଇଲ ସମ୍ୱାଦ ଆପରେ ସ୍ଥାନ ପାଇଥାଏ । ଏଥି ସଙ୍ଗେ ବିଭିନ୍ନ କାରଣରୁ ରାସ୍ତା ଅବରୋଧ, କ୍ରୀଡ଼ା ଉତ୍ସବ, ପରିବେଶ ସମସ୍ୟା, ନିର୍ମାଣ ସୂଚ଼ନା ତଥା ବିଶିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ବିବରଣୀ ମଧ୍ୟ ସ୍ଥାନୀୟ ସମ୍ୱାଦ ପରିସରଭୁକ୍ତ । ବଜାରରେ ଜିନିଷପତ୍ର ବିକ୍ରୀ, ନିଯୁକ୍ତି ସୁଯୋଗ, ଘର ଭଡ଼ା ଓ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପୂର୍ବସୂଚ଼ନା ସ୍ଥାନୀୟ ସମ୍ୱାଦ ଆପରେ ପ୍ରସାରିତ ହୋଇଥାଏ । ଉପଭୋକ୍ତାଗଣ ନିଜ ବ୍ୟକ୍ତିଗତ ଅଭାବ ଅସୁବିଧା ସଂପର୍କରେ ସର୍ବସାଧାରଣରେ ପ୍ରକାଶନ କରିବା ସୁଯୋଗ ପାଇଥାନ୍ତି ।
ଜାତୀୟସ୍ତରରେ ହାଇଦରାବାଦକେନ୍ଦ୍ରୀକ ‘ୱେ-ଟୁ-ନିଉଜ’ ୨୦୧୫ରେ ଉନ୍ମୋଚ଼ିତ ହୋଇଥିଲା । ଏଥିରେ ଆଠଗୋଟି ଭାଷାରେ ଗ୍ରାମ, ଗ୍ରାମପଞ୍ଚାୟତ ଓ ଜିଲ୍ଲାସ୍ତରରେ ସମ୍ୱାଦ ଭିଡ଼ିଓ ଆଙ୍ଗିକରେ ପ୍ରସାରଣ ଲୋକପ୍ରିୟତା ହାସଲ କରିପାରିଛି । ମୂଳ ସମ୍ୱାଦ ମଞ୍ଚ ସହ ପ୍ରତ୍ୟହ ଏକ ସ୍ୱତନ୍ତ୍ର ଡ଼ିଜିଟାଲ ପତ୍ରିକା ପ୍ରକାଶିତ ହୋଇଥାଏ । ଏଥିରେ ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ, ମହିଳା, କୃଷି, ପର୍ଯ୍ୟଟନ, ଜମିବାଡ଼ି, ଖ୍ୟାଦ୍ୟଋଚି, ନିଯୁକ୍ତି ଓ ଶିଶୁଙ୍କ ପାଇଁ ଉପାଦାନ ସନ୍ନିବଶିତ ହୋଇଥାଏ । ଏତଦ୍ ବ୍ୟତୀତ ଦୈନିକ ରାଶିଫଳ, ଜ୍ୟୋତିଷ ଓ କ୍ରୀଡ଼ା ପ୍ରତିଯୋଗିତା ଧାରାବିବରଣୀ ଅନ୍ୟାନ୍ୟ ଆକର୍ଷଣ । ପ୍ରତି ସପ୍ତାହାନ୍ତ ରବିବାସରୀୟ ପତ୍ରିକାରେ ସ୍ୱତନ୍ତ୍ର ଉପସ୍ଥାପନ ଆୟୋଜନ କରାଯାଏ ।
ମୋବାଇଲ ଆପ ଯୋଗେ ସ୍ଥାନୀୟ ସମ୍ୱାଦ ପ୍ରସାରଣରେ ବିବିଧତା ଏବଂ ଏହି ଧାରାର ମୁକାବିଲା କରିବା ନିମନ୍ତେ ପାରମ୍ପରିକ ମୁଦ୍ରିତ ଓ ଟେଲିଭିଜନ ମଞ୍ଚ ସମର୍ଥ ନଥିବା ହେତୁ ଭାରତୀୟ ଗଣମାଧ୍ୟମ ଉପତ୍ୟକାରେ ଏକ ନୂତନ ପ୍ରବାହ ଲୋକପ୍ରିୟତା ହାସଲ କରିପାରିଛି । ଡ଼ିଜିଟାଲ ମଞ୍ଚରେ ଭିଡ଼ିଓ ଆକାରରେ ବିଭିନ୍ନ ବିଷୟବସ୍ତୁର ସଂକ୍ଷିପ୍ତ ବର୍ଣ୍ଣନା ସମକାଳୀନ ଉପଭୋକ୍ତାଙ୍କୁ ଆକୃଷ୍ଟ କରୁଥିବା ପ୍ରମାଣିତ । ମୁଖ୍ୟତଃ, ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ସର୍ବସାଧାରଣରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ତଥା ମଧ୍ୟଭାଗରୁ ଜିଓ ଭଳି ଟେଲି-ଉଦ୍ୟୋଗର ଆବିର୍ଭାବ ପରେ ଡ଼ାଟା ଦର ଏକ ଦଶମାଂଶକୁ ହ୍ରାସ ପରେ ସର୍ବସାଧାରଣରେ ଡ଼ାଟା ବ୍ୟବହାର ଦଶ ଗୁଣ ବଢ଼ି ଯାଇଥିଲା । ଏହି ସୁବିଧା ସୁଯୋଗ ମୋବାଇଲ ଆପ ଯୋଗେ ଭିଡ଼ିଓ ସମ୍ୱାଦ ପ୍ରସାରଣ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା ।
ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲରେ ବହୁ ସଂଖ୍ୟକ ସ୍ୱୀକୃତ ସମ୍ୱାଦଦାତା ‘ଷ୍ଟ୍ରୀଞ୍ଜର୍ସ ବା ଫ୍ରିଲେନ୍ସରର୍ସ’ ଦେଶ ସାରା ବିଚ୍ଛୁରିତ । ଅଧିକାଂଶ କ୍ଷେତ୍ରରେ ଏମାନେ ଅର୍ଥ ଉପାର୍ଜନ ଲାଗି ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ ଏବଂ ଋଚ଼ି ଅନୁଯାୟୀ ସମ୍ୱାଦ ପରିବେଷଣ କରିଥାନ୍ତି । ସେମାନେ ବସବାସ କରୁଥିବା ଅଞ୍ଚଳରେ କୌଣସି ଉଲ୍ଲେଖନୀୟ ଘଟଣା ଘଟିଲେ ଖୋଜା ପଡ଼ନ୍ତି । ଏହି ବିପୁଳ ସଂଖ୍ୟକ ସ୍ଥାନୀୟ ସାମ୍ୱାଦିକଙ୍କୁ ପ୍ରବର୍ତ୍ତାଇ ନିଜ ଅଞ୍ଚଳର ଘଟଣାବଳୀ ସ୍ମାର୍ଟଫୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ କରି ବିବରଣୀ ସହ ଅନଲାଇନରେ ପ୍ରେରଣ ନିମନ୍ତେ ଏକ ମଡ଼େଲ ପ୍ରସ୍ତୁତ ହୋଇଥିଲା ।
ଉଦାହରଣରେ ସ୍ଥାନୀୟ ସମ୍ୱାଦ ସମୃଦ୍ଧ ପ୍ରତିଷ୍ଠିତ ମୋବାଇଲ ଆପଗୁଡ଼ିକ ପ୍ରତି ଜିଲ୍ଲା ପାଇଁ ପ୍ରତିଦିନ ଅନ୍ତତଃପକ୍ଷେ ୨୦ ରୁ ୨୫ ଗୋଟି ଭିଡ଼ିଓ ସମ୍ୱାଦ ପ୍ରସ୍ତୁତ କରନ୍ତି । ଏହି ସମ୍ୱାଦ ସୃଜନ ଓ ସମ୍ପାଦନା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଅଭିଜ୍ଞ ସମ୍ପାଦକମାନେ ସ୍ଥାନୀୟ ସମ୍ୱାଦଦାତାଙ୍କ ସହ ବରାବର ସଂପର୍କ ସ୍ଥାପନ କରିଥାନ୍ତି । ନିର୍ବାଚିତ ବିଷୟବସ୍ତୁ ଆଧାରିତ ସର୍ଟ ଭିଡ଼ିଓ ବିବରଣୀ ସଂଗ୍ରହ ନିମନ୍ତେ ସ୍ଥାନୀୟ ବିଷୟ ପିଛା ସାମ୍ୱାଦିକମାନଙ୍କୁ ୫୦ରୁ ୨୫୦ ଟଙ୍କା ପାରିଶ୍ରମିକ ଦିଆଯାଏ । ଫଳରେ ଗଭୀର ଆଞ୍ଚଳିକସ୍ତରରେ ଅବସ୍ଥାପିତ ସମ୍ୱାଦଦାତାମାନେ ଉତ୍ସାହିତ ହୋଇ ତତ୍ କ୍ଷଣାତ ସମ୍ୱାଦ ପରିବେଷଣର ବ୍ୟବସ୍ଥା କରିଥାନ୍ତି । ବହୁକ୍ଷେତ୍ରରେ ଏହି କାର୍ଯ୍ୟରେ ଟେଲିଭିଜନ ପଛରେ ପଡ଼ିଥାଏ । ଫଳରେ ସ୍ଥାନୀୟ ସମ୍ୱାଦ ଆପଗୁଡ଼ିକର ଚାହିଦା ବୃଦ୍ଧି ପାଏ ।
ବିଶେଷଜ୍ଞଙ୍କ ହିସାବରେ ଜିଲ୍ଲାଭିତ୍ତିରେ ଏକ ପ୍ରତିଷ୍ଠିତ ମୋବାଇଲ ଆପ ପରିଚାଳନା ବାବଦରେ ବାର୍ଷିକ ୪୦ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ ଆବଶ୍ୟକ । ସମ୍ୱାଦ ସୃଜନ ଓ ସମ୍ପାଦନା ନିମନ୍ତେ ଦକ୍ଷ ସମ୍ପାଦକଙ୍କ ଆବଶ୍ୟକତା ପଡ଼ିଥାଏ । ଉଭୟ ପାଠ୍ୟ ଓ ଦୃଶ୍ୟ ସମ୍ପାଦନା ନିମନ୍ତେ ଅଭିଜ୍ଞଙ୍କୁ ନିଯୁକ୍ତିରେ ଅର୍ଥ ନିବେଶ ଅପରିହାର୍ଯ୍ୟ । ‘ୱେ-ଟୁ-ନିଉଜ’ ଆରମ୍ଭ ବେଳେ ମାତ୍ର ୧୩ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ ଏବଂ ୨୦୨୩ ସୁଦ୍ଧା ତାହା ୩୦୦କୁ ବୃଦ୍ଧି ପାଇଥିଲା ।
ମୋବାଇଲ ସ୍ଥାନୀୟ ସମ୍ୱାଦ ଆପଗୁଡ଼ିକ ଗ୍ରାହକ ଚାନ୍ଦା ଆଦାୟ କରନ୍ତି ନାହିଁ । ସମ୍ୱାଦ ମଞ୍ଚ ପରିଚାଳନା ଅର୍ଥନୀତି ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ । କୁହାଯାଉଛି ଯେ ମହାମାରୀ-ପର ଅବସ୍ଥାରେ ମନୋହରୀ ସାମଗ୍ରୀ ସାଙ୍ଗକୁ ମଟର ସାଇକଲ, ମଟର ଗାଡ଼ି, ରେଫ୍ରିଜେରେଟର, ଏୟାର କଣ୍ଡିସନର, ଲ୍ୟାପଟପ, ସ୍ମାର୍ଟଫୋନ ଭଳି ଉଚ୍ଚ ମୂଲ୍ୟଯୁକ୍ତ ସାମଗ୍ରୀର ବିଜ୍ଞାପନ ସ୍ଥାନୀୟ ସ୍ତରରେ ପହୁଞ୍ଚାଇବା ନିମନ୍ତେ ବିଜ୍ଞପକମାନେ ବ୍ୟଗ୍ର । ମୁଦ୍ରଣ ଓ ଟେଲିଭିଜନ ବିଜ୍ଞାପନ ପ୍ରସାରଣରେ ଖର୍ଚ୍ଚାନ୍ତ ହେବା ବଦଳରେ ଅଳ୍ପ ଖର୍ଚ୍ଚରେ ସମ୍ଭାବ୍ୟ ଗ୍ରାହକଙ୍କ ନିକଟରେ ବିଜ୍ଞାପନ ପହୁଞ୍ଚାଇବା ନିମନ୍ତେ ମୋବାଇଲ ସମ୍ୱାଦ ଆପଗୁଡ଼ିକୁ ଗୁରୁତ୍ୱ ଦିଆଯାଉଛି । ଡ଼ିଜିଟାଲ ମଞ୍ଚରେ ବିଜ୍ଞାପନ ଆୟ ବାର୍ଷିକ ଭିତ୍ତିରେ ୩୦ ପ୍ରତିଶତ ଯାଏଁ ବଢୁଥିବା ଅବସରରେ ପ୍ରାୟ ୮୦ ଭାଗ ଗୁଗୁଲ ଓ ଫେସବୁକ ଅକ୍ତିଆରକୁ ଚାଲିଯାଉଥିବା ପ୍ରବାହରେ ମୋବାଇଲ ସ୍ଥାନୀୟ ସମ୍ୱାଦ ଆପଗୁଡ଼ିକ କେତେଦୂର ବିଜ୍ଞାପନ ସଂଗ୍ରହରେ ପାରିଦର୍ଶିତା ପ୍ରଦର୍ଶନ କରିପାରିବେ ତାହା ଭବିଷ୍ୟତ କହିବ । ଭାରତରେ ୨୦୨୪ରେ ସାଧାରଣ ନିର୍ବାଚନ ଅବସରରେ ମୋବାଇଲ ସ୍ଥାନୀୟ ସମ୍ୱାଦ ମଞ୍ଚର ବିକାଶ ନିମନ୍ତେ ଅନ୍ୟ ଏକ ସୁଯୋଗ ବିଚାର କରାଯାଇପାରେ ।
‘ପବ୍ଳିକ’ଆପରେ ସମସ୍ତ ଉପଭୋକ୍ତାଙ୍କୁ ‘ୟୁଟ୍ୟୁବ’ଭଳି ସର୍ଟ ଭିଡ଼ିଓ ଆପଲୋଡ଼ କରିବା ସୁଯୋଗ ଥିବା ସ୍ଥଳେ ଦୈନିକ ୪୦ରୁ ୫୦ ହଜାର ଯାଏଁ ସର୍ଟ ଭିଡ଼ିଓ ଆପଲୋଡ଼ ହେଉଥିବା ଚକିତ କରିଥାଏ । ସେହିପରି ‘ୱେ-ଟୁ-ନିଉଜ’ରେ ଦୈନିକ ଆପଲୋଡ଼ ସର୍ଟ ଭିଡ଼ିଓ ସଂଖ୍ୟା ସାତରୁ ଆଠ ହଜାର । ‘ପବ୍ଳିକ’ର ଉପଭୋକ୍ତା ସଂଖ୍ୟା ୮୦ ଲକ୍ଷ ଏବଂ ‘ୱେ-ଟୁ-ନିଉଜ’ର ଉପଭୋକ୍ତା ସଂଖ୍ୟା ୭୦ ଲକ୍ଷ । ଅନ୍ତତଃପକ୍ଷେ ପରିସଂଖ୍ୟାନ ଦୃଷ୍ଟିରୁ ଏହି ଦୁଇ ଆପର ଉଦାହରଣ ସ୍ଥାନୀୟ ସମ୍ୱାଦ ପ୍ରଯୋଜନା ଲାଗି ବିଷୟ ବିନ୍ୟାସ ପାରମ୍ପରିକ ସାମ୍ୱାଦିକତା ଆଙ୍ଗିକରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ସ୍ୱୀକାର୍ଯ୍ୟ ।
