ପ୍ରଯୁକ୍ତି ବିଜ୍ଞାନଦ୍ୱାରା ବିକଶିତ ଗଣମାଧ୍ୟମର ନୂତନ ମଞ୍ଚଗୁଡ଼ିକର ଦୁରୋପଯୋଗ ରୋକିବା ଦିଗରେ ପ୍ରଯୁକ୍ତି ବିଜ୍ଞାନ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ୨୦୧୮ ଜୁଲାଇ ତୃତୀୟ ସପ୍ତାହରେ ହ୍ୱାଟସଆପ ପକ୍ଷରୁ ତଥ୍ୟ, ଚ଼ିତ୍ର ଓ ଭିଡ଼ିଓ ମେସେଜଗୁଡ଼ିକୁ ଏହାର ଉପଭୋକ୍ତାମାନେ ମାତ୍ର ପାଞ୍ଚଗୋଟିପ୍ରସାର ବା ଫରୱାଡ଼ କରିପାରିବା ସୀମା ନିର୍ଦ୍ଧାରଣ ଫଳରେ ସେହି ମଞ୍ଚରେ ଗୁଜବ ପ୍ରଚ଼ାରରେ ଫଳପ୍ରଦ ଅଙ୍କୁଶ ଉପଯୋଗ ହୋଇପାରିବ ବୋଲି ବିଶ୍ୱାସ କରାଯାଏ । ଏଥି ପୂର୍ବରୁ ହ୍ୱାଟସଆପ ଇନଷ୍ଟାଣ୍ଟ ମେସେଜିଂ ମାଧ୍ୟମରେ ଗୋଟିଏ ମେସେଜର ୨୫୬ଗୋଟି ଫରୱାଡ଼ ସୁବିଧା ମିଳୁଥିଲା । ଫଳରେ ଗୁଜବ ସହଜରେ ବହୁସଂଖ୍ୟକ ଗ୍ରହୀତାଙ୍କ ନିକଟରେ ପହଞ୍ଚି ପାରୁଥିଲା ।
ହ୍ୱାଟସଆପ ମଞ୍ଚରେ ପିଲାଚ଼ୋର ଗୁଜବ ପ୍ରସାର କାରଣରୁ ୨୦୧୮ ପ୍ରଥମାର୍ଦ୍ଧରେ ଭାରତର ବିଭିନ୍ନ ପ୍ରାନ୍ତରେ ନିର୍ଦ୍ଦୋଷଙ୍କୁ ଗୋଷ୍ଠୀବଦ୍ଧ ଆକ୍ରମଣରେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।ଗୋଷ୍ଠୀବଦ୍ଧ ଆକ୍ରମଣ ଭଳି ସାମାଜିକ ସଂକଟର ମୁକାବିଲା କରିବା ନିମନ୍ତେ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ତାଗିଦ କରିଥିଲେ । କେନ୍ଦ୍ର ସରକାର ମେସେଜିଂ ଆପ କର୍ତ୍ତୃପକ୍ଷଙ୍କୁ ଦୁଇବାର ପତ୍ରଦ୍ୱାରା ହିଂସା ଉଦ୍ରେକର ମୁଖ୍ୟ କାରଣ ଗୁଜବ ପ୍ରଚ଼ାର ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ହ୍ୱାଟସଆପ ମଞ୍ଚରେ ବହୁ ସଂଖ୍ୟାରେ ଫରୱାଡ଼ପ୍ରତି କଟକଣା ଲାଗୁ କରାଯାଇଥିବା ଭାରତୀୟ ପୃଷ୍ଠଭୂମିରେ ଗୁରୁତ୍ୱ ବହନ କରିଥାଏ ।
ଆନ୍ତର୍ଜାତିକସ୍ତରରେ ଜନସାଧାରଣ ପରସ୍ପର ମଧ୍ୟରେ ସମ୍ୱାଦ ପ୍ରସାର ନିମନ୍ତେ ୨୦୧୭-୧୮ ବେଳକୁ ସୋସିଆଲ ମିଡ଼ିଆ ଫେସବୁକରୁ ମେସେଜିଂ ଆପ ହ୍ୱାଟସଆପ ବ୍ୟବହାରକୁ ପ୍ରାଧାନ୍ୟ ଦେଉଥିବା ଜଣାଯାଇଥାଏ । ରଏଟର ଇନଷ୍ଟିଟିଉଟ ଦ୍ୱାରା ପାଞ୍ଚଗୋଟି ମହାଦେଶର ୩୭ଗୋଟି ରାଷ୍ଟ୍ରରେ ୭୪ ହଜାର ଅନଲାଇନ ଉପଭୋକ୍ତାଙ୍କ ଗହଣରେ ଆୟୋଜିତ ସର୍ବେକ୍ଷଣରେ ହ୍ୱାଟସଆପର ଲୋକପ୍ରିୟତା ପ୍ରମାଣିତ ହୋଇଛି । ଅନୁଷ୍ଠାନପକ୍ଷରୁ ପ୍ରକାଶିତ ‘ଡ଼ିଜିଟାଲ ନିଉସ ରିପୋର୍ଟ’ର ୨୦୧୮ ସଂସ୍କରଣରେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକଙ୍କ ମଧ୍ୟରେ ସମ୍ୱାଦ ପ୍ରସାରଣରେ ସୋସିଆଲ ମିଡ଼ିଆର ବ୍ୟବହାର ବର୍ଷକ ମଧ୍ୟରେ ଛଅ ପ୍ରତିଶତ କମିଯାଇଥିବା ତଥା ଅଧିକାଂଶ ବ୍ୟକ୍ତି ମେସେଜିଂ ଆପ ଆଡ଼କୁ ଆକୃଷ୍ଟ ହେଉଥିବା ଉଲ୍ଲେଖ କରାଯାଇଛି ।
ଭାରତରେ ୨୦୧୮ ମଧ୍ୟଭାଗ ସୁଦ୍ଧା ୨୦ କୋଟି ହ୍ୱାଟସଆପ ଉପଭୋକ୍ତା ଥିବା ବେଳେ ଏଥି ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଅନ୍ୟକୌଣସି ଅନଲାଇନ ମଞ୍ଚ ବ୍ୟବହାର କରିନଥାନ୍ତି । ସମ୍ୱାଦ ପ୍ରସାରରେ ଉପଯୋଗ କରାଯାଉଥିବା ଟୁଇଟର ଓ ଫେସବୁକ ତୁଳନାରେ ହ୍ୱାଟସଆପ ବ୍ୟବହାର ସହଜ ତଥା ଏଥିରେ ଫୋନଯୋଗେ ବାର୍ତ୍ତାଳାପ ଓ ଭିଡ଼ିଓ ଚ଼ାଟିଂର ସୁବିଧାଥିବା ହେତୁ ହ୍ୱାଟସଆପର ଲୋକପ୍ରିୟତା ବଢ଼ିଚ଼ାଲିଥିବା କୁହାଯାଉଛି । ସାମାଜିକଧାରାରେ ଯେକୌଣସି ନୂତନ ମଞ୍ଚ ପ୍ରତିଷ୍ଠିତ ହେଲେ ତାହାର ଦୁରୋପଯୋଗ ଆରମ୍ଭ ହୋଇଥାଏ ଏବଂ ହ୍ୱାଟସଆପକ୍ଷେତ୍ରରେ ତାହାହିଁ ଘଟିଲା ।
ସୋସିଆଲ ମିଡ଼ିଆର ବିକାଶକାଳରେ ୨୦୦୮ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚ଼ନ ପ୍ରଚ଼ାରରେ ଫେସବୁକ ଓ ଟୁଇଟର ଉପଯୋଗ ଆରମ୍ଭ ହୋଇଥିଲା ଏବଂ ଆଠ ବର୍ଷ ପରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚ଼ନରେ ଫେସବୁକ ମଞ୍ଚରେ ଗୁଜବ ପ୍ରସାର ଦ୍ୱାରା ନିର୍ବାଚ଼ନ ଫଳାଫଳ ପ୍ରଭାବିତ ହୋଇଥିବା ଅଭିଯୋଗ ଉଠିଥିଲା । ଭାରତରେ ୨୦୧୨ ନିର୍ବାଚ଼ନରେ ଅନୁରୂପ ଧାରା ଆରମ୍ଭ ହୋଇ ୨୦୧୮ର କର୍ଣ୍ଣାଟକ ବିଧାନସଭା ନିର୍ବାଚ଼ନ ପ୍ରଚ଼ାର ନିମନ୍ତେ ରାଜନୈତିକ ଦଳମାନେ ହ୍ୱାଟସଆପକୁ ପ୍ରାଧାନ୍ୟ ଦେଇ ପଚ଼ାଶ ହଜାର ହ୍ୱାଟସଆପ ଗୃପ ଗଠନ କରିଥିବା ଚର୍ଚ୍ଚିତ ହୋଇଥିଲା ।
ହ୍ୱାଟସଆପ ମେସେଜ ପ୍ରସାରରେ ଇନକ୍ରାପ୍ଟସନ ପଦ୍ଧତି ଉପଯୋଗ କରାଯାଉଥିବା ହେତୁ ଜଣକଠାରୁ ଅନ୍ୟଜଣକୁ ପ୍ରେରିତ ତଥ୍ୟ, ଚ଼ିତ୍ର ବା ଭିଡ଼ିଓ ଗ୍ରହୀତାଙ୍କ ବ୍ୟତୀତ ଅନ୍ୟ କେହି ଦେଖିପାରି ନଥାନ୍ତି । ଏପରିକି ହ୍ୱାଟସଆପ ମଞ୍ଚ ପରିଚ଼ାଳନା କରୁଥିବା କର୍ତ୍ତୃପକ୍ଷ ମଧ୍ୟ ତନଖି ପାରିବା ସୁଯୋଗ ନଥାଏ । ଫଳରେ ଗୁଜବ ପ୍ରସାର କାଳରେ ତୃତୀୟପକ୍ଷର ଅନୁପସ୍ଥିତିରେ ପ୍ରସାରିତ ତଥ୍ୟର ସତ୍ୟତା ପରଖିବା କଷ୍ଟକର ହୋଇପଡ଼େ । ଗବେଷଣାରୁ ଜଣାଯାଏ ଯେ ସତ୍ୟ ବଦଳରେ ଗୁଜବ ଅଧିକ ଥର ପ୍ରସାର ବା ଫରୱାଡ଼ କରାଯାଇଥାଏ ଏବଂ ଅଧିକାଂଶସ୍ଥଳେ ଚ଼ାଞ୍ଚଲ୍ୟ କାରଣରୁ କୌତୁହଳବଶତଃ ଉପଭୋକ୍ତାମାନେ ଗୁଜବ ପ୍ରସାର କରିଥାନ୍ତି । ଗୁଜବ ପ୍ରସାର ସାମାଜିକ ଅଶାନ୍ତି ସୃଷ୍ଟି କରୁଥିବା ହେତୁ ବିଶ୍ୱବ୍ୟାପୀ ଅନଲାଇନ ଉପଭୋକ୍ତାମାନେ ଊଦବେଗ ପ୍ରକାଶ କରୁଥିବା ରଏଟର ଇନଷ୍ଟିଟିଉଟ ପକ୍ଷରୁ ଆହୂତ ସର୍ବେକ୍ଷଣରୁ ଜଣାଯାଇଥାଏ ।
ସୋସିଆଲ ମିଡ଼ିଆରେ ଗୁଜବ ପ୍ରସାର ନିମନ୍ତେ ସଂପୃକ୍ତ ମଞ୍ଚଗୁଡ଼ିକୁ ଦାୟୀ କରାଯାଉଥିଲେ ହେଁ ବୈଷୟିକ ଜ୍ଞାନ କୌଶଳ ଅଭାବରୁ ପ୍ରସାରଣ ରୋକିବା ସଂଭବପର ହୋଇପାରୁ ନଥିଲା । ଟୁଇଟର ଓ ଫେସବୁକଭଳି ମଞ୍ଚରେ ପ୍ରକାଶିତ ତଥ୍ୟଗୁଡ଼ିକୁ ତୃତୀୟପକ୍ଷ ପରଖିବାର ସୁଯୋଗ ଥିବାସ୍ଥଳେ ହ୍ୱାଟସଆପରେ ସେଭଳି ସୁବିଧା ଅଭାବ ପରିସ୍ଥିତିକୁ ଜଟିଳ କରିପକାଉଥିଲା । ଅନଲାଇନ ପରିଧିରେ ପ୍ରସାରିତ ସମ୍ୱାଦଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ଆମ ଦେଶରେ ‘ବୁମ ଲାଇଭ’ ଭଳି ଅନଲାଇନ ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥାମାନ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଏଭଳି ସୁଯୋଗ ବିସ୍ତୃତ ଉପଭୋକ୍ତାଙ୍କ ନିମନ୍ତେ ପର୍ଯ୍ୟାପ୍ତ ନଥିଲା । ହ୍ୱାଟସଆପ କ୍ଷେତ୍ରରେ ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥାକୁ କୌଣସି ମେସେଜ ଫରୱାଡ଼ ନକରାଗଲେ ତାହାର ସତ୍ୟତା ପରଖିବା ଅସଂଭବ ପ୍ରମାଣିତ ହେଉଥିଲା ।
ଭାରତରେ କେନ୍ଦ୍ର ସରକାରଙ୍କ ତଥ୍ୟ ଓ ସୂଚ଼ନା ମନ୍ତ୍ରଣାଳୟପକ୍ଷରୁ ‘ସୋସିଆଲ ମିଡ଼ିଆ କମ୍ୟୁନିକେସନ ହବ’ ଶୀର୍ଷକ ଏକ ଉପକ୍ରମ ସୃଷ୍ଟି କରାଯାଇ ସମସାମୟିକ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ପ୍ରସାରିତ ତଥ୍ୟ, ଚ଼ିତ୍ର ଓ ଭିଡ଼ିଓଗୁଡ଼ିକୁ ଅନୁଧ୍ୟାନ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଥିଲା । ମନ୍ତ୍ରାଳୟ ଅଧୀନସ୍ଥ ‘ବ୍ରଡ଼କାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ଼’ ପକ୍ଷରୁ ଘରୋଇ ପରିଚ଼ାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଟେଣ୍ଡର ପ୍ରକାଶ କରାଯାଇଥିଲା । ଏକ ୨୦ ଜଣିଆ ଗଣମାଧ୍ୟମ ଅନୁଶୀଳନକାରୀ ଗୋଷ୍ଠୀ ମାଧ୍ୟମରେ ଫେସବୁକ୍, ଟୁଇଟର, ୟୁ-ଟ୍ୟୁବ, ଇନଷ୍ଟ୍ରାଗ୍ରାମ, ଗୁଗୁଲ, ଲିଙ୍କଡ଼-ଇନ, ଫ୍ଳିକର, ଟମ୍ୱଲର, ପ୍ରିଣ୍ଟେରେଷ୍ଟ ଓ ପ୍ଳେ-ଷ୍ଟୋର ଭଳି ସୋସିଆଲ ମିଡ଼ିଆ ମଞ୍ଚ ଅନୁଧ୍ୟାନ କରି ସେଥିରେ ପ୍ରସାରିତ ତଥ୍ୟାବଳୀ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଉପଯୋଗରେ ସମୀକ୍ଷାକରି ମନ୍ତ୍ରଣାଳୟକୁ ନିୟମିତ ଭାବେ ଅବଗତ କରାଇବା ଏବଂ ଏଭଳି ତଥ୍ୟର ଅଭିଲେଖାଗାର ଗଠନ କରିବା ନିମନ୍ତେ ବିଜ୍ଞାପିତ ହୋଇଥିଲା ।
ତୃଣମୂଳ କଂଗ୍ରେସର ବିଧାୟକ ମହୁଆ ମୈତ୍ର କେନ୍ଦ୍ରସରକାରଙ୍କ ଏଭଳି ଉଦ୍ୟମ ସାଧାରଣ ନାଗରିକଙ୍କ ଗୋପନୀୟତା ଉଲଂଘନ କରୁଥିବା ଦର୍ଶାଇ ଜନସ୍ୱାର୍ଥ ମାମଲା ଦାୟର କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଉଚ୍ଚନ୍ୟାୟାଳୟ ବିଚ଼ାର କରିବା ନିମନ୍ତେ ସମ୍ମତ୍ତି ପ୍ରଦାନ କରିଥିଲେ । ସୋସିଆଲ ମିଡ଼ିଆ ପ୍ରସାରଣ ସ୍ଥଳବିଶେଷରେ ସାମାଜିକ ଅସ୍ଥିରତାର କାରଣ ପାଲଟୁଥିବା ଅବସରରେ ଏଦିଗରେ ସରକାରୀ ସମୀକ୍ଷା ଏକ ପକ୍ଷରେ ଆବଶ୍ୟକ ଅନୁଭୂତ ହେଉଥିବା ସ୍ଥଳେ ଅପରପକ୍ଷରେ ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଧାରା ୨୧ କ୍ଷୁର୍ଣ୍ଣ କରିବା ନିମନ୍ତେ ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ ଆଶଙ୍କା ଅମୂଳକ ନୁହେଁ ।
ଏତାଦୃଶ ପରିବେଶରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ନିଜପକ୍ଷରୁ ପ୍ରଦତ୍ତ ସୁବିଧାସୁଯୋଗର ଦୁରୋପଯୋଗ ରୋକିବା ନିମନ୍ତେ ବୈଷୟିକ କଟକଣା ଉପଯୋଗ କରିବା ସର୍ବାପେକ୍ଷା ନୀତିସମ୍ମତ୍ତ ଓ ଫଳପ୍ରଦ ମନେହୁଏ । ଗଣମାଧ୍ୟମରେ ଏକଚ଼ାଟିଆ ବିସ୍ତୃତି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ଆଶଙ୍କାରେ ଆଇନକାନୁନର ବ୍ୟବସ୍ଥା ରହିଛି । ପରିବର୍ତ୍ତିତ ପରିସ୍ଥିତିରେ ଅନଲାଇନ କ୍ଷେତ୍ରରେ ସେଗୁଡ଼ିକର ଉପଯୋଗ ଆବଶ୍ୟକ । ପ୍ରତ୍ୟେକ ନୂତନ ଉଦ୍ଭାବନ ତାହାର ଦୁରୋପଯୋଗର ସମ୍ଭାବନାକୁ ନେଇ ପହଞ୍ଚିଥାଏ । ସେଗୁଡ଼ିକର ସମୟଉପଯୋଗୀ ସମାଧାନର ପନ୍ଥା ନିର୍ଦ୍ଧାରଣ ତାତ୍ପର୍ଯ୍ୟପୂର୍ଣ୍ଣ ।
