ଆଜିର ଖାସ ଖବର
Sat. May 30th, 2026

କଳିଙ୍ଗନଗର ସୁକିନ୍ଦା ଅଞ୍ଚଳର ୧୫୦ ଛାତ୍ରଛାତ୍ରୀଙ୍କୁଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଜ୍ୟୋତି ଫେଲୋସିପ୍‌

By Admin_Dainkasha Jan31,2025

ସୁକିନ୍ଦା, ୩୦/୦୧/୨୦୨୫: କଳିଙ୍ଗନଗର-ବ୍ରାହ୍ମଣୀପାଳ-ସୁକିନ୍ଦା ଅଂଚଳର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତର ୧୫୦ ଛାତ୍ରଛାତ୍ରୀଙ୍କୁ ଜ୍‌ଯୋତି ଫେଲୋସିପ୍ ପ୍ରଦାନ କରାଯାଇଛି। ଅନୁସୂଚିତ ଜାତି ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ପ୍ରତି ବର୍ଷ ଜ୍‌ଯୋତି ଫେଲୋସିପ ପ୍ରଦାନ କରାଯାଉଛି। ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଆୟୋଜିତ ଏକ ଦିବସୀୟ କାର୍ଯ୍ୟକ୍ରମରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଛି।
ସେମିନାରରେ ଟାଟା ଷ୍ଟିଲ୍‌ର ଫେରୋ ଆଲୟଜ୍ ଓ ମିନେରାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ ପଙ୍କଜ କୁମାର ସତିଜା, ଓଡ଼ିଶାର ‘କେନାଲ ମ୍ୟାନ’ ଭାବେ ପରିଚିତ ପଦ୍ମଶ୍ରୀ ଦୈତାରୀ ନାଏକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ, ଷ୍ଟେମ୍ ଲର୍ଣ୍ଣିଂ ପ୍ରାଇଭେଟ୍ ଲିମିଟେଡ୍‌ର କ୍ଲଷ୍ଟର୍ ମ୍ୟାନେଜର ସୟାନ୍ତନ ମିତ୍ର, ମୟୂରଭଞ୍ଜ ଜିଲ୍ଲା ବାଇସିଙ୍ଗାର ଖଇରାବଣି ଆଶ୍ରମ ସ୍କୁଲ ଅଧ୍ୟକ୍ଷ ବିନୀତା ଦାସ ଓ ଅନ୍ୟ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରିଥିଲେ।
ଏହି ଅବସରରେ ଟାଟା ଷ୍ଟିଲ୍‌ର ଫେରୋ ଆଲୟଜ୍ ଓ ମିନେରାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ ପଙ୍କଜ କୁମାର ସତିଜା କହିଥିଲେ, “ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସଫଳତା ପାଇବା ଦିଗରେ ସେମାନଙ୍କ ପଥ ସୁଗମ କରିବା ପାଇଁ ଆମେ ଦୃଢ ପ୍ରତିଶ୍ରୁତିବଦ୍ଧ। ଏହି ଫେଲୋସିପ ପ୍ରଦାନ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରୁଛି। ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଯୋଗାଇବା ଓ ସମାଜରେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ସହ ଆଗାମୀ ଦିନରେ ସେମାନଙ୍କୁ ଦେଶର ଦାୟିତ୍ୱବାନ ନାଗରିକ ଭାବେ ଗଢି ତୋଳିବାରେ ସହାୟକ ହେବ। ପ୍ରତ୍‌ଯେକ ଛାତ୍ରଛାତ୍ରୀ ସେମାନଙ୍କ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ସହ ପ୍ରତ୍‌ଯେକ ବାଧାକୁ ପାର କରି ନିଜ ନିଜର ଆକାଂକ୍ଷା ସାକାର କରିବାକୁ ଆମେ ସେମାନଙ୍କୁ ପ୍ରେରଣା ଦେଉଛୁ।“
ଏହି ଏକ ଦିବସୀୟ ସେମିନାରରେ ଟସରରୁ କିଭଳି ସିଲ୍କ ପ୍ରସ୍ତୁତ ହୁଏ, ଭିନ୍ନକ୍ଷମମାନଙ୍କ ଚଳପ୍ରଚଳ ସମସ୍ୟାକୁ ଦୂର କରିବା ଏବଂ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷାର ମହତ୍ୱ ଉପରେ ସମ୍ପର୍କରେ କର୍ମଶାଳା ଆୟୋଜନ କରାଯାଇଥିଲା। ଭାରତ ସରକାରଙ୍କ ସ୍କିଲ୍‌ଡ ଇଣ୍ଡିଆ ଅଭିଯାନ ସହ ସମନ୍ୱିତ ଦକ୍ଷତା ବିକାଶ ସୁଯୋଗ ଉପରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଜଳ ସଂରକ୍ଷଣ ଉପରେ ଆୟୋଜିତ ଅଧିବେଶନରେ ଅଂଶଗ୍ରହଣ କରିଥିଲେ, ଯାହା ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବଳର ସଂରକ୍ଷଣ ଓ ତାହାର ବିବିଧ ବ୍ୟବହାର ଉପାୟ ଅନ୍ୱେଷଣ କରିଥିଲେ।
ଜଳ ସଂରକ୍ଷଣର ମହତ୍ୱ ଉପରେ ଆଲୋକପାତ କରି ଶ୍ରୀ ଦୈତାରୀ ନାଏକ ଜଳ ସଂରକ୍ଷଣର ଅଭିନବ ଓ ସରଳ ପନ୍ଥା ସମ୍ପର୍କରେ ବୁଝାଇଥିଲେ। ଏହି ସେମିନାରରେ ସରୁଅବିଲ ଓ କମର୍ଦା ଖଣିର ମୁଖ୍ୟ ନବୀନ ଶ୍ରୀବାସ୍ତବ, ଏଫ୍‌ଏପି ବ୍ରାହ୍ମଣୀପାଳର ମୁଖ୍ୟ ଆଦର୍ଶ ଅଗ୍ରୱାଲ୍‌, ଏଫ୍‌ଏଏମ୍‌ଡିର ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ସୁକିନ୍ଦା-ବ୍ରାହ୍ମଣୀପାଳ କ୍ଲର୍ଷ୍ଟର ମୁଖ୍ୟ ଡକ୍ଟର ଜୟନ୍ତ ତ୍ରିପାଠୀ ଓ କଳିଙ୍ଗନଗର ଇମ୍ପାକ୍ଟ କ୍ଲର୍ଷ୍ଟର ମୁଖ୍ୟ ଦେବଞ୍ଜନ ମୁଖାର୍ଜୀଙ୍କ ସମେତ ଫାଉଣ୍ଡେସନ୍ ଟିମ୍‌ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ଜ୍ୟୋତି ଫେଲୋସିପ୍ ହେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଏକ ଶିକ୍ଷାବୃତ୍ତି ଅଭିଯାନ, ଯାହାର ଲକ୍ଷ୍ୟ ହେଉଛି ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ କୋଚିଂ ଓ ସହାୟତା ପ୍ରଦାନ କରି ନିଜ ପସନ୍ଦର କ୍ୟାରିୟର ଚୟନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା। ଗତ ଦଶନ୍ଧିରେ ସୁକିନ୍ଦା, ବ୍ରାହ୍ମଣୀପାଳ ଓ କଳିଙ୍ଗନଗରର ୫୦୦୦ ଛାତ୍ରୀଙ୍କ ସମେତ ସମୁଦାୟ ୧୩,୫୦୦ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଛି।

Related Post