ଭୁବନେଶ୍ୱର, ମେ ୫, ୨୦୨୬: ରାଜଧାନୀ ଭୁବନେଶ୍ୱରରେ ‘ଓଡ଼ିଶା ନାଭାଲ ଟାଟା ହକି ଗ୍ରୀଷ୍ମକାଳୀନ ଶିବିର’ର ଚତୁର୍ଥ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିର ମେ ୪ ତାରିଖରୁ ଆରମ୍ଭ ହୋଇ ମେ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ଭାଗ ନେଇଥିବା ୬ରୁ ୧୬ ବର୍ଷ ବୟସର ୮୦ରୁ ଅଧିକ ଖେଳାଳିଙ୍କୁ ହକିର କଳାକୌଶଳ ସହ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯିବ।
ଶିବିର ଉଦଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗ ଉପ-ଶାସନ ସଚିବ ଓଏ ଏସ୍ ସୌମ୍ୟ ସାର୍ଥକ ମିଶ୍ର, ଓଆର୍ଏସ୍ (ଓଏସଡି) ଆଶିଷ କୁମାର ରାଉତ ଏବଂ ଓଏସଡି ଡାକ୍ତର ଶାଶ୍ୱତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ହକି ପଡ଼ିଆରେ ସଫଳତା ପାଇଁ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ନିରନ୍ତର ପ୍ରଚେଷ୍ଟା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ କହିଥିଲେ । ଉଦଘାଟନୀ ସମାରୋହ ପରେ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ’ ଅଧିବେଶନ ଆୟୋଜିତ ହୋଇଥିଲା।
ଏହି ଗ୍ରୀଷ୍ମକାଳୀନ ଶିବିରରେ ୮୦ରୁ ଅଧିକ ଯୁବ ଖେଳାଳିଙ୍କ ଉପସ୍ଥିତି ଓଡ଼ିଶାର ସୁଦୃଢ଼ ହକି ସଂସ୍କୃତି ଏବଂ ନୂତନ ପ୍ରତିଭା ସୃଷ୍ଟିର ଏକ ନିରନ୍ତର ପ୍ରକ୍ରିୟାକୁ ପ୍ରତିଫଳିତ କରୁଛି। ଓଡ଼ିଶାର କ୍ରୀଡ଼ା ସଂସ୍କୃତିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ନୂତନ ଖେଳାଳି ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି ଯୁବ ଖେଳାଳିମାନେ ବୃତ୍ତିଗତ ମାର୍ଗଦର୍ଶନରେ ଆଧୁନିକ ହକିର କୌଶଳ ଶିଖିବାର ସୁଯୋଗ ପାଇବେ। ଓଡ଼ିଶା ନାଭାଲ ଟାଟା ହକି ଏକାଡେମୀର ଏହି ପ୍ରୟାସ ଆଗାମୀ ଦିନରେ ରାଜ୍ୟରୁ ଆହୁରି ଅନେକ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି କରିବାରେ ସହାୟକ ହେବ।
ଟେକ୍ନିକାଲ ଡ୍ରିଲ୍ସ, ଫିଟନେସ୍ ରୁଟିନ ଏବଂ ସଠିକ୍ ମାର୍ଗଦର୍ଶନର ସମନ୍ୱୟରେ ଏହି ଶିବିର ଏକ ସାମଗ୍ରିକ ପ୍ରଶିକ୍ଷଣ ପରିବେଶ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା କ୍ରମାଗତ ଭାବେ ଭାରତୀୟ ହକିର ପ୍ରମୁଖ କେନ୍ଦ୍ର ଭାବେ ନିଜର ପରିଚୟ ସୁଦୃଢ଼ କରୁଥିବା ବେଳେ, ଏହି ଗ୍ରୀଷ୍ମକାଳୀନ ଶିବିର ପରି ପଦକ୍ଷେପ ଆଗାମୀ ପିଢ଼ିର ଖେଳାଳିମାନଙ୍କୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଦକ୍ଷତା, ଫିଟନେସ୍ ଏବଂ ମେଣ୍ଟରସିପ୍ ଉପରେ କେନ୍ଦ୍ରିତ ଏହି ‘ଓଡ଼ିଶା ନାଭାଲ ଟାଟା ହକି ସମର କ୍ୟାମ୍ପ ୨୦୨୬’ ରାଜ୍ୟର ପରବର୍ତ୍ତୀ ପିଢ଼ିର ହକି ପ୍ରତିଭାମାନଙ୍କୁ ଅନୁପ୍ରାଣିତ କରିବା ସହ ସେମାନଙ୍କ ବିକାଶ ପାଇଁ କାମ କରୁଛି।

