ଆଜିର ଖାସ ଖବର
Mon. Jul 27th, 2026

ସୋସିଆଲ ମିଡିଆରେ ପ୍ରାକ୍- ନିର୍ବାଚ଼ନୀ ଦୃଶ୍ୟପଟ

By Dainikasha Jul11,2024

ସପ୍ତଦଶ ଲୋକସଭା ନିର୍ବାଚ଼ନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚ଼ନ ଆୟୋଜନ ଅବସରରେ ରାଜନୀତିକ ଦଳଗୁଡ଼ିକପକ୍ଷରୁ ସୋସିଆଲ ମିଡ଼ିଆରେ ନିର୍ବାଚ଼ନୀ ପ୍ରଚ଼ାର ଗୁରୁତ୍ୱବହନ କରିବା ପୂର୍ବାନୁମାନ ପ୍ରଥମ ପର୍ଯ୍ୟାୟ ନିର୍ବାଚ଼ନ ସୁଦ୍ଧା ଅନୁଧ୍ୟାନରୁ ସତ୍ୟ ପ୍ରମାଣିତ ହୋଇଛି । ପୂର୍ବବର୍ତ୍ତୀ ନିର୍ବାଚ଼ନଗୁଡ଼ିକ ତୁଳନାରେ ଏଥରକ ବାହ୍ୟ ପ୍ରଚ଼ାର ମାନ୍ଦା ଅନୁଭବ କରାଯାଇଛି । ୨୦୧୯ର ନିର୍ବାଚ଼ନ ପ୍ରଚ଼ାର ମୁଖ୍ୟତଃ ଟେଲିଭିଜନ ଓ ମୋବାଇଲ ଫୋନ ପରଦାକୁ ସ୍ଥାନାନ୍ତରିତ ହୋଇଥିବା ଅନୁମାନ କରାଯାଏ ।

‘ରଏଟର ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ଦ୍ୱାରା ୨୦୧୯ ଜାନୁୟାରୀ ମାସରେ ଆୟୋଜିତ ସର୍ବେକ୍ଷଣ ତଥା ମାର୍ଚ୍ଚରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆମ ଦେଶରେ ୮୩ କୋଟି ୬୦ ଲକ୍ଷ ଦର୍ଶକ ପ୍ରତ୍ୟେହ ହାରାହାରି ତିନିଘଣ୍ଟା ପଇଁଚ଼ାଳିଶି ମିନଟ ଟେଲିଭିଜନ ଦେଖନ୍ତି ଓ ୩୮ କୋଟି ୫୦ ଲକ୍ଷ ପାଠକ ସମ୍ୱାଦପତ୍ର ପଢ଼ନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ ୪୦ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସହ ୪୮ କୋଟି ଇଣ୍ଟରନେଟ ଉପଭୋକ୍ତା ଅନ୍ତର୍ଭୁକ୍ତ । ଗବେଷଣା ସଂସ୍ଥା ‘କମସ୍କୋର’ ଆକଳନ ଅନୁଯାୟୀ ୨୭ କୋଟି ୯୦ ଲକ୍ଷ ଉପଭୋକ୍ତା ଅନଲାଇନରେ ପ୍ରଥମେ ସମ୍ୱାଦ ଆହରଣ କରିଥାନ୍ତି । ସେମାନେ ୨୦୧୮ରେ ଦୈନିକ ପ୍ରାୟ ୫୦ ମିନଟ ଷ୍ଟ୍ରୀମିଂ ଭିଡ଼ିଓ ଦେଖୁଥିବା ହିସାବ କରାଯାଇଥିଲା ।

ଭାରତୀୟ ଗଣମାଧ୍ୟମ ଉପତ୍ୟକାରେ ପରିବର୍ତ୍ତିତ ପରିବେଶ ନିର୍ବାଚ଼ନୀ ପ୍ରଚ଼ାରକୁ ପ୍ରଭାବିତ କରିବା ସ୍ୱାଭାବିକ ।ନିର୍ବାଚ଼ନ-ପୂର୍ବପ୍ରଚ଼ାର ଅଭିଯାନରେ ଭୋଟରମାନେ ରାଜନୀତିକ ନେତୃବର୍ଗଙ୍କ ବକ୍ତବ୍ୟ ଟେଲିଭିଜନ ଓ ମୋବାଇଲ ପରଦାରେ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଟେଲିଭିଜନ ପ୍ରସାରଣ ସାର୍ବଜନୀନ ହୋଇଥିବା ସ୍ଥଳେ ସ୍ମାର୍ଟ ଫୋନରେ ବ୍ୟକ୍ତିଗତ ରୁଚ଼ିମତେ ନିର୍ଦ୍ଧଷ୍ଟ ରାଜନେତାଙ୍କ ଉଦବୋଧନ ଅକ୍ତିଆର କରିବା ସୁଯୋଗ ସୃଷ୍ଟି ହୋଇଥାଏ । ତେଣୁ ସ୍ମାର୍ଟଫୋନ ଉପଭୋକ୍ତାଙ୍କ କ୍ଷେତ୍ରରେ ‘ଫିଲଟର ବବୁଲ’ ଓ ‘ଇକୋ ଚେମ୍ୱର’ ପରିସ୍ଥିତି ସୃଷ୍ଟି କରିଥାଏ । ‘ଫିଲଟର ବବୁଲ’ର ଅର୍ଥ ଦର୍ଶକ ଅନ୍ୟ ସମସ୍ତ ବିଷୟକୁ ବାଦ ଦେଇ ନିଜ ପସନ୍ଦର ନେତାଙ୍କୁ ଶୁଣିଥାଏ ଏବଂ ‘ଇକୋ ଚ଼େମ୍ୱର’ର ଅର୍ଥ ଏଭଳି ବକ୍ତବ୍ୟ ବାରମ୍ୱାର ଶୁଣିବା ଦ୍ୱାରା ସଂପୃକ୍ତ ନେତୃତ୍ୱପ୍ରତି ଦୃଢ଼ଭାବେ ପ୍ରଭାବିତ ହୋଇପଡ଼େ ।

ନିର୍ବାଚ଼ନୀ ପ୍ରଚ଼ାରରେ ଜାତୀୟସ୍ତରର ରାଜନୀତିକ ଦଳଗୁଡ଼ିକ ସମେତ ରାଜ୍ୟସ୍ତରୀୟ ଦଳଗୁଡ଼ିକ ମଧ୍ୟ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ୨୦୧୯ ଫେବୃୟାରୀ – ମାର୍ଚ୍ଚ ପ୍ରାକ୍-ନିର୍ବାଚ଼ନୀ ବିଜ୍ଞାପନ ବ୍ୟୟରୁ ପ୍ରମାଣିତ ହୋଇଥାଏ । ଫେସବୁକର ଏଡ଼ଭାଟାଇଜମେଣ୍ଟ ଲାଇବ୍ରେରୀରୁ ସଂଗୃହୀତ ତଥ୍ୟ ଅନୁଯାୟୀ ସଂପୃକ୍ତ ସମୟସୀମାରେ ଭାରତୀୟ ଜନତା ପାର୍ଟି ଏବଂ ତାହାର ସହଯୋଗୀମାନଙ୍କ ପକ୍ଷରୁ ଫେସବୁକ ମଞ୍ଚରେ ବିଜ୍ଞାପନ ବାବଦରେ ମୋଟ ପାଞ୍ଚ କୋଟି ଟଙ୍କା ବ୍ୟୟ କରାଯାଇଥିବା ସ୍ଥଳେ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପକ୍ଷରୁ ଛଅ କୋଟି ୫୦ ଲକ୍ଷ ଏବଂ ଓଡ଼ିଶାର ବିଜୁ ଜନତା ଦଳ ପକ୍ଷରୁ ଚ଼ାରି କୋଟି ପନ୍ଦର ଲକ୍ଷ ଟଙ୍କା ବିଜ୍ଞାପନ ବାବଦରେ ବ୍ୟୟ କରାଯାଇଥିଲା । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମାତ୍ର ୧୬ ଲକ୍ଷ ଟଙ୍କାର ବିଜ୍ଞାପନ ବିତରିତ ହୋଇଥିଲା । ଏଭଳି ଉଦାହରଣରୁ ସୋସିଆଲ ମିଡ଼ିଆରେ ବିଜେପି ସହ ତେଲଙ୍ଗନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଆଞ୍ଚଳିକ ଦଳଗୁଡ଼ିକ ଟକ୍କର ଦେଉଥିବା ଅନୁମାନ କରାଯାଇପାରେ । ଏପ୍ରିଲ-ମେ ମାସରେ ସାତ ପର୍ଯ୍ୟାୟ ଭୋଟଗ୍ରହଣ ନିମନ୍ତେ ନିର୍ବାଚ଼ନୀ ପ୍ରଚାରରେ ଏହି ଖର୍ଚ୍ଚ ସୀମା ବଢ଼ିବା ସ୍ୱାଭାବିକ ।

ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ରରେ ଗଣତାନ୍ତ୍ରିକ ନିର୍ବାଚ଼ନ ଅବସରରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ପ୍ରଚାର ନିମନ୍ତେ ସୋସିଆଲ ମିଡ଼ିଆ ବ୍ୟବହୃତ ହେବା ପରେ ବିଭିନ୍ନ ଦିଗରୁ ଏହାର ଦୁରୋପଯୋଗ ଦେଖିବାକୁ ମିଳିଥିଲା । ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚ଼ନ ଓ ପରବର୍ତ୍ତୀ ଅବସ୍ଥାରେ ଫ୍ରାନ୍ସ, ସଂଯୁକ୍ତ ରାଷ୍ଟ୍ରପୁଞ୍ଜ, କେନିଆ ଓ ବ୍ରାଜିଲର ନିର୍ବାଚ଼ନଗୁଡ଼ିକରେ ବିଭ୍ରାଟ ଫଳରେ ସୋସିଆଲ ମିଡ଼ିଆ ମଞ୍ଚ ପରିଚ଼ାଳକମାନେ କାରିଗରୀ କୌଶଳ ଉପଯୋଗରେ ଗୁଜବ, ଗାଳିଗୁଲଜ ଓ ବେନାମୀ ପ୍ରସାରଣକୁ ଆକଟ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ ।

ବିଶ୍ୱବ୍ୟାପୀ ଅଭିଜ୍ଞତାକୁ ଆଧାର କରି ଭାରତ ସରକାର ଓ ନିର୍ବାଚ଼ନ ଆୟୋଗଙ୍କ ପକ୍ଷରୁ ସାଧାରଣ ନିର୍ବାଚ଼ନର ପ୍ରାୟ ବର୍ଷେକ ପୂର୍ବରୁ ସୋସିଆଲ ମିଡ଼ିଆ ମଞ୍ଚ ପରିଚ଼ାଳକମାନଙ୍କୁ କ୍ରମାଗତଭାବେ ତାଗିଦ କରାଯାଇଥିଲା । ଫଳରେ ନିର୍ବାଚ଼ନୀ ପ୍ରଚ଼ାରକୁ ଶୃଙ୍ଖଳିତ କରିବା ନିମନ୍ତେ ଭାରତର ସାଧାରଣ ନିର୍ବାଚ଼ନ ପରିପ୍ରେକ୍ଷୀରେ ପ୍ରଥମଥର ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି । ସୋସିଆଲ ମିଡ଼ିଆରେ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ବିଜ୍ଞାପନ ପ୍ରକାଶନ ସୂତ୍ର ତଥା ଖର୍ଚ୍ଚ ସଂପର୍କୀତ ତଥ୍ୟରେ ସ୍ୱଚ୍ଛତା ଅନ୍ତତଃପକ୍ଷେ ସଂଭବପର ହୋଇପାରିଛି । ପ୍ରତ୍ୟେକଟି ରାଜନୀତିକ ବିଜ୍ଞାପନ ସରକାରୀସ୍ତରରେ ଅନୁମୋଦନ ବିନା ସୋସିଆଲ ମିଡ଼ିଆରେ ସ୍ଥାନିତ ହୋଇପାରୁ ନାହିଁ । ତତ୍ସଙ୍ଗେ କିଏ କେତେ ଖର୍ଚ୍ଚ କରୁଛନ୍ତି ତତ୍କ୍ଷଣାତ ପ୍ରକାଶିତ ହୋଇପାରୁଛି ।

ଫେସବୁକ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହରେ କୁହାଯାଇଛି ଯେ ଭାରତ ଓ ଭାରତବାହାରେ ସଂପୃକ୍ତ ମଞ୍ଚରେ ପ୍ରତିଦିନ ଦଶଲକ୍ଷ ସନ୍ଦିଗ୍ଧ ପୋଷ୍ଟକୁ ବାହାର କରିଦିଆଯାଉଛି । ଗୁଜବ, ଗାଳିଗୁଲଜ ତଥା ବେନାମୀ ପ୍ରକାଶନଗୁଡ଼ିକୁ ଖୋଜିବାହାର କରିବା ନିମନ୍ତେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଭଳି ବୈଷୟିକ କୌଶଳ ନିୟୋଜନ କରାଯାଉଛି । ଏତଦ୍ ବ୍ୟତୀତ ଉପଭୋକ୍ତାମାନଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ ସଚ଼େତନତା ପ୍ରସାର ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି ।

ଏକ ଆକଳନ ଅନୁଯାୟୀ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ସୋସିଆଲ ମିଡ଼ିଆର ଦୁରୋପଯୋଗ ରୋକିବା ନିମନ୍ତେ ଫେସବୁକ, ଟୁଇଟର, ସେରଚ଼ାଟ, ୟୁ-ଟ୍ୟୁବ ଓ ଟିକଟକ ଭଳି ମଞ୍ଚଗୁଡ଼ିକ ପକ୍ଷରୁ ପ୍ରାୟ ପନ୍ଦର ହଜାର ଅତିରିକ୍ତ ଚୁକ୍ତିଭିତ୍ତିକ କର୍ମଚ଼ାରୀ ନିଯୁକ୍ତି ପାଇଥିଲେ । କେବଳ ଫେସବୁକ ପକ୍ଷରୁ ୭,୫୦୦ ଫେକ୍ଟ-ଚ଼େକରଙ୍କୁ ନିୟୋଜିତ କରାଯାଇଥିଲା । ଭାରତରେ ୧୫ ଗୋଟି ଆଞ୍ଚଳିକଭାଷାରେ ସନ୍ଦିଗ୍ଧ ପୋଷ୍ଟଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ବ୍ୟବସ୍ଥା ହୋଇଥିଲା ।

ଆଲୋଚ଼୍ୟ ନିର୍ବାଚ଼ନୀ ପ୍ରଚ଼ାର ଅଭିଯାନରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏକକ ନେତୃତ୍ୱ କେନ୍ଦ୍ରୀକ ବିଜ୍ଞାପନ ପ୍ରସାରଣରେ ପର୍ଯ୍ୟବସିତ।ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚ଼ନୀ ବିଜ୍ଞାପନ ମୋଦୀ କେନ୍ଦ୍ରୀକ ତଥା ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚ଼ନୀ ବିଜ୍ଞାପନ ରାହୁଳ ଗାନ୍ଧୀ କେନ୍ଦ୍ରୀକ ହୋଇଥିବା ସ୍ଥଳେ ଯୁବାଞ୍ଜନା ଶ୍ରମିକ ରଇତୁ କଂଗ୍ରେସ ପାର୍ଟି ପକ୍ଷରୁ ୱାଇ.ଏସ.ଜଗନମୋହନ ରେଡ଼ି ବା ବିଜୁ ଜନତା ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବବର୍ତ୍ତୀ ନିର୍ବାଚ଼ନଗୁଡ଼ିକରେ ନେତୃତ୍ୱକେନ୍ଦ୍ରୀକ ବିଜ୍ଞାପନର ଧାରା ରହି ଆସିଥିଲେ ହେଁ ୨୦୧୯ ନିର୍ବାଚ଼ନରେ ଦଳମତ ନିର୍ବିଶେଷରେ ତାହା ଦୃଢ଼ୀଭୂତ ହୋଇଛି । ଏଭଳି ପରିବର୍ତ୍ତନ ଲାଗି ସୋସିଆଲ ମିଡ଼ିଆରେ ନିର୍ବାଚ଼ନୀ ବିଜ୍ଞାପନ ପ୍ରସାରଣ କେତେମାତ୍ରାରେ ଦାୟୀ ତାହା ଗବେଷଣାସାପେକ୍ଷ । ସୋସିଆଲ ମିଡ଼ିଆର ଅଭ୍ୟୁଦୟ ପରେ ରାଜନୀତକ ନେତା ଓ ଭୋଟରଙ୍କ ମଧ୍ୟରେ ବ୍ୟକ୍ତିଗତସ୍ତରରେ ସଂପର୍କ ସ୍ଥାପନ ନିମନ୍ତେ ପ୍ରଶସ୍ତ ସୁବିଧାସୁଯୋଗ ସୃଷ୍ଟି ହୋଇପାରିଥିଲେ ହେଁ ତାହା ବହୁମୁଖୀ ଓ ଆଦାନପ୍ରଦାନର ମାଧ୍ୟମ ନ ହୋଇ ସମଗ୍ର ରାଷ୍ଟ୍ର ବା ରାଜ୍ୟରେ ଏକକ ନେତୃତ୍ୱ କେନ୍ଦ୍ରୀକ ହୋଇପଡୁଥିବା ଧାରାକୁ ଏକ ବିଡ଼ମ୍ୱନାଭାବେ ବିଚ଼ାର କରାଯାଇ ପାରେ । 

Related Post