ବିଶ୍ୱବ୍ୟାପୀ ଇଣ୍ଟରନେଟ ସଂଯୁକ୍ତି ସୁଦୃଢ଼ ହେବା ତଥା ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକର ଶେଷଭାଗରୁ ସ୍ମାର୍ଟଫୋନ ଯୋଗେ ମେସେଞ୍ଜର ଓ ସୋସିଆଲ ମିଡ଼ିଆ ଆପ୍ଲିକେସନଗୁଡ଼ିକର ବହୁଳ ବ୍ୟବହାର ବିଭିନ୍ନ ରାଷ୍ଟ୍ରର ଗଣତାନ୍ତ୍ରିକ ନିର୍ବାଚ଼ନ ପ୍ରଚ଼ାରକୁ ପ୍ରଭାବିତ କରିଛି ।
ଅଷ୍ଟଦଶ ଶତାଦ୍ଦୀରେ ୟୁରୋପରେ ଗଣତାନ୍ତ୍ରିକ ଶାସନ ପଦ୍ଧତି ପ୍ରଚଳନ ମୁଦ୍ରିତ ସମ୍ୱାଦପତ୍ରର ଉନ୍ମେଷ ସହ ଅଙ୍ଗାଙ୍ଗୀଭାବେ ଯୋଡ଼ି ହୋଇ ଆସିଥିଲା । ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଗାନ୍ଧୀ, ଲେନିନ ଓ ମାଓ-ସେ-ତୁଙ୍ଗଙ୍କ ଭଳି ଜନନାୟକମାନେ ମୁଦ୍ରଣ ଗଣମାଧ୍ୟମ ଉପଯୋଗରେ ଯୁଗାନ୍ତକାରୀ ରାଜନୀତିକ ବିପ୍ଳବମାନ ରଚନା କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ରେଡ଼ିଓ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଟେଲିଭିଜନ ମୁଦ୍ରଣ ଗଣମାଧ୍ୟମ ସହ ସାମିଲ ହୋଇଥିଲା । ତେବେ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ସୋସିଆଲ ମିଡ଼ିଆର ବିକାଶ ବିଭିନ୍ନ ରାଷ୍ଟ୍ରରେ ଗଣତାନ୍ତ୍ରିକ ନିର୍ବାଚ଼ନ ଅବସରରେ ରାଜନୀତିକ ଚର୍ଚ୍ଚା ନିମନ୍ତେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି ।
ପ୍ରଥମତଃ ପାରମ୍ପରିକ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ମଞ୍ଚରେ ଯୋଗାଯୋଗ ନିମ୍ନଗାମୀ ନୀତିରେ ପର୍ଯ୍ୟବସିତ । ଅର୍ଥାତ ଗୋଟିଏ ସୂତ୍ରରୁ ଅଗଣିତ ପାଠକ, ଶ୍ରୋତା ବା ଦର୍ଶକଙ୍କ ନିକଟକୁ ତଥ୍ୟ ପ୍ରସାରିତ ହୋଇଥାଏ। ରାଜନୀତିକ ନେତୃବର୍ଗ ଏଭଳି ମଞ୍ଚ ଉପଯୋଗରେ ଭୋଟରମାନଙ୍କ ନିକଟରେ ପହଞ୍ଚୁଥିଲେ ।କିନ୍ତୁ ସୋସିଆଲ ମିଡ଼ିଆ ମଞ୍ଚରେ ନେତୃବର୍ଗ ଭୋଟରମାନଙ୍କ ସହ ବାର୍ତ୍ତାଳାପକାଳରେ ଭୋଟରମାନେ ମଧ୍ୟ ନେତୃବର୍ଗଙ୍କ ସହ ଭାବବିନିମୟରେ ସାମିଲ ହୋଇପାରୁଛନ୍ତି । ଏଥିସହ ଭୋଟରମାନେ ନିଜସ୍ୱ ରାଜନୀତିକ ବିଚ଼ାର ସହଭାଗୀଙ୍କ ସମ୍ମୁଖରେ ଉପସ୍ଥାପିତ କରି ଚର୍ଚ୍ଚାର ଉପଦାନ ଗଢ଼ି ପାରୁଛନ୍ତି । ଫଳରେ ରାଜନୀତିକ ପ୍ରଚ଼ାରରେ ଏକଚ଼ାଟିଆ ଅଧିକାର ଖର୍ବ ହୋଇଛି ।
ଦ୍ୱିତୀୟତଃ ପାରମ୍ପରିକ ମଞ୍ଚଗୁଡ଼ିକ ବ୍ୟବହାର ବ୍ୟୟବହୁଳ ଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପ୍ରାୟତଃ ମାଗଣା । କେତେକ ରାଷ୍ଟ୍ରରେ ଇଣ୍ଟରନେଟ ସେବା ଗ୍ରାହକଶ୍ରେଣୀଭୁକ୍ତ ନହୋଇ ମଧ୍ୟ ସୋସିଆଲ ମିଡ଼ିଆ ଆପ୍ଲିକେସନଗୁଡ଼ିକ ବ୍ୟବହାର ସୁବିଧା ଉପଲବ୍ଧ ।ନିର୍ବାଚ଼ନ ପ୍ରଚ଼ାର ନିମନ୍ତେ କେବଳ ପ୍ରାର୍ଥୀଙ୍କ ବଦଳରେ ସେମାନଙ୍କ ଦଳୀୟ କର୍ମୀ, ସମର୍ଥକ ଓ ବିରୋଧୀମାନେ ଭୋଟରମାନଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ସମପରିମାଣରେ ସୁବିଧା ସୁଯୋଗ ଗ୍ରହଣ କରିବାକୁ ସକ୍ଷମ ହେଉଛନ୍ତି । ଏହାଦ୍ୱାରା ନିର୍ବାଚ଼ନ ପ୍ରଚ଼ାର ବ୍ୟାପକ ହୋଇପାରୁଛି ।
ତୃତୀୟତଃ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ବୃତ୍ତିଧାରୀ ଅଭିଜ୍ଞ ସାମ୍ୱାଦିକମାନଙ୍କ ଦ୍ୱାରା ପରିଚ଼ାଳିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚ ବ୍ୟବହାର ସେଭଳି କିଛି ଯୋଗ୍ୟତା ଆବଶ୍ୟକ କରିନଥାଏ । ଏତାଦୃଶ ସୁବିଧା ସୁଯୋଗ ଏକ ପକ୍ଷରେ ଉପଭୋକ୍ତାଙ୍କ ପାଇଁ ସ୍ୱାଧୀନ ପରିବେଶ ସୃଷ୍ଟି କରୁଥିବାସ୍ଥଳେ ଅପରପକ୍ଷରେ ଦକ୍ଷତା ଓ ଅଭିଜ୍ଞତା ଅଭାବରୁ ସମ୍ୱାଦ, ତଥ୍ୟ ଓ ଅଭିମତ ପରିବେଷଣରେ ଗୁରୁତର ତୃଟିବିଚ୍ୟୁତିର କାରଣ ପାଲଟିଥାଏ । ମେସେଞ୍ଜର ଓ ସୋସିଆଲ ମିଡ଼ିଆ ଅପ୍ଲିକେସନଗୁଡ଼ିକର ଅପବ୍ୟବହାର, ଯଥା ନିର୍ବାଚ଼ନ ପ୍ରଚ଼ାରରେ ଗୁଜବ ପ୍ରସାରଣ ହେତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଭ୍ରାଟ ସୃଷ୍ଟି କରିବାରେ ଲାଗିଛି । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକରେ ନିର୍ବାଚ଼ନ ପ୍ରଚ଼ାରରେ ନୂତନ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗୁଜବ ପ୍ରସାରକୁ ନେଇ ଜଟିଳ ସମସ୍ୟାମାନ ଅମୀମାଂସିତ ପର୍ଯ୍ୟାୟରେ ଲଟିକିଛି ।
ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ କେନିଆରେ ତିକ୍ତ ଅଭିଜ୍ଞତା ପରେ ୨୦୧୮ ଅକ୍ଟୋବର ମାସରେ ଦକ୍ଷିଣ ଆମେରିକାର ବ୍ରାଜିଲରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚ଼ନ ପ୍ରଚ଼ାରରେ ମେସେଞ୍ଜର ଆପ୍ଲିକେସନଗୁଡ଼ିକୁ ପ୍ରଯୁକ୍ତି କୌଶଳ ଉପଯୋଗରେ ଅପବ୍ୟବହାର ଉଦାହରଣମାନ ପର୍ଦ୍ଦାଫାଶ ହୋଇଛି । ବ୍ରିଟିଶ ବ୍ରଡ଼କାଷ୍ଟିଂ କରପୋରେସନର ବ୍ରାଜିଲ ଶାଖାର ଅନୁସନ୍ଧାନରୁ ପ୍ରକାଶ ପାଇଛି ଯେ ଡ଼ାଟା ସ୍କ୍ରାପିଙ୍ଗ ସଫଟୱେର ବ୍ୟବହାର କରି ଉପଭୋକ୍ତାଙ୍କ ବିନା ସମ୍ମତ୍ତିରେ ହ୍ୱାଟସଆପ ଯୋଗେ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଗୁଜବ ମେସେଜ ଓ ଭିଡ଼ିଓ ଆକାରରେ ବ୍ୟାପକ ମାତ୍ରାରେ ପ୍ରସାରିତ ହୋଇଥିଲା । ଏଥିଦ୍ୱାରା ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ଭୋଟରମାନଙ୍କୁ ଉଦଭ୍ରାନ୍ତ ତଥା ପ୍ରଭାବିତ କରିବା ନିମନ୍ତେ ଉଦ୍ୟମ କରାଯାଇଥିଲା ।
ବିଭିନ୍ନ ଦୃଷ୍ଟିକୋଣରୁ ବ୍ରାଜିଲର ସାମାଜିକ ତଥା ଅର୍ଥନୀତିକ ପାରିପାର୍ଶ୍ୱିକ ପରିବେଶ ସହ ଭାରତର ସାମଞ୍ଜସ୍ୟ ରହିଛି । ଏହା ଏକ ବିକାଶଶୀଳ ରାଷ୍ଟ୍ର । ବ୍ରାଜିଲର ୧୪ କୋଟି ୭୦ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୨ କୋଟି ହ୍ୱାଟସଆପ ମେସେଞ୍ଜର ସେବାର ଉପଭୋକ୍ତା । ସେଠାରେ କେତେକ ନିର୍ଦ୍ଦିଷ୍ଟ ଆପ୍ଲିକେସନ ଇଣ୍ଟରନେଟ ଗ୍ରାହକଶ୍ରେଣୀଭୁକ୍ତ ହେବା ବିନା ମଧ୍ୟ ଉପଲବ୍ଧ । ଅର୍ଥାତ କେତେକ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀ ମାଗଣାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଆପ୍ଲିକେସନ ବ୍ୟବହାରପାଇଁ ସୁଯୋଗ ପ୍ରଦାନ କରିଥାନ୍ତି । ଆମ ଦେଶରେ ଫେସବୁକ ଓ ଗୁଗୁଲ ପକ୍ଷରୁ ସେଭଳି ସେବା ପ୍ରଚ଼ଳନ କରିବା ପ୍ରସ୍ତାବକୁ ବିରୋଧ କରାଯାଇଥିଲା ।ଅସୀମିତ ପରିମାଣରେ ଇଣ୍ଟରନେଟ ସୁବିଧା କାରଣରୁ ବ୍ରାଜିଲର ସଂଖ୍ୟାଧିକ ନାଗରିକ ହ୍ୱାଟସଆପ ଭଳି ଆପ୍ଲିକେସନର ଉପଭୋକ୍ତା ରୂପେ ସାମିଲ ହୋଇପାରିଛନ୍ତି ।
ମୋବାଇଲଫୋନ ଯୋଗେ ସର୍ଟମେସେଜ ସର୍ଭିସ ‘ଏସଏମଏସ’ ପ୍ରେରଣ ଲାଗି ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଏହାର ବିକଳ୍ପରେ ହ୍ୱାଟସଆପ ବିକଶିତ ହୋଇଥିଲା । ଏକ ପକ୍ଷରେ ହ୍ୱାଟସଆପ ବ୍ୟବହାର ମାଗଣା ହୋଇଥିବା ସ୍ଥଳେ ଏଥିଦ୍ୱାରା ଟେକ୍ସଟ, ଫୋଟ, ଭିଡ଼ିଓ, ଡକ୍ୟୁମେଣ୍ଟ ଓ ଲୋକେସନ ଇତ୍ୟାଦି ଇନକ୍ରିପ୍ସନ ପଦ୍ଧତିରେ ବିତରିତ ହୋଇଥାଏ । ଫେସବୁକ ହ୍ୱାଟସଆପ ସେବାକୁ ୨୦୧୪ରେ ଅଧିଗ୍ରହଣ କରିଥିଲା ଏବଂ ୧୮୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ରରେ ଶହେ କୋଟିରୁ ଉର୍ଦ୍ଧ୍ୱ ହ୍ୱାଟସଆପ ଉପଭୋକ୍ତା ରହିଛନ୍ତି ।
ଏହି ଅପ୍ଲିକେସନ ଯୋଗେ ଅଧିକ ସଂଖ୍ୟକ ଉପଭୋକ୍ତାଙ୍କ ମଧ୍ୟରେ ତଥ୍ୟ ଓ ଚ଼ିତ୍ର ବିନିମୟ ଲାଗି ହ୍ୱାଟସଆପ ଗୃପ ଗଠନ କରାଯାଇଥାଏ ।ପ୍ରତ୍ୟେକ ଗୃପରେ ୨୫୬ ଜଣ ସଦସ୍ୟଭୁକ୍ତ ହୋଇପାରନ୍ତି ।ଜଣେ ଉପଭୋକ୍ତା୯,୯୯୯ ଯାଏଁ ଗୃପ ଗଠନ କରିପାରନ୍ତି । ଯେକୌଣସି ତଥ୍ୟ ବା ଚ଼ିତ୍ର ଏକା ଥରକେ ଗୃପର ସମସ୍ତ ସଦସ୍ୟଙ୍କ ନିକଟକୁ ଗୋଟିଏ କ୍ଳିକରେ ପ୍ରସାରିତ କରିହୁଏ । ଗୋଟିଏ ଗୃପର ତଥ୍ୟ ବା ଚ଼ିତ୍ର ଅନ୍ୟ ଗୋଟିଏ ଗୃପର ସଦସ୍ୟମାନଙ୍କ ମଧ୍ୟରେ ବିତରଣକୁ ଫରୱାର୍ଡ଼ କୁହାଯାଏ ।ଏଭଳି ଫରୱାର୍ଡର ସୀମା ଅନ୍ୟତ୍ର ୨୫୬ ଧାର୍ଯ୍ୟ ହେଉଥିବାସ୍ଥଳେ ଗୁଜବ ପ୍ରସାରଣକୁ ରୋକିବା ନିମନ୍ତେ ଭାରତରେ ମାତ୍ର ପାଞ୍ଚ ଗୋଟି ଫରୱାର୍ଡ଼ ମଧ୍ୟରେ ସୀମିତ କରାଯାଇଛି । ଅର୍ଥାତ କୌଣସି ତଥ୍ୟ ବା ଚ଼ିତ୍ର ଜଣେ ହ୍ୱାଟସଆପ ଉପଭୋକ୍ତା ନିଜ ଗୃପର ୨୫୬ ଜଣ ସଦସ୍ୟମଧ୍ୟରେ ପ୍ରସାରିତ କରିପାରିବେ ଏବଂ ପ୍ରତ୍ୟେକ ଗ୍ରହୀତା ଅନ୍ୟ ଗୃପ ସଦସ୍ୟଙ୍କ ନିକଟକୁ ତାହା ଫରୱାର୍ଡ଼ କରିପାରିବେ । କିନ୍ତୁ ଏଭଳି ଫରୱାର୍ଡ଼ ପାଞ୍ଚଜଣଙ୍କ ଯାଏଁ ସଂଭବପର ।
ହ୍ୱାଟସଆପ ଆପ୍ଲିକେସନକୁ ନିର୍ବାଚ଼ନ ପ୍ରଚ଼ାରରେ ନିୟୋଜିତ କରିବା ନିମନ୍ତେ ଗୃପ ଗଠନ ପ୍ରାଥମିକ ସୋପାନ । ମୌଳିକଭାବେ ଉପଭୋକ୍ତାଙ୍କ ସମ୍ମତ୍ତିରେ ଜଣେ ଏଡ଼ମିନଷ୍ଟେଟରଙ୍କ ତତ୍ତ୍ୱାବଧାନରେ ଗୃପ ଗଠିତ ହୋଇଥାଏ । ଟେଲିଫୋନ ଗ୍ରାହକ ସଂପର୍କୀତ ତଥ୍ୟାବଳୀ ବ୍ରାଜିଲ ଭଳି ରାଷ୍ଟ୍ରରେ ନିୟମାନୁଯାୟୀ ବିକ୍ରୀ ହେଉଥିବା ସ୍ଥଳେ ରାଜନୀତିକ ନେତୃବର୍ଗ ତାହା ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କଠାରୁ କିଣିଥାନ୍ତି କିମ୍ୱା ବେନିୟମଭାବେ ସଂଗ୍ରହ କରି ଉପଭୋକ୍ତାମାନଙ୍କ ଅଗୋଚ଼ରରେ ହ୍ୱାଟସଆପ ଗୃପମାନ ଗଠନ କରିଥାନ୍ତି । ଏଭଳି ଗୃପଗୁଡ଼ିକରେ ରାଜନୀତିକ ତଥ୍ୟ ଓ ଚ଼ିତ୍ର ନିୟମିତଭାବେ ପ୍ରସାରିତ ହୋଇଥାଏ ।
ବିବିସି ଅନୁସନ୍ଧାନରୁ ଜଣାଯାଇଛି ଯେ ଡ଼ାଟା ସ୍କ୍ରାପିଙ୍ଗ ସଫଟୱେର ଉପଯୋଗରେ ଫେସବୁକ ଭଳି ମଞ୍ଚଗୁଡ଼ିକରୁ ଉପଭୋକ୍ତାମାନଙ୍କ ରୁଚ଼ି ପରଖି ଦଶ ମିନଟ ମଧ୍ୟରେ ଏକ ହଜାର ଟେଲିଫୋନ ନମ୍ୱର ସଂଗ୍ରହ ସଂଭବପର । ଉଦାହରଣରେ ଫେସବୁକ ପୃଷ୍ଠାଗୁଡ଼ିକରେ ଯେଉଁ ଯୁବକମାନେ ନୂତନ ବୈଷୟିକ କୌଶଳ ସମ୍ମନ୍ଧିତ ପୋଷ୍ଟମାନ କ୍ଳିକ କରି ପଢ଼ିଛନ୍ତି କିମ୍ୱା ଯେଉଁ ଗୃହଣୀମାନେ ବର୍ଦ୍ଧିତ ଇନ୍ଧନ ଦର ସଂପର୍କରେ ପୋଷ୍ଟଗୁଡ଼ିକୁ ଲାଇକ କରିଛନ୍ତି ସେମାନଙ୍କ ଟେଲିଫୋନ ନମ୍ୱର ପୃଥକ ପୃଥକଭାବେ ଏକାଠି କରାଯାଇପାରେ । ଏହି ଟେଲିଫୋନ ନମ୍ୱରଗୁଡ଼ିକୁ ଭିନ୍ନ ଭିନ୍ନ ହ୍ୱାଟସଆପ ଗୃପରେ ସାମିଲ କରାଯାଇ ସେମାନଙ୍କ ଆଗ୍ରହ ଅନୁଯାୟୀ ନିର୍ବାଚ଼ନ ସମ୍ପର୍କୀତ ସତ୍ୟ ବା ଅସତ୍ୟ ସମ୍ୱାଦ, ତଥ୍ୟ ବା ଅଭିମତ ବିତରଣର ବ୍ୟବସ୍ଥା ସଂଭବପର ।
ବ୍ରାଜିଲରେ ୨୦୧୮ ଅକ୍ଟୋବର ନିର୍ବାଚ଼ନ ଅବସରରେ କେତେକ ଇଣ୍ଟରନେଟ ବ୍ୟବସାୟୀ ଅତ୍ୟାଧୁନିକ ସଫଟୱେର ଉପଯୋଗରେ ହ୍ୱାଟସଆପ ଗୃପମାନ ଗଠନକରି ପ୍ରତ୍ୟେକ ଗୃପରେ ନିଜସ୍ୱ କର୍ମଚ଼ାରୀଙ୍କୁ ନିୟୋଜିତ କରିଥିଲେ ।ରାଜନୀତିକ ନେତୃବର୍ଗଙ୍କ ବରାଦମତେ ଭୋଟରଙ୍କ ରୁଚ଼ି ଓ ସ୍ୱତନ୍ତ୍ର୍ୟ ଅନୁଯାୟୀ ବର୍ଗୀକୃତ ଗୃପଗୁଡ଼ିକରେ ନିଜ କର୍ମଚ଼ାରୀଙ୍କ ସହାୟତାରେ ନିୟମିତ ତଥ୍ୟ ଓ ଭିଡ଼ିଓ ପୋଷ୍ଟ କରୁଥିଲେ । ଫଳରେ ନିର୍ଦ୍ଦିଷ୍ଟ ନେତାଙ୍କ ସଂପର୍କରେ ବହୁଳ ପ୍ରଚ଼ାରର ପରିବେଶ ସୃଷ୍ଟି ହୋଇପାରୁଥିଲା ।ପ୍ରାୟୋଜିତ ଗୃପଗୁଡ଼ିକରୁ ପ୍ରାୟ ଅର୍ଦ୍ଧେକ ସଦସ୍ୟ କିଛି ସମୟ ମଧ୍ୟରେ ଅପସରି ଯାଉଥିବା ଅବସରରେ ପୁଣି ନୂତନ ସଦସ୍ୟଙ୍କୁ ସମ୍ମିଳିତ କରିବାକୁ ପଡୁଥିଲା । ଏତାଦୃଶ ନିର୍ବାଚ଼ନ ପ୍ରଚ଼ାର ନିମନ୍ତେ ଗୃପ ଗଠନରେ ସଦସ୍ୟ ସଂଗ୍ରହ, ଗୃପରେ ପ୍ରସାରଣ ପରିଚ଼ାଳନାଲାଗି କର୍ମଚ଼ାରୀ ନିଯୁକ୍ତି ତଥା ପ୍ରସାରଣ ସାମଗ୍ରୀ ସୃଜନ ନିମନ୍ତେ ବିପୁଳ ଅର୍ଥ ବ୍ୟୟ ହୋଇଥିଲା । ଏକ ହିସାବ ଅନୁଯାୟୀ ଦଶ ଲକ୍ଷ ହ୍ୱାଟସଆପ ମେସେଜ ବିତରଣ ଲାଗି ଇଣ୍ଟରନେଟ ବ୍ୟବସାୟୀମାନେ ୬ଲକ୍ଷ ୨୦ ହଜାର ଟଙ୍କା ଯାଏଁ ପାରିଶ୍ରମିକ ନେଇଥିଲେ ।
ବ୍ରାଜିଲରେ ଅଟୋମେଟିକ ଡ଼ାଟା ସ୍କ୍ରାପିଙ୍ଗ ସଫଟୱେର ଉପଯୋଗରେ ଥରକା ତିନି ଲକ୍ଷ ହ୍ୱାଟସଆପ ମେସେଜ ପ୍ରେରଣ ସମ୍ଭବପର ବୋଲି କୁହାଯାଉଛି । ଫଳରେ ନିର୍ବାଚ଼ନ ଅବସରରେ ଗୁଜବ ପ୍ରସାରଲାଗି ପ୍ରଶସ୍ତ କ୍ଷେତ୍ର ସୃଷ୍ଟି ସଂଭବପର ହୋଇପାରୁଛି । ରାଜନୀତିକ ଦଳଗୁଡ଼ିକ ସହ ବିଭିନ୍ନ ମନୋହରି ସାମଗ୍ରୀ ବିକ୍ରେତାମାନେ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଦ୍ରବ୍ୟ ଓ ସେବା ବିଜ୍ଞାପନ ଲାଗି ଏଭଳି ସୁବିଧାସୁଯୋଗ ଗ୍ରହଣ କରୁଛନ୍ତି । ବ୍ରାଜିଲର ଉଦାହରଣ କ୍ରମଶଃ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପ୍ରସାରିତ ହେବା ଆଶଙ୍କା କରାଯାଇପାରେ ।
ଭାରତରେ ୧୩୦ କୋଟି ଜନସଂଖ୍ୟାରେ ୫୦ କୋଟି ଇଣ୍ଟରନେଟ ସଂଯୋଗ ତଥା ୨୦ କୋଟି ହ୍ୱାଟସଆପ ଉପଭୋକ୍ତାକୁ ବିଚ଼ାରକୁ ନେଲେ ବ୍ରାଜିଲ ପରିବେଶ ସହ ସମକକ୍ଷ ନହୋଇପାରେ । ତେବେ ୨୦୧୯ ରାଜ୍ୟ ଓ କେନ୍ଦ୍ର ନିର୍ବାଚ଼ନରେ ହ୍ୱାଟସଆପ ଯୋଗେ ପ୍ରଚ଼ାର ବେଶ ଜୋର ଧରିବ ବୋଲି ବିଚ଼ାର କରାଯାଇପାରେ । କର୍ଣ୍ଣାଟକରେ ୨୦୧୮ ପ୍ରଥାମାର୍ଦ୍ଧରେ ବିଧାନସଭା ନିର୍ବାଚ଼ନରେ ହ୍ୱାଟସଆପ ଗୃପ ଗଠନ ପ୍ରାଧାନ୍ୟ ଲାଭ କରିଥିଲା । ଦେଶବ୍ୟାପୀ ରାଜନୀତିକ ଦଳମାନଙ୍କ ପକ୍ଷରୁ ୨୦୧୯ ନିର୍ବାଚ଼ନକୁ କେନ୍ଦ୍ରକରି ନିଜ ସମର୍ଥକମାନଙ୍କୁ ହ୍ୱାଟସଆପ ଗୃପ ଗଠନ କରି ଏକତ୍ରୀତ କରୁଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଭୋଟରଙ୍କଠାରେ ପହଞ୍ଚିବା ପାଇଁ ପ୍ରଯୁକ୍ତି କୌଶଳ ଉପଯୋଗକରି କିଛି ଅସାଧୁ ପଦ୍ଧତି ଅବଲମ୍ୱନର ପୁର୍ବାନୁମାନ ଏଡ଼ାଇ ଦିଆନଯାଇପାରେ ।
ଆମ ଦେଶରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀତ୍ୱ ଦୀର୍ଘ ସମୟ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ପକ୍ଷରୁ ଘୋଷିତ ହୋଇପାରୁ ନାହିଁ । ଫଳରେ ପ୍ରାର୍ଥୀମାନେ ବ୍ୟକ୍ତିଗତସ୍ତରରେ ପ୍ରଚ଼ାର ନିମନ୍ତେ ଯୋଜନା ରୂପାୟନ ନିମନ୍ତେ ଆବଶ୍ୟକୀୟ ସମୟ ପାଇପାରୁ ନାହାନ୍ତି । ସାମଗ୍ରୀକ ସମସ୍ୟା ଆଧାରିତ ପୂର୍ବପ୍ରସ୍ତୁତ ପ୍ରଚ଼ାର ସାମଗ୍ରୀ ପ୍ରାର୍ଥୀମାନେ ଦଳୀୟ ସୂତ୍ରରୁ ପାଇପାରୁଥିଲେ ହେଁ ନିଜସ୍ୱ ନିର୍ବାଚ଼ନମଣ୍ଡଳୀ ସଂପର୍କରେ ଆଞ୍ଚଳିକଭିତ୍ତିରେ ବିଭିନ୍ନ ସମସ୍ୟା ନେଇ ପ୍ରଚ଼ାର ସାମଗ୍ରୀ କମ ସମୟ ମଧ୍ୟରେ ପ୍ରସ୍ତୁତ କରିପାରନ୍ତି ନାହିଁ । ଏଭଳି ପରିସ୍ଥିତି ଅନେକ ସମୟରେ ସେମାନଙ୍କୁ ବାଟବଣା କରିଥାଏ । ନିର୍ବାଚ଼ନ ପ୍ରଚ଼ାରରେ ସୋସିଆଲ ମିଡ଼ିଆ ଉପଯୋଗ ନିମନ୍ତେ ପୂର୍ବ ପ୍ରସ୍ତୁତି ନିତାନ୍ତ ଆବଶ୍ୟକ ।
