ଆଜିର ଖାସ ଖବର
Sat. May 30th, 2026

ଟେଲିଭିଜନ ସମ୍ୱାଦ ଉପଭୋକ୍ତା

By Dainikasha Jul11,2024

ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଟେଲିଭିଜନ ସମ୍ୱାଦ ଉପଭୋକ୍ତା ଦେଶର ଅନ୍ୟପ୍ରାନ୍ତ ତୁଳନାରେ କମ । ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ୩୬ ପ୍ରତିଶତ, ଉତ୍ତରାଞ୍ଚଳରେ ୨୬ ପ୍ରତିଶତ ଓ ପଶ୍ଚିମାଞ୍ଚଳରେ ୨୩ ପ୍ରତିଶତ ଟେଲିଭିଜନ ଦର୍ଶକ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ପସନ୍ଦ କରୁଥିବାବେଳେପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅନୁରୂପ ସଂଖ୍ୟା ମାତ୍ର ୧୫ ପ୍ରତିଶତ ଗଣନା କରାଯାଇଛି । ଅର୍ଥାତ ଏଠାକାର ଟେଲିଭିଜନ ଦର୍ଶକମାନେ ସେମାନଙ୍କ ମୋଟ ଟେଲିଭିଜନ ଦେଖାରେ ବ୍ୟୟ କରୁଥିବା ସମୟ ମଧ୍ୟରୁ ମାତ୍ର ୧୫ ପ୍ରତିଶତ ସମୟ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ଦେଖିଥାନ୍ତି ।

ଦେଶରେ ୨୦୧୮ ଆରମ୍ଭ ସୁଦ୍ଧା ସରକାରୀ ଲାଇସେନ୍ସ ପ୍ରାପ୍ତ ୮୫୦ ଗୋଟି ଟେଲିଭିଜନ ଚ୍ୟାନେଲ ମଧ୍ୟରୁ ପ୍ରାୟ ୧୧୫ ଗୋଟି ସମ୍ୱାଦଭିତ୍ତିକ ଟେଲିଭିଜନ ଚ୍ୟାନେଲ କାର୍ଯ୍ୟକ୍ଷମ ରହିଥିଲା । ଏଥିରୁ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଆସାମରେ ୮ ଗୋଟି, ବଙ୍ଗଳାରେ ୯ ଗୋଟି ଓ ଓଡ଼ିଆରେ ସର୍ବାଧିକ ୧୦ ଗୋଟି ସମ୍ୱାଦଭିତ୍ତିକ ଟେଲିଭିଜନ ଚ୍ୟାନେଲ ଅନ୍ତର୍ଭୁକ୍ତ । ଏହି ଅଞ୍ଚଳରେ ଆଞ୍ଚଳିକ ଚ୍ୟାନେଲଗୁଡ଼ିକ ସାଙ୍ଗକୁ ହିନ୍ଦୀର ୨୧ ଗୋଟି ଓ ଇଂଲିଶର ୧୨ ଗୋଟି ସମ୍ୱାଦଭିତ୍ତିକ ଚ୍ୟାନେଲ ମଧ୍ୟ ଉପଲବ୍ଧ । ତେବେ ସମ୍ୱାଦ ପ୍ରତି ସ୍ଥାନୀୟ ଟେଲିଭିଜନ ଦର୍ଶକମାନେ ଏକରକମ ବିମୁଖ ଥିବା ଏଭଳି ପରିସଂଖ୍ୟାନରୁ ପ୍ରମାଣିତ ହୋଇଥାଏ ।

ଓଡ଼ିଶା, ଆସାମ ଓ ପଶ୍ଚିମ ବଙ୍ଗ ସର୍ବଭାରତୀୟସ୍ତରରେ ତୁଳନାତ୍ମକଭାବେ ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ତୃଣମୂଳସ୍ତରରେ ପଛୁଆ ବୋଲି ବିଚ଼ାର କରାଯାଏ । ଏଠାକାର ଜନସଂଖ୍ୟା ମୁଖ୍ୟତଃ କୃଷିଜୀବୀ ଓ ଦିନମଜୁରିଆ ଶ୍ରେଣୀଭୁକ୍ତ ହୋଇଥିବା ତଥା ଗ୍ରାମାଞ୍ଚଳରେ ବସବାସ ପରିବେଶରେ ଟେଲିଭିଜନକୁ ମନୋରଞ୍ଜନର ମାଧ୍ୟମରୂପେ ଗ୍ରହଣ କରୁଥିବା ଦେଖିବାକୁ ମିଳିଥାଏ । ମାତ୍ର ୧୫ ପ୍ରତିଶତ ଦର୍ଶକଙ୍କୁ ପାଥେୟ କରି ଓଡ଼ିଆ ଟେଲିଭିଜନ ଶିଳ୍ପରେ ଦଶଗୋଟି ଚ୍ୟାନେଲର ଉପସ୍ଥିତି ଏଠାରେ ପ୍ରସାରଣକୁ ବ୍ୟବସାୟ ଭିନ୍ନ ବିକଳ୍ପ ଲକ୍ଷ୍ୟରେ ପରିଚ଼ାଳନା କରାଯାଉଥିବା ସ୍ପଷ୍ଟ ହୋଇଥାଏ ।

ଅନ୍ୟାନ୍ୟ ଆଞ୍ଚଳିକ ଭାରତୀୟ ଭାଷା ସମୂହମଧ୍ୟରେ ତେଲୁଗୁରେ ୧୬ ଗୋଟି, ତାମିଲ ଓ ମାଳାୟଳମରେ ପ୍ରତ୍ୟେକ ୧୦ ଗୋଟି, କନ୍ନଡ଼ ଓ ମରାଠୀରେ ପ୍ରତ୍ୟେକ ୮ ଗୋଟି ଏବଂ ପଞ୍ଜାବୀରେ ୩ ଗୋଟି ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲ କାର୍ଯ୍ୟ କରୁଛି । ସର୍ବଭାରତୀୟସ୍ତରରେ ହାରାହାରି ମାତ୍ର ଆଠ ପ୍ରତିଶତ ସମୟ ଟେଲିଭିଜନ ଉପଭୋକ୍ତାମାନେ ସମ୍ୱାଦ କାର୍ଯ୍ୟକ୍ରମ ଦେଖିଥାନ୍ତି । ଟେଲିଭିଜନ ଦର୍ଶକଙ୍କ ପ୍ରଥମ ପସନ୍ଦ ସିନେମା ତଥା ଦ୍ୱିତୀୟ ପସନ୍ଦ ସାଧାରଣ ମନୋରଞ୍ଜନ ଥିବାବେଳେ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମର ସ୍ଥାନ ତୃତୀୟ ରହିଛି ।

ଭାରତୀୟ ଟେଲିଭିଜନ ଦର୍ଶକଙ୍କ ରୁଚ଼ି ସଂପର୍କରେ ‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ପକ୍ଷରୁ ଏକ ସର୍ବେକ୍ଷଣରେ ଜଣାଯାଇଛି ଯେ ଦେଶରେ ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ମୁଖ୍ୟତଃ ୨୨ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ଦର୍ଶକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥାଏ । ତେବେ ଶିଶୁ-କିଶୋର-ଯୁବ ବର୍ଗ ମଧ୍ୟ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ ଦେଖିଥାନ୍ତି ।ଆଲୋଚ଼କମାନଙ୍କ ମତରେ ପ୍ରାପ୍ତବୟସ୍କମାନେ ନିଜ ରୁଚ଼ି ଅନୁଯାୟୀ ଟେଲିଭିଜନ କାର୍ଯ୍ୟକ୍ରମ ଦେଖୁଥିବାସ୍ଥଳେ ହୁଏତ ଶିଶୁ-କିଶୋର-ଯୁବ ବର୍ଗ ଏକେତ ପାରିବାରିକ ପରିବେଶରେ ଗୋଟିଏ ଟେଲିଭିଜନ ଥିବା ଘରେ ବାଧ୍ୟବାଧକତାରେ ଅନ୍ୟମାନଙ୍କ ସହ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ଦେଖିଥାନ୍ତି କିମ୍ୱା ସମକାଳୀନ ଜନସଂଖ୍ୟାରେ ସେମାନଙ୍କ ସଂଖ୍ୟା ଅର୍ଦ୍ଧେକ ହୋଇଥିବା ହେତୁ ଆନୁପାତିକ ହିସାବରେ ସଂଖ୍ୟା ବଢ଼ିଯାଉଥାଇପାରେ ।

ପ୍ରଶ୍ନଉଠେ ସମ୍ୱାଦଭିତ୍ତିକ ଟେଲିଭିଜନ କାର୍ଯ୍ୟକ୍ରମକୁ ଯଦି ସଂଖ୍ୟାଧିକ କମବୟସର ଦର୍ଶକ ଦେଖୁଛନ୍ତି ତେବେ କାର୍ଯ୍ୟକ୍ରମ ପ୍ରଯୋଜନା କ୍ଷେତ୍ରରେ ଆମେ ସେଥିପ୍ରତି ଦୃଷ୍ଟି ଦେଉଛେ କି ? ଯଦି ଦେଉ ନାହୁଁ, ତେବେ ସେମାନଙ୍କ ରୁଚ଼ିକୁ ସୁହାଇଲାଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ ନିମନ୍ତେ ଯତ୍ନବାନ ହେବା ଉଚ଼ିତ ନୁହେଁ କି ? ବିଶେଷକରି ଟେଲିଭିଜନ ରେଟିଂ ପଏଣ୍ଟ ହାସଲ କରିବାରେ ପଛରେ ରହୁଥିବା ଟେଲିଭିଜନ ଚ଼୍ୟାନେଲଗୁଡ଼ିକ ଶିଶୁ-କିଶୋର-ଯୁବ ବର୍ଗର ଦର୍ଶକଙ୍କ ନିମନ୍ତେ ସମ୍ୱାଦ ସହ ଜ୍ଞାନ-ପରିବର୍ଦ୍ଧକ କାର୍ଯ୍ୟକ୍ରମପ୍ରତି ଗୁରୁତ୍ୱ ଦେଲେ ଦର୍ଶକଙ୍କ ଆଗ୍ରହ ଅକ୍ତିଆର କରିପାରିବେବୋଲି ବିଶ୍ୱାସ କରାଯାଇପାରେ ।

ସୀମିତ ଦର୍ଶକୀୟ ସମର୍ଥନ ସତ୍ତ୍ୱେ ଭାରତରେ ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲ ସଂଖ୍ୟା ବଢ଼ି ଚାଲିଛି । ୨୦୧୭ରେ ବର୍ଷକ ମଧ୍ୟରେ ୨୧ ଗୋଟି ନୂଆ ଚ଼୍ୟାନେଲ ଅର୍ଥାତ ପୂର୍ବବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ହିସାବ କରାଯାଇଛି ।

ପାରମ୍ପରିକଭାବେ ଟେଲିଭିଜନର ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ଦୁଇଗୋଟି ଧାରାରେ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଏକପକ୍ଷରେ କେତେକ ଦର୍ଶକ ନିୟମିତଭାବେ ସମ୍ୱାଦ କାର୍ଯ୍ୟକ୍ରମ ଦେଖିଥାନ୍ତି । ବର୍ଷସାରା ଧାରାବାହିକ ଏକ ବା ଅଧିକ ଚ଼୍ୟାନେଲର ଏକ ବା ଅଧିକ ସମ୍ୱାଦ ବୁଲେଟିନ ଦେଖିବା ସେମାନଙ୍କ ଅଭ୍ୟାସ ପାଲଟିଯାଇଥାଏ । ଅପରପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ସମ୍ୱାଦ ଜାଣିବା ନିମନ୍ତେ ଅନ୍ୟ କେତେକ ଦର୍ଶକ ବେଳେବେଳେ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ଆଗ୍ରାହାନ୍ୱିତ ହୋଇଥାନ୍ତି । ୨୦୧୭ରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚ଼ନ ସାଙ୍ଗକୁ ବିମୁଦ୍ରାୟନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରଲୋକ ଓ ସେନା ବାହିନୀର ସର୍ଜିକାଲ ଷ୍ଟ୍ରାଇକ ଭଳି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ଜାଣିବା ନିମନ୍ତେ ନିୟମିତ ଟେଲିଭିଜନ ସମ୍ୱାଦ ନ ଦେଖୁଥିବା ଦର୍ଶକ ଟେଲିଭିଜନ କାର୍ଯ୍ୟକ୍ରମପ୍ରତି ଆଗ୍ରାହାନ୍ୱିତ ହୋଇଥିଲେ ।

ଭାରତରେ ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲଗୁଡ଼ିକୁ ନିକଟ ଭବିଷ୍ୟତରେ ମୁଦ୍ରଣ ଓ ଇଣ୍ଟରନେଟ ମଞ୍ଚ ସହ ମୁକାବିଲା କରିବାକୁ ପଡ଼ିବ । ପାଠକ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସମ୍ୱାଦ ପରିବେଷଣରେ ନୂତନ ଶୈଳୀ ଓ କୌଶଳ ଉପଯୋଗ କରିବା ଆରମ୍ଭ କରିଥିବାସ୍ଥଳେ ଖୁବ୍ ଶୀଘ୍ର ତାହା ଆମ ଦେଶରେ ପ୍ରତିବିମ୍ୱିତ ହେବ । ଅପରପକ୍ଷେ ଇଣ୍ଟରନେଟଭିତ୍ତିକ ସମ୍ୱାଦ ଉତ୍ପାଦଗୁଡ଼ିକ ପରିବେଷଣଜନିତ କ୍ଷୀପ୍ରତା ତଥା ଗଭୀର ଆଞ୍ଚଳିକତା ବା ‘ହାଇପର ଲୋକାଲାଇଜେସନ’କୁ ସୁହାଇବା ସୁଯୋଗ ଦର୍ଶକଙ୍କୁ ଆକର୍ଷିତ କରିଚ଼ାଲିବ । ସର୍ବୋପରି ମୋବାଇଲ ଫୋନର ଲୋକପ୍ରିୟତା ବୃଦ୍ଧି ତଥା ଏହାର ପରଦାରେ ସମ୍ୱାଦପତ୍ର, ଟେଲିଭିଜନ ଚ଼୍ୟାନେଲ ଓ ଇଣ୍ଟରନେଟଭିତ୍ତିକ ସମ୍ୱାଦ ଉତ୍ପାଦ ସମସ୍ତଙ୍କ ପାଇଁ ଏକକମଞ୍ଚ ପ୍ରସ୍ତୁତ କରିଥିବା ଅବସରରେ ପ୍ରତିଦ୍ୱନ୍ଦିତା ବଢ଼ିଚାଲିବା ଆଶା କରାଯାଇପାରେ । ପ୍ରତିଯୋଗିତାମୂଳକ ପରିବେଶରେ ବଞ୍ଚିରହିବା ନିମନ୍ତେ କାର୍ଯ୍ୟକ୍ରମ ପ୍ରଯୋଜନାରେ ସର୍ଜନଶୀଳତା ହିଁ ଏକ ମାତ୍ର ରାସ୍ତା । ଦଶ ଗୋଟି ସମ୍ୱାଦଭିତ୍ତିକ ଓଡ଼ିଆ ଟେଲିଭିଜନ ଚ଼୍ୟାନେଲ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।   

Related Post