ଆଜିର ଖାସ ଖବର
Sat. May 30th, 2026

ସକ୍ରିୟ ଟେଲିଭିଜନ ଦର୍ଶକ ହାରରେ ପରିବର୍ତ୍ତନ

By Dainikasha Jul11,2024

ସକ୍ରିୟ ଟେଲିଭିଜନ ଦର୍ଶକ ‘ଏକ୍ଟିଭ ଟେଲିଭିଜନ ଅଡ଼ିଏନ୍ସ’କୁ ବୁଝାଏ । ଅର୍ଥାତ, ପାରିବାରିକ ପରିବେଶରେ ଟେଲିଭିଜନ ପ୍ରଦର୍ଶନ ଅବସରରେ ଯେଉଁ ବ୍ୟକ୍ତି ଚ୍ୟାନେଲ ଓ କାର୍ଯ୍ୟକ୍ରମ ଚୟନ କରିଥାଏ, ତାହାକୁ ‘ସକ୍ରିୟ ଟେଲିଭିଜନ ଦର୍ଶକ’ ଏବଂ ପରିବାରର ଅନ୍ୟ ଯେଉଁ ସଦସ୍ୟମାନେ ଟେଲିଭିଜନ ସେଟ ସମ୍ମୁଖରେ ଉପସ୍ଥିତ ଥାନ୍ତି, ସେମାନଙ୍କୁ ‘ସହଯୋଗୀ ଦର୍ଶକ’ ଅଭିହିତ କରାଯାଏ । ସାଧାରଣତଃ ସକ୍ରିୟ ଟେଲଭିଜନ ଦର୍ଶକଙ୍କ ହାତରେ ରିମୋଟ ରହିଥାଏ ଏବଂ ସେ ସାମୂହିକ ବୁଝାମଣାରେ ହେଉ କିମ୍ୱା ମନମୁତାବକ ଯେଉଁ କାର୍ଯ୍ୟକ୍ରମ ନିର୍ବାଚିତ କରିଥାନ୍ତି ତାହା ପରିବାରର ସମସ୍ତେ ଦେଖନ୍ତି ।

ଭାରତର ଅନ୍ୟତମ ଅଗ୍ରଣୀ ଟେଲିଭିଜନ ଦର୍ଶକ ସର୍ବେକ୍ଷଣ ସଂସ୍ଥା ‘ଓରମାକ୍ସ ମିଡ଼ିଆ’ ପକ୍ଷରୁ ଗତ ୨୦୨୦ ଶେଷ ତ୍ରୟମାସ, ଅକ୍ଟୋବର ଠାରୁ ଡ଼ିସେମ୍ୱର ମଧ୍ୟରେ ଦେଶବ୍ୟାପୀ ପାଞ୍ଚ ହଜାର ଟେଲିଭିଜନ ଦର୍ଶକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ‘ଏଣ୍ଡ ଦି ରିମୋଟ ଗୋସ ଟୁ-ଟେଲିଭିଜନ ରିମୋଟ କଣ୍ଟ୍ରୋଲ ଡାୟନାମିକ୍ସ ଇନ ଆର୍ବନ ଇଣ୍ଡିଆନ ହାଉସହୋଲଡସ’ ଶୀର୍ଷକ ଏକ ବିବରଣୀରେ ବିଶ୍ଳେଷଣ କରାଯାଇଛି । ଏଥିରୁ ଜଣାଯାଏ ଯେ ସନ୍ଧ୍ୟା ୭ରୁ ରାତି ୧୧ ଘଣ୍ଟା ଯାଏଁ ‘ପ୍ରାଇମ-ଟାଇମ’ରେ ମୋଟ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ୫୬ ପ୍ରତିଶତ ‘ସକ୍ରିୟ ଦର୍ଶକ’ ପୁରୁଷ ଶ୍ରେଣୀ ଅନ୍ତର୍ଭୁକ୍ତ ।

ଟେଲିଭିଜନ କାର୍ଯ୍ୟକ୍ରମ, ବିଶେଷକରି ପ୍ରାଇମ-ଟାଇମ କାର୍ଯ୍ୟକ୍ରମ ପ୍ରସ୍ତୁତି କାଳରେ ପାରମ୍ପରିକଭାବେ ମହିଳାମାନଙ୍କୁ ସକ୍ରିୟ ଟେଲିଭିଜନ ଦର୍ଶକ ଭାବେ ଧରିନେଉ । ଅର୍ଥାତ, ପାରିବାରିକ ପରିବେଶରେ ପ୍ରାଇମ-ଟାଇମରେ ମହିଳାମାନେ ହିଁ କାର୍ଯ୍ୟକ୍ରମ ଚୟନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ । ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜକଙ୍କ ଏହି ଦୃଷ୍ଟିଭଙ୍ଗୀ ଆଠ-ଦଶ ବର୍ଷ ପୂର୍ବର ତଥ୍ୟ ଆଶ୍ରୟରେ ଗଢ଼ି ଉଠିଥିଲା । ୨୦୧୨ ବେଳକୁ ମହିଳା ସକ୍ରିୟ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ୭୨ ପ୍ରତିଶତ ଥିବା ସ୍ଥଳେ ୨୦୨୦ରେ ୪୪ ପ୍ରତିଶତକୁ ଖସି ଆସିଛି । ଅପରପକ୍ଷେ ୨୦୧୨ରେ ପୁରୁଷ ସକ୍ରିୟ ଟେଲିଭିଜନ ଦର୍ଶକ ସଂଖ୍ୟା ୨୮ ପ୍ରତିଶତ ଥିବା ସ୍ଥଳେ ୨୦୨୦ରେ ୫୬ ପ୍ରତିଶତକୁ ବୃଦ୍ଧି ପାଇଛି ।

ଦର୍ଶକୀୟ ରୁଚ଼ି ସଂପର୍କୀତ ତଥ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନାର ମୁଖ୍ୟ ଆଧାର । ଦୁଇ ଦଶନ୍ଧି ପୂର୍ବେ ‘କ୍ୟୁଙ୍କି ଶାଶ ଭି କଭି ବୋହୂ ଥି’ ଭଳି ଟେଲିଭିଜନ ଧାରାବାହିକର ଅଭୂତପୂର୍ବ ସଫଳତା ପରଠୁ ପ୍ରାଇମ-ଟାଇମରେ ମହିଳା-କେନ୍ଦ୍ରୀକ କାର୍ଯ୍ୟକ୍ରମ ପ୍ରସାରଣର ଧାରା ଅବ୍ୟାହତ ରହିଛି । ତେବେ ଇତି ମଧ୍ୟରେ ସକ୍ରିୟ ଟେଲିଭିଜନ ଦର୍ଶକ ହାରରେ ପରିବର୍ତ୍ତନ ଦେଶରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନାରେ ବ୍ୟାପକ ପରିବର୍ତ୍ତନର ସୂଚ଼ନା ଦିଏ ।

ଅବଶ୍ୟ ଆଲୋଚ୍ୟ ‘ଓରମାସ୍କ ମିଡ଼ିଆ’ର ସର୍ଭେ ଦେଶର ସହରାଞ୍ଚଳ-କେନ୍ଦ୍ରୀକ ହୋଇଥିବା ହେତୁ ଓଡ଼ିଶା ଭଳି ଗ୍ରାମ-ବହୁଳ ରାଜ୍ୟର ଟେଲିଭିଜନ ଶିଳ୍ପରେ କେତେଦୂର ପ୍ରଯୁଜ୍ୟ ତାହା ବିଚାର୍ଯ୍ୟ । ତେବେ ଜାତୀୟସ୍ତରରେ ସହରାଞ୍ଚଳରେ ଯେଉଁ ପ୍ରବାହ ଦେଖା ଦେଇଛି, ତାହା ତତ୍ କ୍ଷଣାତ ନହେଲେ ମଧ୍ୟ ସମୟକ୍ରମେ ଗ୍ରାମାଞ୍ଚଳ ଦର୍ଶକଙ୍କ କ୍ଷେତ୍ରରେ ଯେ ପ୍ରତିବିମ୍ୱିତ ହେବ ଏଥିରେ ସନ୍ଦେହ ନାହିଁ । ତେଣୁ ଅବିଚାରିତ ଭାବେ ପ୍ରାଇମ ଟାଇମ ନିମନ୍ତେ ମହିଳା-କେନ୍ଦ୍ରୀକ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନା କାଳରେ ସତର୍କତା ଅବଲମ୍ୱନର ସମୟ ଆସି ପହଞ୍ଚିଛି ବୋଲି କହିବାକୁ ହେବ ।

ଭାରତରେ ୧୯ କୋଟି ୭୦ ଲକ୍ଷ ପରିବାରଙ୍କଠାରେ ମାତ୍ର ଗୋଟିଏ ଟେଲିଭିଜନ ସେଟ ଉପଲବ୍ଧ । ପୁରା ପରିବାର ମୁଖ୍ୟତଃ ସନ୍ଧ୍ୟାକାଳୀନ ପ୍ରାଇମ-ଟାଇମରେ ଏକତ୍ର ଟେଲିଭିଜନ ଉପଭୋଗ କରନ୍ତି । ଦେଶର ଟେଲିଭିଜନ ଦର୍ଶକ ସଂଖ୍ୟା ୮୩ କୋଟି ୩୬ ଲକ୍ଷ ହିସାବ କରାଯାଏ । ଟେଲିଭିଜନ ବିଜ୍ଞାପନ ବାବଦର ୩୨ ହଜାର କୋଟି ଟଙ୍କା ବାର୍ଷିକ ବ୍ୟୟ ହୁଏ ।

‘ବ୍ରଡ଼କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ’ର ତଥ୍ୟ ଅନୁଯାୟୀ ୨୦୧୫ ତୁଳନାରେ ପାଞ୍ଚବର୍ଷ ମଧ୍ୟରେ ୨୦୨୦ରେ ଦର୍ଶକଙ୍କ ଆଚ଼ରଣରେ ବହୁ ପରିବର୍ତ୍ତନ ସଂଘଟିତ ହୋଇଛି । ସାଧାରଣରେ ମନୋରଞ୍ଜନ ‘ଜେନେରାଲ ଏଣ୍ଟରଟେନମେଣ୍ଟ ଚ୍ୟାନେଲ’ର ଦର୍ଶକ ସଂଖ୍ୟା ୨୦୧୫ରେ ସର୍ବାଗ୍ରେ ୬୭ ପ୍ରତିଶତ ସ୍ତରରେ ଥିବାସ୍ଥଳେ ୨୦୨୦ରେ ୬୩ ପ୍ରତିଶତକୁ ଖସିଛି । ଅପରପକ୍ଷେ ସେହି ସମୟ ସୀମାରେ ଚଳଚ଼ିତ୍ର ଚ୍ୟାନେଲଗୁଡ଼ିକର ଦର୍ଶକ ସଂଖ୍ୟା ୧୮ ପ୍ରତିଶତରୁ ୨୪ ପ୍ରତିଶତକୁ ବଢ଼ିଛି । ସମ୍ୱାଦ ଚ୍ୟାନେଲର ଦର୍ଶକ ସଂଖ୍ୟା ମଧ୍ୟ ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି ।

ସମ୍ୱାଦ ଚ୍ୟାନେଲଗୁଡ଼ିକର ଆଦର ବଢିଥିବା ଓଡ଼ିଶା ଟେଲିଭିଜନ ପରିବେଶରେ ସମ୍ୱାଦଭିତ୍ତିକ କାର୍ଯ୍ୟକ୍ରମ ପ୍ରଯୋଜନାରେ କ୍ରମାଗତ ଅବହେଳା ସଂଶୋଧନ ନିମନ୍ତେ ତତ୍ପରତା ପ୍ରକାଶ ପାଇବା ଆଶା କରାଯାଇପାରେ । ଜାତୀୟସ୍ତରରେ ବିଜ୍ଞାପକମାନେ କ୍ରମଶଃ ମହିଳାକେନ୍ଦ୍ରୀକ କାର୍ଯ୍ୟକ୍ରମ ବଦଳରେ ପୁରୁଷ-କେନ୍ଦ୍ରୀକ ସମ୍ୱାଦ, ନନ-ଫିକ୍ସନ, ରିଆଲିଟି-ସୋ ଓ ହାସ୍ୟ-ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମରେ ବିଜ୍ଞାପନ ସ୍ଥାନିତ କରିବାକୁ ଆଗ୍ରାହାନ୍ୱିତ ହେବେ । ଓଡ଼ିଶାକୁ ଏକ ପଛୁଆ ରାଜ୍ୟଭାବେ ଉପସ୍ଥାପିତ କରି ଦୁଇ ଦଶକ ପୂର୍ବର ମହିଳା-କେନ୍ଦ୍ରୀକ ଧାରା ସପକ୍ଷରେ ଯୁକ୍ତି ବାଢିବା କଷ୍ଟସାଧ୍ୟ ପ୍ରମାଣିତ ହୋଇପାରେ । ଅପରପକ୍ଷେ ଉନ୍ନତ ଦର୍ଶକୀୟ ରୁଚି ପ୍ରସାର ନିମନ୍ତେ ମଧ୍ୟ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜକମାନଙ୍କ ଗୁରୁ ଦାୟିତ୍ୱ ରହିଛି ।

ଗଣମାଧ୍ୟମ ବିଶ୍ଳେଷିକା ବନିତା କୋହଲି ଖଣ୍ଡେରକର ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ମହିଳାମାନଙ୍କ ହାତରେ ସ୍ମାର୍ଟଫୋନ ପହଞ୍ଚିବା ତଥା ଫେସବୁକ, ହ୍ୱାଟସଆପ, ଓ ୟୁଟ୍ୟୁବ ଭଳି ଡ଼ିଜିଟାଲ ମିଡିଆ ମଞ୍ଚରେ ବ୍ୟସ୍ତ ରହିବା ଫଳରେ ଟେଲିଭିଜନ ରିମୋଟ ବ୍ୟବହାରରୁ ଦୂରେଇ ଯିବାର ଏକ ବିଶିଷ୍ଟ କାରଣ ଅଭିହିତ କରିଥାନ୍ତି । ଅବଶ୍ୟ ଏହି କ୍ଷେତ୍ରରେ ମଧ୍ୟ ଗ୍ରାମୀଣ ଓଡ଼ିଶାର ମହିଳାଙ୍କ ପାଖରେ ସ୍ମାର୍ଟଫୋନ ପହଞ୍ଚିନଥିବା ତଥ୍ୟ ବିଚାର ପରିସରକୁ ଆସିପାରେ । ତେବେ ଗ୍ରାମୀଣ ଓଡିଶାରେ ଯେ ସ୍ମାର୍ଟଫୋନ ବ୍ୟବହାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଏହି କଥାକୁ ମଧ୍ୟ ଏଡ଼ାଇ ଦିଆ ନଯାଇପାରେ ।

ଓଡ଼ିଶାରେ ଟେଲିଭିଜନ ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇଛି । ଟେଲିଭିଜନ ସର୍ବାପେକ୍ଷା ଲୋକପ୍ରିୟ ମଞ୍ଚରୂପେ ପରିଗଣିତ । ‘ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ’ ପକ୍ଷରୁ ୨୦୨୧ ମାର୍ଚ୍ଚ ପ୍ରଥମାର୍ଦ୍ଧରେ ପ୍ରକାଶିତ ବିବରଣୀ ଅନୁଯାୟୀ ବିଗତ ପାଞ୍ଚବର୍ଷର ହିସାବରେ ୨୦୨୧ ଜାନୁୟାରୀ-ଫେବୃୟାରୀ ମାସରେ ସର୍ବାପେକ୍ଷା ଅଧିକ ଟେଲିଭିଜନ ବିଜ୍ଞାପନ ଆୟ ସଂଭବ ହୋଇଛି । ଓଡ଼ିଶାରେ ସଂଘର୍ଷରତ ଟେଲିଭିଜନ ଚ୍ୟାନେଲଗୁଡ଼ିକ ମଧ୍ୟରେ ଏହି ତଥ୍ୟ ଆଶା ସଂଚାର କରିବ ।

ପରିବର୍ତ୍ତିତ ପରିପ୍ରେକ୍ଷୀରେ ଓଡ଼ିଆ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଧାରାବାହିକୀରୁ ଚଳଚ଼ିତ୍ର, କେବଳ ସମ୍ୱାଦ ସହ ସମ୍ୱାଦଭିତ୍ତିକ ପ୍ରାମାଣିକ ଚ଼ିତ୍ର, ଆଲୋଚନା ଓ ରିଆଲିଟି-ସୋ ଏବଂ ସର୍ବୋପରି ଗୁଣାତ୍ମକ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ପ୍ରତିଭା ଚୟନରେ ଗୁରୁତ୍ୱ ଦେବା ସମୟ ଉପନୀତ । କ୍ରମଶଃ ବୈଷୟିକ କୌଶଳରେ ଉନ୍ନତି, ଡିଜିଟାଲ ଢ଼ାଞ୍ଚାରେ ପ୍ରଯୋଜନା ଖର୍ଚ୍ଚ ହ୍ରାସ ଓ ଅଧିକ ସଂଖ୍ୟକ ନବ-ପ୍ରତିଭା ଗଣମାଧ୍ୟମ ପରିସରକୁ ଆକୃଷ୍ଟ ହେଉଥିବା ସ୍ଥଳେ ଉପଯୁକ୍ତ ପରିଚାଳନାଗତ ଦକ୍ଷତା ଅଭାବରୁ ଓଡ଼ିଆ ଟେଲିଭିଜନ ବିକଶିତ ହୋଇପାରୁନଥିବା ବିଶ୍ୱାସ କରାଯାଏ । ଏଦିଗରେ ପ୍ରାଥମିକସ୍ତରରେ ବିଚାରବିମର୍ଷ ଜରୁରୀ ।

Related Post