ଆନ୍ତର୍ଜାତିକ ସାହିତ୍ୟ ଶିଳ୍ପରେ ଅଡ଼ିଓବୁକ୍ସ ଏକ ମୌଳିକ ଧାରା ରୂପେ ସ୍ୱୀକୃତି ଲାଭ କରିବାରେ ଲାଗିଛି । ଖ୍ୟାତନାମା ପ୍ରକାଶକମାନଙ୍କ ଅଡିଓବୁକ୍ସପ୍ରକାଶନଗତ ତଥ୍ୟ ଅନୁଶୀଳନ କଲେ ‘ମ୍ୟାକମିଲେନ’ଙ୍କ ୨୦୧୭ ତୁଳନାରେ ୨୦୧୮ରେ ଅଡ଼ିଓବୁକ୍ସ ପ୍ରକାଶନ ୪୬ ପ୍ରତିଶତ ବଢ଼ିଥିବା ଲକ୍ଷ୍ୟ କରାଯାଏ ।‘ହେଚ଼େଟ’ ଭଳି ପ୍ରକାଶକଙ୍କ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଅଡ଼ିଓ ବୁକ୍ସ ପ୍ରକାଶନ ସଂଖ୍ୟା ଦୁଇଗୁଣିତ ହୋଇଛି । ଅବଶ୍ୟ ପରିସଂଖ୍ୟାନ ଦୃଷ୍ଟିରୁ ବିଚ଼ାରକଲେ ମୁଦ୍ରିତ ପୁସ୍ତକ ତୁଳନାରେ ଅଡ଼ିଓବୁକ୍ସର ସଂଖ୍ୟା ନଗଣ୍ୟ ।ତେବେ ପୁସ୍ତକର ଏକ ସହଯୋଗୀ ପ୍ରକାଶନ ରୂପେ ଏହାର ଆବିର୍ଭାବ ଓ ଲୋକପ୍ରିୟତା ସାହିତ୍ୟ ମହଲରେ ଆଲୋଡ଼ନ ସୃଷ୍ଟି କରିବା ସ୍ୱାଭାବିକ ।
ଅନଲାଇନ ବ୍ୟାବସାୟିକ ମଞ୍ଚ ‘ଆମେଜନ’ଅଡ଼ିଓବୁକ୍ସରସର୍ବବୃହତ୍ତ ପ୍ରକାଶକ ।‘ଆମେଜନ’ ଏହାର ଅଡ଼ିଓବୁକ୍ସ ପ୍ରକାଶନ ଓ ପ୍ରସାରଣ ଦାୟିତ୍ୱ ‘ଅଡ଼ିବଲ’ମାଧ୍ୟମରେ ସମାହିତ କରିଥାଏ ।ଅଡ଼ିଓବୁକ୍ସ ପ୍ରକାଶନ ସଂସ୍ଥା ‘ଅଡ଼ିବେଲ’କୁ ‘ଆମେଜନ’ ୨୦୦୮ରେ ଅଧିଗ୍ରହଣ କରିଥିଲା ।‘ଅଡ଼ିବେଲ’ରେ ପ୍ରାୟ ୪,୨୫,୦୦୦ ଅଡ଼ିଓବୁକ୍ସ ଗଚ୍ଛିତ ରହିଛି । ଏଭଳି ଅଡ଼ିଓବୁକ୍ସ ଉପଭୋଗ କରିବା ନିମନ୍ତେ ଶ୍ରୋତାମାନଙ୍କୁ ମାସିକ ଦେୟ ପ୍ରଦାନ କରି ଗ୍ରାହକଶ୍ରେଣୀଭୁକ୍ତ ହେବାକୁ ପଡିଥାଏ । ପ୍ରତ୍ୟେକ ଗ୍ରାହକ ମାସିକ ଗୋଟିଏ ଅଡ଼ିଓବୁକ୍ସ ମାଗଣା ଡ଼ାଉନଲୋଡ଼ କରିବା ସୁଯୋଗ ପାଇଥାନ୍ତି।‘ଆମେଜନ’କର୍ତ୍ତୃତ ପ୍ରକାଶିତ ଅଡ଼ିଓବୁକ୍ସଗୁଡ଼ିକର ଦାମ ପ୍ରତିକିତା ୧,୦୫୦ ରୁ ୨,୮୦୦ ଟଙ୍କା ଧାର୍ଯ୍ୟ ହୋଇଥାଏ ।
୨୦୧୮ରେ ଆଗଧାଡ଼ିରଆନ୍ତର୍ଜାତିକସ୍ତରରର ପ୍ରକାଶକମାନେ ବିଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ ଅଡ଼ିଓବୁକ୍ସ ପ୍ରକାଶନ କରିଛନ୍ତି ।‘ପେଙ୍ଗୁଇନରେଣ୍ଡମହାଉସ’ ୨୦୧୮ରେ ପ୍ରାୟ ୧୨୦୦ ଅଡ଼ିଓବୁକ୍ସ, ‘ହେଚେଟ’ ପ୍ରାୟ ୭୦୦ ଓ ‘ମ୍ୟାକମିଲେନ’ ପ୍ରାୟ ୪୭୦ ଅଡ଼ିଓବୁକ୍ସ ପ୍ରକାଶନ କରିଥିବା ପ୍ରକାଶ ।ଅଡ଼ିଓବୁକ୍ସର ବିକ୍ରୀ ମଧ୍ୟ ବେଶ ଉତ୍ସାହଜନକ ମନେ ହୁଏ ।‘ମ୍ୟାକମିଲେନ’ ପ୍ରକାଶିତ ମାଇକଲଉଲଫଙ୍କ‘ଫାୟର ଏଣ୍ଡ ଫ୍ୟୁରି’ ୩ ଲକ୍ଷ ୨୦ ହଜାର ଏବଂ ଜେମସକୋମିଙ୍କ‘ଏ ହାୟର ଲୟଲିଟି’ ଲକ୍ଷେ ୬୭ ହଜାର କିତା ବିକ୍ରୀ ହୋଇଥିବା ଜଣାଯାଏ ।
ମୁଦ୍ରିତ ପୁସ୍ତକର ‘ଅଡ଼ିଓବୁକ୍ସ’ ବିକଳ୍ପ ନୁହେଁ, ଏକ ସହଯୋଗୀଭାବେ ଗ୍ରହଣ କରାଯାଇପାରେ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ପୁସ୍ତକ ପାଠକ କ୍ରମଶଃ ଶ୍ରୋତା କିମ୍ୱା ଦର୍ଶକରେ ରୂପାନ୍ତରିତ ହେବାରେ ଲାଗିଛନ୍ତି। ସମସାମୟିକ ବ୍ୟସ୍ତବହୁଳ ଜୀବନରେ ଅନେକେ ନିରୋଳାରେ ମୁଦ୍ରିତ ପୁସ୍ତକ ପଠନ ଲାଗି ପର୍ଯ୍ୟାପ୍ତ ସୁଯୋଗ ପାଇବା ସମ୍ଭବପର ହୋଇପାରୁ ନାହିଁ । ସେମାନଙ୍କ ପାଇଁ ଅଡ଼ିଓବୁକ୍ସ ଏକ ବିକଳ୍ପ ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇଛି । ଏତଦ୍ ବ୍ୟତୀତ ଶାରିରୀକ ଅକ୍ଷମତା କାରଣରୁ ଦୃଷ୍ଟିବାଧିତ ଓ ପ୍ରବୃଦ୍ଧଙ୍କପକ୍ଷେପୁସ୍ତକ ପାଠ କରିବା ସମ୍ଭବପର ହୋଇପାରୁ ନଥିଲେ ସେମାନେ ଅଡ଼ିଓବୁକ୍ସ ମାଧ୍ୟମରେ ପୁସ୍ତକଗତ ତଥ୍ୟ ଆହରଣ ସମ୍ଭବପର ହୋଇପାରୁଛି ।ଅନ୍ୟ କେତେକଙ୍କ ପାଇଁ ଲେଖକ ମୁହଁରେ ଘଟଣା ଓ ଚରିତ୍ର ବର୍ଣ୍ଣନା ଏକ ଭିନ୍ନ ପରିବେଶ ସୃଷ୍ଟି କରୁଥିବା ହେତୁ ଅଡ଼ିଓବୁକ୍ସ ପ୍ରତି ଆଗ୍ରହାନ୍ୱିତ ହୋଇପଡୁଛନ୍ତି ।
‘ଅଡ଼ିବଲ’ଭଳି ଅଡ଼ିଓବୁକ୍ସ ପ୍ରକାଶକମାନେ ନିଜ ସ୍ୱତନ୍ତ୍ରତା ବଜାୟ ରଖିବା ନିମନ୍ତେ ବଡ଼ଲେଖକଙ୍କ ରଚ଼ନା କେବଳ ଅଡ଼ିଓବୁକ୍ସ ମାଧ୍ୟମରେ ପ୍ରକାଶ କରିବାକୁ ପଛାଉନାହାନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଲୋକପ୍ରିୟ ପତ୍ରିକା ‘ଭେନିଟିଫେୟାର’ର ସହବନ୍ଧିତ ଲେଖକ ମାଇକଲ ଲୁଇସ ୨୦୧୮ରେ ନିଜର ଏକ ରାଜନୀତିକ ରଚ଼ନା କେବଳ ‘ଅଡ଼ିବଲ’ରେ ପ୍ରକାଶ କରିଥିଲେ । ଏଭଳି ଉଦାହରଣ କ୍ୱଚ଼ିତ ହେଲେ ହେଁ ଅଡ଼ିଓବୁକ୍ସର ମୌଳିକତା ପ୍ରମାଣିତ କରିଥାଏ ।
ଥମାସଏଡ଼ିସନଙ୍କ ଦ୍ୱାରା ୧୮୭୭ରେ ଫୋନୋଗ୍ରାଫ ଉଦ୍ଭାବନ ଫଳରେ ଯାନ୍ତ୍ରିକଭାବେକଣ୍ଠସ୍ୱର ଲିପିବଦ୍ଧ କରିବା ସମ୍ଭବପର ହୋଇପାରିଥିଲା । ୧୯୩୦ ବେଳକୁ ଦୃଷ୍ଟିହୀନଙ୍କ ସକାଶେ ଅଡ଼ିଓବୁକ୍ସ ପରିକଳ୍ପନା ଆରମ୍ଭ ହୋଇଥିଲେ ହେଁ ୧୯୭୦ରେ କ୍ୟାସେଟର ପ୍ରଚଳନ ଅଡ଼ିଓବୁକ୍ସ ପ୍ରସାରରେ ସହାୟକ ହେଲା ।ତେବେ ୨୦୦୭ରେ ସ୍ମାର୍ଟଫୋନ ଉଦ୍ଭାବନ ଓ ତତ୍ପରବର୍ତ୍ତୀ ଅବସ୍ଥାରେ ଇଣ୍ଟରନେଟ ଓ ଇ-ବାଣିଜ୍ୟ ପ୍ରସାର ଅଡ଼ିଓବୁକ୍ସକୁ ଏକ ସାର୍ବଜନୀନ ପ୍ରକାଶନ ଶିଳ୍ପର ମାନ୍ୟତା ଦେଇଛି । ଭାରତରେ ୨୦୧୭ ଓ ୨୦୧୮ରେ ଅଡ଼ିଓବୁକ୍ସ ପ୍ରକାଶନ କ୍ଷେତ୍ରରେ ଦୃଷ୍ଟିଆକର୍ଷଣକାରୀଘଟଣାକ୍ରମମାନ ଚ଼ିହ୍ନଟ କରାଯାଇପାରେ ।
ସ୍ୱିଡ଼େନରଅଡ଼ିଓବୁକ୍ସ ପ୍ରକାଶନ ସଂସ୍ଥା ‘ଷ୍ଟୋରୀଟେଲ’ ଭାରତରେ ୨୦୧୭ ନଭେମ୍ୱର ମାସରେ କାର୍ଯ୍ୟାରମ୍ଭ କରିଥିଲା ।‘ଷ୍ଟୋରୀଟେଲ’ ପକ୍ଷରୁ ଇଂଲିଶ, ହିନ୍ଦି, ମରଠୀ, ବାଂଲା ଓ ଉର୍ଦ୍ଧୁ ଭାଷାରେ ଅଡ଼ିଓବୁକ୍ସ ପ୍ରକାଶିତ ହୋଇଥାଏ । ଏହି ମଞ୍ଚରେ ଭାରତୀୟ ଉପଭୋକ୍ତାମାନଙ୍କପାଇଁ ପ୍ରାୟ ୬୦ ହଜାର ଅଡ଼ିଓବୁକ୍ସ ଉପଲବ୍ଧ । ଏହି ମଞ୍ଚର ବ୍ୟବହାର ନିମନ୍ତେ ମାସିକ ୨୯୯ ଟଙ୍କା ବିନିମୟରେ ଗ୍ରାହକ ଶ୍ରେଣୀଭୁକ୍ତ ହେବାକୁ ପଡ଼ିଥାଏ । ୨୦୧୮ ମାର୍ଚ୍ଚରେ ଗୁଗଲ-ପ୍ଳେ ଏବଂ ୨୦୧୮ ନଭେମ୍ୱରରେ‘ଅଡିବଲ’ ଭାରତରେ ଅଡ଼ିଓବୁକ୍ସ ବ୍ୟବସାୟ ଆରମ୍ଭ କରିଥିଲେ ।‘ଅଡ଼ିବଲ’ ମଞ୍ଚରେ ଉପଲବ୍ଧ ଦୁଇ ଲକ୍ଷ ଅଡ଼ିଓବୁକ୍ସ ମଧ୍ୟରେ ଭାରତୀୟ ଲେଖକଙ୍କ ୪୦୦ ଗୋଟି କୃତୀ ଅର୍ନ୍ତଭୁକ୍ତ।ଅଣବ୍ୟାବସାୟିକ‘ପ୍ରଥମ ବୁକ୍ସ’ ପକ୍ଷରୁ ୨୦୧୭ରେ ‘ମିସଡ଼ କଲ ଦୋ, କାହାନିଶୁନୋ’ ଅଭିଯାନରେ ୫୦ ହଜାର ଶିଶୁଙ୍କୁ କାହାଣୀ ଶୁଣାଇବା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସ୍ଥଳେ ୨୦୧୮ରେ ‘ଫୋନଷ୍ଟୋରିସ’ ଆରମ୍ଭ ହୋଇଥିଲା ।
ଲୋକପ୍ରିୟ ମାଳାୟଳମ ଔପନ୍ୟାସିକ ଅଖିଳଙ୍କ ଏକ ରହସ୍ୟ ଉପନ୍ୟାସ ‘ଓରଜା ବୋର୍ଡ’ ମୋବାଇଲ ଆପ୍ଲିକେସନ ‘କଥାକେଫ’ରେ ପାଞ୍ଚ ଘଣ୍ଟା ଅବଧିର ଏକ ଅଡ଼ିଓବୁକ୍ସ ୨୦୧୮ରେ ପ୍ରକାଶିତ ହେବା ଭାରତୀୟ ଭାଷାମାନଙ୍କରେ ଅଡ଼ିଓବୁକ୍ସର ପ୍ରକାଶନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହି ଅଡ଼ିଓବୁକ୍ସ ଲେଖକ ନିଜେ ଉପନ୍ୟାସଟି ପାଠ ନକରି ଜଣେ ବୃତ୍ତିଧାରୀ ପ୍ରଚ୍ଛଦପଟ କଳାକାର ରେଜିଙ୍କ ଦ୍ୱାରା ରେକର୍ଡ଼ିଂ କରାଇଛନ୍ତି ।ଅଖିଳଙ୍କ ଉପନ୍ୟାସଟି ମୁଦ୍ରିତ ପୁସ୍ତକ ଆକାରରେ ୨୦୧୫ରେ ପ୍ରକାଶିତ ହେବା ଅବସରରେ ଅଲେପିର ଏକ ଶ୍ମଶାନରେ ଉନ୍ମୋଚ଼ନ କରାଇଥିଲେ ।‘କଥାକେଫ’ ୨୦୧୭ରେ ଜଣେ ପ୍ରବାସୀ ମାଳାୟଳିଙ୍କ ଦ୍ୱାରା ୨୦ ଗୋଟି କ୍ଷୁଦ୍ରଗଳ୍ପରଅଡ଼ିଓବୁକ୍ସକୁ ନେଇ ଉନ୍ମୋଚ଼ିତ ହୋଇଥିଲା । ଦୁଇବର୍ଷ ମଧ୍ୟରେ ଆପଟି ୧୫ ହଜାର ଡ଼ାଉନଲୋଡ଼ ହୋଇଥିବା ସ୍ଥଳେ ପ୍ରାୟ ଚ଼ାରି ହଜାର ଉପଭୋକ୍ତା ମାସିକଭିତ୍ତିରେ ସକ୍ରିୟ ଥିବା ଜଣାଯାଏ ।
ପ୍ରଶ୍ନ ଉଠେ ଓଡ଼ିଆ ଭାଷାରେ ଅଡ଼ିଓବୁକ୍ସ ଭବିଷ୍ୟତରେ ଆସ୍ଥାନ ଜମାଇ ପାରିବ କି ?ବିଶ୍ୱବ୍ୟାପୀ ଯୁବ ସଂପ୍ରଦାୟ ମୁଦ୍ରିତ ପୁସ୍ତକ ପଠନରୁ ବିରତ ରହୁଥିବା ତଥା ଇଣ୍ଟରନେଟ ଓ ସ୍ମାର୍ଟଫୋନଆଶ୍ରିତଜୀନବଶୈଳୀରେ ଅଭ୍ୟସ୍ତ ହୋଇପଡୁଥିବାବେଳେ ଓଡ଼ିଶା ମଧ୍ୟ ସେହି ପ୍ରବାହରେ ସାମିଲ ହୋଇଛି । ରାଜ୍ୟରେ ଅନଲାଇନ ବ୍ୟବହାର ସଂପର୍କରେ ପରିସଂଖ୍ୟାନଭିତ୍ତିକ ତଥ୍ୟ ଅଭାବ ଥିଲେ ହେଁ ଖୋଦ ମୁକେଶଆମ୍ୱାନୀଭୁବନେଶ୍ୱରର‘ମେକ ଇନ ଓଡ଼ିଶା କନକ୍ଳେଭ’ରେ କହିଗଲେ ଯେ ମୁଣ୍ଡପିଛା ମୋବାଇଲ ଡ଼ାଟା ବ୍ୟବହାରରେ ଓଡ଼ିଶା ସର୍ବାଗ୍ରେ ରହିଛି ।
ଆମେ ଯଦି ଅଧିକ ଡ଼ାଟା ବ୍ୟବହାର କରୁଛେ ତେବେ ସ୍ମାର୍ଟଫୋନରେ ଅଧିକ ଦେଖୁଛେ, ପଢୁଛେ ଏବଂ ଶୁଣିବା ମଧ୍ୟ । ଅତଏବ ଓଡ଼ିଆ ଭାଷାରେ ଅଡ଼ିଓବୁକ୍ସ ଓ ଇ-ବୁକ୍ସ ପ୍ରଚଳନର ପରୀକ୍ଷା ନିରୀକ୍ଷା ଯୁକ୍ତିଯୁକ୍ତ ମନେହୁଏ ।ଉପସ୍ଥିତ ପରିବେଶରେ ଯଦି ରାଜ୍ୟ ଜନସଂଖ୍ୟାର ଅର୍ଦ୍ଧେକଙ୍କହାତପାଆନ୍ତାରେସ୍ମାର୍ଟଫୋନ ପହଞ୍ଚୁଛି କିମ୍ୱା ୨୦୨୦ ସୁଦ୍ଧା ପହଞ୍ଚିବା ଆଶା କରାଯାଉଛି ଏବଂ ସେମାନେ ସେଥିରେ ଦୈନିକ ହାରାହାରି ତିନିରୁ ଛଅଘଣ୍ଟା ବିତାଉଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶକଳ୍ପେ ସେଭଳି ସୁବିଧାସୁଯୋଗ ଉପଯୋଗ କାହିଁକି କରିବା ନାହିଁ ?
ସ୍ୱଚ୍ଛଳବର୍ଗର ଓଡ଼ିଆ ପରିବାରର ପିଲାଏ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଶିକ୍ଷାପ୍ରତି ଆକର୍ଷିତ ହେବା ତଥା ମାଧ୍ୟମିକସ୍ତରରେ ପାଠ୍ୟକ୍ରମ ବୋଝରେ ଓଡ଼ିଆ ସାହିତ୍ୟ ଅଧ୍ୟୟନରେ ସମୟ ବିନିଯୋଗ କରିପାରୁନଥିବା ପରିପ୍ରେକ୍ଷୀରେ ଓଡ଼ିଆ ଭାଷାରେ ପ୍ରସ୍ତୁତ ଅଡ଼ିଓବୁକ୍ସ ଅନ୍ତତଃପକ୍ଷେ ସେଭଳି ପିଢ଼ୀଲାଗି ନିଜ ସମାଜ ସଂସ୍କୃତି ସଂପର୍କରେ ପରିଚ଼ିତିକରାଇବାରେ ସହାୟକ ହେବା ବିଚ଼ାର କରାଯାଇପାରେ ।
ଓଡ଼ିଆରେଅଡ଼ିଓବୁକ୍ସ ପ୍ରକଳ୍ପ ରୂପାୟନ ସୀମିତ ଖର୍ଚ୍ଚ ଓ ଅଧିକ ସୃଜନ ଆବଶ୍ୟକ କରିବ । ପ୍ରସାରଣ ତଥା ଉପଭୋଗ ପାଇଁ ବ୍ୟାପକ ଭିତ୍ତିଭୂମି ସ୍ୱତଃପ୍ରବୃତ୍ତଭାବେ ପ୍ରସ୍ତୁତ ହୋଇସାରିଥିବା ହେତୁ ତାହାର ଉପଯୋଗ ସହଜସାଧ୍ୟ ହେବା ଆଶା କରାଯାଇପାରେ ।
