ଆଜିର ଖାସ ଖବର
Tue. Jul 28th, 2026

ସୋସିଆଲ ଅଡିଓ

By Dainikasha Jul11,2024

କ୍ରମବର୍ଦ୍ଧିଷ୍ଣୁ ସୋସିଆଲ ମିଡ଼ିଆ ପରିଧିରେ ‘ସୋସିଆଲ ଅଡ଼ିଓ’ ମହାମାରୀ କାଳରେ ସଦ୍ୟତମ ଯୋଗଦାନ । ସ୍ମାର୍ଟଫୋନ ଉପଯୋଗରେ ଆପ୍ଲିକେସନଭିତ୍ତିକ ଗୋଷ୍ଠୀଗତ ଆଳାପ ଆଲୋଚ଼ନା ‘ଗୃପ କନଭରସେସନ’ ସୋସିଆଲ ଅଡ଼ିଓକୁ ବୁଝାଉଛି । ପୂର୍ବପ୍ରଚଳିତ ‘ହ୍ୱାଟସଆପ’ ଭଳି ମେସେଞ୍ଜର ଆପ୍ଳିକେସନରେ ସର୍ବାଧିକ ଆଠଜଣ ବ୍ୟକ୍ତି ଅଡ଼ିଓ କିମ୍ୱା ଭିଡ଼ିଓ ଯୋଗେ କଥୋପକଥନର ସୁବିଧା ଥିବା ସ୍ଥଳେ ସୋସିଆଲ ଅଡ଼ିଓମଞ୍ଚଗୁଡ଼ିକ ହଜାର ସଂଖ୍ୟାରେ ଶ୍ରୋତା ଅଂଶଗ୍ରହଣ କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିପାରୁଛି ।

ସୋସିଆଲ ମିଡ଼ିଆରେ ଟେକ୍ସଟ ଓ ଭିଡ଼ିଓ ବ୍ୟବହାର ଗଣମାଧ୍ୟମ ଉପତ୍ୟକାରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିସାରିବା ପରେ ପରବର୍ତ୍ତୀ ଆକର୍ଷଣ ଅଡ଼ିଓ ଉପରେ କେନ୍ଦ୍ରୀଭୂତ । ମୁଖ୍ୟତଃ ଅଡ଼ିଓ ଆପ୍ଳିକେସନ ବ୍ୟବହାର ୨୦୨୦ରୁ ଆରମ୍ଭ ହୋଇଛି ଏବଂ ଅନ୍ତତଃପକ୍ଷେ ପରବର୍ତ୍ତୀ ପାଞ୍ଚ ବର୍ଷ ୨୦୨୪ ସୁଦ୍ଧା ବହୁସଂଖ୍ୟକ ଇଣ୍ଟରନେଟ ଉପଭୋକ୍ତା ଏଥିରେ ସାମିଲ ହେବା ଆଶା କରାଯାଉଛି । ଟେକ୍ସଟ ଚାଟିଂ କ୍ଷେତ୍ରରେ ଅକ୍ଷର ଟାଇପ କରିବା, ଭିଡ଼ିଓ କ୍ଷେତ୍ରରେ ପ୍ରଚଳିତ ଆପ୍ଳିକେସନଗୁଡ଼ିକରେ ସୀମିତ ସଂଖ୍ୟକଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇପାରୁଥିବା ସ୍ଥଳେ ସୋସିଆଲ ଅଡ଼ିଓରେ ସିଧା ସଳଖ କଥାବାର୍ତ୍ତା ତଥା ବହୁ ସଂଖ୍ୟକଙ୍କୁ ସାମିଲ କରିବା ସଂଭବପର ।

ସୋସିଆଲ ଅଡ଼ିଓ ଆପ୍ଳିକେସନ ‘କ୍ଳବ ହାଉସ’ ମାର୍ଚ୍ଚ ୨୦୨୦ରେ ଉନ୍ମୋଚିତ ହୋଇଥିଲା । ପ୍ରାଥମିକଭାବେ ଏହା କେବଳ ଆଇ-ଫୋନରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟଥିବା ସ୍ଥଳେ ମେ’୨୦୨୦ରେ ଆଣ୍ଡ୍ରୋଏଡ଼ ସଂସ୍କରଣ ଉପଲବ୍ଧ ହେଲା । ବର୍ଷକ ମଧ୍ୟରେ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ବିଶ୍ୱବ୍ୟାପୀ ଏହାର ଉପଭୋକ୍ତା ସଂଖ୍ୟା ଏକ କୋଟିରେ ପହଞ୍ଚିଥିବା କ୍ଳବହାଉସ ପ୍ରାୟୋଜକଙ୍କ ପକ୍ଷରୁ ଦାବୀ କରାଯାଉଛି ।

କ୍ଳବହାଉସରେ ବହୁ ସଂଖ୍ୟକ ‘କ୍ଳବ’ ଓ ପ୍ରତ୍ୟେକ ‘କ୍ଳବ’ ଅଧୀନରେ ବିଭିନ୍ନ ‘ରୁମ’ର ବ୍ୟବସ୍ଥା ରହିଛି । ଯେକୌଣସି ଉପଭୋକ୍ତା ସାଧାରଣ ‘ବ୍ଳଗ’ ଭଳି ଏକ ‘ରୁମ’ ଖୋଲି ଏକ ନିର୍ଦ୍ଧିଷ୍ଟ ବିଷୟରେ ଅନ୍ୟମାନଙ୍କ ସହ ଆଳାପଆଲୋଚନାର ସୁଯୋଗ ସୃଷ୍ଟି କରିପାରିବେ । ‘ରୁମ’ଗୁଡ଼ିକର ନିର୍ଦ୍ଧାରିତ ବିଷୟ ଅନୁଯାୟୀ ତାହା ‘କ୍ଳବ’ ପର୍ଯ୍ୟାୟରେ ବର୍ଗୀକୃତ ହୋଇଥାନ୍ତି । ଉଦାହରଣରେ ‘ଓଡ଼ିଆ ଗଣମାଧ୍ୟମ’ କ୍ଳବରେ ଟେଲିଭିଜନ ମଞ୍ଚ, ମୁଦ୍ରଣ ଶିଳ୍ପ, ଗ୍ରାମାଞ୍ଚଳ ବିଜ୍ଞାପନ ଧାରା ଭଳି ବିଷୟରେ ‘ରୁମ’ ପ୍ରଯୋଜିତ ହୋଇପାରେ । ଉପଭୋକ୍ତାମାନେ ନିଜ ରୁଚ଼ି ଓ ଆବଶ୍ୟକତା ଅନୁଯାୟୀ ‘ରୁମ’ର ସଦସ୍ୟଭୁକ୍ତ ହୋଇଥାନ୍ତି । ପ୍ରତ୍ୟେକ ‘ରୁମ’ରେ ନିର୍ଦ୍ଦିଷ୍ଟ ସମୟସୀମାରେ ଉପଭୋକ୍ତାମାନେ ପରସ୍ପର ମଧ୍ୟରେ କଥୋପକଥନର ସୁଯୋଗ ହାସଲ କରିଥାନ୍ତି ।

‘କ୍ଳବହାଉସ’ ଭାରତୀୟ ବଂଶୋଦ୍ଭବ ‘ଗୁଗୁଲ’ର ପ୍ରାକ୍ତନ ଇଞ୍ଜିନିୟର ରୋଶନ ସେଠ ଏବଂ ଜଣେ ମାର୍କିନ ଉଦ୍ୟୋଗୀଙ୍କ ଦ୍ୱାରା ବିକଶିତ । ଏହି ଅପ୍ଲିକେସନ ବ୍ୟବହାର କରିବା ନିମନ୍ତେ ଜଣେ ପଞ୍ଜୀକୃତ ସଦସ୍ୟଙ୍କ ନିମନ୍ତ୍ରଣ ଆବଶ୍ୟକ ପଡ଼ିଥାଏ । ଅର୍ଥାତ, ଯେକେହି ଆପଟିକୁ ଡ଼ାଉନଲୋଡ଼ କରି ବ୍ୟବହାର କରିପାରେ ନାହିଁ । ପ୍ରତ୍ୟେକ ସଦସ୍ୟଙ୍କ ପ୍ରାଥମିକସ୍ତରରେ ଦୁଇଗୋଟି ନିମନ୍ତ୍ରଣ ବଣ୍ଟନର କ୍ଷମତା ରହିଥାଏ ଏବଂ ମଞ୍ଚ ଦୀର୍ଘକାଳ ବ୍ୟବହାର କରିବାପରେ ନିମନ୍ତ୍ରଣ କରିବା କ୍ଷମତା ବୃଦ୍ଧି ପାଏ । ‘କ୍ଳବହାଉସ’ର ପ୍ରତ୍ୟେକ ‘ରୁମ’ର ସର୍ବାଧିକ ସଦସ୍ୟ ସଂଖ୍ୟା ପାଞ୍ଚହଜାର ଏବଂ ପ୍ରାୟୋଜକଙ୍କ ଅନୁମତି କ୍ରମେ ଆହୁରି ଅଧିକ ସଂଖ୍ୟାକୁ ବୃଦ୍ଧି ପାଇପାରେ । ଅର୍ଥାତ, ପ୍ରତ୍ୟେକ ରୁମର କଥୋପକଥନର ପ୍ରସାରଣ ବହୁ ସଂଖ୍ୟକ ଶ୍ରୋତା ଆହରଣ କରିପାରନ୍ତି ।

‘କ୍ଳବହାଉସ’ ପରେ ପରେ ନଭେମ୍ୱର ୨୦୨୦ରେ ମାଇକ୍ରୋ ମେସେଞ୍ଜର ଆପ୍ଳିକେସନ ‘ଟୁଇଟର’ ପକ୍ଷରୁ ସୋସିଆଲ ଅଡ଼ିଓ ମଞ୍ଚ ‘ସ୍ପେସେସ’ ପରୀକ୍ଷାମୂଳକଭାବେ ପ୍ରଚଳନ କରାଯାଇ ମେ’ ୨୦୨୧ ସୁଦ୍ଧା ଉପଭୋକ୍ତାଙ୍କ ବ୍ୟବହାରଲାଗି ଉନ୍ମୁକ୍ତ କରାଯାଇଥିଲା । ସେହିପରି ୨୧ ଜୁନ ୨୦୨୧ରେ ‘ଫେସବୁକ’ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ଉପଭୋକ୍ତାଙ୍କ ପାଇଁ ‘ଲାଇଭ ଅଡ଼ିଓ ରୁମସ’ର ସୁଯୋଗ ସୃଷ୍ଟି ହୋଇଥିଲା । କିଛିଦିନ ପୂର୍ବରୁ ୧୬ ଜୁନ ୨୦୨୧ରେ ଖ୍ୟାତନାମା ସଂଗୀତ ଆପ୍ଳିକେସନ ‘ସ୍ପଟିଫାଇ’ ପକ୍ଷରୁ ଅନୁରୂପ ସୋସିଆଲ ଅଡିଓ ମଞ୍ଚ ‘ଗ୍ରୀନରୁମ’ ଆତ୍ମପ୍ରକାଶ କରିଥିଲା । ‘କ୍ଳବହାଉସ’ ତୁଳନାରେ ନବବିକଶିତ ଆପଗୁଡ଼ିକରେ ଅଧିକ ସୁବିଧା ସୁଯୋଗ ସଂଯୋଜନା କରାଯାଉଥିବା ଦେଖିବାକୁ ମିଳିଥାଏ ।

‘ଫେସବୁକ’ର ‘ଲାଇଭ ଅଡ଼ିଓ ରୁମସ’ର ପରୀକ୍ଷାମୂଳକ ସଂସ୍କରଣ ଆପଲ ଆଇଓଏସ ସ୍ମାର୍ଟଫୋନ ଉପଯୋଗରେ ୫୦ ଜଣ ଯାଏଁ ବକ୍ତା ଓ ଅଗଣିତ ଶ୍ରୋତାଙ୍କୁ ପ୍ରତ୍ୟେକ ‘ରୁମ’ରେ ସଦସ୍ୟଭୁକ୍ତ କରାଯାଇପାରିବ । ଶ୍ରୋତାମାନେ ଉଭୟ ଆପଲ ଆଇଓଏସ ଓ ଏଣ୍ଡ୍ରୋଏଡ଼ ସ୍ମାର୍ଟଫୋନ ଯୋଗେ ଶୁଣିପାରିବେ । ଏହି ମଞ୍ଚରେ କେତେକ ନିର୍ବାଚିତ ‘ପଡ଼କାଷ୍ଟ’ ପ୍ରସାରଣ ସହ ଅଡ଼ଓ କାର୍ଯ୍ୟକ୍ରମ ରେକର୍ଡ଼ିଂ ଓ ଏଡିଟିଂ ନିମନ୍ତେ ସୁବିଧା ମଧ୍ୟ ଉପଲବ୍ଧ ହେବ । ‘କ୍ଳବହାଉସ’ରେ ‘ରୁମ’ଗୁ଼ଡ଼ିକର ପ୍ରସାରଣ ରେକର୍ଡ କରିବା ବାରଣ କରାଯାଇଥିବା ସ୍ଥଳେ ଫେସବୁକ ‘ଲାଇଭ ଅଡ଼ିଓ ରୁମସ୍’ରେ ରେକର୍ଡ଼ିଂ ଏବଂ ତାହା ଇ-ମେଲ ଯୋଗେ ବିତରଣର ସୁବିଧା ଉପଲବ୍ଧ ରହିବ ।

‘ସୋସିଆଲ ଅଡ଼ିଓ’ ମଞ୍ଚରେ ‘କ୍ଳବହାଉସ’, ‘ସ୍ପେସସ’, ‘ଡ଼ିସକର୍ଡ’, ‘ଗ୍ରୀନରୁମ’ ଓ ‘ଲାଇଭ ଅଡ଼ିଓ ରୁମସ’ ସହ ‘ଲିଙ୍କଡ଼ଇନ’, ‘ରେଡ଼ିଟ’, ‘ସ୍ଳାକ’ ପକ୍ଷରୁ ଆପ୍ଳିକେସନ ବିକଶିତ ହେଉଥିବା ସୂଚନା ମିଳେ । ଆମ ଭାରତରେ ‘କ୍ଳବହାଉସ’ ୨୦୨୧ ଜୁନମାସ ସୁଦ୍ଧା ଏକରକମ ଆସ୍ଥାନ ଜମାଇ ସାରିଥିଲା । ପ୍ରାୟ କୋଡ଼ିଏ ଲକ୍ଷ ଉପଭୋକ୍ତା ଏହି ମଞ୍ଚରେ ଉପସ୍ଥିତ ଥିବା କୁହାଯାଉଥିଲା । ‘ସୋସିଆଲ ଅଡ଼ିଓ’ର ଭାରତୀୟ ସଂସ୍କରଣ ‘ସେରଚାଟ’ରେ ‘ଚାଟରୁମ’ ନାମରେ ଲାଇଭ ଅଡ଼ିଓ ପଡ଼କାଷ୍ଟ ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇଥିଲା । ବହୁପୂର୍ବରୁ ୨୦୧୮ରେ ବିକଶିତ ‘ଲେହର’ରେ ଲକ୍ଷାଧିକ ଉପଭୋକ୍ତା ସାମିଲ ହୋଇ ଅଡ଼ିଓ-ଭିଡ଼ିଓ ମଞ୍ଚ ବ୍ୟବହାର କରୁଥିବା ଜଣାଯାଏ । ଏଠାରେ ଧାର୍ମିକ ସତସଙ୍ଗ ଓ ସଂଗୀତଭିତ୍ତିକ ଅନ୍ତାକ୍ଷରୀ, ଭାଗ୍ୟଫଳ ଓ ରେଡ଼ିଓ ସୋ ଇତ୍ୟାଦି କାର୍ଯ୍ୟକ୍ରମମାନ ପ୍ରାଥମିକ ପର୍ଯ୍ୟାୟରେ ଲୋକପ୍ରିୟତା ହାସଲ କରିଛି ।

ଏକବିଂଶ ଶତାଦ୍ଦୀ ତୃତୀୟ ଦଶକରେ ଗଣମାଧ୍ୟମ କୋଳାହଳରେ ଅଡ଼ିଓ ମଞ୍ଚ ପ୍ରାଧାନ୍ୟଲାଭ କରିବା ସଂପର୍କରେ ବିଶେଷଜ୍ଞମାନେ ଦୀର୍ଘ ଅତୀତରୁ ପୂର୍ବାନୁମାନ କରିଆସୁଥିବା ସ୍ଥଳେ ‘ସୋସିଆଲ ଅଡ଼ିଓ’ ଧାରା ୨୦୨୧ରୁ ହିଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି । ଭାରତରେ ସୋସିଆଲ ମିଡ଼ିଆ କ୍ଷେତ୍ରରେ ଫେସବୁକ ସର୍ବାଧିକ ଲୋକପ୍ରିୟ । ସେହି ମଞ୍ଚରେ ନିକଟ ଭବିଷ୍ୟତରେ ଅଡ଼ିଓ ପ୍ରସାରଣର ସୁବିଧାସୁଯୋଗ ସୃଷ୍ଟି ବହୁସଂଖ୍ୟକଙ୍କ ପାଇଁ ଗୋଷ୍ଠୀଗତ ଆଳାପ ଆଲୋଚନା ‘ଗୃପ କନଭରସେସନ’ଠାରୁ ଆରମ୍ଭ କରି ସମ୍ୱାଦ ଓ ଅଭିମତ, ରାଜନୀତିକ, ସାଂସ୍କୃତିକ ବିଚାରବିମର୍ଷ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ବାହକ ହେବା ଆଶା କରାଯାଇପାରେ ।

ପ୍ରଥମତଃ, ଗୋଷ୍ଠୀଗତ ଅଡ଼ିଓ ମଞ୍ଚରେ ପ୍ରତ୍ୟେକଙ୍କୁ ଯୋଗଦାନରେ ଶୁଣିବା ଓ କହିବା ସୁଯୋଗ ଅନ୍ୟ ସୋସିଆଲ ମିଡ଼ିଆଭଳି ଏକ ଗଣତାନ୍ତ୍ରିକ ପରିବେଶ ସୃଷ୍ଟିରେ ସହାୟକ ହେବ । ଦ୍ୱିତୀୟତଃ, ପୂର୍ବରୁ ଉପଲବ୍ଧ ଟେକ୍ସଟ ଓ ଭିଡ଼ିଓ ପ୍ରସ୍ତୁତିରେ ଉପଭୋକ୍ତାଙ୍କ ସାମର୍ଥ୍ୟ, ଶ୍ରମ ଓ ସମୟ ଆବଶ୍ୟକ କରିଆସିଥିବା ସ୍ଥଳେ ଅଡ଼ିଓ ମଞ୍ଚରେ ଅଂଶ ଗ୍ରହଣ ଅପେକ୍ଷାକୃତ ସହଜ ଓ ସରଳ ବୋଧ ହେବ । ତୃତୀୟତଃ, ଅନ୍ୟାନ୍ୟ କାର୍ଯ୍ୟରେ ସଂପୃକ୍ତ ରହି ରେଡ଼ିଓ ଶୁଣିବା ଭଳି ଅଡ଼ିଓ ମଞ୍ଚର ଅତିରିକ୍ତ ସୁବିଧା ଏହାର ଉପାଦେୟତା ବୃଦ୍ଧିରେ ପର୍ଯ୍ୟବସିତ ହେବା ଯୁକ୍ତିଯୁକ୍ତ ।

ସୋସିଆଲ ଅଡ଼ିଓର ପ୍ରସାର ମୁଦ୍ରିତ ସମ୍ୱାଦପତ୍ରର ପାଠକ ସଂଖ୍ୟାକୁ ପ୍ରଭାବିତ କରିବା ଆଶଙ୍କା ଘନୀଭୂତ ହେବ । ଏହିଭଳି ମଞ୍ଚ ବ୍ୟବହାରରେ ଶ୍ରୋତାଙ୍କ ସୀମା ନିର୍ଦ୍ଧାରିତ ନହେଉଥିବା ହେତୁ ଗଭୀର ଆଞ୍ଚଳିକଭିତ୍ତିରେ ସମ୍ୱାଦ ଓ ଅଭିମତ ପ୍ରସାରଣ ସ୍ଥଳବିଶେଷରେ ନିର୍ଦ୍ଦିଷ୍ଟ ଅଡ଼ିଓ ରୁମ ପାଇଁ ସଂପ୍ରସାରିତ ଶ୍ରୋତାମଣ୍ଡଳୀ ସୃଷ୍ଟି ଆଶା କରାଯାଇପାରେ । ଏହା ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ ଉପଭୋକ୍ତା ଅପସାରଣର କାରଣ ପାଲଟିବ । ସେହିପରି ପ୍ରଚଳିତ ରେଡ଼ିଓ ପ୍ରସାରଣର ଦୁର୍ବଳ ଭିତ୍ତିଭୂମିରେ ସୋସିଆଲ ଅଡ଼ିଓ ନକାରାତ୍ମକ ପ୍ରଭାବ ପକାଇବ । ଇଣ୍ଟରନେଟ ସଂଯୁକ୍ତି, ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ତଥା ୫ଜି ଟେଲିଯୋଗାଯୋଗ ବୈଷୟିକକୌଶଳ ପ୍ରଚଳନର ସଂଭାବ୍ୟ ପରିସ୍ଥିତି ଗୋଷ୍ଠୀ ରେଡ଼ିଓ ଆନ୍ଦୋଳନ ‘କମ୍ୟୁନିଟି ରେଡ଼ିଓ’ ଭିତ୍ତିଭୂମିକୁ ଦୋହଲାଇ ଦେବ ।

ଅପରପକ୍ଷେ ସୋସିଆଲ ଅଡ଼ିଓ ମଞ୍ଚଗୁଡ଼ିକର ବିକାଶ ଏବଂ ବହୁସଂଖ୍ୟକ ଉପଭୋକ୍ତାଙ୍କ ଯୋଗଦାନ ଅସତ୍ୟ ସମ୍ୱାଦ, ଗୁଜବ ଓ ଅନ୍ଧବିଶ୍ୱାସ ପ୍ରସାରଣଲାଗି ଉର୍ବର ଉପତ୍ୟକା ଯେ ସୃଷ୍ଟି କରିବ ଏଥିରେ ମଧ୍ୟ ସନ୍ଦେହ ନାହିଁ । ଦୁର୍ବଳ ଅର୍ଥନୀତି ଓ ଅଳ୍ପଶିକ୍ଷିତ ଓଡ଼ିଶା ପକ୍ଷେ ସୋସିଆଲ ଅଡ଼ିଓର ପ୍ରସାର ଅବସରରେ ମିଶ୍ରିତ ପ୍ରତିକ୍ରିୟା ଆଶା କରାଯାଏ ।

Related Post