ଆଜିର ଖାସ ଖବର
Mon. Jul 27th, 2026

ପରିବେଶ ଓ ମୁଦ୍ରିତ ସମ୍ୱାଦପତ୍ର

By Dainikasha Jul11,2024

ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ‘କ୍ଳାଇମେଟ ଚେଞ୍ଜ’ ଜନିତ ପ୍ରାକୃତିକ ଦୁର୍ବିପାକମାନ ବଢ଼ିଚାଲିଥିବା ସ୍ଥଳେ ବିଭିନ୍ନ ରାଷ୍ଟ୍ରରେ ସରକାରୀସ୍ତରରେ ପରିବେଶ ସଂରକ୍ଷଣ ତଥା ଅଙ୍ଗାରକାମ୍ଳ ପଦଚ଼ିହ୍ନ ‘କାରବନ ଫୁଟପ୍ରିଣ୍ଟ’ ହ୍ରାସ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଖବରଅନ୍ତର ଦୃଷ୍ଟି ଆକର୍ଷଣ କରିଥାଏ । ଉତ୍ତର ଆମେରିକା କାନାଡ଼ାର ମାନିଟୋବା ପ୍ରାଦେଶିକ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ଅଗଷ୍ଟ ୨୦୨୦ରେ ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ଅର୍ଥରେ ପରିଚାଳିତ ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ର କିଣିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

କାନାଡ଼ା ଘଞ୍ଚ ଜଙ୍ଗଲର ଦେଶ । ପାର୍ବତ୍ୟାଞ୍ଚଳ, ହ୍ରଦ, ନଦୀରେ ଭରପୁର ମାନିଟୋବା ଛୋଟବଡ଼ ୮୦ ଗୋଟି ପାର୍କରେ ଖେଳକୁଦ ଓ ‘ପୋଲାର ବିଅର’ ଭାଲୁ ପାଇଁ ଖ୍ୟାତ । ଏଠାକାର ଜନସଂଖ୍ୟା ପ୍ରାୟ ଚ଼ଉଦ ଲକ୍ଷ । ସମ୍ୱାଦପତ୍ର ଛାପା କାଗଜ ‘ନିଉଜପ୍ରିଣ୍ଟ’ ଉତ୍ପାଦନରେ କାନାଡ଼ା ଆନ୍ତର୍ଜାତିକସ୍ତରରେ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହୃତ ୫୭ ପ୍ରତିଶତ ନିଉଜପ୍ରିଣ୍ଟ କନାଡ଼ାରୁ ଆମଦାନୀ ହୋଇଥାଏ । ଭାରତରେ ମଧ୍ୟ ବ୍ୟବହୃତ ଉଚ୍ଚମାନର ନିଉଜପ୍ରିଣ୍ଟ କାନାଡ଼ାରୁ ଆସେ ।

କାନାଡ଼ାରେ ନିଉଜପ୍ରିଣ୍ଟ ଉତ୍ପାଦନ ନିମନ୍ତେ କାଠମଣ୍ଡ ବ୍ୟବହୃତ ଏବଂ ଏଥିଲାଗି ପର୍ଯ୍ୟାପ୍ତ ପରିମାଣ ବୃକ୍ଷଛେଦନ ଆବଶ୍ୟକ ପଡ଼ିଥାଏ । ସେଠାକାର କାଗଜକଳ କର୍ତ୍ତୃପକ୍ଷ କଟାଯାଉଥିବା ପ୍ରତିଟି ବୃକ୍ଷ ବଦଳରେ ନୂତନ ବୃକ୍ଷ ରୋପଣ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମାନିଟୋବା ପ୍ରାଦେଶିକ ସରକାରଙ୍କ ପକ୍ଷରୁ ମୁଦ୍ରିତ ସମ୍ୱାଦପତ୍ର ବ୍ୟବହାର ସଂକୋଚନ ନୀତି ପ୍ରଣୟନ ଏକ ଚର୍ଚ୍ଚିତ ବିଷୟବସ୍ତୁ ।

ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନାରେ ଏକ ପକ୍ଷରେ ନିଉଜପ୍ରିଣ୍ଟ, କାଳି, ପରିବହନ ଏବଂ ଅପରପକ୍ଷରେ ସମ୍ୱାଦ ସଂଗ୍ରହ ଓ ରଚନା ପ୍ରସ୍ତୁତି ଦିଗରେ ବିଭିନ୍ନ ବୈଦ୍ୟୁତିକ ଉପକରଣ, ଯାନବାହାନ ଇତ୍ୟାଦି ବ୍ୟବହାରରୁ କାରବନ ଫୁଟପ୍ରିଣ୍ଟ ହିସାବ କରାଯାଇପାରେ । ନିଉଜପ୍ରିଣ୍ଟ କାଠମଣ୍ଡ ଏବଂ ପୁନଃ ପ୍ରକ୍ରିୟାକରଣ ଧାରାରେ ରଦ୍ଦି କାଗଜ ମଣ୍ଡରୁ ପ୍ରସ୍ତୁତ ହୋଇଥାଏ । କୁହାଯାଏ ଯେ ବିଶ୍ୱବ୍ୟାପୀ ବୃକ୍ଷ ଛେଦନରୁ ୪୦ ପ୍ରତିଶତ କାଗଜଶିଳ୍ପରେ ବ୍ୟବହୃତ ହୋଇଥାଏ । ସେହିପରି କାଗଜକଳ ଚାଲିବା ନିମନ୍ତେ ବିଦ୍ୟୁତଶକ୍ତି ଆବଶ୍ୟକ ଏବଂ ଆନ୍ତର୍ଜାତିକସ୍ତରରେ କାଗଜକଳଗୁଡ଼ିକ ପଞ୍ଚମ ବୃହତ୍ତ ବିଦ୍ୟୁତ ବ୍ୟବହାରକାରୀ । ଏତଦ୍ ବ୍ୟତୀତ କାଗଜ ପ୍ରସ୍ତୁତି ପ୍ରକ୍ରିୟାରେ ପର୍ଯ୍ୟାପ୍ତ ପରିମାଣରେ ଜଳ ମଧ୍ୟ ଆବଶ୍ୟକ ପଡ଼ିଥାଏ ।

କୁହାଯାଏ ଯେ ଏକ ଟନ ନିଉଜପ୍ରିଣ୍ଟ ପ୍ରସ୍ତୁତିଲାଗି ୧୨ ଗୋଟି ପୂର୍ଣ୍ଣ ବିକଶିତ ବୃକ୍ଷର କାଠ ଆବଶ୍ୟକ ପଡ଼େ । ଏକ ଟନ ନିଉଜପ୍ରିଣ୍ଟରେ ୨,୮୦,୦୦୦ ବ୍ରଡ଼ସିଟ ଅର୍ଥାତ ପ୍ରଚଳିତ ଦୈନିକ ସମ୍ୱାଦପତ୍ରର ଚାରିପୃଷ୍ଠା ସମ୍ୱଳିତ ଖଣ୍ଡ ଉତ୍ପାଦିତ ହୋଇଥାଏ । ନିଉଜପ୍ରିଣ୍ଟ ପ୍ରସ୍ତୁତିରେ କାଠମଣ୍ଡ ସହ ସଲଫର, କ୍ଳୋରିନ, କାଲସିଅମ କାର୍ବୋନେଟ ଓ ଜଳ ବ୍ୟବହୃତ । କାଠମଣ୍ଡ ସ୍ଥାନରେ ରଦ୍ଦି କାଗଜମଣ୍ଡ ମଧ୍ୟ କଞ୍ଚାମାଲ ରୂପେ ବ୍ୟବହାର କରାଯାଇପାରେ ।

ନିଉଜପ୍ରିଣ୍ଟ ଉତ୍ପାଦନରେ ପରିବେଶ ପ୍ରଦୂଷଣ ଚାପ ବିଭିନ୍ନ ଦିଗ ଉପରେ ନିର୍ଭର କରିଥାଏ । ପ୍ରଥମତଃ, କାଗଜ ଶିଳ୍ପ ପକ୍ଷରୁ ପ୍ରାକୃତିକ ଜଙ୍ଗଲ କଟାଯିବା ପରେ ସେଠାରେ ପୁଣି ବୃକ୍ଷରୋପଣ କରୁଥିଲେ ସୁଦ୍ଧା ରୋପିତ ବୃକ୍ଷରାଜି ପୁଣି କଞ୍ଚାମାଲଭାବେ ବ୍ୟବହୃତ ହେଉଥିବା ହେତୁ ଦୀର୍ଘକାଳୀନ ହିସାବରେ ପରିବେଶ ଅନୁକୂଳ ସାବ୍ୟସ୍ତ ହୋଇନଥାଏ । ଦ୍ୱିତୀୟତଃ, କାଗଜକଳରେ ପର୍ଯ୍ୟାପ୍ତ ବିଦ୍ୟୁତଶକ୍ତି ବ୍ୟବହୃତ ହେଉଥିବା ସ୍ଥଳେ କେଉଁ ସୂତ୍ରରୁ ବିଦ୍ୟୁତ ଉତ୍ପାଦିତ ହେଉଛି ତାହା ଗୁରୁତ୍ୱ ବହନ କରିଥାଏ । ଉଦାହରଣରେ ନରୱେରେ ପରିବେଶ ଅନୁକୂଳ ପଦ୍ଧତିରେ ବିଦ୍ୟୁତଶକ୍ତି ଉତ୍ପନ୍ନ ହେଉଥିବା କାରଣରୁ ବ୍ରିଟେନର ‘ଦି ଗାର୍ଡ଼ିଅନ’ ଭଳି ସମ୍ୱାଦପତ୍ର ସେହିଭଳି ନିଉଜପ୍ରିଣ୍ଟ ବ୍ୟବହାର କରି କମ କାର୍ବନ ଫୁଟପ୍ରିଣ୍ଟ ପ୍ରତି ଧ୍ୟାନ ଦେଉଛନ୍ତି ବୋଲି ଯୁକ୍ତି ବାଢ଼ିଥାନ୍ତି ।

ତୃତୀୟତଃ, ନିଉଜପ୍ରିଣ୍ଟର ପୁନଃପ୍ରକ୍ରିୟାକରଣ ଏହାର କାରବନ ଫୁଟପ୍ରିଣ୍ଟକୁ ପ୍ରଭାବିତ କରେ । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅଳିଆ ଆବର୍ଜନାରେ ସାମିଲ ହେଲେ ସେଥିରୁ ପରିବେଶ ପ୍ରଦୂଷଣକାରୀ ମିଥେନ ଗ୍ୟାସ ନିର୍ଗତ ହୋଇଥାଏ । ବିଶେଷଜ୍ଞମାନଙ୍କ ମତରେ ରିସାଇକ୍ଳେନିଂ ପ୍ରକ୍ରିୟାରେ ନିଉଜପ୍ରିଣ୍ଟ ଉତ୍ପାଦନରେ ୪୦ ପ୍ରତିଶତ କମ ବିଦ୍ୟୁତ ଓ ୬୦ ପ୍ରତିଶତ କମ ଜଳ ବ୍ୟବହୃତ ହେଉଥିବା ସ୍ଥଳେ ୭୪ ପ୍ରତିଶତ ବାୟୁ ଓ ୩୫ ପ୍ରତିଶତ ଜଳ ପ୍ରଦୂଷଣ କମାଇଥାଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ୭୦ ପ୍ରତିଶତ ଯାଏଁ ମୁଦ୍ରିତ ସମ୍ୱାଦପତ୍ର ପୁନଃପ୍ରକ୍ରିୟାକରଣରେ ସାମିଲ ହେଉଥିବା ବେଳେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ କମ ।

ମୁଦ୍ରିତ ସମ୍ୱାଦପତ୍ର ପ୍ରଯୋଜନା ନିଉଜପ୍ରିଣ୍ଟ ଉପରେ ନିର୍ଭରଶୀଳ ଥିବା ଏବଂ କାଗଜ ଉତ୍ପାଦନଲାଗି କଞ୍ଚାମାଲ ସଂଗ୍ରହରେ ଜଙ୍ଗଲ ଉଚ୍ଛେଦଜନିତ ପ୍ରତିକୂଳ ପରିବେଶ ଜଳବାୟୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ହେତୁ ଏଦିଗରେ ସଂଯମ ଆଚ଼ରଣ ପ୍ରତି ବିଶ୍ୱବ୍ୟାପୀ ଗୁରୁତ୍ୱ ଆରୋପ କରାଯାଉଛି । ମାନିଟୋବାର ପ୍ରାଦେଶିକ ସରକାର ୨୦୧୯ରୁ ମୁଦ୍ରିତ ସମ୍ୱାଦପତ୍ର ସୀମିତ ବ୍ୟବହାରଲାଗି ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ । ଯେଉଁ ପରିସ୍ଥିତିରେ ଅନଲାଇନ ସମ୍ୱାଦ ଆହରଣ ସଂଭବପର ନୁହ ସେଠାରେ ହିଁ ମୁଦ୍ରିତ ସମ୍ୱାଦପତ୍ର ଯୋଗାଣକୁ ଅନୁମତି ଦିଆଯାଇଛି ।

ଦଶବର୍ଷ ପୂର୍ବେ ୨୦୦୯ରେ ଆନ୍ତର୍ଜାତିକ ହୋଟେଲ ଚେନ ‘ମାରିଅଟ ଇଣ୍ଟରନ୍ୟାସନାଲ’ ପକ୍ଷରୁ ତାହାର ହୋଟେଲଗୁଡ଼ିକର ପ୍ରତ୍ୟେକ କଠୋରୀରେ ମୁଦ୍ରିତ ସମ୍ୱାଦପତ୍ର ବିତରଣ ପ୍ରଥା ବନ୍ଦ କରିଥିଲା । ଯେଉଁ ଅତିଥିମାନେ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ଅନୁରୋଧ କରୁଥିଲେ କେବଳ ସେହିମାନଙ୍କୁ ଯୋଗାଇଦେବା ବ୍ୟବସ୍ଥା ପ୍ରଚଳନ ହୋଇଥିଲା । ଫଳରେ ସଂପୃକ୍ତ ହୋଟେଲ ଚେନରେ ପ୍ରାୟ ପଚାଶ ହଜାର ମୁଦ୍ରିତ ସମ୍ୱାଦପତ୍ର ବିତରଣ ବନ୍ଦ କରାଯାଇଥିଲା । ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅଧିକାଂଶ ଅତିଥି ସମ୍ୱାଦପତ୍ର ପାଠ କରିବା ନିମନ୍ତେ ଆଗ୍ରହୀ ନଥିବା ସ୍ଥଳେ ବାଧ୍ୟବାଧକତାରେ ପ୍ରତ୍ୟେକ କଠୋରୀରେ ଏକ କିତା ମୁଦ୍ରିତ ସମ୍ୱାଦପତ୍ର ଯୋଗାଣ ପରବର୍ତ୍ତୀ ଅବସ୍ଥାରେ ପ୍ରଦୂଷଣ ବୃଦ୍ଧିର କାରଣ ପାଲଟେ ।

ମୁଦ୍ରିତ ସମ୍ୱାଦପତ୍ର ବଦଳରେ ଅନଲାଇନ ସମ୍ୱାଦ ମଞ୍ଚକୁ ଉତ୍ସାହିତ କରିବା ଅବସରରେ ତାହାର ପରିବେଶ ପ୍ରଦୂଷଣ ହିସାବ ଅପେକ୍ଷାକୃତ କମ ଥିଲେ ହେଁ ଆନୁସଙ୍ଗିକ ପ୍ରଭାବ ସଂପର୍କରେ ମଧ୍ୟ ବିଚାରବିମର୍ଷ କରାଯାଉଛି । ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଅନଲାଇନ ସମ୍ୱାଦ ମଞ୍ଚ ନିମନ୍ତେ ସଂବାଦ ସଂଗ୍ରହ ଓ ରଚନାରେ ସମପରିମାଣରେ ବିଦ୍ୟୁତଶକ୍ତି, ଯାନବାହାନ ଇନ୍ଧନ ଇତ୍ୟାଦି ବ୍ୟବହୃତ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ର ପ୍ରସାରରେ ନିଉଜପ୍ରିଣ୍ଟ, କାଳି, ପରିବହନ ଆବଶ୍ୟକ ପଡୁଥିବା ସ୍ଥଳେ କମ୍ପ୍ୟୁଟର ସାମଗ୍ରୀ ନିର୍ମାଣ ତଥା ସର୍ଭର, ନେଟୱାର୍କ ଓ ଉପକରଣ ବ୍ୟବହାର ନିମନ୍ତେ ମଧ୍ୟ ବିଦ୍ୟୁତଶକ୍ତି ଇତ୍ୟାଦି ଗୁରୁତ୍ୱ ବହନ କରେ ।

ମୁଦ୍ରିତ ସମ୍ୱାଦପତ୍ରର ସାମାଜିକ ପ୍ରଭାବ ସଂପର୍କରେ ‘ଷ୍ଟକହୋମ ସ୍କୁଲ ଅଫ ଇକନୋମିକ୍ସ’ ପକ୍ଷରୁ ଆୟୋଜିତ ଏକ ଗବେଷଣାରୁ ଜଣାଯାଇଥିଲା ଯେ ମୁଦ୍ରିତ ସମ୍ୱାଦପତ୍ର ପ୍ରଦୂଷଣ ବୃଦ୍ଧିରେ ସହାୟକ ହେଉଥିଲେ ହେଁ ଅଧିକ ମାତ୍ରାରେ ପ୍ରଦୂଷଣ ସୃଷ୍ଟିକାରୀ ବଡ଼ ବଡ଼ ଶିଳ୍ପକାରଖାନାର ପ୍ରଦୂଷଣ ନୀତି ସଂପର୍କୀତ ତଥ୍ୟ ପ୍ରସାରଣ କରି ଜନମତ ଓ ସରକାରୀ ତତ୍ପରତା ଜାଗ୍ରତ ବହୁ ମାତ୍ରାରେ ପ୍ରଦୂଷଣ ହ୍ରାସରେ ସମର୍ଥ ହୋଇଥାଏ । ମୁଦ୍ରିତ ସମ୍ୱାଦପତ୍ରର ସ୍ଥାୟୀତ୍ୱ, ଦୀର୍ଘକାଳୀନ ଜନମତ ସୃଷ୍ଟିରେ ଭୂମିକା ତଥା ତଦ୍ ଅନୁଯାୟୀ ପ୍ରଶାସନିକ ହସ୍ତକ୍ଷେପ ଅନଲାଇନ ସମ୍ୱାଦମଞ୍ଚ ଜରିଆରେ ଯେ ଅସଂଭବ ତାହା ନୁହ, ତେବେ ବର୍ତ୍ତମାନ ସୁଦ୍ଧା ବିକଶିତ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ପ୍ରଭାବଶାଳୀ ହୋଇପାରି ନଥିବା ବହୁ ଗବେଷଣାରୁ ସୁସ୍ପଷ୍ଟ ।

ପ୍ରଦୂଷଣ ଏକ ଗୁରୁତର ସମସ୍ୟା ରୂପେ ମୁଣ୍ଡ ଟେକିଥିବା ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ମାନବ ସଭ୍ୟତା ସଂକଟର ମୁଖଶାଳାରେ ପହଞ୍ଚିସାରିଥିବା ଅବସରରେ ସମ୍ୱାଦ ଉପଭୋକ୍ତା ପିଛା କାରବନ ଫୁଟପ୍ରିଣ୍ଟ କିପରି କମାଯାଇପାରିବ ସେ ଦିଗରେ ସର୍ଜନଶୀଳ ପଦକ୍ଷେପ ଆବଶ୍ୟକ କରେ । ସାଧାରଣ ହିସାବରେ ପରିବେଶ ତତ୍ତ୍ୱବିତ ମାଇକ ଲି-ବେର୍ଣ୍ଣର୍ସଙ୍କ ମାନାଙ୍କ ବିଚାରକୁ ନେଲେ ଓଡ଼ିଶାରେ ଆଗ ଧାଡ଼ିର କୌଣସି ଦୈନିକ ସମ୍ୱାଦପତ୍ରର ଗ୍ରାହକ ପଠିତ ସମ୍ୱାଦପତ୍ରଗୁଡ଼ିକର ପୁନଃପ୍ରକ୍ରିୟାକରଣ ଦିଗରେ ଧ୍ୟାନ ନଦେଇ ଅଳିଆ ଆବର୍ଜନା ରୂପେ ଫୋପାଡ଼ିଲେ ବ୍ୟକ୍ତି ପିଚ୍ଛା ମାସିକ ପ୍ରାୟ ୧୪ କିଲୋଗ୍ରାମ ଯାଏଁ କାରବନ ଫୁଟପ୍ରିଣ୍ଟର ଅଂଶୀଦାର ହୋଇଥାଏ ।

ଅପରପକ୍ଷେ ଉନ୍ନତ ସମ୍ୱାଦ ପରିବେଷଣ ଶୈଳୀରେ ବିଜ୍ଞାପନ ରହିତ କ୍ଷୀଣକାୟ ବ୍ୟାବହାରିକ ସାପ୍ତାହିକ ମୁଦ୍ରିତ ସମ୍ୱାଦପତ୍ର ପ୍ରଚଳନ ହୋଇପାରିଲେ ପାଠକ ପ୍ରତି କାରବନ ଫୁଟପ୍ରିଣ୍ଟ ସାତଭାଗରୁ ଏକ ଭାଗକୁ କମି ଆସିପାରିବ । ସୋସିଆଲ ମିଡ଼ିଆରେ ଚାଳିଶି ପ୍ରତିଶତ ଯାଏଁ ଜନସଂଖ୍ୟା ସାମିଲ ହେବା ଏବଂ ଦୀର୍ଘ ସମୟ ବିତାଇବା ଅଭ୍ୟାସପରେ ଗଭୀର ଆଞ୍ଚଳିକ ସମ୍ୱାଦ ପ୍ରସାରଣରୁ ଖର୍ଚ୍ଚ ବହୁଳ ମୁଦ୍ରିତ ସମ୍ୱାଦପତ୍ର ବିରତ ରହିବା ସମୟ ଉପନୀତ । ଜନହିତ ଲକ୍ଷ୍ୟ ଆଧାରରେ ଉଚ୍ଚମାନର ସାମ୍ୱାଦିକତା ସମୟ, ଖର୍ଚ୍ଚ ଓ ସୃଜନ ନିର୍ଭରଶୀଳ ଥିବା ସ୍ଥଳେ ମୁଦ୍ରିତ ସମ୍ୱାଦପତ୍ରର କଳେବର ସୀମିତ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ବିଜ୍ଞାପନ ନୀତି ବଦଳାଇ ଆକାର ବଦଳରେ ପ୍ରସାରକୁ ଅଗ୍ରାଧିକାର ଦେଲେ ଆମ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଅପେକ୍ଷାକୃତ ଭାବେ ପରିବେଶ ଅନୁକୂଳ ଆଙ୍ଗୀକ ପ୍ରତି ଧ୍ୟାନ ଦେବା ଆଶା କରାଯାଇପାରେ । 

Related Post