ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକର ରବିବାସରୀୟ ସଂସ୍କରଣ ମଧ୍ୟରେ ‘ସମ୍ୱାଦ’ର ସାହିତ୍ୟ ପୃଷ୍ଠାରେ ପ୍ରତିମାସ ଶେଷ ରବିବାରରେ ଗତ କିଛି କାଳଧରି ପ୍ରକାଶିତ ‘ସାକ୍ଷାତକାର’ ସ୍ତମ୍ୱଟି ସୃଜନ ସଂପ୍ରଦାୟର ଦୃଷ୍ଟିଆକର୍ଷଣ କରିଥାଏ । ସଂପୃକ୍ତ ସମ୍ୱାଦପତ୍ରର ଅନ୍ୟ ରବିବାସରୀୟ ସଂସ୍କରଣଗୁଡ଼ିକ ଅନ୍ୟସବୁ ସମ୍ୱାଦପତ୍ରଭଳି ବାଧ୍ୟବାଧକତାରେ ପ୍ରସ୍ତୁତ ଛୋଟଛୋଟ କବିତା, ଛୋଟ ଗପଟିଏ, କିଛି ପୁସ୍ତକ ପରିଚ଼ିତି ଏବଂ ବେଳେବେଳେ ଏକ ଅତିଦୀର୍ଘ ସ୍ତମ୍ୱରେ ଅଳଂକୃତ ହୋଇଥାଏ । ସ୍ଥୂଳତଃ କହିବାକୁଗଲେ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକର ସାହିତ୍ୟପୃଷ୍ଠା ପାଠକ ମହଲରେ ଆଦୃତ ହେବାଭଳି ସେଭଳି କୌଣସି ବିଭବରେ ସଂଯୋଜିତ ହୋଇ ନଥାଏ । ଦୁଃଖର କଥା ହେଲା ବର୍ଷ ବର୍ଷଧରି ଏହି କ୍ଷେତ୍ରରେ ବିଷୟବିନ୍ୟାସରେ ସାମାନ୍ୟତମ ପରିବର୍ତ୍ତନ ପାଇଁ କେହି ଯତ୍ନବାନ ହେବା ନଜରକୁ ଆସେ ନାହିଁ ।
ଗତ ୨୪ ସେପ୍ଟେମ୍ୱର ୨୦୧୭ ରବିବାସରୀୟ ‘ସମ୍ୱାଦ’ର ସାହିତ୍ୟପୃଷ୍ଠାରେ ଲୋକପ୍ରିୟ ଔପନ୍ୟାସିକ ଡ଼କ୍ଟର ବିଭୂତି ପଟ୍ଟନାୟକ ପାଠକମାନଙ୍କ ୧୯ଗୋଟି ସାହିତ୍ୟ, ସାହିତ୍ୟିକ ଜୀବନ ଓ ପ୍ରକାଶନ ସଂପର୍କୀତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ‘ସମ୍ୱାଦ’ର ଏହି ସାକ୍ଷାତକାର ବିଭାଗର ବିଶେଷତ୍ୱ ଏହି ଯେ ଚ଼ିହ୍ନିତ ପ୍ରତିଭାଙ୍କୁ କେହି ଜଣେ ବ୍ୟକ୍ତିଗତଭାବେ ସାକ୍ଷାତକରି ପ୍ରଶ୍ନ ପଚ଼ାରି ଉତ୍ତର ସଂକଳନ କରିବା ବଦଳରେ ବହୁ ପାଠକ ଲିଖିତଭାବେ ପ୍ରଶ୍ନ ପଚ଼ାରିଥାନ୍ତି ଏବଂ ଚ଼ିହ୍ନିତ ପ୍ରତିଭା ଲିଖିତ ଉତ୍ତର ଦେଇଥାନ୍ତି ।
ଏଭଳି ସାକ୍ଷାତକାର ଶୈଳୀ ସଂଯୋଜନାଦ୍ୱାରା କେତେକ ଲାଭ ମିଳିଥାଏ । ପ୍ରଥମତଃ ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ପାଠକ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ପ୍ରଶ୍ନ କରିବାର ସୁଯୋଗ ସୃଷ୍ଟି ହୋଇଥାଏ, ଦ୍ୱିତୀୟତଃ ଚ଼ିହ୍ନିତ ପ୍ରତିଭା ମୁଖ୍ୟତଃ ଲିଖିତଭାବେ ଉତ୍ତର ଦେଉଥିବାହେତୁ ଭୂଲଭଟକାର ବେଶି ଡ଼ର ନଥାଏ ଏବଂ ତୃତୀୟତଃ ପାଠକମାନଙ୍କୁ ତାଙ୍କରି କଥନଶୈଳୀର ସ୍ୱାଦ ଅନୁଭବ କରିବାର ଅବକାଶ ମିଳିଥାଏ ।
ସ୍ୱାଧୀନୋତ୍ତର ଓଡ଼ିଆ ସାହିତ୍ୟରେ ଡ଼କ୍ଟର ବିଭୂତି ପଟ୍ଟନାୟକ ଔପନ୍ୟାସିକ ଓ ସମ୍ୱାଦପତ୍ର ସ୍ତମ୍ୱ ଲେଖକ ଭାବେ ଯେପରି ଖ୍ୟାତ, ପତ୍ରପତ୍ରିକା ସଂପାଦନା, ପ୍ରକାଶନ ଓ ସାହିତ୍ୟ ସଂଗଠନରେ ମଧ୍ୟ ଅଙ୍ଗାଙ୍ଗୀଭାବେ ସଂପୃକ୍ତ । ଓଡ଼ିଆ ଗଣମାଧ୍ୟମ ସଂପର୍କରେ ତାଙ୍କରି ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ । ଆଲୋଚ୍ୟ ସାକ୍ଷାତକାରରେ ନିଜ ଉପନ୍ୟାସ, ଗଳ୍ପ, ଆତ୍ମଜୀବନୀ, ରାଜନୀତିକ ଆଦର୍ଶ ସହ ଓଡ଼ିଆ ସାହିତ୍ୟ ପୁସ୍ତକ ପ୍ରକାଶନ ଶିଳ୍ପ ସଂପର୍କରେ ସେ ନିଜ ଦୃଷ୍ଟିକୋଣ ଉପସ୍ଥାପିତ କରିଛନ୍ତି ।
‘ବର୍ତ୍ତମାନ ଓଡ଼ିଆ ବହିର ବିକ୍ରି କମି ଯାଉଛି । ପ୍ରତିକାରର ରାସ୍ତା କିଛି କହିବେ କି ?’ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ଖର୍ଚ୍ଚ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ ଓଡ଼ିଆ ପ୍ରତିଷ୍ଠିତ ପ୍ରକାଶକମାନେ ନୂତନ ବହି କିମ୍ୱା ଚ଼ାହିଦା’ ଥିବା ବହିର ପୁନର୍ମୁଦ୍ରଣ କରିବା ପାଇଁ ସାହାସ କରିପାରୁ ନାହାନ୍ତି ।” “ପୁସ୍ତକ ପ୍ରକାଶକମାନେ ସୁଲଭ ମୂଲ୍ୟରେ ଭଲ ବହି ଛାପି ପାଠକମାନଙ୍କ ହାତ ପାଆନ୍ତାରେ ପହଞ୍ଚାଇ ଦେଇ ନ ପାରିବା ଫଳରେ ଓଡ଼ିଆ ବହିର ବିକ୍ରି କମିଯାଉଛି ।” “ଓଡ଼ିଆ ବହି ପାଠକମାନଙ୍କ ଆଗ୍ରହ ଅଭାବ ଯୋଗୁଁ ବିକ୍ରି ହ୍ରାସ ପାଉନାହିଁ ।”
“ପ୍ରକାଶକମାନେ ନୂତନ ଲେଖକମାନଙ୍କ ବହି ଛାପୁ ନଥିବାରୁ ଲେଖକମାନେ ନିଜ ଖର୍ଚ୍ଚରେ ବହି ଛାପିବାକୁ ବାଧ୍ୟ ହେଉଛନ୍ତି । ବହି ଦୋକାନ ନଥିବା ଅନେକ ପୁସ୍ତକ ବ୍ୟବସାୟୀ ଲେଖକମାନଙ୍କଠାରୁ ଛାପାଖର୍ଚ୍ଚ ନେଇ ବହି ପ୍ରକାଶ କରୁଥିବା ଯୋଗୁଁ ଓଡ଼ିଆରେ ନୂତନ ବହିସଂଖ୍ୟା ହ୍ରାସ ପାଉ ନାହିଁ, କିନ୍ତୁ ନିଜ ଖର୍ଚ୍ଚରେ ବହି ନ ଛାପୁ ନଥିବାରୁ ଏହି ପ୍ରକାଶକମାନେ ବହିର ମାନ ପ୍ରତି ଉଦାସୀନ ଏବଂ ବିକ୍ରିପାଇଁ ବ୍ୟଗ୍ର ନ ହେବା ସ୍ୱାଭାବିକ । ”
“ଇଂରାଜି ଭାଷାରେ ବିଶିଷ୍ଟ ଲେଖକମାନଙ୍କ ଦ୍ୱାରା ଲିଖିତ ଗଳ୍ପ, ଉପନ୍ୟାସ ବ୍ୟତୀତ ଅର୍ଥନୀତି, ରାଜନୀତି, ଜୀବନୀ, ଆତ୍ମଜୀବନୀ ଏବଂ ସମାଜ ବିଜ୍ଞାନ ସମ୍ପର୍କରେ ଯେତେ ବହି ପ୍ରକାଶିତ ହେଉଛି, ଓଡ଼ିଆ ଭାଷାରେ ସେଭଳି ବହି ଲେଖା ହୋଇନାହିଁ । ଏସବୁ ବହି ରେଳଷ୍ଟେସନ, ବିମାନବନ୍ଦରଠାରୁ ଆରମ୍ଭ କରି ମଲ, ରାସ୍ତାକଡ଼ ଦୋକାନରେ ମୁଦ୍ରିତ ମୂଲ୍ୟଠାରୁ ଯଥେଷ୍ଟ କମ ଦାମରେ କିଣିବାକୁ ହାତଠାରି ଡ଼ାକେ । ତେଣୁ ଓଡ଼ିଆ ବହି ଅପେକ୍ଷା ଓଡ଼ିଆ ଲୋକେ ଯଦି ଏସବୁ ଇଂରାଜି ବହି କିଣୁଥାନ୍ତି, ସେଥିରେ ବିସ୍ମିତ ହେବାର କିଛି ନାହିଁ ।”
ସେ ପୁଣି ଦର୍ଶାଇଛନ୍ତି, “ଗତ ଦଶବର୍ଷ ମଧ୍ୟରେ ପ୍ରକାଶନ ଖର୍ଚ୍ଚ ବହୁଗୁଣିତ ହୋଇଯିବାବେଳେ ସରକାର ଓଡ଼ିଆ ବହି କିଣି ସ୍କୁଲକଲେଜ ପାଠାଗାରକୁ ଯୋଗାଇବା ବନ୍ଦ କରିଦେବା ଏବଂ ଗ୍ରାମ୍ୟ ପାଠାଗାରକୁ ବହି କିଣିବା ପାଇଁ ଅର୍ଥ ବନ୍ଦ କରିଦେବା ଫଳରେ ବର୍ଦ୍ଧିତମୂଲ୍ୟରେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ପାଠକ ବହି କିଣି ପଢ଼ିବାକୁ ସମର୍ଥ ହେଉନାହିଁ ।”
“ଓଡ଼ିଶାରେ ଓଡ଼ିଆ ବହି ପ୍ରକାଶନରେ ଯେଉଁ ସଙ୍କଟ, ବଙ୍ଗଳାରେ ମଧ୍ୟ ବଙ୍ଗଳା ବହି ପ୍ରକାଶନ ଅନୁରୂପ ସଙ୍କଟରେ ସମ୍ମୁଖୀନ । ବଙ୍ଗଳାଭାଷାରେ ସୁଲଭ ମୂଲ୍ୟରେ ସାହିତ୍ୟ ପୁସ୍ତକ ପ୍ରକାଶନ ପାଇଁ ବଙ୍ଗଳା ଭାଷାରେ ସର୍ବାଧିକ ପ୍ରସାରିତ ଦୈନିକ ସମ୍ୱାଦପତ୍ର ‘ଆନନ୍ଦ ବଜାର ପତ୍ରିକା’ ପ୍ରତିଷ୍ଠା କରିଛି ‘ଆନନ୍ଦ ପବ୍ଳିଶର୍ସ’ । ସତ୍ୟଜିତ ରାୟଙ୍କଠାରୁ ଆରମ୍ଭ କରି ସୁନୀଲ ଗଙ୍ଗୋପାଧ୍ୟୟଙ୍କ ପର୍ଯ୍ୟନ୍ତ ଶରତ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ସୁକୁମାର ସେନଙ୍କ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ସଂକଳନ, ପ୍ରତି ସଂସ୍କରଣରେ ପାଞ୍ଚ ହଜାରରୁ ପଚ଼ାଶ ହଜାର କପି ଛାପିବା ଫଳରେ ସୁଲଭ ମୂଲ୍ୟରେ ବଙ୍ଗଳା ବହି ବଙ୍ଗ ଓ ବାଂଲାଦେଶ ପାଠକମାନଙ୍କ ପାଖରେ ପହଞ୍ଚାଯାଇ ପାରୁଛି । ‘ଆନନ୍ଦ ବଜାର ପତ୍ରିକା’ ଏବଂ ପାକ୍ଷିକ ‘ଦେଶ’ ପତ୍ରିକାରେ ପୁସ୍ତକର ବିଜ୍ଞାପନଦ୍ୱାରା ପୁସ୍ତକର ପ୍ରଚ଼ାର ସହଜ ହୋଇଯାଉଛି ।”
ଓଡ଼ିଆ ପ୍ରକାଶନ ଶିଳ୍ପ ସହ ସଂପୃକ୍ତ ଡ଼କ୍ଟର ପଟ୍ଟନାୟକଙ୍କ ଉଦ୍ଧୃତିଗୁଡ଼ିକୁ ଅନୁଶୀଳନ କଲେ ପାଞ୍ଚ ଗୋଟି ନିଷ୍କର୍ଷରେ ଆମେ ଉପନୀତ ହେବା: (୧) ପୁସ୍ତକ ପ୍ରକାଶନ ବ୍ୟୟବହୁଳ ହେବା ଯାଗୁଁ ଓଡିଆ ପ୍ରକାଶନ ଶିଳ୍ପ ସଂକୁଚିତ ହୋଇଛି, (୨) ନୂତନ ଲେଖକମାନେ ଆତ୍ମପ୍ରକାଶନକେନ୍ଦ୍ରୀକ ପରିଧିରେ ଆବଦ୍ଧ ହୋଇପଡୁଥିବାହେତୁ ପୁସ୍ତକ ବଜାରର ଅଧଃପତନ ଘଟୁଛି (୩) ଚ଼ାଉଳ, ସ୍କୁଲପିଲାଙ୍କ ପୋଷାକଠାରୁ ଆରମ୍ଭକରି ଶବଦାହ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସରକାରୀ ସାହାଯ୍ୟ ମିଳୁଥିବାବେଳେ ସରକାରୀ ଅର୍ଥରେ ପୁସ୍ତକକ୍ରୟ ବନ୍ଦ ହୋଇଯିବା ପ୍ରକାଶନ ଶିଳ୍ପରେ ମନ୍ଦାବସ୍ଥାକୁ ଉତ୍କଟ କରୁଛି, (୪) ଇଂଲିଶ ପୁସ୍ତକ ବଜାରରେ ବିଷୟବିନ୍ୟାସରେ ବିବିଧତା ତଥା ହାତପାଆନ୍ତାରେ ଉପଲବ୍ଧତା ପାଠକଗୋଷ୍ଠୀଙ୍କୁ ଓଡ଼ିଆରୁ ଦୂରେଇ ନେଉଛି ଏବଂ (୫) ‘ସମ୍ୱାଦ’ ଓ ‘ସମାଜ’ ଭଳି ସମ୍ୱାଦପତ୍ର ପ୍ରକାଶନ ସଂସ୍ଥା ସୁଲଭମୂଲ୍ୟରେ ଭିନ୍ନଭିନ୍ନ ବିଷୟରେ ପୁସ୍ତକ ପ୍ରକାଶନ ଓ ବିତରଣରେ ମନୋନିବେଶ କଲେ ସ୍ଥିତାବସ୍ଥାରେ ଉନ୍ନତି ସମ୍ଭବପର ।
ଓଡ଼ିଆ ସାହିତ୍ୟ ମୁଦ୍ରିତ ପୁସ୍ତକ ପ୍ରକାଶନ ଶିଳ୍ପର ପୁନରୁଦ୍ଧାର ଲାଗି ଡ଼କ୍ଟର ପଟ୍ଟନାୟକଙ୍କ ଦୃଷ୍ଟିକୋଣ ଯୁକ୍ତିଯୁକ୍ତ ମନେହୁଏ । ତେବେ ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱବ୍ୟାପୀ କମ୍ପ୍ୟୁଟରଭିତ୍ତିକ ଇ-ବୁକର ପ୍ରସାର ଅବସରରେ ଓଡ଼ିଆ ଭଳି ସୀମିତ ପାଠକ ସମୃଦ୍ଧ ଭାଷାରେ ପୁସ୍ତକ ପ୍ରକାଶନ, ବିତରଣ ଓ ପଠନ ନିମନ୍ତେ ଇ-ବୁକ ବିକଳ୍ପ ସମାଧାନ ଆଣି ଦେଇପାରେ ବୋଲି ବିଚ଼ାର କରିବା ଅସମଚ଼ୀନ ନୁହେଁ । ଇଣ୍ଟରନେଟ କନେକ୍ଟିଭିଟି ଓ ସ୍ମାର୍ଟଫୋନ ବ୍ୟବହାର ପ୍ରସାର ତଥା ଉପଭୋକ୍ତାମାନେ ଦୈନିକ ୩ ରୁ ୪ ଘଣ୍ଟାଧରି ଫୋନ ପରଦାରେ ଦୃଷ୍ଟି ଆବଦ୍ଧ ରହୁଥିବା ଅବସରରେ ସେଥିରେ ସାହିତ୍ୟ ପୁସ୍ତକ ପଠନ ଲୋକପ୍ରିୟ ହୋଇପାରିବ କି ସମୟ କହିବ ।
ଡ଼କ୍ଟର ପଟ୍ଟନାୟକଙ୍କ ଦ୍ୱାରା ଆଲୋଚ଼ିତ ବଙ୍ଗଳା ‘ଆନନ୍ଦ ବଜାର ପତ୍ରିକା’ର ପ୍ରକାଶକ ଅଭୀକ ସରକାରଙ୍କ କନ୍ୟା ଚ଼ିକୁ ସରକାର ୨୦୧୬ରୁ ‘ଜାଗୁଆର’ ନାମକ ଏକ ଇ-ବୁକ ପ୍ରକାଶନ ସଂସ୍ଥା ଆରମ୍ଭ କରିଛନ୍ତି । ଏଥିରେ ମୁଖ୍ୟତଃ ଇଂଲିଶ ପୁସ୍ତକ ପ୍ରକାଶିତ ହୋଇଥାଏ । ସମସାମୟିକ ଘଟଣାକ୍ରମ ସଂପର୍କୀତ ନନ୍-ଫିକସନ ସାଙ୍ଗକୁ ଫିକସନ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ । ତେବେ ଏଯାଏଁ ‘ଜାଗୁଆର’ର ଆପ-ଭିତ୍ତିକ ଇ-ବୁକ ପାଠକ ମହଲରେ ଲୋକପ୍ରିୟ ହୋଇପାରି ନାହିଁ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଇ-ବୁକ ପ୍ରକାଶନ ପ୍ରସ୍ତାବ ଅନ୍ତତଃ ବର୍ତ୍ତମାନ ପାଇଁ ସମୟଉପଯୋଗୀ ମନେ ହୋଇ ନପାରେ ।
ମୁଦ୍ରିତ ପୁସ୍ତକ ସ୍ଥାନରେ ଆନ୍ତର୍ଜାତିକସ୍ତରରେ କେତେକ ବିକଶିତ ବଜାରରେ ଅର୍ଡର-ଟୁ-ପ୍ରିଣ୍ଟ ପଦ୍ଧତି ମଧ୍ୟ ପ୍ରଚଳିତ ହେଉଥିବା ଦେଖିବାକୁ ମିଳେ । ତେବେ ଏହି ଡ଼ିଜିଟାଲ କାରିଗରୀ କୌଶଳ ଉପଯୋଗରେ ପ୍ରସ୍ତୁତ ପୁସ୍ତକର ମୂଲ୍ୟ ଅଧିକ ହୋଇଥାଏ । ପୁସ୍ତକର ପାଠ୍ୟ ଓ ପ୍ରଚ୍ଛଦ ଡ଼ିଜିଟାଲ ରୂପରେ ଗଚ୍ଛିତ ରହିଥାଏ ଏବଂ ଗ୍ରାହକଙ୍କ ବରାଦ ଅନୁଯାୟୀ ଖଣ୍ଡିଏ ପୁସ୍ତକ ଦୁଇଘଣ୍ଟା ମଧ୍ୟରେ ମୁଦ୍ରଣ ଓ ବନ୍ଧେଇ କରାଯାଇପାରେ । ତେବେ ଆମଦେଶରେ ଅର୍ଡ଼ର-ଟୁ-ପ୍ରିଣ୍ଟ ‘ପୋଥି’ ଭଳି ସଂସ୍ଥାଦ୍ୱାରା ୨୦୦ ପୃଷ୍ଠାର ପୁସ୍ତକ ପିଛା ପ୍ରାୟ ୨୫୦ ଟଙ୍କା ଖର୍ଚ୍ଚ ଅଟକଳ କରାଯାଉଥିବା ହେତୁ ଓଡ଼ିଆ ସାହିତ୍ୟ ପୁସ୍ତକ ନିମନ୍ତେ ଏହାକୁ ସୁଲଭ ମୂଲ୍ୟରୂପେ ବର୍ଗୀକୃତ କରାଯାଇ ନପାରେ ।
ଡ଼କ୍ଟର ପଟ୍ଟନାୟକଙ୍କ ବର୍ଣ୍ଣିତ କୌଣସି ପ୍ରତିଷ୍ଠିତ ସମ୍ୱାଦପତ୍ର ସଂସ୍ଥା, କେବଳ ‘ସମ୍ୱାଦ’ ବା ‘ସମାଜ’ କାହିଁକି ‘ସର୍ବସାଧାରଣ’ ବା ‘ନିତିଦିନ’ ଦ୍ୱାରା ମଧ୍ୟ ନିଉଜପ୍ରିଣ୍ଟ କାଗଜରେ କଲର ହାର୍ଡ଼କଭର ସହ ପେରଫେକ୍ଟ ବାଇଣ୍ଡିଂରେ ଯଦି ୨୦୦ ପୃଷ୍ଠାର ପୁସ୍ତକ ୧୦୦ ଟଙ୍କାରେ ପାଠକ ହାତପାଆନ୍ତାରେ ପହୁଞ୍ଚାଇଦେବା ବ୍ୟବସ୍ଥା ବ୍ୟାବସାୟୀକଭିତ୍ତିରେ ଇଣ୍ଟରନେଟ ମଞ୍ଚରେ ଇ-କମର୍ସ ଷ୍ଟାର୍ଟଅପ ଭାବେ ଆରମ୍ଭ କରାଯାଇପାରେ ତେବେ ଓଡ଼ିଆ ସାହିତ୍ୟ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ପୁନର୍ଜାଗରଣ ସମ୍ଭବପର ବୋଲି କୁହାଯାଇପାରେ ।
