ମୁଦ୍ରିତ ଓଡ଼ିଆ ପୁସ୍ତକ ଅନ-ଲାଇନ ବ୍ୟବସାୟ ନିମନ୍ତେ ୨୦୧୮ ଶେଷ ସୁଦ୍ଧା ବ୍ୟାପକ ସୁବିଧାସୁଯୋଗ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇପାରେ । ଭାରତରେ ଇ-କମର୍ସ କ୍ରମଶଃ ଜୋର ଧରୁଥିବା ତଥା ଛୋଟ ସହର ଓ ଗ୍ରାମାଞ୍ଚଳରେ ଲୋକପ୍ରିୟତା ହାସଲ କରୁଥିବା ପ୍ରେକ୍ଷାପଟ୍ଟ ଓଡ଼ିଶାରେ ମଧ୍ୟ ପ୍ରତିବିମ୍ୱିତ ହେବାରେ ଲାଗିଛି । ଫଳତଃ ଅନ୍ୟାନ୍ୟ ମନୋହରି ସାମଗ୍ରୀ ସହ ମୁଦ୍ରିତ ଓଡ଼ିଆ ପୁସ୍ତକ ବିକ୍ରିବଟା ପାଇଁ ବିକଳ୍ପ ରାସ୍ତା ଉନ୍ମୁକ୍ତ ହୋଇପାରିଛି ।
ଆଧୁନିକ ଓଡ଼ିଆ ସାମାଜିକ ଜୀବନ ମୁଦ୍ରିତ ପୁସ୍ତକ ପ୍ରକାଶନକୁ କେନ୍ଦ୍ରକରି ଗଢ଼ି ଉଠିଥିଲେ ହେଁ ଦେଢ଼ ଶହ ବର୍ଷ ଧରି ଓଡ଼ିଆ ପୁସ୍ତକ ପ୍ରକାଶନ ବ୍ୟବସାୟ ପଡ଼ୋଶୀ ଭାଷାଗୁଡ଼ିକ ତୁଳନାରେ ପଛରେ ପଡ଼ିରହିଛି । ଊନବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧରେ ନଅଙ୍କ ଦୁର୍ଭିକ୍ଷରେ ଏକ ତୃତୀୟାଂଶ ଓଡ଼ିଆ ଭାଷାଭାଷୀ ଅକାଳ ମୃତ୍ୟୁମୁଖରେ ପଡ଼ିବାପରେ ଇଂଲିଶ ପ୍ରଶାସନ ଶିକ୍ଷାର ପ୍ରସାର ନିମନ୍ତେ ବିଦ୍ୟାଳୟ ସ୍ଥାପନ ଆରମ୍ଭ କରିଥିଲେ । ସେହି ଅବସରରେ ମୁଦ୍ରିତ ଓଡ଼ିଆ ପୁସ୍ତକ ପ୍ରକାଶନ ଶିଳ୍ପର ଅୟମାରମ୍ଭ ଘଟିଥିଲା ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ନବସ୍ଥାପିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ଅଣ-ଓଡ଼ିଆ ଶିକ୍ଷକମାନେ ମୁଦ୍ରିତ ଓଡ଼ିଆ ପାଠ୍ୟପୁସ୍ତକ ଅଭାବକୁ କେନ୍ଦ୍ରରି ପଡ଼ୋଶୀ ଭାଷାଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ଏହି ବିପଦର ମୁକାବିଲା କରିବା ନିମନ୍ତେ କେତେକ ପ୍ରାତଃସ୍ମରଣୀୟ ପ୍ରତିଭା ଓଡ଼ିଶାରେ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନରେମନୋନିବେଶକରି ସମ୍ଭବ୍ୟ ବିପଦକୁ ଏଡ଼ାଇଥିଲେ । ସେମାନଙ୍କ ଅବଦାନରୁ ହିଁ ଏକବିଂଶ ଶତାଦ୍ଦୀରେ ସାମାଜିକ, ରାଜନୀତିକ, ଅର୍ଥନୀତିକ ତଥା ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶାବାସୀ ସ୍ୱତନ୍ତ୍ରତା ଜାହିର କରିପାରୁଛନ୍ତି ।
ମୁଦ୍ରିତ-ଓଡ଼ିଆ ପାଠ୍ୟପୁସ୍ତକ ଅଭାବରେ ସୃଷ୍ଟ ‘ଓଡ଼ିଆ ବିଲୋପ ଆନ୍ଦୋଳନ’ ବିରୋଧରେ ଓଡ଼ିଆ ଭାଷାଭାଷୀଙ୍କ ଏକତ୍ରୀକରଣ ତଥା ସ୍ୱତନ୍ତ୍ର ରାଜ୍ୟ ଗଠନ ଲାଗି ପ୍ରଚ଼େଷ୍ଟା ଆରମ୍ଭ ହୋଇଥିଲା । ତେବେ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାପରେ ଓଡ଼ିଆ ଭାଷାର ପ୍ରଚ଼ାର ପ୍ରସାର ତଥା ପୁସ୍ତକ ପ୍ରକାଶନ ଶିଳ୍ପକୁ ସୁଦୃଢ଼ କରିବା ନିମନ୍ତେ ବିଧିବଦ୍ଧ ଉଦ୍ୟମର ଅଭାବ ଲାଗି ରହିଲା । ସ୍ୱାଧୀନୋତ୍ତର ଅବସ୍ଥାରେ ରାଜ୍ୟରେ ବହୁ ସଂଖ୍ୟକ ବିଦ୍ୟାଳୟ ସ୍ଥାପନ ଅବସରରେ ପାଠ୍ୟପୁସ୍ତକର ଚ଼ାହିଦା ପୂରଣ କରିବା ନିମନ୍ତେ କିଛି କାଳ ପ୍ରକାଶନ ଶିଳ୍ପରେ ଘରୋଇ ଉଦ୍ୟୋଗ ତତ୍ପର ହୋଇଥିଲା । ତେବେ ଷଷ୍ଠ ଦଶକ ମଧ୍ୟଭାଗରୁ ପର୍ଯ୍ୟାୟକ୍ରମେ ପ୍ରାଥମିକ ଓ ମାଧ୍ୟମିକସ୍ତରର ପାଠ୍ୟପୁସ୍ତକ ପ୍ରକାଶନଭାର ସରକାର ଗ୍ରହଣ କରିବାପରେ ଓଡ଼ିଆ ମୁଦ୍ରିତ ପୁସ୍ତକ ପ୍ରକାଶନ ଶିଳ୍ପରେ ମାନ୍ଦା ଅବସ୍ଥା ସୃଷ୍ଟି ହେଲା ଏବଂ ବର୍ତ୍ତମାନ ଯାଏଁ ବଳବତ୍ତର ରହିଛି ।
ମୁଦ୍ରିତ ଓଡ଼ିଆ ପୁସ୍ତକ ପ୍ରସାରଣ ସଂଖ୍ୟା କମ । ଅନ୍ୟାନ୍ୟ କାରଣ ମଧ୍ୟରେ ପୁସ୍ତକ ବିକ୍ରୟ ନିମନ୍ତେ ଉପଯୁକ୍ତ ପରିବେଶ ଓ ଦୋକାନ ଅଭାବ ଅନ୍ୟତମ । ଓଡ଼ିଶା ଗ୍ରାମବହୁଳ ହୋଇଥିବା ସ୍ଥଳେ ଗ୍ରାମାଞ୍ଚଳରେ ପୁସ୍ତକ ଦୋକାନ ଦୁର୍ଲଭ । ସହରାଞ୍ଚଳରେ ସାଧାରଣତଃ ପାଠ୍ୟପୁସ୍ତକ ଓ ପାଠ୍ୟ ଉପକରଣ ଦୋକାନ ଗୁଡ଼ିକରେ ପୁସ୍ତକ ବିକ୍ରୀ ହେଉଥିବା ହେତୁ ଆଗ୍ରହୀ କ୍ରେତା ରୁଚ଼ି ଅନୁଯାୟୀ ପୁସ୍ତକ ନିର୍ବାଚ଼ନର ସୁଯୋଗ ପାଇପାରେ ନାହିଁ । ଖଣ୍ଡିଏ ପୁସ୍ତକ କିଣିବା ନିମନ୍ତେ ଆଗରୁ ସ୍ଥିରକରି ଆସିଥିଲେ ହେଁ ଦୋକାନରୁ ପୁସ୍ତକଖଣ୍ଡେ କିଣି ହୁଏ ।
ଗତ ଶତାଦ୍ଦୀର ଅଷ୍ଟମ ଦଶକରୁ ତିନି ଦଶନ୍ଧିଧରି ରାଜ୍ୟରେ ପୁସ୍ତକ ମେଳା ଆୟୋଜନ ମୁଦ୍ରିତ ଓଡ଼ିଆ ପୁସ୍ତକ ବିକ୍ରିବଟା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟିରେ ସମର୍ଥ ହୋଇଛି । ତେବେ ପୁସ୍ତକ ମେଳା ସୀମିତ ଅଞ୍ଚଳରେ ଆୟୋଜିତ ହେଉଥିବା ହେତୁ ଏହାର ପ୍ରଭାବ ମଧ୍ୟ ସୀମିତ । ପୁନଶ୍ଚ ଏଗୁଡ଼ିକ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ସଂଗଠିତ ହେଉଥିବା କାରଣରୁ ଅନେକ କ୍ଷେତ୍ରରେ ଅନିୟମିତ ଓ କ୍ଷଣସ୍ଥାୟୀ ।
ଉପଭୋକ୍ତା କୌଣସି ଜିନିଷ ଖରିଦ କରିବା ଅବସରରେ ଉପଲବ୍ଧ ସାମଗ୍ରୀ ମଧ୍ୟରୁ ନିଜ ମନପସନ୍ଦର ଚିଜଟିଏ ଖୋଜିବାହାର କରିବା ତଥା ନିର୍ବାଚ଼ିତ ପଦର୍ଥଟିକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ସ୍ୱାଭାବିକ । ମୁଦ୍ରିତ ପୁସ୍ତକ କ୍ଷେତ୍ରରେ ବଡ଼ ସହରଗୁଡ଼ିକରେ ବ୍ୟବସାୟରତ ପୁସ୍ତକ ବିପ୍ପଣୀ କିମ୍ୱା ଏଠାକାର ପୁସ୍ତକ ମେଳାଗୁଡ଼ିକ ସେଭଳି ସୁଯୋଗ ସୃଷ୍ଟି କରିଥାନ୍ତି । ତେବେ ଏହି ଦୁଇ ଶ୍ରେଣୀର ସୁବିଧା ଅଭାବକୁ ପୂରଣ କରିବା ନିମନ୍ତେ ଅନ୍-ଲାଇନ ପୁସ୍ତକ ବ୍ୟବସାୟ ସୁଯୋଗ ସୃଷ୍ଟି କରିଛି ।
ବିଶ୍ୱବ୍ୟାପୀ ମୁଦ୍ରିତ ପୁସ୍ତକ ବିକ୍ରୀ ଅନ୍-ଲାଇନ ଧାରାକୁ ପ୍ରବର୍ତ୍ତିତ ହେବାରେ ଲାଗିଛି। ଆମ ଦେଶରେ ଅନ-ଲାଇନ ବ୍ୟବସାୟରେ ଅଗ୍ରଣୀ ଫ୍ଳିପକାର୍ଟ ମୁଖ୍ୟତଃ ଏକ ପୁସ୍ତକ ବିକ୍ରେତା ରୂପେ କାରବାର ଆରମ୍ଭ କରିଥିଲା । ଅନ୍ୟତମ ପ୍ରତିଦ୍ୱନ୍ଦୀ ଆନ୍ତର୍ଜାତିକ ଆମେଜନ ମଧ୍ୟ ପୁସ୍ତକ ବିକ୍ରୀକୁ ମୂଳରୁ ପ୍ରାଧାନ୍ୟ ଦେଇ ଆସିଛି । ଓଡ଼ିଶାରେ ଇଣ୍ଟରନେଟ ସଂଯୁକ୍ତି ଓ ବ୍ୟବହାର କ୍ରମଶଃ ବୃଦ୍ଧି ପାଇ ଚ଼ାଲିଛି । ଏହି ସୁଯୋଗ ସୁବିଧାକୁ ପୁଞ୍ଜିକରି ଜାତୀୟସ୍ତରର ଅନ୍-ଲାଇନ ବ୍ୟବସାୟୀମାନେ ରାଜ୍ୟରେ କାରବାରଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ।
ଉଦାହରଣରେ ଆମେଜନ ପକ୍ଷରୁ ୨୦୧୮ ଶେଷ ଭାଗରେ ଓଡ଼ିଶାରୁ ୨,୩୦୦ ସ୍ଥାନୀୟ ବିକ୍ରେତାଙ୍କୁ ନିଜ ମଞ୍ଚରେ ସାମିଲ କରିପାରିଛି । ଏମାନେ ମୁଖ୍ୟତଃ ହସ୍ତଶିଳ୍ପ, ମନୋହରି ସାମଗ୍ରୀ, ଗୃହୋପକରଣ ଓ ମୋବାଇଲ ଫୋନ ବିକ୍ରେତା । ଗ୍ରାହକଙ୍କ ନିକଟରେ କ୍ରୟ ସାମଗ୍ରୀ ଯୋଗାଣ ନିମନ୍ତେ ରାଜ୍ୟରେ ପୂର୍ବରୁ ୧୦ ଗୋଟି କେନ୍ଦ୍ର ‘ହବ’ ଥିବାବେଳେ ତାହାକୁ ୨୦କୁ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ କେତେକ ମୁଦ୍ରିତ ଓଡ଼ିଆ ପୁସ୍ତକ ପ୍ରକାଶକ ଓ ବିକ୍ରେତା ମଧ୍ୟ ଆମେଜନ ମଞ୍ଚରେ ଉପସ୍ଥିତ ଥିବା ଆନନ୍ଦର ବିଷୟ ।
ମୁଦ୍ରିତ ଓଡ଼ିଆ ପୁସ୍ତକ ବିକ୍ରୀ ଅନ-ଲାଇନ ବ୍ୟବସାୟରେ ସଫଳତା ହାସଲ କରିବା ନିମନ୍ତେ ପୁସ୍ତକ ପ୍ରଯୋଜନାରେ କେତେଗୋଟି ପରିବର୍ତ୍ତନ ପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ । ପ୍ରଥମତଃ ଏହି ନୂତନ ବ୍ୟାବସାୟିକ ପରିବେଶ ବହୁଳ ସଂଖ୍ୟକ ବିକ୍ରୀ ଆଧାରିତ ହୋଇଥିବା ହେତୁ ସଂଖ୍ୟାଧିକ ଓଡ଼ିଆ ପାଠକ କିଭଳି ପୁସ୍ତକ ପଠନ ପ୍ରତି ଆଗ୍ରହୀ ହେବେ ସେଭଳି ବିଷୟ ନିର୍ବାଚ଼ନ ନିମନ୍ତେ ଲେଖକ ଓ ପ୍ରକାଶକମାନେ ଯତ୍ନଶୀଳ ହେବା ଉଚ଼ିତ ।ଉଦାହରଣରେ ଓଡ଼ିଶାର ଅନ୍ୟତମ ଦୀର୍ଘକାଳ ପଦାସୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ରାଜ୍ୟବାସୀ ଉତ୍ସୁକତା ପ୍ରକାଶ କରିବା ସ୍ୱାଭାବିକ । ତେବେ ଦୁଇ ଦଶନ୍ଧିଧରି ତାଙ୍କରି ସଂପର୍କରେ ଆମେ ପୁସ୍ତକଟିଏ ପ୍ରସ୍ତୁତ କରିପାରିଲୁ ନାହିଁ । ଜଣେ ଅଣଓଡ଼ିଆ ଇଂଲିଶ ଭାଷାରେ ପ୍ରଥମ ପୁସ୍ତକ ଲେଖିଲେ ।ନିକଟ ଅତୀତରେ ତାହା ଓଡ଼ିଆମାନଙ୍କ ମଧ୍ୟରେ ସର୍ବାଧିକ ପଠିତ ପୁସ୍ତକ ।ପାଠକୀୟ ଆଗ୍ରହକୁ ଆମେ ହତାଦର କରୁଥିବା ଉପରୋକ୍ତଘଟଣାରୁ ସୁସ୍ୱଷ୍ଟ ।
ଏଭଳି ଆଲୋଚ଼ନା ଆରମ୍ଭ ହେଉ ହେଉ କେତେକ ପ୍ରତିବାଦ କରିବେ ପାଠକୀୟରୁଚି ଅନୁଯାୟୀ ବିଷୟ ନିର୍ବାଚ଼ନଦ୍ୱାରା ସର୍ଜନଶୀଳତା ବାଧାପ୍ରାପ୍ତ ହେବ । ଠିକ କଥା । ଯେଉଁମାନେ ସର୍ଜନଶୀଳ ସେମାନେ ମୌଳିକ ରଚ଼ନାରେ ମନୋନିବେଶ କରନ୍ତୁ । କିନ୍ତୁ ଓଡ଼ିଆ ପୁସ୍ତକ ପ୍ରକାଶନକୁ ବ୍ୟାପକ କରିବା ତଥା ଅଧିକ ସଂଖ୍ୟକ ପାଠକ ସୃଷ୍ଟି କରିବାରେ କୌଣସି ଉଦ୍ୟମ କ’ଣ ତାଙ୍କରି ସର୍ଜନଶୀଳତାରେ ଅନ୍ତରାୟ ସୃଷ୍ଟି କରିବ କି ? ପରୋକ୍ଷରେ ଅଧିକ ସାଧାରଣ ପାଠକ ସୃଷ୍ଟି ହେଲେ ସେମାନେ ଉଚ୍ଚାଙ୍ଗ ସାହିତ୍ୟପ୍ରତି ଆଗ୍ରହୀ ହେବା ସମ୍ଭାବନା ରହିଛି ।
ଦ୍ୱିତୀୟତଃ ପାରମ୍ପରିକଭାବେ ଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଓଡ଼ିଆ ପୁସ୍ତକଟିଏ ପ୍ରକାଶନ କାଳରେ ପାଠାଗାର ନିମନ୍ତେ ପାଇକାରୀ ବିକ୍ରୀ ‘ବଲକ ସେଲ’ ପ୍ରତି ଧ୍ୟାନ ଦିଆଯାଇ ଚ଼ଢ଼ା ମୂଲ୍ୟ ନିର୍ଦ୍ଧାରିତ ହୋଇଆସିଛି । କାରଣ ଖୁଚୁରା ବିକ୍ରୀ ‘ରିଟେଲ ସେଲ’ ନିମନ୍ତେ ଭିତ୍ତିଭୂମିର ଅଭାବ ରହି ଆସିଥିଲା । ତେବେ ବର୍ତ୍ତମାନ ଅନ-ଲାଇନରେ ମୁଦ୍ରିତ ପୁସ୍ତକ ସାଧାରଣ ପାଠକଙ୍କ ମଧ୍ୟରେ ବିକ୍ରୀ ନିମନ୍ତେ ଖୁଚୁରା ଉପଯୋଗୀ ମୂଲ୍ୟରେ ଉପଲବ୍ଧ ହେବା ଆବଶ୍ୟକ । ଉଦାହରଣରେ ୧୮୦ ରୁ ୨୨୦ ପୃଷ୍ଠାର ମଲାଟ ବନ୍ଧେଇ ‘ପେପରବ୍ୟାକ’ ୧୦୦ ଟଙ୍କା ନିର୍ଦ୍ଧାରିତ ହେଲେ ବ୍ୟବସାୟ ଉପଯୋଗୀ ହେବା ବିଚ଼ାର କରାଯାଇପାରେ ।
ତୃତୀୟତଃ ଓଡ଼ିଆ ପୁସ୍ତକ ପ୍ରକାଶନ ଅବସରରେ ସେଗୁଡ଼ିକର ପ୍ରଚ଼ାର ନିମନ୍ତେ ଉଦ୍ୟମର ଅଭାବ ଅନୁଭୂତ ହୁଏ ।ଓଡ଼ିଆରେ ଏତେ ଦୈନିକ ସମ୍ୱାଦପତ୍ର, ଏତେ ଟେଲିଭିଜନ ଚ଼୍ୟାନେଲ ଓ ଏତେ ସୋସିଆଲ ମିଡ଼ିଆ ଉପଭୋକ୍ତା ଉପଲବ୍ଧ ।ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାଠ୍ୟ ‘କଣ୍ଟେଣ୍ଟ’ ଅଭାବ ।ଏହାର ସୁଯୋଗ ନେଇ ପ୍ରତ୍ୟେକ ପ୍ରକାଶିତ ପୁସ୍ତକ ସଂପର୍କରେ ଉଭୟ ଲେଖକ ଓ ପ୍ରକାଶକଙ୍କ ଉଦ୍ୟମରେ ପୁସ୍ତକର ବିଷୟବସ୍ତୁ ଓ ଉଦ୍ଧୃତାଂଶ ‘ଏକ୍ସଟ୍ରାଷ୍ଟସ’ ତଥା ସମୀକ୍ଷା ପ୍ରଚ଼ାରିତ ହେଲେ ପୁସ୍ତକଗୁଡ଼ିକ ପାଠକ ତଥା ଖରିଦଦାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବ । ଅବଶ୍ୟ ଏଭଳି ପ୍ରଚ଼ାର ଉପଯୋଗ ନିମନ୍ତେ ପୁସ୍ତକର ବିଷୟବସ୍ତୁ ସମସାମୟିକ ପାଠକୀୟ ଆଗ୍ରହକୁ ଚ଼ରିତାର୍ଥ କରୁଥିବା ବିଧେୟ । ଜାତୀୟସ୍ତରରେ ପୁସ୍ତକ ପ୍ରକାଶନ କାଳରେ ପ୍ରଚ଼ାର ପାଇଁ ଭିଡ଼ିଓ ଟ୍ରେଲର ପ୍ରସାରଣ ଧାରା ଆରମ୍ଭ ହୋଇସାରିଥିବାସ୍ଥଳେ ରାଜ୍ୟରେ ପୁସ୍ତକ ଉନ୍ମୋଚ଼ନ ସଭାଟିଏ କରି ଦୈନିକ ସମ୍ୱାଦପତ୍ରରେ ଦୁଇଧାଡ଼ି ଛାପି ଚୁପ ବସିଯିବା ଯୁଗ ସରିଆସିଲାଣି ।
ମୋଟ ଉପରେ ଓଡ଼ିଆ ମୁଦ୍ରିତ ପୁସ୍ତକ ବିକ୍ରୀ ନିମନ୍ତେ ଉପଲବ୍ଧ ପରିବର୍ତ୍ତିତ ପରିବେଶର ଭରପୁର ସୁବିଧାସୁଯୋଗ ଗ୍ରହଣ ଲାଗି ସାହିତ୍ୟ ଅନୁରାଗୀ ମହଲରେ ବ୍ୟାପକ ବିଚ଼ାରବିମର୍ଷ ପ୍ରକୃଷ୍ଟ ବାତାବରଣ ସୃଷ୍ଟିରେ ସହାୟକ ହୋଇପାରିବା ଆଶା କରାଯାଇପାରେ ।
