ଆଜିର ଖାସ ଖବର
Sat. May 30th, 2026

ସମ୍ୱାଦ ମଞ୍ଚ ପାଠକ

By Dainikasha Jul12,2024

‘କୋଭିଡ଼-୧୯’ ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନିଉ-ନରମଲ’ରେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ଲୋକପ୍ରିୟତା ହରାଇ ବସୁଥିବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ଭିନ୍ନ ଭିନ୍ନ ସାମାଜିକ, ଅର୍ଥନୀତିକ ଓ ବୈଷୟିକ ପରିବେଶ ଆଧାରରେ ସମ୍ୱାଦ ମଞ୍ଚଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଅଲଗା ରହୁଥିବା ସ୍ଥଳେ ସାମଗ୍ରୀକଭାବେ କେତେଗୋଟି ମୌଳିକ ଧାରା ଚ଼ିହ୍ନଟ କରାଯାଇପାରେ । ତଥ୍ୟକେନ୍ଦ୍ରୀକ ସ୍ଥିତାବସ୍ଥାର ଗଭୀର ଅନୁଶୀଳନ ଏବଂ ତୁରନ୍ତ ସମାଧାନର ପନ୍ଥା ନିର୍ଦ୍ଧାରଣ ମୁଖ୍ୟତଃ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଜରୁରି ହୋଇପଡ଼ିଛି ।

ପ୍ରଥମତଃ, ସମ୍ୱାଦ ମଞ୍ଚର ପାଠକ ଓ ଗ୍ରାହକଙ୍କ ସଂପର୍କରେ ଆଲୋଚ଼ନା କରାଯାଉ । ବ୍ରିଟେନର ‘ରଏଟର ଇନଷ୍ଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ’ ଆନୁକୂଲ୍ୟରେ ପ୍ରକାଶିତ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୧’ରେ ଦର୍ଶାଯାଇଛି ଯେ ୫୦ ବର୍ଷୋତ୍ତର ଜନସାଧାରଣ ସମ୍ୱାଦ ମଞ୍ଚର ସର୍ବାଧିକ ପାଠକ ଓ ଗ୍ରାହକ । ଭାରତ ସମେତ ୪୬ ଗୋଟି ରାଷ୍ଟ୍ରରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହି ତଥ୍ୟ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚ ନିମନ୍ତେ ପ୍ରଯୁଜ୍ୟ ।

ସାଧାରଣରେ ସମ୍ୱାଦ ପାଠକଙ୍କ ମଧ୍ୟରେ ପ୍ରକାଶକ ଓ ସମ୍ପାଦକମାନେ ୧୫ ରୁ ୩୪ ବର୍ଷ ବୟସ୍କଙ୍କ ସଂଖ୍ୟା ଏକତୃତୀୟାଂଶ ହିସାବ କରିଥାନ୍ତି । ଏମାନେ କ୍ରମଶଃ ସମ୍ୱାଦ ମଞ୍ଚର ସଂଗଠିତ ଅଙ୍ଗିକରୁ ଅପସରି ଯାଇ ସୋସିଆଲ ମିଡ଼ିଆରେ ପ୍ରସାରିତ ସମ୍ୱାଦରେ ସନ୍ତୁଷ୍ଟ ହେଉଥିବା ସୁସ୍ପଷ୍ଟ । ଯୁବବର୍ଗର ପାଠକ ଫେସବୁକ, ହ୍ୱାଟସଆପ, ଟୁଇଟର, ୟୁଟ୍ୟୁବ ଭଳି ମଞ୍ଚରେ ସମ୍ୱାଦ ଆହରଣ ଏବଂ ନିଜ ଘନିଷ୍ଠ ବନ୍ଧୁବର୍ଗଙ୍କ ଗହଣରେ ସମ୍ୱାଦ ଚର୍ଚ୍ଚାକୁ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଏ ।

ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ସୋସିଆଲ ମିଡ଼ିଆ ଧାରା ମହାନଗରୀଠାରୁ ଆରମ୍ଭ କରି ଅଖ୍ୟାତ ପଲ୍ଲୀ ଯାଏଁ ଏକାକାର ହୋଇପଡ଼ିଛି । ସ୍ମାର୍ଟଫୋନ ଓ ମୋବାଇଲ କମ୍ପ୍ୟୁଟିଂ ଡିଭାଇସେସ ବ୍ୟବହାର ଏବଂ ସୋସିଆଲ ମିଡ଼ିଆରେ ଦୀର୍ଘ ସମୟ ଉପସ୍ଥିତି ପରୋକ୍ଷରେ ସମ୍ୱାଦ ମଞ୍ଚଗୁଡ଼ିକର ଆଧିପତ୍ୟ ନ୍ୟୂନ କରିବାରେ ଲାଗିଛି । ଡ଼ିଜିଟାଲ ପରିବେଶରେ ଉପଭୋକ୍ତାମାନେ ଦୈନିକଭିତ୍ତିରେ ଦୀର୍ଘ ସମୟ ଅତିବାହିତ କରୁଥିଲେ ମଧ୍ୟ ସୋସିଆଲ ମିଡ଼ିଆ ତୁଳନାରେ ସମ୍ୱାଦ ମଞ୍ଚରେ କମ ସମୟ ବିନିଯୋଗ କରନ୍ତି ଏବଂ ସୋସିଆଲ ମିଡ଼ିଆରୁ ଲିଙ୍କ ପାଇ ସମ୍ୱାଦମଞ୍ଚରେ ପହଞ୍ଚିଥାନ୍ତି ।

ଅପରପକ୍ଷେ ପ୍ରଶ୍ନ ଉଠେ, ପାରମ୍ପରିକ ସମ୍ୱାଦ ମଞ୍ଚ, ଉଦାହରଣରେ ମୁଦ୍ରିତ ସମ୍ୱାଦପତ୍ରର ପାଠକ ଓ ଗ୍ରାହକଙ୍କ ମଧ୍ୟରେ ଯଦି ୫୦ ବର୍ଷୋତ୍ତରଙ୍କ ସଂଖ୍ୟା ଅଧିକ, ତେବେ ସେମାନଙ୍କ ରୁଚ଼ି ଓ ଆବଶ୍ୟକତାକୁ ସୁହାଇବା ଭଳି ସମ୍ପାଦକୀୟ ନୀତି ଉପଯୋଗ କରାଯାଉଛି କି ? ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ମୁଦ୍ରିତ ସମ୍ୱାଦପତ୍ର ବୟସ୍କ, ଶିକ୍ଷିତ ଓ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବର୍ଗ ପାଠ କରୁଥିବା ତଥା ଗ୍ରାହକଶ୍ରେଣୀଭୁକ୍ତ ହେଉଥିବା ସ୍ଥଳେ ଆମ ସମ୍ୱାଦପତ୍ର ସମାଜର ନବସାକ୍ଷର, ଅର୍ଥନୀତି ଦୃଷ୍ଟିରୁ ଅନଗ୍ରସରଙ୍କ ରୁଚ଼ିକୁ ସୁହାଇଲାଭଳି ସମ୍ୱାଦ ପ୍ରଯୋଜନା ମାନସିକତା ପରିବର୍ତ୍ତନର ସମୟ ଉପନୀତ । ଚାଞ୍ଚଲ୍ୟ, ଗୁଜବ ବଦଳରେ ଗଭୀର ଅନୁଶୀଳନ ଓ ବ୍ୟବହାରଯୋଗ୍ୟ ସମ୍ୱାଦ ପରିବେଷଣ ବୟସ୍କ ସମ୍ୱାଦ ପାଠକମାନଙ୍କୁ ସନ୍ତୁଷ୍ଟ କରିବା ସଙ୍ଗେ ଯୁବବର୍ଗଙ୍କୁ ସୋସିଆଲ ମିଡ଼ିଆର ବିକଳ୍ପ ମଞ୍ଚ ଭାବେ ଆକୃଷ୍ଟ କରିବା ସମ୍ଭବ ।

ଦ୍ୱିତୀୟତଃ, ମୌଳିକ ସମ୍ୱାଦ ପ୍ରଯୋଜନାରେ ଶିଥିଳତା ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଆକର୍ଷଣ ହରାଉଥିବା ଅନ୍ୟତମ କାରଣ ରୂପେ ବିବେଚ଼ନା କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ଡ୍ୟୁକ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୮ରେ ଶହେଗୋଟି ପ୍ରକାଶନସ୍ଥଳୀରେ ଷୋହଳ ହଜାର ଆଞ୍ଚଳିକସ୍ତରୀୟ ସମ୍ୱାଦ ମଞ୍ଚରେ ସମ୍ୱାଦ ତର୍ଜମାରୁ ଜଣାଯାଇଥିଲା ଯେ ପ୍ରକାଶିତ ସମ୍ୱାଦର ମାତ୍ର ୧୭ ପ୍ରତିଶତ ପ୍ରକୃତରେ ଆଞ୍ଚଳିକସ୍ତରରେ ପ୍ରଯୋଜିତ ହୋଇଥାଏ । ପାଶ୍ଚାତ୍ୟ ଭୂଖଣ୍ଡର ଏହି ତଥ୍ୟ ଊଣାଅଧିକେ ସର୍ବତ୍ର ପ୍ରଯୁଜ୍ୟ । ଓଡ଼ିଶା ଉଦାହରଣରେ ପ୍ରାୟ ଦଶ ଗୋଟି ଓଡ଼ିଆ ସମ୍ୱାଦପତ୍ର ବ୍ରହ୍ମପୁରରୁ ଅନ୍ୟୂନ ୧୨ ପୃଷ୍ଠା ବିଶିଷ୍ଟ ଦୈନିକ ସଂସ୍କରଣ ପ୍ରକାଶ କରୁଥିବା ସ୍ଥଳେ ବ୍ରହ୍ମପୁରର ସ୍ଥାନୀୟ ସମ୍ୱାଦ ୧୭ ପ୍ରତିଶତରୁ କମ ସିନା କେବେ ଅଧିକା ନୁହ । ଏଥିମଧ୍ୟରୁ କେତେ ସଂଖ୍ୟକ ସମ୍ୱାଦ ପ୍ରେସରିଲିଜଭିତ୍ତିକ ତାହା ତ ଅନ୍ୟ କଥା ।

ପାରମ୍ପରିକ ସମ୍ୱାଦ ମଞ୍ଚର ଆଞ୍ଚଳିକ ସଂସ୍କରଣଗୁଡ଼ିକରେ ସ୍ଥାନୀୟ ସମ୍ୱାଦ ଖୋଜି ନିରାଶହେବା ପରେ ପାଠକ ସୋସିଆଲ ମିଡ଼ିଆ ମୁହାଁ ହେଉଥିବା ଏକ ବିଶେଷ କାରଣ । ଏକପକ୍ଷରେ ସୋସିଆଲ ମିଡ଼ିଆରେ ଗଭୀର ଆଞ୍ଚଳିକ ‘ହାଇପର ଲୋକାଲ’ସ୍ତରରେ ସମ୍ୱାଦ ବିନିମୟ ହେଉଥିବା ସ୍ଥଳେ ସାଧାରଣ ପାଠକ ନିଜ ପରିଚ଼ିତ ବର୍ଗଙ୍କ ଆଚ଼ରଣ ଓ ଲାଭହାନୀ ସମ୍ୱାଦପ୍ରତି ଅଧିକ ସମ୍ୱେଦନଶୀଳ ।

ତୃତୀୟତଃ, ପରିବର୍ତ୍ତିତ ପରିବେଶରେ ଉଭୟ ପାରମ୍ପରିକ ଓ ଡ଼ିଜିଟାଲ ସମ୍ୱାଦ ମଞ୍ଚର ସଫଳତା ମୁଖ୍ୟତଃ ସମ୍ପାଦକୀୟ ପରାକାଷ୍ଠା ଉପରେ ପର୍ଯ୍ୟବସିତ । ଜାତୀୟସ୍ତରରେ ସମ୍ୱାଦ ମଞ୍ଚଗୁଡ଼ିକ ବୃହତ ବ୍ୟବସାୟ ପରିସରଭୁକ୍ତ ହେତୁ ପୁଞ୍ଜିନିବେଶ ସମ୍ଭବପର ହୋଇଥାଏ । ଏହା ସମ୍ପାଦକୀୟ ଗୁଣବତ୍ତା ବିକାଶରେ ସହାୟକ । ତେବେ ଆଞ୍ଚଳିକସ୍ତରରେ ସମ୍ୱାଦମଞ୍ଚଗୁଡ଼ିକ ନିଜକୁ ବଞ୍ଚାଇ ରଖିବା ନିମନ୍ତେ ଅହରହ ସଂଗ୍ରାମ କରୁଥିବା ହେତୁ ସମ୍ପାଦକୀୟ ନୀତି ପ୍ରଯୋଜନାରେ ସ୍ୱାଧୀନତା କିମ୍ୱା ସ୍ୱଚ୍ଛଳତା ହାସଲ କରିପାରନ୍ତି ନାହିଁ । ପରୋକ୍ଷରେ ପକ୍ଷପାକ୍ଷିକତା କାରଣରୁ ପାଠକୀୟ ବିଶ୍ୱାସ ହରାଇ ବସନ୍ତି ।

ଟେକ୍ସାସ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଶେଷଜ୍ଞଙ୍କ ଅନୁଶୀଳନରେ ସମ୍ୱାଦ ମଞ୍ଚଗୁଡ଼ିକର ପାଠକ ସଂଖ୍ୟା କମି ଆସୁଥିବା ହେତୁ ଉଭୟ ଗ୍ରାହକ ଓ ବିଜ୍ଞାପନ ଆୟ ବ୍ୟବସାୟକୁ ପ୍ରଭାବିତ କରିବାରେ ଲାଗିଛି । ସମ୍ୱାଦମଞ୍ଚରେ ବିଜ୍ଞାପନ ଆୟ ୧୮୦ ବର୍ଷରୁ ଅଧିକ କାଳ ଧରି ବ୍ୟାବସାୟିକ କ୍ଷତି ଭରଣା କରିଚାଲିଥିଲା । ତେବେ ସମ୍ୱାଦ ସହ ବିଜ୍ଞାପନର କୌଣସି ସଂପର୍କ ନାହିଁ । ଏହିଭଳି ସଂଯୋଗ ସଂପୂର୍ଣ୍ଣ ଆକସ୍ମିକ । ବର୍ତ୍ତମାନ ଅନଲାଇନରେ ଯିଏ ସାମଗ୍ରୀ ଖୋଜୁଛି ତା’ ପରଦାରେ ବିଜ୍ଞାପନ ପ୍ରଦର୍ଶିତ ହେଉଛି । ଅର୍ଥାତ ନିର୍ଦ୍ଦିଷ୍ଟ ଦ୍ରବ୍ୟ ବା ସେବାର ଗ୍ରାହକକୁ ପ୍ରଭାବିତ କରିବାଲାଗି ବିଜ୍ଞାପନ ରାସ୍ତା ବଦଳାଇ ସାରିଲାଣି । ଏହି ଧାରାରୁ ବିଚ୍ୟୁତି ଆଶା କରିବା ନିର୍ବୋଧତା ପ୍ରମାଣିତ ହେବ ।

ଆଞ୍ଚଳିକ ସମ୍ୱାଦମଞ୍ଚଗୁଡ଼ିକ ସମ୍ପାଦକୀୟ ଓ ଅର୍ଥନୀତିକ ବିଷଚ଼କ୍ର ‘ଭିସିୟସ ସର୍କଲ’ରୁ ମୁକ୍ତି ପାଇବା ଲାଗି ସୁଚ଼ିନ୍ତିତ, ତଥ୍ୟାଶ୍ରିତ, ବାସ୍ତବାମୁଖୀ, ଯୋଜନାବଦ୍ଧ, ଦୀର୍ଘମିଆଦୀ ଉଦ୍ୟମ କରିବାକୁ ପଡ଼ିବ । ବିଶ୍ୱାସ ରଖିବାକୁ ପଡ଼ିବ ଯେକୌଣସି ଯୋଜନା ନିଷ୍ଠାପରଭାବେ ଲାଗୁକଲେ ଶତପ୍ରତିଶତ ନହେଲେ ସୁଦ୍ଧା ସାମାନ୍ୟରୁ ମଧ୍ୟମ ଧରଣର ସୁଫଳ ପ୍ରତ୍ୟେକ କ୍ଷେତ୍ରରେ ସଂଭବ । ଗଣମାଧ୍ୟମ ବିଶେଷଜ୍ଞମାନେ କହୁଛନ୍ତି ଯେ ଆଞ୍ଚଳିକ ସମ୍ୱାଦ ମଞ୍ଚକୁ ବଞ୍ଚାଇବା ପାଇଁ ପ୍ରକାଶନଗତ ସମସ୍ୟାଗୁଡ଼ିକ ସହଜରେ ସମାଧାନ କରାଯାଇପାରିବ । କିନ୍ତୁ ଉପଭୋକ୍ତା, ଅର୍ଥାତ ପାଠକ, ଶ୍ରୋତା ଓ ଦର୍ଶକ ଯଦି ସମ୍ୱାଦ ମଞ୍ଚରୁ ସମ୍ୱାଦ ଆହରଣରେ ବିମୁଖ ହୋଇପଡୁଛନ୍ତି, ତାହା ସଜାଡିବା ଲାଗି ପ୍ରାଥମିକତା ଦେବାକୁ ପଡ଼ିବ । ପଚାଶ ବର୍ଷ ପୂର୍ବେ ଓଡ଼ିଶାର ବଡ଼ ସହରରେ ‘ଫାଷ୍ଟ-ଡ଼େ-ଫାଷ୍ଟ-ସୋ’ ସିନେମା ଟିକଟ ଖଣ୍ଡେ ପାଇଁ ରକ୍ତାକ୍ତ ସଂଘର୍ଷ ଉଦାହରଣର ଅଭାବ ନଥିବା ସ୍ଥଳେ ଆଜି ଚଳଚ଼ିତ୍ର ପ୍ରେକ୍ଷାଳୟ ଖୋଲିବା ପାଇଁ ସାହସ ଯୁଟୁ ନାହିଁ । ଏଥିରୁ ସମ୍ୱାଦ ମଞ୍ଚଗୁଡ଼ିକର ଶିଖିବାର ନାହିଁ କି ?

Related Post