ଆଜିର ଖାସ ଖବର
Sat. May 30th, 2026

ରାଜନୀତିକ-ପକ୍ଷଭୁକ୍ତ ସାମ୍ୱାଦିକତା

By Dainikasha Jul12,2024

ରାଜନୀତିକ ପକ୍ଷଭୁକ୍ତ ସାମ୍ୱାଦିକତା ଉପଭୋକ୍ତାଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ହୋଇ ନଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ଖ୍ୟାତନାମା ଗବେଷଣାକେନ୍ଦ୍ରୀକ ବେସରକାରୀ ସଂଗଠନ ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ୨୦୧୮ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱବ୍ୟାପୀତିନିଚ଼ତୁର୍ଥାଂଶ ଜନସାଧାରଣ ରାଜନୀତିକ ପକ୍ଷଭୁକ୍ତ ସାମ୍ୱାଦିକତାକୁ ବିରୋଧ କରିଥାନ୍ତି । ଆନ୍ତର୍ଜାତିକସ୍ତରରେ ୩୮ ଗୋଟି ରାଷ୍ଟ୍ରରେ ଆୟୋଜିତ ଏହାର ସର୍ବେକ୍ଷଣରେ ଭାରତ ମଧ୍ୟ ସାମିଲ ହୋଇଥିଲା ।

ସାମ୍ୱାଦିକତା କ୍ଷେତ୍ରରେ କୌଣସି ପ୍ରକାଶନ ବା ପ୍ରସାରଣ ଦ୍ୱାରା ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ସମର୍ଥନ ୟୁରୋପୀୟ ରାଷ୍ଟ୍ରପୁଞ୍ଜରେ ସର୍ବାଧିକ ବିରୋଧ କରାଯାଇଥାଏ । ଉଦାହରଣରେ ସ୍ପେନରେ ୮୯ ପ୍ରତିଶତ ଓ ଗ୍ରୀସରେ ୮୮ ପ୍ରତିଶତ ଲୋକ ପକ୍ଷପାତିତାକୁ ନାପସନ୍ଦ କରିଥାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୭୮ ପ୍ରତିଶତ ଉପଭୋକ୍ତା ରାଜନୀତିକ ପକ୍ଷଭୁକ୍ତ ସାଂବାଦିକତା ବିରୋଧୀ ।

ଆଲୋଚ୍ୟ ଅଧ୍ୟୟନରୁ ଜଣାଯାଇଛି ଯେ ଗଣମାଧ୍ୟମର ବିଭିନ୍ନ ମଞ୍ଚ, ଯଥା : ସଂବାଦପତ୍ର, ପତ୍ରପତ୍ରିକା, ରେଡ଼ିଓ, ଟେଲିଭିଜନ ଓ ଇଣ୍ଟରନେଟରେ ସାଧାରଣ ସଂବାଦ ପରିବେଷଣରେ ସଂଖ୍ୟାଧିକ ସନ୍ତୁଷ୍ଟ ଥିବାସ୍ଥଳେ ରାଜନୀତିକ ସାଂବାଦିକତାରେ ଅସନ୍ତୋଷ ପ୍ରକାଶ କରିଥାନ୍ତି । ସମସାମୟିକ ସାଂବାଦିକତାରେ ମୁଖ୍ୟ ପ୍ରସଙ୍ଗମାନ ଉପସ୍ଥାପନାରେ ୭୩ ପ୍ରତିଶତ, ବିଶ୍ୱାସନୀୟ ଢ଼ଙ୍ଗରେ ସଂବାଦ ପ୍ରସାରଣରେ ୬୨ ପ୍ରତିଶତ ତଥା ସରକାରୀ କାର୍ଯ୍ୟକଳାପ ସଂପର୍କିତ ସମ୍ୱାଦ ପରିବେଷଣରେ ୫୯ ପ୍ରତିଶତ ପାଠକ ଓ ଦର୍ଶକ ସନ୍ତୁଷ୍ଟ ।

ଅପରପକ୍ଷେ ସର୍ବେକ୍ଷଣ କରାଯାଇଥିବା ୨୦ ଗୋଟି ରାଷ୍ଟ୍ରର ସଂଖ୍ୟାଧିକ ଜନସାଧାରଣ ସେଠାକାର ରାଜନୀତିକ ସାମ୍ୱାଦିକତାରେ ଅସନ୍ତୋଷ ପ୍ରକାଶ କରିଥିବା ସ୍ଥଳେ ୧୮ ଗୋଟି ରାଷ୍ଟ୍ରରେ ସଂଖ୍ୟାଧିକ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିଲେ । ଏସିଆ ଓ ଆଫ୍ରିକା ମହାଦେଶର ରାଷ୍ଟ୍ରଗୁଡ଼ିକର ନାଗରିକମାନେ ସ୍ଥାନୀୟ ସାମ୍ୱାଦିକତା ପ୍ରତି ସକାରତ୍ମକ ମନୋଭାବ ତଥା ଲାଟିନ ଆମେରିକୀୟ ଦେଶପୁଞ୍ଜର ନାଗରିକ ଅପେକ୍ଷାକୃତଭାବେ ନକାରତ୍ମକ ମନୋଭାବ ପରିବେଷଣ କରୁଥିବା ଜଣାଯାଇଥିଲା ।

ରିପୋର୍ଟରେ ବିଶ୍ୱ ସାମ୍ୱାଦିକତା ସଂପର୍କରେ ଆହୁରି ଦୁଇଗୋଟି ଗୁରତ୍ୱପୂର୍ଣ୍ଣ ଘଟଣାକ୍ରମ ସଂପର୍କରେ ଅବତରଣା କରାଯାଇଛି । ଗଣମାଧ୍ୟମ ଉପଭୋକ୍ତାମାନେ ସଂବାଦ ପ୍ରତି ଆଗ୍ରାହାନ୍ୱିତ ହେଉଥିବା ସ୍ଥଳେ ସ୍ଥାନୀୟ ଓ ଜାତୀୟ ସଂବାଦକୁ ଅଗ୍ରାଧିକାର ଦେଇଥାନ୍ତି । ଆନ୍ତର୍ଜାତିକସ୍ତରରେ ୮୬ ପ୍ରତିଶତ ସ୍ଥାନୀୟ ସଂବାଦ ଓ ୭୮ ପ୍ରତିଶତ ଜାତୀୟ ସଂବାଦକୁ ଗୁରୁତ୍ୱ ଦେବାବେଳେ ମାତ୍ର ୫୭ ପ୍ରତିଶତ ବୈଦେଶିକ ସଂବାଦ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ।

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନଲାଇନ ସାଂବାଦିକତା କ୍ରମଶଃ ଲୋକପ୍ରିୟତା ହାସଲ କରୁଥିବା ଜଣାଯାଏ । ସର୍ବେକ୍ଷଣରେ ସାମିଲ ହୋଇଥିବା ଜନସାଧାରଣଙ୍କ ମଧ୍ୟରୁ ୪୨ ପ୍ରତିଶତ ଦୈନିକ ଅନ୍ତତଃପକ୍ଷେ ଥରେ ଇଣ୍ଟରନେଟ ଉପଯୋଗରେ ସଂବାଦ ସଂଗ୍ରହ କରୁଥିବା କହିଥିଲେ ।ଯୁବବର୍ଗ ଅନଲାଇନ ସାଂବାଦିକତାର ମୁଖ୍ୟ ପୃଷ୍ଠପୋଷକ ।

ଓଡ଼ିଆ ସାମ୍ୱାଦିକତାର ପୃଷ୍ଠଭୂମିରେ ପିଉ ରିସାର୍ଚ୍ଚ ସେଣ୍ଟର ପକ୍ଷରୁ ୨୦୧୮ରେ ପ୍ରକାଶିତ ରିପୋର୍ଟ ତର୍ଜମାକଲେ ଆନ୍ତର୍ଜାତିକ ପ୍ରବାହରେ ସ୍ଥାନୀୟ ସାମ୍ୱାଦିକତା ଗତିବିଧିରେ କେତେଗୋଟି ସମ୍ଭାବ୍ୟ ପ୍ରଭାବ ମନକୁ ଆସିଥାଏ ।

ପ୍ରଥମତଃ ବିଶ୍ୱବ୍ୟାପୀ ରାଜନୀତିକ ପକ୍ଷଭୁକ୍ତ ସାଂବାଦିକତାକୁ ବିରୋଧ କରାଯାଉଥିବା ସ୍ଥଳେ ଓଡ଼ିଆ ପାଠକ ଓ ଦର୍ଶକଙ୍କ ମଧ୍ୟରେ ସମମନୋଭାବ ଆଶା କରାଯାଇପାରେ । ତେବେ ଆମ ରାଜ୍ୟରେ ପାରମ୍ପରିକଭାବେ ରାଜନୀତିକ ମତଧାରା ପ୍ରସାର ଓ ବ୍ୟକ୍ତି ସର୍ବସ୍ୱ ପ୍ରଚ଼ାର ନିମନ୍ତେ ମୂଳ ସ୍ରୋତର ଗଣମାଧ୍ୟମକୁ ଉପଯୋଗ କରାଯାଇ ଆସିଛି । ଏହି ବ୍ୟବସ୍ଥାର ପରିବର୍ତ୍ତନ ଲାଗି ସ୍ୱାଧୀନ ସାଂବାଦିକତା ଆବଶ୍ୟକ । କିନ୍ତୁ ସଂଖ୍ୟା ଦୃଷ୍ଟିରୁ କମ ଓଡ଼ିଆ ଭାଷାଭାଷୀଙ୍କ ନିମନ୍ତେ ଉନ୍ନତମାନର ସଂବାଦପତ୍ର ପ୍ରକାଶନ ଓ ଟେଲିଭିଜନ ଚ଼୍ୟାନେଲ ପ୍ରସାରଣ ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ହେବା ସମ୍ଭବପର ନଥିବା ସ୍ଥଳେ ସ୍ଥାନୀୟ ସଂବାଦଶିଳ୍ପ  ପରାଙ୍ଗପୁଷ୍ଟ ହେବା ଏକ ରକମ ବାଧ୍ୟବାଧକତାରେ ପରିଣତ ହୋଇଥାଏ । ଗ୍ରାହକଚ଼ାନ୍ଦା ପରିପୁଷ୍ଟ ପ୍ରକାଶନ ଓ ପ୍ରସାରଣ ଏହାର ବିକଳ୍ପ ହେଲେହେଁ ଏଭଳି ବ୍ୟବସାୟିକ ମଡ଼େଲର କାର୍ଯ୍ୟକାରିତା ନେଇ ସନ୍ଦେହ ଉପୁଜିଥାଏ ।

ଦ୍ୱିତୀୟତଃ ଇଣ୍ଟରନେଟଭିତ୍ତିକ ଅନଲାଇନ ସାମ୍ୱାଦିକତା ଅପେକ୍ଷାକୃତ କମ ନିବେଶ ଆବଶ୍ୟକତା କରୁଥିବା ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟ ହୋଇପାରୁଥିବା ବେଳେ ଓଡ଼ିଆ ସାମ୍ୱାଦିକତାରେ ଉଭୟ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନ ପାଇଁ ସ୍ୱାଧୀନ ମଞ୍ଚ ପ୍ରସ୍ତୁତ କରିବାରେ କିପରି ସହାୟକ ହୋଇପାରିବ ତାହାର ସଫଳ ବ୍ୟବସାୟିକ ମଡ଼େଲ ପ୍ରସ୍ତୁତ ହୋଇପାରୁ ନାହିଁ ।ଓଡ଼ିଆ ଅନଲାଇନ ପୋର୍ଟାଲଗୁଡ଼ିକ ସରକାରୀ ବିଜ୍ଞାପନ ନିର୍ଭରଶୀଳ ହୋଇପଡୁଥିବା କାରଣରୁ ମୂଳରୁ ହିଁ ଏକ ଅସୁସ୍ଥ ପରିବେଶ ସୃଷ୍ଟି ହେବାରେ ଲାଗିଛି ।

ତୃତୀୟତଃ ଜାତୀୟସ୍ତରର ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଓଡ଼ିଆ ଗଣମାଧ୍ୟମରେ ପ୍ରବେଶ କିଭଳି ସମୀକରଣ ସୃଷ୍ଟି କରିବ ତାହା ଏକ ପ୍ରଶ୍ନବାଚ଼ୀ । ଟେଲିଭିଜନ ପ୍ରସାରଣକ୍ଷେତ୍ରରେ ଜାତୀୟସ୍ତରର ଚ଼୍ୟାନେଲମାନେ ଓଡ଼ିଆ ସାମ୍ୱାଦିକତାରେ ପହଞ୍ଚିସାରିଥିବାସ୍ଥଳେ ସମ୍ୱାଦପତ୍ର ପ୍ରକାଶନରେ ସଂପୃକ୍ତ ହେଲେ ସ୍ଥାନୀୟ ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଶା କରାଯାଇପାରେ । ତା’ପରକୁ ବୈଦେଶିକ ପୁଞ୍ଜିଲଗାଣ ସଂପୂର୍ଣ୍ଣ ଭିନ୍ନ ପରିବେଶ ସୃଷ୍ଟି କରିପାରେ ।

ବିଶ୍ୱବ୍ୟାପୀ ରାଜନୀତିକ ଘଟଣାକ୍ରମ ପ୍ରସାର ଓ ଚର୍ଚ୍ଚାରେ ସାମ୍ୱାଦିକତା ଗୁରୁତ୍ୱ ବହନ କରୁଥିବାସ୍ଥଳେ ଏହି କ୍ଷେତ୍ରରେ ପକ୍ଷପାତିତା ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ବିପଦ ସୃଷ୍ଟି କରିଥାଏ । ତେବେ ପକ୍ଷପାତିତାର ପ୍ରତିରୋଧ ପାଠକ ଓ ଦର୍ଶକମାନଙ୍କ ଦ୍ୱାରା ହିଁ ସମ୍ଭବପର । ଗଣମାଧ୍ୟମ ସଂପର୍କରେ ସଚ଼େତନତା ସ୍ୱାଧୀନ ସାମ୍ୱାଦିକତା ପରିପ୍ରକାଶରେ ସହାୟକ ହୋଇଥାଏ । ତେଣୁ ରାଜନୀତିକ ପକ୍ଷଭୁକ୍ତ ସାମ୍ୱାଦିକତାକୁ ରୋକିବାକୁ ହେଲେ ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତାର ବହୁଳ ପ୍ରଚ଼ାର ଓ ପ୍ରସାର ଆବଶ୍ୟକ । ଏଭଳି ଯୋଜନା କାର୍ଯ୍ୟକାରୀ କରିବା ସରକାରୀସ୍ତରରେ ସଂଭବପର ନହେଲେ ହେଁ ନୀତିନିୟମ ପ୍ରଣୟନ ଓ ପ୍ରୋତ୍ସାହନ ଗଣତନ୍ତ୍ରର ସୁରକ୍ଷା ଦିଗରେ ସହାୟକ ହୋଇପାରିବ । ଅବଶ୍ୟ ସ୍ୱାଧୀନ ସାଂବାଦିକତା ବିକାଶରେ ବେସରକାରୀ ନାଗରିକ ସମାଜଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । 

Related Post