ଆଜିର ଖାସ ଖବର
Sat. May 30th, 2026

ନିର୍ଭରଯୋଗ୍ୟ ଗଣମାଧ୍ୟମ ସୂତ୍ର ଚୟନ

By Dainikasha Jul12,2024

ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମଲ’ରେ ବିଶ୍ୱସନୀୟ ସମ୍ୱାଦ ସୂତ୍ର ଚୟନ ବିଶ୍ୱବାସୀଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରୁଥିବା ସୁସ୍ପଷ୍ଟ । ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆଦ୍ୟ ଭାଗରେ ଯୋଗାଯୋଗ ଓ ଗଣମାଧ୍ୟମ କ୍ଷେତ୍ରରେ ବ୍ୟାପ୍ତି ତଥା ଅର୍ଦ୍ଧାଧିକ ଲୋକସଂଖ୍ୟା ଦୈନିକ ହାରାହାରି ଚାରିରୁ ଛଅଘଣ୍ଟା ଯାଏଁ ଗଣମାଧ୍ୟମରେ ସଂପୃକ୍ତ ରହୁଥାନ୍ତି । ମାନବ ସଭ୍ୟତା ବିକାଶ ଇତିହାସରେ ସର୍ବାଧିକ ପ୍ରାଚୁର୍ଯ୍ୟ ସତ୍ତ୍ୱେ ନିର୍ଭରଯୋଗ୍ୟ ଗଣମାଧ୍ୟମ ସୂତ୍ର ଚୟନରେ ପ୍ରତିବନ୍ଧକ ଏକ ବିଡ଼ମ୍ୱନା ।

ଫରାସୀ ଗଣମାଧ୍ୟମ ସମୀକ୍ଷା ପ୍ରତିଷ୍ଠାନ ‘ରିପୋର୍ଟର୍ସ ଉଇଥଆଉଟ ବୋର୍ଡ଼ରର୍ସ’ ପକ୍ଷରୁ ପ୍ରକାଶିତ ‘ୱାର୍ଲଡ଼ ପ୍ରେସ ଫ୍ରିଡ଼ମ ଇଣ୍ଡେକ୍ସ ୨୦୨୧’ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ଗଣମାଧ୍ୟମ ପରିବେଶ ଅନୁଧ୍ୟାନ କରାଯାଇଥିବା ୧୮୦ ଗୋଟି ରାଷ୍ଟ୍ର ମଧ୍ୟରୁ ୭୩ ପ୍ରତିଶତ ରାଷ୍ଟ୍ରରେ ସମ୍ୱାଦ ପରିବେଷଣରେ ସରକାରୀ କଟକଣା ଜାରି ରହିଛି । ଏହି ସବୁ ରାଷ୍ଟ୍ରରେ ସାମ୍ୱାଦିକଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ସ୍ଥଳେ ସମ୍ୱାଦ ସରବରାହ ଯାଞ୍ଚ ‘ସେନସର’ ବ୍ୟବସ୍ଥା ବିଭିନ୍ନସ୍ତରରେ ଲାଗୁ କରାଯାଉଥିବା ଚ଼ିହ୍ନଟ କରାଯାଇଛି ।

ବ୍ରିଟେନକେନ୍ଦ୍ରୀକ ଗଣମାଧ୍ୟମ ବିକାଶ ସଂଗଠନ ‘ଥମସନ ରଏଟର୍ସ ଫାଉଣ୍ଡେସନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଣ୍ଟେନିଓ ଜାପୁଲା ସମସାମୟିକ ଗଣମାଧ୍ୟମ ପରିବେଶକୁ ପ୍ରଭାବିତ କରୁଥିବା ଆଠଗୋଟି ମୁଖ୍ୟ କାରଣ ଚ଼ିହ୍ନଟ କରିଛନ୍ତି । ତାଙ୍କରି ମତରେ ପ୍ରଥମତଃ, ବିଶ୍ୱବ୍ୟାପୀ ଗଣମାଧ୍ୟମର ସ୍ୱାଧୀନତା କ୍ଷୁର୍ଣ୍ଣ ଓ ଯାଞ୍ଚ ବ୍ୟବସ୍ଥା ପାଠକୀୟ ବିଶ୍ୱସନୀୟତା ହ୍ରାସ ନିମନ୍ତେ ଦାୟୀ । ଦ୍ୱିତୀୟତଃ, ଏହି କାରଣରୁ ମୂଳସ୍ରୋତ ‘ମେଇନ ଷ୍ଟ୍ରୀମ’ ଗଣମାଧ୍ୟମଗୁଡ଼ିକର ପାରମ୍ପରିକ ବ୍ୟାବସାୟିକ ମଡ଼େଲ ଅକାମୀ ହୋଇପଡୁଛି ।

ତୃତୀୟତଃ, ଗଣମାଧ୍ୟମ ମଞ୍ଚଗୁଡ଼ିକ ବ୍ୟାବସାୟିକସ୍ତରରେ କ୍ଷତିର ସମ୍ମୁଖୀନ ହେଉଛନ୍ତି ଏବଂ ଚ଼ତୁର୍ଥତଃ, ସେହି ହେତୁ ସମ୍ପାଦକୀୟ ସ୍ୱାଧୀନତା ବଜାୟ ରଖିବା ତଥା ଗୁଣବତ୍ତା ବିକାଶ ସଂଭବ ହୋଇପାରୁ ନାହିଁ । ପଞ୍ଚମତଃ, ଅଭାବଗ୍ରସ୍ତ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିଜକୁ କୌଣସିମତେ ବଞ୍ଚାଇ ରଖିବା ନିମନ୍ତେ ସ୍ୱେଚ୍ଛାଚାରୀ ପ୍ରଶାସକ, ସରକାରୀ କଳ କିମ୍ୱା ସ୍ୱାର୍ଥପରଙ୍କ ସହାୟତା ଲୋଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏହି ପରିସ୍ଥିତି ମଧ୍ୟ ସମ୍ୱାଦ ମଞ୍ଚର ସ୍ୱାଧୀନତାକୁ ବିପନ୍ନ କରେ ।

ଷଷ୍ଠରେ ବୈଷୟିକ ପ୍ରଗତି ସୃଷ୍ଟ ସୋସିଆଲ ମିଡ଼ିଆର ପ୍ରସାରପରେ ସାଧାରଣ ପାଠକଙ୍କ ପାରମ୍ପରିକ ସମ୍ୱାଦ ମଞ୍ଚ ଗୁଡ଼ିକରୁ ଅପସାରଣ ପ୍ରକ୍ରିୟା ଜାରି ରହିଛି । ଆନ୍ତର୍ଜାତିକସ୍ତରରେ ପ୍ରାୟ ୩୧ ପ୍ରତିଶତ ଉପଭୋକ୍ତା ୨୦୨୧ ସୁଦ୍ଧା ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ କରୁଥିବା ହିସାବ କରାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଅନଲାଇନ ସମ୍ୱାଦ ଉପଭୋକ୍ତାଙ୍କ  ମଧ୍ୟରୁ ୭୨ ପ୍ରତିଶତ କୌଣସି ସମ୍ୱାଦ ୱେବସାଇଟ ବା ଆପ୍ଲିକେସନରୁ ସମ୍ୱାଦ ପାଆନ୍ତି ନାହିଁ । ଅର୍ଥାତ, ଏମାନେ କୌଣସି ସଂଗଠିତ ‘ଅର୍ଗାନାଇଜଡ଼’ ସମ୍ୱାଦ ମଞ୍ଚର ଧାର ମାଡ଼ନ୍ତି ନାହିଁ ।

ସପ୍ତମରେ ସୋସିଆଲ ମିଡ଼ିଆ ଅସତ୍ୟ, ଗୁଜବ, ଅତିରଞ୍ଜିତ, ସ୍ୱାର୍ଥ ପ୍ରଣୋଦିତ ଓ ନିମ୍ନମାନର ସମ୍ୱାଦ ବାହକ ହେଉଥିବା ହେତୁ ସମଗ୍ର ଗଣମାଧ୍ୟମ ଉପତ୍ୟକା ପ୍ରଦୂଷିତ ହେବାରେ ଲାଗିଛି । ଇଣ୍ଟରନେଟର ବ୍ୟାପ୍ତି ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ସଙ୍ଗେ ସମ୍ୱାଦ ପ୍ରସାରଣରେ ବିଘଟନ ସୃଷ୍ଟି କରୁଛି । ବିଭିନ୍ନ କାରଣରୁ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ସମାଧାନର ରାସ୍ତା ପରିଦୃଷ୍ଟ ହେଉନାହିଁ ।

ଅଷ୍ଟମରେ ସମ୍ୱାଦପତ୍ର ଓ ଟେଲିଭିଜନ ଭଳି ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ବୈଷୟିକ ପରିବେଶ ତଥା ପାଠକୀୟ ଆଦୃତି ସହ ତାଳ ଦେଇ ଅନଲାଇନ ସମ୍ୱାଦ ପ୍ରକାଶନରେ ପହଞ୍ଚୁଥିବା ସ୍ଥଳେ ବହୁ ସଂଖ୍ୟକ ବିଫଳତାର ଶୀକାର ହେଉଛନ୍ତି । ଏହି ନୂତନ ମାଧ୍ୟମ ନିମନ୍ତେ ଆଗ୍ରହ, ଦୂରଦୃଷ୍ଟି ଓ ନିବେଶ ତିନିଗୋଟି ଦିଗରୁ ଅବହେଳା ମୂଳରୁ ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକର ଡିଜିଟାଲ ଅବତାରକୁ ମଳିନ କରିପକାଉଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଚ଼େଷ୍ଟା ସତ୍ତ୍ୱେ ପାଠକୀୟ ଆଦୃତି ଲାଭ ଆଶା ବୃଥାରେ ପର୍ଯ୍ୟବସିତ ହେବା ଅବଶ୍ୟମ୍ଭାବୀ ।

ରଏଟର୍ସ ଫାଉଣ୍ଡେସନର ଅଧ୍ୟକ୍ଷ ‘ଏଡ଼େଲମେନ ଟ୍ରଷ୍ଟ ବରୋମିଟର ୨୦୨୧’ର ତଥ୍ୟ ଉଦ୍ଧାର କରି ଦର୍ଶାଇଛନ୍ତି ଯେ ମହାମାରୀ-ପର ଅବସ୍ଥାରେ ଆନ୍ତର୍ଜାତିକସ୍ତରରେ ୨୮ ଗୋଟି ରାଷ୍ଟ୍ରରେ ଆୟୋଜିତ ସର୍ବେକ୍ଷଣରେ ୫୯ ପ୍ରତିଶତ ଉଚ୍ଚଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ ଓ ସମକାଳୀନ ସାମାଜିକ ବ୍ୟବସ୍ଥାରେ ରୁଚ଼ି ରଖୁଥିବା ପାଠକ ସମ୍ୱାଦିକମାନେ ଜ୍ଞାତସାରରେ ପ୍ରଚଳିତ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଅସତ୍ୟ ସମ୍ୱାଦ ପରିବେଷଣ କରୁଥିବା ଅଭିଯୋଗ କରିଥାନ୍ତି ।

‘ଏଡ଼େଲମେନ ଟ୍ରଷ୍ଟ ବରୋମିଟର’ ପକ୍ଷରୁ ବିଗତ ୨୦ ବର୍ଷ ଧରି ଜନସାଧାରଣରେ ବିଶ୍ୱସନୀୟତା ସଂପର୍କରେ ଅଧ୍ୟୟନ ଜାରୀ ରହିଛି । ସଂସ୍ଥା ପକ୍ଷରୁ ସର୍ବେକ୍ଷଣଭିତ୍ତିକ ବାର୍ଷିକ ବିବରଣୀ ପ୍ରକାଶିତ ହୋଇଥାଏ । ସର୍ବଶେଷ ୨୦୨୧ ରିପୋର୍ଟରେ ୫୭ ପ୍ରତିଶତ ଜନସାଧାରଣ ସରକାର କର୍ମଚାରୀ, ରାଜନେତା ଏବଂ ୫୬ ପ୍ରତିଶତ ଜନସାଧାରଣ ବ୍ୟବସାୟ ନେତୃବର୍ଗ ବିଭ୍ରାନ୍ତିକର ସମ୍ୱାଦ ପରିବେଷଣରେ ଅଂଶୀଦାର ଥିବା ବିଶ୍ୱାସ କରନ୍ତି । ସେହିପରି ୫୩ ପ୍ରତିଶତ ପାରମ୍ପରିକ ସମ୍ୱାଦ ମଞ୍ଚ ଓ ୩୫ ପ୍ରତିଶତ ସୋସିଆଲ ମିଡ଼ିଆରେ ବିଶ୍ୱାସ ରଖୁଥିବା ଜଣାଯାଏ ।

ସମ୍ୱାଦ ଗ୍ରହୀତାଙ୍କ ଆଚ଼ରଣ ମଧ୍ୟ ସମ୍ୱାଦ ସରବରାହରେ ଗୁରୁତ୍ୱପୂର୍ଣ୍ଣ । ଏଡ଼େଲମେନ ସର୍ବେକ୍ଷଣ ଅନୁଯାୟୀ ପ୍ରତି ଚାରିଜଣରେ ମାତ୍ର ଜଣେ ସମ୍ୱାଦ-ସ୍ୱଚ୍ଛତା ‘ଇନଫରମେସନ ହାଇଜିନ’ ଦିଗରେ ଆଗ୍ରହୀ ଥିବା ଦର୍ଶାଯାଇଛି । ସମ୍ୱାଦ-ସ୍ୱଚ୍ଛତା ଅର୍ଥ ନିୟମିତ ସମ୍ୱାଦ ଆହରଣ, ପକ୍ଷଭୁକ୍ତ ସମ୍ୱାଦ କ୍ଷେତ୍ରରେ ନିଜକୁ ସଂଜତ ରଖିବା, ସମ୍ୱାଦ ଯାଞ୍ଚ ଓ ଅସମର୍ଥିତ ସମ୍ୱାଦ ପୁନଃ ପ୍ରସାରଣରୁ କ୍ଷାନ୍ତ ରହିବାକୁ ବୁଝାଇଥାଏ । ପରିବର୍ତ୍ତିତ ପରିବେଶରେ ସମ୍ୱାଦ ସରବରାହ ବୃତ୍ତିଧାରୀଙ୍କ ପରିଧିରୁ ସଂପ୍ରସାରିତ ହୋଇ ସୋସିଆଲ ମିଡ଼ିଆରେ ସର୍ବସାଧାରଣରେ ପହଞ୍ଚିଥିବା ଅବସରରେ ସମ୍ୱାଦ-ସ୍ୱଚ୍ଛତା ଆଚ଼ରଣ କୌଣସି ଭୌଗଳିକ ପରିବେଶରେ ସାମ୍ୱାଦିକତା ଗୁଣବତ୍ତାରେ ଅଂଶୀଦାର ।

ରଏଟରର୍ସ ଫାଉଣ୍ଡେସନର ଅଧ୍ୟକ୍ଷ ସମ୍ୱାଦ ମଞ୍ଚଗୁଡ଼ିକୁ ଅକାଳ ମୃତ୍ୟୁରୁ ବର୍ତ୍ତିଯିବା ନିମନ୍ତେ ଅଭିବନ ବ୍ୟାବସାୟିକ ମଡ଼େଲ ପ୍ରବର୍ତ୍ତନ ସପକ୍ଷରେ ମତ ରଖିଥିଲେ । ସମ୍ୱାଦ ମଞ୍ଚର ଆୟ ଉପଭୋକ୍ତାକେନ୍ଦ୍ରୀକ ହେଲେ ବହୁ ସମସ୍ୟାରୁ ମୁକ୍ତି ମିଳିବ । ଗୁଣାତ୍ମକ ସାମ୍ୱାଦିକତା ଗ୍ରାହକଙ୍କୁ ଆକୃଷ୍ଟ କରିବ ଏବଂ ଗ୍ରାହକ ଆର୍ଥିକ ସହଯୋଗ ଦେଲେ ସମ୍ୱାଦ ମଞ୍ଚଗୁଡ଼ିକର ପରମୁଖାପେକ୍ଷିତା ନୀତି ପ୍ରତ୍ୟାହାର ସମ୍ଭବ । ସେ କହିଛନ୍ତି ଯେ ଏଭଳି ପଦକ୍ଷେପର ସଫଳତାକୁ ନେଇ ସଂଶୟ ସୃଷ୍ଟି ହେଉଥିଲେହେଁ ଆନ୍ତର୍ଜାତିକସ୍ତରରେ ଉଦାହରଣଗୁଡ଼ିକରୁ ସମସ୍ତଙ୍କ ଶିଖିବା ଅଛି । ଫିଲିପାଇନ୍ସର ନୋବଲ ବିଜୟୀ ମାରିଆ ରେସାଙ୍କ ‘ରାପଲର’ ସଫଳତା ସଂପର୍କରେ ଉଲ୍ଲେଖ କରିଥିଲେ ।

ନିର୍ଭରଯୋଗ୍ୟ ସମ୍ୱାଦ ମଞ୍ଚ ପ୍ରଯୋଜନା ନିମନ୍ତେ ତୁରନ୍ତ ପଦକ୍ଷେପ ଜରୁରୀ । ସମ୍ୱାଦ ମଞ୍ଚଗୁଡ଼ିକୁ ସ୍ୱାଧୀନ ‘ଇଣ୍ଡିପେଣ୍ଡଣ୍ଟ’, ବହୁବାଦୀ ‘ପ୍ଲୁରାଲ’ ଏବଂ ଗ୍ରହଣୀୟ ‘ଏସେସବଲ’ ଗଢ଼ି ତୋଳିବା ନିମନ୍ତେ ଉଦ୍ୟମ ନିବେଶ, ଶ୍ରମ ଓ ସମୟ ତୁଳନାରେ ଦୃଷ୍ଟିକୋଣ ପରିବର୍ତ୍ତନର ଗୁରୁତ୍ୱ ଅଧିକ । ସାମ୍ୱାଦିକତାର ଗୁଣାତ୍ମକ ବିକାଶ ଜନହିତରେ ଗଣତନ୍ତ୍ର ସୁରକ୍ଷା ନିମନ୍ତେ ଅପରିହାର୍ଯ୍ୟ ହୋଇଥିବା କାରଣରୁ ଏଦିଗରେ ଉଦ୍ୟମ ପ୍ରାଥମିକତା ଦାବୀ କରିଥାଏ ।  

Related Post