ସ୍ଵାୟତ୍ତ ଶାସନ ଗଣତାନ୍ତ୍ରିକ ଶାସନ ପଦ୍ଧତିର ମୂଳ ଆଧାର । ନାଗରିକମାନେ ନିଜ ନିଜ ଅଞ୍ଚଳର ରାଜନୀତିକ, ସାମାଜିକ, ସାଂସ୍କୃତିକ ଜୀବନଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟରକ୍ଷା, ଶିକ୍ଷାପ୍ରସାର ତଥା ପରିବେଶ ସଂରକ୍ଷଣ ଯାଏଁ ପ୍ରତ୍ୟେକ ବିଷୟରେ ବିକାଶ କ୍ଷେତ୍ରରେ ନିଜେ ନୀତିନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ରୂପାୟନରେ ଅଂଶ ଗ୍ରହଣ କରିବା ନିମନ୍ତେ ସ୍ଵାୟତ୍ତ ଶାସନ ଭିତ୍ତିଭୂମି ଗଢ଼ିତୋଳେ । ଗୋଷ୍ଠୀବଦ୍ଧ ଜୀବନଯାପନରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଆଞ୍ଚଳିକ ସ୍ଥିତାବସ୍ଥା ବିଚ଼ାରକୁ ନେଇ ପ୍ରସଙ୍ଗ ଉପସ୍ଥାପନ, ସରକାରୀ ଓ ବେସରକାରୀସ୍ତରରେ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ରୂପାୟନ ସାଙ୍ଗକୁ ସାମୟିକ ମୂଲ୍ୟାୟନ ଓ ସମ୍ଭାବ୍ୟ ଭବିଷ୍ୟତ ଆକଳନ ଇତ୍ୟାଦି ପ୍ରତ୍ୟେକଟି ବିଷୟରେ ପାରସ୍ପରିକ ବିଚ଼ାରବିମର୍ଷକଳ୍ପେଗଣମାଧ୍ୟମ ପରିବେଶ ସୃଷ୍ଟି କରିଥାଏ ।
ଅଷ୍ଟାଦଶ ଶତାଦ୍ଦୀରେ ପାଶ୍ଚାତ୍ୟ ଭୂଖଣ୍ଡ ଓ ଊନବିଂଶ ଶତାଦ୍ଦୀରେ ଭାରତରେ ମୁଦ୍ରିତ ସାମ୍ୱାଦିକତା ବିକଶିତ ହୋଇଥିଲା । ତେବେ ବିଂଶ ଶତାଦ୍ଦୀର ମଧ୍ୟଭାଗରେ ଆମଦେଶରେ ସମ୍ୱାଦପତ୍ର ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ରୁଦ୍ଧିମନ୍ତକରିବା ନିମନ୍ତେ ପୁରପଲ୍ଲୀରେ ପ୍ରଭାବ ବିସ୍ତାର କରିଥିଲା । ବିଶେଷକରି ୧୯୭୫-୭୭ରେ ଦେଶରେ ଆଭ୍ୟନ୍ତରୀଣ ଜରୁରି ପରିସ୍ଥିତି ଜାରୀ-ପର ଅବସ୍ଥାରୁ ଭାରତୀୟ ସାମ୍ୱାଦିକତାରେ ଗ୍ରାମାଞ୍ଚଳ ସମ୍ୱାଦ ପରିବେଷଣକୁ ପ୍ରାଧାନ୍ୟ ଦିଆଗଲା । ସ୍ଥାନୀୟ ସମ୍ୱାଦପତ୍ରଗୁଡ଼ିକଆଞ୍ଚଳିକଭିତ୍ତିରେନାଗରିକଙ୍କ ନିତିଦିନିଆ ଜୀବନର ସୁବିଧାଅସୁବିଧାଆଲୋଚ଼ନା ତଥା ସରକାରୀ ବ୍ୟବସ୍ଥାରେ ଚ଼ାପପ୍ରୟୋଗକରିପ୍ରଶାସନିକସ୍ତରରେଲୋକାଭିମୁଖୀନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ପ୍ରଣୟନରେ ସହାୟକ ହୋଇପାରିଥିଲେ ।
ସାମ୍ୱାଦିକତା ଏକ ସର୍ଜନଶୀଳ କଳା । ସମୟାନ୍ତେ ସର୍ବତ୍ର ସ୍ଥାନୀୟ ସମ୍ୱାଦପତ୍ର ଆଙ୍ଗୀକରେ ପୁନଃବିନ୍ୟାସ ଆବଶ୍ୟକ ପଡିଥାଏ । ସାମାଜିକ ଧାରା ପ୍ରବାହମାନ । ଏଥିରେ ସାମିଲ ହୋଇ ପ୍ରଭାବ ବିସ୍ତାର କରିବା ନିମନ୍ତେ ସାମ୍ୱାଦିକତା ସମୟାନ୍ତେ ନବକଳେବର ଧାରଣ କରିବା ଜରୁରୀ । ବିଶ୍ୱବ୍ୟାପୀସଫଳ ସମ୍ୱାଦପତ୍ରଗୁଡ଼ିକର ଇତିହାସ ଅନୁଧ୍ୟାନ କଲେ ଏହାର ଭଳିକି ଭଳି ଉଦାହରଣ ସୁସ୍ପଷ୍ଟ । ଦୈନିକ ସମ୍ୱାଦପତ୍ରର ଉତ୍କର୍ଷତା ସଦାସର୍ବଦା ସଂପୃକ୍ତ ପ୍ରକାଶନର ସମ୍ପାଦକୀୟ ନୀତି ଉପରେ ପର୍ଯ୍ୟବସିତ । ଏହି କ୍ଷେତ୍ରରେ ମୌଳିକତା ଓ ସ୍ୱଚ୍ଛତା ଅଭାବ ସାମ୍ୱାଦିକତାର ପୁନଃବିନ୍ୟାସରେ ଅନ୍ତରାୟ ସାଜିଥାଏ ।
ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷଭାଗରେ ଓଡ଼ିଶା ସମେତ ଦେଶର ଅନ୍ୟତ୍ର ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକଏକ ପରିବର୍ତ୍ତିତ ଗଣମାଧ୍ୟମ ପୃଷ୍ଠଭୂମିରେ ଅବତୀର୍ଣ୍ଣ । ଗ୍ରାମାଞ୍ଚଳରେ ଟେଲିଭିଜନ ଓ ସୋସିଆଲ ମିଡ଼ିଆର ବ୍ୟାପ୍ତି ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ପ୍ରତିଯୋଗିତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି । ଅପହଞ୍ଚ ଅଞ୍ଚଳରେ ପ୍ରତିପରିବାରକୁ ବିଦ୍ୟୁତ ସଂଯୋଗ ସମ୍ଭବପର ହେବାପରେ ଟେଲିଭିଜନ ଦର୍ଶକ ସଂଖ୍ୟା ବଢ଼ିଯାଇଛି ଏବଂ ହାରାହାରିଭାବେ ପ୍ରତ୍ୟେକ ବ୍ୟକ୍ତି ଚ଼ାରିଘଣ୍ଟା ଯାଏଁ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି । ସେହିପରି ଇଣ୍ଟରନେଟ ସଂଯୋଗ ୬୫ କୋଟିରେ ପହଞ୍ଚିବା ଏବଂ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୫୨ କୋଟି ଛୁଉଁଥିବା ତଥା ହାରାହାରି ସ୍ମାର୍ଟଫୋନ ଉପଭୋକ୍ତା ଦେଢ଼ ଘଣ୍ଟାରୁ ଚ଼ାରିଘଣ୍ଟା ଯାଏଁ ଇଣ୍ଟରନେଟ ମଞ୍ଚରେ ଉପସ୍ଥିତି ଅବସରରେ କ୍ରମଶଃ ମୁଦ୍ରିତ ସମ୍ୱାଦପତ୍ରର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ଭାରତରେ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ଓ ବିଜ୍ଞାପନ ରାଜସ୍ୱ ବାର୍ଷିକଭିତ୍ତିରେ ବଢୁଥିଲେ ହେଁ ସମ୍ୱାଦ ଓ ଅଭିମତ ପରିବେଷଣ କ୍ଷେତ୍ରରେ ଏହାର ଏକଚ଼ାଟିଆ ଆଧିପତ୍ୟ ପରାହତ ହୋଇଥିବା ଅନେକ କ୍ଷେତ୍ରରେ ପ୍ରମାଣିତ ।
ଏକ ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ନିଜ ସ୍ୱାତନ୍ତ୍ର୍ୟ ପ୍ରତିପାଦିତ କରିବା ନିମନ୍ତେ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣରେ ଉତ୍କର୍ଷତା ହିଁ ଏକମାତ୍ର ବିକଳ୍ପ । ମୁଦ୍ରିତ ସାମ୍ୱାଦିକତାରେ ସତ୍ୟାସତ୍ୟ ଅନୁସନ୍ଧାନ, ତଥ୍ୟାଶ୍ରିତ ପ୍ରମାଣ ଉପସ୍ଥାପନ ଓ ସର୍ଜନଶୀଳତା ପରିପ୍ରକାଶ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହୁଥିବା ସ୍ଥଳେ ଉଭୟ ଟେଲିଭିଜନ ଓ ଅନ-ଲାଇନ ସମ୍ୱାଦ ପୋର୍ଟାଲଗୁଡ଼ିକରେ ଅନେକ କ୍ଷେତ୍ରରେ ଅନେକ କାରଣରୁ ସମ୍ଭବପର ହୋଇପାରେ ନାହିଁ । ଅପରପକ୍ଷେ ମୁଦ୍ରିତ ସମ୍ୱାଦର ସ୍ଥାୟିତ୍ୱ ଓ ପ୍ରଶାସନିକ ଦସ୍ତାବିଜଭାବେ ବ୍ୟବହାରର ସୁଯୋଗ ଭବିଷ୍ୟତରେ କିଛି କାଳଲାଗିବଳବତ୍ତର ରହିବା ଆଶା କରାଯାଇପାରେ । ବିଶେଷକରି ଭାରତଭଳି ରାଷ୍ଟ୍ରରେ ନବସାକ୍ଷରଙ୍କ ସଂଖ୍ୟା ବଢ଼ିଚାଲିଥିବା ଅବସରରେ ମୁଦ୍ରିତ ସମ୍ୱାଦପତ୍ରର ପାଠକ ସଂଖ୍ୟା କ୍ରମାଗତ ବୃଦ୍ଧିରେ ସହାୟକ ହେଉଛି । ଯେଉଁ ସମ୍ୱାଦପତ୍ରଗୁଡ଼ିକ ନିଜକୁ ପରିବର୍ତ୍ତିତ ପରିବେଶ ସହ ଖାପ ଖୁଆଇ ପାରିବେ ସେମାନଙ୍କ ଅସ୍ଥିତ୍ୱବଜାୟ ରହିବ, କିନ୍ତୁ ଯେଉଁ ସମ୍ୱାଦପତ୍ରଗୁଡ଼ିକ ସମୟ ସହ ତାଳ ଦେଇପାରିବେ ନାହିଁ ସେମାନଙ୍କର ବିଲୟ ସୁନିଶ୍ଚିତ ।
ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଗୁଣାତ୍ମକ ବିକାଶରେ ସ୍ଥାନୀୟ ସମ୍ୱାଦ ପରିବେଷଣ, ତଥ୍ୟାଶ୍ରିତସମ୍ୱାଦ ରଚନା, ସୋସିଆଲ ମିଡ଼ିଆ ସଙ୍ଗେ ସହାବସ୍ଥାନ ଓ ନୂତନ ବ୍ୟାବସାୟିକ ଧାରା ପ୍ରବର୍ତ୍ତନ ଗୁରୁତ୍ୱ ବହନ କରିଥାଏ । ସମ୍ୱାଦ ପାଠକଙ୍କ ବ୍ୟବହାରଯୋଗ୍ୟ ହେବା ଆବଶ୍ୟକ । ବିଶେଷକରି ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ ପାଠକମାନେ ନିଜର ରୁଚି ଓ ଆବଶ୍ୟକତା ଅନୁଯାୟୀ ସମ୍ୱାଦ ଖୋଜିଥାନ୍ତି । ସୋସିଆଲ ମିଡ଼ିଆ ଓ ଟେଲିଭିଜନ ତୁଳନାରେ ସମ୍ୱାଦପତ୍ରର ବିବରଣୀ ନିର୍ଭୁଲ ଓ ନିର୍ଭରଯୋଗ୍ୟ ହେବା ସୁଯୋଗ ରହିଛି । ସୋସିଆଲ ମିଡ଼ିଆରେ ଯେକୌଣସି ବ୍ୟକ୍ତି ଯେ କୌଣସି ସମ୍ୱାଦ ପ୍ରସାରିତ କରୁଥିବା ସ୍ଥଳେ ତାହାର ସତ୍ୟାସତ୍ୟ ପରଖିବା କିମ୍ୱା ଭାଷା ଓ ଶୈଳୀଗତ ଉନ୍ନତିରେ ସହାୟତା ପ୍ରଦାନ ନିମନ୍ତେ ସୁବିଧାସୁଯୋଗ ନଥାଏ । ଅପରପକ୍ଷେ ସମ୍ୱାଦପତ୍ରକ୍ଷେତ୍ରରେ ସାମ୍ୱାଦିକଙ୍କ ରଚନା ସମ୍ପାଦକମାନେବିଭିନ୍ନସ୍ତରରେତନ୍ନତନ୍ନ ଯାଞ୍ଚ କରିଥାନ୍ତି ଏବଂ ସ୍ଥଳବିଶେଷରେ ପଠନଯୋଗ୍ୟ କରିବା ନିମନ୍ତେ ପୁନଃଲିଖନସେବା ଯୋଗାଇଥାନ୍ତି ।
ସମ୍ୱାଦପତ୍ରର କଳେବର ଅଧିକ ସଂଖ୍ୟକ ସମ୍ୱାଦ ପ୍ରକାଶନ ନିମନ୍ତେ ସ୍ଥାନ ସୃଷ୍ଟି କରିଥାଏ । ସମ୍ୱାଦପତ୍ର ପୃଷ୍ଠାରୁ ନିଜ ମନମୁତାବକସମ୍ୱାଦ ଖୋଜି ବାହାର କରି ପାଠକ ପଢ଼ିଥାଏ । ବହୁବିଧ ସ୍ଥାନୀୟ ସମ୍ୱାଦ ପ୍ରକାଶନ ଏବଂ ସେଥି ମଧ୍ୟରୁ ନିଜ ନିଜ ରୁଚି ଓ ଆବଶ୍ୟକତା ଅନୁଯାୟୀ ସମ୍ୱାଦ ଚୟନର ସୁଯୋଗ ସୃଷ୍ଟି କ୍ଷେତ୍ରରେ ସମ୍ୱାଦପତ୍ରର ପ୍ରାଧାନ୍ୟ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ସହ ମୁକାବିଲା କରିବା ନିମନ୍ତେ ଏକ ବିଶିଷ୍ଟ ଉପାଦାନ । ତେବେ ସମ୍ୱାଦପତ୍ରଗୁଡ଼ିକ ଏଥିପ୍ରତି ସଚ଼େତନ ହୋଇ ସଂପାଦକୀୟନୀତି ନିର୍ଦ୍ଧାରଣ ଆବଶ୍ୟକ ପଡିଥାଏ ।
ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟ ସର୍ବଭାରତୀୟସ୍ତରରେଲାଭଜନକ ଥିବା, ବିଶେଷକରି ଭାରତୀୟ ଭାଷାଗୁଡ଼ିକରସମ୍ୱାଦପତ୍ରଗୁଡ଼ିକର ପାଠକ ସଂଖ୍ୟା ବୃଦ୍ଧି ପାଉଥିବା ଭାରତୀୟ ସମ୍ୱାଦପତ୍ର ପାଠକ ଗଣନା ୨୦୧୯ ‘ଇଣ୍ଡିଆନ ରିଡ଼ରସିପଷ୍ଟଡ଼ି’ରେ ଉଲ୍ଲେଖଥିବା ସ୍ଥଳେ ଓଡ଼ିଆ ଭାଷାର ତିନିଗୋଟି ପ୍ରମୁଖ ସମ୍ୱାଦପତ୍ରର ପାଠକ ସଂଖ୍ୟା ୨୦୧୭ ରୁ ୨୦୧୯ ଦୁଇବର୍ଷ ମଧ୍ୟରେ ହାରାହାରି ଦଶ ପ୍ରତିଶତ କମିଯାଇଥିବା ମଧ୍ୟ ସୂଚ଼ିତ ହୋଇଛି । ଅବଶ୍ୟ ଏହି ପରିସଂଖ୍ୟାନ ନିରୀକ୍ଷଣ ଆୟୋଜନର ପୂର୍ବଦିନ ନମୂନା ପରିବାରମୁଖ୍ୟ ଓ ଅନ୍ୟଜଣେସଦସ୍ୟଙ୍କ ସ୍ୱୀକାରୋକ୍ତିକୁ ନେଇ ହିସାବ କରାଯାଇଥିଲା । ଗଣମାଧ୍ୟମ ସମୀକ୍ଷକମାନଙ୍କ ମତରେ ସଂପୃକ୍ତ ସମ୍ୱାଦପତ୍ରଗୁଡ଼ିକର ତୃଟିପୂର୍ଣ୍ଣ ସଂପାଦକୀୟନୀତିଓ ପାରମ୍ପରିକ ଶୈଳୀରେ ଆତ୍ମଗୋପନ ଏହି ବିପର୍ଯ୍ୟୟରମୂଳ କାରଣ । ଓଡ଼ିଆ ସମ୍ୱାଦିକତା କ୍ଷେତ୍ରରେ ସର୍ବାଧିକ ପ୍ରସାରିତ ତିନିଗୋଟି ସମ୍ୱାଦପତ୍ରର ପାଠକ ସଂଖ୍ୟା ହ୍ରାସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆମ ରାଜ୍ୟରେ ପ୍ରସାରରେ ଅଗ୍ରଣୀ ପ୍ରଥମ ପାଞ୍ଚ-ସାତ ଗୋଟି ସମ୍ୱାଦପତ୍ରକୁବାଦଦେଲେ ପ୍ରାୟତଃ ଅନ୍ୟ ଦୈନିକ ସମ୍ୱାଦପତ୍ରଗୁଡ଼ିକ ନିଜ ନିଜର ପ୍ରସାର ସଂଖ୍ୟା ବୃଦ୍ଧିଦିଗରେଉଦାସୀନ । ଏହି ବିପଦପୂର୍ଣ୍ଣ ପରିବେଶର ବିଭିନ୍ନ କାରଣ ରହିଛି । ତେବେ ସମ୍ୱାଦପତ୍ର ପାଠକ ସଂଖ୍ୟା ସଂକୋଚନ ଯେ ମୁଦ୍ରିତ ଗଣମାଧ୍ୟମ ଲାଗି ମଙ୍ଗଳଦାୟକ ନୁହେଁ ଏଥିରେ ଦ୍ୱିମତ ନାହିଁ ।
ମୁଦ୍ରିତ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକର ପାଠକ ସଂଖ୍ୟା ବୃଦ୍ଧିଦିଗରେସ୍ଥାନୀୟ ସାମ୍ୱାଦିକତା ଅର୍ଥାତ ଗଭୀର ଆଞ୍ଚଳିକଭିତ୍ତିରେ ସମ୍ୱାଦ ପ୍ରସାରଣକୁ ଅଗ୍ରାଧିକାରଦେବା ସମୟ ଆସି ପହଞ୍ଚିଛି । ଏହି ଉଦ୍ୟମ ପାଠକମାନଙ୍କୁ ନିଜ ପରିବେଶର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସଂପର୍କରେ ଅବଗତ କରାଇବା ସାଙ୍ଗକୁ ସୁବିଧା ଅସୁବିଧା ସଂପର୍କରେ ସମ୍ୱାଦ ପ୍ରକାଶନ ପ୍ରଶାସନିକସ୍ତରରେ ସମାଧାନ ନିମନ୍ତେ ପଥ ଉନ୍ମୁକ୍ତ କରିବା ଆଶା କରାଯାଇପାରେ । ସ୍ଥାନୀୟ ସମ୍ୱାଦ ପରିବେଷଣ ଲାଗି ଅଧିକ ସାମ୍ୱାଦିକ ଆବଶ୍ୟକ ପଡ଼ିବେ । କୌଣସି ଘଟଣାକୁ ଖାମଖିଆଲି ଭାବେ ଉଲ୍ଲେଖରେ ସୀମିତ ନରଖି ବିଭିନ୍ନ ସୂତ୍ରରୁ ତଥ୍ୟାବଳୀ ସଂଗ୍ରହ କରି ଅନୁସନ୍ଧନ, ବର୍ଣ୍ଣନା ଓ ନିର୍ଣ୍ଣାୟକ ଦିଗପ୍ରତି ଦୃଷ୍ଟି ଦେଲେ ସ୍ଥାନୀୟ ସାମ୍ୱାଦିକତାର ପୁନଃବିନ୍ୟାସ ସଂଭବପର ।
