ଭାରତରେ ୨୦୨୩ ସୁଦ୍ଧା ୭୫ କୋଟିରୁ ଉର୍ଦ୍ଧ୍ୱ ସକ୍ରିୟ ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଏ । ସକ୍ରିୟ ବା ‘ଏକଟିଭ’ ଇଣ୍ଟରନେଟ ଉପଭୋକ୍ତା ଅର୍ଥ ସେମାନେ ମାସରେ ଅନ୍ତତଃ ଥରେ ଇଣ୍ଟରନେଟ ମଞ୍ଚରେ ଅବତୀର୍ଣ୍ଣ ହୋଇଥାନ୍ତି । ଏଥି ମଧ୍ୟରେ ଆଞ୍ଚଳିକ ଭାଷାରେ ଇଣ୍ଟରନେଟ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ୭୨ କୋଟିରୁ ଉର୍ଦ୍ଧ୍ୱ । ଏହି ପରିସଂଖ୍ୟାନ ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ମଞ୍ଚରେ ଆଞ୍ଚଳିକ ଭାଷାରେ ବ୍ୟବହାର ବୃଦ୍ଧି ସୂଚ଼ିତ କରିଥାଏ । ଅର୍ଥାତ, ଆଗାମୀ ଦୁଇ ରୁ ସାତ ବର୍ଷ ୨୦୨୫ ବା ୨୦୩୦ ସୁଦ୍ଧା ଦେଶରେ ଆଞ୍ଚଳିକ ଭାଷାର ଗୁରୁତ୍ୱ ବେଶ ସମୃଦ୍ଧ ହେବା ଆଶା କରାଯାଏ ।
ଖ୍ୟାତନାମା ଇଣ୍ଟରନେଟ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ‘ଗୁଗୁଲ’ ଭାରତରେ ଅନଲାଇନ ସାମ୍ୱାଦିକତା ବିକାଶ ନିମନ୍ତେ ‘ଗୁଗୁଲ ନିଉଜ ଇନିସିଏଟିଭ’ ନାମକ ଏକ କାର୍ଯ୍ୟକ୍ରମ ପ୍ରଯୋଜନା କରେ । ଗୁଗୁଲ ନିଉଜ ଇନିସେଟିଭ ଆନୁକୂଲ୍ୟରେ ଜାତୀୟସ୍ତରରେ ଡ଼ିଜିଟାଲ ସାମ୍ୱାଦିକତା ସ୍ଥିତାବସ୍ଥା ଅନୁଶୀଳନ ନିମନ୍ତେ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ‘କାନ୍ତାର ଇଣ୍ଡିଆ’ ସହଯୋଗରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେହି ବିବରଣୀ ମେ’ ୨୦୨୩ରେ ପ୍ରକାଶ ପାଇଥିଲା ।
ଗୁଗୁଲ-କାନ୍ତାର ସର୍ବେକ୍ଷଣ ନିମନ୍ତେ ‘ଆଇ-କ୍ୟୁବ’ ନାମକ ଗବେଷଣା ମଞ୍ଚ ବ୍ୟବହୃତ ହୋଇଥିଲା । ‘ଆଇ-କ୍ୟୁବ’ ମଞ୍ଚରେ ଦେଶର ୩୯୦ରୁ ଅଧିକ ସହରାଞ୍ଚଳରେ ବସବାସ କରୁଥିବା ୬୦ ହଜାର ବ୍ୟକ୍ତି ଯୋଡ଼ି ହୋଇଥାନ୍ତି । ଏତଦ୍ ବ୍ୟତୀତ ହିନ୍ଦି, ଗୁଜରାଟୀ, ବାଂଲା, ତେଲୁଗୁ, ତାମିଲ, କନ୍ନଡ଼ ଓ ମଳାୟଳମ ଆଠଗୋଟି ଭାଷାରେ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କଠାରୁ ୪୩ ଗୋଟି ସହରରେ ମଧ୍ୟ ତଥ୍ୟ ସଂଗୃହୀତ ହୋଇଥିଲା । ଏହି ବ୍ୟାପକ ଆୟୋଜନ ଦୃଷ୍ଟିରୁ ଗୁଗୁଲ-କାନ୍ତାର ପ୍ରସ୍ତୁତ ‘ଇଣ୍ଡିଆନ ଲାଙ୍ଗୁଏଜେସ – ଅଣ୍ଡରଷ୍ଟାଣ୍ଡିଂ ଇଣ୍ଡିଆସ ଡିଜିଟାଲ ନିଉଜ କନଜ୍ୟୁମର’ରେ ପ୍ରଦତ୍ତ ତଥ୍ୟାବଳୀକୁ ବିଶ୍ୱାସଯୋଗ୍ୟ ବିଚାର କରାଯାଇପାରେ ।
ପ୍ରକାଶିତ ବିବରଣୀରେ ଦର୍ଶାଯାଇଛି ଯେ ଭାରତରେ ପଚାଶ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କରନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ୩୮ କୋଟି । ଆଞ୍ଚଳିକ ଭାଷାରେ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ଉପଭୋକ୍ତାଙ୍କ ସଂଖ୍ୟା ୧୫ କୋଟିରୁ ଉର୍ଦ୍ଧ୍ୱ । ଏଥି ମଧ୍ୟରେ ସହରାଞ୍ଚଳ ଉପଭୋକ୍ତାଙ୍କ ସଂଖ୍ୟା ୪୧ ପ୍ରତିଶତ ଥିବା ସ୍ଥଳେ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ସଂଖ୍ୟା ୫୯ ପ୍ରତିଶତ ।
ଏଥିରୁ ଦୁଇଗୋଟି ବିଷୟ ସ୍ୱଷ୍ଟ ହୋଇଥାଏ । ପ୍ରଥମତଃ, ଜାତୀୟସ୍ତରରେ ସମୁଦାୟ ଜନସଂଖ୍ୟାର ପ୍ରାୟ ଦଶରୁ ବାର ପ୍ରତିଶତ ଆଞ୍ଚଳିକ ଭାଷାରେ ଅନଲାଇନ ସମ୍ୱାଦ ଉପଭୋକ୍ତା ଏବଂ ଦ୍ୱିତୀୟରେ ଏହି ଅନୁପାତରେ ଓଡ଼ିଶା ଭଳି ରାଜ୍ୟରେ ୪୫ ରୁ ୫୦ ଲକ୍ଷ ଯାଏଁ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଉପଭୋକ୍ତା ଆକଳନ କରାଯାଇପାରେ । ଓଡ଼ିଶା ଭଳି ରାଜ୍ୟରେ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚ ତୁଳନାରେ ଡ଼ିଜିଟାଲ ମଞ୍ଚ ସମତୁଲ ଅବସ୍ଥାରେ ପହଞ୍ଚିଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅବଶ୍ୟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ତୁଳନାରେ ଏହି ମଞ୍ଚର ବିକାଶ ନିମନ୍ତେ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ତାହା ୨୦୨୩ ସୁଦ୍ଧା ସମ୍ଭବ ହୋଇପାରି ନାହିଁ ।
ଏହି ସର୍ବେକ୍ଷଣରୁ ପ୍ରାପ୍ତ ଅନ୍ୟ ଏକ ଉଲ୍ଲେଖନୀୟ ପ୍ରସଙ୍ଗ ସ୍ଥାନୀୟ ସମ୍ୱାଦ ଉପରେ ପର୍ଯ୍ୟବସିତ । କୁହାଯାଇଛି ଯେ ଦେଶରେ ସତୁରି ପ୍ରତିଶତ ଇଣ୍ଟରନେଟ ସମ୍ୱାଦ ଉପଭୋକ୍ତା ଡ଼ିଜିଟାଲ ମଞ୍ଚରେ ସ୍ଥାନୀୟ ସମ୍ୱାଦ ଖୋଜନ୍ତି । ଏହି ଧାରା ହିନ୍ଦି ଓ ଗୁଜରାଟୀ ଭାଷାଭାଷୀଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରତିଫଳିତ । ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ସ୍ଥାନୀୟ ସମ୍ୱାଦ ପ୍ରସାରଣରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନ ଆୟ ହାନୀ ଓ ପ୍ରଯୋଜନା ଖର୍ଚ୍ଚ ବୃଦ୍ଧି ହେତୁ ବହୁ ସଂଖ୍ୟାରେ ବନ୍ଦ ହୋଇଯିବାପରେ ଡ଼ିଜିଟାଲ ମଞ୍ଚ ବିକଳ୍ପ ଭାବେ ପ୍ରତିଷ୍ଠିତ ହୋଇଥିବା ଜଣାଯାଏ । ସେହି ପ୍ରବାହ କ୍ରମଶଃ ଭାରତଭଳି ରାଷ୍ଟ୍ରକୁ ବ୍ୟାପୁଥିବା ସୁସ୍ପଷ୍ଟ ।
ଦେଖିବାକୁ ମିଳେ ଯେ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସ୍ଥାନ ପାଉନଥିବା ସ୍ଥାନୀୟ ସମସ୍ୟାଗୁଡ଼ିକ ଡିଜିଟାଲ ମଞ୍ଚରେ ବର୍ଣ୍ଣିତ ହୁଏ । ଉପଭୋକ୍ତାମାନେ ପାରିପାର୍ଶ୍ୱିକ ସମ୍ୱାଦ ଜାଣିବା ପରେ ନିଜ ଜୀବନଚର୍ଯ୍ୟା ସଜାଡ଼ିବା ସହଜପ୍ରଦ ହୋଇଥାଏ । ଏତଦ୍ୱାରା ସମାଜରେ ସ୍ୱଚ୍ଛତା ବୃଦ୍ଧି ପାଏ ଏବଂ ସମ୍ୱାଦ ମଞ୍ଚଗୁଡ଼ିକ ଉପଭୋକ୍ତାଙ୍କ ଜନଜୀବନରେ ଯୋଡ଼ି ହେବା ସୁଯୋଗ ହାସଲ କରିଥାନ୍ତି । ଫଳରେ ଡିଜିଟାଲ ମଞ୍ଚ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ।
ସ୍ଥାନୀୟ ସମ୍ୱାଦକୁ ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକ ଅଣଦେଖା କରୁଥିବା ହେତୁ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନକୁ ଉଭୟ ସ୍ଥାନୀୟ ସମ୍ୱାଦ ୱେବ ସାଇଟ ଓ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପୂରଣ କରିବାକୁ ଉଦ୍ୟମରତ । ୱେବସାଇଟ ଓ ଆପ୍ଲିକେସନ ନିର୍ମାଣ ବୈଷୟିକ କୌଶଳ ସହଜରେ ଉପଲବ୍ଧ ହେବାପରେ ସ୍ଥାନୀୟ ସମ୍ୱାଦ ପ୍ରସାରଣରେ ସ୍ଥାନୀୟ ସାମ୍ୱାଦିକମାନେ ସକ୍ରିୟ ହେଉଛନ୍ତି । ସ୍ଥାନୀୟ ସମ୍ୱାଦ ପ୍ରସାରଣ ନିମନ୍ତେ ଜାତୀୟସ୍ତରରେ ୱେ-ଟୁ-ନିଉଜ, ଲୋକାଲ, ୱାନ-ଇଣ୍ଡିଆ ଭଳି ୱେବସାଇଟଗୁଡ଼ିକ ଲୋକପ୍ରିୟତା ହାସଲ କରିଥିବା ସ୍ଥଳେ ଆଞ୍ଚଳିକସ୍ତରରେ ବହୁ ସଂଖ୍ୟକ ୱେବସାଇଟ ଓ ଆପ୍ଲିକେସନ ଉପଲବ୍ଧ । କେରଳର କୋଚି ଓ ମହାରାଷ୍ଟ୍ରର ସୋଲାପୁରଠାରେ ହ୍ୱାଟସଅପ ଗୃପ ଯୋଗେ ସ୍ଥାନୀୟ ସମ୍ୱାଦ ପ୍ରସାରଣ ଉଦାହରଣ ଚର୍ଚ୍ଚିତ ।
ଡିଜିଟାଲ ମଞ୍ଚରେ ସ୍ଥାନୀୟ ସମ୍ୱାଦ କ୍ଷେତ୍ରରେ ଉପଭୋକ୍ତାମାନଙ୍କ ମଧ୍ୟରୁ ୭୪ ପ୍ରତିଶତ ଦୃଶ୍ୟ ‘ଭିଡ଼ିଓ’ ମାଧ୍ୟମରେ ଆହରଣ କରୁଥିବା ପ୍ରକାଶ । ମାତ୍ର ୧୪ ପ୍ରତିଶତ ପାଠ୍ୟ ଓ ୧୧ ପ୍ରତିଶତ ଶ୍ରାବ୍ୟ ‘ଅଡ଼ିଓ’ ମାଧ୍ୟମ ନିର୍ବାଚ଼ନ କରିଥାନ୍ତି । ସୋସିଆଲ ମିଡ଼ିଆ ବ୍ୟବହାରରେ ୟୁଟ୍ୟୁବ ୯୩ ପ୍ରତିଶତ ଏବଂ ହ୍ୱାଟସଆପ ଭଳି ଚାଟ ଆପ୍ଲିକେସନଗୁଡ଼ିକରେ ୮୨ ପ୍ରତିଶତ ଉପଭୋକ୍ତା ସମ୍ୱାଦ ପାଇଥାନ୍ତି । ସମ୍ୱାଦ ମଞ୍ଚଗୁଡ଼ିକ ଦ୍ୱାରା ପରିଚାଳିତ ୱେବସାଇଟ ଓ ଆପ୍ଲିକେସନଗୁଡ଼ିକ ପ୍ରାୟ ୪୫ ପ୍ରତିଶତ ଉପଭୋକ୍ତା ଉପଯୋଗ କରୁଥିବା ଅନ୍ୟ ଏକ ଉଲ୍ଲେଖନୀୟ ତଥ୍ୟ ।
ଅନଲାଇନ ମଞ୍ଚରେ ସ୍ଥାନୀୟ ସମ୍ୱାଦ ସାଙ୍ଗକୁ ମନୋରଞ୍ଜନ, ଅପରାଧ ଓ ସମ୍ୱାଦ ଶିରୋନାମା ସର୍ବାଧିକ ଲୋକପ୍ରିୟ । ଏହାପରକୁ ସ୍ୱାସ୍ଥ୍ୟ, ନୂତନ କାରିଗରୀ କୌଶଳ ‘ଟେକନୋଲଜି’ ଓ ଫ୍ୟାଶନ ଗୁରୁତ୍ୱ ଲାଭ କରେ । ବିଶ୍ୱସନୀୟ ସମ୍ୱାଦ ସୂତ୍ର ଓ ସରଳ ସାବଲୀଳ ଭାଷା ସମ୍ୱାଦ ମଞ୍ଚଗୁଡ଼ିକର ସଫଳତାର ରହସ୍ୟ । ମୁଦ୍ରିତ ଓ ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ ଅନଲାଇନ ମଞ୍ଚକୁ ଉପଭୋକ୍ତା ଅପସାରଣ ପ୍ରକ୍ରିୟାରେ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ସମ୍ୱାଦ ଆହରଣ ଏବଂ ଅପେକ୍ଷାକୃତ ସହଜ, ତୁରନ୍ତ ଓ କମ ଖର୍ଚ୍ଚରେ ସଭଂବ ହୋଇପାରୁଥିବା ହେତୁ ଲୋକାଦୃତ ହେଉଥିବା ପ୍ରକାଶିତ ବିବରଣୀରେ ଦର୍ଶାଯାଇଛି ।
ସାଧାରଣରେ ଡ଼ିଜିଟାଲ ମଞ୍ଚଗୁଡ଼ିକ ବିଶ୍ୱସନୀୟତା ଦୃଷ୍ଟିରୁ ପଛରେ ପଡ଼ିଥିବା ବିଚାର କରାଯାଉଥିବା ସ୍ଥଳେ ଗୁଗୁଲ-କାନ୍ତାର ଗବେଷଣାରେ ଭିନ୍ନ ମତ ପ୍ରକାଶ ପାଇଛି । ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ କ୍ଷେତ୍ରରେ ୪୮ ପ୍ରତିଶତ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେଉଥିବା ବେଳେ ୪୮ ପ୍ରତିଶତ ସରଳ ଓ ସହଜ ଏବଂ ୪୫ ପ୍ରତିଶତ ନିଜ ବଂଧୁବାନ୍ଧବ-ପରିଚ଼ିତ ବର୍ଗରେ ‘ପିଅର ସର୍କଲ’ ଚର୍ଚ୍ଚିତ ହେଉଥିବା ହେତୁ ଆଗ୍ରହ ପ୍ରକାଶ କରୁଥିବା ପ୍ରମାଣିତ । ଡିଜିଟାଲ ସମ୍ୱାଦ ମଞ୍ଚରେ ବିଶ୍ୱସନୀୟତା ସୃଷ୍ଟି ଦିଗରେ ସମ୍ୱାଦ ଉପସ୍ଥାପକଙ୍କ ସହ ଉପଭୋକ୍ତା ପରିଚ଼ିତ ଥିବା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଅନ୍ୟ ଦୁଇ ପ୍ରଭାବ ମଧ୍ୟରେ ଗବେଷଣା ଆଧାରିତ ବିଷୟବସ୍ତୁ ଏବଂ ଦୃଶ୍ୟାବଳୀ, ଚାର୍ଟ ଓ ଗ୍ରାଫ ଭଳି ଉପସ୍ଥାପନ ଶୈଳୀ ସମ୍ୱାଦକୁ ଆକର୍ଷଣୀୟ କରୁଥିବା ପ୍ରକାଶ ।
ଗୁଗୁଲ-କାନ୍ତାର ଭାରତୀୟ ଭାଷାଭାଷୀ ଡ଼ିଜିଟାଲ ସମ୍ୱାଦ ଉପଭୋକ୍ତା ଅଧ୍ୟୟନରେ ପ୍ରତି ଦଶ ଜଣରେ ସାତ ଜଣ ସ୍ଥାନୀୟ ସମ୍ୱାଦ ପ୍ରତି ଆଗ୍ରାହାନ୍ୱିତ ଥିବା ଉପଲବ୍ଧି ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ ସାମ୍ୱାଦିକତା ପ୍ରତି ଏକ ଆହ୍ୱାନ । ଓଡ଼ିଶାରେ ପାରମ୍ପରିକ ମୁଦ୍ରିତ ଓ ଟେଲିଭିଜନ ଗଣମାଧ୍ୟମ ମଞ୍ଚଗୁଡ଼ିକ ଡ଼ିଜିଟାଲ ସମ୍ୱାଦ ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଏବଂ ସ୍ଥାନୀୟ ସମ୍ୱାଦ ପରିଚାଳନାରେ ଉତ୍କର୍ଷ ହାସଲ କରିପାରୁନଥିବା ସ୍ଥଳେ ସ୍ୱାଧୀନ ସ୍ଥାନୀୟ ସମ୍ୱାଦ ୱେବସାଇଟ ଓ ସୋସିଆଲ ମିଡ଼ିଆ ପୃଷ୍ଠାରେ ସ୍ଥାନୀୟ ସମ୍ୱାଦ ମଞ୍ଚଗୁଡ଼ିକ ଉଦ୍ୟମ କରିପାରିବେ । ଏହି କ୍ଷେତ୍ରରେ ସୃଜନ ସାଙ୍ଗକୁ ସମୟ ଓ ଆର୍ଥିକ ନିବେଶ ଗୁରୁତ୍ୱପୂର୍ଣ୍ଣ । ନୂତନ ସ୍ୱାଧୀନ ମଞ୍ଚଗୁଡ଼ିକୁ ବୁଝିବାକୁ ପଡ଼ିବ ଯେ ଅନ୍ତତଃ ପକ୍ଷେ ତିନିରୁ ପାଞ୍ଚ ବର୍ଷର ଅବିରତ ପ୍ରକାଶନ ବିନା କୌଣସି ଗଣମାଧ୍ୟମ ମଞ୍ଚ ସଫଳତା ହାସଲ କରିବା ବିରଳ ।
