ଆଜିର ଖାସ ଖବର
Sat. May 30th, 2026

ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି

By Dainikasha Dec25,2024

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେବେ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ପୁଅଙ୍କ ବିବାଦୀୟ କାର୍ଯ୍ୟ ପାଇଁ ରଘୁବର ବିବାଦଘେରକୁ ଆସିଥିଲେ। ଗତବର୍ଷ ଅକ୍ଟୋବର ୧୮ତାରିଖରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

ସୂଚନା ଅନୁସାରେ, ମିଜୋରାମର ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡଃ କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରୁ ମିଜୋରାମର ରାଜ୍ୟପାଳ ଅଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ।

୧୯୫୩ ମସିହା ଜୁନ୍ ୧୫ ତାରିଖରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମିତ କମ୍ଭାମପତି ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଂଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଂଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ବର୍ଷ ଧରି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।

ଅନ୍ୟପକ୍ଷରେ, ଝାଡ଼ଖଣ୍ଡର ବିଜେପି ନେତା ରଘୁବର ଦାସଙ୍କୁ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ମିଳିନାହିଁ। ଝାଡ଼ଖଣ୍ଡରେ ବିଜେପିର ପରାଜୟ ପଛରେ ରଘୁବର ଦାସ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ମୂଳକାରଣ ବୋଲି ଚର୍ଚ୍ଚା ହେଉଛି। ତା’ଛଡ଼ା ଜଣେ ଓଡ଼ିଆ ଏଏସଓଙ୍କ ପ୍ରତି ରାଜ୍ୟପାଳଙ୍କ ପୁଅର ଅମାନବୀୟ ଆଚରଣକୁ ନେଇ ରାଜ୍ୟର ବିଜେପି ସରକାରକୁ ମଧ୍ୟ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା।

Related Post