ଆଜିର ଖାସ ଖବର
Thu. Apr 16th, 2026

ମନୋମୋହନ ସିଂ ଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକ

By Odisha Dainikasha Dec27,2024
Manmohan Singh

ଭୁବନେଶ୍ୱର ତା ୨୬/୧୨ ରିଖ :- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଙ୍କ ବିୟୋଗରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି।ଶ୍ରୀଯୁକ୍ତ ପଟ୍ଟନାୟକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଶୋକ ବାର୍ତ୍ତାରେ କହିଛନ୍ତି କି ଡକ୍ଟର ମନୋମୋହନ ସିଂ ଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହିତ କରିଛି।ସେ ତାଙ୍କ ସାଙ୍ଗରେ ମିଶିବାର ସୁଯୋଗ ପାଇଛନ୍ତି। ଏକ ବିଂଶ ଶତାବ୍ଦୀର ସଫଳ ପ୍ରଧାନମନ୍ତ୍ରୀ ଥିଲେ ଡକ୍ଟର ମନୋମୋହନ ସିଂ।ଭାରତର ଅର୍ଥନୈତିକ ବିକାଶର ମୂଳଦୁଆ ପକାଇଥିଲେ ଡକ୍ଟର ସିଂ।ଗୋଟିଏ ସମୟରେ ଭାରତର ଅର୍ଥନୀତି ଦୁର୍ଦ୍ଦଶା ଗ୍ରସ୍ତ ଥିବା ବେଳେ ୧୯୯୧ ମସିହାରେ ଅର୍ଥ ମନ୍ତ୍ରୀ ଭାବେ ଅର୍ଥନୀତିର ନବଜୀବନ ଦେଇଥିଲେ।ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ହୋଇ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ,ଗରିବ ଲୋକଙ୍କ ବିକାଶ ପାଇଁ ତାଙ୍କର ଉଦ୍ୟମ, ପରାମର୍ଶ ଏବଂ ତାଙ୍କର ନୀତି ଭାରତର ନୂତନ ଦିଗଦର୍ଶନ ଦେଖାଇଥିଲା।ଆଜି ଭାରତ ବର୍ଷର ଗରିବ ଲୋକ,ମଧ୍ୟବିତ୍ତ ଲୋକ ଙ୍କ ବିକାଶ ପାଇଁ ଯେତେ ଗୁଡ଼ିଏ ଲୋକାଭିମୁଖୀ ଯୋଜନା କରାଯାଇଛି ତାଙ୍କରି ଅର୍ଥମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ହୋଇଛି । ତାଙ୍କରି ପ୍ରଧାନମନ୍ତ୍ରୀତ୍ଵ କାଳରେ ଅସାଧାରଣ ଆର୍ଥିକ ବୃଦ୍ଧି ଓ ଉନ୍ନତି ହୋଇଥିଲା ଅନ୍ୟମାନେ ବାହାଦୂରୀ ନେଇ ପାରନ୍ତି କିନ୍ତୁ ନୂଆ ନୀତି ଅବଲମ୍ବନ କରି ସେ ଭାରତର ବିକାଶ କରିବା ପାଇଁ ସର୍ବଦା ଉଦ୍ୟମ କରିଛନ୍ତି ଏବଂ ସଫଳ ହୋଇଛନ୍ତି।

ସେ କେବଳ ଜଣେ ରାଜନେତା ନୁହେଁ,ସେ ଜଣେ ଅର୍ଥନୀତିଜ୍ଞ ଓ ଜନସେବକ ଥିଲେ ତାଙ୍କ ଜ୍ଞାନ ଓ ମୂଲ୍ୟବୋଧ ଆମକୁ ସଦା ପ୍ରେରଣା ଦେବ।ତାଙ୍କ ବିୟୋଗ ବିଶେଷକରି ଅର୍ଥନୀତି କ୍ଷେତ୍ରରେ ଏବଂ ରାଜନୀତି କ୍ଷେତ୍ରରେ ଅପୂରଣୀୟ କ୍ଷତି।ଦେଶ ପ୍ରତି ତାଙ୍କ ଅବଦାନ ଏବଂ ଜନସେବା ପ୍ରତି ତାଙ୍କର ଉତ୍ସଗ୍ରିକୃତ ସେବା ସର୍ବଦା ସ୍ମରଣୀୟ ହୋଇ ରହିବ ।ସେ ସର୍ବଦା ଆମ ହୃଦୟରେ ବଞ୍ଚି ରହିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ବୋଲି ପୂର୍ବତନ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

Related Post