ଆଜିର ଖାସ ଖବର
Thu. Apr 16th, 2026

HMPV ସମୀକ୍ଷା ବୈଠକ: ସରକାର ସଜାଗ ଅଛନ୍ତି, ଆତଙ୍କିତ ହୁଅନ୍ତୁନି

ଭୁବନେଶ୍ୱର, ତା.୧୫/୦୧: ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂପର୍କିତ ଏକ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜନସାଧାରଣ ଏଚ୍‌ଏମ୍‌ପିିଭି ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ କୁହାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି । ଅଦ୍ୟାବଧି ଏଚ୍‌ଏମ୍‌ପିଭିର କୌଣସି ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହୋଇନାହିଁ । ତା’ ସତ୍ତ୍ୱେ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଇଡିଏସ୍‌ପି, ଏନ୍‌ସିଡିସି (Integrated Disease Surveillance Programme, National Centre for Disease Control) (IDSP – NCDC)ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସମସ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଏମସ୍‌, ଭୁବନେଶ୍ୱର, ଆର୍‌ଏମ୍‌ଆର୍‌ସି, ଭୁବନେଶ୍ୱର, ଆଇ.ଏଲ୍‌.ଏସ୍‌, ଭୁବନେଶ୍ୱର ପ୍ରଭୃତି ପ୍ରମୁଖ ଅନୁଷ୍ଠାନ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ତେଣୁ ଜନସାଧାରଣ ତଥା ଗଣମାଧ୍ୟମ ଅଯଥା ବ୍ୟସ୍ତବିବ୍ରତ କିମ୍ବା ବିଚଳିତ ହେବାର କୌଣସି କାରଣ ନାହିଁ । ବ୍ୟାପକ ଜନସଚେତନତା ଓ ସତର୍କତା ଦ୍ୱାରା ସଂକ୍ରମଣକୁ ସହଜରେ ପ୍ରତିହତ କରାଯାଇପାରେ । ତେଣୁ, ସଦାସର୍ବଦା ବ୍ୟକ୍ତିଗତ ତଥା ପରିବେଶର ପରିଷ୍କାରପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ସଚେତନ ହେଲେ ସୁରକ୍ଷିତ ରହିବା । ଏହି ବୈଠକରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର, ଡିଏମ୍‌ଇଟି ଡ. ସନ୍ତୋଷ କୁମାର ମିଶ୍ର, ଭାରତ ସରକାରଙ୍କ ଆଞ୍ଚଳିକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଡ. ସୁମିତ୍ରା ସାସମଲ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍‌ ଲିଡ୍‌ ଡ. ନିହାର ରାୟ, ଆର୍‌ଏମ୍‌ଆର୍‌ସିର ଡ. ଶୁଭ୍ର ସୁଭଦ୍ରା, ଡ. ଇରା ପ୍ରହରାଜ, ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଡ. ପ୍ରମିଳା ବରାଳ, ଏପିଏଚ୍‌ଓ ଡ. ବିଶ୍ୱରଞ୍ଜନ ଦାସ, ଉପଶାସନ ସଚିବ ଅରୁଣା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post