ଆଜିର ଖାସ ଖବର
Mon. Apr 20th, 2026

ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରୀଷ୍ମ ସୁରକ୍ଷା ମାର୍ଗଦର୍ଶିକା ଜାରି

By Admin_Dainkasha Apr23,2025
TPSODL Issues Summer Safety Advisory: Urges Public to Stay Safe from Heat and Electrical Risks
TPSODL Issues Summer Safety Advisory: Urges Public to Stay Safe from Heat and Electrical Risks
— ଖରା ଏବଂ ବୈଦ୍ୟୁତିକ ଉପକରଣଠାରୁ ସୁରକ୍ଷିତ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ

ବ୍ରହ୍ମପୁର, ଏପ୍ରିଲ ୨୦୨୫: ସମଗ୍ର ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଖରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ସମ୍ଭାବ୍ୟ ବିଦ୍ୟୁତ ବିପଦରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ବ୍ୟାପକ ଗ୍ରୀଷ୍ମ କାଳୀନ ସୁରକ୍ଷା ମାର୍ଗଦର୍ଶିକା ଜାରି କରିଛି।

ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁଛି। ତେଣୁ ଜନସାଧାରଣ ଏନେଇ ସତର୍କ ରହିବା, ସୁସ୍ଥ ଅଭ୍ୟାସ ଆପଣାଇବା ଏବଂ ସୁରକ୍ଷା ନିୟମାବଳୀ ପାଳନ କରିବା ଜରୁରୀ ହୋଇପଡିଛି । ଟିପିଏସ୍ଓଡିଏଲ୍ ଏହାର ବିତରଣ ନେଟୱାର୍କକୁ ସୁଦୃଢ଼ କରିବା ଏବଂ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହି ବର୍ଦ୍ଧିଷ୍ଣୁ ତାପମାତ୍ରା ଯୋଗୁଁ ବିପଦକୁ ହ୍ରାସ କରିବାରେ ଜନସଚେତନତା ଏବଂ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

ଟିପିଏସ୍ଓଡିଏଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପ :
ଗ୍ରୀଷ୍ମ ଚାହିଦାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ଏହାର ଭିତ୍ତିଭୂମିକୁ ଉନ୍ନତ କରିଛି। ଏଥିରେ ନିମ୍ନ ପଦକ୍ଷେପ ସାମିଲ ଅଛି:
— ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ
— ବିଜୁଳି ସମ୍ବନ୍ଧୀୟ ସମସ୍ୟାର ତ୍ୱରିତ ସମାଧାନ ପାଇଁ କୁଇକ୍ ରେସପନ୍ସ ଟିମ୍ ନିୟୋଜିତ
— ଟ୍ରାନ୍ସଫର୍ମର ଏବଂ ସବଷ୍ଟେସନଗୁଡ଼ିକର ନିୟମିତ ତଦାରଖ ଓ ରକ୍ଷଣାବେକ୍ଷଣ
— ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସୁରକ୍ଷା ସଚେତନତା ବୃଦ୍ଧି

ଗ୍ରୀଷ୍ମ ସୁରକ୍ଷା ନିୟମାବଳୀ
ଉତ୍ତମ ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିମ୍ନ ଲିଖିତ ପରାମର୍ଶଗୁଡ଼ିକୁ ପାଳନ କରିବାକୁ  ଟିପିଏସ୍ଓଡିଏଲ୍ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

କଣ କରିବେ:
— ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଦିନରେ ଶରୀରର ଜଳୀୟ ଅଂଶକୁ ବଜାୟ ରଖନ୍ତୁ।
— ଶରୀରକୁ ଥଣ୍ଡା ରଖିବା ପାଇଁ ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ।
— ପଙ୍ଖା, ଶୀତତାପ ନିୟନ୍ତ୍ରକ, କୁଲର୍ ଇତ୍ୟାଦି ଉଚିତ ଢଙ୍ଗରେ ବ୍ୟବହାର କରନ୍ତୁ।
— ଶକ୍ତି ସଂରକ୍ଷଣ କରନ୍ତୁ।
— ଓଭରଲୋଡ଼ିଂ ନହେବା ପାଇଁ ଆବଶ୍ୟକ ନଥିବା ସମୟରେ ବିଦ୍ୟୁତ ଉପକରଣକୁ ସ୍ଵିଚ୍ ଅଫ୍ କରନ୍ତୁ।
— ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ, ସବ ଷ୍ଟେସନ ଇତ୍ୟାଦି ବିଦ୍ୟୁତ ଭିତ୍ତିଭୂମିଠାରୁ ସୁରକ୍ଷିତ ଦୂରତା ଅବଲମ୍ବନ କରନ୍ତୁ।
— ଘରୁ ବାହାରକୁ ଯିବା ସମୟରେ ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ ଟୋପି, ଛତା ଏବଂ ସନ୍ ଗ୍ଲାସ୍ ବ୍ୟବହାର କରନ୍ତୁ।

କଣ କରିବେ ନାହିଁ:
— ଦିନର ସର୍ବୋଚ୍ଚ ତାପମାତ୍ରା ଥିବା ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ।
— ଓଦା ହାତରେ କିମ୍ବା ଖାଲି ପାଦରେ ବିଦ୍ୟୁତ ଉପକରଣ, ଖୁଣ୍ଟ କିମ୍ବା ବିଦ୍ୟୁତ ତାରକୁ ସ୍ପର୍ଶ କରନ୍ତୁ ନାହିଁ।
— ଖରା ଦିନେ ଅତ୍ୟଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ।
— ବିଦ୍ୟୁତ ସକେଟରେ ଏକାଧିକ ଉଚ୍ଚ- ଶକ୍ତିସମ୍ପନ୍ନ ଉପକରଣ ଲଗାଇ ଓଭରଲୋଡ କରନ୍ତୁ ନାହିଁ।
— ଓଭରହେଡ ବିଦ୍ୟୁତ ତାର ନିକଟରେ ଗୁଡ଼ି ଉଡାନ୍ତୁ ନାହିଁ କିମ୍ବା କପଡ଼ା ଶୁଖାନ୍ତୁ ନାହିଁ।
— ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା କିମ୍ବା ଅତ୍ୟଧିକ ମୁଣ୍ଡବିନ୍ଧା ଇତ୍ୟାଦି  ଅଂଶୁଘାତର ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହା ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ସଠିକ୍ ସମୟରେ ସୂଚନା ଦେବା ସହ ସଚେତନତା ସୃଷ୍ଟି କରି ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଉଦ୍ଦେଶ୍ୟ। ବର୍ଦ୍ଧିଷ୍ଣୁ ତାପମାତ୍ରାରୁ  ରକ୍ଷା ପାଇବା ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସମସ୍ତେ ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ଏଭଳି ସମୟରେ ପରସ୍ପର ସହଯୋଗ କରନ୍ତୁ। ପ୍ରତ୍ୟେକ ଉପଭୋକ୍ତାଙ୍କୁ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିଜୁଳି ଯୋଗାଣ ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି।”

ଟିପିଏସ୍ଓଡିଏଲ୍ ଏହି ପରିସ୍ଥିତିକୁ ଟିକିନିଖି ତଦାରଖ କରୁଅଛି ଏବଂ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ବିଭାଗୀୟ ଯୋଗାଯୋଗ ଚ୍ୟାନେଲ ମାଧ୍ୟମରେ ସୂଚନା ପାଇବା ଏବଂ ଟିପିଏସ୍ଓଡିଏଲର ହେଲ୍ପ ଲାଇନ୍ ନମ୍ବର ୧୯୧୨ କିମ୍ବା ୧୮୦୦୨୦୨୬ ମାଧ୍ୟମରେ ବୈଦ୍ୟୁତିକ ତ୍ରୁଟି କିମ୍ବା ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି।

Related Post