ଆଜିର ଖାସ ଖବର
Sat. May 30th, 2026

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବୁଲିଲେ ଓଡ଼ିଶାର ଟାଟା ଷ୍ଟିଲ ୟାଟ୍ସ ବିଜେତା

By Admin_Dainkasha Jun2,2025
YATS Winners Explore ISRO
YATS Winners Explore ISRO

ଭୁବନେଶ୍ୱର, ୩୦/୦୫/୨୦୨୫: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୪ର ବିଜେତାମାନେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣ କରି ଫେରିଛନ୍ତି। ଏହି ଯାତ୍ରାରେ ସେମାନେ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଆଏସଟିଆରଏସି) ଓ ୟୁ ଆର ରାଓ ଉପଗ୍ରହ କେନ୍ଦ୍ର (ୟୁଆରଏସସି) ପରିଦର୍ଶନ କରିଥିଲେ।

୫ ଦିନିଆ ଯାତ୍ରାରେ ଛାତ୍ରଛାତ୍ରୀମାନେ ଇସ୍ରୋର ଆଇଏସଟିଆରଏସି ଓ ୟୁଆରଏସସି ପରିଭ୍ରମଣ କରି ଉପଗ୍ରହ, ଟେଲିମେଟ୍ରି ଓ ମିଶନ ଯୋଜନାର ଦୁନିଆ ବିଷୟରେ ଅନେକ ଜ୍ଞାନ ଆହରଣ କରିଥିଲେ।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ଓ ଟାଟା ଷ୍ଟିଲ୍ ସହଯୋଗିତାରେ ଆୟୋଜିତ ହେଉଥିବା ୟାଟ୍ସର ଉଦ୍ଦେଶ୍ୟ ହେଉଛି, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହାକାଶ ଅନୁସନ୍ଧାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଅଭିଳାଷକୁ ସମୃଦ୍ଧ କରିବା।

ୟାଟ୍ସ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନେ ଇସ୍ରୋର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇଥିଲେ। ଛାତ୍ରଛାତ୍ରୀମାନେ ଆଇଏସଟିଆରଏସିର ଉପ ନିର୍ଦ୍ଦେଶକ ଏମ ଆର୍ ରାଘବେନ୍ଦ୍ର ଓ ଏଚ୍ଆରଏଲଡିର ଡିଭିଜନ ହେଡ୍, ବୈଜ୍ଞାନିକ ତଥା ଇଞ୍ଜିନିୟର-(ସିନିୟର ଗ୍ରେଡ),  ଶ୍ରୀ ବି ଶଙ୍କର ମଦାସ୍ଵାମୀଙ୍କ ସହ ଭାରତୀୟ ମହାକାଶ ମିଶନ ଓ ଅତ୍ୟାଧୁନିକ ଗବେଷଣା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଯାତ୍ରାର ଅଂଶ ଥିବା ମୟୂରଭଞ୍ଜ ଜିଲ୍ଲା ରାଣୀଭୋଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅରୁଜ୍ୟୋତି ପ୍ରଧାନ ନିଜ ଅନୁଭୂତିରୁ କହିଛନ୍ତି, ‘ବୈଜ୍ଞାନିକମାନଙ୍କୁ ଭେଟିବା, ମିଶନ କଂଟ୍ରୋଲ ରୁମରେ ପ୍ରବେଶ କରିବା ଏବଂ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତିକୁ ଆଖି ଆଗରେ ଦେଖିବା ମୋ ଜୀବନର ସବୁଠୁ ଗର୍ବ ଓ ପ୍ରେରଣାର ସ୍ମୃତି। ଏହି ପରିଭ୍ରମଣରୁ କେବଳ ଜ୍ଞାନ ନୁହେଁ, ଅଭୁଲା ସ୍ମୃତି ପାଇବା ସହ ଭଲ ବନ୍ଧୁ ଏବଂ ବଡ଼ ସ୍ୱପ୍ନ ଦେଖିବାର ସତେଜ ଆଶା ନେଇ ଫେରିଛୁ।’

 ୟାଟ୍ସ ବିଜେତାମାନେ ବିଶ୍ୱେଶ୍ୱରାୟ ଶିଳ୍ପ ଓ ପ୍ରଯୁକ୍ତି ସଂଗ୍ରହାଳୟ ପରିଦର୍ଶନ କରିଥିଲେ, ଯାହା ବିଜ୍ଞାନ ଓ ନବସୃଜନ ସମ୍ପର୍କରେ ଆହୁରି ଅଧିକ ଜାଣିବାର ସୁଯୋଗ ପାଇଥିଲେ।

ଏହି ଯାତ୍ରା ସମ୍ପର୍କରେ ଅନୁଗୁଳ ଜିଲ୍ଲା ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରୀତିକା ପ୍ରିୟଦର୍ଶିନୀ କହିଛନ୍ତି, ‘ଇସ୍ରୋ ଓ ବିଶ୍ୱେଶ୍ୱରାୟ ଶିଳ୍ପ ଓ ପ୍ରଯୁକ୍ତି ସଂଗ୍ରହାଳୟ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଟାଟା ଷ୍ଟିଲ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମକୁ କୃତଜ୍ଞତା ଜଣାଉଛୁ। ଏହି ପରିଦର୍ଶନର ଅନୁଭୂତି, ଶିକ୍ଷା ଓ ଅନେକ ଉତ୍ସାହରେ ପରିପୂର୍ଣ୍ଣ ଥିଲା। ଏହା ଆମକୁ ଏଭଳି କିଛି ଅନୁଭୂତି ପ୍ରଦାନ କରିଛି, ଯାହାକୁ ହାସଲ କରିବା ଅତ୍ୟନ୍ତ କଷ୍ଟକର ହୋଇଥାନ୍ତା। ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବା ଏବଂ ମିଶନ କଂଟ୍ରୋଲ ରୁମ ପରିଦର୍ଶନ କରିବାର ଅନୁଭୂତି ଆମ ସହ ସାରା ଜୀବନ ରହିବ।‘

ଏହି ଯାତ୍ରାରେ ସାମିଲ ହୋଇଥିବା ଅନୁଗୁଳର ଶିକ୍ଷକ ଆଲୋକ କୁମାର ସାହୁ କହିଛନ୍ତି ଯେ, ‘ଏହି ଅନୁଭବ ପିଲାମାନଙ୍କ ଜ୍ଞାନର ପରିସୀମାକୁ ବ୍ୟାପକ କରିଛି। ଏଭଳି ଏକ ପ୍ରମୁଖ ଅନୁଷ୍ଠାନ ପରିଦର୍ଶନ କରିବା ନିଶ୍ଚିତ ରୂପେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବ। ଆମ ପିଲାମାନେ ଏବେ ବିଜ୍ଞାନକୁ ବାସ୍ତବତା ଭାବେ ଦେଖୁଛନ୍ତି ଏବଂ କେବଳ ପାଠ୍ୟପୁସ୍ତକର ଥିଓରି ନୁହେଁ ତାହା ହାତ ମୁଠାରେ ପାଇବା ମଧ୍ୟ ସମ୍ଭବ ହୋଇପାରିବ ବୋଲି ଭାବୁଛନ୍ତି।

ଚଳିତ ବର୍ଷ ୟାଟ୍ସ ବିଷୟବସ୍ତୁ ଥିଲା ‘ମହାକାଶ ଆପଣଙ୍କ ପରବର୍ତ୍ତୀ ଭ୍ରମଣ ସ୍ଥଳ କି? ଏହି ପ୍ରତିଯୋଗିତାରେ ସାରା ଓଡ଼ିଶାରୁ ୭୧,୦୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଜେତାମାନଙ୍କୁ ସେମାନଙ୍କ ସୃଜନଶୀଳତା, ବୈଜ୍ଞାନିକ ଭାବନା ଏବଂ ଚିନ୍ତାଧାରାର ଉପସ୍ଥାପନା ଆଧାରରେ ଚୟନ କରାଯାଇଥିଲା।

୨୦୨୫ ମେ’ ୨୩ ତାରିଖରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମ ଅଧ୍ୟକ୍ଷା ଆଇଏଏସ ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କ ଦ୍ୱାରା ଏହି ଶିକ୍ଷଣୀୟ ପରିଭ୍ରମଣର ଶୁଭାରମ୍ଭ ହୋଇଥିଲା। ଅନ୍ୟତମ ଅତିଥି ଭାବେ ପଠାଣୀ ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା ଓ ଟାଟା ଷ୍ଟିଲ କର୍ପୋରେଟ କମୁନିକେସନ୍ସ ଚିଫ୍ ସର୍ବେସ କୁମାର ଉପସ୍ଥିତ ଥିଲେ। ୟାଟ୍ସ କାର୍ଯ୍ୟକ୍ରମ ୧୮ତମ ବର୍ଷରେ ପହଂଚିଥିବା ବେଳେ ଏଥିରେ ସାରା ଓଡ଼ିଶାର ୪.୭୧ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ସାମିଲ ହୋଇପାରିଛନ୍ତି। ଏହାସହ ଚଳିତବର୍ଷ ଇସ୍ରୋ ପରିଭ୍ରମଣ କରିଥିବା ଛାତ୍ରଛାତ୍ରୀଙ୍କ ସମେତ ସମୁଦାୟ ୨୩୦ ଛାତ୍ରଛାତ୍ରୀ ବିଭିନ୍ନ ଇସ୍ରୋ କେନ୍ଦ୍ର ପରିଦର୍ଶନ କରିବା ସହ ସେ ସମ୍ପର୍କିତ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଛନ୍ତି। 

Related Post