ଆଜିର ଖାସ ଖବର
Sat. May 30th, 2026

ଇରେଡା ସିଏମଡିଙ୍କ ପକ୍ଷରୁ ସିଆଇଆଇ ବ୍ୟାଙ୍କିଂ ସମ୍ମିଳନୀରେ ପୂର୍ବ ଭାରତର ଅକ୍ଷୟ ଶକ୍ତି ସମ୍ଭାବନା ଉପରେ ଆଲୋକପାତ

By Admin_Dainkasha Sep11,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ କୋଲକାତାରେ ଅନୁଷ୍ଠିତ ୧୮ତମ ସିଆଇଆଇ ବ୍ୟାଙ୍କିଂ ସମ୍ମିଳନୀର ‘ବିକଶିତ ଭାରତ ପାଇଁ ଫାଇନାନ୍ସ: ଏକ ପୂର୍ବାଚଂଳ ଦୃଷ୍ଟିକୋଣ’ ଶୀର୍ଷକ ସିଇଓ ରାଉଣ୍ଡ ଟେବୁଲରେ ଅଂଶଗ୍ରହଣ କରି ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲରେ ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।
ଶ୍ରୀ ଦାସ କହିଛନ୍ତି ଯେ ୨୦୨୫ ଜୁଲାଇ ସୁଦ୍ଧା ପୂର୍ବ ଭାରତରେ ସ୍ଥାପିତ ଶକ୍ତି କ୍ଷମତାର ମାତ୍ର ୨୦ ପ୍ରତିଶତ ଅକ୍ଷୟ ଶକ୍ତି ହୋଇଥିବା ବେଳେ ଜାତୀୟ ହାର ହେଉଛି ୪୮ ପ୍ରତିଶତ। ସୋଲାର, ପମ୍ପଡ ଷ୍ଟୋରେଜ, ବ୍ୟାଟେରି ଷ୍ଟୋରେଜ ଓ ଗ୍ରିନ ହାଇଡ୍ରୋଜେନ୍ କ୍ଷେତ୍ରରେ ଏହି ଅଂଚଳରେ ହାସଲ ହୋଇ ନଥିବା ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀ ଦାସ କହିଥିଲେ ଯେ ଅଭିବୃଦ୍ଧିର ମୁଳଦୁଆ ହେଉଛି ପ୍ରଶାସନ ଏବଂ ଇରେଡାର ଏହା ପ୍ରଶାସନିକ ଢାଂଚାକୁ ବେଶ ସୁଦୃଢ଼ କରିପାରିଛି। ସେ କହିଥିଲେ ଯେ ୩୮ ବର୍ଷର ଯାତ୍ରାରେ ଇରେଡା ୧.୬୩ ଲକ୍ଷ କୋଟି ଟଙ୍କା ଆବଂଟନ କରିଥିବା ବେଳେ ମାତ୍ର ୧୩୫ କୋଟି ଟଙ୍କା ରାଇଟ-ଅଫ କରିଛି ଯାହା ଏହାର ଦୃଢ଼ ଋଣ ଅସୁଲ ପ୍ରକ୍ରିୟାକୁ ଦର୍ଶାଊଛି। ଅସୁଲ ହେବା ଗୁରୁତ୍ୱପୂର୍ଣ୍ଣ। ପ୍ରଶାସନିକ ଢାଂଚା ସହ ଅଭିବୃଦ୍ଧି ହେବା ଦରକାର। ପ୍ରକଳ୍ପର ଗୁଣାତ୍ମକ ମାନ ଅନୁଶୀଳନରେ ଆମର ଦୃଢ଼ତା ରହିଛି ଯେଉଁଥିରେ ଆମେ ଗ୍ରିନ ହାଇଡ୍ରୋଜେନ, ବ୍ୟାଟେରି ଷ୍ଟୋରେଜ ଓ ସୋଲାର ମାନୁଫାକଚରିଂ ଭଳି ବିପଦ ଭଲ ଭାବେ ଜଣାପଡ଼ୁନଥିବା କ୍ଷେତ୍ରରେ ମଧ୍ୟ ଦୃଢ଼ ନିଷ୍ପତି ନିଆଯାଉଥିବା ସେ କହିଥିଲେ।
ସେ କହିଛନ୍ତି ଯେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟର ଅଣ ଜୀବାଶ୍ମ ଶକ୍ତି କ୍ଷମତା ହାସଲ କରିବା ପାଇଁ ୩୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ପଡ଼ିବ ଏବଂ ଗ୍ରିନ ମାନୁଫାକଚରିଂ, ରପ୍ତାନି ଓ ଯୁବ ଉଦ୍ୟମିତାରେ ପୂର୍ବ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଥିଲେ।
ବର୍ତମାନ ଅଗ୍ରଗତି ସ୍ତରରେ ରହିଥିବା ଏକ ବ୍ୟାପକ ସବୁଜ ଟିକସ ଫ୍ରେମୱର୍କର ଆବଶ୍ୟକତା ଉପରେ ଇରେଡା ସିଏମଡି ଶ୍ରୀ ଦାସ ଆଲୋକପାତ କରିଥିଲେ ଯାହା ସ୍ଥାୟୀ ନିବେଶ ଉପରେ ବୈଧାନିକ ବ୍ୟବସ୍ଥାକୁ ସ୍ପଷ୍ଟ କରିବ। ଇସ୍ପାତ ଓ ସିମେଂଟ ଭଳି କ୍ଷେତ୍ରର ନିର୍ଭରଶୀଳତା ସବୁଜ ଶକ୍ତି ଉପରେ ବଢ଼ୁଛି ଏବଂ ମାପ କରାଯାଇପାରୁଥିବା ସ୍ଥାୟିତ୍ୱ ଅଗ୍ରଗତିକୁ ପ୍ରଦର୍ଶନ କରିବା ଲାଗି ଇଏସଜି ରିପୋର୍ଟିଂକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଇରେଡାର ଭୂମିକା ଉପରେ ଦୃଷ୍ଟିପାତ କରି ସେ ଜଣାଇଥିଲେ ଯେ ଇରେଡା ହେଉଛି ଭାରତର ସର୍ବବୃହତ ଗ୍ରିନ ଏନବିଏଫସି ଯାହା ୩୦ ଗିଗାୱାଟରୁ ଅଧିକ କ୍ଷମତା ପାଇଁ ଫାଇନାନ୍ସ ପ୍ରଦାନ କରିଛି। ଉଦ୍ଦେଶ୍ୟ, ଦୃଢ଼ତା ଓ ଏମଏନଆରଇ ଓ ଇରେଡାର ଭାବନକୁ ନେଇ ଆମେ ସ୍ଥାୟୀ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା, ଉଦୀୟମାନ ପ୍ରଯୁକ୍ତିର ବିପଦ କମ୍ କରିବା ଏବଂ ବିକଶିତ ଭାରତ ୨୦୪୭ ପାଇଁ ଭାରତର ଯାତ୍ରାକୁ ସମର୍ଥନ କରିବା ଜାରି ରଖିବୁ ବୋଲି ସେ କହିଥିଲେ।

Related Post