ଆଜିର ଖାସ ଖବର
Tue. Apr 28th, 2026

ଟିପିସିଓଡିଏଲ୍ ପକ୍ଷରୁ ସାଲେପୁରର କୁରୁଜଙ୍ଗ ଗାଁରେ ସୁଲଭ ମୂଲ୍ୟରେ ରୁଫଟପ୍ ସୋଲାର ସ୍ଥାପନ

By Admin_Dainkasha Oct23,2025

ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ସ୍ଥାପନକୁ ତ୍ୱରାନ୍ୱିତ କରିଛି। ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ପରିବାରମାନଙ୍କୁ ସ୍ୱଚ୍ଛ, ଭରସାଯୋଗ୍ୟ ଓ ଶସ୍ତା ଶକ୍ତି ଯୋଗାଇବା ସହିତ ଉଚ୍ଚ ଗୁଣମାନ ଓ ସୁରକ୍ଷିତ ସ୍ଥାପନା ସୁନିଶ୍ଚିତ କରିବା।

ୟୁଏଲ୍‌ଏ ମଡେଲ୍ ଅଧୀନରେ, ଟିପିସିଓଡିଏଲ୍ ଏକ ସୁବିଧା ପ୍ରଦାନକାରୀ ଭାବରେ କାର୍ଯ୍ୟ କରେ। ଏହା ଗ୍ରାହକଙ୍କ ଚାହିଦାକୁ ଏକାଠି କରି, ବୈଷୟିକ କାର୍ଯ୍ୟାନ୍ୱୟନ ଉପରେ ନଜର ରଖେ ଏବଂ ଗାଁ ଗୁଡ଼ିକରେ ରୁଫଟପ୍ ସୋଲାର ପ୍ରଣାଳୀର ସହଜ ସ୍ଥାପନାକୁ ସୁନିଶ୍ଚିତ କରେ। ଏହି ପଦ୍ଧତି ଶୀଘ୍ର କାର୍ଯ୍ୟକାରିତା, ମାନକ ଗୁଣବତ୍ତା ପାଳନ ଏବଂ ଉପଭୋକ୍ତାଙ୍କ ପାଇଁ ଅଧିକ ସୁବିଧା ନିଶ୍ଚିତ କରିପାରିଛି।

ଏହି ପଦକ୍ଷେପର ଅଂଶ ସ୍ୱରୂପ, ସାଲେପୁର ଡିଭିଜନ ଅନ୍ତର୍ଗତ କୁରୁଜଙ୍ଗ ପ୍ରଥମ ଗ୍ରାମ ଭାବେ ଉପକୃତ ହୋଇଛି, ଯେଉଁଠାରେ ୧୮ଟି ପରିବାର ପ୍ରତ୍ୟେକ ୮୭୬୪ ଟଙ୍କା ମୂଲ୍ୟରେ ରୁଫଟପ୍ ସୋଲାର ପ୍ରଣାଳୀ ସ୍ଥାପନ କରିଛନ୍ତି। ଏଥିରେ ୧ କିଲୋୱାଟର ସଂଯୋଗ ପାଇଁ ୫୦୦୦ ଟଙ୍କା ଓ ୩୭୬୪ ଟଙ୍କାର ଏକ ଅତିରିକ୍ତ ସୋଲାର ମିଟର ଚାର୍ଜ ଓ ମାଗଣାରେ ନେଟ୍ ମିଟର ସ୍ଥାପନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗାଁର ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବା ସହିତ, ପାୱାର ଗ୍ରୀଡ୍ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ବିଦ୍ୟୁତ୍ ଖର୍ଚ୍ଚ କମ କରିବାରେ ସାହାଯ୍ୟ କରିଛି। ଏକ କିଲୋୱାଟର ସୌର ପ୍ଲାଣ୍ଟ ପ୍ରତି ମାସରେ ପ୍ରାୟ ୧୦୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିପାରିବ, ଯାହା ପରିବାରକୁ ବାର୍ଷିକ ପ୍ରାୟ ୫୦୦୦ ଟଙ୍କାର ସଞ୍ଚୟ କରିବାକୁ ସକ୍ଷମ କରିବା ସହିତ ଏକ ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି କରିବାରେ ଯୋଗଦାନ କରିବ।

ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ ମାଧ୍ୟମରେ, ଆମେ ଗ୍ରାମୀଣ ପରିବାରଗୁଡ଼ିକୁ ଦୀର୍ଘସ୍ଥାୟୀ ଏବଂ କମ ଖର୍ଚ୍ଚରେ ସୌରଶକ୍ତି ସମାଧାନ ଗ୍ରହଣ କରିବାକୁ ସକ୍ଷମ କରୁଛୁ। ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ କୁରୁଜଙ୍ଗ ଗ୍ରାମର ସଫଳତା ସବୁଜ ଶକ୍ତିର ବର୍ଦ୍ଧିତ ଗ୍ରହଣୀୟତା ଏବଂ ଏକ ଆତ୍ମନିର୍ଭରଶୀଳ ଏବଂ ଦୀର୍ଘସ୍ଥାୟୀ ଓଡ଼ିଶା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।”

ଏହିଭଳି ପଦକ୍ଷେପ ସହିତ, ଟିପିସିଓଡିଏଲ୍ ଓଡ଼ିଶାର ନବୀକରଣୀୟ ଶକ୍ତି ପରିବର୍ତ୍ତନକୁ ଆଗକୁ ବଢ଼ାଇବା ସହିତ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବା ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟରେ ଯୋଗଦାନ ଦେବାରେ ଏହାର ଭୂମିକାକୁ ସୁଦୃଢ଼ କରିଚାଲିଛି।

Related Post