ଆଜିର ଖାସ ଖବର
Tue. Apr 28th, 2026

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ହ୍ୱାଇଟ୍ ଗୁଡ୍‌ସ ଶିଳ୍ପକୁ ପ୍ରିମିୟମ୍ କୋଟେଡ୍ ଇସ୍ପାତ ଯୋଗାଣ ଆରମ୍ଭ

By Admin_Dainkasha Oct29,2025

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା କଲର କୋଟେଡ୍ ଉତ୍ପାଦ ପାଇଁ ଅତିରିକ୍ତ ଉତ୍ପାଦନ କ୍ଷମତା ଯୋଗ କରିଥିବା ବେଳେ ଦେଶର ଉଚ୍ଚ ମାନର ହ୍ୱାଇଟ୍ ଗୁଡ୍‌ସ ଶିଳ୍ପକୁ ଯୋଗାଣ ଆରମ୍ଭ କରିଛି। ଏଥି ସହିତ କମ୍ପାନି ଚଳିତ ଆର୍ଥିକ ବର୍ଷରେ ରାଜସ୍ୱରେ ୨୦ ପ୍ରତିଶତ ବୃଦ୍ଧି ଆଶା କରୁଛି।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ହ୍ୱାଇଟ୍ ଗୁଡ୍‌ସ କ୍ଷେତ୍ରର ଅଗ୍ରଣୀ ବ୍ରାଣ୍ଡ୍ ଯଥା ଏଲ୍‌ଜି, ହ୍ୱିର୍ଲପୁଲ, ଗୋଦରେଜ୍ ଆଦିର ଅସଲି ଉପକରଣ ନିର୍ମାତା (ଓଇଏମ୍‌)ମାନଙ୍କୁ ପ୍ରିମିୟମ୍ କୋଟେଡ ଇସ୍ପାତ ଯୋଗାଇବ। କମ୍ପାନିର ଏହି ପ୍ରିମିୟମ୍ ଇସ୍ପାତକୁ ୱାସିଂ ମେସିନ, ଏୟାର କଣ୍ଡିସନର ଓ ଅନ୍ୟାନ୍ୟ ହୋମ୍ ଆପ୍ଲାଏନ୍‌ସେସ୍ ଉତ୍ପାଦନରେ ବ୍ୟବହାର କରିବ।
ଏ ସମ୍ପର୍କରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି ଯେ, “ଭାରତର ଦୃତ ଅଭିବୃଦ୍ଧିଶୀଳ ହ୍ୱାଇଟ୍ ଗୁଡ୍‌ସ ବଜାରରେ ଏକ ଦୃଢ଼ ଉପସ୍ଥିତି ଜାହିର କରିବା ଏବଂ ଦେଶର ପ୍ରମୁଖ ଶିଳ୍ପରେ ଉପସ୍ଥିତିକୁ ଦୃଢ଼ କରିବା ଦିଗରେ ଏହା ଏକ ପଦକ୍ଷେପ। ଆମର ପ୍ରିମିୟମ୍ ଉତ୍ପାଦ ପୋର୍ଟଫୋଲିଓରେ କଲର କୋଟେଡ୍ ଇସ୍ପାତ ସିଟ୍‌ର ଅବଦାନ ମୋଟ୍ ବିକ୍ରି ପ୍ରତି ପ୍ରାୟ ୭୦ ପ୍ରତିଶତ ରହିଛି। ଆମେ ଆଶା କରୁଛୁ ଯେ ଏହି କ୍ଷେତ୍ରର ଅବଦାନ ଆହୁରି ବୃଦ୍ଧି ପାଇ ୨୦୨୫-୨୬ ସୁଦ୍ଧା ୭୫ ପ୍ରତିଶତରେ ପହଂଚିବ। ଇସ୍ପାତ ଉତ୍ପାଦନରେ ଆମର ବିଶେଷତା ସହିତ ସହଯୋଗୀମାନଙ୍କ ଓଇଏମ୍‌କୁ ସେବା ପ୍ରଦାନ କରିବାରେ ଅଭିଜ୍ଞତା ହ୍ୱାଇଟ୍ ଗୁଡ୍‌ସ ଶିଳ୍ପ ପାଇଁ ଉଚ୍ଚ ମାନର ଓ ଭରସାଯୋଗ୍ୟ ଉତ୍ପାଦ ନିଶ୍ଚିତ କରିବ।”
ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗ କାରଖାନାରେ ବାର୍ଷିକ ୦.୬ ନିୟୁତ ଟନ୍‌ର ଆନୁଷଙ୍ଗିକ ଇସ୍ପାତ କ୍ଷମତାର ସମ୍ପ୍ରସାରଣ ବିଷୟରେ ପୂର୍ବରୁ ଘୋଷଣା କରାଯାଇଛ। କୋଲ୍‌ଡ ରୋଲିଂ ମିଲ୍‌ର ଶୁଭାରମ୍ଭ ଏକ ପ୍ରମୁଖ ସମ୍ପ୍ରସାରଣ ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରିଛି। ଏହା କମ୍ପାନିର ୧ ନିୟୁତ ଟନ୍ ବାର୍ଷିକ କ୍ଷମତା ଉପରେ ୬୦ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ୧୫୦୦ କୋଟି ଟଙ୍କାର ନିବେଶ ସହିତ କମ୍ପାନି ଆଗାମୀ ବର୍ଷଗୁଡ଼ିକରେ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଆଶା କରୁଛି।
ଭାରତର କଂଜ୍ୟୁମର ଡ୍ୟୁରେବଲ୍ ଶିଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ୨୦୨୭ ସୁଦ୍ଧା ତାହା ଦେଶର ଚତୁର୍ଥ ବୃହତମ ହେବା ସିଆଇଆଇ ପକ୍ଷରୁ ଆକଳନ କରାଯାଇଛି। ଏହା ସହିତ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଆଇଏଲ୍‌) ସ୍କିମ୍ ଜରିଆରେ ଏହି କ୍ଷେତ୍ର ଉପକୃତ ହେଉଛି।
ବିସି ଜିନ୍ଦଲ ଗ୍ରୁପ୍‌ର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ପଶ୍ଚିମବଙ୍ଗର ହାୱଡାଠାରେ ଥିବା କାରଖାନାରେ ଅତ୍ୟାଧୁନିକ କଲର କୋଟିଂ, ଗାଲଭାନାଇଜିଂ ଓ ଗାଲଭାଲ୍ୟୁମ ପ୍ରଯୁକ୍ତି ରହିଛି। କମ୍ପାନି ପକ୍ଷରୁ ସିଟ୍‌, ପାଇପ୍ ଓ ଆଲୁମିିନିୟମ୍ ଫଏଲ୍ ଭଳି ବ୍ୟାପକ ଉତ୍ପାଦ ଉତ୍ପାଦନ କରାଯାଉଛି। ଏହାର ଜିନ୍ଦଲ ସବରଙ୍ଗ ଓ ଜିନ୍ଦଲ ନିଉକଲର+ ଭଳି କଲର କୋଟେଡ୍ ସିଟ୍ ବ୍ରାଣ୍ଡ୍ ରହିଛି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ନୂଆ କାରଖାନା ବିକାଶ କରିବା ଲାଗି ଏହାର ସହାୟକ କମ୍ପାନି ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ମଞ୍ଜୁରି ପତ୍ର ହାସଲ କରିଛି। ପ୍ରଥମ ପର୍ଯ୍ୟାୟରେ ଏଥିରେ ୩୬୦୦ କୋଟି ଟଙ୍କା ଓ ୨୦୩୦ ସୁଦ୍ଧା ଏଥିରେ ୧୫,୦୦୦ କୋଟି ଟଙ୍କା ନିବେଶ କରାଯିବ।

Related Post